Unknown

 

 

 

 

 

 

 

 

 

 

 

ସାହିତ୍ୟ ଚାଷ

ଫତୁରାନନ୍ଦ

 

ଉତ୍ସର୍ଗ

 

ଅଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣଚରଣ ବେହେରା, ଭଦ୍ରକ କଲେଜ ।

 

ମନେ ଅଛିନା କୃଷ୍ଣବାବୁ ! ଏ ବହିର ଗୋଟିଏ ଦୁଇଟି ଗପ ପଢ଼ି କହିଥିଲ—“ଏ ଧରଣ ଗପଗୁଡ଼ିଏ ଏକାଠି କରି ଗୋଟିଏ ପୁସ୍ତକ ପ୍ରକାଶ କଲେ ଭାରି ଭଲ ହୁଅନ୍ତା ।”

 

ମୁଁ ମଧ୍ୟ ସେଦିନ କହିଥିଲି, “ଯଦି କେବେ ଏପରି ହେବାର ସୁଯୋଗ ଆସେ, ତେବେ ତୁମରି ନାମରେ ଏହାକୁ ଉତ୍ସର୍ଗ କରିବି ।”

 

ଆଜି ସେ ଦିନ ଆସିଛି…

 

ଫତୁରାନନ୍ଦ

ମହାଷ୍ଟମୀ

ଅକ୍ଟୋବର, ୧୯୫୯

 

ଉପହାର

 

ଶ୍ରୀ / ଶ୍ରୀମତୀ ……………………………

…………………………..……………………….ଙ୍କୁ

ଭକ୍ତି/ ଶ୍ରଦ୍ଧା/ସ୍ନେହର ନିଦର୍ଶନ ସ୍ୱରୂପ ଉପହାର ଦେଲି ।

 

ଶ୍ରୀ………………………………

ତା……………………………….

 

ପ୍ରଥମ ସଂସ୍କରଣ ଭୂମିକା

 

ସାହିତ୍ୟିକମାନେ ସାଧାରଣତଃ ସାହିତ୍ୟର ଆଲୋଚନା କରିଥାନ୍ତି । ସମସ୍ତଙ୍କର ଦୃଷ୍ଟି ଊଣା ଅଧିକେ ପ୍ରାୟ ଏକ ସ୍ଥାନରେ ପଡ଼ିଥାଏ । ଲେଖକର ଦୃଷ୍ଟି କିନ୍ତୁ ଏକ ଅଥାନରେ ପଡ଼ିଛି । ସେ ସ୍ଥାନକୁ କୌଣସି ସାହିତ୍ୟିକ ବୋଧହୁଏ ଦେଖିବାକୁ ଇଚ୍ଛା କରୁ ନ ଥିବେ । ସେହି ଅଥାନର ଦର୍ଶନ ତଥା ବିଶ୍ଳେଷଣ ରୁ “ସାହିତ୍ୟ ଚାଷ” ର ଉଦ୍ଭବ । ହୁଏତ କେତେକ ବୟସ୍କ ସାହିତ୍ୟିକଙ୍କୁ ଏହା ଅରୁଚିକର ବୋଧ ହୋଇପାରେ । ସମସ୍ତଙ୍କୁ ଯେ ଏହା ଭଲ ଲାଗିବ ଏହା ଆଶା କରିବା ବିଡ଼ମ୍ବନା ମାତ୍ର । ତଥାପି ଚିଡ଼ିଆଖାନାକୁ ଏକ କଦାକାର ନୂଆ ଜୀବ ଆସିଲେ ବି ଲୋକଙ୍କର ଯେପରି କୌତୂହଳ ସୃଷ୍ଟି ହୁଏ, “ସାହିତ୍ୟ ଚାଷ” ଅନ୍ତତଃ ସେହିପରି ସାମାନ୍ୟ କୌତୂହଳ ସୃଷ୍ଟି କରିପାରିବ ବୋଲି ଆଶା କରାଯାଏ । ଲେଖକ ସାହିତ୍ୟର ଚାଷ କରି ସେଥିରେ ଉତ୍ପନ୍ନ ଦ୍ରବ୍ୟକୁ ସୁଧୀ ସମାଲୋଚକବୃନ୍ଦଙ୍କ ହାତରେ ଟେକି ଦେଉଛି । ତାର ସୁସ୍ୱାଦୁ ବା କୁସ୍ୱାଦୁ ଜନିତ ହର୍ଷମୁଖ ବା ମୁଖବିକୃତି ଦେଖିବାକୁ ବାସନା ରହିଲା ।

 

କୌଣସି ବ୍ୟକ୍ତିବିଶେଷ ଏହି ପୁସ୍ତକ ସନ୍ନିବିଷ୍ଟ କୌଣସି ଲେଖା ଦ୍ୱାରା ଯଦି କ୍ଷୁଣ୍ଣ ହୁଅନ୍ତି, ତେବେ ମୁଁ ସେମାନଙ୍କ ନିକଟରେ କ୍ଷମା ମାଗୁଛି ।

 

—ଲେଖକ

 

ପରିବର୍ଦ୍ଧିତ ଦ୍ୱିତୀୟ ସଂସ୍କରଣର ଭୂମିକା

 

ପହିଲି ଥର ସାହିତ୍ୟ ଚାଷ କରିବା ପରେ ଅମଳ ମନ୍ଦ ନ ହେବାରୁ ଟିକିଏ ଆଖିଦୃଶିଆ କରିବାକୁ ଅଧିକ କ୍ଷେତ ଚାଷ କରିବାକୁ ମନ ଡାକୁଥିଲା । “ପାଖରେ ନ ଥାଇ ଧନ, ପୁଅ ବାହା କରିବାକୁ ମନ” ଅବସ୍ଥାଟା ଆସି ଘୋଟିଲା । ସେହି ଥରଟିଏ ଚାଷରେ ବିଲ ପଡ଼ିଆ ପଡ଼ିଥାନ୍ତା । ବିଲୁଆ ଡେଇଁବା ସାର ହୋଇଥାନ୍ତା । ଭାଗ୍ୟକୁ ଜେ.ମହାପାତ୍ର ଏଣ୍ଡ କୋ.ର ନବବାବୁ ହାବୁଡ଼ିଗଲେ । ହେମତ ଦେଲେ—“ପୁଣି ଥରେ ଚଷ, ଅଧିକ କ୍ଷେତ ଚଷ, ଖରଚ ବାରଚ ପାଇଁ ମୁଁ ତିଆର ।”

 

ଏଡ଼େ ବଡ଼ ହେମତ ପାଇ ଦ୍ୱିତୀୟ ଥର ପାଇଁ ବଢ଼େଇ କରି ଚାଷ କଲି । ଏ ଚାଷ ପାଇଁ ଅନେକ ରସିକିଆ ଚାଷୀଙ୍କଠାରୁ ଉତ୍ସାହବାଣୀ ଶୁଣିବା ସଙ୍ଗେ କେତେ ଜଣ ନାକଟେକା ଚାଷୀ (ଓଡ଼ିଆ ଅଧ୍ୟାପକ)ଙ୍କ ଠାରୁ ପଛଆଡ଼ିଆ ଢେଲା ମଧ୍ୟ ଖାଇଛି । ସେମାନଙ୍କ ପରି ମୋର କୌଣସି ଆକ୍ରୋଶ ବା ବୈରଭାବ ନାହିଁ ।

 

ଯେଉଁମାନେ ଥଟ୍ଟା ନକଲି କରନ୍ତି, ସେମାନେ ବେଳେବେଳେ ଗୁମ୍‌ଗୁମା ଖାଆନ୍ତି । ତେଣୁ ଢେଲାମାଡ଼ଟା ଅପ୍ରତ୍ୟାଶିତ ନୁହେଁ । ବରଂ ଢେଲା, ବୋଲୁଅ ନିକ୍ଷେପକାରୀଙ୍କ ରସ ଗ୍ରହଣର ଅସାମର୍ଥ୍ୟ ଦେଖି ମୁଁ ଊଣା ଆନନ୍ଦ ପାଏ ନାହିଁ । ସେମାନେ ରାଗିଲେ ମୁଁ ହସେ, କିନ୍ତୁ ସେମାନେ ମାନସିକ ପୀଡ଼ା ପାଇଲେ ମୋତେ ଦୁଃଖ ଲାଗେ-

 

ମୋଟ ଉପରେ କ୍ଷୁଦ୍ରଗଳ୍ପ ମାଧ୍ୟମରେ ସାହିତ୍ୟ ସମାଲୋଚନା କରିବାକୁ ମୁଁ ଯେଉଁ ପ୍ରୟାସ କରିଛି, ତାହା କେତେ ଅଂଶରେ ସଫଳ ହୋଇଛି, ତାହା କେବଳ ପାଠକମାନଙ୍କର ବିଚାର୍ଯ୍ୟ ।

 

—ଲେଖକ

 

ସୂଚୀପତ୍ର

 

୧.

ଓଡ଼ିଆ ସାହିତ୍ୟରେ ଆମ୍ବୁଲାନ୍‌ସ ଯୁଗ

୨.

ମେଡ଼ିକାଲ୍ କଲେଜରେ ମେହେର ଜୟନ୍ତୀ

୩.

ଆଧୁନିକ କାବ୍ୟ ଯୁଗରେ ପ୍ରତିଷ୍ଠା

୪.

ଭାଲୁ କବି

୫.

ଆଗାମୀ କବିର ଲକ୍ଷଣ

୬.

ମୃତ୍ୟୁ ପ୍ରବନ୍ଧର ଚାବିକାଠି

୭.

କାଣ୍ଟୁଆ ସଭା

୮.

କେମ୍ପାଦକ

୯.

କବି ଖୁଣ୍ଟ

୧୦.

କବି ଓ ସମାଲୋଚକ

୧୧.

କବି ପୂଜା

୧୨.

କଳସାର କାଳ କଳନା

୧୩.

ବ୍ଲାଷ୍ଟଫର୍ଣ୍ଣେସ୍ କବି

୧୪.

ବାଲ୍ମୀକି—ରବୀନ୍ଦ୍ର ବିବାଦ

୧୫.

ଜବରଦସ୍ତ ବକ୍ତା

୧୬.

ଓଠମୂଳିଆ ଯୁଦ୍ଧ କବିତା

୧୭.

ସେକାଳ—ଏକାଳ

୧୮.

ଦୁଇଟି ଦୃଷ୍ଟି

୧୯.

ନିର୍ବାଚନ ପରିଚାଳନା

୨୦.

ଗାଣତାନ୍ତ୍ରିକ ପାଠ୍ୟକ୍ରମ

୨୧.

କବିର ଆଶା

୨୨.

ପ୍ରକାଶନ ପୀଡ଼ା

୨୩.

ସାହିତ୍ୟରେ ନୂଆ ଇଜିମ୍

☆☆☆

 

ଓଡ଼ିଆ ସାହିତ୍ୟରେ ଆମ୍ବୁଲାନ୍‌ସ ଯୁଗ

 

ରମେଶ କୋଠରୀ ଭିତରକୁ ପଶିଯାଇ ଦେଖିଲା, ଅଜୟ ମୁହଁଟାକୁ ଭୂର୍କୁଣ୍ଡା କରି କୋଣାର୍କର ଏକ ମୂର୍ତ୍ତି ପାଲଟି ଯାଇଛି, ନିଶ୍ୱାସ ପ୍ରଶ୍ୱାସଜନିତ ଶରୀର ସ୍ଥୂଳ, କୃଶ ହେବା ଛଡ଼ା ଅନ୍ୟ କୌଣସି ଜୀବନ ଲକ୍ଷଣ ତାହାଠାରେ ଦେଖାଯାଉ ନ ଥିଲା । ତାର ହଠାତ୍ ଉପସ୍ଥିତ ମଧ୍ୟ କୌଣସି ପ୍ରକାର ପ୍ରତିକ୍ରିୟା ଅଜୟର ଶରୀରରେ ସୃଷ୍ଟି କଲା ନାହିଁ । ଯେଉଁ ଅଜୟ ସବୁବେଳେ ଭାଟପରି ବକର ବକର, ଛେଳି ପରି ଫକର ଫକର, ହୁଗୁଳା ଶଗଡ଼ ପରି ଢକର ଢକର, ସାଙ୍ଗମାନଙ୍କ ପାଖରେ ପୋଷା କୁକୁର ପରି ସବୁବେଳେ ହକର ହକର, ସେ ଅଜୟ ପୁଣି ଏକାବେଳେକେ ପଥର ମୂର୍ତ୍ତି । ରମେଶ ପାଖରେ ଯାଇ ବସିଲା, ତଥାପି ତାର କିଛି ପରିବର୍ତ୍ତନ ହେଲା ନାହିଁ । ରମେଶର କୌତୁହଳ ବହୁତ ବଢ଼ିଗଲା । ସେ ମନେ ମନେ ଭାବି ଲାଗିଲା—ନିଶ୍ଚୟ ତାର ଗୋଟିଏ ପେଚ କେଉଁଠାରେ ହୁଗୁଳା ହୋଇ ଯାଇଛି । ଖସଡ଼ା ପଥ—ନାଃ—ଅଜୟ ତ ସେମିତିଆ ଟୋକା ନୁହେଁ, ଦିନେ ହେଲେ ବି ତହିକି ପାଦ ବଢ଼ାଇବାର ଦେଖିନି, କଚଡ଼ାର ପ୍ରଶ୍ନ ବା ଉଠିବ କାହିଁକି ? ମାନ ଅପମାନ ? କାହିଁକି ?—ପରିବା ଭିତରେ ସେ ତ ହେଉଛି ଗୋଟିଏ ବିଲାତି ବାଇଗଣ , ତା ସଙ୍ଗେ କଳି କରିବ କିଏ ? ନାଃ—ତା ବି ନୁହେଁ । ଘରୁ କିଛି ଖରାପ ଖବର-? —ନାହିଁ ତ, କାଲି ତା କକେଇ ସାଙ୍ଗରେ ଦେଖା ହୋଇଛି, କିଛି ଖରାପ ଥିଲେ ସେ ନିଶ୍ଚେ କହି ଥାଆନ୍ତେ—ପାଠକଥା ଭାବୁଛି ? ତେବେ ମୁହଁଟା ଭୂର୍କୁଣ୍ଡା କରିଛି କିଆଁ ? ରମେଶ ଏମିତି ମନେମନେ ତିନି ଭୁବନଯାକ ଅଣ୍ଡାଳି ଯେଉଁ ଡାଳ ଧରିଲା ତାହା ମଟ୍ କରି ଭାଙ୍ଗିଗଲା । ଅଜୟର ଧ୍ୟାନ ଭାଙ୍ଗିବାପାଇଁ ସେ ଗୋଟାଏ ସିନେମା ଗୀତର ସୁର ପାଟିରେ ସୁସୁରି ମାରି ବଜେଇଲା, ତଥାପି ଅଜୟ ନିଶ୍ଚଳ । ଟେବୁଲଟାକୁ ଡୁଗି ତାବଲ୍ ପରି ବାଡ଼େଇ “ଅନା ଅନା ନାଗୁଣୀ” ଗୀତରୁ ପଦେ ବୋଲିଲା; ତଥାପି ସେ ନିଷ୍ଫଳ । ରମେଶ ଅସ୍ଥିର ହୋଇପଡ଼ିଲା । ନଇଁପଡ଼ି ଅଜୟର ଭୂର୍କୁଣ୍ଡା ପୋଡ଼ା ମୁହଁକୁ ଚାହିଁ, ଫେଁ କରି ହସିଦେଲା । ଗୋଟିଏ ବଡ଼ ଧ୍ୱନିର କ୍ଷୀଣ ପ୍ରତିଧ୍ୱନି ପରି ଅଜୟ ଟିକିଏ ଫଟା ହସ ହସିଦେଇ କହିଲା—ହେତ୍—ହେରେସାଟା ନା କଅଣ ମ ?

 

ରମେଶ ଉତ୍‌ଫୁଲ୍ଲ ହୋଇ ପଚାରିଲା—କଅଣ ଧ୍ୟାନଯୋଗ ଭାଙ୍ଗିଗଲା ? ବ୍ୟାପାର କଅଣ ?

 

ବହୁ ସଜଡ଼ାସଜଡ଼ି ଓ ମୋଡ଼ାମୋଡ଼ି ପରେ ଯେପରି ବେତାରଯନ୍ତ୍ରରୁ ଶବ୍ଦ ବାହାରେ, ସେହିପରି ରମେଶର ଅନେକ ଚେଷ୍ଟା ପରେ ଅଜୟ ପାଟିରୁ କଥା ବାହାରିଲା—

 

—କାଲି ଟାଉନ୍ ହଲରେ ପ୍ରାଚୀନ ଓଡ଼ିଆ—ସାହିତ୍ୟ ବିଷୟରେ ଏକ ସଭା ବସିଥିଲା–ଶୁଣିଛୁ ?

 

—ନା ତ—କାହିଁକି, କଅଣ ହେଲା ?

 

—ମୁଁ ଭଞ୍ଜ ସାହିତ୍ୟ ବିଷୟରେ ଦି’ ଚାରିପଦ କହିଛି କି ନାହିଁ, ସେ ନଟବର…

 

—ହଁ, ହଁ, ନଟିଆ ନା—ଯେ ପଞ୍ଚମ ବାର୍ଷିକ ଶ୍ରେଣୀରେ ପଢ଼େ ତ ?

 

—ହଁ, ହଁ, ସେ ନଟ ମୋତେ ଯେଉଁ ଅପମାନ ଦେଲା, ତାହା ମଲାଯାଏ ଭୁଲି ପାରିବି ନାହିଁ ।

 

—କାହିଁକି କଅଣ ହେଲା ?

 

—ଆରେ, ମୁଁ ପଦେ କହିଲେ ସେ ଦି’ପଦ । ନାଆଁକୁ ସିନା ମୁଁ ବକ୍ତା, ସେ କିନ୍ତୁ କହି ଲାଗିଥାଏ—“ବନ୍ଦକର ସେ ଅଶ୍ରାବ୍ୟ ସାହିତ୍ୟ—ତୁମରି ଭଞ୍ଜେ ଲେଖିଛନ୍ତି ନା—‘ବାଳ ଭାନୁ ଜାନୁ ଗିରି ଗୁହାରେ’—ମଲ ନାହିଁ ତାକୁ ଯାହା ପଢ଼ିଲ ।” ପୁଣି କହିଲା—ସେଗୁଡ଼ାକ କବିତା ନା ପଛର ଚୋବା—‘ସାତ କୁମ୍ଭ ପରେ ବେନିକୁମ୍ଭ ରଖି ପଞ୍ଚମନକୁ ତୋଷିଲା’—ଏଥିରେ କାହିଁକି ଜଣେ ମୁଣ୍ଡ ଖେଳେଇବ ? କେରମ୍ କାହିଁକି ନ ଖେଳିବ—ଦୂରୁ ଜୁହାର ସେ କବିତାକୁ—‘କୁସୁମ ଶାୟକ, ଶାୟକ, ଶାୟକ ଶାୟକ ବିନ୍ଧୁଥିବ ଟାଣି” ଆହାରେ ଇଞ୍ଜିନ୍ କବିତା “ଫସ ଫସ ଫସ ଫସ ଫସ ଫସ ଗାଡ଼ି ଚାଲୁଥିବ ଟାଣି”, କାହିଁକି କବିତା ନ ହେବ—ମରନ୍ତିନି ଲୋକେ ପୁଣି ୟାକୁ ଘୋଷନ୍ତି ।”

 

—ଏଁ ଏମିତି କହିଲା ?

 

—ସେତିକିରେ କଣ ରହିଲା, ପୁଣି କହିଲା—ଯୋଉ କବି ‘ବଜାର ବୋଲି’ ଲେଖିବ, ତାକୁ ବଜାରି ବୋଲି କହିବିନି ତ ଆଉ କଅଣ କହିବ ? ସେ କଣା କବି କେବଳ ରାଜା ରାଜୁଡ଼ାଙ୍କୁ ଦେଖିଛନ୍ତି । ଗରିବ ମଳିମୁଣ୍ଡିଆଙ୍କୁ ଚାହିଁବାକୁ ଆଖିଟା ଫୁଟି ଯାଇଥିଲା ? —ଲୋଡ଼ାନାହିଁ ସେ ସାହିତ୍ୟ ଆଧୁନିକ ଯୁଗରେ । ବର୍ତ୍ତମାନ ତାର ସ୍ଥାନ ମ୍ୟୁନିସିପାଲିଟି ମଇଳା କୁଣ୍ଡରେ—

 

—ଏଁ ଏତେ ସାହସ ।

 

—ହଁ, ଏତିକି ଦେଖିଲୁ, ପୁଣି କହିଲା—ଯାଅ ଭଞ୍ଜ ଓ ତା’ର ସ୍ତାବକଗଣ ଚାଲିଯାଅ ଅନ୍ଧକାର ଯୁଗକୁ—

 

—ଆଚ୍ଛା । ପଠେଇଦେଲା ଏକାବେଳେକେ ଅନ୍ଧକାର ଯୁଗକୁ ?

 

ଦେଖୁଛୁ ତ, କୁହାଳିଆଟାଏ—କଥାରେ କଥାରେ ମୋତେ ପୋତି ପକେଇଲା । ଶୁଣନ୍ତା ଲୋକେ ବି ଭାସିଗଲେ ତହିଁରେ । ସତ କହୁଛି ଭାଇ, ଏମିତି ଆଘାତ ମୁଁ ଜୀବନରେ କେବେ ପାଇନି । ମୋତେ ହେଲେ ଗାଳି ଦେଇ ଥାଆନ୍ତା । ମୋର ନମସ୍ୟ ଭଞ୍ଜଙ୍କୁ ଯାହା ମୋ ଆଗରେ ଗାଳି ଦେଲା । ଓଃ ଏ ଜୀବନାଟା ଯାହା ଚାଲି ନ ଗଲା—

 

—ଆରେ ଏଇଥିପାଇଁ ଏତେ ? ତା”ର ବଦଲା ନେଇନବା । ମନ ମାନିବ ତ ?

 

—ଇଲୋ ବୋପା ! ସେଇଟା ଗୁଣ୍ଡାଟାଏ, ମୋ ଭଳିଆ ଚାରିଟାଙ୍କୁ ଛତୁ କରିଦେବ—

 

—ରଖ ତା ଛତୁ, ମୁଁ ତାକୁ ଛତୁ ତିଅଣ କରିଦେବି । ଠିକ୍ ସେମିତି ସଭା ହୋଇଥିବ, ତାକୁ ଠିକ୍ ସେମିତି ଥୋକେ ଦୂର୍ ଦୂର୍ କରିବେ, ତାକୁ କୁହାଇ ଦେବେ ନାହିଁ । ତୋତେ ଯେମିତି ସେ ଅନ୍ଧକାର ଯୁଗକୁ ପଠେଇଛି, ମୋର ଚରମାନେ ଠିକ୍ ସେମିତି ତାକୁ ଆମ୍ବୁଲାନ୍‌ସ ଯୁଗକୁ ପଠେଇଦେବେ—

 

—ଏଁ, ଆମ୍ବୁଲାନ୍‌ସ ଯୁଗ !

 

—ଆରେ ହଁ, ହଁ, ଆମ୍ବୁଲାନ୍‌ସ ଯୁଗ । ଖୁବ୍ ନିକଟରେ ଆସିଛି । ତୁ ଦେଖିନୁ ? ମୁଁ ଦେଖେଇଦେବି । କଳିଯୁଗ ଆସିବା କଥା ଯୁଧିଷ୍ଠି କଅଣ ପହିଲେ ଜାଣିଥିଲେ ? ସହଦେବ କାରସାଦି କରି ଜଣେଇ ଦେଇଥିଲେ । ସେମିତି ମୁଁ କାରସାଦି କରିବି, ତୁ ଜାଣିଯିବୁ । ଏତକ ଯଦି ମୁଁ କରି ନ ପାରିବି ତେବେ ମୋ ନାଁ’ରେ ଗୋଟାଏ କୁତା ପୋଷିବୁ । ଆଉ ଦେଖ, ଦଶ ବାର ଦିନଟି ସମ୍ଭାଳି ଯା—ମୋତେ କିଛି ପଚାରିବୁ ନାହିଁ । ତା ପରେ ଆମ୍ବୁଲାନ୍‌ସ ଯୁଗକୁ ସ୍ୱ-ଚକ୍ଷୁରେ ଦେଖିବୁ ।

 

—ହେଃ ଡହରାଟାଏ ହେଲୁଣି ।

 

—ବାସ୍ ବାସ୍ କହିବୁ ତ ସେହିଦିନ ଡହରା ବୋଲି କହିବୁ । ଦେ ପାନଖଣ୍ଡେ ଦେ—

 

ନଟବରଙ୍କ ଖଟରେ ବସିପଡ଼ି ରମେଶ କହିଲା—ହଇ ହେ ନଟବାବୁ ଗୋଟାଏ ଅନୁରୋଧ—

 

—କି ଅନୁରୋଧ ?

 

—ଏଇ ସରସ ସାହିତ୍ୟ ସମିତି ପକ୍ଷରୁ ଗୋଟିଏ ସାହିତ୍ୟ ସଭା ହେଉଛି—

 

—କେଉଁ ଯୁଗ ଉପରେ ?

 

—ଅତ୍ୟାଧୁନିକ ଯୁଗ ଉପରେ । କେତେଜଣ କହୁଥିଲେ, ଆଧୁନିକ ଯୁଗ ବିଷୟରେ କରିବାକୁ । ମୁଁ କହିଲି, ଏଇଟା ଦିହଘଷା ହୋଇଗଲାଣି । ଆଧୁନିକ ଯୁଗ ବୋଇଲେ ମାନସିଂହ, ଗଡ଼ନାୟକ, ନିତ୍ୟାନନ୍ଦ, ସଚ୍ଚି, କାହ୍ନୁ, ଗୋପୀ, ସୁରେନ୍ଦ୍ର ମହାନ୍ତି, କାଳି, କାଳିନ୍ଦୀ ଓ ଦୁଇ ରାଜୁ । ଏମାନଙ୍କୁ ତ ସବୁବେଳେ ଦେଖୁଛୁ ଓ ତାଙ୍କ କଥା ସବୁବେଳେ ଶୁଣୁଛୁ ବରଂ ଅତ୍ୟାଧୁନିକ ଯୁଗ ବିଷୟରେ ଚର୍ଚ୍ଚା ହେଲେ ଭଲ ହେବ । ନୂତନ ଲେଖକମାନଙ୍କୁ ଆଲୁଅକୁ ଆଣିବାକୁ ହେବ । ସମସ୍ତେ ଏଥିରେ ରାଜି ହୋଇଛନ୍ତି । ଆଉ ମଧ୍ୟ ସମସ୍ତଙ୍କ ମତ ଯେ ଏ ବିଷୟରେ ଆପଣଙ୍କ ଜ୍ଞାନ ସର୍ବୋତ୍କୃଷ୍ଟ । ତେଣୁ ଆପଣଙ୍କୁ ପ୍ରଧାନ ବକ୍ତା କରିବାକୁ ସମସ୍ତଙ୍କର ଇଚ୍ଛା । ଆର ରବିବାର ଦିନ ରାମଚନ୍ଦ୍ର ଭବନରେ ସଭା ହେବ । ଏଥିରେ ଆପଣଙ୍କର କୌଣସି ଆପତ୍ତି ନ ରଖିବାକୁ ଆମ ସମସ୍ତଙ୍କର ଅନୁରୋଧ ।

 

ଉତ୍‌ଫୁଲ୍ଲିତ ହୋଇ ନଟବାବୁ କହିଲେ—ବାଃ ! ମୁଁ ଯାହା ଆଜିଯାଏ ଭାବୁଥିଲି ତାକୁ ଆପଣ କାର୍ଯ୍ୟରେ ପରିଣତ କଲେ । ମୁଁ ରାଜି ଅଛି ।

 

ଡାଇରୀ ବହିରେ ତାରିଖ, ଥାନ ଇତ୍ୟାଦି ଟିପିଦେଇ ନଟବାବୁ ରମେଶ ବାବୁଙ୍କୁ ବିଦାୟ ଦେଲେ ।

 

ଧାର୍ଯ୍ୟ ହୋଇଥିବା ଦିନ ଯେତେ ନିକଟେଇ ଆସୁଥାଏ, ଗଜା ଲେଖକ ଗୋଷ୍ଠୀଙ୍କ ଭିତରେ ସେତେ ଉଷ୍ମତା ବଢ଼ୁଥାଏ । ସବୁ ଖବର କାଗଜ ଓ ପତ୍ରପତ୍ରିକାରେ ବିଜ୍ଞାପନ ବାହାରି ଉଷ୍ମତାକୁ ଆହୁରି ବଢ଼ାଉଥାଏ ।

 

ରବିବାର ଦିନ ସରସ ସାହିତ୍ୟ ସମିତିର କର୍ମକର୍ତ୍ତାମାନେ ରାମଚନ୍ଦ୍ର ଭବନରେ ଆୟୋଜନରେ ଲାଗିପଡ଼ିଲେ । କିନ୍ତୁ ରମେଶ ପୋଷ୍ଟ ପିଅନ ପରି ୟା ଘର ତା ଘର ଯିବାକୁ ଲାଗିଲା ।

 

ରମେଶଠାରୁ ସବୁକଥା ଶୁଣି ଅଲେଖ ଦାସ କହିଲେ—କେମନ୍ତ ନଟିଆ କେବେ ଘଡ଼ଘଡ଼ି ପତ୍ରିକା ପଢ଼ିଛି ? ପଢ଼ିଥିଲେ ମୋ ନାଁ’କୁ ଛାଡ଼ି ଯାଇଥାନ୍ତା ? ରହ ସେ ଟୋକାର ପିତ୍ତ କେତେ ଆଜି ଦେଖୁଛି ।

 

ବିମର୍ଷ ମିଶ୍ର କହିଲେ—ଏଁ, ଦୀପରୁଖା ପତ୍ରିକାରେ ମୋର ବ୍ୟଙ୍ଗ କବିତା କଣ ନଟିଆ ପଢ଼ିନି ? ଟୋକା ଜାଣିସିଆଣା । ମୋ ନାଁ’କୁ ଜାଣି ଜାଣି ବାଦ୍ ଦେଇଛି । ଶଳାକୁ ଦଉଚି ଆଜି ଠିକ୍ କରି ।

 

ଗଜ ମହାପାତ୍ର କହିଲେ—ହୁଁଃ, ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର ? ମେରୁଦଣ୍ଡ କାଗଜରେ ଧାରାବାହିକ ଭାବରେ ମୋର ପ୍ରବନ୍ଧସବୁ ବାହାରି ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ ଛତରା ଭାବିଛି—ମୋ ନାଁ’ଟା ନ କହି ମୋତେ ପୋତି ପକେଇବ ? ଭାବିଛି ଦିହ ଜୋରରେ ସମସ୍ତଙ୍କୁ ଦଳିଦେବ । ଶଳାକୁ ଦି ବୋଲୁଅରେ ଥଣ୍ଡା କରିଦେବି । ଆଜି ପକେଟରେ ବୋଲୁଅ ନେଇ ସଭାକୁ ଯିବି ।

 

ଗୋବର ଷଡ଼ଙ୍ଗୀ କହିଲେ—କଅଣ ହେଲା ? ବଣଭୁଆ ପତ୍ରିକାରେ ମୋର ଏତେ ଗପ ବାହାରିଲା, ତା ଆଖିରେ ପଡ଼ିଲାନି ? ଗଳ୍ପ ଲେଖକ ହିସାବରେ ଆଉ କାହା ନାଁ କହିବ ? ଶଳାକୁ କୁହାଇ ଦେବି ନାହିଁ । ଦେଖିବି, କାହାର ଦଉଡ଼ କେତେ—

 

ରମେଶ ଏ ଗୋଷ୍ଠୀଙ୍କୁ ତତେଇ ତତେଇ, ସଙ୍ଗରେ ନେଇ ରାମଚନ୍ଦ୍ର ଭବନରେ ପହଞ୍ଚିଲାବେଳକୁ ବକ୍ତୃତା ଆରମ୍ଭ ହୋଇ ଗଲାଣି । ନଟବାବୁ ସେତେବେଳକୁ କହୁଥାଆନ୍ତି—ତେଲିଆ ମୁଣ୍ଡରେ ତେଲ ଦେଲାପରି ପ୍ରତିଷ୍ଠିତ ଲେଖକମାନଙ୍କର ଯଶଗାନ କରି ଲାଭ ନାହିଁ । ଭବିଷ୍ୟତର ଲେଖକମାନଙ୍କୁ ମୁଁ ଆଜି ସମସ୍ତଙ୍କୁ ଚିହ୍ନାଇଦେବି । ଅତ୍ୟାଧୁନିକ ଯୁଗର କବିତାରେ ଶ୍ରୀମାନ୍ ଦିଗମ୍ବର ସର୍ବଶ୍ରେଷ୍ଠ କୃତିତ୍ୱ ଦେଖାଇ ଅଛନ୍ତି ।

 

ଏ ଦିଗରେ ଫକୀର ଓ ବୁଦ୍ଧିମନ୍ତଙ୍କର ନାମ ମଧ୍ୟ ଉଲ୍ଲେଖଯୋଗ୍ୟ ।

 

ଠିକ୍ ଏହି ସମସୟରେ ପ୍ରଶ୍ନ ହେଲା—ଆଉ କେହି ନାହାନ୍ତି ?—

 

—ନା ଏହାଙ୍କ ସମକକ୍ଷ ଆଉ କେହି ନାହାନ୍ତି ।

 

—ତମ ନନାକାଳେ କେବେ ସାହିତ୍ୟ ଚର୍ଚ୍ଚା କରିଥିଲ ?

 

ଏପରି ମାଇଚିଆଙ୍କ ପରି ଲୁଚି ଲୁଚି ପ୍ରଶ୍ନ କରିବା ଛାଡ଼ି ପ୍ରଶ୍ନକର୍ତ୍ତା ସାମନାସାମନି ଆସିଯାଆନ୍ତୁ ।

 

ଉତୁରି ଆସୁଥିବା ଜାଉକୁ ଫୁ ଫା କରି ସମସ୍ତେ ଦବାଇ ଦେଲେ ।

 

ନଟବାବୁ ପୁଣି କହି ଲାଗିଲେ—କ୍ଷୁଦ୍ର ଗଳ୍ପରେ କେଶବଚନ୍ଦ୍ର ଅଦ୍ଭୁତ ଭାବରେ ନବୀନତା ଦେଖାଇ ଅଛନ୍ତି । ଏହାଙ୍କ ସମକକ୍ଷ ଆଉ କେହି ନାହାନ୍ତି ।

 

ପୁଣି ପ୍ରଶ୍ନ ଉଠିଲା—ଗୋବର ଷଡ଼ଙ୍ଗୀଙ୍କ ଗପ ପଢ଼ିଛନ୍ତି ?

 

—ପଢ଼ିଛି କିନ୍ତୁ ସେସବୁ ଗୋବର ।

 

—ଆବେ ତୋରି ମୁଣ୍ଡରେ ଗୋବର—

 

—ଆ ମୋ ପାଖକୁ ଆସି କହ—

 

ହୋ ହା କରି ସମସ୍ତେ ପୁଣି ଗଣ୍ଡଗୋଳକୁ ଦବେଇ ଦେଲେ ।

 

ରାଗରେ ତମ ତମ ହୋଇ ନଟବାବୁ କହି ଲାଗିଲେ—ମୁଁ ଦୃଢ଼ଭାବରେ କହିବି, ବସନ୍ତ ବାବୁଙ୍କ ପରି ବ୍ୟଙ୍ଗ—କବିତା ଆଉ କେହି ଲେଖୁନାହାନ୍ତି—

 

ସଭା ଭିତରୁ କିଏ ଜଣେ ପାଟିକରି କହଲିା—ହଁ ଲେଖୁଛି, ତୋ ବୋପା ବିମର୍ଷ ମିଶ୍ର…..

 

ସଭାପତି ସଙ୍ଗେ ସଙ୍ଗେ ପାଟି କରି କହିଲେ—ସାହିତ୍ୟ ସଭାରେ ଏପରି ବ୍ୟବହାର ଅତୀବ ଘୃଣ୍ୟ—

 

ନଟବାବୁ ହାତରୁ ଅସ୍ତିନ ଟେକି ଆହ୍ୱାନ ଦେଲେ—କେଉଁ ଜାରଜଟା ଏକଥା କହିଲା ସେ ବାହାରି ଆସୁ ।

 

—କଅଣ ତା ମୁଣ୍ଡଟା କାଟି ପକେଇବ ?

 

ଏହିପରି ଅସାହିତ୍ୟିକ ବାକ୍ୟବାଣ ଚାଲିଥିବାବେଳେ ପାଖ କବାଟ ପଛଆଡ଼ୁ ଦୁଇ ଚାରି ବୋଲୁଅ, ସଭାପତି ଓ ନଟବାବୁଙ୍କ ଆଡ଼କୁ ଛୁଟିଗଲା । ରକ୍ତାକ୍ତ ହୋଇ ଦୁହେଁ ସେହିଠାରେ ଟଳି ପଡ଼ିଲେ । ସଙ୍ଗେ ସଙ୍ଗେ ମ୍ୟୁନିସିପାଲିଟିର ଆମ୍ବୁଲାନ୍‌ସକୁ ଡକାଇ ଦୁହିଁକି ଡାକ୍ତରଖାନା ନିଆଗଲା-

 

ଘରକୁ ଫେରିଲାବେଳେ ରମେଶ ଅଜୟକୁ କହିଲା—ଓଡ଼ିଆ ସାହିତ୍ୟର ଆମ୍ବୁଲାନ୍‌ସ ଯୁଗ ବିଷୟରେ ତୋର ସଠିକ୍ ଧାରଣା ହେଲା ? ତାତେ ସେ ପରା ପଠାଇଥିଲା ଅନ୍ଧକାର ଯୁଗକୁ-? ଆମ୍ବୁଲାନ୍‌ସ ଯୁଗକୁ ନିଜେ ଗଲା କି ନାହିଁ ? ଦେ, ପାନ ଖଣ୍ଡେ ଦେ !

 

ଅଜୟ ଟିକିଏ ବ୍ୟଥିତ ହୋଇ କହିଲା—ଯାଃ, ଅତି ବେଶି ହୋଇଗଲା— ।

☆☆☆

 

ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

 

ଘଣ୍ଟା କଣ୍ଟା ପରି ପ୍ରତିବର୍ଷ ଥରେ ଲେଖାଏଁ ମେହେର ଜୟନ୍ତୀ ଓଡ଼ିଶାକୁ ଆସେ । କବି, ସାହିତ୍ୟିକ ତଥା ସାହିତ୍ୟପ୍ରେମୀମାନେ ସେହି ଦିନଟି ଉତ୍ସବରେ କଟାନ୍ତି । ବହୁ ସଭା ସମିତିର ଆୟୋଜନ ହୁଏ । ତରୁଣ ବକ୍ତାମାନେ ଦୁଇ ଚାରିଦିନ ଆଗରୁ କାଦୁଅ ଚିପି କୋଚିଆ ଧରିଲା ପରି, ବିଷୟବସ୍ତୁ ପାଇବା ପାଇଁ ମେହେର ଗ୍ରନ୍ଥାବଳୀ ଘାଣ୍ଟି ବସନ୍ତି ଓ ଠିକଣା ସମୟରେ ଖାଳେଇ ଭିତରୁ ଘଳଘାଳ୍ କରି ମାଛଗୁଡ଼ାକ କାଢ଼ି ପକାଇଲା ପରି ପେଟରୁ ମେହେରଙ୍କ ବିଷୟରେ ଜ୍ଞାନଗୁଡ଼ାକ ଓକାଳି ପକାଇବାକୁ ଉହୁଙ୍କି ରହିଥାଆନ୍ତି । ବୁଢ଼ା ଧୋତଡ଼ା ବକ୍ତାମାନେ ମେହେରଙ୍କୁ କିପରି ନୂଆ ଭାବରେ ସଜେଇ ଲୋକଙ୍କୁ ଦେଖେଇବେ, ସେଥିଲାଗି ନିଜ ନିଜ ମୁଣ୍ଡକୁ ଦହିହାଣ୍ଡି ମନ୍ଥିଲା ପରି ମନ୍ଥିବାରେ ଲାଗିପଡ଼ନ୍ତି । ଭାବପ୍ରବଣ ଛାତ୍ରମାନେ ଭବିଷ୍ୟତରେ ମେହେରଙ୍କ ପରି ହେବାକୁ ମନେ ମନେ ସରସ୍ୱତୀଙ୍କୁ ପ୍ରାର୍ଥନା କରନ୍ତି । ମୋଟ ଉପରେ ଚୋରା ବସନ୍ତ ଆସିଲେ ଦେହ ଉଲୁସିଲା ପରି କବି, ସାହିତ୍ୟିକମାନଙ୍କ ଦେହ ମେହେର ଜୟନ୍ତୀ ଆଗମନରେ ଉଲୁସି ଉଠେ । ସମସ୍ତେ ଊଣା ଅଧିକେ ଜୟନ୍ତୀକୁ ସାଦର ଅଭ୍ୟର୍ଥନା ଜଣାନ୍ତି ।

 

ସେ ବର୍ଷ ମେହେର ଜୟନ୍ତୀ ଆସୁ ଆସୁ ଦୈବାତ୍ ମେଡ଼ିକାଲ କଲେଜ ଭିତରେ ପଶିଗଲୁ । ମାଳିକୁ ଛେଳି ଅଡ଼ୁଆ । ଡାକ୍ତର ତଥା ଡାକ୍ତରୀ ଛାତ୍ରମାନେ ଜୟନ୍ତୀକୁ ହଠାତ୍ ପଶିଯିବାର ଦେଖି ଟିକିଏ ହଡ଼ବଡ଼େଇ ଗଲେ ସତ, କିନ୍ତୁ ଦବିଗଲେ ନାହିଁ । ଯେଉଁମାନେ ଲୋକଙ୍କ ଗଲା ଆସିଲାବେଳେ ଦବି ଯାଆନ୍ତି ନାହିଁ ସେମାନେ କି ମେହେର ଜୟନ୍ତୀକୁ ଦେଖି ଦବିଯିବେ ! ଡାକ୍ତର ତଥା ଡାକ୍ତରୀ ଛାତ୍ରମାନେ ଠିକ୍ କଲେ ମେହେର ଜୟନ୍ତୀ ଅଲବତ୍ ପାଳିବେ—ପୂରାଦମରେ ସଜାସଜି କରି ପାଳିବେ ।

 

ସେମାନଙ୍କୁ ଯେ ମେହେର ଜୟନ୍ତୀ ପାଳି ଆସେ, ତାହା ଅନ୍ତତଃ ସାହିତ୍ୟିକମାନଙ୍କୁ ଦେଖାଇ ଦେବା ଦରକାର । ତେଣୁ ଠିକ୍ ହେଲା, ବାହାରର ଜଣେ ବଡ଼ ସାହିତ୍ୟିକଙ୍କୁ ସାଙ୍ଗେ ସାଙ୍ଗ ନିମନ୍ତ୍ରଣ କରି ଅଣାଇବାକୁ ହେବ । କେତେଜଣ କହିଲେ ଯେ ସୁସ୍ଥ ସବଳ ସାହିତ୍ୟିକ କେହି ମେଡିକାଲ ଭିତରକୁ ଆସିବାକୁ ରାଜି ହେବେ ନାହିଁ । ଜଣେ କହିଲା—“କିଛି ପରବାଏ ନାହିଁ । ଯେଉଁ ସାହିତ୍ୟିକର ପେଟମରା ଥିବ ଓ ଖେଞ୍ଚି ହେଉଥିବ ତାକୁ ନିମନ୍ତ୍ରଣ କରିବାମାତ୍ରେ ଧାଇଁ ଆସିବ । ବେଶି ଖୋଜିବାକୁ ପଡ଼ିବ ନାହିଁ । କାରଣ ଅଧିକାଂଶ ସାହିତ୍ୟିକଙ୍କର ପେଟକୁ ମାରେ” । ଦୁଇଜଣ ଚାଲିଗଲେ ନିମନ୍ତ୍ରଣ କରିବାକୁ ।

 

ଆଡ଼େ ପୁଣି ଘର ସଜା ହେବା, ଆଉ ସମୟ ନାହିଁ । ଅଧ୍ୟାପନା କୋଠରୀ ବା ଲେକ୍‌ଚର ହଲ୍‌ର ଫାଟକ ଦୁଇ ପାଖରେ ଯୋଡ଼ାଏ କଙ୍କାଳ ବା ସ୍କେଲିଟନ୍ ଠିଆ କରାଗଲା । ଉଭୟଙ୍କର ହାତକୁ ନମସ୍କାର କରିବା ଭଙ୍ଗୀରେ ରଖି ସୁତା ବାନ୍ଧି ଦିଆଗଲା । ମୁଣ୍ଡ ଉପରକୁ ଦୁଇଟା ଜାନୁ-ହାଡ଼ ଛକି ପକାଇ ତା ଆଗକୁ ଗୋଟିଏ ମୁଣ୍ଡ ହାଡ଼ ବା ସ୍କଲ୍‍ ରଖାଗଲା । ତା ତଳକୁ ଲେଖାଗଲା “ସ୍ୱାଗତମ୍” ।

 

ପାଖରେ ଠିଆ ହୋଇ ଦେଖୁଥିବା କେତେକ ବାହାର ଲୋକ ଗୁଣୁ ଗୁଣୁ ହୋଇ କହୁଥାନ୍ତି—“ଅଳପେଇସେ ଯମ ଘରକୁ ସ୍ୱାଗତ କରୁଛନ୍ତି,—କୋଉ ବୋକଡ଼୍ ଜାଣୁ ଜାଣୁ ତା ଭିତରକୁ ପଶିବ ” । ଅବଶ୍ୟ ତାଙ୍କ କଥା କାହାକୁ ଶୁଭୁ ନ ଥିଲା ।

 

ଘର ଭିତରଟା ତ ପୁଣି ସଜାହେବ ! ରକ୍ତ କଣିକାରେ ବଡ଼ ବଡ଼ ରଙ୍ଗୀନ୍‍ କାନ୍ଥଛବି ସବୁ ଚାରିପାଖେ ମରାଗଲା । ନାଲି ନେଳି ହୋଇ ସେଗୁଡ଼ିକ ବଡ଼ ସୁନ୍ଦର ଦେଖାଗଲା । ମେହେରଙ୍କ ଛବିକୁ ରଖିବା ଲାଗି ଗୋଟାଏ ଭଲ ଟେବୁଲ ଦରକାର ପଡ଼ିଲା । ସଙ୍ଗେ ସଙ୍ଗେ ଅପରେସନ୍‌ କୋଠରୀରୁ ଗୋଟିଏ ଚକ୍‌ଚକିଆ ଟେବୁଲ ଆସିଗଲା । ତା ଉପରେ ଦୁଇ ଗଜ ଗଜ୍‍କନା ଚିରି ବିଛାହେଲା ଓ ତା ଉପରେ ହାଡ଼ ଯୋଡ଼ା ଦଣ୍ଡା ବା ସ୍ପ୍ଲୀଣ୍ଟ୍ ଢିରା ଦିଆହୋଇ ମେହେରଙ୍କ ଗୋଟିଏ ଛବି ଥୁଆଗଲା । ସଭାପତିଙ୍କ ପାଇଁ ଗୋଟିଏ ଭଲ ଚଉକି ଦରକାର । ଦାନ୍ତଭଙ୍ଗା ଘରୁ ଦାନ୍ତଭଙ୍ଗା ଚଉକିଟା ଆଣି ଥୋଇଦେଲେ । ତା ପରେ ଟେବୁଲ ଉପରେ ଫୁଲଦାନୀ ଥୁଆହେଲା ପରି ଭ୍ରୂଣ ସାଇତା ହୋଇଥିବା କେତେଗୁଡ଼ାଏ କାଚର ବୁୟମ୍‌ ଆଣି ରଖିଦେଲେ ।

 

ସଜାସଜି ସରିଛି କି ନାହିଁ, ଦୁଇଜଣ ବିକୃତମୁଖବିଶିଷ୍ଟ ଓ ପେଟକୁ ଦୁଇ ହାତରେ ଚିପି ଧରିଥିବା ଜଣେ ସାହିତ୍ୟିକଙ୍କୁ ଘେନିଆସି ପହଞ୍ଚିଗଲେ । ଏଡ଼େ ଚଞ୍ଚଳ ଜଣେ ସାହିତ୍ୟିକ ମିଳିଯିବାର କାରଣ ବୁଝୁବୁଝୁ ଜଣାଗଲା ଯେ ସେ ଦୁଇଜଣ ଛାତ୍ର ସାହିତ୍ୟିକ ଖୋଜି ଯାଉଁ ଯାଉଁ ଡାକ୍ତରଖାନା ଫାଟକ ପାଖରେ ତାହାଙ୍କୁ ରିକ୍‌ସାରେ ବସି, ପେଟ ଚିପି ଧରି, ମୁହଁକୁ ନିସାଡ଼ି ଆସୁଥିବାର ଦେଖିଲେ । ଆଉ ସହର ଭିତରକୁ ଯିବା ଦରକାର ପଡ଼ିଲା ନାହିଁ । ଦୈବ ଅନୁକୂଳ ହେଲେ ସିନା ଏମିତି ଖାଳେଇ ଭିତରେ ମାଛ ଆସି ଛାଏଁ ଛାଏଁ ପଶିଯାଏ ! ପେଟମରା ପାଇଁ ଡାକ୍ତରଖାନାକୁ ସେ ଔଷଧ ନେବାକୁ ଆସୁଥିଲେ, ହାବୁଡ଼ିଗଲାରୁ, ଦୁହେଁ ତାଙ୍କ ପାଖକୁ ଯାଉଥିଲେ ବୋଲି କହି ନିମନ୍ତ୍ରଣଟା କରିଦେଲେ । ସେ ବି କଥାଟି ରଖିଲେ—ଭଲ ଔଷଧ ମିଳିବ ବୋଲି ରାଜି ହୋଇ ଦୁହିଁଙ୍କ ସଙ୍ଗରେ ଆସିଲେ ।

 

ଘର ଭିତରକୁ ପଶୁ ନ ପଶୁଣୁ କଙ୍କାଳ ଓ ଖପୁରିମାନଙ୍କ ସ୍ୱାଗତ ଦେଖି ସାହିତ୍ୟିକ ଛାନିଆରେ ହୁରୁଡ଼ିଲେ । ମନେ ମନେ ଭାବିଲେ—“ଅଦ୍ୟ ପ୍ରାତଃରେ ବାନିଷ୍ଟଂ ଦର୍ଶନଂ ଜାତଂ ।” ଯାହା ହେଉ, ଭଦ୍ରତା ଖାତିରରେ ସେ ଭାବ ଦମନ କରି ଭିତରକୁ ଗଲେ । ତା ଉପରେ ପୁଣି ଦାନ୍ତ ଓପଡ଼ା ଚଉକି ! ଏ ଚଉକି ସହ ଆଗରୁ ଥରେ ସେ ପରିଚିତ ହୋଇଥିଲେ । ଅଲକ୍ଷ୍ୟରେ ତାଙ୍କ ଜିଭଟା ସବୁ ଦାନ୍ତମୂଳ ଠିକ୍ ଅଛି କି ନା ତାହା ପରୀକ୍ଷା କରି ଦେଖିନେଲା । ସେ ଚଉକି ଉପରେ ବସିବାକୁ କୁନ୍ଥୁ କୁନ୍ଥୁ ହେଉଥିଲେ ସୁଦ୍ଧା ବିଧି ତାଡ଼ନାରେ ବାଧ୍ୟ ହୋଇ ବସିଲେ ।

 

ଟେବୁଲ ଉପରେ ଫୁଲଦାନୀ ପରି ଥୁଆ ହୋଇଥିବା କାଚ ବୁୟମ୍ ସବୁ ଦେଖି ତାଙ୍କ ମୁଖବିକୃତି ଟିକିଏ ବେଶି ବଢ଼ିଗଲା । ପେଟ ବେଶି ମାରୁଛି ଭାବି ଜଣେ ଗରମ ପାଣିର ଥଳି ପେଟ ଉପରେ ଲଦିବାକୁ ଓ ଦୁଇଟା ବଟିକା ଖାଇବାକୁ ଦେଲା । ପେଟ ବେଦନା ଅଳ୍ପ ଊଣା ପଡ଼ିବାରୁ ସେ ଟିକିଏ ଟେକିଟାକି ହୋଇ ବସିଲେ । ମାମୁଲି ରୀତିନୀତିରେ ସଭା ଆରମ୍ଭ ହୋଇଗଲା ।

 

ପ୍ରଥମେ ଜଣେ ଡାକ୍ତର ଉଠି ବକ୍ତୃତା ଆରମ୍ଭ କଲେ—“ସଭାପତି ଓ ବନ୍ଧୁବର୍ଗ ! ଯେଉଁ ମହାତ୍ମାଙ୍କ ଜୟନ୍ତୀ ଆଜି ପାଳିତ ହେଉଛି ସେ ଓଡ଼ିଶାର କନ୍ଦିବିକନ୍ଦିରେ ଭଲ ଭାବରେ ଜଣାଶୁଣା । ଓଡ଼ିଶାରେ ଏପରି ସ୍ଥାନ ଥାଇପାରେ ଯେଉଁଠାରେ କି ଗୋଟିଏ ହେଲେ ଡାକ୍ତର ନ ଥିବେ କିନ୍ତୁ ଏପରି ସ୍ଥାନ ନାହିଁ ଯେଉଁଠି ସ୍ୱର୍ଗତ କବି ଗଙ୍ଗାଧର ମେହେରଙ୍କୁ କିଏ ଜାଣି ନ ଥିବ । ଯେଉଁଦିନ ଆଧୁନିକ ପିଣ୍ଡତତ୍ତ୍ୱ ବା ଆନାଟୋମିର ଜନକ ମହାତ୍ମା ହେନେରି ଗ୍ରେ ଇହଲୀଳା ସମ୍ବରଣ କଲେ, ସେହି ଦିନଠାରୁ ଠିକ୍ ଏକବର୍ଷ ଏକମାସ ଚବିଶଦିନ ପରେ କବି ଜନ୍ମଗ୍ରହଣ କଲେ । ଯେଉଁ ଜିଲ୍ଲାରେ ରୌଦ୍ରାଘାତ ବା ହିଟ୍‌ଷ୍ଟ୍ରୋକ୍ ଗ୍ରୀଷ୍ମଦିନରେ ପ୍ରବଳ ଭାବରେ ଦେଖାଦିଏ, ଯେଉଁ ଜିଲ୍ଲାରେ ପ୍ରସିଦ୍ଧ ଆନାଟୋମି ଅଧ୍ୟାପକ ସ୍ୱର୍ଗୀୟ ସନାତନ ପୁଝାରୀ ଜନ୍ମଗ୍ରହଣ କରିଥିଲେ, ସେହି ଜିଲ୍ଲା ଅର୍ଥାତ୍ ସମ୍ବଲପୁର କବିଙ୍କୁ କ୍ରୋଡ଼ରେ ଧରି ଧନ୍ୟ ହୋଇଥିଲା । ବାଲ୍ୟକାଳରେ ସୁଷମ ଖାଦ୍ୟର ଅଭାବ ହେତୁ ତାଙ୍କର ଶରୀର ପୁଷ୍ଟ ନଥିଲା । ଜୀବନିକା “ଘ” ବା ଭିଟାମିନ୍ “ଡି” ର ଅଭାବ ବିଶେଷ ଭାବରେ ପରିଲକ୍ଷିତ ହୋଇଥିଲା । ଏହି ହେତୁ ଚୂନାଭାବ ବା କ୍ୟାଲସିଅମ୍ ଡିଫିସିଏନ୍‌ସି ହୋଇଥିବା ସମ୍ଭବ । ପିଲାଦିନେ ଖେଳୁ ଖେଳୁ ସେ ଥରେ ପଡ଼ି ଯାଇଥିଲେ । ଅଳ୍ପ ଆଘାତରେ ସୁଦ୍ଧା ତାଙ୍କର ହାଡ଼ର ଅସ୍ଥି ଚଡ଼କି ଯାଇଥିଲା । ଏହା କ୍ୟାଲସିୟମ୍ ଡିଫିସିଏନ୍‌ସି ନୁହେଁ ତ ଆଉ କଅଣ ? ଯୁବାବସ୍ଥା ବେଳକୁ ତାଙ୍କର ଶରୀର ଠିକ୍ ହୋଇ ଆସିଥିଲା । ପ୍ରାକୃତିକ ନିୟମମାନ ପାଳିବାରୁ ଶରୀର ବେଶ୍ ପୁଷ୍ଟହୋଇ ଆସିଥିଲା । ଅଧୀକ ସମୟ ବୟନ କାର୍ଯ୍ୟରେ ଲିପ୍ତ ରହିବାରୁ ତାଙ୍କର ମେରୁଦଣ୍ଡର ବକ୍ରତା ସାମାନ୍ୟ ବଢ଼ିଥିଲା । ଥରେ ତାକୁଡ଼ିରେ ତାଙ୍କ ଆଙ୍ଗୁଠି ଫୁଟିଯାଇ ବିଷାକ୍ତ ବା ସେପ୍‌ଟିକ୍ ହୋଇଗଲା—”

 

ଏହି ସମୟରେ ଜଣେ ଚୁଙ୍ଗୁଚୁଙ୍ଗିଆ ଛାତ୍ର ଉଠିପଡ଼ି କହିଲା—“କାହିଁ, ପେନ୍‌ସିଲିନ୍ ଇଞ୍ଜେକ୍‌ସନ୍ ଦେଲେ ନାହିଁ ? ନ ହେଲେ ସଲ୍‌ଫୋନାମାଇଡ୍ ଅନ୍ତତଃ ଖାଇବାକୁ ଦେଇ ପାରି ଥାଆନ୍ତେ ।”

 

ପୂର୍ବ ବକ୍ତା କହିଲାଗିଲେ—

 

“ସେତେବେଳେ ଏହି ଦିଓଟି ବିଖ୍ୟାତ ଔଷଧ କିନ୍ତୁ ଆବିଷ୍କୃତ ହୋଇ ନ ଥିଲା । ଯାହାହେଉ, ଦେହର ପ୍ରତିରୋଧ ଶକ୍ତି ଓ ତୁଟୁକା ତୁଟୁକିରେ ସେ ଆରୋଗ୍ୟଲାଭ କରିଥିଲେ । ଥରେ ତାଙ୍କର ଘର ପୋଡ଼ିଗଲା । ନିଆଁ ଲିଭାଇବାକୁ ଯାଇ ତାଙ୍କ ଶରୀର ବହୁ ଯାଗାରେ ପୋଡ଼ି ଯାଇଥିଲା ।”

 

ସେହି ଚୁଙ୍ଗୁଚୁଙ୍ଗିଆ ପୁଣି ଉଠିପଡ଼ି କହିଲା—“ଟ୍ୟାନିକ୍ ଏସିଡ୍ ମଲମ ବା ଜେଲି ଦିଆ ହୋଇଥିଲା ତ ?”

 

ପୂର୍ବ ବକ୍ତା କହିଲେ—“ନା, ସେହି ସମୟରେ ଟ୍ୟାନିକ୍ ଏସିଡ୍ ବାହାରିଥିଲେ ସୁଦ୍ଧା ପୋଡ଼ା ଘାଆରେ ତାର ଉପକାରିତା କେହି ଜାଣି ନ ଥିଲେ । ରନ୍ଧା ନଡ଼ିଆତେଲ ଦ୍ୱାରା ତାଙ୍କର ସମସ୍ତ ପୋଡ଼ା ଘାଆ ଭଲ ହୋଇଗଲା । ଏଥି ପାଇଁ ତାଙ୍କ ପିତା ଚୈତନ ଦେବ ଓ ମାତା ସେବତୀ ଦେବୀ ଅତ୍ୟନ୍ତ କାତର ହୋଇ ପଡ଼ିଥିଲେ । ୧୩୦୭ ସାଲ ଉତ୍କଳ ସାହିତ୍ୟ ୭ମ ସଂଖ୍ୟାରେ ସେ “ଏହା କି ପୃଥିବୀର ଶବ୍ଦ” ଶୀର୍ଷକ ଏକ ପ୍ରବନ୍ଧ ଲେଖିଥିଲେ । ତାଙ୍କ କାନକୁ ଭୋଁ ଭୋଁ ଶବ୍ଦ ହେଉଥିବାରୁ ସେ ଭ୍ରମ ବଶତଃ ଏପରି ଲେଖିଥିଲେ । ମୁନିନାଂଚ ମତିଭ୍ରମ । ତାଙ୍କର ଏପରି କାନ ଭୋଁ ଭୋଁ ହେବା ସ୍ନାୟବିକ ଦୌର୍ବଲ୍ୟର ଲକ୍ଷଣ । ଯାହାହେଉ କାଳର ଘାତ ପ୍ରତିଘାତ ମଧ୍ୟରେ ତାଙ୍କର ଶରୀର ୪।୪।୧୯୨୪ ପର୍ଯ୍ୟନ୍ତ ଜୀବନ ସଂଗ୍ରାମରେ ଲିପ୍ତ ଥିଲା । ସେହିଦିନ ଓଡ଼ିଶାବାସୀ ଜାଣିଲେ ଯେ ତାଙ୍କର ନମସ୍ୟ କବି ଆଉ ନାହାନ୍ତ ।”

 

ସ୍ରୋତାଙ୍କ ଭିତରୁ ଗୁଞ୍ଜନ ଉଠିଲା “ଏଁ ! କଅଣ ହୋଇଥିଲା ତାଙ୍କର, କିପରି ସେ ମରିଗଲେ ?”

 

ବକ୍ତା କହିଲେ—“ସେହିଠାରେ ଇତିହାସ ଆଣ୍ଠେଇ ପଡ଼ିଛି । ଗୋରାମାନେ ସେ ସମୟରେ ଶାସକ ଥିଲେ । ଆମ ଦେଶର ରତ୍ନମାନଙ୍କୁ ଖାତିର କରୁ ନ ଥିଲେ । ଯଦି ସେଠାକୁ କୌଣସି ଡାକ୍ତର ପଠାଯାଇ ଥାଆନ୍ତା ତେବେ ହୁଏତ କବି ଆହୁରି ଦଶବର୍ଷ ବଞ୍ଚି ରହିଥାନ୍ତେ । କିନ୍ତୁ କ୍ୱାକ୍‌ମାନେ ଅର୍ଥାତ୍ ଗାଉଁଲି ଅଶିକ୍ଷିତ ବୈଦ୍ୟମାନେ ସବୁ ସାରିଦେଲେ । ତାଙ୍କର କଅଣ ହୋଇଛି ତାହା ଜାଣିପାରିଲେ ନାହିଁ । ଡାଇଗୋନିସିସ୍ ହୋଇପାରିଲା ନାହିଁ । ଚିକିତ୍ସା ଯାହା ହୋଇଥିବ ତାହା ସହଜରେ ଅନୁମେୟ । କ୍ୱାକ୍‌ମାନେ ତାଙ୍କୁ ଖାଇଗଲେ ।”

 

“ସେମ୍‍, ସେମ୍” ବୋଲି ଶ୍ରୋତାଙ୍କ ଭିତରୁ ଚିତ୍କାର ଉଠିଲା । ଜଣେ କହିଲେ–“ଆଜିକାଲି ହୋଇଥିଲେ ସେ କ୍ୱାକ୍‌ମାନଙ୍କୁ ନିକଟସ୍ଥ ବତିଖୁଣ୍ଟରେ ଝୁଲାଇ ଥାଆନ୍ତୁ । ସେ ସମୟରେ ଶାସକମାନଙ୍କୁ ଧିକ୍ !”

 

ଗୋଳମାଳ ଭିତରେ ସେ ବକ୍ତା ବସି ପଡ଼ିବାରୁ ଆଉଜଣେ ଠିଆ ହୋଇ କହିଲେ–“କ୍ଲୋରୋଫର୍ମର ବାଷ୍ପ ଯେପରି ଅତିଶୀଘ୍ର ଚାରିଆଡ଼େ ଖେଳେଇ ହୋଇଯାଏ, ମହାକବି ମେହେରଙ୍କର କବିତାର ମାଧୁରୀ ଓଡ଼ିଶାସାରା ସେହିପରି ଖେଳେଇ ହୋଇ ଯାଇଥିଲା । କେବଳ ସେତିକି ନୁହେଁ, କବିତାର ଅମୋଦ କ୍ଲୋରୋଫର୍ମ ବାଷ୍ପ ପରି ସମସ୍ତଙ୍କୁ ସମ୍ମୋହିତ କରି ପକାଇ ଥିଲା । ଜିଭରେ ଟିକିଏ ସାକାରିନ୍ ମାରିଦେଲେ ମିଷ୍ଟତ ଯେପରି ଦୀର୍ଘକାଳ ଧରି ଅନୁଭୂତ ହେଉଥାଏ, ସେହିପରି ମେହେରଙ୍କ କବିତା ପଢ଼ିଲେ ତାର ମଧୁରତା ବହୁ ସମୟଯାଏ ମନରେ ଲାଗି ରହିଥାଏ । ତାଙ୍କର “ପ୍ରଣୟବଲ୍ଲରୀ” କାବ୍ୟ ଠିକ୍ ଅଫିମ ପରି । ବାରମ୍ବାର ପଢ଼ିବାକୁ ଇଚ୍ଛାହୁଏ । ଛାଡ଼ି ହୁଏନା । ଏଥିରେ ଯେଉଁ ସ୍ଥାନଟିରେ ଶକୁନ୍ତଳା ଓ ଶାପଗ୍ରସ୍ତ ଦୁଷ୍ମନ୍ତଙ୍କ ଭେଟ ବର୍ଣ୍ଣିତ ହୋଇଅଛି, ତାହା ଭାଇନମ୍ ଗାଲିସାଇ ପରି ଆକର୍ଷଣୀୟ । ଆପଣମାନେ ଜାଣିଥିବେ ଭାଇନମ୍ ଗାଲିସାଇ ପ୍ରଥମେ ଉତ୍ତେଜନା ଓ ପରେ ଅବସାଦ ଆଣିଦିଏ । ଶକୁନ୍ତଳାଙ୍କର ପତିଗୃହକୁ ଗମନ ଓ ପତିଙ୍କର ତାଙ୍କୁ ପ୍ରତ୍ୟାଖ୍ୟାନ ସେହିପରି ହୋଇନାହିଁ କି ? ଶକୁନ୍ତଳାଙ୍କୁ ପାଖରେ ଥିବା ପ୍ରିୟମ୍ବଦା ଓ ଅନୁସୂୟା ଠିକ୍ ଆମ ଗାଇନାକୋଲଜିଷ୍ଟଙ୍କ ପାଖେ ଦିଓଟି ନର୍ସଙ୍କପରି ଦେଖାଯାନ୍ତି । ଗୋଟିଏ ବିଷୟ ଛାଡ଼ିଦେଲେ କାବ୍ୟଟି ସର୍ବାଙ୍ଗ ସୁନ୍ଦର ହୋଇଛି । ଅରଣ୍ୟ ବର୍ଣ୍ଣନା ଭଲ ହୋଇଛି ସତ କିନ୍ତୁ ପାତାଳଗରୁଡ଼, ସିଙ୍କୋନା, କୋଚିଳା, ଛତିଆନା, ଶତମୂଳୀ, ସୋନାମୁଖି ଇତ୍ୟାଦି ହଜାର ହଜାର ବନୌଷଧିର ବର୍ଣ୍ଣନା କୁତ୍ରାପି ଦେଖାଯାଏ ନାହିଁ । ଅଥଚ ଏ ମୂଲ୍ୟବାନ୍ ଔଷଧଗୁଡ଼ିକ ଆମ ବଣରେ ଭର୍ତ୍ତିହୋଇ ରହିଅଛି । ଏହାଛଡ଼ା ମେହେରଙ୍କ ବିରୁଦ୍ଧରେ ଆଉ କିଛି କହିବାକୁ ନାହିଁ ।”

 

ସେ ବକ୍ତା ବସୁ ନ ବସୁଣୁ ଆଉ ଜଣେ ଉଠିପଡ଼ି ଆରମ୍ଭ କରିଦଲେ—

 

କବିଙ୍କର “ତପସ୍ୱିନୀ” ବଡ଼ ମର୍ମନ୍ତୁଦ । ବ୍ରୋମାଇଡ୍ ପରି ଅବସାଦକ । ବେଶି ପଢ଼ିଲେ ମେଲାନକୋଲିଆ ହୋଇ ଯାଇପାରେ । ତାଙ୍କର “ଭାରତୀ-ଭାବନା” କିନ୍ତୁ ବଡ଼ ଚମତ୍କାର । ସେ ସମୟର ବ୍ରିଟିଶ୍ ଶାସକମାନଙ୍କୁ ଏହା ଠିକ୍ କୁଇନାଇନ୍ ପରି ଲାଗିଥିଲା । ଏଥିପାଇଁ ସେମାନେ ମଧ୍ୟ କବିଙ୍କୁ ପକଡ଼ିଥିଲେ; କିନ୍ତୁ ଭାଇନମ୍ ଇପିକାକ୍‌ର ଦ୍ୱିବିଧ କ୍ରିୟା ଥିଲା ପରି ତହିଁରେ ଦ୍ୱିବିଧ ଅର୍ଥ ଥିବାରୁ କବି ଅଳ୍ପକେ ରକ୍ଷା ପାଇଗଲେ ।

 

କବି ସେମାନଙ୍କୁ ଠିଆ ଚିତା ଲଗାଇ ଦେଇଥିଲେ । ଧାନ, ମୁଗ, ଗହମ, ପାନ ଇତ୍ୟାଦି କୃଷିଜାତ ଦ୍ରବ୍ୟମାନଙ୍କ ବିଷୟରେ କବି ଲେଖିବାଦ୍ୱାରା ସ୍ୱୀୟ ଉଦ୍ଭିଦ-ପ୍ରିୟତାର ପରିଚୟ ଦେଇ ଅଛନ୍ତି । କିନ୍ତୁ ଦୁଃଖର କଥା, ସେ କୌଣସି ପ୍ରକାର ଔଷଧ ଗଛ ବିଷୟରେ କିଛି ଲେଖିଲେ ନାହିଁ । କୃଷକମାନଙ୍କର ଅତି ପରିଚିତ ମୁଥା ସମ୍ବନ୍ଧରେ ଅନ୍ତତଃ କିଛି ଲେଖିବା ଉଚିତ୍ ଥିଲା । ମୁଥା ଗୋଟିଏ ଅତି ଉପାଦେୟ ଔଷଧ ।”

 

ଆଡ଼େ ବକ୍ତୃତା ଚାଲିଥାଏ । ସାଡ଼େ ସଭାପତି ମନରେ ଭାବୁଥାନ୍ତି—ହେ ଭଗବାନ୍ , ଏହି ଓଷଦ ମୋଷଦରୁ କବି ରକ୍ଷା ପାଇଯାଆନ୍ତୁ । ତାଙ୍କ ଦେହରେ ଏ ଡାକ୍ତରୀ ଛୁଆଙ୍କ ଛୁରି ଯେପରି ନ ବାଜୁ । ସବା ଶେଷରେ ସେ ବକ୍ତୃତା ଦେଲେ—

 

“ଯାହାହେଉ ଆପଣଙ୍କର ଦୃଷ୍ଟି ସାହିତ୍ୟର ଯେଉଁ ଅଂଶରେ ପଡ଼ିଛି ତାହା କାହାରି ଆଖିରେ ପଡ଼ି ନ ଥିଲା । ସାହିତ୍ୟରେ ଯଦି କେଉଁଠାରେ କିଛି କ୍ଷତ ହୁଏ, ତେବେ ଆପଣମାନେ ନିଶ୍ଚୟ ତାକୁ ଲୋସନ୍ ପାଣିରେ ଧୋଇ ଗଜ୍ ବ୍ୟାଣ୍ଡେଜରେ ବାନ୍ଧିଦେବେ, ଏଥିରେ ମୋର ଆଉ ସନ୍ଦେହ ନାହିଁ । ଏହି ଯେଉଁ ପେଟମରା ମୋତେ ସାହିତ୍ୟ—ଚର୍ଚ୍ଚାରେ ବାଧା ଦେଉଛି ତାହା କଥା ଟିକିଏ ଚଞ୍ଚଳ ବୁଝନ୍ତୁ !”

 

ସଭାପତି ଷ୍ଟ୍ରେଚରରେ ମେଡିକାଲ ୱାର୍ଡ଼କୁ ବୁହାହୋଇ ଯିବାପରେ ସଭା ଭଙ୍ଗ ହେଲା ।

☆☆☆

 

ଆଧୁନିକ କାବ୍ୟଯୁଗର ପ୍ରତିଷ୍ଠା

 

ଗଜା କବିମାନଙ୍କ ମଧ୍ୟରେ ସେଦିନ ଭାରି ଉତ୍ତେଜନା ଖେଳି ଯାଇଥାଏ । ପ୍ରାୟ ସମସ୍ତେ ମନରେ ଆଣ୍ଟ କରିଥାଆନ୍ତି ଯେ ସେମାନେ କଳେ, ବଳେ, କୌଶଳେ ଅଲବତ୍‍ ନୂତନ କାବ୍ୟଯୁଗର ପ୍ରତିଷ୍ଠା ତୁରନ୍ତ କରିବେ । ଆଉ ଟିକିଏ ହେଲେ ଡେରି ବରଦାସ୍ତ କରାଯିବ ନାହିଁ । ମୁଳଦୂଆଟା ସେହିଦିନ ନିଶ୍ଚୟ ପଡ଼ିବ ବୋଲି ସ୍ଥିର ହୋଇଥାଏ ।

 

ଜଣେ ଶୁଆ ନାକୁଆ କହିଲେ—‘‘ଦେଖ ହୋ, କି କଦର୍ଯ୍ୟ କଥା, ଗୋଟାଏ ଯୁଗ ସରିବାକୁ ବସିଲା, ସେହି ଭଞ୍ଜ, କବିସୂର୍ଯ୍ୟ, ରାଧାନାଥ କବି ଆସନକୁ ମାଡ଼ି ବସିଥିବେ ! କେବେଠୁ ମଲେଣି, ତେବେ ବି ସେମାନଙ୍କର ଭୂତ ଆସନ ଛାଡ଼ୁନାହିଁ । କି ଲଜ୍ଜାର କଥା ! ବାହାରର ଲୋକେ କାହିଁକି ବା ନ କହିବେ ଯେ ଓଡ଼ିଶାରେ ଆଉ କବି ଜନ୍ମ ହେଉ ନାହାନ୍ତି ! ନା, ନା, ଏ ଭଞ୍ଜ, କବିସୂର୍ଯ୍ୟ, ରାଧାନାଥଙ୍କୁ ଜବରଦସ୍ତ ତଡ଼ିବା । ଓଡ଼ିଆଙ୍କ ମୁଣ୍ଡରେ ସେମାନଙ୍କର ଯେଉଁ ଭୂତ ସବାର ହୋଇଛି ତାକୁ ଉଡ଼ାଇଦେବା । ତା ହେଲେ ନୂତନ ଯୁଗର ପ୍ରତିଷ୍ଠା ସୁରୁଖୁରୁରେ ହୋଇଯିବ-

 

ଜଣେ ହାୱାଇନ୍‌ବାଲା କବି କହିଲେ—“ଯେଉଁମାନେ ସେ ପୁରୁଣା କାବ୍ୟର ଚର୍ଚ୍ଚା ଚଳାଉଅଛନ୍ତି ତାଙ୍କ ଘରକୁ ଖାଲି ରାତିଅଧିଆ ବୋଲୁଅ ଫୋପାଡ଼ିବା, ତାଙ୍କ ଫଟ ଯେଉଁଠି ଦେଖିବା ସେଠାରୁ ଚୋରି କରି ଆଣି ଚିରିଚାରି ଦେବା । ବୋଲୁଅକୁ ତ ମହାଦେବ ଡରନ୍ତି, ସେମାନେ କିବା ଛାର । ପୁରୁଣା କବିଙ୍କୁ ଲୋକେ ଶୀଘ୍ର ଭୁଲିଯିବେ । ଠିକ୍ ଏତିକିବେଳକୁ ଆମେ ନୂଆ କାବ୍ୟ ଯୁଗର ମୂଳଦୁଆ ପକାଇ ଦେବା ।”

 

ଜଣେ ଚନ୍ଦାମୁଣ୍ଡିଆ କବି ଡିମା ଡିମା ଆଖି କାଢ଼ି କହିଲେ—“ସେ ସବୁ ଠିକ୍ ନୁହେଁ । ଖବରଦାର୍‍ ବୋଲୁଅ ନାଁ ଧରନା । ନିର୍ଦ୍ଦୋଷଙ୍କ ମୁଣ୍ଡରେ ପଡ଼ିପାରେ । କାହିଁକି, ଆମର କଅଣ ଅନ୍ୟ କରାମତି ନାହିଁ । ଆମର ନୂତନ କାବ୍ୟଯୁଗ ଉଦୟ ହେଲେ, ଅନ୍ଧାରୁଆ ପୁରୁଣା ଯୁଗ କୁଆଡ଼େ ଲୁଚିଯିବ । ଚାଲ, ବର୍ତ୍ତମାନ ଆମେ ନୂତନ କବିତା ଲେଖା ଆରମ୍ଭ କରିଦେବା ।”

 

ଢିଲା ପଞ୍ଜାବିବାଲା ଜଣେ କବି ଉଠି କହିଲେ—“ଏ ସବୁ ବିରାଡ଼ି ବେକରେ ଘଣ୍ଟି ବାନ୍ଧିଲା ପରି ହେଉନାହିଁ କି ? ସବୁ ଆଡ଼କୁ ସିନା ନଜର ଦେଲେ ହେବ । ସେ ପୁରୁଣା କବିମାନେ ସିନା ମରି ଯାଇଅଛନ୍ତି ତେଣୁ ଆମ ଲୋକେ ଭୁଲିଯାଇ ପାରନ୍ତି, କିନ୍ତୁ ଏ ଯେଉଁ ମାନସିଂହ, ଗଡ଼ନାୟକ, ନିତ୍ୟାନନ୍ଦ, ରାଉତରାୟ ଚାରି ମହାତ୍ମା ପାଚେରୀ ପରି ଠିଆ ହୋଇଅଛନ୍ତି, ତାଙ୍କୁ କିପରି ଡେଇଁବ । ଏ ଚାରିଜଣ ଥିବା ପର୍ଯ୍ୟନ୍ତ ଆମକୁ ଶୁଣିବ କିଏ ? ଏମାନେ ବି କିଛି ବୁଢ଼ା ହଡ଼ା ହୋଇଅଛନ୍ତି ଯେ ଦିନ କେତୁଟାରେ ଆମର ସୁଯୋଗ ଆସିଯିବ ।”

 

ଜଣେ ଝାମ୍ପରାମୁଣ୍ଡିଆ ବେଖାତର ଭାବେ କହିଲା—“ଅଃ ! ଏଇଥିପାଇଁ ଏତେ ଚିନ୍ତା ! ଚାରିଅଣାର ପୋଟାସିଅମ୍ ସାଇନାଇଡରେ ଚାରିଜଣଯାକ ସଫା ହୋଇଯିବେ । ଘରକୁ ଡାକି ଚାହାରେ ଗୋଳେଇଦେଲେ ହେଲା । ତୁମ୍ଭେମାନେ ଜାଣିନାହଁ, ପ୍ରହରାଜେ କେମିତ ବିଦାୟ ନେଲେ ।”

 

ଚିହିଙ୍କି ଉଠି ଜଣେ ଥାକୁଲା ପାଟି କରି ଉଠିଲେ—“ରାମ୍ ରାମ୍ ରାମ୍, ପାପକଥାଗୁଡ଼ାକ, ଏ ତୁଣ୍ଡରେ ଧରିବା ଉଚିତ ନୁହେଁ । ଆରେ ବାବୁ, ଏତେ ଦୂରକୁ ଯିବାର ଦରକାର କଅଣ । ଆମ୍ଭେମାନେ ପଦାକୁ ବାହାରି ପଡ଼ିଲେ ସେ ଚାରିଜଣଯାକ ଛାଏଁ ଛାଏଁ କୁଆଡ଼େ ଯାଇ ଲୁଚିଯିବେ । ଜାଣିଥିବ ତ ମୁନି ଋଷିମାନେ କିପରି ସଂସାରର ଗଣ୍ଡଗୋଳକୁ ଡରି ଗୁମ୍ପାରେ ଆଶ୍ରୟ ନିଅନ୍ତି, ଆମେ ଟିକିଏ ଗଣ୍ଡଗୋଳ ଜୋରସୋରରେ କଲେ ହେଲା ।”

 

କେତେଜଣ “ହଁ, ହଁ, ଠିକ୍ ଠିକ୍ ଏଇଆ କରାଯାଉ” କହିଲେ । କଥାଟି ବି ଅଧିକାଂଶଙ୍କର ମନକୁ ପାଇଲା ପରି ଜଣାଗଲା । ତା ପରେ ମୂଳଦୁଆ କିପରି ପଡ଼ିବ ସେ ବିଷୟରେ ଚର୍ଚ୍ଚା ଚାଲିଲା ।

 

ଜଣେ ଚୁଙ୍ଗୁଚୁଙ୍ଗିଆ ଆରମ୍ଭ କଲା—“ଆଜି ଆମ ନୂତନ କବିତାର ଗୋଟାଏ ଛାଞ୍ଚ ଏଠାରେ ଗଢ଼ାଯାଉ । ଏଇଟା ନିତାନ୍ତ ଦରକାର । କାରଣ ଅଜସ୍ର ସଂଖ୍ୟାରେ ନୂଆ କବିତାର ପ୍ରସ୍ତୁତିକରଣ ପାଇଁ ଛାଞ୍ଚର ଆବଶ୍ୟକତା ଅତି ବେଶି । ସମସ୍ତଙ୍କୁ ସୁବିଧା ନ ହେଲେ ଅଜସ୍ର ସଂଖ୍ୟାରେ କବିତା ଲେଖା ହୋଇପାରିବ ନାହିଁ । ଏ ଯୁଗରେ ସଂଖ୍ୟା ହେଉଛି ଅସଲ । ଗଣତାନ୍ତ୍ରିକ ପନ୍ଥାରେ ଆମ କବିତା ଏକାବେଳେକେ ଉପରକୁ ଚାଲିଯିବ । ବର୍ତ୍ତମାନ ଛାଞ୍ଚଟା କେମତି ହେବ, ତାହା ସମସ୍ତେ ବିଚାର କରନ୍ତୁ ।”

 

ଛାଞ୍ଚ ଗଢ଼ା ଆରମ୍ଭ ହେଲା । ଜଣେ ଧେଡ଼ଙ୍ଗା କହିଲେ—“ଦେଖ, ସେ ପୁରୁଣାକାଳିଆ ଛନ୍ଦ ମନ୍ଦ, ବୃତ୍ତ ଫୃତ କିଛି ରହିବ ନାହିଁ । ସେ ସବୁ ରହିଲେ କବିତା ତିଆରିରେ ଡେରି ହେବ । ଆମ କବିତାଟା ଠିକ୍ ପବନରେ ଉଡ଼ିଯାଉଥିବା କୁଟା ପରି ହେବା ଉଚିତ୍ । କିଛି ବାଧା ନ ଥିବ । ଚିନ୍ତା ବା ଭାବନାର ବିଲକୁଲ୍ ଦରକାର ନାହିଁ । ଛୁଆମାନେ ବକର ବକର ହେଲା ପରି ଯାହା ମୁଣ୍ଡରେ ଦେଖାଦେଲା ତାକୁ ଲେଖିଦେବା । କଅଣ ଲେଖିଲୁ ବୋଲି ଅଟକି ପଛକୁ ଚାହିଁବା କେବଳ ବୋକାମି । ଆଉ ଆମର ପଦ୍ୟ ଓ ଗଦ୍ୟରେ କିଛି ତଫାତ୍ ରହିବ ନାହିଁ । ସବୁ ଏକାକାର ହୋଇଯିବ । ମାଳିକାରେ ବି ଏଇଟା ଲେଖା ଅଛି—ସର୍ବେ ହୋଇବେ ଏକାକାର, ନ ଥିବ ବେଦର ବିଚାର ।”

 

ଜଣେ ପଚାରିଲା—“ଲୋକେ ଭୁଲରେ ଗଦ୍ୟ ବୋଲି ବିଚାରି ପାରନ୍ତି ଓ ପଦ୍ୟ ଉଠିଗଲା ବୋଲି ମଧ୍ୟ ଭାବି ପାରନ୍ତି ।

 

ପ୍ରଥମ ବ୍ୟକ୍ତି କହିଲେ—“ସେ ଭୟର ଆଶଙ୍କା ନାହିଁ । ଟିକିଏ ବଙ୍କା ଢଙ୍କା କରି ସଜେଇ ଲେଖିଲେ, ସମସ୍ତେ ପଦ୍ୟ ବୋଲି ଜାଣିବେ ।”

 

—“ଆଚ୍ଛା, କବିତାର ବିଷୟବସ୍ତୁ ସ୍ଥିର ହେବ କିପରି ? ନ ଭାବିଲେ ତ ବିଷୟଟା ସ୍ଥିର ହୋଇପାରିବ ନାହିଁ । ଭାବିଲେ ତ ସମୟ ନଷ୍ଟ , ଏଥିକୁ ଉପାୟ ?”

 

—“ଏତିକି ଟିକିଏ ଅକଲ ନାହିଁ ନା ! ହଇ ହୋ, ତୁମେ କାହିଁକି ଭାବିବ ? ତୁମ ପାଇଁ ତ ବଙ୍ଗାଳି, ଇଂରେଜି, ହିନ୍ଦୀ ସାହିତ୍ୟିକମାନେ ଭାବିଚିନ୍ତି ବିଷୟବସ୍ତୁ ସବୁ ନିଜ ନିଜ ପତ୍ରିକାରେ ରଖିଛନ୍ତି, ସେହିଥିରୁ ସିଧାସଳଖ ନେଇ ଆସିବ—”

 

—“ଏଁ ! ଲୋକେ ଚୋର ବୋଲି କହିବେ । ଆଉ ବି ସେ ଗଡ଼ନାୟକ ଓ ରବି ସିଂ ବଞ୍ଚିଥିବାଯାଏ ଏ କାମ କରିବା ବିପଦ୍‌ଜନକ ।”

 

—“ଦୂର୍ ଦୂର୍, ସେ ଭୟ ନାହିଁ । ଆଗେ ସିନା ଓଡ଼ିଆ ପତ୍ରପତ୍ରିକା କମ୍ ଥିଲା ଯେ, ଲୋକେ ବଙ୍ଗଳା, ଇଂରେଜି, ହିନ୍ଦି ପତ୍ରିକା ପଢ଼ୁଥିଲେ । ସେଥିଲାଗି ଚୋରିଟା ଧରାପଡ଼ି ଯାଉଥିଲା-। ଏହିକ୍ଷଣି ତ ଓଡ଼ିଆ ପତ୍ରିକାକୁ ସମୟ ଅଣ୍ଟୁ ନାହିଁ, କିଏ ଅନ୍ୟ ପତ୍ରିକା ପଢ଼ିବ ଯେ ଧରିବ । ଆଉ ଗଡ଼ନାୟକ ଓ ରବି ସିଂକୁ ଭୟ ନାହିଁ । କାହିଁକି ନା ସେମାନେ ତ ନିଜ ନିଜ ଘରଧନ୍ଦା ବୁଝୁ ବୁଝୁ ନାକେଦମ୍, ପର ଚୋରି ଦେଖିବେ କେତେବେଳେ ? ଏହା ସତ୍ତ୍ୱେ ଯଦି ଅକସ୍ମାତ୍ କିପରି ଧରା ପଡ଼ିଯାଏ, ତେବେ ତାର କାଟପାଣି ହେଉଛି ବିନାଶ୍ରୟଂ ନ ବର୍ତ୍ତନ୍ତେ କବିତା ବନିତା ଲତା-। ୟା ଉପରେ ଯଦି ଆଉ କିଏ ଭଡ଼ର ଭଡ଼ର ହୁଏ, ତେବେ ତାକୁ ସଫା ସଫା ପଚାରିବା–ଆରେ କୋଉ ପୁଅଟି ଚୋରି ନ କରିଛି କହିଲୁ ଭଲା ?”

 

—“ଆଚ୍ଛା, ତା ହେଲେ କେଉଁ ବହି ବା ପତ୍ରିକାରୁ ମାଲ ମସଲା ଆଣିଲେ ସୁବିଧା, ହେବ ?”

 

—“ସବୁଠୁଁ ବଢ଼ିଆ ହେଉଛି ରବୀନ୍ଦ୍ର ଗ୍ରନ୍ଥାବଳୀ । ଏଥିରୁ ସମସ୍ତେ ଖଣ୍ଡେ ଖଣ୍ଡେ ରଖିବା ନିତାନ୍ତ ଦରକାର । ଓମରଖୈୟାମ୍ ୟା ସାଙ୍ଗକୁ ହେଲେ ଆହୁରି ଉତ୍ତମ । ଭାଷା ବି ୟାରି ଭିତରୁ ମିଳିବ । ୟା ଛଡ଼ା କିଛି କମ୍ୟୁନିଷ୍ଟ ଶବ୍ଦ ବି ଭରତି କରିବାକୁ ହେବ । ଏ ଶବ୍ଦସବୁ ଅତି ଆଧୁନିକ । ଆଉ ବି ଏ ଗାଳି ଦିଆଦେଇ ଯୁଗରେ ଏ ଶବ୍ଦସବୁ ଲୋକଙ୍କ ମନକୁ ବେଶ୍ ଆକର୍ଷଣ କରେ ।”

 

—“ଏ ଶବ୍ଦ ସବୁ କେଉଁ ଗ୍ରନ୍ଥରୁ ମିଳିବ ? ସେମିତିଆ ଗ୍ରନ୍ଥ କିଛି ତ ଆଖି ଆଗରେ ପଡ଼ୁନି ।”

 

—“ନା ନା ତାର ଗ୍ରନ୍ଥ ନାହିଁ, ଏ ଶବ୍ଦ ସବୁ କମ୍ୟୁନିଷ୍ଟ ସଭା, ଶୋଭାଯାତ୍ରାରୁ ଟିପି ସଂଗ୍ରହ କରିବାକୁ ହେବ।”

 

—“ଏତେଆଡ଼ୁ ସଂଗ୍ରହ କରିବା ଅପେକ୍ଷା ଏଇଠି ଗୋଟାଏ ତାଲିକା ତିଆରି କରିଦେବା ଓ ସମସ୍ତଙ୍କୁ ଏହି ତାଲିକାରୁ ଖଣ୍ଡେ ଖଣ୍ଡେ ଟିପି ଦେଇଦେବା । ପରିଶ୍ରମ ଆହୁରି କମିଯିବ ।”

 

—“ଠିକ୍ ଠିକ୍ ଏହାହିଁ ହେଉ । ଆଚ୍ଛା ଯେଉଁ ସବୁ ବହି କହିଗଲି ତା ଭିତରୁ ଭଲ ଶବ୍ଦ ସବୁ ଡାକ, ମୁଁ ଲେଖୁଛି । ଆଉ ମୋର ଏ ଟିପା ବହିରେ କମ୍ୟୁନିଷ୍ଟ ଶବ୍ଦ ସବୁ ଅଛି, ତାକୁ ବି ଡାକ-।”

 

ଜଣେ ଦି’ଜଣ ଡାକିଲେ ଓ ତାଲିକାରେ ଲେଖାହେଲା—ବେଦନା, ଅଶ୍ରୁ, ଦିଗନ୍ତ, ସୀମାହୀନ, ଓରେ, ସର୍ପିଳ, ବିରହ, ପ୍ରିୟ, ଝଡ଼, ଘୁମନ୍ତ, ଫାଗୁନ, ବକ୍ରାୟିତ, ଡନ୍, ସର୍ବହରା, ନିଷ୍ପେଷିତ, ବୁଭୁକ୍ଷୁ, ପିଶାଚ, କଙ୍କାଳ, ଟାଇଫୁନ, ଯୁଆଚୋର, ଘୃଣ୍ୟ, ସାଇବେରିଆ, ଲେଲିହାନ, ରକ୍ତପ୍ରଭାତ,—ଇତ୍ୟାଦି ଇତ୍ୟାଦି ।

 

ତା ପରେ ଉପମାର ପ୍ରଶ୍ନ ଉଠିଲା । କଥା ହେଲା ମରହଟ୍ଟୀ ଉପମାସବୁ ଏକାବେଳେକେ ବାଦ୍ ଦିଆଯିବ । ତା ପରିବର୍ତ୍ତେ ଏକାବେଳେତେ ନୂଆ ଜିନିଷ ଦିଆଯିବ, ଯାହାକୁ କି କେହି କେବେ କଳ୍ପନା କରି ନ ଥିବେ । ଉପମାନ ବି ତାଲିକା କରାଗଲା—ଆଲକାତରା ପରି ରାତି, ଚୂନ ପରି ଦିନ, ଟିଣ ପରି ଜହ୍ନ, ଡେକ୍‌ଚି ଘୋଡ଼ଣୀ ପରି ସୂର୍ଯ୍ୟ, ଓଳିଆ ପରି ପୃଥିବୀ, ଅଡ଼ୁଆ ବାଳ ପରି ବଣ, ପଇତା ପରି ନଈ, ଗୃହମେଦ ପରି ପର୍ବତ, ବ୍ଲାଷ୍ଟ ଫର୍ଣ୍ଣେସ୍‌ ପରି ଗରମ, ଇଥିଲ୍ କ୍ଲୋରାଇଡ୍‍ ପରି ଥଣ୍ଡା ଇତ୍ୟାଦି ।

 

ତାପରେ ସମସ୍ତଙ୍କର ପରାମର୍ଶ ନିଆଯାଇ ନିମ୍ନଲିଖିତ ନମୁନାର କବିତାଟି ଲେଖାଗଲା–

 

ପ୍ରିୟା, ପ୍ରିୟା, ପ୍ରିୟା, ପ୍ରିୟା

ହୃଦରେ ଅତୀବ ବେଦନା କଟ୍ କଟ୍ କରୁଛି

ଅଶ୍ରୁ ବର୍ଷଣ ସଡ଼ ସଡ଼ ହୋଇ ଚାଲିଛି

ବିରହ ହୃଦୟ ଫାଟିବା ଉପରେ

ଏ ଜୀବନଟା ଖାଲି କୋଳାହଳ

ଏଥର ଚାଲ ସଖି ଚାଲ ଚଞ୍ଚଳ ଚାଲ

ଚାଲ ସେହି ସୀମାହୀନ ଦୀଗ୍‌ବଳୟେ

ମରଣର ସର୍ପିଳ ପଥ ବକ୍ରାୟିତ ହୋଇ

ସୃଜିଅଛି ଆଲକାତରା ପରି ରାତି

ତାକୁ ଦେଖିବା କିପରି ସେ ଜିନିଷ

ନା ନା ଦୂର ହୋ ଘୃଣ୍ୟ ସଇତାନ

ଧରା ପଡ଼ିଲାଣି ସବୁ ଜାଲ ଫିସାଦି

ଚୂନ ପରି ଦିନ ଅଲବତ୍‌ ଆସିବ

ରକ୍ତ ପ୍ରଭାତ ଦେଖି ଥରିବୁନି ଖବରଦାର

ଡନ୍ ନଦୀର ବାଙ୍କେ ଟାଇଫୁନ୍‌

ସାଇବେରିଆରେ ତପ୍ତ ନିଶ୍ୱାସ

ବ୍ଲାଷ୍ଟ ଫର୍ଣ୍ଣେସ୍‌ ପରି ଲେଲିହାନ

ଇଥିଲ୍‌ କ୍ଲୋରାଇଡ୍‍ ପରି ଶୀତଳ

କରିବ ନିମିଷିକେ ଆଗାମୀ ଶତାବ୍ଦୀ

ମନଗହନ ତଳେ ଉଠିଛି ବନାନୀ

ଅଡ଼ୁଆ ବାଳପରି; ଡେକ୍‌ଚି ଘୋଡ଼ଣୀ

ପରି ସୂର୍ଯ୍ୟ; ପୁଞ୍ଜିପତିର ଦଲାର ପରି

ଶୋଷିନିଏ ଜନତା ପରି ସମୁଦ୍ରର ପାଣି

ପଇତାପରି ନଦୀରେ ବୋହିଯାଏ ସବୁ

ତାର ନୀରବ ସାକ୍ଷୀ ଗୃହମେଦ ପରି ପର୍ବତ

ପ୍ରିୟା, ପ୍ରିୟା, ଫିଙ୍ଗିଦିଅ ଘୁମନ୍ତ ଓଢ଼ଣା

ବାଜିଉଠୁ ସର୍ବହରାର କ୍ରାନ୍ତି ନାଦ ।

 

ତାଲିକା ଛପାଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟା ହେବାର ସ୍ଥିର କରାଗଲା । ଆଧୁନିକ କବିତା—ଜିନ୍ଦାବାଦ, ମରହଟ୍ଟୀ—କବିତା ମୁର୍ଦ୍ଦାବାଦ, ଭଞ୍ଜ, ରାଧାନାଥ ଗୁଣ୍ଡା ହୈ—ଭୁଲୋ ମତ୍, ଭୁଲୋ ମତ୍; ମାୟାଧର କୋ କାଟ୍ ଦୋ, ଗଡ଼ନାୟକ କୋ ତଣ୍ଟିଆ ଦୋ, ନିତ୍ୟାନନ୍ଦ କୋ ଡୁବା ଦୋ, ରାଉତରାୟ କୋ ନିକାଲ୍ ଦୋ ଇତ୍ୟାଦି ଧ୍ୱନି ଭିତରେ ସଭା ଭଙ୍ଗ କରାଗଲା ।

☆☆☆

 

ଭାଲୁ କବି

 

ସନ୍ଧ୍ୟା ହେବା ଉପରେ । ଜଣେ ଦି’ଜଣଙ୍କୁ ଛାଡ଼ି ପ୍ରେସର ଅନ୍ୟାନ୍ୟ କର୍ମଚାରୀମାନେ ଯେ ଯୁଆଡ଼େ ପଳେଇଲେଣି । ରଗଡ଼ କାଗଜର ସମ୍ପାଦକଙ୍କୁ କାମ କିନ୍ତୁ ଛାଡ଼ିନାହିଁ । ଆସନ୍ତା ସଂଖ୍ୟା ପାଇଁ ବଛାବଛିରେ ସେ ଲାଗି ପଡ଼ିଛନ୍ତି । ଆଗରେ ବସ୍ତାନି ସବୁ ଥୁଆ ହୋଇଛି । ଗଳ୍ପ, ପ୍ରବନ୍ଧ, ଏକାଙ୍କିକା ଆଦି ବସ୍ତାନି ସବୁ ନଅଙ୍କିଆଙ୍କ ପରି ଜୀର୍ଣ୍ଣଶୀର୍ଣ୍ଣ ହୋଇ ପଡ଼ିଥିବାବେଳେ କବିତା ବସ୍ତାନିଟା ମଠ ମହନ୍ତ ପରି ଫାଟେ କି ନ ଫାଟେ । ଏହି ବସ୍ତାନିକୁ ନେଇ ସମ୍ପାଦକଙ୍କର ଲାଗିଛି ଗୋଲକଧନ୍ଦା । ବକୁରି କାଟି କାଟି ଯେପରି କଂସେଇ ମନ ଚିଟା ହୋଇଯାଏ, ସମ୍ପାଦକଙ୍କ ମନ ସେହିପରି ଗଦା ଗଦା କବିତା ନାକଚ କରି ଅଳିଆ ଟୋକେଇକୁ ଫୋପାଡ଼ି ଫୋପାଡ଼ି ଚିଟା ଧରିଗଲାଣି । କବିତା ବସ୍ତାନି ଭିତରୁ ତାଙ୍କ ନାକକୁ ମଇଳା ଖାତର ଗନ୍ଧ ପରି ଗୋଟାଏ ଗନ୍ଧ ଜଣା ଯାଉଥାଏ । ବସ୍ତାନିର ପୃଥୁଳ ଶରୀରକୁ ଲକ୍ଷ୍ୟ କରି ସେ ହତାଶଭରା କଣ୍ଠରେ କହିଲେ—“ ଏତେ ଫୋପାଡ଼ି ଫୋପାଡ଼ି, ଏଡ଼େ ଗଣ୍ଡି । ବାପ୍‌ ରେ ବାପ୍ ! ଦେଶଯାକ କବି ଛାଇ ହୋଇଗଲେ । ସେଇଥିଲାଗି ତ କବିଙ୍କ ଦାମ୍ କମିଗଲା । ହେ ଭଗବାନ୍ ! ଏ ଛତୁଫୁଟା କବିମାନଙ୍କୁ ଟିକିଏ ସୁବୁଦ୍ଧି ଦିଅ । କି ଦହଗଞ୍ଜ ମଣିଷକୁ କରୁଛନ୍ତି ।”

 

ବସି ବସି ଅଣ୍ଟା ଲାଠି ହୋଇଗଲାଣି । ଚଉକିରେ ଆଉଜିପଡ଼ି ଓ ଟିକିଏ ପଛକୁ ସଳଖେଇ ସେ ଗୋଟିଏ ଦୀର୍ଘଶ୍ୱାସ ପକାଉଛନ୍ତି, ଏହି ସମୟରେ ଅଧ୍ୟାପକ ବେହେରା ଦୁଆର ମୁହଁରେ ଠିଆ ହୋଇ କହିଲେ—“ନମସ୍ତେ—”

 

“ନମସ୍ତେ, ଆସ, ଆସ, ଭିତରକୁ ଆସ ।”

 

“ଶ୍ରୀରାମଚନ୍ଦ୍ର ଭବନକୁ ଯିବେ ନାହିଁ କି ?”

 

“ନିଶ୍ଚୟ ଯିବି । ଏହିକ୍ଷଣି ଛଅଟା ପନ୍ଦର । ଆଠାଟାରେ ସଭା, ଟିକିଏ ବସ, ସାଙ୍ଗହୋଇ ଯିବା । ସଭାଟା ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ।”

 

“ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ସାହିତ୍ୟ ପ୍ରତିନିଧି ଆସିଛନ୍ତି । ଓଡ଼ିଶାର ପତ୍ରପତ୍ରିକା ବିଷୟରେ ବିବରଣୀ ସଂଗ୍ରହ କରି କେନ୍ଦ୍ର ସାହାଯ୍ୟରେ ବ୍ୟବସ୍ଥା କରିବେ ।”

 

“କଅଣ ସେତିକି ? ଓଡ଼ିଆ ବହି କେତେଗୁଡ଼ିଏ ବାଛି ନେଇ ହିନ୍ଦିରେ ଅନୁବାଦ କରିବାର ବ୍ୟବସ୍ଥା କରିବେ ଓ ଲେଖକମାନଙ୍କୁ ପାରିତୋଷିକ ମଧ୍ୟ ଦେବେ । ମୋର ତ ବହି, ପତ୍ରିକା ଉଭୟ, ତେଣୁ ମୁଁ ଯିବିନି ତ ଆଉ କିଏ ଯିବ ? ବସ, ଯିବା ତ ।”

 

“ଆଉ କଅଣ କାମ ? ବଡ଼ କାର୍ଯ୍ୟବ୍ୟସ୍ତ ପରି ଦେଖା ଯାଉଛନ୍ତି ସେ ।”

 

“କାମ ବୋଲି କାମ । ଏକାବେଳେକେ ଘଣା ପେଲା । ଦେଖିଲ ଏ କବିତା ଗଦାକୁ । ୟାକୁ ମୁଁ କୋଉଦିନ ବାଛିବି ।”

 

ଅଧ୍ୟାପକ ବେହେରା ଆଖି ବୁଲାଇ ଦେଖିଲେ, ବସ୍ତାନି ଭରପୂର । ଅଖୋଲା ଲଫାପା ବି ତାଡ଼ାଏ । ତାକୁ ଦେଖାଇ ସେ ପଚାରିଲେ—“ସେଗୁଡ଼ା ବି କବିତା ନା କଅଣ ?”

 

“କେବଳ କବିତା ନୁହେଁ, ମିଶାମିଶି ଅଛି । ତେବେ ମୁଁ ଲଫାପା ଦେଖି କହିଦେବି ସେଥିରେ ପଦ୍ୟ କି ଗଦ୍ୟ ଅଛି ।”

 

କୌତୂହଳାକ୍ରାନ୍ତ ଅଧ୍ୟାପକ ବେହେରା ପରୀକ୍ଷା କଲେ । ସମ୍ପାଦକ ପଦ୍ୟ, ଗଦ୍ୟ, ଚିଠି ଇତ୍ୟାଦି କହି ଗୋଟିଏ ଗୋଟିଏ ଲଫାପା ଫୋପାଡ଼ି ଦେଉଥାଆନ୍ତି । ଅଧ୍ୟାପକ ଖୋଲି ଦେଖୁଥାଆନ୍ତି । ପ୍ରାୟ ନବେ ପ୍ରତିଶତ୍ ଠିକ୍ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ—“ବଡ଼ ଆଶ୍ଚର୍ଯ୍ୟ ତ, ଜାଣିଲେ କେମିତି ?”

 

“ମୋତେ ବାସେ ।”

 

“ଯାଃ, ସତ କୁହନ୍ତୁ, କେମିତି ଜାଣୁଛନ୍ତି ? ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।”

 

“କାଳିଦାସ କାଶୀରେ ଛନ୍ଦରି ହେଲାପରି କଅଣ ହେଉଛ ? ମଲା ପରେ ଲୋକ ସ୍ୱର୍ଗକୁ ଗଲା କି ନର୍କକୁ ଗଲା, ତାହା ସେଠାରେ ବୁଢ଼ୀଟାଏ ଜାଣିଥିବାର ଦେଖି କାଳିଦାସ ଭକୁଆ ହୋଇଗଲେ । ବୁଢ଼ୀ ବୁଝେଇଦେଲା—ମଲା ଲୋକକୁ ସମସ୍ତେ ହାୟ ହାୟ କହିଲେ ସେ ସ୍ୱର୍ଗକୁ ଯାଏ, ଦୂର୍ ଦୂର୍ କହିଲେ ନର୍କକୁ ଯାଏ । କାଳିଦାସ ବୁଝିଗଲେ । ସେମିତି ତମକୁ ଟିକିଏ ବୁଝେଇ ଦବା ଦରକାର ପଡ଼ୁଛି ।”

 

“ହଁ,ହଁ, ଟିକିଏ ବୁଝାଇ କହନ୍ତୁ ।

 

“ଦେଖ ମୋଟା ଓ ଲମ୍ବା ଲଫାପାଗୁଡ଼ିକରୁ ସବୁ ଗଦ୍ୟ, ଗଳ୍ପ, ପ୍ରବନ୍ଧ, ସମୀକ୍ଷା ଇତ୍ୟାଦି ପାଇବ । ଆଉ ଛୋଟ ଲଫାପାତକ ନିଶ୍ଚୟ ପଦ୍ୟ । ଯେଉଁଟା ଚିଠି ସେଥିରେ ସମ୍ପାଦକ ପରିବର୍ତ୍ତେ ମୋ ନାଁ ଥିବ ।”

 

ଅଧ୍ୟାପକ ବେହେରା ହସିଉଠି କହିଲେ—

 

“ଓହୋ ଏବେ କାଳିଦାସଙ୍କ ପରି ବୁଝିଲି । ତେବେ ବାଛିବା ପାଇଁ ଆପଣଙ୍କୁ ଏତେ ପରିଶ୍ରମ ଲାଗୁଛି ?”

 

“କୁହନା, କୁହନା, ମୁଁ ମଲିଣି । ଦି’ ଚାରିଦିନ ନ ଦେଖିଲେ କବିତା ବସ୍ତାନିର ପେଟ ଟୁମାଟୁମ୍ । କେତେ ପଢ଼ିବି ? କବିତାରେ କିଛି ହେଲେ ଥାଆନ୍ତା ? ସେଇ ବେଦନା, ସେଇ ଅଶ୍ରୁ, ସେଇ ଦିଗନ୍ତ, ସେଇ ବୁକୁଫଟା ଦରଦ, ଇସ୍ ମୁଁ ଏକାବେଳେକେ ଗଇଁଆ ହୋଇ ଗଲିଣି । କବିତା ନାଁ ଶୁଣିଲାବେଳକୁ ମୋର ଅଇ ଉଠୁଛି । ଦିନ ଦୁଇଟାବେଳୁ ଏତେବେଳଯାଏ ଅଣ୍ଡାଳିଲିଣି, ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପ୍ରକାଶ ଉପଯୋଗୀ କବିତା ପାଇ ପାରିଲି ନାହିଁ ।

 

ଅଧ୍ୟାପକ ବେହେରା ଘଣ୍ଟା ଦେଖି କହି ଉଠିଲେ—“ଚଞ୍ଚଳ ଆପଣ କାମ ସାରନ୍ତୁ, ଯିବା-। ୭ଟା ବାଜି ଗଲାଣି ।”

 

ଗାମୁଛା ପାଲଟୁ ପାଲଟୁ ସମ୍ପାଦକ କହିଲେ—“ମୁଁ କଅଣ ଏତେବେଳଯାଏ ପୋଖରୀପାଣି ଗଲିଣି ? ଟିକିଏ ରୁହ, ଘଣ୍ଟାଏ ସମୟ ଅଛି । ଟିକିଏ ଦୁଇ କରି ଚାଲିଆସେ ।”

 

ଅଧ୍ୟାପକ ବେହେରା ରାଜି ହୋଇ ବସିଲେ । ସମ୍ପାଦକେ ଗାମୁଛା ପିନ୍ଧି ଢାଳ ଖୋଜୁଛନ୍ତି, ଠିକ୍ ଏହି ସମୟରେ ଯନ୍ତ୍ରଚାଳକ ନିତ୍ୟାନନ୍ଦ ଏକ ବିରାଟ ଛପାଇ କାଗଜ ତାଙ୍କ ଆଗରେ ଧରି କହିଲା—“ଆଜ୍ଞା ଶେଷ ପ୍ରୁଫ୍‌ଟା ଟିକିଏ ଦେଖିନିଅନ୍ତୁ, ଛପା ଡେରି ହୋଇଗଲାଣି ।”

 

ସମ୍ପାଦକ ଟିକିଏ ବିରକ୍ତ ହୋଇ କହିଲେ—“ଓଃ ମଣିଷକୁ ଟିକିଏ ଝାଡ଼ା ଫେରେଇ ଦେବେନି । ରହିଥାଅ, ମୁଁ ପାଇଖାନାରୁ ଆସେ ।”

 

ଢାଳଟା ଧରି ଦୁଆର ମୁହଁଯାଏ ଆସିଛନ୍ତି କି ନାହିଁ, ଅଚାନକ ଆସି ପହଞ୍ଚିଗଲେ ଭାନୁ କବି । ହାତରେ ଗୋଟିଏ ବ୍ୟାଗ୍ । ଏକାବେଳେକେ ୩୨ଟା ଯାକ ଦାନ୍ତ ଦେଖାଇ ଦେଇ କିଳିକିଳା ରଡ଼ିରେ କହିଲେ—“ସୁସନ୍ଧ୍ୟା, ସୁସନ୍ଧ୍ୟା, ଯାହାହେଉ ଦର୍ଶନଟା ମିଳିଗଲା । ଆଶା ନିରାଶାର ଦ୍ୱନ୍ଦ ଭିତରେ ମୁଁ ଆସିଥିଲି । ଯାହାହେଉ, ମୋର ଆଶା ସଫଳ ହୋଇଛି ।”

 

ଢାଳଟା ଥୋଇ ସମ୍ପାଦକ ଅତି ଉଲ୍ଲାସର ସହିତ କରମର୍ଦ୍ଦନ କଲେ । ଅତି ପରିଚିତ, ଅନ୍ତରଙ୍ଗ ପୁରୁଣା ବନ୍ଧୁ । ତାଙ୍କୁ ଚଉକିରେ ବସାଇ ପଚାରିଲେ—“ହଠାତ୍ କୁଆଡ଼େ ମାଡ଼ି ଆସିଲେ-? ଆଉ ଘର ଖବର ସବୁ କଅଣ ? ବହୁଦିନ ପରେ ଦେଖା । ଆଉ କଅଣ କରୁଛନ୍ତି-?”

 

“କରିବି କଅଣ, ସହଜେ ତ ମୋର ଜଙ୍ଗଲ ଚାକିରି । ପଡ଼ିଛି ପୁଣି ଏକ ନିଛାଟିଆ ଜାଗାରେ । କଥାବାର୍ତ୍ତା କରିବାକୁ ଜଣେ ହେଲେ ଲୋକ ନାହିଁ । କିଛି ଦିନେ ଅଧେ ନୁହେଁ, ସେଠି ଚାରି ବରଷ ହେଲାଣି । ଦେଖିଲି ସମୟ କଟେଇବାକୁ ଆଉ କିଛି ବାଟ ନାହିଁ । ତମ ସଙ୍ଗେ ବନ୍ଧୁତାଟା ଥିଲା ବୋଲି ଗୋଟାଏ କିନାରା ମିଳିଗଲା । ତୁମଠୁ କବିତା ଜୀବାଣୁ ମୋଠାରେ ସଂକ୍ରମିତ ହୋଇଥିଲା । କ୍ଷେତ୍ର ପାଇଲା ମାତ୍ରେ ସେମାନେ ପ୍ରବଳ ହୋଇ ଉଠିଲେ । କବିତା ସାଧନାରେ ଲାଗି ପଡ଼ିଲି ।”

 

କବିତା ନାଁ । ଶୁଣି ସମ୍ପାଦକ ଚମକି ଉଠିଲେ । ଅଭଦ୍ରତା ଭୟରେ ମନର ଭାବକୁ ଚାପିରଖି ଉତ୍ସାହ ଦେଲାପରି କହିଲେ—“ଆରେ ବାଃ, ଭଲ ପନ୍ଥାଟିଏ ଧରିଲ ।”

 

ଭାନୁ କବି ଉତ୍ସାହିତ ହୋଇ କହି ଲାଗିଲେ “ ଓଃ, ସେ ସାଧନା କି କଠୋର । ଚାରି ବର୍ଷଯାଏ ସବୁ ଭୁଲିଯାଇଛି । ରବି ଠାକୁର, କାଜି ନଜରୁଲ୍, ଓମରଖୈୟମ, ସେଲି, ବାଇରନ୍, କିଟ୍‌ସ୍ ସବୁ ମନ୍ଥି ପକାଇଛି । ନିଜ ଦେହରୁ ରକ୍ତ ଦେଇ ମାଆ ପୁଅକୁ ଜନ୍ମ ଦେଲାଭଳି ବହୁ କବିତାକୁ ଜନ୍ମ ଦେଇଛି । ଭାରି ମନହେଲା ତମକୁ ଶୁଣାଇବାକୁ । ବିଚାରିଲି, ତୁମେ କେଡ଼େ ଖୁସି ନ ହେବ, ଯେତେବେଳେ ଦେଖିବ ତୁମର ଜଣେ ପୁରାତନ ବନ୍ଧୁ ତୁମରି ରାସ୍ତାରେ ଯାଇଛି । ବାସ୍ତବିକ ସେ କବିତା ଯେ କି ଚମତ୍କାର ହୋଇଛି, ତାହା କଳ୍ପନାତୀତ । ତୁମକୁ ନ ଶୁଣାଇଲେ ମୁଁ ଜଳ ସୁଦ୍ଧା ସ୍ପର୍ଶ କରିବି ନାହିଁ ।” ଏହା କହି ସେ ଚମଡ଼ା ମୁଣି ଭିତରୁ ତାଡ଼ାଏ କାଗଜ କାଢ଼ିଲେ ।

 

କବିତା ନାଁ, ଓ ଏସବୁ ହାଲ୍ ଦେଖି ସମ୍ପାଦକଙ୍କର ପାଇଖାନା ତଲବ ଦେଖାଦେଲା । ସେ ଅନୁନୟ ବିନୟ ହୋଇ କହିଲେ—“ ତେବେ ଟିକିଏ ରହନ୍ତୁ , ମୁଁ ଟିକିଏ ବାହାରୁ ଆସେ ।”

 

“ଆଚ୍ଛା, ଆଗ ଗୋଟାଏ ଶୁଣନ୍ତୁ, ତାପରେ ପଛେ ଯିବେ । ନ ହେଲେ ଉଷୁମଟା ଭାଙ୍ଗିଯିବ । ଏ କବିତାଟି ଅତି ଚମତ୍କାର । ନାଁ ଦେଇଛି “ଶତାବ୍ଦୀର ପ୍ରବଞ୍ଚନା ” । ଟିକିଏ ମନଦେଇ ଶୁଣନ୍ତୁ ।”

 

ବାଧ୍ୟ ହୋଇ ସମ୍ପାଦକ ପେଟ ଭିତରେ ବିରକ୍ତି ଓ ମଳ ଉଭୟଙ୍କୁ ଚାପି ରଖି ନିରୁପାୟ ଭାବରେ ବସିଲେ ଏବଂ ଭାନୁ କବି ଆବୃତି କଲେ—

 

“କେ ବୁଝିବ ହୃଦର ବେଦନା

ହେ ବିଂଶ ଶତାବ୍ଦୀ”

 

ସମ୍ପାଦକଙ୍କ ମୁହଁରୁ ଅଜାଣତରେ ବାହାରି ପଡ଼ିଲା ପ୍ରଥମରୁ ‘ବେଦନା’ । ଅଧ୍ୟାପକ ବେହେରା ବି ମୁହଁଟା ବୁଲେଇନେଇ ରୁମାଲ୍ ଭିତରେ ବହେ ହସିଦେଲେ । ଭାନୁ କବି ବିଶଦ୍‌ବ୍ୟାଖ୍ୟା କରି ବସିଲେ—“ପୃଥିବୀଟା ବେଦନାମୟ । ଜନ୍ମିବାରେ ବେଦନା, ମରିବାରେ ବେଦନା, ପଢ଼ିବାରେ ବେଦନା, ପଢ଼େଇବାରେ ବେଦନା, ଖାଇବାରେ ବେଦନା କାରଣ ଚାଉଳରେ ଗୋଡ଼ି ତ ତେଲରେ ଅଗରା, ସବୁ ଜିନିଷରେ ଭେଜାଲ୍, ପେଟରେ ବେଦନା, ଖୁଆଇବାରେ ବି ବେଦନା ! ପଇସାଟାଏ ରୋଜଗାର କରିବାକୁ ବି ବେଦନା—”

 

ଅଧ୍ୟାପକ ବେହେରା କହି ଉଠିଲେ, “ଲେଖିବାରେ ବି ବେଦନା ।”

 

ଭାନୁ କବି କହିଲେ—“ନିଶ୍ଚୟ, ଯତିଟା ପକାଇବାକୁ ଯେ ବେଦନା ତାହା ପକେଇଲା ଲୋକ ଜାଣେ । ଅଣ୍ଡାଳୁଥିବ ମଣିଷ କ ଠୁଁ କ୍ଷ ପର୍ଯ୍ୟନ୍ତ । ମୁଁ ବୁଝିଛି ସେ ବେଦନା ।”

 

ସମ୍ପାଦକ କହିଲେ—“ତା ଠିକ୍, ଲେଖେଇବାରେ ବି ବେଦନା ମାତ୍ର ଆମର ସେ ବେଦନାଟା କେହି ବୁଝନ୍ତି ନାହିଁ ।”

 

ଅଧ୍ୟାପକ ବେହେରା କହିଲେ—“କିଏ ବୁଝୁ ବା ନ ବୁଝୁ ମୁଁ ବୁଝୁଛି । ଝାଡ଼ା ମାଡ଼ୁଥିବାବେଳେ କାବ୍ୟ ଚର୍ଚ୍ଚାଟା ଅତି ବେଦନାଦାୟକ ଜଣାଯାଉଥିବ ।”

 

ସମ୍ପାଦକେ ଉଠିପଡ଼ି ପାଣିଢ଼ାଳଟାକୁ ଧରି କହିଲେ, “ଆଚ୍ଛା ଟିକିଏ ଅପେକ୍ଷା କରନ୍ତୁ, ମୁଁ ପାଇଖାନାରୁ ଆସେ ।”

 

ଉତ୍ସାହିତ ଭାନୁ କବି କହିଉଠିଲେ—“ଆଉ ଟିକିଏ—, ଦେଖନ୍ତୁ କବିତାଟା କେଡ଼େ ଚମତ୍କାର ହୋଇଛି–’’

 

“ନୟନର ନିରବଧି ଅଶ୍ରୁ

ହା ହୁତାଶ ଉଠେ ଅଭ୍ର ଭେଦି ।”

 

‘ଅଶ୍ରୁ’ ଶୁଣିବା ମାତ୍ରେ ସମ୍ପାଦକଙ୍କ ହାତରୁ ଢାଳଟା ଖସି ପଡ଼ିଲା । ଅଧ୍ୟାପକ ବେହେରା ହସି ଉଠିଲେ । ଭାନୁ କବି କହିଲେ—“ଜଣେ ସମ୍ପାଦକଙ୍କ ହାତରୁ ଢାଳ ଖସିପଡ଼ିବା ବାସ୍ତବିକ୍‌ ହାସ୍ୟୋଦ୍ଦୀପକ ।

 

ହଁ, ଶୁଣନ୍ତୁ—

 

ଦିଗନ୍ତ ପ୍ରସାରି ଗହମର କ୍ଷେତ

ମିଶେ ଯହିଁ ସ୍ୱର୍ଗ ଓ ପୃଥିବୀ ।”

 

ସମ୍ପାଦକ ପେଟକୁ ଚିପି ଧରିଲେ । ଅଧ୍ୟାପକ ବେହେରା ପାଟିକରି ଉଠିଲେ—“ଆପଣ ନ ଯିବେ ତ ଥାଆନ୍ତୁ, ମୁଁ ଯାଉଛି । ୮ଟା ବାଜିବାକୁ ପାଞ୍ଚମିନିଟ୍ ।”

 

ତରତର ହୋଇ ସେ ସେଠାରୁ ପଳାଇଲେ । ସମ୍ପାଦକଙ୍କର ଅପେକ୍ଷା କରିବାକୁ ସମସ୍ତ ଅନୁରୋଧ ବ୍ୟର୍ଥ ହେଲା । ନିରାଶ୍ରୟ ଭାବରେ ସେ ମୁହଁଟି ଶୁଖାଇ ବସିଲେ ।

 

ଭାନୁ କବି ଟିକିଏ ବିରକ୍ତ ପ୍ରକାଶ କରି କହିଲେ—“ସେ ଭଦ୍ରଲୋକ ଜଣକ ବଡ଼ ଗର୍ବୀ, ଟିକିଏ ବେଖାତିର ଭାବ ଅଛି । ଘୁଷୁରିକୁ ପାଚିଲା କଦଳୀ ଯେମିତି ଭଲ ଲାଗେ ନାହିଁ, ତାଙ୍କୁ ସେମିତି କବିତା ବୋଧହୁଏ ଭଲ ଲାଗେନା । ମୁଣ୍ଡରେ ମସଲା ଥିଲେ ସିନା କବିତାର ମର୍ମ ବୁଝନ୍ତେ ! ଏଇଠି ବୁଝାପଡ଼ୁନି—ତୁମେ ଗୁଣୀ, ଗୁଣର ଆଦର କର । କବିତାର ମର୍ମ ବୁଝୁଛ—ସେ ପଳେଇଲେ । ନ ଜାଣି ମୁଁ ତମପାଖକୁ ଏତେ ପରିଶ୍ରମ କରି ଆସିଛି । ଛାଡ଼ ସେ କଥା; ଶୁଣ—

 

‘‘ବୁଭୁକ୍ଷୁର ତୀବ୍ର ଆର୍ତ୍ତନାଦ

ଶେଳ ସମ ହୃଦେ ଦିଏ ଗେବି ।”

 

ସମ୍ପାଦକ କବିତା ସ୍ରୋତକୁ ଅଟକାଇ ଦେବା ଲାଗି କହି ଉଠିଲେ, “ଦେଖ, ଏପରି ନିରାଶବାଦୀ କବିତାକୁ ଆଜିକାଲି ଲୋକେ ପଚାରୁ ନାହାନ୍ତି ।”

 

କଥା ନ ସରୁଣୁ ଭାନୁ କବି, ଆଉ ଖଣ୍ଡେ କାଗଜ କାଢ଼ିପକାଇ କହି ଉଠିଲେ, “ମୁଁ କଅଣ ଛାଡ଼ିଛି । ଅନ୍ୟ ଧରଣର ବି ଲେଖିଛି । ଶୁଣନ୍ତୁ—

 

ହାସ୍ୟମୟୀ ଗୋ, ଲାସ୍ୟମୟୀ ଗୋ

ଛବିଳ ପ୍ରିୟା

ବାଦାମି ଓଠର ନର୍ତ୍ତନ ଦେଖି

ଗୁମୁରେ ହିୟା ।”

 

ବିକଳ ହୋଇ ସମ୍ପାଦକମାନେ ମନେ ମନେ ଭାବି ଲାଗିଲେ—ଓଃ ! କି କୁଗ୍ରହଟାଏ ଆସି ଘୋଟିଲା—ଏକାବେଳେକେ ଝାଡ଼ା ପରିସ୍ରା ବନ୍ଦ । ବୁଡ଼ିଗଲା ଲୋକ କୁଟାଖିଅକୁ ଧରିଲା ପରି, ସେ କହି ଉଠିଲେ “—ଦେଖ, ନାରୀ ସମ୍ବନ୍ଧୀୟ କବିତା ପ୍ରତି ଜନସାଧରଣ ଟିକିଏ ବିତସ୍ପୃହ ହେଲେଣି—”

 

ଭାନୁ କବି ଆଉ ଖଣ୍ଡେ କାଗଜ କାଢ଼ିପକାଇ କହିଲେ —“ରାଜନୀତି ମିଶା କବିତା ମଧ୍ୟ ଅଛି । ଯାହାର ଯେମିତି ଦରକାର—ହେଇ ଶୁଣନ୍ତୁ—

 

‘‘ବନ୍ଦ କର ଏ ଜାଲ ଫିସାଦୀ

ଆରେ ଘୃଣ୍ୟ ପୁଞ୍ଜିପତି ଦଳ ।”

 

ସମ୍ପାଦକ ପାଟିକଲେ —‘‘ହଁ, ଏକରକମ, କିନ୍ତୁ କଂଗ୍ରେସୀ ସରକାରଙ୍କ ବିଷ ଦୃଷ୍ଟିରେ ପଡ଼ିବାକୁ ହେବ ।’’

 

ଭାନୁ କବି କହିଲେ “ତାଙ୍କ ମନ ମାନିବା ଭଳି ବି କବିତା ଅଛି । ହେଇ ଶୁଣନ୍ତୁ—

 

‘‘ତିଳ ତିଳ କରି ଦେଶ ପାଇଁ ଯିଏ

ଢାଳିଲା ଲହୁ

ଭାଗ୍ୟ ବିଧାତା ତାହାଙ୍କୁ ଆମେ ତ

ମନ୍ତ୍ରୀ କହୁଁ ।”

 

୮ଟା ବାଜି ପନ୍ଦର । ସମ୍ପାଦକ ଦୀର୍ଘଶ୍ୱାସ ଛାଡ଼ିଲେ । ଭାବିଲେ—କି ଦୁର୍ଯ୍ୟୋଗ ! ସଭା ଗଲା, ସୁଯୋଗ ଗଲା, ଝାଡ଼ା ଦେଖେଇ ଦେଖେଇ ବନ୍ଦ ହେଲା, ଓଃ, କି ଭାଲୁ ଗୋଟିଏ ଆସି ହାବୁଡ଼ିଲା ! ସେ ପୁଣି ଚେଷ୍ଟା କଲେ—“ଆଜିକାଲି ଭଞ୍ଜୀୟ କବିତା ଆଡ଼କୁ ଲୋକେ ଅଧିକ ଆକୃଷ୍ଟ ହେଲେଣି ।”

 

ନଛୋଡ଼୍‌ବନ୍ଧା ଭାନୁ କବି ଅତି ଉତ୍ସାହର ସହିତ କହିଲେ—‘‘ସେ ବି ଅଛି, ଶୁଣନ୍ତୁ ନା—

 

‘‘ଘନ ଘନ ପବନ ବନ କଲା କମ୍ପନ

ଧନ ଜୀବନ ଛନଛନ,

ହରି କରୀଙ୍କ ପରି ହୁଅନ୍ତି ତେରିମେରି

ଗମ୍ଭାରି, ଡିମ୍ବିରି, ଶାଗୁଆନ ।”

 

ସମ୍ପାଦକ ପ୍ରାଣ ବିକଳରେ ଶେଷ ଚେଷ୍ଟା କଲେ । ବିରକ୍ତିକୁ ଅତି କଷ୍ଟରେ ଚାପି ରଖି କହିଲ— “କବିତାକୁ ଆଉ କେହି  ପଢ଼ୁ ନାହାନ୍ତି । ଗଳ୍ପ ଆଡ଼କୁ ସମସ୍ତଙ୍କର ଝୁଙ୍କ୍‌ ।”

 

ଭାନୁ କବି ଉତ୍ସାହିତ ହୋଇ କହିଲେ—“ଭାବିଛ ତାକୁ ଛାଡ଼ିଛି ? କଅଣ ନ ଆସେ ମୋତେ ? ହେଇ ଗୋଟିଏ ଗପ, ଭାବିଛି ଇଂରାଜୀରେ ଅନୁବାଦ କରି ନିୟୁୟର୍କ ଟାଇମ୍‌ସ୍ ପ୍ରତିଯୋଗିତାକୁ ପଠାଇବି । ଜଣେ ବନ୍ଧୁ ଶୁଣି କହିଛନ୍ତି—ପ୍ରଥମ ପୁରସ୍କାର ଥୁଆ । ଶୁଣନ୍ତୁ, ଶୁଣନ୍ତୁ–

 

କିଶୋରୀ କହିଲା—ଆଃ, ତୁମେ କେଡ଼େ ସୁନ୍ଦର ! ତମକୁ ମୁଁ ଭଲପାଏଁ । ମଖମଲି ଘାସର ଗାଲିଚା ଉପରେ ବେଙ୍ଗ ମିଶ୍ର ଗଡ଼ିଯାଇ ଗଦ୍ ଗଦ୍ କଣ୍ଠରେ କହିଲା—ସତେ, ସତେ, କିଶୋରୀ ତମେ ମତେ ଭଲପାଅ ? ସତେ, ଭଲ ପାଅ ? ଆଃ, କି ତୃପ୍ତି ! ଆଃ, ମୁଁ ତମ ପାଦତଳେ ବର୍ତ୍ତମାନ ମରିବାକୁ ଚାହେଁ—ସେ ମୃତ୍ୟୁ ହେବ ମୋର ନନ୍ଦନର ପାରିଜାତ । ‘ଇସ୍’ କହି ତୁମେ ମୋ ମଡ଼ାଟାକୁ ଟିକିଏ ପାଦରେ ଠେଲି ଦେବ । ପାଦରେ ଯେପରି ପ୍ରାସ ନ ଲାଗେ ।

 

ଘଣ୍ଟା କଣ୍ଟା ୯କୁ ଡେଇଁଲା । ହତଭାଗ୍ୟ ସମ୍ପାଦକ କାଠଟି ପରି ବସିଥାନ୍ତି । ଯନ୍ତ୍ରଚାଳକ ଡାକୁଥାଏ—ବାବୁ, ମେସିନ୍‍ ବନ୍ଦ ରହିଲା, ଶୀଘ୍ର ପ୍ରୁଫ୍ ଦେଖନ୍ତୁ । ମେନେଜର କହିଲା—ବହୁତ ଡେରି ହେଲାଣି, ମୁଁ ଯାଉଛି । ସମ୍ପାଦକଙ୍କ କାନରେ କିଛି ପଶୁ ନ ଥାଏ । ସେ ପଥର ପାଲଟି ଯାଇ ଥାଆନ୍ତି ।

 

ଅଧ୍ୟାପକ ବେହେରା ସଭାରୁ ଫେରି ଦେଖନ୍ତି ତ ଭାଲୁ ସେପର୍ଯ୍ୟନ୍ତ ଛାଡ଼ିନି । ସେ ଘର ଭିତରକୁ ନ ପଶି ପଦାରେ ରହିଲେ । କର୍ମଚାରୀମାନଙ୍କ ସହ ନାନା ପରାମର୍ଶ ଚାଲିଲା । କିପରି ସମ୍ପାଦକ ଭାଲୁ ହାତରୁ ରକ୍ଷା ପାଇବେ ? ମନ ଥିଲେ ଉପାୟ ଆସିଯାଏ । ଅତି ସନ୍ତର୍ପଣରେ ଅଧ୍ୟାପକ ବେହେରା ଅନ୍ୟ ଏକ କୋଠରୀରେ ଥିବା ବିଦ୍ୟୁତ୍‌ର ପ୍ରଧାନ ଚାବିକୁ ଉଠାଇ ଦେଲେ । ଆଖି ପଲକରେ ସବୁ ଅନ୍ଧାର । ଭାନୁ କବି ବିବ୍ରତ ହୋଇ କହିଲେ—“ଏ ଶଳା ବିଜୁଳି କମ୍ପାନୀଟା ଏକାବେଳକେ ଅକର୍ମଣ୍ୟ । ଠିକଣାବେଳେ ଫ୍ୟୁଜ୍ । ଯେତେବେଳେ ଦେଖ ଫ୍ୟୁଜ୍ । ଫ୍ୟୁଜ୍‍ଟା ତା ଦେହର ମଳି । ଶଳା କୁତ୍ସିତଟା ନର୍କକୁ ଯାଉ । ତାକୁ ସରକାର ନେଉ । ଆଚ୍ଛା, ଗୋଟାଏ ମହମବତୀ ଲଗାନ୍ତୁ ଚଳିଯିବ ।”

 

ଗୀତାରେ ଲେଖା ଅଛି—ଅନ୍ୟମାନଙ୍କୁ ଯେଉଁଟା ଅନ୍ଧାର, ଗୁଣୀମାନଙ୍କୁ ତାହା ଆଲୁଅ-। ସମ୍ପାଦକ ଗୁଣୀ ଥିବାରୁ ତାଙ୍କୁ ଅନ୍ଧାରଟା ଆଲୋକମୟ ଦିଶିଲା । ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଦେଇ ସେ କହିଲେ—“ଦୁଇ ତିନି ଘଣ୍ଟା ନ ଗଲେ ଆଲୁଅ ନ ଆସେ । ମହମବତୀ ବି ନାହିଁ । ମୁଁ ଯାଉଛି ଏତିକିବେଳେ ପାଇଖାନାରୁ ଚାଲିଆସେ ।’’

 

ବିଜୁଳି କୋମ୍ପାନୀକୁ ଅଭିଶାପ ଦେଇ ଦେଇ ଭାନୁ କବି ପ୍ରସ୍ଥାନ କରିବା ବାଦ୍ ଆଲୁଅ ଜଳି ଉଠିଲା । ସମସ୍ତେ ଏକତ୍ର ହେଲେ । ସମ୍ପାଦକ କହିଲେ—“କୋଉଠି ଥିଲା ଭାନୁଟା ସବୁ ସାରିଦେଲା ।”

 

ଅଧ୍ୟାପକ ବେହେରା କହିଲେ—“ଭାନୁ ନୁହେଁ, ଭାଲୁ ଭାଲୁ ।”

☆☆☆

 

ଆଗାମୀ କବିର ଲକ୍ଷଣ

 

ଟୁଙ୍ଗେଇପଦାର ସଭାଟା ଆଜି ବଡ଼ ସରଗରମ ହୋଇ ଉଠିଛି । ସମସ୍ତଙ୍କ ମନରେ ସେହି ଗୋଟାଏ ପ୍ରଶ୍ନ—“ଆଡ଼କୁ କେଉଁମାନେ କବି ହେବେ ?”

 

ଜଣେ ଚନ୍ଦାମୁଣ୍ଡିଆ କାଉଁନ୍ଦା ଅନାର ପରି ଭରର୍ ଭରର୍ ହୋଇ କହି ଲାଗିଲେ–“ଦେଖ, ଆମ ଦେଶର ବର୍ତ୍ତମାନ ବଡ଼ ଘଡ଼ିସନ୍ଧି ସମୟ । ବର୍ତ୍ତମାନର କବିମାନଙ୍କୁ ଅବଶ୍ୟ ଆଉ ଚିହ୍ନିବା ଦରକାର ନାହିଁ । ସେମାନଙ୍କୁ ସମସ୍ତେ ଜାଣିଗଲେଣି । ଏମାନେ ଯେ ପୋଖତ କବି ବନି ଶୁଖିଲା ନଡ଼ିଆ ଖସିଲା ପରି ଆକାଶରୁ ଖସିପଡ଼ିଲେ ତା ନୁହେଁ, ଅତୀତରେ ବହୁ ପରିଶ୍ରମ କରି, କାବ୍ୟ କସରତ କରିସାରିଲା ପରେ ଏବେ କବି ଟୋପି ଲଗେଇଲେ । ସେମାନେ ଯେତେବେଳେ କସରତ କରୁଥିଲେ ସେତେବେଳର ଲୋକମାନେ ସେମାନଙ୍କୁ ଚିହ୍ନାଇ ଦେଇଥିଲେ ବୋଲି ଆଜି ଆମ୍ଭମାନଙ୍କୁ ପଟ୍ କରି ଚିହ୍ନିବାକୁ ସୁବିଧା ହେଉଛି । ୟାଙ୍କ ପରେ ଯେଉଁମାନେ କବି ହେବେ; ଅର୍ଥାତ୍ ଭବିଷ୍ୟତର ପୋଖତ କବିମାନଙ୍କୁ ଇଆଡ଼ୁ ଆମ୍ଭମାନଙ୍କର ଚିହ୍ନାଇ ଦେବା ଉଚିତ୍-। ବର୍ତ୍ତମାନ ପ୍ରତିଷ୍ଠିତ କବିମାନେ ବୁଢ଼ା ହୋଇ ଆସିଲେଣି । ପାଚିଲା ଆମ୍ବ, କେତେବେଳେ କଅଣ ହେବ କିଏ କହିବ ? ତେଣୁ ଆଗାମୀ କବିମାନଙ୍କୁ ତୁରନ୍ତ ଚିହ୍ନାଇ ଦେବା ଅତି ଜରୁରୀ ହୋଇ ପଡ଼ିଲାଣି ।”

 

ଜଣେ ନିଶୁଆ କହିଲା, “ହଁ, ହଁ, ପ୍ରସ୍ତାବଟା ଠିକ୍ । ତେବେ ଆଗ ପ୍ରତିଷ୍ଠିତ କବିମାନଙ୍କର ଗୋଟିଏ ତାଲିକା ଅଲଗା କରିଦେବା । ତାପରେ କଞ୍ଚା କବିମାନଙ୍କୁ ଚାଲୁଣିରେ ଚଲେଇ ନେବା ।”

 

ଜଣେ ଡିମା ଡିମା ଆଖି କରି ହଠାତ୍ ପ୍ରତିବାଦ କଲା, “ଆରେ ବାବା, ସେ ତାଲିକା ଫାଲିକା କାମ ଛାଡ଼, ମୁଣ୍ତରେ ଲୁହା ଟୋପି, ପିଠିରେ ଗଣ୍ଡା ଚମଡ଼ା ବାନ୍ଧିବ ତ ତାଲିକା କରି ବସ-।”

 

ସମସ୍ତେ ଜିଜ୍ଞାସୁ ନେତ୍ରରେ ତା ଆଡ଼କୁ ଚାହିଁଲେ । ସେ କହି ଚାଲିଲା,—“ଆରେ ବାବୁ, ତାଲିକାରେ ଗୋଟିଏ ଦୁଇଟା ମେଞ୍ଚଡ଼ କବିଙ୍କୁ ନ ରଖିଲେ ମୁଣ୍ଡ ଓ ପିଠି ବୋଲୁଅରେ ଫାଟିଯିବ । ଦାଣ୍ଡରେ ଘାଟରେ ସବୁଠେଇଁ ଗର୍ଜନ କରିବେ, “କିହୋ ଆମେ କଅଣ କରି ନୋହୁଁ ? ତୁମ ଚଉଦ ପୁରୁଷରେ କିଏ କବି ବାଛିଥିଲା?” ଆଉ ବି ତାଲିକାରେ ଟିକିଏ ଆଗପଛ ହୋଇଗଲେ ସଙ୍ଗେ ସଙ୍ଗେ ଦଶରା ଫୌଜଦାରୀ ଆରମ୍ଭ ହେବ ।”

 

ଜଣେ ପଚାରିଲା “ଆରେ ଦଶରା ଫୌଜଦାରୀ କ”ଣ ?”

 

“ଆରେ ଦଶରାରେ ସାହିବାଲାଏ ଯେପରି ନିଜ ନିଜ ମେଢ଼କୁ ଭଲ କହନ୍ତି ଓ ଭସାଣି ଶୋଭାଯାତ୍ରା ବେଳେ ଅନ୍ୟ ମେଢ଼ର ଆଗରେ ରହିବାକୁ ଚେଷ୍ଟା କରି ମାଡ଼ପିଟ୍ ଲଗାନ୍ତି, ସେମିତି ପ୍ରତିଷ୍ଠିତ କବିମାନଙ୍କ ପାଖରେ ସର୍ବଦା ନସର ପସର ହେଉଥିବା କେତେକ ମେଞ୍ଚଡ଼ ଟୋକା କଳି ଆରମ୍ଭ କରି ଦିଅନ୍ତି । ଫଳରେ ପ୍ରତିଷ୍ଠିତ କବିମାନଙ୍କ ଦୋଷ ଗୁଣ ପଦାରେ ଉଖୁରା ହୁଏ । ସେକଥା ଛାଡ଼ । ପ୍ରତିଷ୍ଠିତ କବିଙ୍କର ତାଲିକା ନ କରି, ଆଗାମୀ କବିମାନଙ୍କର ତାଲିକା ବରଂ ହେଉ ସେଥିପାଇଁ ଆଗ ବଛାବଛିଟା ହୋଇଯାଉ ।”

 

ଜଣେ ପାକୁଆ କହିଲା—“ଆରେ, କାଶୀମେ ଯେତନା କଙ୍କର, ସବ୍ ହୋତାହୈ ଶଙ୍କର । ଆଗାମୀ କବି ଆମ ଓଡ଼ିଶାରେ ଭଲା କିଏ ନୁହେଁ କହିଲ ? ବାଛିବ କାହାକୁ ?”

 

ଆଗ ଜଣକ କହିଲା କବିର ଲକ୍ଷଣ ସବୁ ଦେଖି ବାଛିବା ନା—”

 

ପାକୁଆ କହି ଚାଲିଲା—“ଆଚ୍ଛା କବିର ଲକ୍ଷଣ ତକ ମୁଁ କହୁଛି ଶୁଣ । ଏହି ଲକ୍ଷଣ ଅନୁସାରେ ବାଛିଲ ଭଲା ଦେଖି । ଦେଖତ, ଗୀତା ଅଷ୍ଟମ ଅଧ୍ୟାୟ ୯ମ ଶ୍ଳୋକରେ ଲେଖାଅଛି—କବି ହେଉଛି ସର୍ବଜ୍ଞ । ଇଶୋପନିଷଦ ୮ମ ସୂକ୍ତରେ ଲେଖାଅଛି—କବି ହେଉଛି କ୍ରାନ୍ତଦର୍ଶୀ । କଠୋପନିଷଦ ୩ୟ ବଲ୍ଲୀରେ ଲେଖାଅଛି—କବି ହେଉଛନ୍ତି ପଣ୍ଡିତ ଓ ଶାସ୍ତ୍ରବିତ୍ । ଅମରକୋଷ ଓ ପାଣିନୀ ମତରେ, ଅନ୍ତରର ଭାବକୁ ଯେ ବର୍ଣ୍ଣନା କରେ ସେ ହେଉଛି କବି । ଏଥରକ ବାଛ ।”

 

ସମସ୍ତେ ଗୁଣୁ ଗୁଣୁ ହୋଇ ଉଠିଲେ—“ଏତ ବଡ଼ ଗହନ କଥା, ବହୁତ ସମୟ ଲାଗିବ-

 

ମାସକ ପରେ ସଭା ବସିବାର ଠିକ୍ ହେଲା । ୟା ଭିତରେ ସଭ୍ୟମାନେ ପୁଲିସ ଫଟ ଧରି ଦାଗୀ ଖୋଜିଲା ପରି କବି ଖୋଜିବାକୁ ସମର୍ଥ ହୋଇଯିବେ । ××

 

ମାସକ ପରେ ପୁଣି ସଭା ବସିଲା । ପାକୁଆ ଜଣକ ସମସ୍ତଙ୍କୁ ପଚାରିଲେ, “କିହୋ, କେତେ କବି ଖାଳେଇରେ ଭର୍ତ୍ତି କଲ ?” ସମସ୍ତଙ୍କ ମୁହଁରେ ନିରାଶାର ଚିହ୍ନ । ଜଣେ କହିଲା–“କମ୍ବଳଯାକ ବାଳ, ବାଛିବ କାହାକୁ ?”

 

ଆଉ ଜଣେ କହିଲା—“ଗୋଟିଏ ହେଲେ ଲକ୍ଷଣ ମିଳିବା କଥା କଷ୍ଟ ।”

 

“ଆଉ ଜଣେ କହିଲା—“ତାହେଲେ ଆଗାମୀ କବି କଅଣ ବିଲକୁଲ୍‌ ନାହାନ୍ତି ?’’

 

ନିଶ ଗଜୁରି ଆସୁଥିବା ଜଣେ ଟୋକା ଗର୍ଜିଉଠିଲା—“କବି ଅଛନ୍ତି, ଯଥେଷ୍ଟ ଅଛନ୍ତି । ନାହାନ୍ତି କେବଳ ଚିହ୍ନିଲାବାଲା । କେଉଁ ଭଟ୍ଟ ଅମଳରେ ଏ ଲକ୍ଷଣ ସବୁ ତିଆରି କରା ଯାଇଥିଲା । ସେ କାଳ ଆଉ ନାହିଁ । ଏ ହେଉଛି ନୂଆ ଯୁଗ, ଏଥିପାଇଁ ନୂଆ ଲକ୍ଷଣ ନୂଆ ହୋଇ ଗଢ଼ାହେବ । ପୁରୁଣାକୁ ଗୋଲି ମାର ।”

 

ପାକୁଆ ଜଣକ ଘାବରେଇ ଯାଇଁ କହିଲେ—“ହେଉ, ହେଉ, ତାହାହିଁ ହେଉ । ଆଗ ନୂଆ ଲକ୍ଷଣ ସବୁ ତିଆରି କରାଯାଉ, ତା ପରେ ଯେ କେହି ଆଗାମୀ କବିମାନଙ୍କୁ ବାଛି ଦେବେ ।’’

 

ଜଣେ ପଚାରିଲା—“ଲକ୍ଷଣ ସବୁ କେମିତି ବାଛିବା ?”

 

ଟୋକାଟି କହିଲା—“ଏଇଟା କିଛି କଷ୍ଟକର କଥା ନୁହେଁ । ଡାକ୍ତରମାନେ ବହୁ ରୋଗୀ ଦେଖି ଦେଖି ସେମାନଙ୍କର ଲକ୍ଷଣ ବହିରେ ଟିପି ଅଛନ୍ତି । ଆମେ ସେମିତି ଯେଉଁମାନଙ୍କୁ ସାଧାରଣତଃ ବହୁଲୋକ କବି କବି ବୋଲି କହୁଅଛନ୍ତି ବା ଯେଉଁମାନଙ୍କର ନାମ ପତ୍ର ପତ୍ରିକାରେ ବେଶି ବାହାରୁଅଛି, ସେମାନଙ୍କ ପାଖରେ ବସାଉଠା କରି ତାଙ୍କର କାର୍ଯ୍ୟକଳାପ ଦେଖି ଗୋଟାଏ ମୋଟା ମୋଟି ଲକ୍ଷଣ ତାଲିକା ତିଆରି କରିଦେବା ।”

 

ସମସ୍ତେ ଏକାବେଳେକେ କହି ଉଠିଲେ—“ଠିକ୍, ଠିକ୍, ଯଥାର୍ଥ କହିଛ । ଆଗାମୀ କବିମାନଙ୍କ ସହିତ ମିଳାମିଶା କରି ଲକ୍ଷଣ ଠଉରେଇବାକୁ ୩ ମାସ ସମୟ ଦିଆଗଲା । ଅଲଗା ଅଲଗା ତାଲିକା କରି ତହିଁରୁ ମୋଟାମୋଟି ଲକ୍ଷଣତକ ବାଛି ନେବାକୁ ବ୍ୟବସ୍ଥା କରାଗଲା । ଲକ୍ଷଣ ସଂଗ୍ରହରେ ସମସ୍ତେ ବାହାରିଗଲେ ।

 

ତିନିମାସ ପରେ ପୁଣି ସଭା ବସିଲା । ଅଧିକାଂଶଙ୍କ ମନରେ ଆନନ୍ଦର ଚିହ୍ନ । ବଛାଳିମାନଙ୍କ ହାତରୁ ତାଲିକା ନିଆଯାଇ ମିଳାଗଲା ତାଲିକାତକ ପ୍ରାୟ ସମାନ । ମୋଟାମୋଟି ଲକ୍ଷଣ ତାଲିକା ପ୍ରସ୍ତୁତ କରାଗଲା । ଜଣେ ଲେଖୁଥାଏ, ଆଉ କେତେ ଜଣ ଡାକୁଥାନ୍ତି—“ଲେଖ, ଏକରେ ଚୌର୍ଯ୍ୟଶାସ୍ତ୍ରବିତ୍ ।”

 

ପାକୁଆ ପଚାରିଲା “ଏଁ,—ସେ କିପରି ?”

 

ଜଣେ କହିଲା—“ଆରେ ବାବୁ ଏମାନେ ପହିଲୁ ଚୋରି ନ କଲେ କବିତା ଲେଖି ପାରନ୍ତି ନାହିଁ । ଅଧିକାଂଶ କବିତା ଦେଖିବ ଇଂରାଜୀ, ବଙ୍ଗଳା, ହିନ୍ଦି ପ୍ରଭୃତି କୌଣସି ଗୋଟିଏ ଭାଷାରୁ ଚୋରି । କେତେକ ଚୋର ଥଟାରି, ଯେପରି ପର କଂସା, ଢାଳକୁ କୁନ୍ଦି ନୂଆ ଭଳିଆ କରି ଦେଇ ବଜାରରେ ବିକ୍ରି କରନ୍ତି, ଏ କବିମାନେ ଠିକ୍ ସେହିପରି ଅନ୍ୟର କବିତାକୁ ଟିକିଏ ଓଲମ୍‌ ବିଲମ୍ କରିଦେଇ ନିଜ ନାଁ’ରେ ସାହିତ୍ୟ ବଜାରରେ ବିକ୍ରି କରନ୍ତି । ଏ ଲକ୍ଷଣଟା ସବୁଠାରୁ ବେଶି ।”

 

ପୁଣି ଡକାହେଲା—“ଲେଖ, ଦୁଇରେ—ସମ୍ପାଦକଗତ ପ୍ରାଣ ।”

 

ପାକୁଆ କହିଲା—“ଉଁ-ହୁଁ, ଭଲଭାବରେ ବୁଝାପଡ଼ୁନି ?”

 

ଜଣେ କହିଲା—“ଏମାନଙ୍କର କେବଳ କାମ ହଉଛି ସମ୍ପାଦକମାନଙ୍କୁ ଖୋସାମଦ କରିବା । ଏ ଦିଗରେ କେତେ ଯେ ଶ୍ରମ ଖର୍ଚ୍ଚ ହୁଏ ତା କଳ୍ପନା ହେବ ନାହିଁ । ଖୋସାମଦ ନ କଲେ ଯେ କେହି ତାଙ୍କ କବିତାକୁ ଦେଖି ପାରିବେ ନାହିଁ । ସମ୍ପାଦକମାନେ ଯେତେହେଲେ ତ ମଣିଷ । ତୈଳାକ୍ତ ହସ୍ତରେ କବିତା ଚିରୁ ଚିରୁ ଖସିଯାଏ ।”

 

ପୁଣି ଡକା ହେଲା—“ତୃତୀୟରେ କବି ସହବାସ ।”

 

ପାକୁଆ କହିଲା—“ଧେତ୍ ।“

 

ଜଣେ କହିଲା—“ଧେତ୍ କଅଣ ? ଅଧିକାଂଶଙ୍କୁ ଦେଖିବ ବରାବର ସେମାନେ କୌଣସି ନା କୌଣସି ପ୍ରତିଷ୍ଠିତ କବି ପାଖରେ ବସିଥିବେ । ଚୋରଙ୍କ ପାଖରେ ଚଳପ୍ରଚଳ ହେଲେ ସମସ୍ତେ ତାକୁ ବି ଚୋର ବୋଲି ଭାବନ୍ତି । ସେହିପରି କବିଙ୍କ ପାଖରେ ଚଳପ୍ରଚଳ ହେଲେ ଲୋକମାନେ ଅତି ସହଜରେ କବି ବୋଲି ଜାଣିଯିବେ ।”

 

ଡକା ଚାଲିଲା—“ଚାରିରେ—ବିରହବେଦନା ଯୁକ୍ତ ।’’

 

ପାକୁଆ କହିଲା—“ସତେ ?” ଡାକିଲା ବାଲା କହିଲା—“ ଆଉ ପଚାରିବାକୁ ଅଛି ନା ଅଧିକାଂଶ କବିତାରେ, ରାତି ଅଧରେ ଭୂଆ ଡାକିଲା ପରି ‘ପ୍ରିୟା, ପ୍ରିୟା, ସଖି, ସଖି, ପ୍ରେମ, ପ୍ରେମ, ବେଦନା, ଚୂମା’ କୁହାଟ । କବିମାନେ ଏକାବେଳକେ ଅସାଷ୍ଟମ ।”

 

“ପାଞ୍ଚରେ ଗଦ୍ୟମୟତା । ଏ କବିମାନଙ୍କ କବିତା ଏମିତି ଯେ ସେମାନେ ନିଜେ ନ କହିଲେ ତାକୁ ପଦ୍ୟ ବୋଲି କେହି କହିପାରିବେ ନାହିଁ । ଉଚ୍ଚ ଧରଣର କବିତା ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଏମାନଙ୍କର ସାଧ୍ୟାତୀତ; ଅଥଚ କୌଣସି ପ୍ରକାରରେ ଦୃଷ୍ଟି ଆକର୍ଷଣ କରିବାକୁ ହେବ । ତେଣୁ ସଭାରେ ଶବ୍ଦାୟମାନ ଅଧୋବାୟୁ ତ୍ୟାଗ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲାପରି ଏମାନେ ଅପ୍ରାକୃତିକ କବିତା ଲେଖି ଦୃଷ୍ଟି ଆକର୍ଷଣ କରନ୍ତି ।”

 

“ଛଅରେ ପୁଞ୍ଜିପତି-ତାଡ଼ନ, ବହୁତ କବିତାରେ ଏ ମନୋଭାବ ଦେଖିବାକୁ ମିଳେ । ଜୁଆଚୋର, ଘୃଣ୍ୟ, ରକ୍ତ-ପିପାସୁ, ସଇତାନ୍ ଇତ୍ୟାଦି ପୁଞ୍ଜିପତି ଶୋଧା ଶବ୍ଦ ଭରି ଯାଇଥାଏ । ଦୃଷ୍ଟି ଆକର୍ଷଣର ଏ ବି ଗୋଟିଏ ସହଜ ପନ୍ଥା ! କଳି ତକରାଳ ହେଲେ କିଏ ବା ନ ଆସେ ।’’

 

“ସାତରେ ଦୁର୍ବୋଧ୍ୟତା । ଏମାନଙ୍କର କବିତାକୁ ବୁଝିବା ମୁସ୍କିଲ । କବିତାରେ ଦର୍ଶନ ଦେବାକୁ ଯାଇଁ ଏମାନେ ଏହିପରି ଲେଖନ୍ତି । ଆଜିକାଲି ଦର୍ଶନର ଅର୍ଥ ହେଉଛି—ଯାହାକୁ କେହି ବୁଝିପାରନ୍ତି ନାହିଁ । ନ ବୁଝିପାରି ଭକୁଆ ହୋଇ କେବଳ ଚାହିଁ ରହନ୍ତି । ଅର୍ଥ ବୁଝିଲେ ସିନା ପାଟିରୁ କଥା ବାହାରିବ ? ନ ବୁଝିବାରୁ ବାଲୁ ବାଲୁ କରି କେବଳ ଚାହଁବା ବା ଦର୍ଶନ ହିଁ ସାର ହୁଏ-। ଏହି ଦର୍ଶନ ଦେବାକୁ ଯାଇ ଏମାନେ ଏପରି କବିତା ଲେଖନ୍ତି, ପାଠକମାନେ ବି ବୁଝି ନ ପାରି ଏଥିରେ ଗଭୀର ଦର୍ଶନ ଅଛି ବୋଲି ଧରି ନିଅନ୍ତି ।”

 

“ଆଠରେ ‘ଅପଦୃଷ୍ଟି ଭଙ୍ଗୀ ।’ କାଳୀଗାଈର ଭିନ୍ନ ଗୋଠ ପରି ଏମାନଙ୍କର ଗୋଟାଏ ସ୍ୱତନ୍ତ୍ର ଓ ଅଜବ ଦୃଷ୍ଟିଭଙ୍ଗୀ ଥାଏ । ଏହି ବିକୃତ ଦୃଷ୍ଟିଭଙ୍ଗୀ ହେତୁ ଜହ୍ନଟା ଏମାନଙ୍କୁ ଟିଣ ପରି, ରାତିଟା ଅଫିମ ପରି ଓ ନାକଟା ଇଲେକ୍‌ଟ୍ରିକ୍ ବଲବ୍ ପରି ଦିଶେ । ଏସବୁ ଗଲା ବଡ଼ ଲକ୍ଷଣ । ଛୋଟ ଛୋଟ ଲକ୍ଷଣ ହେଉଛି—ରାବୀନ୍ଦ୍ରୀ, ପଞ୍ଜାବୀ, ସିଗାରେଟ, ଝାମ୍ପରା ବାଳ, କୋଟରଗତ ଚକ୍ଷୁ, କଲେଜ ଛାତ୍ରୀଙ୍କ ଅନୁଧାବନ ଓ ତାଙ୍କ ଉଦ୍ଦେଶ୍ୟରେ କବିତା ରଚନା ଇତ୍ୟାଦି ।”

 

ଲକ୍ଷଣ ତାଲିକା ତିଆରି କାମ ସରିଗଲା । ସମସ୍ତଙ୍କ ମୁଖରେ ତୃପ୍ତିର ଚିହ୍ନ ।

 

ପାକୁଆ ଜଣକ କହିଲା—“ଏଥରକ ଆଗାମୀ କବିଙ୍କୁ ସୁବିଧାରେ ବାଛି ହେବ ।”

☆☆☆

 

ମୃତ୍ୟୁ ପ୍ରବନ୍ଧର ଚାବିକାଠି

 

ଜବରଦସ୍ତ ଲେଖକ ଶ୍ରୀ ବନୁ ମିଶ୍ରଙ୍କ କରାମତି ବିଷୟରେ ଗୋବର୍ଦ୍ଧନ ସେଦିନ ଅବାକ୍ ନ ହୋଇ ରହି ପାରିଲା ନାହିଁ । ସଇଦିନ କବି ଲିଙ୍ଗା ଦାସଙ୍କର ଦିନ ଦୁଇଟାରେ ମୃତ୍ୟୁ ହୋଇଛି । କି ଆଶ୍ଚର୍ଯ୍ୟ, ସନ୍ଧ୍ୟା ପାଞ୍ଚଟାବେଳକୁ ଖବରକାଗଜରେ ପୂରା ଚାରି ସ୍ତମ୍ଭବ୍ୟାପୀ ଏକ ପ୍ରବନ୍ଧ ତାଙ୍କ ବିଷୟରେ ବାହାରି ପଡ଼ିଲା । ଲେଖକ ହେଉଛନ୍ତି ଶ୍ରୀ ବନୁ ମିଶ୍ର । ଗୋବରାର ଆଖି ଖୋଷି ହୋଇଗଲା । କେହି କବି ବା ଲେଖକ ମଲେ ତା ବିଷୟରେ ଖବରକାଗଜରେ ବାହାରିଥିବା ପ୍ରବନ୍ଧ ତଳେ ବନୁ ମିଶ୍ରଙ୍କ ନାମ ସେ ପ୍ରାୟ ବରାବର ପଢ଼ିଥାଏ । କିନ୍ତୁ ସେ ସବୁଥିରେ ଲେଖିବାପାଇଁ ଅଳ୍ପ ବହୁତ ସମୟ ପାଇଥିବାର ସୂଚନା ଥାଏ । ଖୁବ୍ ତୋଖଡ଼ମାର୍ ଲେଖକ ହେଲେ ଗୋଟିଏ ଦିନରେ ଜଣେ କବିର ମୃତ୍ୟୁ -ପ୍ରବନ୍ଧ ଲେଖିଦେଇ ପାରିବ ବୋଲି ଗୋବରାର ଏକ କୁନ୍ଥା ଧାରଣା ଥିଲା; କିନ୍ତୁ ଲିଙ୍ଗା କବି ବେଳକୁ ଗୋବରା ଏକଦମ୍ ଭକୁଆ । ସମୟ ବିଲକୁଲ୍ ଝାଡ଼ଝୁଡ଼—ଦୁଇଟାରେ ମଲେ ତ ପାଞ୍ଚଟାରେ ମୃତ୍ୟୁ-ପ୍ରବନ୍ଧ ଖବରକାଗଜରେ । ଚାରି ସ୍ତମ୍ଭବ୍ୟାପୀ ଏହି ବିରାଟ ପ୍ରବନ୍ଧଟିକୁ ଲେଖିବାକୁ ତ କେବଳ ଚାରିଘଣ୍ଟାରୁ ବେଶୀ ସମୟ ଲାଗିଯିବ । ସେଥିରେ ପୁଣି ଅକ୍ଷର ଖଞ୍ଜା, ସଂଶୋଧନ, ସଜେଇ ଓ ଛପେଇ ରହିଛି । ଖୁବ୍ ବଢ଼ିଆ ଖଞ୍ଜାଳି ହେଲେବି ଚାରି ସ୍ତମ୍ଭ ଅକ୍ଷର ଖଞ୍ଜିବାକୁ ଦିନେ ବା ଆଠଘଣ୍ଟାରୁ କମ୍ ସମୟ ଲାଗିବନି । ଗୋବରା ପୁଣି ଭାବିଲା, ହୋଇ ପାରିବନି ତ ହେଲା କେମିତି ? ହୁଏତ ତା କଳ୍ପନାଟା ବହୁତ ପଛରେ ପଡ଼ିଯାଇଛି । ଆଜିକାଲିର ଏ ଭୀଷଣ ପ୍ରତିଯୋଗିତା କ୍ଷେତ୍ରରେ ତହୁଁ ବଡ଼ା, ତହୁଁ ବଡ଼ା ରଥୀମାନେ ବାହାରି ପଡ଼ୁଛନ୍ତି । ଲିଙ୍ଗା କବି ବେଳକୁ କିଛି ଥଳକୂଳ ନ ପାଇ ଗୋବରା ଶେଷରେ ମନେ ମନେ ସ୍ଥିର କଲା—ଲେଖକ ବନୁ ଗୋଟାଏ ଦେବତା, ଖବର କାଗଜ ସଂପାଦକ ଗୋଟାଏ ଦେବତା, ଅକ୍ଷର ଖଞ୍ଜାଳି, ସଂଶୋଧକ ଓ ସ୍ତମ୍ଭସଜାଳି ସମସ୍ତେ ଗୋଟିଏ ଗୋଟିଏ ଦେବତା । ଦେବତା ଛଡ଼ା ଅନ୍ୟ କାହାରି ଏପରି କରାମତି ହୋଇ ପାରିବ ନାହିଁ । ମଣିଷ କେବଳ ସେ ନିଜେ, ଯାହାର କଳ୍ପନା ବି ବହୁତ ପଛରେ ପଡ଼ିଯାଉଛି-

 

ସେ ନିଜେ ବି ଜଣେ ମୃତ୍ୟୁ ପ୍ରବନ୍ଧର ଲେଖକ । ଅକ୍ଳାନ୍ତ ଚେଷ୍ଟା ବହୁବାର କରି ସେ ବହୁ ପ୍ରବନ୍ଧ ଲେଖିଛି; କିନ୍ତୁ କୌଣସି ଗୋଟିଏ ଖବର କାଗଜରେ ସ୍ଥାନ ପାଇନି । ତାର ସ୍ଥାନକୁ ସର୍ବଦା ବନୁ ମିଶ୍ରର ପ୍ରବନ୍ଧ ଆଗରୁ ଦଖଲ କରି ସାରିଥାଏ । କର୍ଣ୍ଣର ଅର୍ଜ୍ଜୁନ ପରି ବନୁ ମିଶ୍ର ତାର ନଛୋଡ଼ବନ୍ଧା ପ୍ରତିଦ୍ୱନ୍ଦୀ । ଏଯାକେ ଗୋବରା ବନୁକୁ ମନେ ମନେ ହିଂସା କରି ଆସିଥିଲା; କିନ୍ତୁ ଲିଙ୍ଗା କବି ବେଳକୁ ସେ ଏକାବେଳେକେ ଅଣ୍ଠେଇ ପଡ଼ିଲା । ବନୁର କଳ୍ପନାତୀତ ପ୍ରତିଭା ଆଗରେ ତାର ମୁଣ୍ଡ ଛାଏଁ ଛାଏଁ ନଇଁ ପଡ଼ିଲା । କୃଷ୍ଣଙ୍କ ଆଗରେ ଅର୍ଜ୍ଜୁନ ସ୍ତୁତି କଲାପରି ସେ ମନେ ମନେ କହିବାକୁ ଲାଗିଲା, ହେ ମହାତ୍ମା ତୋଠାରେ ଶରଣ ପଶିଲି ମୋତେ କରୁଣା ଦିଅ । ଆଜିଠାରୁ ତୁମ୍ଭର ଛାତ୍ର ହେଲି ତୁମ୍ଭ ଶକ୍ତିରୁ କିଞ୍ଚିନ୍ମାତ୍ର ମୋତେ ଦିଅ ।

 

ମନର ବଳବତୀ ଇଚ୍ଛା କ୍ରମେ କ୍ରିୟାରେ ପରିଣତ ହେବାକୁ ଲାଗିଲା । ଗୋବରା ଧୀରେ ଧୀରେ ବନୁ ସଙ୍ଗେ ମେଣ୍ଢାବାଳ ଜଡ଼ାତେଲ ହୋଇଗଲା । ଚା, ଜଳଖିଆ, ସିଗାରେଟରେ ବନକୁ ସେ ଭସେଇ ଦେଲା । ଥିଏଟର୍, ସିନେମା ଦେଖାଇ ତା ମନ ବସେଇ ଦେଲା, ସୀମାତୋଡ଼୍‌ ପ୍ରଶଂସାର ହୃଦକୁ ଲସେଇ ଦେଲା ।

 

ଗୋବରାର ଏ ସବୁ କାମକୁ ବନୁ ଯେ ପର୍ଯ୍ୟନ୍ତ ପ୍ରତିଭା ପୂଜା ବୋଲି ଭାବିଥିଲା, ସେ ପର୍ଯ୍ୟନ୍ତ ସେ ଗୋବରାର ପୂରା ବନ୍ଧୁ ପାଲଟି ଯାଇଥିଲା । ଯେଉଁଦିନ ନିହାତି ନେହୁରା ହୋଇ ମୃତ୍ୟୁ-ପ୍ରବନ୍ଧ ଲେଖାର ଚାବିକାଠିଟା ମାଗିଲା, ସେଦିନ ବନୁ ଚମକି ପଡ଼ିଲା । ରଞ୍ଜନରଶ୍ମି ପରଦାରେ ଭିତରର ହାଡ଼ ପଦାକୁ ଦେଖାଗଲା ପରି ଗୋବରାର ମନ କଥାଟା ତାକୁ ପରିଷ୍କାର ଦେଖାଗଲା । ମନ ଭିତରେ ମୁର୍କିହସା ଦେଇ କହିଲା—“ହାଁ, ବାବୁଧନ ! ଏଇଥିଲାଗି ଏତେ ପଟାପଟି ଏତେ ଛୁଟାଛୁଟି ମନେ ମନେ ମୁଆଁ ଖାଉଥା । ସାତଜନ୍ମ ଗଲେ ବି ବନୁଠାରୁ ଚାବି ନ ପାଉ ।”

 

ସେହିଦିନଠାରୁ କଥାବାର୍ତ୍ତାରେ ବନୁ ଖୁବ୍ ସତର୍କ ରହିଲା । ନାନା ଉପାୟରେ ବାଗେଇ ବୁଗେଇ ଗୋବରା ତାକୁ ସାହିତ୍ୟ ଚର୍ଚ୍ଚା ଆଡ଼କୁ ଟାଣି ଆଣେ; କିନ୍ତୁ ମୃତ୍ୟୁ ପ୍ରବନ୍ଧର ପାଖାପାଖି ହୋଇଗଲେ ବନୁ ଉଡ଼ନ୍‌ ଛୁ ଦେଇ କଥାଟା ବାଆଁରେଇ ଦିଏ । ବାରମ୍ବାର ଏପରି ହତାଶ ହେବାରୁ ଗୋବରା ଦିନେ ସାଫ୍ ସାଫ୍ ପଚାରିଲା—“ନ କହିବତ ନାହିଁ କରିଦେବ, ଏତେ ଭଣ୍ଡାଭଣ୍ଡି କାହିଁକି-? ପରିଷ୍କାର କହିଦିଅ, ମୁଁ ପଛେ ତୁମ ପାଖକୁ ଆଉ ନ ଆସିବି ।” ସାମାନ୍ୟ ପଦେ କଥାରେ ଏତେ ମଉଜ ଠୋ ପଟାସ୍ ପାଣିରେ ପଡ଼ିଯିବ ଭାବି ବନୁ ଟିକିଏ ନରମଗଳାରେ ଓ ହସି ହସି କହିଲା–“କଅଣଗୁଡ଼ାଏ କହୁଛୁ ମ, ଏଗୁଡ଼ାକ ଖାଲି ଅଭ୍ୟାସର କଥା । ଅଭ୍ୟାସ କଲେ ପୃଥିବୀର କୌଣସି ଜିନିଷଟା ଅସାଧ୍ୟ ହେବ ନାହିଁ । ବହୁଦିନ ଧରି ଅଭ୍ୟାସ କରି ଲେଖିଲେ ତୁମେ ମଧ୍ୟ ଏହିପରି ଚଟାପଟ୍‍ ଲେଖିପାରିବ ।’’

 

ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇ ଗୋବରା ପଚାରିଲା—“ଆଚ୍ଛା, ଲିଙ୍ଗା କବିର ଯେଉଁ ମୃତ୍ୟୁ-ପ୍ରବନ୍ଧଟା ଲେଖିଲ, ତାହା କଅଣ ଅଭ୍ୟାସ ଫଳରେ ହେଲା ?”

 

“ହଁ, କେବଳ ଅଭ୍ୟାସ ଛଡ଼ା ଆଉ କିଛି ନୁହେଁ—”

 

“ଲିଙ୍ଗା କବିର ମୃତ୍ୟୁଠାରୁ ଛପାଇ ସମୟ ମାତ୍ର ତିନିଘଣ୍ଟା । ଏହାରି ଭିତରେ ଲେଖେଇ, ଅକ୍ଷର ଖଞ୍ଜେଇ, ସଜେଇ, ଛପେଇ ହେଲା କେମିତି ? ଯେଡ଼େ ଚଞ୍ଚଳ ଲେଖିଲେ ବି ୩୪ ଘଣ୍ଟାରୁ ତ ଊଣା ଲାଗିବନି !”

 

“ବିଶ୍ୱାସ କଲେ କର ନ କଲେ ନାହିଁ, ମୁଁ ମାତ୍ର ଅଧଘଣ୍ଟାଏ କି ଘଣ୍ଟାଏ ଭିତରେ ଲେଖି ଦେଇଥିଲି ।”

 

ଗୋବରା ଦେଖିଲା ଆଉ ବେଶି ନେଭେଡ଼େଇ ହୋଇ ଲାଭ ନାହିଁ । ତେଣୁ ସେ ଅନ୍ୟ ରାସ୍ତା ଖୋଜି ବସିଲା ଓ ସୁଯୋଗକୁ ଟାକି ରହିଲା । ଦୈବଯୋଗ ଏମିତି ଯେ, ଦିନେ ଦି’ ପହରେ କବି ଚଣ୍ଡୀ ଦାସଙ୍କର କାଳ ହୋଇଗଲା । ଆଗ ଖବରଟା ପହଞ୍ଚିଲା ଗୋବରା ପାଖରେ । ସେ ସଙ୍ଗେ ସଙ୍ଗେ ଧାଇଁଲା ବନୁ ଘରକୁ । ମନେ ମନେ ସେ ଖୁବ୍ ଆନନ୍ଦିତ ହେଉଥାଏ । ଏତେ ଦିନେ ସୁଯୋଗ ମିଳିଛି, ଅଡ଼ୁଆ ସୂତାର ମୁହଁଟା ଆଜି ନିଶ୍ଚେ ମିଳିଯିବ । ବନୁ ଘରେ ପହଞ୍ଚି ଦେଖେ ତ ସେ ବସି ଖୁରରେ ନିଶ ଦାଢ଼ି ଚାଞ୍ଚୁଛି । ନିଶ ଦାଢ଼ି ଫାଳେ ସରିଛି କି ନାହିଁ, ଗୋବରା କହିଦେଲା–“ଶୁଣିନାହିଁ, ଚଣ୍ଡୀ ଦାସେ ଆଜି ମରିଗଲେ ।” ବନୁ ଚମକି ପଡ଼ିଲା ଅର୍ଦ୍ଧନାରୀଶ୍ୱର ବେଶ କଥା ଭୁଲିଯାଇ ଖୁରଟା ବନ୍ଦ କରି ଥୋଇଦେଲା ଓ ପଚାରିଲା—“କେତେବେଳେ ?”

 

—“ଏଇ ଅଧଘଣ୍ଟା ହେଲା, ମୁଁ ତ ଶୁଣିବା ମାତ୍ରେ ଏଠାକୁ ଦଉଡ଼ି ଆସିଲି, ଏବେ ଲେଖା ଆରମ୍ଭ କର, ଆଉ ଡେରି କାହିକିଁ ?”

 

ବନୁ ସେତେବେଳକୁ ଏକାବେଳେକେ ବିଚଳିତ ହୋଇ ପଡ଼ିଲାଣି । ସମୟ ଖୁବ୍ କମ୍ । ତାର ଭିତରେ ମୃତ୍ୟୁ ପ୍ରବନ୍ଧଟି ଖବରକାଗଜକୁ ପଠାଇବାକୁ ହେବ । କିନ୍ତୁ ଗୋବରା ଆଗରେ ତ ସେ ହାଣ୍ଡି ମେଲାକରି ପାରିବନାହିଁ । ଏଣେ ଗୋବରା ନଛୋଡ଼ବନ୍ଧା । ଠିକ୍ ଲିଙ୍ଗାକବି ମଲାଦିନ ପରି ଆଉ ଗୋଟିଏ ଦିନ ଆସିଛି । ଆଜି ବନୁର ପ୍ରତିଭାକୁ ନିଜ ଆଖିରେ ଦେଖିବାର ସୁଯୋଗ ପାଇବ । ନାନା ଉପାୟରେ ବନୁ ଗୋବରାର ଉପସ୍ଥିତିକୁ ଅବାଞ୍ଛନୀୟ ବୋଲି ଇସାରା ଦେଲେ ସୁଦ୍ଧା ସେ ଅଟଳ । ବାଧ୍ୟ ହୋଇ ବନୁ ମୁହଁ ଖୋଲିଲା—“ହଉ, ତୁମେ ତେବେ ଯାଅ”

 

“ମୁଁ ତୁମର କି ଅସୁବିଧା କରୁଛି କି ?”

 

“ମୁଁ ଏକୁଟିଆ ଟିକିଏ ନିରୋଳାରେ ଲେଖିବି ।”

 

ମୁଁ ତୁନି ହୋଇ ବସୁଛି, ତୁମେ ଲେଖ ।”

 

ବିଚିକିଟିଆ ମୁହଁକରି ବନୁ ଆଲମାରୀରୁ ୨।୩ଟା ମୋଟା ବସ୍ତାନି କାଢ଼ିଆଣିଲା । ବସ୍ତାନି ଖୋଲି ତରତରରେ କାଗଜଗୁଡ଼ାକ ଲେଉଟାଇ ଗଲା । ଗୋବରା ଟିକିଏ ଉଁକି ମାରିଲାରୁ ବସ୍ତାନିଟା ବନ୍ଦ କରିଦେଇ ବନୁ କହିଲା—“ ସେଗୁଡ଼ାକ ଘରୋଇ ଜିନିଷ, ତୁମର ଦେଖିବା ଉଚିତ୍ ନୁହେଁ ।” ଗୋବରା ଟିକିଏ ଅପ୍ରତିଭ ହୋଇ ବସିଗଲା ସତ; କିନ୍ତୁ ମନଟା ଖାଲି ଗୋଳେଇ ଘାଣ୍ଟି ହେଲା । ସେ ଭାବିଲା—ଲେଖାଲେଖିର ମସଲା ନିଶ୍ଚେ ଏହି ବସ୍ତାନି ଭିତରେ ଅଛି । ଏହିଥିରୁ ଦେଖି ବୋଧହୁଏ ବନୁ ଲେଖି ପକାଏ ।

 

ଠିକ୍ ଏହି ସମୟରେ ଘର ଭିତରେ ଗୋଟିଏ କାଚ ଗିଲାସ ପଡ଼ି ଚୁନା ହୋଇଯିବାର ଶବ୍ଦ ଶୁଣାଗଲା ।  ‘ଶଳା ବିରାଡ଼ି’ ବୋଲି କହି ବନୁ ବସ୍ତାନିକୁ ଛାଡ଼ି ଘର ଭିତରକୁ ପଶିଗଲା । ଏହାରି ଭିତରେ ଗୋବରା ବସ୍ତାନିରୁ ପୁଳେ କାଗଜ ଟାଣିନେଇ କାମିଜ ତଳେ ଅଣ୍ଟାରେ ଗୁଞ୍ଜିଦେଲା । କାଚ ଟୁକୁରାତକ ଫୋପାଡ଼ିଦେଇ ବନୁ ଶୀଘ୍ର ଫେରିଆସିଲା । ଗୋବରା ତା ମୁହଁରୁ ପରିଷ୍କାର ଜାଣି ପାରୁଥାଏ ଯେ, ତାକୁ ସେଠାରୁ ତଡ଼ିବାକୁ ସେ ଅଦମ୍ୟ ଚେଷ୍ଟା ଚଳାଇଛି । ଶେଷରେ ବନୁ ବସ୍ତାନିତକ ଥୋଇଦେଇ କହିଲା—“ଚାଲ ଯିବା, ମୁଁ ଏହିକ୍ଷଣି ଲେଖିବି ନାହିଁ, ପଦାରେ ଟିକିଏ କାମ ଅଛି ମୁଁ ଯିବି ।’’ ଗୋବରା ଶେଷରେ ପଦାକୁ ଆସିଲା । କବାଟଟା ଲଗେଇଦେଇ ବନୁ ତରତରରେ ୧୫।୨୦ ଗଜ ଚାଲି ଯାଇଛି କି ନାହିଁ, ଦି’ ଚାରିଜଣ ଲୋକ ତା ମୁହଁକୁ ଚାହିଁ ଖେଁ ଖେଁ ହୋଇ ହସି ଉଠିଲେ । ଗୋବରା ମନେ ମନେ ଭାବିଲା—ଓଃ କି ବିବ୍ରତ ନ ହୋଇପଡ଼ିଛି ! ହତଭାଗା ବାକି ଅଧକ ଖିଅର ହେବାକୁ ବି ଭୁଲି ଯାଇଛି । ଲାଜରେ ଶରବିନ୍ଧା ହୋଇଯାଇ ବନୁ ପୁଣି ଘରକୁ ଲେଉଟି ଆସିଲା । ଗୋବରା କିନ୍ତୁ ଆଉ ତାକୁ ବିବ୍ରତ ନ କରି ନିଜ ଘରକୁ ତନାଘନାରେ ଚାଲିଗଲା ।

 

ପେଟତଳୁ କାଗଜତକ କାଢ଼ି ଦେଖିବାମାତ୍ରେ ଗୋବରା ଏକାବେଳେକେ ଜଡ଼ ପାଲଟିଗଲା । କାଗଜଗୁଡ଼ାକ ଗୋଟିଏ ଗୋଟିଏ ମୃତ୍ୟୁ-ପ୍ରବନ୍ଧ । କାହାଉପରେ ଲେଖା ହୋଇଛି–ନା, ନୀଳକଣ୍ଠ ମହାନ୍ତି, ଆର୍ତ୍ତବଲ୍ଲଭ ଦାଶ, ଗୋଦାବରୀଶ କର, କାଳିନ୍ଦୀ ପଟ୍ଟନାୟକ, ମାୟାଧର ଦାଶ, ରାଧାମୋହନ ପାଣି । ଏମାନେ ସୁସ୍ଥ ସବଳ ଦେହରେ ବଞ୍ଚିଥିଲେ ବି ଏମାନଙ୍କ ମୃତ୍ୟୁ ଉପରେ ପ୍ରବନ୍ଧ । ପ୍ରତି ପ୍ରବନ୍ଧରେ ଦି’ ଚାରିଜାଗା ଫାଙ୍କା ରହିଛି । ବୋଧହୁଏ ପୂରଣ କରି ଖବର କାଗଜକୁ ପଠାଇବା ଲାଗି । ଏତେବେଳେକେ ଯାଇ ଗୋବରା ମୃତ୍ୟୁ ପ୍ରବନ୍ଧର ଚାବିକାଠିଟା ପାଇଗଲା । ବର୍ତ୍ତମାନ ସେ ଜାଣିପାରିଲା ଯେ ଜୀଇ ଥାଉ ଥାଉ ପ୍ରେତକ୍ରିୟା କରାଇ ଦେବା ରୋଗଟା ଯାଇ ସାହିତ୍ୟରେ ପଶିଲାଣି । ଅପର୍ଛନିଆ, ଟିକିଏ ନାଁ ପାଇଁ ଜୀଅନ୍ତା ଗଣମାନ୍ୟ ଲେଖକମାନଙ୍କର ମରଣକୁ ଟାକି ବସିଛି ! ଅଲକ୍ଷଣଟା ଚିତ୍ରଗୁପ୍ତର ବଡ଼ବୋପା ।

 

ଗୋଦାବରୀ ମହାନ୍ତିଙ୍କ ମୃତ୍ୟୁ-ପ୍ରବନ୍ଧଟା ତାକୁ ଅଧିକ ଆଶ୍ଚର୍ଯ୍ୟାନ୍ୱିତ କଲା । ସେଇଟା ହାତଲେଖା ନୁହେଁ, ସେ ଏକଦମ୍ ଛପେଇ ଅକ୍ଷର । ଛପା ହେଲାବେଳର ସଂଶୋଧନ ପତ୍ର ବା ପ୍ରୁଫ୍ କପି ପରି ହୋଇଛି । ଭାବି ଭାବି ଗୋବରା ଗୋଟାଏ କିନାରା ପାଇଗଲା । ଏ ପ୍ରବନ୍ଧଟି ବୋଧହୁଏ ଅକ୍ଷର ଖଞ୍ଜା ହୋଇ ପ୍ରେସରେ ସାଇତା ହୋଇଛି । ଦରକାର ପଡ଼ିଲେ ୧୫ ମିନିଟରେ ଛପାଯାଇ ପାରିବ । ଲେଖକମାନଙ୍କ ମଧ୍ୟରେ ସବୁଠାରୁ ବୁଢ଼ା, ମରିବା ପାଳି ଯାହାଙ୍କର ସବାଆଗ, ତାଙ୍କରି ମୃତ୍ୟୁ-ପ୍ରବନ୍ଧ ଧନମଣି ବୋଧହୁଏ ଆଗତୁରା ଲେଖି, ଅକ୍ଷର ଖଞ୍ଜେଇ ପ୍ରେସରେ ସାଇତି ରଖି ଦେଇଛି । କୁତ୍ସିତ ଲୋକଟା କଅଣ ନ କରିଛି ! ଗଣ୍ୟମାନ୍ୟ ଲେଖକ ଏମାନେ । ଦେଶବାସୀ ଚାହୁଁଛନ୍ତି କେମିତି ଏମାନେ ଚିରାୟୁ ହୋଇ ବସନ୍ତୁ, ଆଉ ଏ ସତ୍ୟାନାଶିଆଟା କ’ଣ ଚାହୁଁଛି ନା—କେମିତି ମରନ୍ତୁ । ତାର ଲାଭ ଭିତରେ ଏତିକି, ତା ପ୍ରବନ୍ଧଟା କେମିତି ସବା ଆଗେ ବାହାରି ପଡ଼ିବ-। ଦେଶ ପଛେ ଭାସିଯାଉ ! ଅଲକ୍ଷଣା ସେ ସମ୍ପାଦକ ଭିତରେ ସଲାସୁତର ନ ହେଲେ ବି ଏ କାମ ନ ହୁଏ । କେଡ଼େ କଦର୍ଯ୍ୟ ସମ୍ପାଦକଟା, ଖଣ୍ଡେ ଦି’ଖଣ୍ଡ କାଗଜ ବେଶି ବିକ୍ରୀ ହୋଇଯିବ ବୋଲି ଏଡ଼େବଡ଼ ଗୁଣି ଲୋକଟାର ମଲା ଆଗରୁ ଶ୍ରାଦ୍ଧ ବ୍ୟବସ୍ଥା କରି ଦେଉଛି !

 

ସେହିଦିନ ସନ୍ଧ୍ୟାରେ ଲିଙ୍ଗା ଦାସଙ୍କ ପରି ଚଣ୍ଡୀ ଦାସଙ୍କ ମୃତ୍ୟୁ ପ୍ରବନ୍ଧଟା ଖବର କାଗଜର ସାଢ଼େତିନିଟି ସ୍ତମ୍ଭ ମଣ୍ଡନ କଲା । ବନୁ ପ୍ରତିଭାର ଚାବିକାଠିଟା ପାଇଯାଇ ଗୋବରା ବେଶ୍ ଆତ୍ମପ୍ରସାଦ ଅନୁଭବ କଲା ଓ ସେହି ଚାବି ସାହାଯ୍ୟରେ କେମିତି ସେ ଲେଖକ ଓ ସମ୍ପାଦକଙ୍କୁ ହଲାପଟ କରିବ ତାର ଉପାୟ ଖୋଜିବାରେ ଲାଗିପଡ଼ିଲା । ପାପୁଲିରେ ବିଧାଟାଏ ମାରି କହିଲା—“ନାଃ, ଏ ଛତରା ଦି’ଟାଙ୍କୁ ପାଠ ନ ପଢ଼େଇଲେ ଚଳିବ ନାହିଁ ।”

 

ଦିନେ ଚାରିଟାବେଳେ ଗୋବରା କିଛି କାମରେ ଡାକ୍ତରଖାନା ଯାଇଥିଲା । ପୁଲିସଗୁଡ଼ାକ ସେଠାରେ ମନ ଦୁଖରେ ସାଲୁ ସାଲୁ ହେଉଥିବାର ଦେଖି, କାରଣ ଅନୁସନ୍ଧାନ କରନ୍ତେ ଜାଣିପାରିଲା ଯେ, ଗୋଦାବରୀ ମହାନ୍ତି ନାମକ ଜଣେ ଦାରୋଗାଙ୍କର ମୃତ୍ୟୁ ହୋଇ ଯାଇଛି । ସଙ୍ଗୀ, ସହକର୍ମୀମାନେ ଶବ ନେବାର ବ୍ୟବସ୍ଥାରେ ଲାଗିପଡ଼ି ଅଛନ୍ତି । ହଠାତ୍ ଗୋବରା ମୁଣ୍ଡରେ ଗୋଟାଏ ବୁଦ୍ଧି ଖେଳିଗଲା । ନିଜର ପୂର୍ବ ଅଭିଳାଷ ଚରିତାର୍ଥ କରିବାର ଏହା ଗୋଟିଏ ବଡ଼ ସୁଯୋଗ ବୋଲି ଭାବି ସେ ଘରକୁ ତରତର ହୋଇ ଫେରି ଆସିଲା ।

 

ସାହିତ୍ୟିକ ଗୋଦାବରୀ ମହାନ୍ତିଙ୍କ ମୃତ୍ୟୁ-ପ୍ରବନ୍ଧର ଫାରମରେ ଦୁଇ ତିନୋଟି ଶୂନ୍ୟସ୍ଥାନ ପୂରଣ କରିଦେଇ ଖବର କାଗଜ ସମ୍ପାଦକଙ୍କ ପାଖକୁ ଜଣେ ବିଶ୍ୱାସୀ ଲୋକ ହାତରେ ପଠେଇଦେଲା । ଚିଠି ପାଇବା ମାତ୍ରେ ସମ୍ପାଦକ ଫୋନ୍‍ ଉଠାଇ ମେଡ଼ିକାଲକୁ ପଚାରିଲା । ସାଡ଼ୁ ବି ଉତ୍ତର ଆସିଲା—ହଁ, ଗୋଦାବରୀ ମହାନ୍ତିଙ୍କର ଆଜି ସାଢ଼େ ତିନିଟାରେ କାଳ ହୋଇଗଲା । ସମ୍ପାଦକଙ୍କ ମୁହଁରେ ବିଜୟ ଗୌରବର ଚିହ୍ନ । ସେତେବେଳକୁ ଛପାଳି ଛପା ଆରମ୍ଭ କରି ସାରିଲାଣି । ସମ୍ପାଦକ ଦଉଡ଼ି ଯାଇ ମେସିନ୍ ବନ୍ଦ କରାଇଲେ । ସଜାଳି ଡକାହୋଇ ଆସିଲା । ଗୋଟିଏ ବାକ୍‍ସରୁ ଖୋଳା ହୋଇ ତିନିସ୍ତମ୍ଭରୁ କିଛି ବେଶି ଖଞ୍ଜା ଅକ୍ଷର କଢ଼ାଗଲା ଓ ଆଉ କିଛି ଅକ୍ଷର ତହିଁରେ ଭର୍ତ୍ତି କରାଗଲା । ସବା ଶେଷରେ ଛପା ହେଉଥିବା ଫର୍ମରୁ ସେତିକି ପରିମାଣ ବିଷୟ କାଢ଼ିଦେଇ ନୂଆ ବିଷୟ ଭର୍ତ୍ତି କରାଗଲା । ଛପାଳି ଛପେଇ ପୁଣି ଆରମ୍ଭ କରିଦେବା ବାଦ୍‍ ସମ୍ପାଦକ ଉତ୍‍ଫୁଲ୍ଲିତ ହୋଇ ନିଜ ସ୍ଥାନକୁ ଗଲେ ।

 

ରାତିରେ ଯାହି ତାହି । ସକାଳୁ କିନ୍ତୁ ଲାଗିଲା ଅସଲ ହୈଚୈ । କବି ଗୋଦାବରୀ ମହାନ୍ତି ସକାଳୁ ଉଠି ଦେଖନ୍ତି ତ ଖବର କାଗଜରେ ତାଙ୍କ ପିଣ୍ଡ ବଢ଼ା ହୋଇଛି । କ୍ରମେ ଲୋକ ସୁଅ ତାଙ୍କ ଘରକୁ ଛୁଟିଲା । ଊଣାଅଧିକେ ସମସ୍ତେ ମହାନ୍ତିଙ୍କୁ ସ୍ୱ—ଦେହରେ ଦେଖି ଅପ୍ରତିଭ ହୋଇ ପଳାଇ ଯାଉ ଥାଆନ୍ତି । କବି ଆଉ ସମ୍ଭାଳି ନ ପାରି ଖବର କାଗଜଟି ହାତରେ ଧରି ସମ୍ପାଦକଙ୍କ ଘରକୁ ଗଲେ ।

 

ହଠାତ୍ ଗୋଦାବରୀଙ୍କୁ ଆଗରେ ଦେଖି ସମ୍ପାଦକ ପ୍ରମାଦ ଗଣିଲେ । ଭାବିଲେ—ପ୍ରେତ ନା କଅଣ ମ ! ଗୋଡ଼ ତଳକୁ ଚାହିଁଲେ—ପ୍ରେତଙ୍କ ଗୋଡ଼ କୁଆଡ଼େ ତଳେ ନ ଥାଏ, କିନ୍ତୁ ତାଙ୍କ ଗୋଡ଼ ଦିଟା ଜବର ହୋଇ ଭୂଇଁରେ ଲାଗିଛି । ସମ୍ପାଦକ ଆଖି ମକଚି ପୁଣି ଚାହିଁଲେ । ଦେଖିଲେ ସବୁ ଠିକ୍, ତାଙ୍କ ପାଟି ଖନି ବାଜିଗଲା । ଅତି କରୁଣ ଭାବରେ କହିଲେ—କ୍ଷ—କ୍ଷ—କ୍ଷମା !

 

ଏଣେ ଗୋଦାବରୀଙ୍କର କେତେଜଣ ଭକ୍ତ ବନୁ ଉପରେ ରାଗିଯାଇ, ଚେଙ୍କେ ଦେବାର ଉପାୟ ଖୋଜିଲେ । ସମସ୍ତେ ଗୋଟାଏ କୋକେଇ ତିଆରି କରି ବନୁ ଘରକୁ ଧାଇଁଲେ । ବନୁକୁ ଡାକି କହିଲେ, “ଦେଖ, ଗୋଦାବରୀଙ୍କ ପାଇଁ ଏ କୋକେଇ ତିଆରି ହୋଇଥିଲା । ସେ ଜୀଇଁଥିବାରୁ ଏଥିରେ ଯିବାକୁ ରାଜି ହେଲେ ନାହିଁ । ତେଣୁ ଏଥିରେ ତୁମକୁ ଶୁଆଇ ନିଶ୍ଚେ ମଶାଣିକୁ ନେବୁ । ଯୋଉ ପିଣ୍ଡ ଖବର କାଗଜରେ ବାଢ଼ିଛ, ତାକୁ ଏବେ ନିଜେ ଖାଅ ।”

☆☆☆

 

କାଣ୍ଟଆସଭା

 

ଖାରା ଟିକିଏ ନଇଁ ଆସିବାରୁ ବିନୋଦ ଗୋଟିଏ କବିତା ଲେଖିବାକୁ ସଜବାଜ ହେଲା-। ବହୁତ ଭାବିଚିନ୍ତି ଗୋଟିଏ ଧାଡ଼ି ସାରିଛି କି ନାହିଁ ଏହି ସମୟରେ ତାର ସାହିତ୍ୟିକ ସଙ୍ଗୀ ଦୁହେଁ ଆସି ପହଞ୍ଚି ଗଲେ । ଜଣେ ବିନୋଦ ପିଠିରେ ହାତ ମାରି କହିଲା—“କି ଘଟୋତ୍କଚ ! ଆଜି କିଛି କବିତା ପ୍ରସବ କରିଛ ?”

 

“ପ୍ରସବ କରୁଥିଲି ଯେ, ତୁମ୍ଭେ ଆସିବାରୁ ଶୂଳ ବନ୍ଦ ହୋଇଗଲା ।”

 

“ବନ୍ଦ ହୋଇଛି, ଭଲ ହୋଇଛି । କାଗଜପତ୍ର ରଖିଦିଅ । ଆଜି ଗୋଟିଏ ବଢ଼ିଆ ସାହିତ୍ୟ ସଭା ଅଛି; ଚାଲ ଯିବା ।”

“କି ସାହିତ୍ୟ ସଭା, କିଏ ସଭାପତି ?”

 

“ଓଃ, ସଭା କଥା କହନା, ବଡ଼ ଝାମେଲା ସଭା । ସବୁଜ ଓ ଅତ୍ୟାଧୁନିକ କବିମାନଙ୍କର ସମାଲୋଚନା । ସଭାପତି ବି ତୋଖଡ଼ମାର୍, ନିଜେ ପଣ୍ଡିତ ଦାଶ । ଓଡ଼ିଆ ସାହିତ୍ୟିକମାନଙ୍କ ମଧ୍ୟରେ ଯାହାକୁ କହନ୍ତି ଷଣ୍ଢ ? ଅତ୍ୟାଧୁନିକ କବିମାନଙ୍କ ମଧ୍ୟରେ ତୁ ବି ତ ଜଣେ ? ତୋ ବିଷୟରେ ତାଙ୍କର ମତ ମଧ୍ୟ ଜଣାଯିବ । ଚାଲ୍ ।’’

 

ଉବ୍‌କି ଆସୁଥିବା ଉତ୍ସାହକୁ ଦବାଇ ରଖି ବିନୋଦ କହିଲା—‘‘ହଅ, ମୋତେ ଜାଣେ କିଏ ?”

 

ଅନ୍ୟ ସାଙ୍ଗଟି ଚଢ଼ିଗଲା ପରି କହିଲା—“କଅଣ ହେଲା ? ଆରେ ବିନୋଦକୁ ସିନା କିଏ ଜାଣେନି, କିନ୍ତୁ କବି ଘଟୋତ୍କଚକୁ ନ ଜାଣେ କିଏ ? ଘଟୋତ୍କଚର ସ୍ଥାନ ଓଡ଼ିଆ ସାହିତ୍ୟରେ ଅଲବତ୍‌ ରହିଛି । ଚାଲ୍ ଦେଖିବୁ ମଜା ।”

 

ଆର ସଙ୍ଗୀଟି କହିଲା—”ଆରେ, ମଜା କାହିଁରେ କଅଣ ନା ? ଦି’ଦଳଯାକ ଥାଟ ସଜେଇ ଯାଇଛନ୍ତି । ଚଢ଼ାକୁ ଉତାର ହେବ । ଗୋଟାଏ ବଡ଼ ଧରଣର ରଦ୍‌ଖଦ୍ ଲାଗିଯିବ ।”

 

ଟିକିଏ ଗମ୍ଭୀର ହୋଇଯାଇ ବିନୋଦ କହିଲା—“ଆମେ କୋଉ ଥାଟ ଫାଟରେ ପଶିବା ନାହିଁ ।”

 

ସଙ୍ଗୀ ଦୁହେଁ ରାତି ହୋଇଗଲେ । ବିନୋଦ ଘଣ୍ଟା ଦେଖିଲା—ସାଢ଼େ ପାଞ୍ଚ ! ଛଅଟାରେ ସଭା ବସିବ । ଅଧଘଣ୍ଟାଏ ବାକି ! ଏତେ ଆଗରୁ ଯିବାରେ ଦରକାର କଅଣ ? ଆଜି ପଣ୍ଡିତ ଦାଶଙ୍କ ପରି ସାହିତ୍ୟିକଙ୍କ ମୁହଁରୁ ତା ବିଷୟରେ ପଦେ ବି ବାହାରିବା କିଛି କମ୍ କଥା ନୁହେଁ । ବଡ଼ ଶୁଭ ଦିନଟା ନିଶ୍ଚୟ । ଗୋଟାଏ ଆନନ୍ଦର ଉଷ୍ମତା ବିନୋଦର ଦେହ ଯାକ ଘୋଟିଗଲା । ସଙ୍ଗେ ସଙ୍ଗେ ଚା, ଜଳଖିଆର ବନ୍ଦୋବସ୍ତ କରାଗଲା । ବ୍ୟବସ୍ଥା ସଭା ପୂର୍ବରୁ ଦଳ ସଭା ବସିବାପରି ବିନୋଦ ଘରେ ମଧ୍ୟ ଗୋଟିଏ ଟିକି ସାହିତ୍ୟ ସଭା ଚା, ଜଳଖିଆ ଭିତରେ ବସିଗଲା । ସବୁ କାମ ସରିଲାବେଳକୁ ସନ୍ଧ୍ୟା ସାତ । ସମସ୍ତେ ତରବର ହୋଇ ସଭାସ୍ଥଳିକୁ ଧାଇଁଲେ ।

 

ସଭାସ୍ଥଳୀର ହାଲତ ଦେଖି ତିନିହେଁ କାବା । ପୁଲିସ କନେଷ୍ଟବଳ ପାଞ୍ଚ ଛଅ ଜଣ ଓ ଦାରୋଗା ଜଣେ ସେଠି ପଇଁତରା ମାରୁଥାଆନ୍ତି । ସଭାର ଲୋକେ ଠିକ୍ ସୈନ୍ୟମାନେ ଗୋଟିଏ ସ୍ଥାନ ଆକ୍ରମଣ କରିବା ପୂର୍ବରୁ ଶୂନ୍ ଘଣ୍ଟା ବା ଜିରୋ ଆୱାରକୁ ଅପେକ୍ଷା କରି ପ୍ରସ୍ତୁତ ଥିଲା ପରି ଉତ୍କଣ୍ଠିତ ହୋଇ ବସିଥିବାର ଦେଖାଗଲା । କଥା କଅଣ ? ବୁଝ୍ ବୁଝ୍ କୁଆଡ଼େ ଦି’ ଦଳଙ୍କ ମଧ୍ୟରେ ଗାଳିଫଜିତ୍‌ରୁ ଠୋଙ୍ଗା ବାଡ଼ି ଯାଏ କଥା ଯିବାରୁ, ପୁଲିସ୍ ପାଞ୍ଚ ଛଅ ଜଣଙ୍କୁ ଗିରଫ କରି ନେଇ ଗଲାଣି; ତଥାପି ଉତ୍ତେଜନା କମି ନାହିଁ । ପୁଲିସ୍ ଜଗି ରହିଛି, ସଭାକୁ ବି ଚଞ୍ଚଳ ସାରିଦେବା ଲାଗି ପଣ୍ଡିତ ଦାଶେ ଆଉ କାହାକୁ କହିବାକୁ ନ ଦେଇ ସଭାପତି ଅଭିଭାଷଣ ଆରମ୍ଭ କରି ଦେଲେଣି । ଚୁମ୍ବକ୍ ଚୁମ୍ବକରେ ପ୍ରାୟ ସବୁ ଅତ୍ୟାଧୁନିକ କବିଙ୍କ ବିଷୟରେ ପଦେଅଧେ କହିଲେଣି । ଘଟୋତ୍କଚଙ୍କ ନାଁ ପଡ଼ୁନାହିଁ । କାଳେ ସଭା ଭାଙ୍ଗିଯିବ, ଏହି ଭୟରେ ବିନୋଦର ପଇସାରେ ୮ଟା ସିଙ୍ଗଡ଼ା, ୨ଟା କ୍ଷୀରମୋହନ ଓ ଏକ କପ୍ ଚା ଖାଇଥିବା ତାର ଗୋଟିଏ ସାଙ୍ଗ ଭୁସ୍ କରି ଉଠିପଡ଼ି ପାଚାରିଲା—“ଆଜ୍ଞା, କବି ଘଟୋତ୍କଚଙ୍କ ବିଷୟରେ କିଛି କହନ୍ତୁ ।”

 

ଦୁଇ ଚାରିଟି ବାକ୍ୟ ପରେ ପଣ୍ଡିତ ଦାଶ କହିଲେ—“ହଁ, ତାଙ୍କ ଲେଖା ମୁଁ ପଢ଼ିଛି ।”

 

ବିନୋଦର ରୁମ ଟାଙ୍କୁରି ଉଠିଲା । ପଣ୍ଡିତ ଦାଶଙ୍କ ପରି ସାହିତ୍ୟିକ ତା ଲେଖାକୁ ପଢ଼ିଛନ୍ତି । ଏହା କମ୍ ଗୌରବର କଥା ନୁହେଁ ।

 

ଦାଶେ ପୁଣି କହି ଚାଲିଲେ—“ତାଙ୍କ ଲେଖା ଯେ କେବଳ ସର୍ବସାଧାରଣଙ୍କ ଉପରେ ପ୍ରଭାବ ପକାଇ ଅଛି ତାହା ନୁହେଁ, ତାହା ମୋ ଉପରେ ମଧ୍ୟ ପ୍ରଭାବ ପକାଇଛି ।”

 

ଗୋଲେଇରେ ବିନୋଦ ପ୍ରାୟ ୪ ଇଞ୍ଚ ଫୁଲିଗଲା । ପଣ୍ଡିତ ଦାଶଙ୍କ ଉପରେ ପୁଣି ତା ଲେଖାର ପ୍ରଭାବ ! କି ସୁଯୋଗରେ ଆଜି ଘରୁ ବାହାରିଥିଲା । ଦାଶେ କହି ଚାଲି ଥାଆନ୍ତି—“ତାହା ଲେଖକ ପକ୍ଷରେ……”

 

ତୁଣ୍ଡ କଥା ତୁଣ୍ଡରେ ରହିଲା । ବିନୋଦ ଭାଷାରେ ଅବାଇଜା, ବାଳୁଙ୍ଗାଗୁଡ଼ାକଙ୍କର ହାତହାତି ଠିକ୍ ସେତିକି ବେଳକୁ ଆରମ୍ଭ ହୋଇଗଲା । ଫାୟାର୍ ବିଗ୍ରେଡ୍‍ର ପାଣି ଯେପରି ନିଆଁ ସଙ୍ଗେ ସଙ୍ଗେ ମାଟି ଘରର କାନ୍ଥ ସବୁ ନିଶ୍ଚିହ୍ନ କରିଦିଏ, ସେହିପରି ପୁଲିସର ତୋଡ଼ ଗଣ୍ଡଗୋଳ ସଙ୍ଗେ ସଭାର ଅସ୍ତିତ୍ୱକୁ ମଧ୍ୟ ଲୋପକରି ଦେଲା । ମୁହଁରୁ ଶୀକାର ଖସିଯାଇଥିବା ବାଘପରି ରାମ୍ପୁଡ଼ି ବିଦାରି ହୋଇ ବିନୋଦ ଭାବୁଥାଏ—“ଓଃ ! ଚାଣ୍ଡାଳେ କଅଣ କଲେ ? ଆଉ ଟିକିଏ ସବୁର କରିପାରିଲେ ନାହିଁ ?’’ ଗଣ୍ଡଗୋଳକାରୀମାନଙ୍କ ଜନ୍ମର ବୈଧତା ବିଷୟରେ ସନ୍ଦେହ ପ୍ରକାଶ ଓ ଅବକାରୀ ବିଭାଗ ସହିତ ସେମାନଙ୍କର ସମ୍ପର୍କ ଥିବାର ଅନୁମାନ କରି ବିନୋଦ ଓ ତାର ସଙ୍ଗୀଦ୍ୱୟ ଘରକୁ ଫେରିଲେ । ପଣ୍ଡିତ ଦାଶଙ୍କ ଉପରେ ପୁଣି ଘଟୋତ୍କଚଙ୍କ ଲେଖାର ପ୍ରଭାବ । କେବଳ ଏତିକି, ବିନୋଦକୁ ଲଙ୍କାରେ ବନ୍ଦିନୀ ସୀତାଙ୍କ କାନରେ ହନୁମନ୍ତ ମୁଖନିଃସୃତ “ରାମ ନାମ” ପରି ମଧୁର ଲାଗୁଥାଏ ।

 

ସପ୍ତାହେ ଗଲା, ଦି ସପ୍ତାହ ଗଲା, ଏହି ଅଳ୍ପ ସମୟ ଭିତରେ ବି ବିନୋଦର ଚାଲିଚଳନର ବେଶ୍ ପରିବର୍ତ୍ତନ ଦେଖାଗଲା । ଅତି ଅଲକ୍ଷ୍ୟରେ ସେ ଯେ ଯାଇ ବିଶିଷ୍ଟ କବିମାନଙ୍କ ଆସନରେ ବସିଗଲାଣି ! ମନରେ ଭାବୁଥାଏ—‘‘ଓଃ, ଘଟୋତ୍କଚ ନାମ ନ ଦେଇଥିଲେ ସେ କେତେ ପରିଚିତ ହୋଇ ମାନ ସମ୍ମାନ ପାଉଥାଆନ୍ତା । ପୁଣି ଭାବେ—ନା ନା, ଚିହ୍ନା ନ ପଡ଼ିବାଟା ଆହୁରି ଭଲ । ଆଡ଼କୁ ସେ ଅଳ୍ପ ଗମ୍ଭୀର ହେଲା । ଅଳ୍ପ ହସିଲା । ମଲ୍‌ମଲ୍ କନାର ପଞ୍ଜାବୀ ପିନ୍ଧି କାନ୍ଧରେ ସିଲ୍‌କ ଚାଦର ପକାଇଲା ଓ ସାନ୍ଧ୍ୟଭ୍ରମଣରେ ବାହାରିଲାବେଳେ ବାଡ଼ି ଧରିଲା । ତଥାପି ଘୋଡ଼ାଯାଦୁ ବେଳେବେଳେ ଗଲୁ କରି ଉଠିଲା ପରି ସେହି କଥାଟି ମନ ଭିତରେ ବେଳେବେଳେ ଗଲୁ ସୃଷ୍ଟି କରୁଥାଏ…“ଆଃ, ପଣ୍ଡିତ ଦାଶେ କି ପ୍ରଶଂସାଟା କରିଥାନ୍ତେ !”

 

କ୍ରମେ ତାର ଗଲୁ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା । ସେ ସ୍ଥିର କଲା—ନାଃ, ଯେ କୌଣସି ଉପାୟରେ ପଣ୍ଡିତ ଦାଶଙ୍କ ସଭାପତିତ୍ୱରେ ସେହି ସଭା ପୁଣି ଥରେ କରାଇ ଶହଶହ ଲୋକଙ୍କ ଆଗରେ ତାଙ୍କ ମୁଖରୁ ସେହି ଅବ୍ୟକ୍ତ ପ୍ରଶଂସାକୁ କଢ଼ାଇବାକୁ ହେବ । କିନ୍ତୁ ଏ ସଭା ଡାକିବ କିଏ ? ଉଦ୍ଦେଶ୍ୟଟା ପଦାରେ ଜଣାପଡ଼ିଗଲେ କମ୍ ଲଜ୍ଜାର କଥା ନୁହେଁ । ସମସ୍ତେ କହିବେ—“ଆରେ, ନିଜ ପ୍ରୌଢ଼ୀ ଶୁଣିବା ପାଇଁ ନିଜେ ସଭା ଡକାଇଛି !” ଏକୁଟିଆ ତ କିଛି କରି ହେବନି । ବହୁ ଭାବିଚିନ୍ତି ମଝିଲା ରାସ୍ତାଟିଏ କାଢ଼ିଲା । ସଙ୍ଗୀଦ୍ୱୟଙ୍କ ପାଖରେ ପ୍ରଶଂସା ଶୁଣିବା ଅଭିପ୍ରାୟ ଗୋପନରଖି ସବୁ ବିଷୟ କହିଲା । ମନ୍ତ୍ରଣା ପରେ ସ୍ଥିର ହେଲା ଯେ, କେବଳ ଅତ୍ୟାଧୁନିକ କବିମାନଙ୍କ ବିଷୟରେ ଚର୍ଚ୍ଚା କରାଯିବ । ସବୁଜଙ୍କୁ ପୂରାପୂରି ବାଦ୍‌ ଦିଆଯିବ । କାରଣ ଦୁଇ ଦଳ ହେଲେ ନିଶ୍ଚୟ ଗଣ୍ଡଗୋଳ ହେବ । ସାମାନ୍ୟ ଜଳଯୋଗର ସଙ୍କେତ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରିବାକୁ ହେବ । ଏହାଦ୍ୱାରା ଲୋକେ ବହୁ ସଂଖ୍ୟାରେ ଆସିବେ । ସଭା ଶେଷରେ ସମସ୍ତଙ୍କୁ ଗିଲାସେ ଗିଲାସେ ପାଣିରେ ଆପ୍ୟାୟିତ କରିବାକୁ ହେବ । ନିମନ୍ତ୍ରଣ ପତ୍ର ଦୁଇ ସଙ୍ଗୀଙ୍କ ନାମରେ ଛପାଇବାକୁ ହେବ ।

 

କିଛିଦିନ ପରେ ଠିକ୍ ଯୋଜନା ଅନୁଯାୟୀ ସାହିତ୍ୟ ଭବନରେ ସଭା ବସିଲା । ଜଳଯୋଗ ବ୍ୟବସ୍ଥା ଆଶାନୁରୂପ ଶ୍ରୋତା ତଥା ଭୋକ୍ତାମାନଙ୍କୁ ଘୋଷାଡ଼ି ଆଣି ପାରିଥିଲା । ସଙ୍ଗୀ ଦୁହେଁ ମଞ୍ଚ ଉପରେ ଥାଇ ସଭାର ପରିଚାଳନା କରୁଥାଆନ୍ତି । ବିନୋଦ ଲାଜ ଲାଜ ହୋଇ ଗୋଟିଏ କଡ଼ରେ ମୁହଁ ପୋତି ବସିଥାଏ ।

 

ପଣ୍ଡିତ ଦାଶଙ୍କ ଭାଷଣ ସରିବା ଉପରେ; ତଥାପି ଘଟୋତ୍କଚଙ୍କ ପତ୍ତା ନାହିଁ । ଜଣେ ସଙ୍ଗୀ ଶ୍ରୋତାଙ୍କ ଭିତରକୁ ଯାଇ ପଚାରିଲା—“ଆଜ୍ଞା, କବି ଘଟୋତ୍କଚ ଜାତି ଉପରେ କି ପ୍ରଭାବ ପକାଇ ଅଛନ୍ତି ? ପଣ୍ଡିତ ଦାଶ ଆରମ୍ଭ କଲେ—“ହଁ, ମୁଁ ଭୁଲିଯାଇଥିଲି, ତାଙ୍କ ଲେଖା ମୁଁ ପଢ଼ିଛି, ସାମାନ୍ୟ ଜ୍ଞାନ ଥିବା ମନୁଷ୍ୟ ଏପରି ଲେଖିପାରେ ବୋଲି ମୋର ଆଗରୁ ଧାରଣା ନଥିଲା ।”

 

ବିନୋଦ ରୁମ ଟାଙ୍କୁରେଇ ଭାବିଲା—“ଓଃ ! ମୁଁ ତେବେ ଜଣେ ଅସାମାନ୍ୟ ପ୍ରତିଭାସମ୍ପନ୍ନ ପୁରୁଷ ! ହାୟରେ ହାୟ ! କାହିଁକି ନିଜ ନାଁ ନ ଦେଇ ଘଟୋତ୍କଚ ନାଁ ଦେଲି । ପାଖରେ ବସିଥିବା ଲୋକେ ବର୍ତ୍ତମାନ ମୋତେ କେତେ ଈର୍ଷା କରିଥାଆନ୍ତେ !”

 

ପଣ୍ଡିତ ଦାଶେ କହି ଲାଗିଲେ—“ଅତ୍ୟାଧୁନିକ କବିମାନଙ୍କ ବିଷୟରେ ମୋର ଯେଉଁ ଧାରଣା ଥିଲା ଘଟୋତ୍କଚ ଲେଖା ତାହାକୁ ଏକାବେଳକେ ଦୋହଲାଇ ଦେଇଛି ।”

 

ବିନୋଦର ମାଂସପେଶୀ ସବୁ ସ୍ଫୀତ ହୋଇ ଉଠିଲା । କୁଣ୍ଡେମୋଟ ମନ ଭିତରେ ସେ ଚିତ୍କାର କରି ଉଠିଲା—‘‘ଆରେ ଅତ୍ୟାଧୁନିକ କବିଗଣ, ମୋ ଲାଗି ରକ୍ଷା ପାଇଛ, ତୁମ୍ଭମାନଙ୍କ ପ୍ରତି ପଣ୍ଡିତ ଦାଶଙ୍କ ଘୃଣା କେବଳ ମୋ ଲାଗି ଊଣା ହୋଇଯାଇଛି ।

 

ପଣ୍ଡିତ ଦାଶେ ପୁଣି କହିଲେ—“ସେ ଘଟୋତ୍କଚ କିଏ ମୁଁ ଜାଣେନି । ତାଙ୍କ ଲେଖାରୁ ସେ ଯେ ନିଶ୍ଚୟ ଘୋଡ଼ାମୁହାଁ, ତାହା ବେଶ୍ ଜଣାପଡ଼ୁଛି । ଓଡ଼ିଆ ସାହିତ୍ୟର କୁଳ ବୁଡ଼ି ଆସିବାର ଲକ୍ଷଣ ସ୍ୱରୂପ ଏପରି ଘୋଡ଼ାମୁହାଁ ପୁଅ ଜନ୍ମ ହୋଇଛନ୍ତି ।”

 

ଏଭେରେଷ୍ଟ ଗିରୀଶୃଙ୍ଗ ଉପରେ ଟେନ୍‌ସିଂଙ୍କ ମୁଣ୍ଡ ଘୂରିଲା ପରି ବିନୋଦର ମୁଣ୍ଡ ଘୂରିଗଲା । ମାଂସପେଶୀ ଶିଥିଳ ଓ ରୁମତକ ଅବନତ ହୋଇଗଲା ।

 

ରୁକ୍ଷ ଗଳାରେ ପଣ୍ଡିତେ ଦାଶେ କହି ଲାଗିଲେ—“ଏ ଗୋଟିଏ ସମାଜରେ ଦସିପୋକ-। କଲମ ନ ଧରି ହଳ ଧରିଥିଲେ ଦେଶର କିଛି ସେବା କରି ପାରିଥାନ୍ତେ । ଏନ୍ତୁଡ଼ିଶାଳରୁ ବାପ ମା ଯଦି ମୁଣ୍ଡଟା ମୋଡ଼ି ଥାଆନ୍ତେ, ତେବେ ସମାଜର ବଡ଼ ମଙ୍ଗଳ ହୋଇ ଥାଆନ୍ତା ।”

 

ଏଭରେଷ୍ଟ ଉପରୁ ବିନୋଦ ଏକବେଳକେ ମାନ ସରୋବରରେ କଚାଡ଼ି ହୋଇ ପଡ଼ିଲା-। ଅଲକ୍ଷରେ ତାର ଦୁଇହାତ ବେକକୁ ଘୋଡ଼ାଇ ପକାଇଲା । ତାର ମୁହଁ ତଳକୁ ପୋତି ହୋଇଗଲା-। ଶ୍ରୋତାମାନଙ୍କର ହାସ୍ୟରୋଳ ଭିତରେ ସେ ଭାବିଲା—“ଓଃ, ଭଗବାନ୍‍ ! ଭାଗ୍ୟେ ମୁଁ ନାଁ ଲୁଚାଇ ଘଟୋତ୍କଚ ନାଁ ଦେଇଥିଲି; ନଚେତ୍ ପାଖରେ ବସିଥିବା ଲୋକେ ମୋତେ କଣ କହି ଥାଆନ୍ତେ !”

 

ପଣ୍ଡିତ ଦାଶେ କହି ଚାଲିଲେ—“ତାଙ୍କର ଲେଖା ସମାଜର ତ କୌଣସି ହିତ ସାଧନ କରିବ ନାହିଁ; ବରଂ ତହିଁରେ ଯେଉଁ କୁତ୍ସିତ ଭାବ ଓ ଅଶ୍ଳୀଳତା ପୂରି ରହିଛି, ତାହା ଊଣା କ୍ଷତି କରିବ ନାହିଁ । ଚୌର୍ଯ୍ୟବୃତ୍ତି ଛତ୍ରେ ଛତ୍ରେ ପ୍ରସ୍ଫୁଟିତ । ତାହା ପୁଣି ପଦ୍ୟ କି ଗଦ୍ୟ ଜାଣିବାର ଉପାୟ ନାହିଁ । ଆଗରୁ ମୋର ଧାରଣା ଥିଲା ଯେ ଅତ୍ୟାଧୁନିକ କବିମାନେ ସମାଜକୁ କିଛି କିଛି ଦେଇ ପାରିବେ । ଘଟୋତ୍କଚଙ୍କ ଲେଖା ପଢ଼ି ମୁଁ ବର୍ତ୍ତମାନ ଠିକ୍ ଓଲଟା ଭାବୁଛି । ତାଙ୍କ ଲେଖା ମୋ ମନରେ ଗୁରୁତର ପ୍ରଭାବ ପକାଇଛି—”

 

ବିନୋଦ ମୁହଁ ପୋତି ଭାବି ଚାଲିଥାଏ—“ହାୟରେ କପାଳ, ଟଙ୍କା ଖର୍ଚ୍ଚକରି, ଏତେ ପରିଶ୍ରମ କରି ଲୋକଙ୍କୁ ଜମେଇ ସମସ୍ତଙ୍କ ଆଗରେ ଏ ଗାଳିତକ ଶୁଣୁଛି ?” ବିଚରା ସେଠାରୁ ଉଠି ପଳାଇ ଯାଇପାରୁ ନଥାଏ । କାରଣ କାଳେ କିଏ ସନ୍ଦେହ କରିବ—ଆରେ, ଏଇତ ଘଟୋତ୍କଚ । ରହି ବି ପାରୁନଥାଏ । ଗାଳିଗୁଡ଼ାକ ଦେହରେ ବନ୍ଧୁକ ଗୁଳିପରି ପଶି ଯାଉଥାଏ । ଜାଣିବା ଲୋକେ କିଏ ଯଦି ପାଖରେ ବସିଥାଆନ୍ତା, ତେବେ କାଳିଦାସଙ୍କ ଶ୍ଳୋକ “ଶୈଳାଧିରାଜତନୟା ନ ଯଯୌ ନ ତସ୍ଥୌ”ର ଅର୍ଥ ପରିଷ୍କାର ବୁଝିପାରି ଥାଆନ୍ତା ।

 

ସଭା ସରୁ ନ ସରୁଣୁ ବିନୋଦ ଯେ କିପରି ସେଠାରୁ ଖସି ଆସି ଘରେ ଖଟ ଉପରେ ତକିଆ କାମୁଡ଼ି ଶୋଇ ପଡ଼ିଲା । ତାହା ସେ ନିଜେ ଜାଣିପାରିଲା ନାହିଁ । ସଙ୍ଗୀ ଦି”ଜଣ ଜଳପାନ କରାଇବା ଲାଗି ରହିଗଲେ । ହଲ୍ ପଛ ଗୋଟିଏ ଘରେ ଦୁଇଟି ସୋରେଇ ଓ କିଛି ମାଟି ଗିଲାସ ଥୁଆ ହୋଇଥାଏ । ପ୍ରଥମେ ପଣ୍ଡିତ ଦାଶ ଗିଲାସରେ ମୁହଁ ଲଗାଇ ଟିକିଏ ଅସ୍ପଷ୍ଟ ମୁଖବିକୃତ କଲେ । ଦୁହେଁ ଗ୍ଲାସରେ ପାଣି ଢାଳି ଦେଉଥାନ୍ତି । ଦି ଚାରିଜଣ ମୁହଁରୁ ଲଜ୍ଜା ଛଡ଼େଇ କହିଲେ–“ହଇହୋ, ଖାଇବା ନ ହେଲା ନାହିଁ, ପାଣିରେ ଟିକିଏ ଚିନି ବି ପକାଇ ପାରିଲ ନାହିଁ, ନିମନ୍ତ୍ରଣ ପତ୍ରରେ ଜଳଯୋଗ କଥା ଲେଖିଥିଲ କାହିଁକି ?’’

 

ଜଣେ ଉତ୍ତର ଦେଲା—“ଆମେ ସରବତଯୋଗ ତ ଲେଖି ନଥିଲୁ ।” ଆମେ ଲେଖିଥିଲୁ ଜଳଯୋଗ । ଯାହା ଲେଖିଥିଲୁ ତାହାହିଁ କରୁଛୁ ।

 

ଜବରଦସ୍ତ ଶ୍ରୋତାଏ କି ସହଜେ ଛାଡ଼ନ୍ତି । ବହେ ତର୍ଜନ ଗର୍ଜନ କରି ଶୋରେଇ ଦୁଇଟାକୁ ଉଦ୍ୟୋକ୍ତା ଦୁହିଁଙ୍କ ମୁଣ୍ଡରେ କଚିଦେଲେ ।

 

ଓଦା ସଡ଼ ସଡ଼ ହୋଇ ଘରକୁ ଫେରିଲାବେଳେ ଜଣେ ଅନ୍ୟକୁ କହିଲା—“ଓହୋ, କି କାଣ୍ଟୁଆ ସଭାଟାଏ ହୋଇଗଲାମ ! ଘଟୋତ୍କଚ ବିଚରା ପ୍ରଶଂସା ଶୁଣିବାକୁ ଯାଇ କାଣ୍ଟୁଆ, ବକ୍ତା ଶ୍ରୋତା ବି ଖାଇବାକୁ ଯାଇ କାଣ୍ଟୁଆ, ଶେଷରେ ଆମେ ଦୁଇ ଉଦ୍ୟୋକ୍ତା ବି....”

☆☆☆

 

କେମ୍ପାଦକ

 

ଗୋପାଳ ମନେ ମନେ ଠିକ୍ କରିନେଲା ଯେ, ତା’ର କବି ହେବାରେ ରାଢ଼ିଆ ପଥୁରିଆ ସମ୍ପାଦକଗୁଡ଼ା ହିଁ ପ୍ରଧାନ ଅନ୍ତରାୟ । ତା’ର ଇଚ୍ଛା ହେଲା, ଯଦି କେଉଁଠୁ କେମିତି ପୁଳାଏ ସମୟ ବୋମା ପାଆନ୍ତା, ତେବେ ଜଣ ଜଣ କରି ସମସ୍ତଙ୍କ ଅଫିସରେ ପିଅନ ବନି ସମ୍ପାଦକମାନଙ୍କ ଚଉକି ତଳେ ଗୋଟିଏ ଗୋଟିଏ ଥୋଇ ଦିଅନ୍ତା । ଢୋଃ, ଢାଃ, ହୋଇ ସବୁ ସମ୍ପାଦକତକ ଯାଆନ୍ତେ ଉଡ଼ି । ନିଃସମ୍ପାଦକ ହୁଅନ୍ତା ମେଦିନୀ । ହଇଜା ଜର୍ମ ପାଆନ୍ତା କି, ସମସ୍ତଙ୍କ ପିଇବା ପାଣି ସୋରେଇରେ ପୁଳେ ପୁଳେ ଛାଡ଼ି ଦିଅନ୍ତା । ସବୁଯାକ ମଳୁ ଗାଡ଼ିରେ ପଡ଼ି ସ୍ୱର୍ଗକୁ ପଳାନ୍ତେ । ତା’ର କବି ପଥରେ ବାଧା ସୃଷ୍ଟି କରୁଥିବା ଏହି ପଥର ପାଚିରୀଗୁଡ଼ାକ ଭୂଇଁକମ୍ପରେ ଭୁଷୁଡ଼ି ପଡ଼ିଲା ପରି ତଳେ ଲୋଟି ଯାଆନ୍ତେ । ବାଧାଶୂନ୍ୟ ବାଟରେ ଆଗେଇଯାଇ ସେ କବିତାର ଗଡ଼କୁ ଜୟ କରନ୍ତା । ସେ ହୁଅନ୍ତା ଗଡ଼ନାୟକ । ତାର କବିତାର ଗୁରୁ ଗର୍ଜନ ଚତୁର୍ଦ୍ଦିଗକୁ ପ୍ରକମ୍ପିତ କରନ୍ତା । ସମସ୍ତଙ୍କଠାରୁ ପ୍ରାପ୍ତ ମାନ ସମ୍ମାନରେ ପୁଷ୍ଟ ହୋଇ ସେ ହୁଅନ୍ତା ମାନସିଂହ । କାବ୍ୟ ରସର ଏକ ସୁବୃହତ୍ ପାତ୍ର ହୋଇ ସେ ହୁଅନ୍ତା ମହାପାତ୍ର । କିନ୍ତୁ ହାୟ ! ଏ ସବୁର ଅନ୍ତରାୟ କେବଳ ସେହି କୁତ୍ସିତ ସମ୍ପାଦକଗୁଡ଼ାକ । ତା ଦାନ୍ତ କଡ଼ମଡ଼େଇଲା । କ୍ରୋଧରେ ଉନ୍ମତ୍ତ ହୋଇ ଚିପା ଗଳାରେ ସେ କହି ପକାଇଲା—“ଉଃ, ଗୋଟାଏ କାହାର ବେକ ଯଦି ମୋ ହାତରେ ପଡ଼ନ୍ତା, ତେବେ ମୁଁ ଏମିତି କୁକୁଡ଼ା ମୋଡ଼ିଲା ପରି ମୋଡ଼ି ଦିଅନ୍ତି..…’’

 

“ଆଲୋ, ଆଲୋ, ଆଲୋ, ମରିଗଲି ମରିଗଲି, ଓହୋ-ହୋ” ରଡ଼ି ଛାଡ଼ି ରଘୁ ଉଠିପଡ଼ି ବିକୃତ ମୁଖରେ ଗୋପାଳ ମୁହଁକୁ ଗାରଡ଼େଇ ଚାହିଁଲା । ତାପମାନ ଯନ୍ତ୍ରରେ ପାରା ଉଠିଲା ପରି ତା ଗୋଡ଼ ଆଡ଼ୁ ରାଗ ଉଠି ଆସୁଥିଲା । କିନ୍ତୁ ଗୋପାଳ ଅତି ବିନୟ ଭାବରେ ତା ହାତ ଧରି ପକାଇ କହିଲା—“ମାଫ୍ କର ଭାଇ, ଭୁଲ ହୋଇଗଲା । ମୁଁ ଅଜାଣତରେ ମୋଡ଼ି ଦେଲି ।”

 

କିଳିକାଳିଆ ପାଟି ଶୁଣି ପାଖ କୋଠରୀରୁ ଦୁଇ ଜଣ ସାଙ୍ଗ ପଶି ଆସିଲେ । କାନଟାକୁ ଆଉଁସୁ ଆଉଁସୁ ରଘୁ ଏମାନଙ୍କ ଆଗରେ ଅଭିଯୋଗ କଲା—ଦେଖିବଟି ଏ ହୁଣ୍ଡା ଗଧକୁ, ମୋ କାନମୂଳଟା ଟିକିଏ ଦରଜ ଲାଗିବାରୁ ମୁଁ ଟିକିଏ ୟାକୁ ଦେଖାଇଲି । ସେ ଗୋଟାଏ କ’ଣ ଉଠୁଛି ବୋଲି କହି ତା ମନକୁ ଗୋଟାଏ କଳା ମଲମ ଆଣି ଟିକିଏ ମାଲିସ କରିଦେବ ବୋଲି କହିଲା । ସେ କହିବାରୁ ମୁଁ ଖଟଉପରେ ଶୋଇପଡ଼ି ତାକୁ କାନ ଦେଖେଇଲି, ସେ ବି କାନକୁ ଆଗକୁ ଟାଣି ଧରି କାନମୂଳରେ ଆସ୍ତେ ଆସ୍ତେ କଳା ମଲମ ଘଷିବାକୁ ଲାଗିଲା । ଘଷା ଆରାମରେ ମୋତେ ଟିକିଏ ଛାଇନିଦ ବି ଲାଗି ଯାଇଥିଲା । ଆରେ ବାବୁ ତା ମୁଣ୍ଡରେ କାହିଁକି ପିତ୍ତ ଚଢ଼ିଗଲା କେଜାଣି, ମୋ କାନଟାକୁ ଦେଲା ଏମିତି ମୋଡ଼ି ଯେ ପ୍ରାଣ ଯାଏ କି ରହେ । ଓ-ହୋ, କାନଟା ଏତେବେଳଯାଏ ଝିମି ଝିମି ହୋଇ ଯାଉଛି ।”

 

ସମସ୍ତଙ୍କ ଦୃଷ୍ଟି ଗୋପାଳ ଉପରେ ପଡ଼ିବାରୁ, ସେ ପୁନର୍ବାର ରଘୁକୁ ନିଉଛାଳି ହୋଇ କହିଲା—“କହିଲି ତ ଭାଇ ଭୁଲ ହୋଇଗଲା, କ୍ଷମାତ ମାଗୁଛି, କହିବୁ ଯଦି ଗୋଡ଼ତଳେ ପଡ଼ିବାକୁ, ପଡ଼ିବି । ଯଦି ଦି’ଟା ମାଇଲେ ତୋ ମନ ସନ୍ତୋଷ ହେବ, ତେବେ ମାର । ଭୁଲ କରିଛି, ପ୍ରାୟଶ୍ଚିତ ପାଇଁ ଯାହା ଦରକାର କରିବି’’ ।

 

ରଘୁର ସବୁ ରାଗ ପାରା ଖସିଲା ପରି ସାଙ୍ଗେ ସାଙ୍ଗେ ଖସି ପଡ଼ିଲା; କିନ୍ତୁ ସମସ୍ତଙ୍କ କୌତୂହଳଟା ଅତି ବେଶି ବଢ଼ିଗଲା । ସଭିଙ୍କ ମୁହଁରେ ଗୋଟିଏ ପ୍ରଶ୍ନ—“କାନଟା ମୋଡ଼ିଲୁ କାହିଁକି, କିଛି ହେଲେତ ଗୋଟାଏ କାରଣ ଥିବ ? ଗୋପାଳ ଚୁପ୍ । ବେଶି ଖୋଳିତାଡ଼ି ପଚାରିଲାରୁ ତା ମୁହଁରୁ ବାହାରିଲା ସେହି ଏକ ଉତ୍ତର—“କହିଲି ତ ଭୁଲ ହୋଇଗଲା” କିଛି ଥଳକୂଳ ନ ପାଇବାରୁ ଜଣେ ରଘୁକୁ ପଚାରିଲା—“ଆଚ୍ଛା, ମଲମ ଲଗେଇବା ପୂର୍ବରୁ ସେ କରୁଥିଲା କଅଣ ? ଭାବି ଭାବି ରଘୁ କହିଲା—ଗୋଟାଏ କବିତା ଲେଖିସାରି ତାକୁ ଚାହିଁ କଅଣ ଭାବୁଥିଲା କି ମନେ ମନେ ସେଇ କବିତାକୁ ପଢ଼ୁଥିଲା, ତାହା ଭଗବାନ ଜାଣନ୍ତି ।

 

କାରଣଟା ଜାଣିବାରେ ଅସମର୍ଥ ହୋଇ ଅନ୍ୟମାନେ ବିରକ୍ତରେ କୋଠରୀ ଛାଡ଼ି ଚାଲିଗଲେ । ଗୋପାଳ ପୁଣି କାନମୂଳେ କଳା ମଲମ ମାଲିସ୍ କରିଦେବା ଲାଗି ରଘୁ ପାଖକୁ ଯାଇ ତା କାନ ଦେଖାଇବା ଲାଗି ବିନିତ ପ୍ରାର୍ଥନା ଜଣାଇଲା । ତାର ପୁନର୍ବାର ଏ ଉପକ୍ରମ ଦେଖି ରଘୁ ଦୁଇହାତ ଯୋଡ଼ି କହିଲା—‘‘ବାବା ତୋ ଚାରି ଖୁରାକୁ ଦଣ୍ଡବତ ଆଉଥରେ ତୋତେ କାନ ଦେଖାଇବା ଅର୍ଥ କାନଟିର ଆଶା ଏକାବେଳେ ଛାଡ଼ିଦେବା ।” ତଥାପି ଗୋପାଳ ଗେଲେଇ ହୋଇ ପାଖରେ ବସି ଅନୁରୋଧ କରିବାରୁ ରଘୁ ଟିକିଏ ଘୁଞ୍ଚିଯାଇ କହିଲା—“କେଉଁଥିଲାଗି ତୋର ଏମିତି ଭୁଲ ହୋଇଗଲା ନ ଜାଣି ମୁଁ ମୋ କାନଟାକୁ ପୁଣି ତୋ ହାତରେ ଦେବି କେମିତି ?”

 

ଚାରିଆଡ଼କୁ ଚାହିଁ ଗୋପାଳ ଥଙ୍ଗେଇ ଥଙ୍ଗେଇ ହୋଇକହିଲା—‘‘ଏଇ ଅଲକ୍ଷଣା ସମ୍ପାଦକଗୁଡ଼ାଙ୍କ ଲାଗି ସବୁ ଅନର୍ଥ ।”

 

“ହଇରେ ଏ ସମ୍ପାଦକ ଯାଇ କାହିଁ, ଆଉ ମୋ କାନ କାହିଁ, ଏ ଦୁହେଁ ଏ କୋଠରୀରେ ଏକାଠି ହେଲେ କେମିତି ?”

 

“ହଅମ, ଏମିତି କଅଣ ହୁଏନି ? କେତେ ଦୂରେ ଚନ୍ଦ୍ର ଆଉ କାହିଁ କୁମୁଦିନୀ, ପ୍ରୀତି ଅଭେଦ ତାଙ୍କର ।’’

 

“ସତେ ନା ! ନ ଜାଣି ସମସ୍ତେ କହୁଛନ୍ତି କବି ରୋଗ ତୋତେ ଡେଇଁଲାଣି । ଆଚ୍ଛା, ତୁ ସିନା କବି ହେଲୁ ଯେ ସମ୍ପାଦକମାନଙ୍କ ସଙ୍ଗେ ତୋର ବା ତୋ କାନର ସମ୍ବନ୍ଧ ରହନ୍ତା; କିନ୍ତୁ ମୋ କାନ ସଂଗେ କାହିଁକି ?”

 

କଥା କଅଣ କି, ଏ ଅଲକ୍ଷଣା ସମ୍ପାଦକଗୁଡ଼ାକଙ୍କ ଉପରେ ଅତି ବେଶି ରାଗ ହେଲା । ଏତେ ପରିଶ୍ରମ କରି ପୁଳା ପୁଳା କବିତା ଲେଖିଲି, ହେଲେ ଲୋକେ କାହାରି ବାସ ପାଇଲେ ନାହିଁ-। ବଣଫୁଲ ପରି ସବୁଗୁଡ଼ିକ କାଗଜରେ ଫୁଟି ସଂପାଦକମାନଙ୍କର ଅଳିଆ ଟୋକେଇ ବଣରେ ଝଡ଼ିପଡ଼ିଲା । ପଛକଥା ଛାଡ଼, ଏଇ ଗଲାମାସରେ ଦେଢ଼ଶହ କବିତା ଲେଖିଲି । ସେ ଅନାର୍ଯ୍ୟ ସଂପାଦକଗୁଡ଼ାକ ସେଗୁଡ଼ିକୁ ଲଫାପାରୁ କାଢ଼ି ସିଧାସଳଖ ଅଳିଆ ଟୋକେଇକୁ ମୋଡ଼ିମାଡ଼ି ଫିଙ୍ଗିଦେଲେ । ଆଜି ଭୋରରୁ ଯେଉଁ କବିତାଟି ଲେଖିଛି, କଅଣ କହିବି ଆଉ ! ଏମିତିଆ କବିତା ଏ ବର୍ଷ ଲେଖାହେବା ଦୂରେ ଥାଉ, କାହା ମୁଣ୍ଡରେ ପଶି ନ ଥିବ; କିନ୍ତୁ ଲାଭ କଅଣ-? ଏ ଅଳପେଇସେ ତାକୁ କଅଣ ରଖିବେ ? ମୋଡ଼ିମାଡ଼ି ଦେଇ ଅଳିଆ ଟୋକେଇରେ ଭରି ଦେବେ-। ଏଇଆ ଭାବି ଏମାନଙ୍କ ଉପରେ ଭାରି ରାଗ ହେଲା । ଭାବିଲି, ସେମାନଙ୍କ ମଧ୍ୟରୁ ଗୋଟାଏ କାହାର ବେକ ମୋ ହାତରେ ପଡ଼ନ୍ତା କି, କୁକୁଡ଼ା ମୋଡ଼ିଲା ପରି ତାକୁ ମୋଡ଼ି ଦିଅନ୍ତି-।”

 

“ଓ-ହୋ, ଏବେ ବୁଝିଲି ମୋ କାନକୁ କାହିଁକି ମୋଡ଼ିଲୁ । ଛାଡ଼, ଯାହା ହେବାର ହେଲାଣି । ଯାହାହେଉ ପ୍ରକୃତରେ ତୋର ରାଗିବାର କାରଣ ଅଛି । କିନ୍ତୁ ସବୁଯାକ ସଂପାଦକ କାହିଁକି ତୋ କବିତାକୁ ଫୋପୋଡ଼ି ଦେଉଛନ୍ତି, ମୋତେ ଲାଗୁଛି ତୋର ବି କିଛି ଗଲ୍‌ତି ଅଛି । ଆଚ୍ଛା, ତୁ କବିତା ନିଜେ ନେଇ ଯାଉ ନା ଡାକରେ ପଠାଉ ?”

 

“ନିଜେ ଦେଇଛି, ଡାକରେ ପଠେଇଛି, ସବୁକିଛି କରିଛି । ଛୋକାରଗୁଡ଼ାକ କବିତାକୁ କଅଣ ପଢ଼ନ୍ତି ! ଗୋପାଳ ନାମଟା ଦେଖିବା ମାତ୍ରେ ଫୋପାଡ଼ି ଦିଅନ୍ତି ଅଳିଆ ଟୋକେଇକୁ । ହାତରେ ନେଇ ଦେଲେ କହନ୍ତି—ଏ ଥରକ ତ ହୋଇ ପାରିବ ନାହିଁ, ଆରଥରକୁ ଚେଷ୍ଟା କରି ଦେଖିବା । ମୋର ଫେରିବା ପରେ ପରେ ସେ କବିତାଟି ଅଳିଆ ଟୋକେଇକୁ ଯାଏ ।”

 

—‘‘ଆଚ୍ଛା କବିତା ପଠେଇଲାବେଳେ ଚିଠିରେ କଅଣ ଲେଖୁ ?”

 

—‘‘ଏଇ ମାମୁଲି ଲେଖା—ମହାଶୟ, କବିତା ଖଣ୍ଡି ପଠାଇଲି, ଆପଣଙ୍କର ଆସନ୍ତା ସଂଖ୍ୟା ପତ୍ରିକାରେ ପ୍ରକାଶ ପାଇଲେ ସୁଖୀ ହେବି ।”

 

“ଦୂର୍ ଦୂର୍, ଓଲୁ । ଏଇଥିଲାଗି ତୋ କବିତାକୁ କେହି ପସନ୍ଦ କରୁ ନାହାନ୍ତି । ହଇରେ, ତୁ ଖୁସି ନ ହେଲେ ସେମାନଙ୍କର କଅଣ ଅଣେଇ ହୋଇ ପଡ଼ିବ ? ଆରେ, ତୋ ଭଳିଆ ଖାଉଡ଼ ଖାଉଡ଼ ସେମାନଙ୍କଠେଇଁ ତେଲ ଲଗେଇ ଲଗେଇ ହାତରେ ବିଣ୍ଡି କଲେଣି । ତେବେ ସୁଦ୍ଧା ବେଳେବେଳେ ତାଙ୍କ ଉପରକୁ ନଜର ଯାଉନି, ଆଉ ତୁ ନବାବଙ୍କ ନାତି ଭଳିଆ ଖଣ୍ଡେ ଚିଠି ଲେଖି ଦେଉଛୁ ଯେ କୁଆଡ଼େ କାଟୁ କରିବ ?”

 

“କାହିଁକି ବାଜେ କଥାଗୁଡ଼ାକ ବକୁଛୁ ମ ? ଆଉ ଅଧିକ କଅଣ ଲେଖି ଥାଆନ୍ତି ? ତୁଚ୍ଛା କଥାଗୁଡ଼ାକ ଆଉ କହନା ।”

 

“ହୁଁ, ମୁଁ ତୁଚ୍ଛା କହୁଛି ? ମାର ବାଜି, ତୁ ତ ଏତେଥର ମାଙ୍କଡ଼ଚିତ୍ ମାରିଲୁଣି, ଆଣ ଗୋଟାଏ କବିତା, ଦେଖ୍ ମୁଁ ସବୁଠୁ ରାଢ଼ ସମ୍ପାଦକକୁ କେମ୍ପାଦକ ବନଉଛି କି ନାଁ ? ନିଜ ଭୁଲ ନ ଦେଖି ଅନ୍ୟର ଭୁଲ ଖୋଜି ଲାଗିଛୁ !”

 

ଜିଗର ଝକାଝକ୍ ଲାଗିଲା । ଗୋପାଳ ତା କବିତା ଗଦାରୁ ‘ଫଟ୍ରାୟମାନା’ ଶୀର୍ଷକ କବିତାଟି କାଢ଼ି ରଘୁ ହାତରେ ଦେଇ କହିଲା—“ଆରେ, କେବଳ କଅଣ ମୋରି ନାଁ’ରେ ଦେଇଛି-? ଶ୍ରୀମତୀ ଗୋପବାଳା ମିଶ୍ର ନାମରେ ପଠାଇଲି, ଟେକିଟାକି ବି ଲେଖିଛି । ପ୍ରେମର ଇସାରା ବି ଦେଲି, ପଥର ଗୁଡ଼ାକ କୋଉ ବାଟରେ ସାଧ୍ୟ ହେଲେ ନାହିଁ ।’’

 

ହୋ ହୋ ହସରେ ଘର କମ୍ପେଇ ରଘୁ କହିଲା—“ଆରେ, ଦେଖୁଛି ତୁ ତ ମାନ୍ଧାତା ଯୁଗରେ ଅଛୁ । କେଉଁଠି କେମିତି ଗୋଟାଏ ଅଧେ ବିକଳିଆ ସମ୍ପାଦକ ଜାଲରେ ପଡ଼ିଯାଇ ପାରନ୍ତି, କିନ୍ତୁ ଅଧିକାଂଶ ଜାଲ-ମାଡ଼ୁଆ ହୋଇଗଲେଣି । ବେଳେବେଳେ ଖାଣ୍ଟି ଝିଅଙ୍କ କବିତାକୁ ଟୋକାଙ୍କ କାମ ବୋଲି ଭାବି ଫୋପାଡ଼ି ଦେଉଛନ୍ତି । ସେମାନଙ୍କୁ ଦରକାର ଅନ୍ୟ ବାଟ । ଆଚ୍ଛା, ଦେଖି ତୋ ଫଟ୍ରାୟମାନା କବିତା”—

 

“ଆରେ ଅବିବେକୀ ବନ୍ଦକର

ବନ୍ଦକର ଏ ଗୁଣ୍ଡାମି

ଫାଟିଯିବ ତୋର ଗେଲ ଗେଲ କଥା

ଫାଟିଯିବ ତୋର ହୁଣ୍ଡାମି

ଅନ୍ଧାକାରକୁ ଫଟାଇ ରଶ୍ମି

ଗୁରୁ ଗର୍ଜନ ଘନ ଘନ

ଗୁଣ୍ଡାମି କରି ଖସି ନ ପାରିବୁ

ଆରେ ପାଷାଣ୍ଡ ସଇତାନ

ଫାଟିବ ମୁଣ୍ଡ ଫାଟିବ ଗଣ୍ଡି

ଫାଟି ସବୁ ହେବ ଫଟ ଫଟ

ଆରେ ରେ ଗୁଣ୍ଡା ଗିଧଡ଼ ମୁଣ୍ଡା

ଘେରିଲାଣି ତୋତେ ସଙ୍କଟ ’’

 

ଗୋପାଳ କବିତା ଉପରେ ଟିପ୍‌ପଣୀ ଦେବାକୁ ଯାଉଥିଲା; କିନ୍ତୁ ରଘୁ ବାଧା ଦେଇ କହିଲା—“ଆଉ କହିବା ଦରକାର ନାହିଁ । ଫଟ୍ରାୟମାନା କଅଣ ଊଣା ଅଧିକେ ତ ବୁଝି ହେଉଛି । ମନ୍ଦ ହୋଇନି । ଆଚ୍ଛା, କେଉଁ ପତ୍ରିକାରେ ବାହାରିଲେ ତୋ ମନ ମାନିବ ?”

 

“ଶଙ୍କର ପତ୍ରିକାରେ ବାହାରିଲେ ମନଟା ମାନନ୍ତା । ମନ କରି ଲାଭ କଅଣ ? ସେହିଠୁଁ ତ ଥରେ ଫେରି ଆସିଛି । ବୃଥା ଭାବନା ଆଉ କରିବି କାହିଁ, ଭାବନାରେ ଆନନ୍ଦ ମିଳଇ ନାହିଁ ।”

 

‘‘ବାସ୍, ବାସ, ତୋର ଭାବିବାର ଦରକାର ନାହିଁ, କଢ଼େଇବାର ଭାର ମୋ ଉପରେ । ‘ଶଙ୍କର’ ସମ୍ପାଦକ ଏଇ କବିତାକୁ ଫେରେଇ ଦେଇଛି ତ ? ଦେଖିବୁ ତାକୁ ଏମିତି କେମ୍ପାଦକ ବନେଇବି ଯେ ନିଜ ହାତରେ ଏହାକୁ ବାଛି ପତ୍ରିକାରେ କାଢ଼ିବ । ଅବଶ୍ୟ କିଛି ସମୟ ଦରକାର ଆଉ କିଛି ଟଙ୍କା ବି ଦରକାର ।’’

 

ଗୋପାଳ ସବୁ କଥାକୁ ରାଜି । ରଘୁ କାମ ହାସଲ କରିବାକୁ ଜୋରସୋରରେ ଜାଲ ବୁଣିବାକୁ ଲାଗିଲା । ବଜାରର ଦୁଇଜଣ ଗୁଣ୍ଡା ଓ ସାହିତ୍ୟ ଚର୍ଚ୍ଚା ସହିତ ତାର ଘନିଷ୍ଠ ସମ୍ପର୍କ ଲକ୍ଷ୍ୟ କରିବା ଛଡ଼ା ଗୋପାଳ ଆଉ କିଛି ଜାଣିପାରିଲା ନାହିଁ ।

ରଘୁ ଦ୍ୱାରା ଆୟୋଜିତ ଏକ ସାହିତ୍ୟ ସଭାରେ ସଭାପତିତ୍ୱ କରି ‘ଶଙ୍କର’ ସମ୍ପାଦକ ଶ୍ରୀରାମଚନ୍ଦ୍ର ଭବନରୁ ଫେରୁ ଥାଆନ୍ତି । ରଘୁ ବି ସାଙ୍ଗରେ କଥାବାର୍ତ୍ତା ହୋଇ ଆସୁଥାଏ ଗୋଟାଏ ଅନ୍ଧାରୁଆ ଜାଗାରେ ହଠାତ୍ କଥା ନାହିଁ, ବାର୍ତ୍ତା ନାହିଁ, ଦୁଇଟା ଧୁମୁସା ଗୁଣ୍ଡା ସମ୍ପାଦକଙ୍କୁ ସାଇକେଲରୁ ଖସାଇ ପକାଇ ଗୋଟା କେତେ ବିଧା, ଚାପୁଡ଼ା ବସେଇ ଦେଲେ । ହଠାତ୍ ଏପରି ବଜ୍ରପାତରେ ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ରଘୁ କିନ୍ତୁ ସାହସର ସହିତ ପ୍ରତିବାଦ କରି କହିଲା—“ଆରେ ଆରେ, କେଡ଼େ ଅବିବେକୀ ଲୋକଗୁଡ଼ାକ, ଏ ଗୁଣ୍ଡାମି ବନ୍ଦ କର । ଏପରି ଗୁଣ୍ଡାମି ଆଉ ଚଳି ପାରିବ ନାହିଁ । ଗୁଣ୍ଡାମି ସହ୍ୟ କରିବାର ଯୁଗ ଚାଲି ଗଲାଣି । ଅଧିକ ଗୁଣ୍ଡାମି ଦ୍ୱାରା ତୁମର ଏ ଗୁଣ୍ଡାମିକୁ ଦବାଇ ଦିଆଯିବ । ସଇତାନ ଦଳ, ଅନ୍ଧାରୁଆ ଜାଗା ଦେଖି ଏ ଗୁଣ୍ଡାମି କରୁଛ । ଏ ଅନ୍ଧାର ସବୁଦିନେ ରହିବ ନାହିଁ । ଯେଉଁ ଗୁଣ୍ଡାମି ତୁମେ କରୁଛ, ସେହି ଗୁଣ୍ଡାମି ଦ୍ୱାରା ତୁମର ମୁଣ୍ଡ ଦିନେ ଫାଟିବ । ଖବରଦାର, ଏ ଗୁଣ୍ଡାମି ବନ୍ଦ କର ।”

ରଘୁର ଏ ବକ୍ତୃତା ସରୁ ନ ସରୁଣୁ ଧୁମୁସା ଲୋକ ଦି’ଟା ସମ୍ପାଦକଙ୍କୁ ଛାଡ଼ି ଅନ୍ଧାରରେ ଖସି ପଳାଇଲେ । ରଘୁ ତାଙ୍କୁ ଝାଡ଼ିଝୁଡ଼ି ଦେଇ ସାଇକେଲଟା ଧରାଇ ଦେଲା । ଗୁଣ୍ଡାମିରେ ତୀବ୍ରତା କମ୍ ଥିବାରୁ ବିଶେଷ କିଛି କ୍ଷତି ହୋଇ ନ ଥିଲା । ବଳେଇ ଦେବାକୁ ରଘୁ ସମ୍ପାଦକଙ୍କ ଘର ଯାଏ ଗଲା । ବାଟଯାକ ଏହି ଅପ୍ରତ୍ୟାଶିତ ଗୁଣ୍ଡାମିର ଚର୍ଚ୍ଚା ଚାଲିଥାଏ । ଏ ଗଣତାନ୍ତ୍ରିକ ଯୁଗରେ ଏପରି ଗୁଣ୍ଡାମି ଯେ ଅବିଳମ୍ବେ ବନ୍ଦ ହେବା ଦରକାର, ଏ ବିଷୟରେ ସମ୍ପାଦକ, ରଘୁ ସହିତ ସମ୍ପୂର୍ଣ୍ଣ ଏକମତ ହେଲେ ।

 

ଡାକରେ ଆସିଥିବା ଲଫାପା ସବୁ ଖୋଲି ପ୍ରବନ୍ଧ ଗଳ୍ପ, କବିତା ସବୁ ଦେଖୁ ଦେଖୁ ଗୋଟିଏ କବିତା ପ୍ରତି ହଠାତ୍ ଦୃଷ୍ଟି ଆକୃଷ୍ଟ ହେଲା । ଶିରୋନାମା ଲେଖାଅଛି—‘ଫଟ୍ରାୟମାନା’ । କିଛି ବୁଝି ନ ପାରି କୌତୂହଳର ସହ ସମୁଦାୟ କବିତାଟି ପଢ଼ି, ପ୍ରଧାନ ଅକ୍ଷର ଖଞ୍ଜାଳିକୁ ଡାକ ପକେଇଲେ—“କେଶବ, କେଶବ….”

 

“ଆଜ୍ଞା, କଅଣ—”

 

“କବିତା ବିଭାଗ ଅକ୍ଷର ଖଞ୍ଜା ସରିଲାଣି ?”

 

“ଆଜ୍ଞା ହଁ, ସଜେଇ ଅଧାଅଧି ହୋଇ ଗଲାଣି ।”

 

“ଆଚ୍ଛା, ସେ ‘ରୁଟି’ କବିତାଟା କାଢ଼ିଦେଇ ଏ କବିତାଟା ଶୀଘ୍ର ଖଞ୍ଜି ଭର୍ତ୍ତି କରିଦିଅ ।”

 

“ଆଜ୍ଞା, ଡେରି ହୋଇଯିବ ।”

 

“ମୁଁ ଯାହା କହୁଛି କର । ସମୟୋପଯୋଗୀ କବିତାଟିଏ ମିଳିଛି, ଛାଡ଼ିବା ଉଚିତ୍ ହେବ ନାହିଁ ।”

 

“ହଉ ଆଜ୍ଞା, ଦିଅନ୍ତୁ ।”

☆☆☆

 

କବିଖୁଣ୍ଟ

 

ଆଜିକାଲି ସଂସାରଟା ଆଉ ଗଦ୍ୟମୟ ହୋଇ ନାହିଁ । ଏକାବେଳେକେ ପଦ୍ୟମୟ । ଏହାର ପ୍ରମାଣ ହେଉଛି ସମ୍ପାଦକଙ୍କ ରଦି କାଗଜ ଖାଳେଇ । ଏହି ଖାଳେଇସବୁ ଘାଣ୍ଟିଲେ ଶତକଡ଼ା ୯୯.୯ ଭାଗ କବିତା ଅଲବତ୍ ବାହାରିବ । ଏହାର କାରଣ ଖୋଜିବାକୁ ହେଲେ ବେଶିବାଟ ଯିବାକୁ ହେବ ନାହିଁ । କବିତାଟା ହେଲା ପଚପଚିଆ ଓ ରସରସିଆ ପଦାର୍ଥ । ତାକୁ ନ ଆଦରି କେଉଁ ବୁଡ଼ବକ୍ ଶୁଖା ଖଡ଼୍ ଖଡ଼୍ ଗଦ୍ୟ ଆଡ଼କୁ ଆଖି ପକାଇବ ? କବିତା ଆବୃତ୍ତି କଲେ ସାପ, ଚଢ଼େଇମାନେ ବି ଟାଣି ହୋଇ ଆସନ୍ତି, ମଣିଷଙ୍କ କଥା ଛାଡ଼ । କେବଳ ଏଇଥିଲାଗି କବିତା ରାଜ୍ୟରେ ଏ ଠେଲାଠେଲି, ପେଲାପେଲି କୋଉବାଟେ ହେଲେ କବିତା ଲେଖିବାକୁ ହେବ । ସେଥିପାଇଁ ବାଟ, ଅବାଟ, ମଡ଼ା ଅମଡ଼ା ବିଚାର ନାହିଁ । କବିତା ଲେଖା ଗଲୁ ବିଛୁଆତି ଗଲୁକୁ ଟପି ଗଲାଣି । ଏହି ଗଲୁ ନିବାରଣ ପାଇଁ ଜଣେ କବିତା ଲେଖି ବସିଲେ । ମନେ ମନେ ଭାବିଲେ—ଖୁବ୍ ପରିଶ୍ରମକରି ସବୁଠାରୁ ବଢିଆ କବିତାଟାଏ ଲେଖିଦେବା । ଏଡ଼େ ବଡ଼ କାମଟାଏ ଯେତେବେଳେ ହାତକୁ ଯାଉଛି ସେତେବେଳେ ଅନ୍ତତଃ ଜଣେ ପୋଖତ୍ କବିଙ୍କୁ ଟିକିଏ ପଚରା ପଚରି କରି ନେଇଥିବା ଦରକାର । ପୋଖତ୍ ହୋଇ ଏକଦମ୍ ଝଡ଼ିବା ଉପରେ ବସିଥିବା ଜଣେ କବିଙ୍କୁ ଭଲ କବିତାର ହାତ ଗୋଡ଼ କିପରି ଓ ତାକୁ କିପରି ଗଢ଼ିବାକୁ ହୁଏ ପଚାରିଲେ ।

 

କବି ବର୍ଣ୍ଣନା କଲେ—“କବିତା ଲେଖିବାର ଗୋଟିଏ ନିଶା ଦରକାର । ନିଶା ନ ହେଲେ ଭଲ କବିତା ବାହାରିବ ନାହିଁ । ଭଲ କବିତାରେ ଏହିସବୁ ଜିନିଷରୁ ଅନ୍ତତଃ କିଛି କିଛି ରହିବା ଦରକାର—ଗଭୀର ଅର୍ଥ—କବିତାଟି ପଢ଼ିଦେଲେ ଗୋଟିଏ ଉପର ଠାଉରିଆ ଅର୍ଥ ବାହାରୁଥିବ; କିନ୍ତୁ ଖୁବ୍ ଭିତରକୁ ଖୋଲି ଦେଲେ ଆଉ ଗୋଟିଏ ସୁନ୍ଦର ଅର୍ଥ ବାହାରୁଥିବ । ଆଉ ବି ଦେଖ, ସ୍ତ୍ରୀ ଲୋକମାନେ ଅଳଂକାର ପିନ୍ଧିଲେ କିପରି ସୁନ୍ଦର ଦିଶନ୍ତି, କବିତାକୁ ସେହିପରି ଅଳଂକାର ଯୁକ୍ତ କରିବା ଦରକାର । ଏହା ନାନା ପ୍ରକାର ହୋଇପାରେ; ଯଥା—ଯମକ, ଅନୁପ୍ରାସ, ଶ୍ଲେଷ, ଧ୍ୱନି, ଉପମା, ଛନ୍ଦ, ଶୃଙ୍ଖଳା, ବିରୋଧାଭାସ, ରୂପକ, ଅନ୍ତର୍ଲିପି, ବହିର୍ଲିପି, ବନ୍ଧ, ବକ୍ରୋକ୍ତି, ଉଚ୍ଚ ଆଦର୍ଶ, ଜଗତ୍‍ଦର୍ଶନ, ରସ, ଲୋକପ୍ରିୟତା ଇତ୍ୟାଦି । ଏସବୁ ପ୍ରତି ନଜର ଦେଇ କବିତା ଲେଖିବାକୁ ହେବ । ତୁମ୍ଭେ ଗୋଟିଏ ଏମିତିଆ କବିତା ଲେଖି ମୋ ପାଖକୁ ଆଣ । ମୁଁ ସଂଶୋଧନ କରିଦେବି ।

 

କସିକବି ଉପଦେଶତକ ମୁଣ୍ଡରେ ଢୁକେଇ ଘରକୁ ଫେରିଲେ । ଶୁଭଦିନ ଦେଖି ଲେଖା ଆରମ୍ଭ କଲେ । ଗୁରୁ କହିଛନ୍ତି—କବିତା ଲେଖାର ଗୋଟାଏ ନିଶା ଦରକାର । ତେଣୁ ସେ ଲେଖିବା ଦିନ ସୁଉକି ଓଜନର ପତି ଆଚ୍ଛା କରି ବାଟି, ସରବାତ କରି ପିଇଦେଲେ । ମନ୍ଦାର ଫୁଲ ପରି ଆଖି ଦିଓଟି ଢୁଳୁ ଢୁଳୁ କରି ଓ କାଗଜରେ ଟିପି ନେଇଥିବା ବିଷୟଗୁଡ଼ିକ ଦେଖି କବିତାଟାଏ ଲେଖିଦେଲେ ଓ ତା ପରଦିନ ତାକୁ ନେଇ ଗୁରୁଙ୍କ ପାଖକୁ ଗଲେ ।

 

କୌଣସି କଦର୍ଯ୍ୟ ପଦାର୍ଥ ଆଘ୍ରାଣ କଲା ପରି ନାସିକା କୁଞ୍ଚନ ଓ ମୁଖ ବିକୃତ କରି ଗୁରୁ କବିତାଟି ପଢ଼ିଲେ—

 

“ବାଳଛିଣ୍ଡାନଳ ଇନ୍ଧନ ଛୁଆ ଦେଶର ମଥା,

ବାସୀଉଠି ଗୌରୀଶଙ୍କର ପାଏ ଅଣ୍ଟାରେ ବଥା ।

ପେଏଁ ଗୁଡ଼ୁ ଗୁଡ଼ୁ ତା ଗୁଡ଼ୁ ‘ଲଙ୍ଗ୍‍ଲିଭ୍’ କୁହାଟି,

ଇପାରି ପଦାର୍ଥ ଦେଇଣ ନେଲେ ତାକୁ ପାଛୋଟି ।

ଓଲଟା ଗରମ ହେବାରୁ ନାକୁ ବହଇ ପାଣି,

ତୋଷରସ କରି ଗରମ ଦେଲେ ତାହାକୁ ଆଣି ।

ଚାଉଳର ଭାଇ ହୃଦୟ ଲଙ୍କା ଲୁଣ ସହିତେ,

ଘିଏ ରନ୍ଧାରନ୍ଧି କରିଣ ଦେଲେ ତାହାର ହାତେ ।

ଦିଅଁ ମୁଣ୍ଡ ବାସୀମାଳକୁ ଗଳେ ଛନ୍ଦିଣ ଦେଲେ,

ବନ୍ଧୁକ ହାତିଆ ସମସ୍ତେ ମୁଖେ ବୁବୈରେ କଲେ ।

ପାକିସ୍ଥାନ ଫାଳ କହିଲା ଏ ତ ଆମର ଲୋକ,

ଗୋଲ ମୁହାଁ କହେ ନାହିଁ ରେ ଏ ତ ଆମର ଟେକ ।

ବଙ୍କେଇ ବଙ୍କେଇ କହିଲା ବଂଶୀ ତ୍ରିଜଟା ହଣ୍ଟ,

ହନୁରୁପୀ ମହାବୀରକୁ ବଡ଼ ଲାଗିଲା କଷ୍ଟ ।

ଶ୍ରୀମନ୍ଦିରବାସୀ ଠାକୁରେ ମନେ ଦର୍ଶନ କରେ,

ଲେଖାଥାଉ ତୋ ନାଁ ବାହାରେ ସଦା ମୋର ଭିତରେ ।”

 

ଗୁରୁ ଶିଷ୍ୟଙ୍କ ମୁହଁକୁ ଆଁ’ କରି ଚାହିଁ କହିଲେ—“ଆରେ ବାବା, ତୁମେ ସାକ୍ଷାତ୍ ଅର୍ଜ୍ଜୁନ-। ମୋ ପରି ଗୋରୁକୁ ସତର ପଟା ଚିତା କାଟିଦେବ । ଏ ତ ଇଂରେଜୀ, ଓଡ଼ିଆ, ବଙ୍ଗଳା, ଫାରସୀ କି ଆରବୀ ମୁଁ କିଛି ଜାଣିପାରୁ ନାହିଁ ।” ଶିଷ୍ୟ ଉଲୁସି ଉଠି କହିଲା—“ଆଜ୍ଞା, ସବୁଥିରେ ଗଭୀର ଅର୍ଥ । ଅର୍ଥକୁ ନେଇ ମୁଁ ସାତ ତାଳ ପାଣି, ଚଉଦ ତାଳ ପଙ୍କ, ଅଠେଇଶ ତାଳ ମାଟି ତଳେ ପୋତି ରଖିଛି । ସେତିକି ପରିଶ୍ରମରେ ଖୋଳା ନ ହେଲେ ଅର୍ଥ ବାହାରିବ ନାହିଁ । ଭଲ କବିତାର ଲକ୍ଷଣସବୁ ଆପଣଙ୍କଠାରୁ ଟିପି ନେଇଥିଲି । ସେସବୁ ଏହି କବିତା ଭିତରେ ରଖିଛି-। ଗୁରୁ ଖନେଇ ଖନେଇ କହିଲା—“ହଉ ବାବା, ତୁମେ ସାବଳରେ ଖୋଳ । ମୁଁ ଚିତ୍‌ପଟାଙ୍ଗ୍ ମାଇଲି-।”

 

ଶିଷ୍ୟ ଆରମ୍ଭ କଲେ—“ ବାଳଛିଣ୍ଡାନଳ ବାଳଛିଣ୍ଡା ଅନଳ, ବାଳ ଛିଣ୍ଡାଏ ସବୁଠାରୁ ବେଶି କିଏ ?—ଦୁର୍ବାସା ଋଷି , ତାହାର ଅନଳ ଅର୍ଥାତ୍ ରାଗ, ତାର ଇନ୍ଧନ ବା ତହିଁରେ ଯେ ପୋଡ଼ି ଯାଇଥିଲା, ଅର୍ଥାତ୍ ଶକୁନ୍ତଳା, ତାର ଛୁଆ ବୋଇଲେ ଭରତ, ତାର ଦେଶ, ଅର୍ଥାତ୍ ଭାରତବର୍ଷ । ତାର ମଥା, ଅର୍ଥାତ୍ ମୁଣ୍ଡ ଉପରେ ଯେ ଅଛି, ଅର୍ଥାତ୍ ନେପାଳ, ତାର ବାସୀ ଅଟେ ଯେ ସେରପା ଟେନ୍‌ସିଂ । ଗୌରୀ ଶଙ୍କର ଅର୍ଥାତ୍ ଏଭରେଷ୍ଟ ଶୃଙ୍ଗ ଉପରେ ଉଠି ଅଣ୍ଟାରେ ବଥା ବା ପଛପଟେ ପ୍ରାସ ପାଇଲା । ଦେଖନ୍ତୁ, କବିତାର ଏହି ଅଂଶରେ ଉଚ୍ଚ ଆଦର୍ଶ ଓ ଅନୁପ୍ରାସ ଅଛି । ପୃଥିବୀର ସବୁଠାରୁ ଉଚ୍ଚ ଶୃଙ୍ଗ ଏଭରେଷ୍ଟ ବିଜୟ ଏକ ଅତି ଉଚ୍ଚ ଆଦର୍ଶ । ଅନୁପ୍ରାସ ବି ଦେଖନ୍ତୁ, ଅନୁବୋଇଲେ ପଛରେ, ପ୍ରାସ ବୋଇଲେ ପୀଡ଼ା ବା ବଥା । ଅଣ୍ଟାରେ ତ ବଥା ହୋଇଛି । ପେଁ ଗୁଡ଼ୁ ଗୁଡ଼ୁ ତାଗୁଡ଼ୁ ଏଗୁଡ଼ା ହେଉଛି ବାଜା, ଫୋଟକା, ପେଁକାଳି ଶବ୍ଦ କରି “ଲଙ୍ଗ୍‍ଲିଭ୍” କୁହାଟି, ଅର୍ଥାତ୍ ଦୀର୍ଘଜୀବନ କାମନା ସୂଚକ ଧ୍ୱନିମାନ କରି ଏବଂ ଇପାରି ପଦାର୍ଥ ଦେଇଣ, ଅର୍ଥାତ୍ ମେଡାଲାଦି ଅଳଙ୍କାରରେ ଭୂଷିତ କରି ଲୋକେ ତାଙ୍କୁ ପାଛୋଟି ନେଇଗଲେ । ଏହି ଅଂଶରେ ଦେଖନ୍ତୁ ଶୋଭାଯାତ୍ରାଦି ଯାକଯମକ, ଦୀର୍ଘଜୀବନ କାମନା ସୂଚକ ଧ୍ୱନି, ଇପାରି ଗୋବିନ୍ଦର ଅଳଙ୍କାର ଅଛି । ପୁଣି ଦେଖନ୍ତୁ, ଓଲଟା ଗରମ ବା ଗରମର ଓଲଟା, ଅର୍ଥାତ୍ ଥଣ୍ଡା ହେବାରୁ ନାକରୁ ପାଣି ବୋହିଲା, ଅର୍ଥାତ୍ ଶ୍ଳେଷ୍ମା ଆସି ପକଡ଼ିଲା । ତୋଷରସ କରି ଗରମ, ଅର୍ଥାତ୍ ଗରମ ‘ତୋଷ୍ ଚା’ର ବା ଆଜିକାଲିର ବଢ଼ିଆ ରସ ପିଇବାକୁ ଦେଲେ । ଏଠାରେ ଶ୍ଳେଷ୍ମା ଓ ଉତ୍କୃଷ୍ଟ ରସ ରହିଲା । ଚାଉଳର ଭାଇ ଅଟେ ଗହମ, ତାର ହୃଦୟ ବୋଇଲେ ସୁଜି, ତାକୁ ଘିଅରେ ରାନ୍ଧି ଲୁଣ ଲଙ୍କା ଦେଲେ, ବଢ଼ିଆ ଉପମା ତିଆରି ହୁଏ । ଲୋକେ ସେହି ଉପମାକୁ ଟେନ୍‌ସିଂକୁ ଖାଇବାକୁ ଦେଲେ । ଏଠି ଚମତ୍କାର ଉପମା ରହିଲା । ଦିଅ ମୁଣ୍ଡ ବାସୀ ଅର୍ଥାତ୍ ଫୁଲ, ତାର ମାଳକୁ ତା ଗଳାରେ ଛନ୍ଦି ଦେଲେ । ହେଇ ଆସିଲା ଛନ୍ଦ । ବନ୍ଧୁକ-ହାତିଆ ବା ସୈନିକମାନେ ମୁଖରେ ବୁବୈରେ ବୁବୈରେ, ଅର୍ଥାତ୍ ଆନନ୍ଦସୂଚକ ଧ୍ୱନି କଲେ । ଏଠାରେ ଆସିଲା ଶୃଙ୍ଖଳା ଓ ପୁଣି ଧ୍ୱନି । ସୈନିକମାନଙ୍କର ତ ସବୁଠାରୁ ବଡ଼ କଥା ଶୃଙ୍ଖଳା । ପାକିସ୍ଥାନ ଫାଳ, ଅର୍ଥାତ୍ ଯାହାର ଗୋଟିଏ ଫାଳ ହେଉଛି ପାକିସ୍ଥାନ ଏମନ୍ତ ଯେ ପଶ୍ଚିମବଙ୍ଗ, ତାର ଲୋକେ କହିଲେ—ଟେନ୍‌ସିଂ ଆମର ଲୋକ । ଗୋଲମୁହାଁ ବା ନେପାଳୀମାନେ କହିଲେ—ନା, ସେ ଆମର । କ୍ରମେ ଏହିପରି ବିରୋଧର ଆଭାସ ମିଳିଲା । ବିରୋଧଭାସ ମିଳିଲା କି ନାହିଁ ? ତ୍ରିଜଟାବଂଶୀ ହଣ୍ଟ, ଅର୍ଥାତ୍ ଇଂଲଣ୍ଡବାସୀ ହଣ୍ଟ୍ ସାହେବ ଟେନ୍‌ସିଂ ବିଷୟରେ ବଙ୍କେଇ ବଙ୍କେଇ କହିଲା । ହଣ୍ଟର ଟେନ୍‌ସିଂକୁ ଟିକିଏ ନ୍ୟୂନ କରିଦେବାର ଇଚ୍ଛା; ଅଥଚ ସିଧାସଳଖ କହିଦେଲେ ଲୋକେ ଛି-ଛାକର କରିବେ । ତେଣୁ ସେ ବଙ୍କେଇ କରି କଥାଟାକୁ କହିଲେ—ଟେନ୍‌ସିଂ ଏଭରେଷ୍ଟ ଉପରେ ଉଠିଲା ସତ; କିନ୍ତୁ ତାର ଜ୍ଞାନ ବଡ଼ ସୀମାବଦ୍ଧ । ଏଥିରେ ବଙ୍କେଇ ବଙ୍କେଇ କଥା ବା ବକ୍ରୋକ୍ତି ରହିଲା ତ ? ହନୁମନ୍ତ କପିଳାସ ଉପରେ ଚଢ଼ିଥିଲେ, ଟେନ୍‌ସିଂ ସେହି କପିଳାସ ବା ହିମାଳୟ ଉପରେ ଚଢ଼ିଲେ । ତେଣୁ ସେ ହନୁରୂପକ ମହାବୀର ହେଲେ । ତାହାଙ୍କୁ ଏ କଥା ବଡ଼ କଷ୍ଟ ଦେଲା । ଏଠି ରହିଲା ରୂପକ । ଶ୍ରୀମନ୍ଦିରବାସୀ ଠାକୁରେ, ଅର୍ଥାତ୍ ଜଗନ୍ନାଥଙ୍କୁ ମନେ ମନେ ଦର୍ଶନ କଲେ ବା ଚିନ୍ତା କଲେ । ଏଠାରେ ବନ୍ଧ ଓ ଉଚ୍ଚ ଦର୍ଶନ ଅଛି କି ନାହିଁ ଦେଖନ୍ତୁ । ଶ୍ରୀମନ୍ଦିରରେ ଗୋଟିଏ ବନ୍ଧ ନୁହେଁ ଏକାବେଳକେ ଚଉଷଠି ବନ୍ଧ ଅଛି । ଆଉ ଜଗନ୍ନାଥଙ୍କ ଦର୍ଶନ ସବୁଠାରୁ ଉଚ୍ଚ ଦର୍ଶନ ନୁହେଁ କି ? ଏତେ ବଡ଼ ଗୌରବ ଟେନ୍‌ସିଂ ପାଇଥିବାରୁ ଜଗନ୍ନାଥଙ୍କୁ ସ୍ମରଣ କରି ପ୍ରାର୍ଥନା କରୁଅଛନ୍ତି କି–“ହେ ଭଗବାନ, ଆପଣଙ୍କ ନାମ ସଦା ମୋର ଭିତରେ ଓ ବାହାରେ ଲିପିବଦ୍ଧ ହୋଇ ରହିଥାଉ-।” ଏଠାରେ ଅନ୍ତର୍ଲିପି ଓ ବହିର୍ଲିପି ଆସିଲା ଦେଖିଲେ ତ ? ଆହୁରି ବି ମୋଟାମୋଟି ଦେଖନ୍ତୁ, କବିତା ବସ୍ତୁଟି ଅତି ଲୋକପ୍ରିୟ । ଏତେ ଲୋକପ୍ରିୟ ଯେ ପୃଥିବୀର ସବୁ ଖବର କାଗଜରେ ଏହି କଥା । ପୃଥିବୀର ଲୋକେ ଏହି ବିଷୟ ଚର୍ଚ୍ଚା କରିବା ପାଇଁ ଭୋକ ଭୁଲି ଯାଉଅଛନ୍ତି-। ଆଜ୍ଞା, ଆପଣଙ୍କ ମତାମତ କହନ୍ତୁ । ଏଡେ ବଡ଼ ଗଭୀର ଅର୍ଥପୂର୍ଣ୍ଣ କବିତାକୁ ମୁଁ ପାଞ୍ଚ ମିନିଟରେ କରି ଦେଇଛି ।”

 

ଆଁ ବନ୍ଦକରି ଓ ଗଭୀର ନିଶ୍ୱାସ ତ୍ୟାଗକରି ଗୁରୁ କହିଲେ—“ବାପରେ ବାପ୍ ! ମଣିଷ ଅଣନିଶ୍ୱାସୀ ହୋଇଯିବ । ଏପରି କ୍ଷଣଜନ୍ମା କବିଙ୍କୁ କି ଉପାଧି ଦିଆଯିବ ? କବି ସମ୍ରାଟ, କବିଚନ୍ଦ୍ର, କବିସୂର୍ଯ୍ୟ, କାନ୍ତକବି, ଦରଦୀ କବି, କବି ଶ୍ରେଷ୍ଠ, କବି ତିଳକ, କବି ଶିରୋମଣି ଇତ୍ୟାଦି ଉପାଧିମାନ ତ ଆଗରୁ ଦିଆସରିଛି । ତେବେ ମୁଁ ଅତି ଆଦରରେ ତୁମ୍ଭଙ୍କୁ ‘କବିଖୁଣ୍ଟ’ ଉପାଧିଟି ଦେଉଛି ।’’

☆☆☆

 

କବି ଓ ସମାଲୋଚକ

 

ଭାଙ୍ଗମିଶା ବେଲପଣାରୁ ଗିନାଏ ପିଇ ସମସ୍ତେ ଟିକିଏ ଆରାମ ହୋଇ ବସିଲେ । ମିଞ୍ଜାସ୍‌ଟା ବି ସମସ୍ତଙ୍କର ଟିକିଏ ଟର୍‌ର୍ ହୋଇଗଲା । ଊଣା ଅଧିକେ ସମସ୍ତେ କବି ବା ସମାଲୋଚକ । କବିତା ବିଷୟରେ ତେଣୁ ସରଗରମ ଚର୍ଚ୍ଚା ଚାଲିଲା । ଜଣେ କହି—“କବି ଅପେକ୍ଷା ସମାଲୋଚକର ବାହାଦୁରୀ ଆହୁରି ବେଶି । ଯେତେ ବଡ଼ ଖରାପ କବିତା ହୋଇଥାଉ ପଛକେ ସମାଲୋଚକ ତାକୁ ଦୁହିଁ ସେଥିରୁ ବଢ଼ିଆ ବଢ଼ିଆ ଜିନିଷ କାଢ଼ି ଥୋଇଦେବ । ତେଣୁ ସମାଲୋଚକର ସ୍ଥାନ କବିଠାରୁ ଆହୁରି ଉପରେ ।” ଜଣେ ଝାମ୍ପୁରା ମୁଣ୍ଡିଆ କବି ପ୍ରତିବାଦ କରି ଉଠିଲେ—“ଆରେ ରଖ ହୋ ଚେର ଥିଲେ ସିନା ତୁମେ ଦୁହିଁବ । ଚେର ତ ସୃଷ୍ଟିକଲା କବି । ତେଣୁ କବିର ଆସନ ଉପରେ ।”

 

ଉଚ୍ଚବାଚ କ୍ରମେ ବଢ଼ିଲା । ଅତିଥି ଚର୍ଚ୍ଚାକାରୀ ଭଦ୍ରଲୋକଟି କହିଲେ—“ଆଚ୍ଛା ଏତେ ଉଚ୍ଚବାଚରେ ଲାଭ କଣ ? ମୁଁ ଗୋଟିଏ ଘଟଣା କହୁଛି । ତାକୁ’ଇ କେନ୍ଦ୍ର କରି କବି ଓ ସମାଲୋଚକ ନିଜ ନିଜର କରାମତି ଦେଖନ୍ତୁ ।”

 

ଗୋଟିଏ ପୋଖରୀ କୂଳରେ ଗୋଟିଏ ସୁନ୍ଦର ପୁରୁଷ ଠିଆ ହୋଇଥିଲା । ନିକାଞ୍ଚନ ସ୍ଥାନ ହେତୁ ଗୋଟିଏ କଦାକାର କାଳୀ ଖୁକୁଣ୍ଡୀ ମାଇକିନିଆ ତା ପ୍ରତି ଆକୃଷ୍ଟ ହୋଇ ତା ଆଡ଼କୁ ଧାଇଁଗଲା । ହଠାତ୍ ପୁରୁଷଟି ତାକୁ ଦେଖି ଭୟରେ ପାଣିକି ଡେଇଁ ପଡ଼ିଲା । ତା ପରେ ଯେତେବେଳେ ପ୍ରକୃତିସ୍ଥ ହେଲା ଓ ତାକୁ ଭଲ ଭାବରେ ଚିହ୍ନି ପାରିଲା ସେତେବେଳେ ସେ ସ୍ତ୍ରୀ ଲୋକକୁ ଡାକି କହିଲା—“ହେ ହେ, ମୋତେ ଟିକିଏ ପୋଖରୀ ପାଣିରୁ ଉଠାଇ ନେ ।” ସେହି ଲୋକର କଥାକୁ କେନ୍ଦ୍ର କରି ଆପଣମାନେ ନିଜ ନିଜର କରାମତି ଦେଖାନ୍ତୁ ।

 

କବି ଉଠିପଡ଼ି କହିଲେ—“ରହ, ଶୁଖିଲା ଚେରଟାଏ ଦେଉଛି ଯେ କେମିତି ଦୁହିଁବ ଦେଖିବା । ଧର, ସେ ଲୋକଟି କହିଲା—

 

‘‘ଗୋବର ବରନା ସଖି ଆରେ,

ସରସୀ ବାରିରୁ ରଖି ଯା’ ରେ !”

 

ଖୋଲିଗଲା ସ୍ପ୍ରିଂ ପରି ଉଠିପଡ଼ି ସମାଲୋଚକ କହିଲେ—ଏଇ ତ, ତୁମେ ଏଇ ଅର୍ଥ କରିଥିବ ଯେ, ଗୋବର ପରି ବର୍ଣ୍ଣ ଅର୍ଥାତ୍ କାଳୀ ସ୍ତ୍ରୀଲୋକଟିକୁ ପୁରୁଷ କହୁଛି—“ସଖି, ଏ ପୋଖରୀ ପାଣିରୁ ମୋତେ ତ୍ରାଣ କରି ନେଇଯା” କିନ୍ତୁ ମୁଁ କହୁଛି ତାହା ନୁହେଁ । ଦେଖ ହେଇ ମୁଁ ଦୁହିଁଲି—ଗୋ ବରବରନା ସଖି; ଅର୍ଥାତ୍ ହେ ଶ୍ରେଷ୍ଠବର୍ଣ୍ଣା ଅର୍ଥାତ୍ ତକ୍ ତକ୍ ଗୋରୀ ସଖି, ଅର୍ଥାତ୍ ବାନ୍ଧବୀ ତୁ ଆ । ଅର୍ଥାତ୍ ତୁ ମୋ ପାଖକୁ ଆ । ଆଉ ଶର-ଶିବାରି; ଶର ବୋଇଲେ ଧନୁଶର, ଶିବାରି ବୋଇଲେ ଶିବଙ୍କର ଅରି ଅର୍ଥାତ୍ କାମଦେବ—ସେଇ କାମଦେବଙ୍କ ଶରରୁ ଅର୍ଥାତ୍ କାମଦେବ ମୋତେ ଯେଉଁ ପୀଡ଼ା ଦେଉଛି ତହିଁରୁ ରଖି ଯା; ଅର୍ଥାତ୍ କନ୍ଦର୍ପ ପୀଡ଼ାରୁ ମୋତେ ରକ୍ଷାକର । ଦେଖ, ଦୁହିଁ କାଢ଼ିଲି କି ନାହିଁ ?”

 

କବି କହିଲେ—“ହଁ, ଯୋଗକୁ ବାଜିଗଲା ।”

 

ସମାଲୋଚକ କହିଲେ—“ଏଁ, ବାଜିଗଲା ! ଦେଖ, ଫେର୍ ଦୁହିଁବି । କିନ୍ତୁ ତା ପୂର୍ବରୁ ଟିକିଏ ଭୂମିକା ଦେଇଦିଏଁ । ଥରେ ମହାଦେବ ତାଙ୍କ ଷଣ୍ଢକୁ କହିଲେ—“ଆରେ, ତୁ ଯା ମର୍ତ୍ତ୍ୟଲୋକଙ୍କୁ କହିଦେବୁ ସେମାନେ ତିନି ଦିନରେ ଥରେ ଖାଇବେ ।” ଷଣ୍ଢଟି ବିଚରା ସେଦିନ କୋଉଠି ଓଦା ଖାଇବ ବୋଲି ଭାବି ଯାଉ ଯାଉ ତା ମୁଣ୍ଡରେ ଗଣ୍ଡଗୋଳ ହୋଇଗଲା । ସେ ତିନିଦିନରେ ଥରେ କଣ କହିବ ଓଲଟା କହିଲା—“ହେ ମର୍ତ୍ତ୍ୟବାସୀଗଣ, ଦିନକୁ ତିନିଥର ଖାଅ । ମହାଦେବଙ୍କ ଆଜ୍ଞା ।” ୟାଡ଼େ ମର୍ତ୍ତ୍ୟରେ ସମସ୍ତେ ଦିନକୁ ତିନିଥର କରି ଖାଇଲେ । ଖାଦ୍ୟାଭାବ ପଡ଼ିଲା । ଗୋଟାଏ ଗାଁ’ରେ ଲୋକେ କିଛି ଖାଇବାକୁ ପାଇଲେ ନାହିଁ । ତିନି ଚାରିଦିନ ଯାଏଁ ଗାଁ ପୋଖରୀରୁ ପେଟେ ଲେଖାଏଁ ପାଣି ପିଇଲେ । ସେମାନେ ଜାଣିପାରିଲେ ଯେ ମହାଦେବଙ୍କ ଷଣ୍ଢଯୋଗେ ଏ ବିପତ୍ତି ପଡ଼ିଲା । ସେ ଯଦି ଆମର ଦିନରେ ତିନିଥର ଖିଆକୁ ବନ୍ଦ କରନ୍ତା, ତେବେ ଆମର ଏ ପୋଖରୀ ପାଣି ପିଆର କଷ୍ଟ ରହନ୍ତା ନାହିଁ । ମନେକର ଗାଁ ଲୋକମାନେ ଏହି କବିତାଟି ପଢ଼ି ମହାଦେହଙ୍କ ଷଣ୍ଢକୁ ଡାକୁଛନ୍ତି—‘ଗୋ-ବର ବର’, ଗୋ ଅର୍ଥାତ୍ ଗାଈ, ଗାଈର ବର ହେଲା ଷଣ୍ଢ; ଗୋବର ବର ହେଲା ଶ୍ରେଷ୍ଠ ଷଣ୍ଢ; ଅର୍ଥାତ୍ ହେ ମହାଦେବଙ୍କ ଷଣ୍ଢ, ନାଶ ଅର୍ଥାତ୍ ନଷ୍ଟ କର; ଖିଆରେ ଅର୍ଥାତ୍ ଆମ୍ଭର ଏହି ଦିନରେ ତିନିଥର ଖିଆକୁ ନଷ୍ଟ କର । ଏବଂ ‘ସରସୀ ବାରିରୁ ରଖିଯା’ରେ’; ଅର୍ଥାତ୍ ପୋଖରୀ ପାଣି ପିଆରୁ ରଖିଯା’ରେ, ଅର୍ଥାତ୍ ରକ୍ଷା କର । ଦେଖ, ଫେର୍ ଦୁହିଁଲି କି ନାହିଁ ? ଆଉ ଗୋଟାଏ ଭୂମିକା ଶୁଣ—

 

ଗୋଟିଏ କଳିତୁଣ୍ଡୀ ଭାରିଯା ତା ଗେରସ୍ତକୁ ଗୋଟାଏ ଦଉଡ଼ି ଦ୍ୱାରା ଖୁଣ୍ଟରେ ବାନ୍ଧି ଦେଇଥିଲା । ସେ ବିଚରା ବିକଳ ହୋଇ ତା’ ଭାରିଯାକୁ ଡାକି କହୁଛି—“ଗୋ ବରବରନା, ଅର୍ଥାତ୍ ଗୋ ନାବରବର ଅର୍ଥାତ୍ ଯେ ବର୍‌ବର୍ ହୁଏ ନାହିଁ (ଯେପରି ନାମରଦା ଅର୍ଥ ପୌରୁଷବିହୀନ) ସେହିପରି ରେ ସଖି, ତୁ ଆ’ରେ । ଗୋଦରୀକୁ ସୁନ୍ଦରୀ କହିଲେ ସେ ଗୋଡ଼ ବୁଲାଇ ବୁଲାଇ ପକାଏ । ସେହିପରି ବର୍‌ବର୍‌ ହେଉଥିବା ସ୍ତ୍ରୀକୁ ବର୍‌ବର୍‌ ହେଉ ନ ଥିବା ସ୍ତ୍ରୀ ବୋଲି କହିଲେ ସେ ଖୁସି ହୋଇଯିବ ବୋଲି ଭାବି କବି ତାକୁ ନାବରବର ବୋଲି କହିଲେ । ସରସୀ ବାରିରୁ ଅର୍ଥାତ୍ ସରଶି କି ରଶି ଅର୍ଥାତ୍ ଦଉଡ଼ିଯୁକ୍ତ ହୋଇଥିବ ବାରିରୁ ଅର୍ଥାତ୍ ବନ୍ଧନରୁ ଅର୍ଥାତ୍ ମୁଁ ଯେ ଏଠାରେ ଦଉଡ଼ିରେ ବନ୍ଧା ହୋଇ ପଡ଼ିଛି, ସେଥିରୁ ମୋତେ ରଖିଯା; ଅର୍ଥାତ୍ ଖୋଲିଦେ ।

 

ପୁଣି ଦୁହିଁଚି ଦେଖ—ଜଣେ ଶିଷ୍ୟ ଗୁରୁଙ୍କୁ ଗୋଟିଏ କବିତା ଦେଖାଇଲେ । ସେଥିରେ ଲେଖାଥିଲା—

 

ଖିଲିଖିଲି ଚୋଖି ମୁଖି ସୁଖି ସଖି ରେ

ଖିରି ଖିରିଷାକୁ ଚାଖି ଗଲୁ ଲାଖିରେ ।

 

ଗୁରୁ କବିତାକୁ ଦେଖି ଚିଡ଼ିଯାଇ କହୁଅଛନ୍ତି—ଗୋବର ବର ନାଶ ଖିଆରେ—ଅର୍ଥାତ୍ ଆରେ ‘ଗୋବ’ ବା ମୂର୍ଖ, ତାହାର ବର ଅର୍ଥାତ୍ ଶ୍ରେଷ୍ଠମୂର୍ଖ ‘ଖି’ ନାଶ; ଅର୍ଥାତ୍ ଏହି ଯେ ଏତେ “ ଖି” ଅକ୍ଷର ବ୍ୟବହାର କରିଛୁ ତାହା ନାଶ କର; ଅର୍ଥାତ୍ ଉଠାଇ ଦେ । ସରସୀ ଅର୍ଥାତ୍ ଆତ୍ମପ୍ରଶଂସା, ବାରି ବୋଇଲେ ଆବରଣ; ଅର୍ଥାତ୍ ଆତ୍ମବଡ଼ିମା ରୂପକ ଆବରଣରୁ ରଖି ଯା, ଅର୍ଥାତ୍ ଏହି କବିତାକୁ ରକ୍ଷାକର ।

 

ପୁଣି ଦୁହିଁବି ? ଆଚ୍ଛା ହଉ ଦେଖ—ଗୋଟିଏ ଯୁବତୀକୁ ଦୁଇଜଣ ଆଖେଇ ଥାଆନ୍ତି । ତା ମଧ୍ୟରୁ ଜଣେ ଖୁବ୍ ଗାଇଲାବାଲା । କାଳେ ତା ପ୍ରତି ଯୁବତୀଟି ଢଳି ପଡ଼ିବ, ସେଥିଲାଗି ଅନ୍ୟ ଜଣକ ଆଗତୁରା ଯୁବତୀଟିକୁ ପ୍ରାଣ ବିକଳରେ କହି ପକାଉଛି—‘ଆରେ ସଖି ଗୋ-ବର ବରନା’; ଅର୍ଥାତ୍ ରେ ସଖି, ଗୋ ବୋଇଲେ ଗାୟକ, ବର ବୋଇଲେ ଶ୍ରେଷ୍ଠ, ସେହି ଶ୍ରେଷ୍ଠ ଗାୟକକୁ ବରଣ କରନା । ଶର ଶିବାରିରୁ, ଅର୍ଥାତ୍ କନ୍ଦର୍ପ ପୀଡ଼ାରୁ ରଖି ଯା, ଅର୍ଥାତ୍ ମୋତେ ରକ୍ଷା କର; ଅର୍ଥାତ୍ ସେହି ଗାୟକ ଶ୍ରେଷ୍ଠକୁ ବରଣ ନ କରି ମୋତେ ବରଣ କର ।

 

ଦେଖ ପୁଣି ଦୁହିଁଚି । ଗୋଟିଏ ଲୋକକୁ ଗୋଟିଏ କୁକୁର କାମୁଡ଼ି ଦେଲା । ପାଖରେ ଗୋଟିଏ ବଳୁଆ ଗଉଡ଼ ଟୋକା ଠିଆ ହୋଇ ଚୁନପତ୍ର ଖାଉଥିଲା । ଲୋକଟି ବିକଳରେ ଡାକ ପକେଇଲା—ରେ ନାଶଖିଆ ଗୋବର ବର, ଅର୍ଥାତ୍‌ରେ ଚୁନପତ୍ର ଖାଉଥିବା ବର ଗୋବର । ବର ଅର୍ଥାତ୍ ଶ୍ରେଷ୍ଠ, ଗୋ ଅର୍ଥାତ୍ ଗୋରୁ, ବର ଅର୍ଥାତ୍ ବାଳକ; ଅର୍ଥାତ୍ ହେ ଚୁନପତ୍ର ଖାଉଥିବା ଗଉଡ଼ ପିଲା, ଶିବାରୀ ଶରରୁ ଅର୍ଥାତ୍ ଶିବା ଯେ ବିଲୁଆ, ତାହାର ଅରି, ଅର୍ଥାତ୍ ଶତ୍ରୁ ଯେ କୁକୁର ତାହାର ଶର ଅର୍ଥାତ୍ ଆଘାତ, ସେଥିରୁ ରଖି ଯା ଅର୍ଥାତ୍ ମୋତେ ରକ୍ଷାକର ।’’

 

ସମସ୍ତେ ଆଁ” କରି ଚାହିଁ ଥାଆନ୍ତି । ଭାଙ୍ଗ ସେତେବେଳକୁ ପୁରା କାମ ଦେଖେଇଲାଣି । ସମାଲୋଚକ ପୁଣି କହିଲେ—“ଦେଖ, ଫେର୍ ଦୁହିଁବି ସମସ୍ତେ ଦି’ ହାତ ଉଠାଇ ଏକାବେଳକେ କହି ଉଠିଲେ—“ଥାଉ ଥାଉ ଆଉ ଦୁହଁ ନାହିଁ, ଚେର ଛିଡ଼ିଯିବ ।” ସମାଲୋଚକ ବି ଲୋଭରେ ବେଶୀ ପିଇ ଦେଇଥିଲେ । ସେ ଫେର୍ ଆରମ୍ଭ କଲେ—“ଗୋ ବୋଇଲେ—”

 

ଅତିଥି ଚର୍ଚ୍ଚାକାରୀ ହଠାତ୍ ଟେଳାଏ ହେଙ୍ଗୁ ଆଣି ତାଙ୍କ ନାକ ଆଗରେ ଦେଇ ମାଡ଼ି ବସିଲେ । ସମାଲୋଚକ କେତେକ ଅସ୍ପଷ୍ଟ ଅନୁନାଶିକ ସ୍ୱର କରି ଚୁପ୍ ହୋଇଗଲେ ।

☆☆☆

 

କବି ପୂଜା

 

ଇନ୍ଦ୍ରଙ୍କ ସଭା ଆଜି ଭାରି ସରଗରମ । ସ୍ୱୟଂ ସୁରପତି, କବି ସମ୍ରାଟ ଭଞ୍ଜ ଓ କବିବର ରାଧାନାଥଙ୍କୁ ସମ୍ମାନିତ କରିବା ପାଇଁ ସଭା ଡକେଇଛନ୍ତି । ଦୁଇ କବିଯାକ ଏକାଠି ବସିଥାନ୍ତି । ଉର୍ବଶୀ “ଆଜ କେଳିକଉତୁକୀ” ଗୀତଟି ବୋଲି ନାଚୁଥାନ୍ତି । ଗନ୍ଧର୍ବମାନେ କ୍ଲାରିଓନେଟ୍, କରନେଟ୍, ସେକ୍‍ସାଫାନ, ହାରମୋନିୟମ୍, ଡୁବିତାବଲା ଓ ଆହୁରି ଅନେକ ପ୍ରକାର ଦେଶୀ ପେଁକାଳି ବଜାଉଥାନ୍ତି । ମହାଦେବ ବ୍ରହ୍ମପୁରୀ ଗଞ୍ଜେଇକଲି ଚାରି ଭରି ଚିଲମରେ ଭର୍ତ୍ତିକରି ଗୋଟିଏ ଟାଣରେ ସବୁ ଶୋଷାଡ଼ି ନେଇ ଖଞ୍ଜଣୀ ବଜାଇ ବସିଲେ । ନିଶାରେ ଆଉଟ ପାଉଟ ହୋଇ ବେତାଳ କରିବାରୁ ଜଣେ ଗନ୍ଧର୍ବ ତାଙ୍କ ହାତରୁ ଖଞ୍ଜଣୀଟା ଛଡ଼ାଇ ନେଇ ଥିରିହୋଇ ବସିବା ପାଇଁ କହିଲେ । ବାଲ୍ମୀକି ଓ ବ୍ୟାସ କବିଦ୍ୱୟଙ୍କ ପାଖରେ ବସି ଗୀତତକ ପିଇ ଦେଉଥାନ୍ତି ଓ ମଝିରେ ମଝିରେ କ୍ୟା ତୋଫା ତୋଫା ବୋଲି ଚିଲେଇ ଉଠୁଥାନ୍ତି । ବିଶ୍ୱାମିତ୍ର ଗୋଟାଏ କଡ଼ପଟିଆ ଯାଗାରେ ବସି ହାଇଫେନ୍ ବହି ପଢ଼ୁଥାନ୍ତି ଓ ମଝିରେ ମଝିରେ ନାଚ ଆଡ଼େ ଚାହିଁ ଦେଉଥାନ୍ତି । ନାରଦ ଗୋଟାଏ ଢିଙ୍କି ଉପରେ ବସି ବୀଣା ବଜାଉଥିଲେ ।

 

ଅଧଘଣ୍ଟାଏ ଖଣ୍ଡେ ଚୂପ୍ ହୋଇ ବସିଯିବା ଦ୍ୱାରା ତାଙ୍କ ପେଟଟା ଫୁଲେଇ ଦେଲା । ସେ ରାଧାନାଥଙ୍କ ପାଖକୁ ଯାଇ ତାଙ୍କ କାନରେ ଫୁସ୍‌ ଫୁସ୍‌ କରି କହିଲେ—“ଦେଖି ପାରୁଛନ୍ତିତ ସୁପତିଙ୍କ ପକ୍ଷପାତିତା ? ଓଡ଼ିଆ କବିତା ଭଞ୍ଜଙ୍କର ରାବିଡ଼ି ଖାଇ ଖାଇ ଅଜୀର୍ଣ୍ଣ ରୋଗରେ ପଡ଼ିଥିଲା । ସେଥିରୁ ସେ ବଞ୍ଚିଥାଆନ୍ତା କି ? ଆପଣ ସିନା ତାହାକୁ ଦହି, ଅଦା, ଲୁଣ ଖୁଆଇ ବଞ୍ଚାଇଲେ । ତେଣୁ ଆପଣଙ୍କ ସ୍ଥାନ ଭଞ୍ଜଙ୍କଠାରୁ ଉଚ୍ଚରେ ନୁହେଁ କି ? କିନ୍ତୁ ସୁରପତି ତାଙ୍କ ଗୀତକୁ ଆଗ ବୋଲିବାକୁ କହିଲେ, “ଛି ଛି, କି ପକ୍ଷପାତିତା !”

 

ରାଧାନାଥ ତାଙ୍କୁ ପେଲି ଦେଇ କହିଲେ—“ଉଁ, ଯା ଯା, ଭାକ୍ ଭାକ୍ ! ବେପାର ତ କିଛି ନାହିଁ, ଆସିଲେ ଏଠି କଳି ଲଗେଇବାକୁ । ପଳା ଏଠୁ ।”

Unknown

 

ନାରଦ ମୁହଁ ହାଣ୍ଡିପରି କରି ଟିକିଏ ପଦାକୁ ଚାଲିଗଲେ ଓ ଗୋଟିଏ ବିଡ଼ି ଟାଣିଦେଇ ସାରି ଭିତରକୁ ଯାଇ ଭଞ୍ଜଙ୍କ ପାଖରେ ବସିଲେ । ଓର ଉଣ୍ଡି ଭଞ୍ଜଙ୍କ କାନରେ ପୁସ୍ ଫୁ୍ସ କରି କହିଲେ—“ଆଜ୍ଞା, ଦେଖିଲେତ ସୁରପତିଙ୍କ ଅନ୍ୟାୟ କର୍ମ । ଆପଣଙ୍କୁ ନେଇ ରାଧାନଥଙ୍କ ସାଙ୍ଗେ ବସାଇଲେ । ଯେଉଁ ଓଡ଼ିଆ କବିତାକୁ ଆପଣ ପ୍ରକାଣ୍ଡ ରାଜ୍ୟର ଅଧିଶ୍ୱରୀ କରାଇଥିଲେ ତାକୁ ଏହି ରାଧାନାଥ ପରା ଦେବାଳିଆ କରାଇ ବଙ୍ଗ, ହିନ୍ଦି, ଇଂରେଜୀ ଓ ଗୁଜୁରାଟୀ ଦାଣ୍ଡରେ ଭିକାରୁଣୀ କରି ବୁଲାଇ ଅଛନ୍ତି । ଏପରି ଲୋକ ସଙ୍ଗେ ଆପଣ ! ଛି, ଛି ସୁରପତିଙ୍କ କି ଅନ୍ୟାୟ କର୍ମ !”

 

ଭଞ୍ଜ ଧୈର୍ଯ୍ୟ ଧରିପାରିଲେ ନାହିଁ । ନାରଦଙ୍କ ଦାଢ଼ିକୁ ଦୁଇ ଚାରି ଝିଙ୍କା ଦେଇ ନାକ ଉପରେ ଗୋଟାଏ ମୁଥ ବସାଇଲେ ଓ ପାଟିକରି କହିଲେ—“ପଳାଅ, କଳିବୁଢ଼ା ଥୋବାରା ! ଏହାକୁ ଆଉ କେଉଁଠି ଜାଗା ମିଳିଲା ନାହିଁ, କଳିମୁଣି ଝାଡ଼ିବାକୁ ଆସୁଛି ଏହିଠାକୁ ।”

 

ନାରଦ ଲାଜରେ ଜଡ଼ସଡ଼ ହୋଇ ଢିଙ୍କିରେ ବସି ସଭା ଛାଡ଼ି ପଳେଇ ଆସିଲେ । ପଦାକୁ ଆସି ତାଙ୍କ ମନ ଗଲ ଗଲ ହେଲା । ବିରକ୍ତ ହୋଇ ସେ ମଞ୍ଚକୁ ଦୃଷ୍ଟି ପକାଇଲେ । ତାଙ୍କ ନଜରରେ ପଡ଼ିଲା ଉତ୍କଳ ସାହିତ୍ୟ ସମାଜ । ଦିବ୍ୟ ଦୃଷ୍ଟିରେ ସେ ଦେଖିଲେ ଯେ ଶ୍ରୀ ରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜରେ ସଭ୍ୟମାନେ କବି ପୂଜା କରୁଛନ୍ତି । ତାହା ଦେଖି ତାଙ୍କ ମୁଖ ଉଜ୍ଜ୍ୱଳ ହୋଇଗଲା । କଳି ମୁଣିରୁ ମୁଠାଏ ବାଲିଧରି ସେ ଶ୍ରୀ ରାମଚନ୍ଦ୍ର ଭବନ ଉପରେ ଛାଟିଦେଲେ ଓ ତା ପରେ ଭଲ ଲୋକ ପରି ଢିଙ୍କିରେ ବସି ପୁଣି ସଭା ସ୍ଥାନକୁ ଚାଲିଲେ । ସେତେବେଳକୁ ଉର୍ବଶୀଙ୍କ ନାଚରେ ସମସ୍ତେ ଭୋଳ । ହଠାତ୍ ଗୋଟାଏ ପୋଚରା ଗନ୍ଧ ହେବାରୁ ସମସ୍ତେ ନାକ ଟେକିଲେ । ହେଃ, କି ଗନ୍ଧ ବୋଲି ଇଆଡ଼େ ସିଆଡ଼େ ଚାହିଁଲେ । କେତେକ ଭାବିଲେ ଯେ ଦ୍ୱିତୀୟ ପାଣ୍ଡବ ଭୀମା ଗୁଡ଼ାଏ ବିରି ପିଠା, ମୂଳା ତରକାରି କରି ଗେଫିଛି । ତାହାର ନିଶ୍ଚୟ ଗୋଟାଏ ଅଧଃବାୟୁ ନିର୍ଗତ ହୋଇଥିବ । କିନ୍ତୁ ବାବା; କହିବାକୁ ସାହାସ କାହାର ? ସେ ଯେ ଭୀମା ! କ୍ରମେ ଗନ୍ଧ ଆହୁରି ପ୍ରବଳ ହେବାରୁ ସୁରପତି ଚିଲେଇ ଉଠିଲେ—“ହେ, ଦ୍ୱାରି ! ଏ କି ଗନ୍ଧ ?”

 

ଦ୍ୱାରପାଳ ହାତଯୋଡ଼ି କହିଲା—ହଜୁର, ମର୍ତ୍ତ୍ୟରେ ଶ୍ରୀ ରାମଚନ୍ଦ୍ର ଭବନରେ କବି ପୂଜା ହେଉଛି । କବିମାନଙ୍କୁ ଦିଆ ଯାଉଥିବା ଧୂପର ଗନ୍ଧ ଏ ଆଡ଼କୁ ଚାଲି ଆସୁଛି । ସୁରପତି କାବା ହୋଇ କହିଲେ—“ଏ ଧୂପର ଗନ୍ଧ !” କବି ସମ୍ରାଟ କହି ଉଠିଲେ—“ଆଜ୍ଞା, ମୋର ଭୌତିକ ଶରୀର ପୋଡ଼ା ହେଲାବେଳେ ଯେପରି ଗନ୍ଧ ବାହାରୁଥିଲା, ଏ ତ ଠିକ୍ ସେହିପରି ଗନ୍ଧ ।” ରାଧାନାଥ ବି କହିଲେ—“ମୋର ଭୌତିକ ଶରୀର ପୋଡ଼ା ହେଲାବେଳେ ମଧ୍ୟ ଠିକ୍ ଏହିପରି ଗନ୍ଧ ବାହାରୁଥିଲା ।”

 

ଗନ୍ଧ ଅତି ପ୍ରବଳ ହେବାରୁ ସଭା ଭାଙ୍ଗିଗଲା । ସୁରପତିଙ୍କ ଆଜ୍ଞାରେ ଦଶଟିଣ ଇଭିନିଂ ଇନ୍ ପ୍ୟାରିସ୍ ଅତର ଘରଯାକ ଛିଞ୍ଚାଗଲା ଓ ଗୋଟାଏ ପ୍ରକାଣ୍ଡ ରେଡ଼ିଓ ଟେଲିଭିଜନ ଯନ୍ତ୍ର ଅଣାହୋଇ ଥୁଆହେଲା । ସୁରପତି ନିଜେ ଚାବି ମୋଡ଼ି ଶ୍ରୀରାମଚନ୍ଦ୍ର ଭବନ ସଙ୍ଗେ ସଂଯୋଗ ସ୍ଥାପନ କରିଦେଲେ । ଭଞ୍ଜ ଓ ରାଧାନାଥ ଉତ୍ସୁକ ହୋଇ ଯନ୍ତ୍ରର ପରଦା ଆଡ଼କୁ ଚାହିଁଲେ ।

 

ହଠାତ୍ ରାମଚନ୍ଦ୍ର ଭବନର ହଲ୍ ଦିଶିଲା । ହଲ୍‌ଟି ମଣିଷରେ ଭରପୁର । ନିଶୁଆ, ଝାମ୍ପରାମୁଣ୍ଡିଆ, ଛୋଟା, କାଳିଆ, ଡେଙ୍ଗା, ଧେଡ଼ିଆ, ବୁଢ଼ାବୁଢ଼ୀ ଓ ଟୋକାଟୋକୀ ସମସ୍ତେ ଅଛନ୍ତି-। ଜଣେ ତା ଭିତରେ ବକ୍ତୃତା ଝାଡ଼ୁଥାଏ—“ଭାଇମାନେ ! ଯେଉଁ ଫଟ ଝୁଲୁଛି ତାହାଙ୍କୁ ଚିହ୍ନିଛ-? ଏ ହେଉଛନ୍ତି ମହାପାପୀ ରାଧାନାଥ । ଏ ଯଦି ଆଜି ବଞ୍ଚିଥାନ୍ତେ, ମୁଁ ତାକୁ ଆଜି ଯାଇଁ ମାଡ଼ିବସି ଥାଆନ୍ତି ଓ ଗାତ ଭିତରେ ତାକୁ ଭର୍ତ୍ତି କରିଦିଅନ୍ତି । ସମାଧି ଦେଇଥାଆନ୍ତି କିମ୍ବା ତା ବେକରେ ଦଉଡ଼ି ବାନ୍ଧି କୂଅରେ ବୁଡ଼ାଇ ବୁଡ଼ାଇ ମାରି ଦେଇଥାନ୍ତି । ଏହି ପାପୀର ଯେଉଁ ନରାଧମ ଚେଲାମାନେ ଉତ୍କଳ ମାତାର ମୁଣ୍ଡରେ ଉକୁଣୀ ସଦୃଶ ବିଚରଣ କରୁଛନ୍ତି, ସେମାନଙ୍କ କଥା ମୋଟେ ଶୁଣ ନାହିଁ । ସେମାନେ ଜୁଆଚୋର, ଭଣ୍ଡ, ଦରିଦ୍ର , ଭିକାରୀ । ଏହି ପାଷାଣ୍ଡମାନେ ଓଡ଼ିଆ ସାହିତ୍ୟର କି ଦୂରାବସ୍ଥା ନ କରାଇଲେ ! ଖାଣ୍ଟି ନିଛକ୍ ଓଡ଼ଶୀ ଜିନିଷ କ’ଣ ଆମର ନାହିଁ-? ଆମର କୋଣାର୍କ ଅଛି, ଆମର ପୁରୀ ଦେଉଳ, ଆମର ଭୁବନେଶ୍ୱର ଦେଉଳ ଅଛି, ଆମର ଯୋବରା ଖୁଣ୍ଟ ଅଛି । ଆମର ଖାରବେଳ ଥିଲେ, ଆମର ବିଶୁ ମହାରଣା ଥିଲେ, ଆମର ମହାନଦୀ ଅଛି, ଆମର ଭଞ୍ଜ ସାହିତ୍ୟ ମଧ୍ୟ ଅଛି । ଭଞ୍ଜ ସାହିତ୍ୟ ? ଆହା, କି ଚମତ୍କାର-! ଓଡ଼ିଆର ସମ୍ପୂର୍ଣ୍ଣ ନିଜସ୍ୱ । ରଚନା-ଶୈଳୀ, ଅଳଙ୍କାର, ଉପମା ଯମକ ଇତ୍ୟାଦି ଗୁଣରେ ବିଭୂଷିତ ହୋଇ ବିଶ୍ୱ ସାହିତ୍ୟରେ ଏହା ଶୀର୍ଷସ୍ଥାନ ଅଧିକାର କରିବ । ଏହି ପାପୀ ନରାଧମ ଚେଲାମାନେ ଅମୂଲ୍ୟ ଭଞ୍ଜ ସାହିତ୍ୟକୁ ଛାଡ଼ି, ଭିକାରୀ ଧେଡ଼ିଆ ରାଧାନାଥ ସାହିତ୍ୟ ପାଠରେ ଲାଗିପଡ଼ିଛନ୍ତି-। ଥୁଃ, ଥୁଃ ! ସେ ସାହିତ୍ୟରେ କ’ଣ ବା ଅଛି ? ଏମାନେ ପର ଘରୁ ସାରୁ, ବାଇଗଣ ତିଅଣ ମାଗିଆଣି ଖାଉଛନ୍ତି; ଅଥଚ ଏ ଘୁଷୁରୀଗୁଡ଼ାଙ୍କୁ ନିଜ ଘରେ ତିଆରି ଆଳୁ ପୋଟଳ ରସାକୁ ଛୁଇଁବାକୁ ଇଚ୍ଛା ହେଉନାହିଁ । କୁହ ଦେଖି, କେଉଁ ସାହିତ୍ୟ ଭଞ୍ଜ ସାହିତ୍ୟର ସମକକ୍ଷ ହେବ-?” ସଭା ଭିତରେ କିଏ ଜଣେ କହିଲା—“ସେଗୁଡ଼ାକ ସହଜରେ ବୁଝିହୁଏ ନାହିଁ ।” ଏହା ଶୁଣି ବକ୍ତା ପୁଣି କହିଲେ—“ମରିଯାଅ, ମରିଯାଅ, ଯଦି ନ ବୁଝିପାରୁଛ, ମରିଯାଅ । ମୂର୍ଖ ହେବା ଅପେକ୍ଷା ମରିଯିବା ଭଲ ।” ପୁଣି ଜଣେ କିଏ କହିଲା—“ଏ ଗୁଡ଼ାକ ତ ଅଶ୍ଳୀଳ ।’’ ବକ୍ତା ଗର୍ଜ୍ଜି ଉଠିଲେ–“ଫେର୍‍ ଯଦି ଏହା କହିବ, ତୁମ ଜିଭ କାଟି ପକାଇବି । ବାପ ପୁଅକୁ ବାହାଘର କଥା ପଚାରେ ଏହା କ’ଣ ଅଶ୍ଳୀଳ ? ଏହା ତ ସମାଜରେ ଭରପୁର । ତେବେ ଭଞ୍ଜ ସାହିତ୍ୟକୁ କାହିଁକି ଅଶ୍ଳୀଳ  କହିବେ, ଯେ କହିବ, ସେ ବଦମାସ୍‍ । ଭାଇମାନେ ! ଏହି ବଦମାସମାନଙ୍କ କଥା ଶୁଣ ନାହିଁ-।’’

 

ଏହି ସମୟରେ ସଭାରେ ଭାରି ଗଣ୍ଡଗୋଳ ହେଲା । ବହୁତ ଠେଲମ୍ ଠେଲା ପେଲମ୍ ପେଲା ପରେ ଆଉ ଜଣେ ଉଠି କହିଲେ—“ଭାଇମାନେ ! ଯେଉଁ ପାଜି ବଦମାସ୍, ଛୋକାର, ବଜାରୀ ଭଞ୍ଜ ସାହିତ୍ୟକୁ ସର୍ବଶ୍ରେଷ୍ଠ ବୋଲି କହିବ, ତା ମୁଣ୍ଡ କାଟିଦେବା ଉଚିତ୍ । ତା ମୁହଁରେ ପାଳବିଣ୍ଡା ମାଡ଼ିବା ଉଚିତ । ଯେଉଁ ସାହିତ୍ୟକୁ ପୁଅ ବାପ ପାଖରେ ପଢ଼ି ପାରିବ ନାହିଁ, ଭାଇ ଭଉଣୀ ଆଗରେ ପଢ଼ି ପାରିବ ନାହିଁ, ସେ ସାହିତ୍ୟକୁ ଚୁଲି ଭିତରେ ଭର୍ତ୍ତି କରିବା ଦରକାର । ସେହି ଛୋକାର ଭଞ୍ଜ ଯଦି ଆଜି ବଞ୍ଚିଥାଆନ୍ତା, ତେବେ ଏହି ଅଶ୍ଳୀଳ  ସାହିତ୍ୟ ଯୋଗୁଁ ସେ ନିଶ୍ଚୟ ଜେଲରେ ସଢ଼ୁଥାଆନ୍ତା । ଭଞ୍ଜସାହିତ୍ୟ ଖୁବ୍ ଐଶ୍ୱର୍ଯ୍ୟଶାଳୀ ଓ ନିଜସ୍ୱ ହୋଇପାରେ; କିନ୍ତୁ ଏହା ଓଡ଼ିଆ ଭାଷାକୁ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚେଇ ପାରିନଥିଲା । ଏହାକୁ ବଞ୍ଚାଇଥିଲେ ପୁଣ୍ୟାତ୍ମା ରାଧାନାଥ । ତାଙ୍କର ଆବିର୍ଭାବ ନ ହୋଇଥିଲେ ଓଡ଼ିଆ ଭାଷା ଭଞ୍ଜସାହିତ୍ୟର ମଇଳା ଟୋକେଇକୁ ବେକରେ ବାନ୍ଧି ହୁଗୁଳୀ ନଦୀରେ ବୁଡ଼ି ମରିଥାଆନ୍ତା । ଭାଇମାନେ ! କଅଣ ଭଞ୍ଜ ସାହିତ୍ୟରେ ସର୍ବହରାର ସ୍ଥାନ ଅଛି କି ? ସେ ପାଜି ଭଞ୍ଜର ଚେଲାମାନଙ୍କୁ ଗୁଳି କରିଦିଅ । କିମ୍ବା ସେମାନଙ୍କର ହାତ ଗୋଡ଼ ବାନ୍ଧି ମରାଳମାଳିନୀ ନିଳାମ୍ବୁ ଚିଲିକାରେ ଫୋପାଡ଼ି ଦିଅ । ଯୁଗ ବଦଳିଯିବା ସଙ୍ଗେ ସଙ୍ଗେ ରୁଚି ମଧ୍ୟ ବଦଳି ଯାଏ । ଯେଉଁ ଛୋକାରମାନେ ଭଞ୍ଜସାହିତ୍ୟକୁ ଚକଟି ମକଟି ଧରି ରଖିବାକୁ ଚାହାନ୍ତି, ସେମାନଙ୍କୁ ଘର ଭିତରେ ଭର୍ତ୍ତିକରି ଲଙ୍କାମରିଚ ଧୂଆଁ ଦେବା ଉଚିତ ନୁହେଁ କି ? ସେ ଭାଣ୍ଡ ଭଞ୍ଜ ଚେଲାଗୁଡ଼ାକ କହୁଅଛନ୍ତି—ଆମର କୋଣାର୍କ ଅଛି, ଆମର ପୁରୀ ଦେଉଳ ଅଛି । କିରେ ବାବା, ଆଉ ଗୋଟାଏ ଦୁଇଟା କୋଣାର୍କ, ପୁରୀ ତିଆରି କର । ଭାଣ୍ଡମାନଙ୍କର ସେ ଶକ୍ତି କାହିଁ ? ସମୁଦ୍ର ଯଦି କୌଣାର୍କ , ପୁରୀ ଓ ଭଞ୍ଜ ସାହିତ୍ୟକୁ ଗିଳି ହଜମ କରି ଦିଅନ୍ତା, ତେବେ ଏ ଭାଣ୍ଡଙ୍କର ଚେତନା ପଶନ୍ତା । ସେମାନେ ନୂତନ ଜିନିଷ ତିଆରି କରିବାକୁ ବାହାରି ପଡ଼ନ୍ତେ । ପୁଣ୍ୟାତ୍ମା ରାଧାନାଥଙ୍କ ଦ୍ୱାରା ସୃଷ୍ଟ ଜନସାଧାରଣଙ୍କ ବୋଧଗମ୍ୟ ସାହିତ୍ୟ ଆମ୍ଭେମାନେ ପରିବେଷଣ କରି ଓଡ଼ିଆ ସାହିତ୍ୟକୁ କ୍ରମେ କ୍ରମେ ପରିପୁଷ୍ଟ କରୁଅଛୁଁ । ଆପଣମାନେ ଆମ୍ଭମାନଙ୍କ କଥା ଶୁଣନ୍ତୁ; ଏ ଛୋକାର ଭଣ୍ଡଙ୍କ କଥାଶୁଣନ୍ତୁ ନାହିଁ ।”

 

ଏ ବକ୍ତୃତା ଶୁଣୁ ଶୁଣୁ ପ୍ରଥମ ବକ୍ତା ଯେ ଏତେ ରାଗି ଯାଇଥିଲେ ସେ ସମସ୍ତ ଆଇନ କାନୁନ୍ ଭାଙ୍ଗି ହଠାତ୍ ଠିଆ ହୋଇ ପଡ଼ିଲେ ଓ ଗର୍ଜ୍ଜନ କରି କହିଲେ—“ଆରେ ହେ ଧେଡ଼ଗଣ ! ଆମ୍ଭମାନଙ୍କୁ କହିବ ଭଣ୍ଡ, ଛୋକାର ? ଆରେ ଚୋରଗଣ ! ଆମ୍ଭଙ୍କୁ କହିବ ବଜାରୀ ? ଚୋରିକରି ଆଣି ନିଜର ବୋଲାଉଚ । ଦରିଦ୍ର, ଭିକାରୀ ! ତୁମ୍ଭ ମୁହଁରେ ଲାଜ ନାହିଁ ?” ଦ୍ୱିତୀୟ ବକ୍ତା ଆଉ ସମ୍ଭାଳି ପାରିଲେ ନାହିଁ । ସେ ଗର୍ଜ୍ଜି ଉଠିଲେ,“ଚୁପ୍‌କର ବଦମାସ୍‍ ! ଭାଣ୍ଡ ଭଞ୍ଜ ଗୋଟାଏ ପ୍ରକାଣ୍ଡ ପୁଞ୍ଜିପତି ଥିଲା । ତୁମ୍ଭେମାନେ ତାର ଦଲାଲ !” କ୍ରମେ ଦୁଇ ବକ୍ତାଙ୍କ ଭିତରେ ଉତ୍ତର ପ୍ରତ୍ୟୁତ୍ତର ଚାଲିଲା—“ହେଇରେ ଧେଡ଼, ଆମକୁ କହିବ ଦଲାଲ ? ଆରେ, ତୁମ୍ଭେମାନେ ପରା କମ୍ୟୁନିଷ୍ଟ ସାଜି ଦେଶକୁ ଉଚ୍ଛନ୍ନ କରି ସାରିଲଣି ।’’

 

“ଏଁ ! ଆମେ ଉଚ୍ଛନ୍ନ କରିଛୁ ନା ତୁମେ ? ତୁମେ ପରା ପାଞ୍ଚଶହ ବସ୍ତା ସିମେଣ୍ଟ ପରିମିଟ୍‌ରେ କିଣି କିଳାପୋତେଇ କରି ବିକିଲ !” “ଆରେ କିଏ ଅଛରେ, ଏ ବଦମାସକୁ ଦେଖି ନବଟି । ତୁହି ପରା ଦରଜି ଇଉନିୟନରୁ ସାତଶହ ଟଙ୍କା ମାରିନେଇଛୁ ? ମୋତେ କେଉଁ ମୁହଁରେ କିଳାପୋତିଆ କହୁଛୁ ?” କ୍ରମେ ଶ୍ରୋତାମାନଙ୍କ ମଧ୍ୟରେ ଗାଳି ଦିଆଦେଇ ଆରମ୍ଭ ହୋଇଗଲା । ଲୋକମାନେ ଦୁଇ ବକ୍ତାଙ୍କ ମଧ୍ୟରେ ବାଣ୍ଟି ହୋଇଗଲେ । ଅଶ୍ଳୀଳ  ଗାଳି ଦିଆଦେଇ ଭିତରେ ସଭାପତିଙ୍କ ଅର୍ଡ଼ର, ଅର୍ଡ଼ର ଶବ୍ଦ କୁଆଡ଼େ ଉଭେଇଗଲା । ବାକ୍ୟଯୁଦ୍ଧ ପରେ ହାତାହାତି ଯୁଦ୍ଧ ଚାଲିଲା । ତାପରେ ଅସ୍ତ୍ରଶସ୍ତ୍ର, ଛତା, ବାଡ଼ି, ଜୋତା ଠକ୍‌ଠାକ୍; ବୋପାଲୋ, ମାଆଲୋ, ମରିଗଲିରେ, ପୁଲିସ୍ ଆଦି ଶବ୍ଦରେ ଘର ଫାଟି ପଡ଼ିଲା । ଠିକ୍ ଏତିକିବେଳେ କିଏ ଗୋଟାଏ ଡବଲ ଫୋଟକାରେ ନିଆଁ ଲଗେଇ ଘର ଭିତରକୁ ଛାଡ଼ିଦେଲା । ଫୋଟକା ଶବ୍ଦରେ କାନଅତଡ଼ା ପଡ଼ିଗଲା । ବୋପା ବୋପା ପାଟିକରି ସମସ୍ତେ ଅତର୍ଚ୍ଛରେ ଘର ଛାଡ଼ି ପଳାଇଗଲେ । ପୋଲିସ୍ ଆସି ଦେଖିଲାବେଳକୁ ଘର ଶୂନଶାନ୍ । ପାଞ୍ଚ ଛ’ଟା ଲୁଗା, ଚିରା କାମିଜ ଗୋଟାଏ ଦୁଇଟା, ଜୋତା ଚଟି ଦୁଇ ବେତା ହେବ, ଗୋଟାଏ ଯୋଡ଼ାଏ ଫାଉଣ୍ଟେନ୍ ପେନ୍ ଏମିତି କେତେ ଜିନିଷ ପଡ଼ିଛି ।

 

ସୁରପତି ରେଡ଼ିଓ ଟେଲିଭିଜନ୍ ସୁଇଜ୍ ଅଫ୍ କରିଦେଲେ । ସମସ୍ତେ ଆଁ କରି ଭଞ୍ଜ ଓ ରାଧାନାଥଙ୍କ ଆଡ଼େ ଚାହିଁଲେ । ଦୁହିଁଙ୍କ ଆଖିରୁ ଶ୍ରାବଣ ଧାରାପରି ଲୁହ ଛୁଟିଥାଏ । ଭଞ୍ଜ ରାଧାନାଥଙ୍କ ହାତଟାକୁ ଜାକିକରି କହିଲେ—“ମୂଢ଼ମାନଙ୍କୁ ଦେଖିଲ ତ ? ଏମାନେ ହାତରେ ରିଷ୍ଟୱ୍ୟାଚ୍ ବାନ୍ଧନ୍ତି; କିନ୍ତୁ ସମୟର ଗତି ବୁଝନ୍ତି ନାହିଁ । ମୁଁ ଯେଉଁ ଯୁଗରେ କବିତା ଲେଖିଥିଲି, ସେ ଯୁଗର ଆବ୍‌ହାଉଆ କ’ଣ ଆଜିକାଲି ଅଛି ? ଯୁଗର ପରିବର୍ତ୍ତନ ସଂଗେ ସଂଗେ ସମସ୍ତ ଜିନିଷର ପରିବର୍ତ୍ତନ ହେଉଛି; ଅଥଚ କେତେକ ଲୋକ ସେ ପୁରୁଣା ଆବ୍‌ହାଉଆ ଭିତରେ ଚଳିବାକୁ ଚାହାଁନ୍ତି-। ଏମାନେ ଏତିକି କ’ଣ ଜାଣି ପାରୁନାହାନ୍ତି ଯେ ସେମାନଙ୍କର ପୂର୍ବପୁରୁଷମାନେ ବଣରେ ଲଙ୍ଗଳା ହୋଇ ବୁଲୁଥିଲେ; କିନ୍ତୁ ସେମାନେ ଆଜିକାଲି ଲୁଗା ପିନ୍ଧୁଛନ୍ତି । ପୂର୍ବ ପ୍ରଥା ଆଚରି ରହିଥିବା ଲଙ୍ଗୁଳିମାନେ ଆଜିକାଲି ନିଶ୍ଚିହ୍ନ ହୋଇଗଲେଣି । ଦୁଃଖଲାଗେ—ଏମାନେ ବୁଝିପାରୁ ନାହାନ୍ତି ଯେ ପୂର୍ବ ସାହିତ୍ୟକୁ ଧରି ରହିଲେ କାଳକ୍ରମେ ନିଶ୍ଚିହ୍ନ ହୋଇଯିବାକୁ ପଡ଼ିବ । ମୁଁ ଯେଉଁ କବିତା ରଚନା କରୁଥିଲି, ସେ ସମୟରେ ଲୋକଙ୍କର ନୈତିକ ବଳ, ଆଜିକାଲିକାର ଲୋକଙ୍କ ନୈତିକ ବଳଠାରୁ ଢେର ବେଶୀ ଥିଲା ଓ ମୋ କବିତା ମଧ୍ୟ କୋମଳମତି ଛାତ୍ରମାନଙ୍କୁ ପଢ଼ିବାକୁ ଦିଆଯାଉ ନ ଥିଲା; କିନ୍ତୁ ଆଜିକାଲି ମାଙ୍କଡ଼ ହାତରେ ଶାଳଗ୍ରାମ ପରି ଏମାନଙ୍କ ହାତରେ ମୋ ସାହିତ୍ୟ ପଡ଼ି ସମଦଶାପନ୍ନ ହୋଇଛି । ଦେଖିଲ ତ ଅସହିଷ୍ଣୁତାର ଚରମ ନିଦର୍ଶନ !”

 

ଲୁହ ପୋଛୁ ପୋଛୁ ରାଧାନାଥ କହିଲେ—“ବଂଧୁ ମୋର, ବାକ୍‌ରୁଦ୍ଧ ହୋଇଯାଇଛି । କେବଳ ଓଡ଼ିଆ ଭାଷାର ଜୀବନ ରକ୍ଷା ପାଇଁ ନୂତନ ସାହିତ୍ୟ ସୃଷ୍ଟି କରିଥିଲି । ରାଜା ରାମମୋହନ ରାୟ ଯେପରି ଖ୍ରୀଷ୍ଟଧର୍ମାକୃଷ୍ଟ ଶିକ୍ଷିତମାନଙ୍କୁ ରକ୍ଷା କରିବା ଲାଗି ବ୍ରାହ୍ମଧର୍ମ ସୃଷ୍ଟି କରିଥିଲେ, ମୁଁ ସେପରି ବଙ୍ଗ ଭାଷାରେ ଲୀନ ହେବାକୁ ଯାଉଥିବା ଓଡ଼ିଆ ଭାଷାକୁ ରକ୍ଷା କରିବାକୁ ନୂତନ ସାହିତ୍ୟ ସୃଷ୍ଟି କରିଥିଲି । ଦେଶରେ ଶିକ୍ଷିତମାନଙ୍କର ମନ ଆକୃଷ୍ଟ ହେବାଲାଗି ତହିଁରେ ଅନ୍ୟାନ୍ୟ ଭାଷା ସାହିତ୍ୟର ଛାୟା ପକାଇଥିଲି । ଆଜି କିନ୍ତୁ ସେ ସମୟ ନାହିଁ । ଓଡ଼ିଆ ଭାଷା ଦୁଇ ଗୋଡ଼ରେ ଠିଆ ହେଲାଣି । ତେବେ ନିଜ ଜିନିଷକୁ ଛାଡ଼ି ପରମୁଖାପେକ୍ଷୀ ହେବାରେ ଲାଭ କ’ଣ-? ହତଭାଗ୍ୟମାନେ ଅନ୍ୟ ସାହିତ୍ୟ ପଛରେ ଗୋଡ଼ାଉଛନ୍ତି; ଅଥଚ ଆପଣଙ୍କ ସାହିତ୍ୟକୁ ଯୁଗୋପଯୋଗୀ କରିବାର ଚେଷ୍ଟା କରୁ ନାହାନ୍ତି ।

 

ଭାରତରେ ଅନ୍ୟ କୌଣସି ସାହିତ୍ୟ ଆପଣଙ୍କ ସାହିତ୍ୟ ପରି ଐଶ୍ୱର୍ଯ୍ୟଶାଳୀ ନୁହେଁ । ଏହି ପରିଶ୍ରମକାତର ଲୋକମାନେ ଯଦି ଆପଣଙ୍କ ସାହିତ୍ୟକୁ ଉତ୍ତମରୂପରେ ଜନସାଧାରଣଙ୍କର ବୋଧଗମ୍ୟ ହେବାପରି ପରିବେଷଣ କରିପାରନ୍ତେ, ତେବେ ଓଡ଼ିଆଭାଷା ଯେ କୌଣସି ଭାରତୀୟ ଭାଷାଠାରୁ ବେଶି ଐଶ୍ୱର୍ଯ୍ୟଶାଳୀ ହୋଇପାରନ୍ତା । ଆପଣଙ୍କ ସାହିତ୍ୟରେ ବହୁ ଅଭିଜ୍ଞତା ଅର୍ଜ୍ଜନ କରିବାକୁ ହେଲେ ବହୁ ପରିଶ୍ରମ ଦରକାର । ଆଜିକାଲି ଯେଉଁ ସାହିତ୍ୟର ପରିବେଷଣ ହେଉଅଛି, ତାହା ଏତେ ସହଜ ଯେ ଆଷାଢ଼ ମାସରେ ଛତୁ ଫୁଟିଲାପରି ଓଡ଼ିଶାଯାକ କବିମୟ ହୋଇ ଗଲେଣି । ଏପରି ଅଗଣିତ ନକ୍ଷତ୍ର ଥାଇ କି ଲାଭ ? ଯଦି ଗୋଟିଏ ଚନ୍ଦ୍ର ଆପଣଙ୍କ ସାହିତ୍ୟକୁ ମାର୍ଜିତ ଓ ଯୁଗୋପଯୋଗୀ କରି ଆଜିକାଲି ପ୍ରଚଳନ କରି ପାରନ୍ତେ , ତେବେ ତାହା ଉତ୍କଳ ସାହିତ୍ୟ ଆକାଶକୁ କେଡ଼େ ଉଜ୍ଜ୍ୱଳ କରି ନ ପାରନ୍ତା !” ଏହି ସମୟରେ ନାରଦ ଦାଢ଼ି ମକଚି ମକଚି ଇନ୍ଦ୍ରଙ୍କ ପାଖକୁ ଗଲେ ଓ କାନରେ ଫୁସ୍‌ ଫୁସ୍‌ କରି କହିଲେ–“ସୁରପତେ ! ମର୍ତ୍ତ୍ୟବାସୀ ଏହି ମୂଢ ଓଡ଼ିଆମାନଙ୍କ ଦ୍ୱାରା ଏଠାରେ ହେଉଥିବା ସଭା ଆଜି ପଣ୍ଡ ହୋଇଗଲା । ଆପଣ ଯେଉଁ କବିଦ୍ୱୟଙ୍କୁ ସମ୍ମାନିତ କରିବା ପାଇଁ ସଭା ଡକାଇଥିଲେ, ସେମାନଙ୍କ ଅବସ୍ଥା ଦେଖନ୍ତୁତ ? ବିଚରା କାନ୍ଦି କାନ୍ଦି ଦରମରା ହୋଇଗଲେଣି । ଏହା କ’ଣ ଆପଣଙ୍କ ହୃଦୟରେ ଦାରୁଣ ଆଘାତ ଦେଉନାହିଁ ?”

 

ସୁରପତି ହଠାତ୍ ଛାତିରେ ହାତଟା ଦେଇ କହିଲେ—“ଓଃ ! ବାସ୍ତବିକ୍ ମୋ ହୃଦୟରେ କିଳା ଗୋଟାଏ ପୋତି ହୋଇ ଗଲାପରି ଲାଗୁଛି । ଓଃ ! ବଡ଼ କଷ୍ଟ ।”

 

ନାରଦ ଉଲ୍ଲସିତ ହୋଇ ପୁଣି କହିଲେ—“ସୁରପତେ ! ଏହି ମୂଢ଼ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଚିତ୍ । ସେହି ଉତ୍କଳ ସାହିତ୍ୟ ସମାଜ କୋଠା ଉପରେ ବଜ୍ର ନିକ୍ଷେପ କରନ୍ତୁ !”

 

ସୁରପତି ରାଗରେ ପାଚିଯାଇ ଗର୍ଜ୍ଜିଉଠି କହିଲେ—“ଏହି ମୂଢ଼ମାନେ ଜାଣିପାରୁ ନାହାନ୍ତି ଯେ, ଆଜି କେବଳ ରାଧାନାଥ ସାହିତ୍ୟ କି ଭଞ୍ଜ ସାହିତ୍ୟ ଦରକାର ନାହିଁ; ଦରକାର ଅଛି ଉଭୟଙ୍କ ମିଶ୍ରଣରେ ଏକ ନୂତନ ସାହିତ୍ୟ । ଏହି ମୂଢ଼ମାନେ ଯେପରି ଭାବରେ କବିମାନଙ୍କୁ ଅପମାନିତ କରିଛନ୍ତି ତାହା ଅସହ୍ୟ । ମୁଁ ଏମାନଙ୍କୁ ଉପଯୁକ୍ତ ଶାସ୍ତି ଦେବି ।”

 

ଏହା କହି ତାଙ୍କ ଅଣ୍ଟାରେ ଝୁଲୁଥିବା ଚମଡ଼ା ମୁଣିରୁ ବଜ୍ର କାଢ଼ିଲେ । ତାହାର ଆଲୁଅ ଓ ଘଡ଼ ଘଡ଼ ଶବ୍ଦରେ ସମସ୍ତେ ପ୍ରମାଦ ଗଣିଲେ । ନାରଦ ମୁର୍କିହସା ଦେଇ ସଭା ଛାଡ଼ି ପଳାଇଲେ-। ଦେବତାମାନେ ସମସ୍ତେ ହାଉଳି ଖାଇଗଲେ । ଭଞ୍ଜ ଓ ରାଧାନାଥ ଦୁହେଁ ହଠାତ୍ ଦୌଡ଼ିଯାଇ ସୁରପତିଙ୍କ ହାତ ଧରିପକାଇଲେ ଓ ଅତି ବିନୀତ ଭାବରେ କହିଲେ—“ସୁରପତେ ! ଏମାନଙ୍କୁ କ୍ଷମା କରନ୍ତୁ । କାରଣ ଏମାନେ କଣ କରୁଛନ୍ତି ଜାଣନ୍ତି ନାହିଁ ।”

 

ଅନୁରୋଧ ଫେରାଇ ନ ପାରି ସୁରପତି ବଜ୍ରକୁ ପୁଣି ଚମଡ଼ା ଖୋଳ ଭିତରେ ପୂରାଇଦେଲେ ।

 

ଭଗବାନ କରନ୍ତୁ ଉତ୍କଳ ସାହିତ୍ୟ ସମାଜରେ ଆଉ ଏଭଳି କବି ପୂଜା ନ ହେଉ ।

☆☆☆

 

କଳସାର କାଳ କଳନା

 

ଏବେ କଳସାର କାଳ କଳନା ନେଇ ଗୋଟାଏ ବଡ଼ ଘାଣ୍ଟଚକଟ ଲାଗିଛି । ସେଥିରୁ କୁଆଡ଼େ ବହୁତ ବଡ଼ ବଡ଼ ମୁଣ୍ଡ ଓ କେତେ ଉଧାରନିଆ ମୁଣ୍ଡ ଚକଟି ମକଟି ହୋଇ ଲାଣ୍ଡିଆ ହୋଇ ଗଲେଣି । ତଥାପି ସେମାନେ କିଛି ଥଳକୂଳ ପାଉ ନାହାନ୍ତି । କାମ ନ ଥିଲେ ଗାଆଁ ଲୋକମାନେ ଯେପରି ଆପଣା ଭିତରେ ବାଡ଼ିଆ ବାଡ଼େଇ ହୁଅନ୍ତି, ଠିକ୍ ସେହିପରି କଳସାର ଜନ୍ମ ଦିନଟାକୁ ନପାଇ ବହୁ ପଣ୍ଡିତ ଆପଣା ଆପଣା ଭିତରେ କାମୁଡ଼ା କାମୁଡ଼ି ଲଗେଇଛନ୍ତି । ଏ କାଣ୍ଡ ଦେଖି ଆମେ ନିଜେ ଅଣ୍ଟା ଭିଡ଼ି ଜନ୍ମ ଦିନଟା କାଢ଼ିବାଲାଗି ବାହାରି ପଡ଼ିଲୁ । ଆମ ଗୁହାଳରେ ଥିବା ବହୁତ ତାଳପତ୍ର ପୋଥି ଓ କେତେକ ଇତିହାସ ବହି ଘାଣ୍ଟି ନିମ୍ନଲିଖିତ ମତ ବ୍ୟକ୍ତ କଲୁ । କେହି କେହି କଳସାକୁ ହଜାର ବର୍ଷ ତଳର ବୋଲି କହି ଥାଆନ୍ତି । ଏଇଟା ହେଲା ଚମ ଆଖି ପାଠ । ଜ୍ଞାନ ଆଖିରେ ଦେଖିବାକୁ ଗଲେ ପରିଷ୍କାର ଜଣାଯିବ ଯେ, କଳସା ଶଚ୍ଚିଦାନନ୍ଦ ବ୍ରହ୍ମଙ୍କଠାରୁ ବାହାରିଅଛି । କାରଣ ସଚରାଚର ବ୍ରହ୍ମାଣ୍ଡ ଏହି ବ୍ରହ୍ମଙ୍କଠାରୁ ଉତ୍ପନ୍ନ । କଙ୍କଡ଼ା ପୁରାଣରେ ବର୍ଣ୍ଣିତ ଅଛି ଯେ, ସ୍ୱୟଂ ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ବାହାରିଲେ, ସେତେବେଳେ ତାଙ୍କ ମନରେ ଗୋଟିଏ ଅପୂର୍ବ ରାଗର ସଞ୍ଚାର ହେଲା । ସେ ଇଚ୍ଛାକଲେ, ୟାକୁ ଜଣେ କେହି ବୋଲନ୍ତା କି ! ଠିକ୍ ଏହି ସମୟରେ ତାଙ୍କ ନାହି ଶୂଳେଇ ହେବାରୁ ସେ ନାହି ଭିତରୁ ପଚ୍ କରି ଗୋଟିଏ ପଦ୍ମଫୁଲ କାଢ଼ିଦେଲେ ଓ ସେ ପଦ୍ମଫୁଲ ଭିତରୁ ଚାରିମୁଣ୍ଡିଆ ଦେବତା ଫକ୍‍କରି ପଦାକୁ ଡେଇଁ ପଡ଼ିଲେ । ଭଗବାନ ତହୁଁ ତାଙ୍କୁ କହିଲେ—“ହେ ବ୍ରହ୍ମା ! ମୋ ମନରେ ଏ ଯେଉଁ ଅପୂର୍ବ ରାଗର ସଞ୍ଚାର ହୋଇଛି ତାହାକୁ ତୁମେ ସର୍ବଦା ଗାଅ । ଏହା କହି ଭଗବାନ ଉଭାନ ହୋଇଗଲେ । ଆକବରଙ୍କ ଆଦେଶକୁ ତାନସେନ୍ ତାମିଲ୍ କଲାପରି ବ୍ରହ୍ମା ଆଖିବୁଜି ଗାଇ ବସିଲେ ।

 

କେ ବର୍ଣ୍ଣିବ ତୋ ମହିମା ଆହେ କୃଷ୍ଣ ହରି,

ଉଭୟ କୟେଦୀ ତୁହି ଆଉ ବି ପ୍ରହରୀ ।

ବେପାରୀ ରୂପରେ ତୁହି କିଳାପୋତା କରୁ,

ପୁଲିସ ରୂପରେ ପୁଣି ଆପଣାକୁ ଧରୁ ।

ଦୋଷୀ ରୂପେ କାଠଗଡ଼ା ମଧ୍ୟ ହେଇ ଠିଆ,

ବାଦୀ ରୂପେ ଦେଉ ପୁଣି ନିଜକୁ ବାଡ଼ିଆ ।

ତୋର ଲୀଳା ବୁଝିବାକୁ କର ମୋତେ କ୍ଷମ,

ନୋହିଲେ ନିଶ୍ଚୟ ପ୍ରଭୁ ଖାଇବି ଅଫିମ ।

 

ଗୀତଟି ବ୍ରହ୍ମାଙ୍କୁ ଏତେ ଭଲ ଲାଗୁଥିଲା ଯେ, ସେ ଥାନ ଅଥାନ ନ ବାରି ସବୁ ଜାଗାରେ ବୋଲିବାକୁ ଲାଗିଲେ । ଇତିମଧ୍ୟରେ ଭଗବାନ ଯାଦୁକର ଖାଲି ମୁଣି ଭିତରୁ ଅଜସ୍ର ଜିନିଷ କାଢ଼ିଲାପରି ଶୂନ୍ୟଟାରୁ ବହୁତ କିଛି ସର୍ଜନା କରି ସାରିଥିଲେ । ଦେବତା, ଗନ୍ଧର୍ବ, ମଣିଷ, ଦଶିପୋକ ଇତ୍ୟାଦି । ବହୁତ କିଛି ଜିନିଷ ସେତେବେଳକୁ ତିଆରି ହୋଇ ଥାଆନ୍ତି । ଦିନେ ବ୍ରହ୍ମା ଗୋଟାଏ ବରକୋଳି ଗଛମୂଳେ ବସି ଆନନ୍ଦରେ ଏହି ଗୀତଟି ବୋଲିୁଥାନ୍ତି, ଗୋଟାଏ ଗନ୍ଧର୍ବ ହାତରେ ଗୋଟାଏ ବଇଁଶୀ ଧରି ଆରତତ୍ରାଣ ଚଉତିଶା ବୋଲି ବୋଲି ସେଇଠି ଆସି ପହଞ୍ଚିଲା । ବଂଶୀଧାରୀ ଗନ୍ଧର୍ବଟି କିଛିକ୍ଷଣ ସେଇଠି ବସି ସେଇ ଗୀତଟିକୁ ଶୁଣିଲା । ଯୋଗକୁ ନାରଦ ଠିକ୍ ସେତିକିବେଳେ ଢେଙ୍କିରେ ଚଢ଼ି ତାଙ୍କ ଉପର ଦେଇ ଶୂନ୍ୟରେ କୁଆଡ଼େ ଧପାଲି ଥାଆନ୍ତି । ସେ ସେଠି ଦି’ଜଣଙ୍କୁ ଯେମିତି ଦେଖିଲେ, ସାଙ୍ଗେ ସାଙ୍ଗେ କଳିମୁଣିରୁ ମେଞ୍ଚାଏ ବାଲି ତାଙ୍କରି ଉପରକୁ ଛାଡ଼ିଦେଇ ଦେ ପାର୍ । ମଇଁଷିଆ ଯାଦୁ ଗଲୁ କଲାପରି ବଇଁଶୀଧାରୀ ଗନ୍ଧର୍ବଟିର ମନ ଗଲ ଗଲ କରି ଉଠିଲା । ସେ ମନେ ମନେ ଭାବିଲା—“ଏ ବ୍ରହ୍ମାଟା ଆରତତ୍ରାଣ ଚଉତିଶା ନ ବୋଲି ଏଥିରୁ ଗୁଡ଼ାଏ କଣ ବୋଲୁଛି ? ୟାକୁ ଏଠି ମୁଁ ବୋଲାଇ ଦେବିନି ।’’ ଏହା ଭାବି ସେ ବଇଁଶୀକୁ ଚାବୁଲ୍ କରି ବରକୋଳି ଗଛକୁ ଫୋପାଡ଼ିଲା । କୁଆପଥର ଗଦା ହେଲାପରି ସଇକାର ସଇକାର ବରକୋଳି ବ୍ରହ୍ମାଙ୍କ ମୁଣ୍ଡ ଉପରେ ଗଦାହୋଇ ପଡ଼ିଲା । ବ୍ରହ୍ମାଙ୍କ ଗୀତାବୋଲା ବନ୍ଦ ହୋଇଗଲା । ସେ ଗନ୍ଧର୍ବକୁ ଦେଖି କହିଲେ—“ହେ, ତୁ କିଏସେ—ତୁ କିଏସେ ?” —‘‘ମୁଁ ବଂଶୀଧାରୀ ।” “ତୁ ମୋ ଗାଇବାରେ କାହିଁକି ବାଧା ଦେଉଛୁ—” ‘‘ସେଇଟା ଭଲ ଗୀତ ନୁହେଁ, ଆର୍ତ୍ତତ୍ରାଣ ଚଉତିଶା ବୋଲ”—“ଏଁ, ଏ ଗୀତ ଖରାପ ! ଏତେ ପଣ୍ଡିତ କେଉଁଦିନଠୁ ହୋଇ ଗଲୁରେ ?’’ —“ଆରେ, ଆର୍ତ୍ତବଲ୍ଲଭଙ୍କ ଦୟାରୁ ମୁଁ ମହା ପଣ୍ଡିତ ।”—“ରଖ ତୋ ଆର୍ତ୍ତବଲ୍ଲଭ ! ନିଜ ପେଟରେ ତ ମାଲ ନାହିଁ, ଅନ୍ୟ ଦୟାରେ ପୁଣି ଏତେ ଚାତର ! ସେ ଯୋଉଦିନ ଦୟା ନ କରିବ, ସେଇଦିନ ତ ମୂର୍ଖ ହୋଇଯିବୁ ।” —“ଇସ୍, ଭାରି ନିଜ ଶିଙ୍ଘରେ ମାଟି ଖୋଳିଲାବାଲା ! କହିଲୁ ଭଲା ଯେଉଁ ସୁର୍ ବୋଲୁଛୁ ତା ନାଁ କ’ଣ ?” —“ଆରେ ସେ ସୁର୍‌ର ନାଁ ନାହିଁ । ତାହା ସ୍ୱୟଂ ଭଗବାନଙ୍କର ଆନନ୍ଦର ପ୍ରକାଶ । ତାକୁ ନାମ ଦେବ କିଏ ?’’ —“ଚୋର, ଚୋର ! ନିଜର ହୋଇଥିଲେ ନାମଟା ଚଟକରି କହିଦେଇ ନ ଥାନ୍ତୁ ? ମୋ ପାଖରେ ବାଁ ଖାଡ଼ିଆ ଚଳିବ ନାହିଁ ।”

 

ଏ କଳି ଛିଡ଼ିଲା ନାହିଁ । ଉଭୟେ ମୀମାଂଶା ପାଇଁ ଅନ୍ତର୍ଯ୍ୟାମୀ ବିଷ୍ଣୁଙ୍କ ପାଖକୁ ଗଲେ । ବିଷ୍ଣୁ ଦେଖିଲେ ଯେ, ଏହି ସୁର୍‌ର ନାଁ ପାଇଁ ଏତେ କଳି । ନାଁ’ଟାଏ ଦେଇଦେଲେ ଏ କଳିଟା ଆସ୍ତେ ଆସ୍ତେ ଥଣ୍ଡା ପଡ଼ିଯିବ । ତେଣୁ ସେ ବୁଝେଇ କହିଲେ— “ହଇରେ ବଇଁଶୀଧାରୀ ଗନ୍ଧର୍ବ, ତୋର ଏପରି ଔଦ୍ଧତ୍ୟ ପ୍ରକାଶ କରିବା ଉଚିତ ନୁହେଁ । ଏ ସୁର୍‌ଟା ପ୍ରକୃତରେ ବ୍ରହ୍ମାଙ୍କର ନିଜସ୍ୱ । ପ୍ରକୃତରେ ଏହାର ନାମ ନାହିଁ । ଏ ସୁର୍‍ର ପାଇଁ ତୁମେ ଦି’ଜଣ ଏତେ କଳହ ସୃଷ୍ଟି କଲଣି । ତେଣୁ ଏ ସୁର୍‌ର ନାମ କଳହ-ସାଗର ଦିଆଯାଉ । ସବୁ ଯୁଗରେ ଏହା ଖ୍ୟାତ ହୋଇ ରହିବ । ମୁନି ଋଷିମାନେ ଏହାକୁ ଗାଇବେ । ଯାଅ, ଏଥରକ ଆଉ କଳି କରନା ।”

 

ସେହିଦିନଠାରୁ ସେହି ସୁର୍‌ର ନାଁ କଳହ-ସାଗର ରୂପେ ପରିଚିତ ହେଲା । କାଳକ୍ରମେ ଗାଡ଼ି ଚାଲିଲା । ସମୟର ଦୂରତା ଆସ୍ତେ ଆସ୍ତେ କମିଯିବାକୁ ଲାଗିଲା । ଲୋକେ ବହୁତ ଜିନିଷକୁ କମ୍‌ରେ ବୁଝିବାକୁ ଚେଷ୍ଟାକଲେ । ଯେପରି କି ସମ୍ପାଦକ ‘ଡଗର’କୁ ସଂ:ଡ଼:, ଗୋପାଳଚନ୍ଦ୍ର ମିଶ୍ର—ଗୋ: ଚ: ମି:, ଉଡ଼ା ଇତିବୃତ୍ତିରୁ ପାଇଛୁ—ଉ: ଇ: ପା:—‘ଭଞ୍ଜ ସାହିତ୍ୟସେବୀମାନେ ବଜାରି’କୁ–ଭ: ସା: ସେ: ବ: ଇତ୍ୟାଦି । ‘କଳହ—ସାଗର’ ଏତେବଡ଼ ନାଁ’ଟାଏ କହିବାକୁ ଅସୁବିଧା ହେବାରୁ, କଳହ ଓ ସାଗର ଏ ଦୁଇଟି ଶବ୍ଦର ପ୍ରଥମ ଅକ୍ଷରମାନ ଦେଇ କ: ସା: ବୋଲି କଲେ-। ଜଣେ ବିଖ୍ୟାତ ପଣ୍ଡିତ ଏଥିରେ ପ୍ରତିବାଦ କରି କହିଲେ—କଳହ ହେଉଛି ଜ୍ୟେଷ୍ଠ ଶବ୍ଦ ଏବଂ ସାଗର ହେଉଛି କନିଷ୍ଠ ଶବ୍ଦ । ଜ୍ୟେଷ୍ଠ ବା ପ୍ରଥମ ଶବ୍ଦରୁ ଜ୍ୟେଷ୍ଠାଂଶ ସ୍ୱରୂପ ଦୁଇଟି ଅକ୍ଷର ନିଆଯାଉ ଓ କନିଷ୍ଠରୁ ଗୋଟିଏ ନିଆଯାଉ । ସବୁ ପଣ୍ଡିତମାନେ ଏଥିରେ ରାଜି ହୋଇ ଯିବାରୁ ସେହି ଦିନଠାରୁ ତାର ନାମ ‘କଳସା’ ହେଲା ।

 

ଆମ ଖତଗଦାରୁ ମିଳିଥିବା କୋଚିଆ ପୁରାଣ ପୋଥିର ୧୦୭ ପୃଷ୍ଠାର ୩ୟ ଧାଡ଼ିରେ ଲେଖା ଅଛି—

 

ବଂଶୀଧର ଗନ୍ଧର୍ବଟି କରେ ଭାରି କଳି,

ଦେବତାଏ ସର୍ବେ ଦେଲେ ତାହାଙ୍କୁ ନିକାଲି ।

ମଞ୍ଚ ମଣ୍ଡଳକୁ ଆସି କଳିଙ୍ଗେ ପଶିଲା,

ଆର୍ତ୍ତବଲ୍ଲଭ ନାମକୁ କାତରେ ଘୋଷିଲା ।

ଆହେ ପ୍ରଭୁ ମନ ମୋର ହୁଏ ଗଲଗଲ,

କଳିର ବିହୁନେ ମୋର ପ୍ରାଣ କଲବଲ ।

ଆରତବଲ୍ଲଭ ତାର ଡାକକୁ ଶୁଣିଲେ ,

କଳସାକୁ ନେଇ ବ୍ରହ୍ମା ଯାଅସି ବୋଇଲେ ।

କଳସା ଶୁଣିଲେ ସେହୁ କଳି ଆରମ୍ଭିବ,

ମନ ଆରମାନ ଗୋଟି ତାହାର ମେଣ୍ଟିବ ।

ସେହିଦିନୁ କଳସାଟି ଧରାକୁ ଆସିଲା,

ବଂଶୀଧର ଗନ୍ଧର୍ବଟି କୁଲୁରି ଉଠିଲା ।

 

ଚେମେଇ ପାଣିଙ୍କ ଆଟୁ ସଙ୍ଗାରୁ ମିଳିଥିବା ପେଚକ ପୁରାଣର ୬୪ ପୃଷ୍ଠାରେ ଲେଖାଅଛି—

 

କଳସାକୁ ମର୍ତ୍ତ୍ୟେ ଦେଖି ଖୁସି ହେବେ ଜୀବେ,

ଜନମ ଜାତକ ଗୋଟି ତାହାର ଖୋଜିବେ ।

ପ୍ରାଚୀ ତଟ ବାବାଜୀଟି ଆଗୁଆ ଚେଣ୍ଟିବ,

ଆଳକୁଚି ମାଳକୁଚି ବହୁତ ଘାଣ୍ଟିବ ।

ଥଳକୂଳ ନ ପାଇଣ ହୋଇବ ବେଦମ,

କହିବ ଆଠଶ ବର୍ଷ ହେଲା ଏ ଜନମ ।

କହିବେ ଉଠିଣ ବ୍ରହ୍ମା ଏ ନୁହଁଇ ସତ,

ଆହୁରି ଥୋଡ଼ାଏ ଘାଣ୍ଟ ନ ହୋଇ ନିସତ ।

ବଂଶୀଧର ଗନ୍ଧର୍ବଟି ଛୋଟେଇ ହାଙ୍କିବ,

ନିଜ ନାକେ କାଠି ଭରି ବହୁତ ଛିଙ୍କିବ ।

କଣ୍ଟାବାଡ଼େ ଲୁଗା ଛାଟି ଆରମ୍ଭିବ କଳି,

କଲେଜ ପିଲାଏ ଦେଖି ମାରୁଥିବେ ତାଳି ।

 

ଏହିସବୁ ପୁରାତନ ତାଳପତ୍ର ପୋଥିରୁ ନିର୍ଭୁଲ ପ୍ରମାଣ ନେଇ ଆମ୍ଭେ ମତ ପ୍ରକାଶ କରୁଛୁ କି, କଳସା ସୃଷ୍ଟିର ପ୍ରଥମରୁ ବିଦ୍ୟମାନ । ଆଉ ବି ଏହାର ପ୍ରାଚୀନତା ବିଷୟରେ ଯେଉଁ କଳିକନ୍ଦଳ ଲାଗିଛି, ସେଥିରେ କାହାର ବିବୃତ ହେବାର କାରଣ ନାହିଁ । କାରଣ ଏହା ଲୀଳାମୟ ଭଗବାନଙ୍କର ଇଚ୍ଛା । ତାହା ବି ପେଚକ ପୁରାଣରେ ଛତିଆ ମାଳିକା ପରି ଭବିଷ୍ୟତ ବାଣୀରୂପେ ଲିପିବଦ୍ଧ ହୋଇଅଛି । ଆମର ଏ ମତକୁ ଯଦି କାହାର ଖଣ୍ଡନ କରିବାର ଥାଏ, ତେବେ ସେ ଆସୁ ହାମ୍ ସାହି ଫୁଲକା ଉପରକୁ ।

☆☆☆

 

ବ୍ଲାଷ୍ଟଫର୍ଣ୍ଣେସ୍ କବି

 

ଆମ ଓଡ଼ିଆମାନଙ୍କର ‘ଘୋଡ଼ କମ୍ବଳ ପଡ଼େ ରହୋ’ ନୀତି ଯୋଗୁଁ ଓଡ଼ିଶା ଉଚ୍ଛନ୍ନ ହେବାର ଦେଖି କାହାର କଅଣ ହେଉ ବା ନ ହେଉ, ମଙ୍ଗଳବାରିଆ ସାହିତ୍ୟ ସଂସଦର ପିଳେହି ପାଣି ହେବାକୁ ବସିଲା । ‘ମହାଭାରତୀୟ ସ୍ଥୂଳତା’ରେ ଉଦ୍‌ବୁଦ୍ଧ ହୋଇ ପଡ଼ୋଶୀ ରାଜ୍ୟମାନେ ଓଡ଼ିଶା ଭୂଇଁରୁ ବିଲାତି ପିଠା କାଟି ନେଇଗଲା ପରି ଖଣ୍ଡେ ଖଣ୍ଡେ ନେଇ ଚାଲିଗଲେ । ମାତ୍ର କେତେଜଣଙ୍କୁ ଛାଡ଼ିଦେଲେ ଆଉତକ ‘ଘୋଡ଼ କମ୍ବଳ ପଡ଼େ ରହୋ’ । ମୁଷ୍ଟିମେୟ କେତେଜଣ ଯେତେବେଳେ ‘କିଏ ରେ, କିଏ ରେ’ ବୋଲି ଚିଲେଇ ଉଠିଲେ, ସେତେବେଳେ ସେହି ବିଲାତି ପିଠାଖିଆଳୀମାନେ ସଅଁବାଳୁଆ ଖୋଳ ବଦଳେଇଲା ପରି ସଙ୍ଗେ ସଙ୍ଗେ ଡାକୁ ଖୋଳ ଛାଡ଼ି ସାଧୁ ଖୋଳରେ ପଶିଗଲେ । ଗମ୍ଭୀରତା ଦେଖେଇବା ଲାଗି ଗଣ୍ଡ ଓ ବେକକୁ ଫୁଲେଇ ଉପଦେଶ ଦେବାକୁ ଲାଗିଲେ—“ଏ-ହେଃ, ଏମିତି କହିବା ଠିକ୍ ନୁହେଁ, ଏ ଗୁଡ଼ାକ ପ୍ରାଦେଶିକ ସଂକୀର୍ଣ୍ଣତା ।” ସେମାନଙ୍କ ମୁହଁରୁ ଏତିକି କଥା ବାହାରୁ ବାହାରୁ, ବାହାରୁ କମ୍ବଳ ଘୋଡ଼ିଆଙ୍କ ଭିତରୁ ‘ନେତା’ ମୋହର ମରା କେତେକ ଚରଣ ଚୁଟିଆ ବାହାରିପଡ଼ି କୁହାଟିବାରେ ଲାଗି ପଡ଼ିଲେ—“ଆଜ୍ଞା, ଆଜ୍ଞା, ଶ୍ରୀ ହଜୁର ଯାହା କହିଛନ୍ତି ତାହା ସତ୍ୟର ବଡ଼ ବୋପା । ଆମ ଅପର୍ଚ୍ଛନିଆ, ଭେଡ଼ି, ଅଶିକ୍ଷିତ, ବର୍ବର, ପାଷଣ୍ଡ, ଭାଣ୍ଡ ଓଡ଼ିଆଗୁଡ଼ାକ ବାସ୍ତବିକ୍‍ ପ୍ରାଦେଶିକ ସଂକୀର୍ଣ୍ଣତାରେ ଘାଣ୍ଟି ହୋଇଗଲେଣି । ଏଗୁଡ଼ାଙ୍କୁ ଖାଲି ଠେଙ୍ଗୁଣି ସାହାଯ୍ୟରେ ସିଧା କରାଯାଉ ।’’ କେବଳ ଏତିକି କହିଥିଲେ ଗୋଟାଏ ରକମର ହୋଇ ଥାଆନ୍ତା । ଚରଣ ଚୁଟିଆଏ ଠେଙ୍ଗୁଣି କାଢ଼ି ମନଇଚ୍ଛା ପରସ୍ତେ ଛେଚି ଦେଇଗଲେ । ବିରିମାଡ଼ ଦେଖି କୋଳଥ ଚେପା । କମ୍ବଳ ଘୋଡ଼ିଆଏ ଏପରି ହାଲ୍ ଦେଖି ଆହୁରି ଜୋରରେ ଘୁଙ୍ଗୁଡ଼ି ମାରିଲେ । ସେମାନଙ୍କର ନିଦ ଓ ଘୁଙ୍ଗୁଡ଼ି ଏଡ଼େ ସଂକ୍ରାମକ ହେଲା ଯେ, ଶେଷକୁ ‘କିଏ ରେ, କିଏ ରେ’ ହେଲା ବାଲାଏ ବି ଢୋଳେଇବାକୁ ଆରମ୍ଭ କଲେ । ଏମାନେ ଶୋଇପଡ଼ିଲେ ଯେ କଥା ଶେଷ । ଲୁଟା ଧନକୁ ଡାକୁଏ ବାଣ୍ଟି ନେଲା ପରି ଶେଷରେ ଓଡ଼ିଶା ମୁଲକଟାକୁ ପଡ଼ୋଶୀମାନେ ଆପଣା ଆପଣା ଭିତରେ ବାଣ୍ଟିନେବେ ସିନା । ଏଡ଼େ ବଡ଼ ପୁରୁଣା ଜାତିର କଳା, ସାହିତ୍ୟ, କୃଷ୍ଟି ସବୁକିଛି ଚାହୁଁ ଚାହୁଁ କୁଆଡ଼େ ଉଭେଇ ଯିବ । ଏଇ ବିଛା କାମୁଡ଼ିଆ ଭାବନା ମଙ୍ଗଳବାରିଆ ସାହିତ୍ୟ ସଂସଦର ସଭ୍ୟମାନଙ୍କୁ କାଲୁବାଲୁ କରି ପକେଇଲା । ସମସ୍ତେ ବିଚାର କରି ସ୍ଥିର କଲେ—ନା, ଏ ଜାତିଟାକୁ କୌଣସିମତେ ବଞ୍ଚାଇବାକୁ ହେବ । ନିଦ ଭଙ୍ଗେଇବାକୁ ହେବ । ଜଡ଼ତା ଦୂର କରିବାକୁ ହେବ । କମ୍ବଳଟାକୁ କାଢ଼ି ଫୋପାଡ଼ି ଦେବାକୁ ହେବ-। ଥଣ୍ଡା, କାଲୁଆ ରକ୍ତ କାଢ଼ିଦେଇ ଟକମକ ଫୁଟୁଥିବା ଉଷ୍ଣ ଶୋଣିତ ପ୍ରବାହର ପ୍ରଳୟଙ୍କରୀ ବନ୍ୟା ଛୁଟାଇବାକୁ ହେବ । ଇସ୍ପାତ ହାତରେ ବାଧା ବିଘ୍ନର ବନ୍ଧବାଡ଼କୁ ଫାଡ଼ି ଦେଇ ହଜାର ହଜାର ଦଳେଇଘାଇ ଖୋଲି ଦେବାକୁ ହେବ ।

ଏହିପରି ଅନାୟାସ ଲବ୍‍ଧ ବିଚାର ସବୁ କରୁ କରୁ ସଂସଦ ସଭ୍ୟମାନଙ୍କର ରକ୍ତତାପ ତାପମାନ ଯନ୍ତ୍ରକୁ ଫୁଟାଇ ପଦାକୁ ବାହାରି ଗଲା । ଟେବୁଲର ପଟାଟା ବି ଫାଟିଗଲା; କିନ୍ତୁ ‘କେମିତି କରିବା’ ଭାବନାଟି ମୁଣ୍ଡରେ ପଶିବା ମାତ୍ରେ ଚାହୁଁ ଚାହୁଁ ସବୁ ତାଉକୁ ହେମାଳ କରିଦେଲା-। ହିମକ ବା ରିଫ୍ରିଜିଟର୍ ବି ଏମିତି ହେମାଳ କରିପାରିବ ନାହିଁ ।

ପୁଣି ସମସ୍ତେ ବସି ମୁଣ୍ଡ ଖେଳାଇଲେ ‘କେମିତି କରିବା’ । ଜଣେ ଅଧେ ପ୍ରସ୍ତାବ କଲେ–ଚାରିଆଡ଼େ ସଭା ସମିତି କରି ଲୋକଙ୍କୁ ଚିଆଁଇବାକୁ ହେବ, କିନ୍ତୁ ଘର ଢିଙ୍କି ଯେ କୁମ୍ଭୀର-! ଗରମାଗରମ ବକ୍ତୃତା ଦେଲାବେଳକୁ ମୁହଁରେ ଶାଣଦେଇ ନେତାଏ ମଞ୍ଚ ଉପରେ ଭିଡ଼ି ଜମେଇ ଦେବେ; କିନ୍ତୁ କାମ ବଖତ୍‌କୁ କାହା ଘରଲୋକ ବାରଣ କରିବ, କାହାର ପ୍ରତିଜ୍ଞାପତ୍ର କେଉଁଠି ହଜିଯିବ, କାହାର ସଙ୍ଗେ ସଙ୍ଗେ ଗୁରୁ ରକ୍ତଚାପ—କଠୋର ବିଶ୍ରାମ କଡ଼ା କଡ଼ି ପାଳନ କରିବାକୁ ହେବ, ଫୁଲ୍‌କା ଉପରେ ନେତାଙ୍କ ଦର୍ଶନ ମିଳିବ ନାହିଁ । ଫଳରେ ଠେଙ୍ଗୁଣି ବସିବ, ଯେଉଁମାନେ ଜଣେ ଅଧେ ନେତାଙ୍କ ବକ୍ତୃତାରେ ତାତିଯାଇ କମ୍ବଳ ଭିତରୁ ପଦାକୁ ବାହାରି ଆସିଥିବେ, ତାଙ୍କରି ମୁଣ୍ଡରେ । ଆମ ଲୋକେ ଅଳ୍ପ ଦିନ ତଳେ ଏମିତିଆ ଘଟଣା ଅଙ୍ଗେ ନିଭେଇଛନ୍ତି । ତେଣୁ ସଭା ସମିତିରେ ଆଉ କାମ ଚଳିବ ନାହିଁ । ସଙ୍ଗେ ସଙ୍ଗେ ସେ ପ୍ରସ୍ତାବଟି ନାକଚ ହୋଇଗଲା ।

ଆଉ ଜଣେ ପ୍ରସ୍ତାବ କଲେ—“ଚାଲ ପିସ୍ତଲ, ବନ୍ଧୁକ, ବୋମା ନେଇ ଚାରିଆଡ଼େ ବିଦ୍ରୋହର ନିଆଁ ଜଳାଇଦେବା ।” ଜଣେ ବି ସମର୍ଥକ ପାଲଟି କହିଲା—“ଖାସା ପ୍ରସ୍ତାବଟାଏ ଏକା-। ଏଇ ପନ୍ଥା ଧରି ଦଳେ ଗୋଟାଏ ସ୍ୱତନ୍ତ୍ର ପ୍ରଦେଶ ପାଇଗଲେ । ଆମେ କାହିଁକି ନ ପାରିବା-?’’

ଚିନ୍ତାଶୀଳ ବ୍ୟକ୍ତିପରି ଦିଶୁଥିବା ଦି’ ଚାରି ଜଣଙ୍କ ମନକୁ ଏ କଥା ଜମାରୁ ପାଇଲା ନାହିଁ-। ଘୋର ପ୍ରତିବାଦ କରି ଜଣେ କହିଲା—“କ’ଣ ହେଲା, ଅସୀଠାରୁ ମସୀ ବଡ଼ । ଜାଣୁ ଜାଣୁ ଆମେ ଅସୀ ଧରିବା ? କାଳେ କାଳେ ମସୀ ପୃଥିବୀକୁ ଓଲଟାଇ ଦେଇଛି । ଆମରତ ସାମାନ୍ୟ କାମ । ଆଉ ବି ଅସୀରେ ବିପଦ ବହୁତ । ହାତ, ଗୋଡ଼ ବେଳେ ବେଳେ ମୁଣ୍ଡ ବି କଟି ଯାଇପାରେ, କିନ୍ତୁ ମସୀରେ ଏ ସବୁର ଭୟ ବିଲକୁଲ୍ ନାହିଁ । ଯଦିବା ସରକାର ବୋକାମି କରି କାହାକୁ ମାମୁଁ ଘରେ ଠୁଙ୍କି ଦିଅନ୍ତି, ତେବେ ତା ମୁଣ୍ଡରେ ଶିରୀପା ବନ୍ଧାହେଲା ଜାଣ । ମାମୁଁ ଘରୁ ଫେରିଲାବେଳକୁ କେତେ ଫୁଲମାଳ, କେତେ ଅଭ୍ୟର୍ଥନା, କେତେ କଅଣ, ତାର ସୀମା ନ ଥିବ ।

ବିପଦ ନାହିଁ, ପରିଶ୍ରମ ନାହିଁ, ଖରା ବର୍ଷା ବି ସହିବାକୁ ପଡ଼ିବ ନାହିଁ ଅଥଚ ପୃଥିବୀକୁ ଓଲଟାଇ ଦେଇ ହେବ । ଏଡ଼େ ସୁବିଧା ଛାଡ଼େ କିଏ ? ସମସ୍ତଙ୍କ ମନକୁ ଏ କଥାଟା ପାଇଗଲା । ମସୀର ଆଶ୍ରୟ ନେବାକୁ ସମସ୍ତେ ସ୍ଥିର କଲେ ।

 

ଜ୍ୱାଳାମୟୀ କବିତା ଉପରେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଗଲା । ପଖାଳଖିଆ ଓଡ଼ିଆଙ୍କର ଥଣ୍ଡା ରକ୍ତକୁ ଉତ୍ତପ୍ତ କରିବ ଏହି ଜ୍ୱାଳାମୟୀ କବିତା । ଏହାର ତପ୍ତକାରିଣୀ ଶକ୍ତି ହିଁ କମ୍ବଳ ଗୁଡ଼ାକ ଚାହୁଁ ଚାହୁଁ କଢ଼େଇ ଦେଇ ନିଦ୍ରାଳୁମାନଙ୍କ ନିଦ୍ରାଭଙ୍ଗ କରିଦେବ । ତେଣୁ ଜ୍ୱାଳାମୟୀ କବିତା ରଚନାରେ ସମସ୍ତେ ଲାଗି ପଡ଼ିଲେ ।

 

ପର ବୈଠକରେ ସମସ୍ତେ ଏକଯୁଟ ହୋଇ ନିଜ ନିଜ କବିତାର ପ୍ରଶଂସାରେ ମୁଖରେ ହୋଇ ଉଠିଲେ । ହେଲେ, ପ୍ରତ୍ୟେକ କବିତାର ପ୍ରଶଂସାକାରୀ ରଚକ ଛଡ଼ା ଅନ୍ୟ ଜଣେହେଲେ କେହି ନଥିଲେ; ବରଂ ଦୋଷ ଦୁର୍ଗୁଣ ଦେଖାଇବାକୁ ଥାଟ ସାଜି ବାହାରି ପଡ଼ୁଥିଲେ ।

 

ଜଣେ ପଢ଼ିଲା—“ଜାଗରେ ଜାଗରେ ଜାଗରେ ଓଡ଼ିଆ, ଜାଗରେ ଜାଗରେ ଆଜି । ଫସରା ଫାଟୁଛି ପୂରୁବ ଦିଗରେ ଘୋର ନିଦ ଯାଉ ଭାଜି ।”

 

ଠେକୁଆକୁ ଶିକାରୀକୁକୁର ପଲ ବେଢ଼ିଗଲା ପରି ଅନ୍ୟମାନେ ଏ କବିତାକୁ ଘେରିଯାଇ ସମାଲୋଚନା ଆରମ୍ଭ କରି ଦେଲେ—“ହେଃ, ଏଇଥିରେ ନିଦ କେବେ ଭାଙ୍ଗିଲାଣି ନା ଭାଙ୍ଗିବ ! ତା ଦେହ ତାଉ ହେଲେ ସିନା ଉଠିବ ! ଓଲଟି ଏ ନାନାବାୟା ଗୀତରେ ଅଧିକ ଘୁଙ୍ଗୁଡ଼ି ମାରି ଶୋଇବ ।”

 

କବିଟି ରକ୍ତ ଚାଉଳ ଚୋବାଇ, ବଦଲା ନେବା ପାଇଁ ଅନ୍ୟ ଜଣକର କବିତାକୁ ଛକି ରହିଲା ।

 

ଅନ୍ୟ ଜଣେ ପଢ଼ିଲା—

 

“ଉଠ ବିଦ୍ରୋହୀ ଉଠ ସୈନିକ

ଉଠ ତୁଙ୍ଗ ଶିଖରୀ ଚୂଳେ,

ଲୋଡ଼ା ନାହିଁ ଆଉ ଅନାଇଁ ରହିବା

ଏଇ ପର୍ବତ ମୂଳେ ।”

 

କବି ମୁହଁରୁ ଏତକ ସରିଛି କି ନାହିଁ ପୂର୍ବ କବି ଜଣକ ଘାଉଁକରି ମାଡ଼ି ବସିଲା । ଚୋରକୁ ବେଢ଼ିଗଲା ପରି ଅନ୍ୟମାନେ ବି ବେଢ଼ିଗଲେ । ସମାଲୋଚନାର ରକେଟ୍ ଛୁଟିଲା ।

 

“ଅବାସ୍ତବ, ଅବାସ୍ତବ । ଆରେ, ଯିଏ ନିଦରୁ ଉଠିବାକୁ ପ୍ରସ୍ତୁତ ନୁହେଁ ସେ ଉଠିବ ତୁଙ୍ଗ ଶିଖରୀ ଚୂଳେ ? ଏତେ ପଥର ଖମା, କଣ୍ଟାବୁଦା ଡେଇଁ ସେ କାହିଁକି ଶିଖରୀ ଚୂଳକୁ ଉଠିବ ? ତାର ନିଜର କଅଣ ଅଣେଇ ହୋଇ ପଡ଼ୁଛି କି ? ଏମିତି ହଜାର ଦିନ ଡାକ ପକେଇଲେ କିଏ ଉଠୁତ ଭଲା ଦେଖି !”

 

ଦ୍ୱିତୀୟ କବିଟି ପସାରୁଣୀ ପତ୍ର ଶୁଙ୍ଘିଲାପରି ମୁହଁ କରି ଚୁପ୍ ହୋଇ ରହିଲେ । ତା ପରେ ତୃତୀୟ ପଢ଼ିଲେ—

 

“କାରାର ପାଚେରୀ ତାଡ଼ିଦିଅ ଏବେ

ଲୌହ କବାଟ ଫାଡ଼ିଦିଅ,

ଜେଲର ୱାର୍ଡ଼ର୍ ସଭିଙ୍କ ଗଳାରେ

ଧକ୍‌କା ମାରିଣ ତଡ଼ିଦିଅ ।”

ବିଜୁଳି ପଛେ ପଛେ ଘଡ଼ଘଡ଼ି ପରି କବିତା ପଛେ ପଛେ ସମାଲୋଚନା ଗର୍ଜ୍ଜି ଉଠିଲା–“ରଖ, ରଖ, ଭାରି ଭଲ ଉପାୟଟା ବତେଇ ବସିଲେ । ଜେଲ୍‍ ପାଚେରୀକୁ ଭାଙ୍ଗିବେ-। ମିଲିଟାରୀ ସବୁ କ’ଣ ଅଫିମ ଖାଇ ଶୋଇଥିବେ ? ଜେଲର୍‌କୁ ଧକ୍‍କା ମାରିବେ, ସେତେ ଯେମିତି ତା ହାତରେ ପିସ୍ତଲ ନାହିଁ ! ଲୋକେ ପାଚେରୀ ଭାଙ୍ଗି ମିଲିଟାରୀ ହାତରୁ ଗୁଳିମାଡ଼ ଖାଉଥିବାବେଳେ କବି ଆରାମରେ କମ୍ବଳ ଘୋଡ଼ିହୋଇ ଶୋଇ ରହିଥିବେ । ଅବସ୍ଥା ଅସମ୍ଭାଳ ହେଲେ ଓଲଟି କହିବେ—ଥାଉ, ଥାଉ, ଏପରି କରିବା ଭଲ ହେଉ ନାହିଁ ।”

ଏମିତି ଗୋଟିଏ ଗୋଟିଏ ହୋଇ ସବୁ କବିତା କାଟ ଖାଇଗଲା । ସମସ୍ତେ ନୀରବ ହୋଇଯିବା ଦେଖି ମୂଳରୁ ସବୁ ମନଦେଇ ଶୁଣୁଥିବା ଜଣେ ଯୁବକ ଉଠି କହିଲା—“ମୁଁ ଏବେ ଜାଣିଗଲିଣି, ଠିକ୍ ଠିକ୍ କେମିତିଆ ଜିନିଷ ଦରକାର । କି ପ୍ରକାରର ଜ୍ୱାଳାମୟୀ କବିତା ହେଲେ କାମ ଦେଖେଇବ । ଆମ ଜାତି ହେଲା ଗାଳିଦେବା ଜାତି, କଳିକରିବା ଜାତି । ଯେଉଁ ଜ୍ୱାଳାମୟୀ କବିତାରେ ଚୌକସ ଗାଳିଗୁଲଜ ଫେଣ୍ଟା ହୋଇଥିବ ସେହି କବିତା କେବଳ ଲୋକଙ୍କ ନିଦ ଭଙ୍ଗେଇବ । ମୋ ଜାଣିବାରେ ଜଣେ ମାତ୍ର କବି ଅଛି, ଯେ କି ଏମିତିଆ କବିତା ଲେଖି ଆମ କାମ ତୁଲେଇ ଦେବ । ତାଙ୍କ ନାମ ହେଉଛି ଶ୍ରୀ ରବୀନ୍ଦ୍ର ନାଥ ସିଂ । କବି ନୁହେଁ—ସେ ଗୋଟିଏ ଚଳନଶୀଳ ଆଗ୍ନେୟଗିରି । ଚାଲୁ ଚାଲୁ, ଖାଉ ଖାଉ, ଦାନ୍ତ ଘଷୁ ଘଷୁ ମଧ୍ୟ ସେ ଜ୍ୱାଳାମୟୀ କବିତା ରଚନା କରିପାରନ୍ତି । ବିଳିବିଳେଇଲେ ମଧ୍ୟ ତାଙ୍କ ମୁହଁରୁ ଜ୍ୱାଳାମୟୀ କବିତା ବାହାରେ । କଳ୍ପିତ ଶତୃମାନଙ୍କ ବିରୁଦ୍ଧରେ ତାଙ୍କୁ ଟିକିଏ ଟିହାଇ ଦେଲେ କାମ ଫତେ…. ଆହୁରି ବଢ଼ିଆ ହେବ ତାଙ୍କୁ କୌଣସି ପ୍ରକାରରେ ଦିନେ ଓପାସ ରଖାଇ ଟିକିଏ ଧକମ୍‌ଧକା କରିଦେଲେ । ତାଙ୍କ ମୁହଁରୁ ଖାଲି ଅଗ୍ନି ନୁହେଁ, ତରଳ ଲାଭା ଛୁଟି ଆସିବ । ତାଙ୍କ ମୁଣ୍ଡରେ ଏତିକି ଭର୍ତ୍ତି କରିବାକୁ ହେବ ଯେ ଦୁଷ୍ଟ ପୁଞ୍ଜିପତିମାନେ ହିଁ ଖଣ୍ଡିତ ଉତ୍କଳ ପାଇଁ ଦାୟୀ । ଯାବତ୍ ଚନ୍ଦ୍ରାର୍କେ ଓଡ଼ିଶାକୁ ଶୋଷିବା ଲାଗି ସେମାନଙ୍କର ଏ ଫନ୍ଦି । ସେମାନଙ୍କର ମୂଳୋତ୍ପାଟନରେ ହିଁ ଓଡ଼ିଶାର ଉନ୍ନତି । ଖାଲି କହିଦେଲେ ତ ହବନି । କାମରେ ନମୁନା ନ ଦେଖେଇଲେ ସମସ୍ତଙ୍କ ବିଶ୍ୱାସ ହେବ କିପରି ?” ଅଧିକାଂଶଙ୍କର ଏହିପରି ମତ ଦେଖି ଯୁବକଟି କାର୍ଯ୍ୟରେ ଦେଖାଇ ଦେବାକୁ ରାଜି ହେଲା । ମଙ୍ଗଳବାରିଆ ସାହିତ୍ୟ ସଂସଦର ବିଶେଷ ଅଧିବେଶନକୁ ରବୀନ୍ଦ୍ର ସିଂକୁ ନିମନ୍ତ୍ରଣ କରାଗଲା ।

ସେଦିନ ସଂସଦ ଖୁବ୍ ସରଗରମ ଥାଏ । ଚଷମା ଭିତରୁ ରବି ସିଂଙ୍କ ଆଖି ଦିଓଟି ଦପ୍ ଦପ୍ ହୋଇ ଜଳୁଥାଏ । ତମ୍ପ ସାପର ନିଶ୍ୱାସ ପରି ତାଙ୍କ ନିଶ୍ୱାସ ଫଁ ଫଁ ଶୁଭୁଥାଏ । ନିମନ୍ତ୍ରଣ କରି ଆଣିଥିବା ଯୁବକଟି ଫୁସ୍‌ ଫୁସ୍‌ କରି ଜଣେ ସଭ୍ୟଙ୍କ କାନରେ କହିଲା—‘‘ଯୋଜନା ଅନୁଯାୟୀ କବିଙ୍କ ଉପରେ ଦି’ ଚାରିଟା ଉତ୍ତମ, ମଧ୍ୟମ ବସିଛି । ଆଉ ବି କାଲିଠାରୁ କବିଙ୍କର ନିର୍ଜଳା ଏକାଦଶୀ ହୋଇଛି ।” ତେଣେ କବି କିନ୍ତୁ ଖଣ୍ଡେ କାଗଜରେ ଚର୍ ଚର୍ କରି ଲେଖି ଚାଲିଥାନ୍ତି, ସମୟ ହେଲା । ରବି ସିଂ କଣ୍ଠ ଝାଡ଼ି ଅଗ୍ନୁତ୍ପାତ ଆରମ୍ଭ କଲେ—

ଶୁଭିଲାଣି ତୋର ମରଣ ଘଣ୍ଟା ଆବେ ଶଳା ‘ବେଇମାନ’

ମୁକାବିଲା ହେବ ତୋହର ସଙ୍ଗେ ଆବେ ଶଳା ସଇତାନ୍

ଆରେ ପାଷାଣ୍ଡ ହାରାମଜାଦା ଚକ୍ଷୁ ଫେଇ ତୁ ଅନା

ଛୁଟି ଆସୁଅଛି ଉତ୍ତରୁ ତୋର ମୃତ୍ୟୁର ପରବାନା

ଶାଣିତ ଦାଆରେ ତୋହର ବେକକୁ କଚ୍ କଚ୍ କଚ୍ କାଟିବି

ଲେଲିହାନ ମୁଖେ ଲୋହର ରକ୍ତ ଚାକୁ ଚାକୁ କରି ଚାଟିବି

ଖଡ଼୍‌ଗ ଆଘାତେ ମୁଣ୍ଡରୁ ତୋର ଗଣ୍ଡି କରିବି ଅଲଗା

ଛୁରି ମାରି ତୋର ଚର୍ବିଳ ବୁକେ ବୁହାଇ ଦେବି ମୁଁ ଭଲ୍‌ଗା

ସର୍ବହରାର ଶୋଣିତେ ପୁଷ୍ଟ ଉଦର ତୋହର ଚିରିବି

ଗଳେ ଲମ୍ବାଇ ଅନ୍ତବୁଜୁଳା ନରସିଂହ ମୁଁ ହୋଇବି

ତୋର ବଂଶେ ମୁଁ ହଇଜା, କାମଳ, ପ୍ଲେଗ୍, ମହାମାରୀ, ମଡ଼କ

ତୋର ଅଟ୍ଟାଳୀ ତୁଙ୍ଗ ଚୂଳରେ ଭୀଷଣ ମୁଁ ରାଧାଚଡ଼କ

ପ୍ରଳୟଙ୍କରୀ ଦାବାନଳ ମୁହିଁ ସାଇକ୍ଲୋନ୍ ଭୀମ ଝଟିକା

ଆବେ ଶଳା ଦେଖ୍ ହେଇଟି ତୋହର ଚିପିଲି ଜୀବନ ନାଟିକା

ନିପାତ କରିବି ତୋହର ବଂଶ ଅଣ୍ଡା ଭେଣ୍ଡା ତିରିଲା

ଆବେ ଶଳା ଏବେ ଇଷ୍ଟ ସୁମର ଉତ୍ସବ ତୋର ସରିଲା

ଉଠରେ ଉଠରେ ଦଳିତ ପେଷିତ ମଥିତ ସୁପ୍ତ ଓଡ଼ିଆ

ଦାଆ ଓ ହାତୁଡ଼ି ହସ୍ତରେ ଧରି ବାଧା ବିଘ୍ନକୁ ମାଡ଼ି ଆ

କିଳିକିଳା ରବ ଘୋର ଗର୍ଜ୍ଜନେ ମନ୍ଥି ଦିଅ ଏ ମେଦିନୀ

ଉଠ ଲୋ ଲଳିତା ଉଠ ଲୋ ଚପଳା ଉଠ ଲୋ ଅନିମା ପେଦିନୀ

 

ହଠାତ୍ ଜଣକର ‘ଡବଲ୍ ନାଇନ୍, ଡବଲ୍ ନାଇନ୍’ ପାଟିରେ କବିତା ପାଠ ବନ୍ଦ ହୋଇଗଲା । ବିରକ୍ତ ହୋଇ କବି ସେ ସ୍ଥାନ ପରିତ୍ୟାଗ କଲେ । ସମସ୍ତଙ୍କର ମୁଖରେ ପ୍ରଶ୍ନବାଚକ ଚିହ୍ନ ଦେଖି ପାଟି କରୁଥିବା ଯୁବକଟି କହିଲେ—“ ବାପରେ ବାପ୍, ଏ ତ ବ୍ଲାଷ୍ଟ ଫର୍ନେସ କବିତା ! ଡବଲ୍ ନାଇନ୍‌କୁ ଫୋନ୍‍ କରି ଫାୟାର୍ ବ୍ରିଗେଡ୍‍ ନ ମଗାଇଲେ ଏହାକୁ ସମ୍ଭାଳିବା କାଠିକର ପାଠ ହେବ । ସେ ଯାହା ହେଉ ଟିକିଏ ଅକ୍ତିଆର କରି ଏମିତି କବିତାର ଧାରାବାହିକ ପ୍ରଚାର ହେଲେ ଆମ ଜାତି ଭବିଷ୍ୟତରେ ଉଠିପାରେ ।” ପ୍ରାୟ ସମସ୍ତେ ଏଥିରେ ଏକମତ ହୋଇଗଲେ ।

☆☆☆

 

ବାଲ୍ମୀକି-ରବୀନ୍ଦ୍ର ବିବାଦ

 

ଓଡ଼ିଆରେ ଏମ୍. ଏ. ପରୀକ୍ଷା ଦେବାକୁ ଦଣ୍ଡ ବୈଠକ ମାରୁଥିବା ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ନୀଳମଣି ମାହାନ୍ନା ରାତି ନଅଟାରେ ତାଙ୍କ ତୀର୍ଥସ୍ଥାନ ସିନେମାରୁ ଫେରିଲେ । ରାତିଖାନାଟା ଟିକିଏ ଟାଣ ହୋଇଗଲା । ତୃପ୍ତ ହୋଇ ଶେଯରେ ଗଡ଼ିଗଲେ । କିନ୍ତୁ ହାୟ ! ଯେତେ ଆକୁଳ ହୃଦୟରେ ନିଦ୍ରାଦେବୀଙ୍କୁ ଆବାହନ କଲେ ସବୁ ନିଷ୍ପଳ ହେଲା । ନିଦ୍ରାଦେବୀ ଆସିବା ତ ଦୂରର କଥା, ଟିକିଏ ଆଡ଼ ନୟନରେ ବି ଚାହିଁଲେ ନାହିଁ । ଜୋର ଜୁଲମ କରି ଆଖି ବୁଜିଲେ । ଅବାଧ୍ୟ ପିଲା ପରି ତାହା ବାରମ୍ବାର ମେଲା ହୋଇଗଲା । ଦୁନିଆଯାକର ଆବୁରା ଯାବୁରା ଭାବନା ବେଆକଟ ପିଲାମାନଙ୍କ ପରି ମୁଣ୍ଡ ଭିତରେ ନାଚକୁଦ ଲଗାଇ ଦେଲେ । ମାହାନ୍ନାଏ ବିକଳ ହୋଇ ଏହାର ମୂଳ କାରଣ ଖୋଜି ଲାଗିଲେ । ସକାଳେ ଘରେ କପେ ଚା, ବାଣୀବିହାରରେ ସାଙ୍ଗ ସୁଙ୍ଗାଙ୍କ ସାଥିରେ ଚାରି କପ୍ ଚା, ଗ୍ରାଣ୍ଡ ସିନେମାରେ ଦୁଇ କପ୍, ଏମିତି ଗାଏମୋଟ୍ ସାତ କପ୍ ଚା ହୋଇଯାଇଛି । ଏ ସାତ କପ୍ ଦେହକୁ ତାଉ କରିଦେଲା କି ଆଉ ! ନାଃ, ନୂଆ ଚାହା ଖିଆଳି ପକ୍ଷେ ଏମିତି ହୋଇପାରେ, କିନ୍ତୁ ତାଙ୍କ ପରି ଚାହାଖୋରଙ୍କ ପକ୍ଷରେ ଏଇଟା କିଛି ନୁହେଁ । ଆରେ ହଁ, ହଁ ଏଇଟା ହୋଇପାରେ । ଆଜି ଯେଉଁ ଦୁଇଟଙ୍କିଆ ବାଦଶାହୀ ପାନଖିଲଟା ଚଢ଼େଇ ଦିଆଯାଇଛି, ତା’ରି ଫଳ । ଖିଲରେ ସବୁ ତିଖା ତିଖା ମସଲା ଥିଲା । ଅଖଇରିଆ, କଡ଼ା, ବୋତଲ ଗୁଣ୍ଡି, ନେହେରୁ ପତି, ପଟେଲ ଜର୍ଦ୍ଦା, ରାଜେନ୍ଦ୍ର କିମାମ, ଶାସ୍ତ୍ରୀ ମୁଖବିଳାସ, ସୁଭାଷ ମୁସ୍କି, ମୋତିଲାଲ ତବକ, ଗାନ୍ଧୀ କସ୍ତୁରୀ, ଚିତ୍ତରଞ୍ଜନ ମୋତିଭସମ, ଏହା ଉପରେ ପୁଣି ଅଳେଇଚ, ଗୁଜୁରାତି, ଲବଙ୍ଗ, ଯାଇତ୍ରୀ । ଗୋଟାଏ ଖିଲରେ ଏତେ ମସଲା ! ନ ଜାଣି ତାକୁ ବାଦଶାହୀ ଖିଲ କହନ୍ତି ! ସନ୍ନିପାତ ରୋଗୀ ତ ଏଥିରେ ତାତିଯିବ, ତାଙ୍କ ପରି ଭେଣ୍ଡିଆ କି ଏଥିରେ ସମ୍ଭାଳା ପଡ଼େ ! ଏହି ବାଦଶାହୀ ଖିଲ ଯୋଗୁଁ ହିଁ ନିଦ୍ରାଦେବୀ ଦୂରରୁ ହୁରୁଡ଼ି ପଳାଉଛନ୍ତି । ହିସାବୀ ମାହାନ୍ନା ଶେଷରେ ସ୍ଥିର କଲେ, ନିଦ୍ରାଦେବୀ ନିକଟରେ ସିଧାସଳଖ ଆସିବାର ସମ୍ଭାବନା ନ ଥିବା ସ୍ଥଳେ ତୁଚ୍ଛାଟାରେ ଶେଯ ଉପରେ ବାଡ଼େଇ ପିଟି ହୋଇ ଲାଭ ନାହିଁ; ବରଂ ଗୋଟାଏ ନିଦୁଆ ପତ୍ରିକା ଆବୋରି ବସିଲେ ମନର ଟିକିଏ ପରିବର୍ତ୍ତନ ହେବ । ଆଉ ତା ସଙ୍ଗେ ସଙ୍ଗେ ଚରେଇ, ମାଛକୁ ଟାଣି ଆଣିଲା ପରି ନିଦ୍ରାଦେବୀଙ୍କୁ ଟାଣି ଆଣିବ ।

 

ମାହାନ୍ନାଏ ଟେବୁଲ ଉପରୁ ଗୋଟାଏ ଭଲ ନିଦୁଆ ପତ୍ରିକା ବାଛି ଆଣିଲେ । ଯେଉଁ ପତ୍ରିକାର ବିଷୟବସ୍ତୁ ମନକୁ ବିଲକୁଲ୍ ଆକର୍ଷଣ କରେ ନାହିଁ, ବାଧ୍ୟବାଧକତା ହେତୁ ମନଟା ଛଟର ପଟର ହୁଏ, ଶେଷରେ ଅବସାଦଗ୍ରସ୍ତ ହୋଇ ପୂର୍ଣ୍ଣ ବିଶ୍ରାମ ନିଏ । ନିଦ୍ରାଦେବୀ ଅତି ଆଦରର ସହିତ ବିଜେ କରିଯା’ନ୍ତି । ମାହାନ୍ନାଏ ଚିତ୍ ହୋଇ ପତ୍ରିକାଟି ମେଲାଇଲେ । ପହିଲୁ ପାଞ୍ଚ ଛଅ ପୃଷ୍ଠା ବିଜ୍ଞାପନ । ମନେ ମନେ ଭାବିଲେ, ବିଜ୍ଞାପନ ପତ୍ରିକାଟାଏ କି ? ବିଜ୍ଞାପନ ପଢ଼ିବାଲାଗି କଅଣ ଟଙ୍କାଏ ଦେଇ ପତ୍ରିକା କିଣା ହେଲା ? ପୃଷ୍ଠା ଲେଉଟାଉ ଲେଉଟାଉ ବଉଦ ଭିତରୁ ଚନ୍ଦ୍ର ଉଙ୍କିମାରିଲା ଭଳି ଗୋଟାଏ ଆଧୁନିକ କବିତା ଦେଖାଗଲା । ମାହାନ୍ନାଏ ବହୁତ ଚେଷ୍ଟା କଲେ ତାକୁ ଭେଦ କରିବାକୁ; କିନ୍ତୁ ପାରିଲେ ନାହିଁ । ନାହିଁରେ ବାବା, ଇଏ ତ ଶକଟ ବ୍ୟୁହ ଅଭେଦ୍ୟ । ଏହା କେବଳ ଲେଖକଙ୍କ ପାଇଁ, ପାଠକଙ୍କ ପାଇଁ ନୁହେଁ । ସେ ପୁଣି ପୃଷ୍ଠା ଓଲଟାଇଲେ । ପୁଣି ବିଜ୍ଞାପନ । ପୁଣି ପୃଷ୍ଠା ଲେଉଟେଇ ଗଲେ । ଗୋଟାଏ କଅଣ ବାହାରିଲା । ସେଇଟା ଗପ, ପ୍ରବନ୍ଧ, ଜୀବନ ଚରିତ, ଅଭିଯାନ କି ଏକାଙ୍କିକା କିଛି ବୁଝିପାରିଲେ ନାହିଁ । ଏହାର ନାମ ତାହାହେଲେ କଅଣ ଦିଆଯିବ ? ବହୁତ ଭାବି ତା ନାଁ ଦେଲେ ‘ଅଗଡ଼ମ୍’ । ପତ୍ରିକାର ଏମିତିଆ ଦୁଇ ତିନିଟା ‘ଅଗଡ଼ମ୍’ ଆଖିରେ ପଡ଼ିଲା । ସଙ୍ଗେ ସଙ୍ଗେ ଆଖିପତା ବି ଓଜନିଆ ଜଣାଗଲା । ସେ ଭାବି ଲାଗିଲେ ଆଜିକାଲି ‘ଅଗଡ଼ମ୍’ ଲେଖକକୁ ‘ଅଗଡ଼ମ୍’ ପାଠକ ବି ଦରକାର । ନ ହେଲେ ଯାବତ ଗଣ୍ଡଗୋଳ ମୁଣ୍ଡ ଟେକିବ । ଲେଖକକୁ ଟିକିଏ ଜେରା କଲେ ସେ ଠୋ ପଟାସ୍ କହିଦେବେ–“ଆମେ ରାସ୍ତାଘାଟର ଇତର ଲୋକଙ୍କ ପାଇଁ ଲେଖୁନୁ ।” ବେଶି ଜେରା କଲେ ଗାଳିଗୁଲଜ ଆରମ୍ଭ ହୋଇଯିବ । ଏତେ ବୋଲେଇରେ ପଡ଼ିବ କିଆଁ ? ଶୁଣିବାମାତ୍ରେ କହିଦେବେ–“ଆ ! ଓଃ-! କି ଚମତ୍କାର ! କି ବଢ଼ିଆ ଶୈଳୀ ! ଏଃ ! କି ଗାମ୍ଭୀର୍ଯ୍ୟ ! ଉଃ ! କି ସାବଲୀଳ ଗତି-! ବୋଲି ଚିଲେଇ ଉଠିଲେ କାମ ସରିଲା । ଏଥିରେ ବରଂ ଚାହା, ଜଳଖିଆର ସମ୍ଭାବନା ଅଛି-।”

 

ମାହାନ୍ନାଏ ପୁଣି ପୃଷ୍ଠା ଲେଉଟାଇଲେ । ନିଦ୍ରାଦେବୀ ସେତେବେଳକୁ କବାଟ ଧୁଡ଼ୁ ଧୁଡ଼ୁ କଲେଣି । ମାହାନ୍ନାଙ୍କ ଆଖିରେ ପଡ଼ିଲା ଗୋଟାଏ ଶିରୋନାମା—“ଊର୍ମିଳା ପ୍ରତି ଅବିଚାର” । ପହିଲେ ସେ ଭାବିଥିଲେ, ‘ଅଗଡ଼ମ୍’ଟାଏ ହୋଇଥିବ ତ ! ଦି’ ଚାରି ଧାଡ଼ି ଗଡ଼େଇ ଦେବା ପରେ ସେ ସ୍ଥିର କରିନେଲେ—“ନାଃ, ଏଇଟା ‘ଅଗଡ଼ମ୍’ ନୁହେଁ, ବୁଝି ହେଉଛି, ପ୍ରବନ୍ଧ ଭଳିଆ ଜଣାପଡ଼ୁଛି-।” ସେ ଭିତରକୁ ଭିତରକୁ ପଶି ଲାଗିଲେ । କ୍ରମେ ତାଙ୍କୁ ଝାପ୍‍ସା ଝାପ୍‍ସା ଜଣାଗଲା । ଏତିକି ଜାଣିପାରିଲେ ଯେ, ଲେଖକ ଶ୍ରୀରାମ-ଅନୁଜ ଲକ୍ଷ୍ମଣଙ୍କ ସ୍ତ୍ରୀ ଊର୍ମିଳାଙ୍କ ପ୍ରତି ବହୁତ ବହୁତ ସମବେଦନା ଜଣାଇ ବାଲ୍ମୀକିଙ୍କୁ ଗାଳିଗୁଲଜ କରିଛନ୍ତି । ଗାଳିଗୁଲଜ କରିବାକୁ ସେ ବିଶ୍ୱକବି ରବୀନ୍ଦ୍ରନାଥଙ୍କର ମଧ୍ୟ ସାହାଯ୍ୟ ନେଇଛନ୍ତି । ରାଗିବାର କାରଣ ହେଲା—ବାଲ୍ମୀକି କାହିଁକି ରାମଙ୍କୁ ଟେକିଲେ, ସୀତାଙ୍କୁ ଟେକିଲେ, ଲକ୍ଷ୍ମଣଙ୍କୁ ଟେକିଲେ, ଊର୍ମିଳାଙ୍କୁ ନ ଟେକିଲେ କିଆଁ । ଚଉଦ ବର୍ଷଯାଏ ବିଚାରୀ ସ୍ୱାମୀବିଚ୍ଛେଦ ସହିଲା, ତା ପାଇଁ ଅଲଗା କାଣ୍ଡଟିଏ ଲେଖିଲେନି କିଆଁ-। ସାତ କାଣ୍ଡ ପରିବର୍ତ୍ତେ ଆଠ କାଣ୍ଡ ହୋଇ ଯାଇଥାନ୍ତା । ହେଲେ ହୋଇଥାନ୍ତା, କି ମୁସ୍କିଲ ହୋଇ ଯାଇଥାନ୍ତା ? ବାଲ୍ମୀକି ବଡ଼ କୁତୁରୁପିଆ ମୁନି, ପେଟରେ ବହୁତ ଗୁହ । ମୋଟ ଉପରେ ମାହାନ୍ନାଙ୍କୁ ଜଣାଗଲା—ଯଦି ବାଲ୍ମୀକିଙ୍କୁ ଲେଖକ ଆଗରେ ପାଇ ଥାଆନ୍ତେ, ତେବେ ତାଙ୍କ ଦାଢ଼ି ଓପାଡ଼ି, ଜଟା ଛିଣ୍ଡେଇ ଆଚ୍ଛା କରି ଗୋଟାଏ ଦୁଇଟା ଥୋଇ ଦେଇଥାଆନ୍ତେ । କଳିହୁଡ଼ି ରାଣ୍ଡୀଙ୍କ ପରି ଶମ୍ପାକଟାରେ ଚାରିଆଡ଼ କମ୍ପେଇ ଥାଆନ୍ତେ । ମାହାନ୍ନାଙ୍କୁ ଆଉ କିଛି ଦିଶିଲା ନାହିଁ । ପତ୍ରିକାଟି ଧୀରେ ତାଙ୍କ ମୁହଁକୁ ଘୋଡ଼ାଇ ଦେଲା । ସବୁ ନିଶ୍ଚଳ ହୋଇଗଲା । କେବଳ ବାଘହେଣ୍ଟାଳିଆ ଘୁଙ୍ଗୁଡ଼ି ପତ୍ରିକାଟାକୁ ସାମାନ୍ୟ ଉଠାପକା କରୁଥାଏ ।

 

ହଠାତ୍ ଚଳିଚିତ୍ରର ପରଦା ଜୀଇଁ ଉଠିଲା ପରି ମାହାନ୍ନାଙ୍କ ଆଗରେ ଦେଖାଗଲା ଏକ ବଢ଼ିଆ ରାଜ୍ୟ । ଚାରିଆଡ଼େ ଫଳନ୍ତି ଆମ୍ବ, ସେଉ ଗଛ । ପେନ୍ଥା ପେନ୍ଥା ଅଙ୍ଗୁର ଝୁଲୁଥିବା ଲଟାର କୁଞ୍ଜ । କୁକୁଡ଼ାଗୁଡ଼ାକ ଯେଉଁଠି ନାହିଁ ସେଠି ଡିମ୍ବ ଗଳେଇ ପକାଉଛନ୍ତି । ଗାଈମାନଙ୍କ ଚେରରୁ ଛାଏଁ ଛାଏଁ କ୍ଷୀର ବୋହି କ୍ଷୀରନଈ ସୃଷ୍ଟି କରିଛି । ଲୋକମାନେ ଚକଚକିଆ ବେଶଭୂଷା ଆଉ ସୁନାର ମୁକୁଟ ପିନ୍ଧି ଲଙ୍ଗର ପଙ୍ଗର ହେଉଛନ୍ତି । ଠାଏ ଠାଏ ମୁନି ଋଷିମାନେ ଗଛମୂଳେ ବସି ଆଳାପ ଆଲୋଚନା କରୁଛନ୍ତି । ବଢ଼ିଆ ବଢ଼ିଆ ଫୁଲର ବାସନା ଚାରିଆଡ଼େ ମହକାଇ ଦେଉଛି । ମାହାନ୍ନାଙ୍କ ମନ ମଜଗୁଲ୍ । ବଡ଼ ଶରଧାରେ ରାସ୍ତାକଡ଼ ଫୁଲଗଛରୁ ଗୋଟିଏ ଫୁଲ ଚିଣ୍ଡେଇବାକୁ ହାତ ବଢ଼େଇଲେ । ଠିକ୍ ଏତିକିବେଳେ ଗୋଟାଏ ନିଶୁଆ ଲୋକ ଧାଇଁ ଆସି କହିଲା—‘‘ହଇ ହୋ, ତମେ ବାଣୀବିହାରର ଲୋକ ପରି ଜଣାଯାଉଛ । ହଇ ହୋ, ଫୁଲଟା ହୋଇଛି ଦେଖି ଆନନ୍ଦ ପାଇବାକୁ ନା ଛିଣ୍ଡେଇବାକୁ ? ଯେତିକି ଡେଙ୍ଗା ହୋଇଛ, ସେତିକି ସୌନ୍ଦର୍ଯ୍ୟବୋଧ ଥିଲା ଭଳି ତ ଜଣାପଡ଼ୁନି !”

 

ମାହାନ୍ନା ଅପ୍ରସ୍ତୁତ ହୋଇ ସାଧୁପୁରୁଷଟି ପରି ଆଗେଇଲେ । କିଛି ବାଟ ଯାଇଛନ୍ତି କି ନାହିଁ, ଗୋଟାଏ ବଡ଼ ଗର୍ଜନ ଶୁଭିଲା । ସେ ଆଡ଼କୁ ସାଡ଼କୁ ଚାହିଁ ଦେଖିଲେ, ଗୋଟାଏ ଯାନ ଉଡ଼ି ଉଡ଼ି ଆସି ତାଙ୍କରି ପାଖରେ ଓହ୍ଲାଇଲା । ସେଥିରେ ଲେଖାଥିଲା, ଆପୋଲୋ-୪୨୦ । ଗଳଗାଳ୍‌ ହୋଇ ବହୁତଲୋକ ତା ଭିତରୁ ଓହ୍ଲାଇ ଆସିଲେ । ତା ଭିତରୁ ଜଣକୁ ମାହାନ୍ନା ଚିହ୍ନିଲେ । ସେ ଥିଲେ ପୂର୍ବରୁ ପଢ଼ିଥିବା ଊର୍ମିଳା ପ୍ରବନ୍ଧର ଲେଖକ । ଅନ୍ୟମାନଙ୍କ ଭିତରେ ଥିଲେ କେତେକ ଓଡ଼ିଆ ଅଧ୍ୟାପକ ଓ ଉପାଧ୍ୟୁତ୍ତର ଛାତ୍ର । ସମସ୍ତଙ୍କ ହାତରେ ବାଡ଼ି ଓ ମୁହଁରେ କ୍ରୋଧର ଚିହ୍ନ । ଲେଖକ ମହାନ୍ନାଙ୍କୁ ଦେଖି ଭାରି ଖୁସି ହୋଇଗଲେ । ବାଲ୍ମୀକିଙ୍କ ମଠ କେଉଁଆଡ଼େ ପଚାରିଲେ । ମାହାନ୍ନାଙ୍କ ମନେପଡ଼ିଲା, ପଛରେ ସେ କେତେକ ମୁନି ଋଷି ଗଛମୂଳେ ବସି ଆଲୋଚନା କରୁଥିଲେ । ସେଇଠି ବାଲ୍ମୀକି ଥାଇପାରନ୍ତି ବୋଲି ବତାଇ ଦେଲେ । ଲେଖକ ମାହାନ୍ନାଙ୍କୁ ସାଙ୍ଗରେ ଘୋଷାଡ଼ି ନେଇଗଲେ । ସମସ୍ତେ ସେଠାକୁ ଯାଇ ମୁନି ଋଷିମାନଙ୍କୁ ଘେରାଉ କରିନେଲେ । ଜଣେ ଝୋଟଦାଢ଼ିଆ ଗେରୁଆ ଘଟାଟୋପ ପିନ୍ଧିଥିବା ମୁନିକୁ ବାଲ୍ମୀକି ବୋଲି ସନ୍ଦେହ କରି ତାଙ୍କ ଦାଢ଼ିଆଡ଼େ ହାତ ବଢ଼ାଇଲେ । ଅନ୍ୟ ମୁନିମାନେ ଚିଲେଇ ଉଠିଲେ—“ହାଁ, ହାଁ, ଶାନ୍ତି ଶାନ୍ତି । ଏପରି କ୍ରୋଧ ଅନାବଶ୍ୟକ । ପ୍ରଥମେ ଉଦ୍ଦେଶ୍ୟ ବ୍ୟକ୍ତ କର ।”

 

ଲେଖକ କହିଲେ—“ଇଏ ମହର୍ଷି ବାଲ୍ମୀକି ତ ? ଆମ୍ଭେମାନେ ତାଙ୍କ ଉପରେ ବିଗିଡ଼ି ଯାଇଛୁ । ତାଙ୍କୁ ହଲାପଟା ଥୋଡ଼ାଏ ନ କରି ଆମେ ଏଠାରୁ ଯିବୁନି । ସେ ତାଙ୍କ ରାମାୟଣରେ ଉର୍ମିଳାକୁ କିଆଁ ନ ଟେକିଲେ ?”

 

ଜଣେ ମୁନି ପାଟିକରି କହିଲେ—“ଆରେ ଚୁଙ୍ଗୁଚୁଙ୍ଗିଆ ! ଯାହାର ଲେଖାରେ ଉଦ୍‌ବୁଦ୍ଧ ହୋଇ ବାଲ୍ମୀକିଙ୍କୁ ହଲାପଟା କରିବାକୁ ବାହାରି ପଡ଼ିଛୁ, ତାଙ୍କୁ ଚିହ୍ନିପାରିଲୁ ନାହିଁ ? ଯାହାଙ୍କର ଦାଢ଼ି ଟାଣିବାକୁ ହାତ ବଢ଼େଇଛୁ ସେ ନିଜେ ବିଶ୍ୱକବି ରବୀନ୍ଦ୍ରନାଥ ।”

 

ଲେଖକଙ୍କ ସହିତ ଅନ୍ୟମାନେ ଚମକିପଡ଼ିଲେ । ଲଥ୍‌ଲାଥ୍ ହୋଇ ସମସ୍ତେ ତାଙ୍କ ଗୋଡ଼ତଳେ ପଡ଼ିଗଲେ । ବହୁତ କ୍ଷମା ମାଗିଲେ । ବାଳ ଓ ଦାଢ଼ି ଅତି ବେଶି ବଢ଼ିଯାଇଥିବାରୁ ଚିହ୍ନି ହେଲାନି ବୋଲି କହି ବାରମ୍ବାର ଦୁଃଖପ୍ରକାଶ କଲେ । ରବୀନ୍ଦ୍ରନାଥ ଆଶ୍ୱାସନା ଦେଇ କହିଲେ–“ହଉ, ଯାହା ହେବାର ହୋଇଗଲାଣି, ଏବେ ଶାନ୍ତ ହୁଅ । ପୁଣି କଅଣ କରିବାକୁ ଚାହଁ ତାହା ପ୍ରକାଶ କର ।”

 

ଆଜ୍ଞା, ଆମେ ବହୁବାର ରାମୟଣ ପଢ଼ିଥିଲୁ । ହେଲେ ବାଲ୍ମୀକି ଊର୍ମିଳାଙ୍କୁ ଉପେକ୍ଷା କରିବା କଥା ସେଥିରୁ ଜାଣିପାରି ନ ଥିଲୁ । ଆପଣଙ୍କ ‘ଉପେକ୍ଷିତା’’ ବହି ପଢ଼ିବା ମାତ୍ରେ ଆମକୁ ସବୁ ଦିଶିଗଲା । ଆମ ରକ୍ତ ଟକମକ ହୋଇ ଫୁଟିଲା । ପ୍ରକୃତରେ ବାଲ୍ମୀକିଟା କେଡ଼େ ଖରାପ ଲୋକ ହୋ ! ପାତର ଅନ୍ତର ବ୍ୟବହାରରେ ସିଦ୍ଧହସ୍ତ । ବୁର୍ଜୁଆଙ୍କ ଭାଟ, ଜଣେ ପକ୍କା ସୁବିଧାବାଦୀ, ପ୍ରତିକ୍ରିୟାଶୀଳ ଲୋକ । ଆପଣ ଚିହ୍ନେଇ ଦେଇ ନ ଥିଲେ ଆଜିଯାଏ ସେ ପୂଜା ପାଇ  ଆସୁଥାଆନ୍ତେ । ତାଙ୍କୁ ଆମେ କୈଫିୟତ୍ ତଲବ୍ କରିବା—କାହିଁକି ସେ ଏପରି ଅପକର୍ମ କଲେ ? ଆଦିକବି ବୋଲି ତାଙ୍କ ମନରେ ଯେଉଁ ଗର୍ବ ହୋଇଯାଇଛି ତାକୁ ଆମେ ଭାଙ୍ଗି ଚୂନା କରିଦେବା । ଆପଣ ଆମର ନେତୃତ୍ୱ ନେଇ ଆଗେ ଆଗେ ଚାଲନ୍ତୁ । ଆମେ ଆପଣଙ୍କ ପଛରେ ଧ୍ୱନି ଦେଇ ଦେଇ ଚାଲିବୁ । ବାଲ୍ମୀକିଙ୍କ ମଠକୁ ଯାଇ ତାଙ୍କଠୁଁ କୈଫିୟତ୍ ଆଦାୟ କରିବୁ । ଆସନ୍ତୁ, ଆଉ ଡେରି କରନ୍ତୁ ନାହିଁ । ଆମେ ତିନି ଘଣ୍ଟା ପାଇଁ ଆପୋଲୋ ୪୨୦ ଭଡ଼ାରେ ଆଣିଛୁ-। ଶୀଘ୍ର ଫେରିଯିବୁ, ଶୀଘ୍ର ଆସନ୍ତୁ— ।”

 

ରବୀନ୍ଦ୍ର ନାଥ ଶେଷରେ କୁନ୍ଥେଇ ମୁନ୍ଥେଇ ହୋଇ ଆଗେ ଆଗେ ଚାଲିଲେ । ପଥରେ ସମସ୍ତେ ଧ୍ୱନି ଦେଇ ଚାଲିଲେ—“ଉର୍ମିଳା ଦେବୀ—ଜିନ୍ଦାବାଦ, କୁତୁରୁପିଆ ବାଲ୍ମୀକି—ଦୂର ହଟୋ, ପାତର ଅନ୍ତରବାଦ ମୁର୍ଦ୍ଦାବାଦ, ରବୀନ୍ଦ୍ରନାଥ—ଜିନ୍ଦାବାଦ” ଇତ୍ୟାଦି ।

 

ସେ ପୁରରେ କଥାଟା ‘ଠ’ ହୋଇ ବୁଲିଗଲା । ବାଲ୍ମୀକିଙ୍କ ପାତର ଅନ୍ତର ପଣିଆ ଲାଗି ପ୍ରତିବାଦ ଜଣାଇବା ଲାଗି ଅନ୍ୟପୁରରୁ ବହୁ ପ୍ରତିବାଦିଆ ଆସିଛନ୍ତି । ରବୀନ୍ଦ୍ରନାଥଙ୍କ ନେତୃତ୍ୱରେ ସମସ୍ତେ ଶୋଭାଯାତ୍ରାରେ ଯାଉଛନ୍ତି ବାଲ୍ମୀକିଙ୍କ ମଠକୁ ପ୍ରତିବାଦ ଜଣାଇବାକୁ । ଏ କଥା ଶୁଣିବାମାତ୍ରେ ରାମାୟଣର ବହୁ ମଳିମୁଣ୍ଡିଆ ଚରିତ୍ର ଧାଇଁ ଆସି ଶୋଭାଯାତ୍ରାରେ ଯୋଗ ଦେଲେ-

 

ତେଣେ ବାଲ୍ମୀକି ଏମାନଙ୍କର କୈଫିୟତ୍ ତଲବ ଉଦ୍ଦେଶ୍ୟରେ ପ୍ରତିବାଦିଆମାନେ ଆସୁଥିବା କଥା ଧ୍ୟାନରୁ ଜାଣିପାରି ମଠ କର୍ମଚାରୀମାନଙ୍କୁ ସତର୍କ କରି ଦେଇଛନ୍ତି ବୋଲି ଗୁଇନ୍ଦା ଖବର ଶୋଭାଯାତ୍ରିଆଙ୍କ ପାଖରେ ପହଞ୍ଚିଗଲା । ରବୀନ୍ଦ୍ରନାଥ ସମସ୍ତଙ୍କୁ ଉତ୍ପାତିଆ ନ ହେବାକୁ ଉପଦେଶ ଦେଲେ । ଶେଷରେ ମଠ କର୍ମଚାରୀ ଗହଣରେ ବାଲ୍ମୀକି ଓ ରବୀନ୍ଦ୍ରନାଥଙ୍କ ଭେଟ ହେଲା । ଲେଖକ ଓ ରବୀନ୍ଦ୍ରନାଥ ଚଢ଼ା ପଡ଼ା ହୋଇ ପଚାରିଲେ—“ଆପଣ ରାମାୟଣରେ ରାମ, ଲକ୍ଷ୍ମଣ, ସୀତାଙ୍କୁ ଏତେ ଉଚ୍ଚ ସ୍ଥାନରେ ରଖିଦେଲେ, ଊର୍ମିଳା ବେଳକୁ ଆପଣଙ୍କ ହାତ ବଥେଇଲା କିଆଁ ? ତାଙ୍କର ତ୍ୟାଗ କଅଣ ଏମାନଙ୍କଠାରୁ କମ୍ ? ଊର୍ମିଳାଙ୍କ ପାଇଁ ଗୋଟାଏ ସ୍ୱତନ୍ତ୍ର କାଣ୍ଡ ଲେଖିବା ଉଚିତ୍ ନ ଥିଲା କି ? ମହାନ୍ନା ଏତିକିବେଳେ ଟିକିଏ ଉତ୍ତେଜିତ ହୋଇପଡ଼ି କହିଲେ– “ହୁଃ-! ନ ଜାଣି ଏମାନଙ୍କ ଉପରେ ଡି. ଏମ୍. କେ. ବାଲାଏ ଉହୁଁକି ଆସୁଛନ୍ତି ! ଜନତା ଭିତରୁ ଏତିକିବେଳେ ସୁପୁଲେଖୀ ବିହାରି ଆସି ରଡ଼ି ଛାଡ଼ିଲା—“ଏ ମୁନିଙ୍କୁ କମ୍ ବୋଲି ଠଉରେଇବ ନାହିଁ । ମୋ ଭଳି କେଉଁ ନାରୀଟା ପ୍ରେମ କରି ନାକଶିରୀ ଦାନ କରିଛି ? ସୀତାଙ୍କଠାରୁ ମୋର ଆସନ କଣ ଊଣା ? କେଇଟା ଧାଡ଼ିରେ ମୋର ସବୁକିଛି ଶେଷ । ସତରେ ଏ ବୁଢ଼ା ଭାରି କୁତୁରୁପେଞ୍ଚିଆ ।” ତା’ର ନ ସରୁଣୁ ଗୋଟାଏ ଶଉରୁଣୀ ଖିଙ୍କାରି ହୋଇ କହିଲା—“ହଁ-ହଁ ମ, ଏ ଭାରି କପଟିଆ । ରାମ ବଣରେ ଥିଲାବେଳେ ମୁଁ ଚାଖି ଚାଖି କେତେ ମିଠାଫଳ ତାଙ୍କୁ ନ ଖୁଆଇଛି-! ଇଏ କୌଶଲ୍ୟାଙ୍କ ପାଇଁ ଏତେ ଲେଖିଲା, ମୋ ବେଳକୁ ଫୁସ୍‌ ।” ମାରୀଚ ବାହାରିପଡ଼ି କହିଲା—“ମୁଁ ଜାଣି ଜାଣି ଆତ୍ମବଳି ନ ଦେଇଥିଲେ ରାମାୟଣ ପୋଥିରେ ଡୋର ବନ୍ଧା ହୋଇଥାନ୍ତା-। କଅଣ ଆଉ ଘଟି ଥାଆନ୍ତା ଯେ, ଏ ବୁଢ଼ା ଏଡ଼େ ବଡ଼ ପୋଥିଟାଏ ରାମ୍ପି ପକାଇଥାଆନ୍ତା-! ଦେଖିବାଲାବେଳକୁ ମୋ ପାଇଁ କେଇଟା ଧାଡ଼ି ! ଗୋଟାଏ ଦ୍ରାବିଡ଼ ମୁନେତ୍ର କାଜାଗାମିଆକୁ ସାଙ୍ଗରେ ଏଇଠିକୁ ନେଇ ଆସିଥିଲେ ଭଲ ହୋଇଥାନ୍ତା ।”

 

ଏମିତିଆ ଅଭିଯୋଗକାରୀଙ୍କ ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଲା । ଅଯୋଧ୍ୟାରେ ସେ ସମୟରେ ଯେତେ ଲୋକ ଥିଲେ, ସମସ୍ତେ ନିଜ ନିଜ କର୍ମ ଓ ତ୍ୟାଗ କଥା ଜଣାଇ ସେମାନଙ୍କ ନାଁ ବିଲକୁଲ୍ ପୋଥିରେ ନ ଥିବାରୁ ବଡ଼ କଠୋର ଭାଷାରେ ବାଲ୍ମୀକିଙ୍କୁ ଗାଳିଗୁଲଜ ଆରମ୍ଭ କରିଦେଲେ । ହୋ ହା’ରେ ଚାରିଆଡ଼ ଫାଟିପଡ଼ିଲା । ସେ ପୁରରେ ସେ ଧରଣର ଗଣ୍ଡଗୋଳ ନୂଆ-। ଚାରିଆଡ଼େ ଚହଳ ପଡ଼ିଗଲା । ଶାନ୍ତି ରକ୍ଷକ ଗନ୍ଧର୍ବମାନେ ଠେଙ୍ଗାବାଡ଼ି ଧରି ସେଠାରେ ହାଜର ହୋଇଗଲେ । ବହୁ ପରିଶ୍ରମ ଓ ଲାଠିମାଡ଼ ଧମକରେ ପାଟି ଥମିଗଲା । କଥାରେ ଅଛି—ଡେଙ୍ଗା ମୁଣ୍ଡରେ ଠେଙ୍ଗା । ମହାନ୍ନା ସମସ୍ତଙ୍କଠାରୁ ଅଧିକ ଡେଙ୍ଗା ହୋଇଥିବାରୁ ଗନ୍ଧର୍ବପତିଙ୍କ ଦୃଷ୍ଟି ଆକର୍ଷଣ କଲେ । ଗନ୍ଧର୍ବପତି ତାଙ୍କୁ ପକଡ଼ି ପଚାରିଲେ—“ଏପରି ହାଲ୍ଲା କରୁଛ କିଆଁ ? ତୁମେ କେତେଜଣ ବିଦେଶୀ ପରି ଜଣାଯାଉଛ । ଏ ଅଞ୍ଚଳର ରୀତିନୀତି ତୁମମାନଙ୍କୁ ମାଲୁମ ନାହିଁ-। ତୁମେମାନେ କାହା ଅନୁମତି ନେଇ ଏଠାକୁ ଆସିଛ ? ତୁମେମାନଙ୍କୁ ଗିରଫ କରାଯିବ-।” ମାହାନ୍ନାଏ ଡରିବା ପାତ୍ର ନୁହନ୍ତି । ସେ କହିଲେ—ଏସବୁ ରାଣ୍ଡ ଧମକାଣିରେ ଆମେ ଡରିବା ଲୋକ ନୋହୁଁ । ଗିରଫ କରିବ ତ ଆଗ ଫୁଲମାଳର ବରାଦ କର । ଫୁଲମାଳ ପିନ୍ଧି ଆମେମାନେ ଗିରଫ ହେବୁ । ସଙ୍ଗେ ସଙ୍ଗେ ନେତା ବନିଯିବୁ । ତା ପରେ ମନ୍ତ୍ରୀ—ଆମର ଲାଭ । ଆମ କଥା ନ ଶୁଣି ଗିରଫ ଧମକ ଦେଉଛ ।”

 

ଗନ୍ଧର୍ବପତି କହିଲେ—“ତୁମେମାନେ କେହି ତ ବାଲ୍ମୀକିଙ୍କ ଉତ୍ତରକୁ ଶୁଣିବାକୁ ଅପେକ୍ଷା ନ କରି ନିଜ କଥା କହିଚାଲିଛ, ଧମକ ଦେଉଛ, ଏ କେମିତିଆ କଥା ? ନିଜ ଦୋଷ ପ୍ରତି ଆଖି ବୁଜିଦେଇ ଅନ୍ୟ ଦୋଷ ଅଣ୍ଡାଳିବା ତୁମ ଦେଶବାସୀଙ୍କ ଲକ୍ଷଣ ଦେଖୁଛି ।” ତା ପରେ ସେ ରବୀନ୍ଦ୍ରନାଥଙ୍କୁ ଲକ୍ଷ୍ୟ କରି କହିଲେ—“ଆଜ୍ଞା, ଆପଣ ଏ ପୁରର ଲୋକ ହୋଇ ଏ ବିଦେଶୀଗୁଡ଼ାଙ୍କ ନେତୃତ୍ୱ ନେଲେ କାହିଁକି ? ମହର୍ଷିଙ୍କ ସହ ଆପଣ ଆପୋଷ ଆଲୋଚନାରେ ସବୁ ଛିଣ୍ଡାଇ ପାରିଥାନ୍ତେ । ତା ନ କରି ଏପରି ଏକ ଏକତରଫା କାର୍ଯ୍ୟାନୁଷ୍ଠାନ ବଡ଼ ନିନ୍ଦନୀୟ । ଦେବରାଜ ଶୁଣିଲେ ଆପଣଙ୍କୁ କଅଣ ବିଚାରିବେ ।”

 

ଦାଢ଼ି ସାଉଁଳେଇ ରବୀନ୍ଦ୍ରନାଥ କହିଲେ—“ଏମାନେ ମୋର ବିଶ୍ୱସ୍ତ ଅନୁଚର । ଏମାନଙ୍କର ନିଜର ବୁଦ୍ଧି ନାହିଁ । ମୁଁ ‘ଉପେକ୍ଷିତା’ ପୁସ୍ତକରେ ଯାହା କହିଥିଲି, ଏମାନେ ତାକୁ’ଇ ଦେବବାକ୍ୟ ରୂପେ ଗ୍ରହଣକରି ମୋର ଅନୁସରଣ କରିଛନ୍ତି । ଏମାନଙ୍କୁ ଘଡ଼ିସନ୍ଧିବେଳେ ଛାଡ଼ିଦେବି କିପରି ? ବିଚରା କେଉଁ କୂଳର ହେବେନି । ଅନାଥ ହୋଇଯିବେ । ସେ ପାପରେ ମୁଁ ଭାଗୀ ହେବି ।”

 

ଗନ୍ଧର୍ବପତିଙ୍କ କଥା ମାନି ସମସ୍ତେ ସ୍ଥିର ହେଲେ । ବାଲ୍ମୀକିଙ୍କୁ ତାଙ୍କର ବକ୍ତବ୍ୟ କହିବାକୁ ଅନୁରୋଧ କରାଗଲା । ବାଲ୍ମୀକି କହିଲେ “ମୁଁ ମୋ ନିଜ ଢୋଲ ପିଟି ପାରିବିନି । ସେଇଟା ସେମାନଙ୍କ ଦେଶର କଥା । ସେଠି ଲୋକେ ଅତି ଅଲାଜୁକ ଭାବରେ ନିଜ ଢୋଲ ନିଜେ ପିଟନ୍ତି । ଏଠି ଆମ ଲୋକରେ ତାହା ହୋଇ ପାରିବନି । ମୋର ଯାହା କିଛି ସଫେଇ ଅଛି, ତାହା ମୋର ଚେଲା ହଣ୍ଡପ୍‌ପା କହିବ।’’ ଏତକ କହି ବାଲ୍ମୀକି ଗମ୍ଭୀରା ଭିତରକୁ ପଶିଗଲେ । ହଣ୍ଡପ୍‌ପା ଆଗେଇ ଆସି କହିଲେ—“ହଇ ହୋ ରବୀନ୍ଦ୍ରନାଥେ ! ଆପଣ ତ କେବଳ ଊର୍ମିଳା ପାଇଁ ଓକିଲାତି କଲେ, ଏଠି ଆଉ ଯେତେ ଅଯୋଧ୍ୟାବାସୀ ଆସି ବିକ୍ଷୋଭ ଦେଖାଇଲେ, ସେମାନଙ୍କୁ ଛାଡ଼ିଗଲେ କାହିଁକି ? ଊର୍ମିଳାଙ୍କ ପାଇଁ ଏଡ଼େ ବଡ଼ ବହିଟାଏ ଲେଖିଦେଲେ । ଏ ସମସ୍ତଙ୍କ ପାଇଁ ଖଣ୍ଡେ ଖଣ୍ଡେ ହମିଦ୍ ମାର୍କା ଚଟିବହି କରିଦେଇ ପାରିଲେନି ?”

 

ରବୀନ୍ଦ୍ର ନାଥ କହିଲେ—“ଏହା କଅଣ ସମ୍ଭବ ? ମୁଁ ଜଣେ ମଣିଷ ଏତେଗୁଡ଼ାଏ ଲୋକଙ୍କ ପାଇଁ ଖଣ୍ଡେ ଖଣ୍ଡେ ବହି ଲେଖିବା ସମ୍ଭବ ହେବ କି ? ଊର୍ମିଳାଙ୍କ କଥା ମୋ ଆଖିରେ ପଡ଼ିଲା ମୁଁ ଲେଖିଦେଲି । ଆଉ ଯାହାକୁ ଯାହା ଦିଶୁଛି ସେ ତାହା ଲେଖୁ । କେହି ତହିଁକି ବାଧା ଦେଉନି । ଜଣକ ପକ୍ଷରେ ଅଯୋଧ୍ୟାର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଖଣ୍ଡେ ଖଣ୍ଡେ ବହି ଲେଖିବା କଳ୍ପନାତୀତ କଥା । ଆପଣ ବାଲ୍ମୀକିଙ୍କ ଶିଷ୍ୟ ହୋଇ ଏମିତିଆ କଥା କିପରି କହୁଛନ୍ତି, ମୋତେ ତାହା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି।”

 

ହଣ୍ଡପ୍‌ପା ହସିଦେଇ କହିଲେ—“କବିଶ୍ରେଷ୍ଠ ! ଏ କଥା ତ ଆପଣ କହିଛିନ୍ତି, ମୁଁ ତାର ପୁନର୍କଥନ କଲି ମାତ୍ର । ଗୁରୁଦେବ ଆଦର୍ଶ ରାଜା, ଆଦର୍ଶ ପିତୃଭକ୍ତି, ଆଦର୍ଶ ଭ୍ରାତୃପ୍ରେମ, ଆଦର୍ଶ ପତ୍ନୀ, ଆଦର୍ଶ ପ୍ରଭୁଭକ୍ତି ଓ ଆଦର୍ଶ ବନ୍ଧୁତ୍ୱ ଆଦି ପରିବେଷଣ କରିବା ଲାଗି ରାମାୟଣରେ ଶ୍ରୀରାମ, ସୀତା, ଲକ୍ଷ୍ମଣ, ହନୁମାନ, ବିଭୀଷଣ ଆଦିଙ୍କୁ ଯଥେଷ୍ଟ ଆଲୋକିତ କରିଦେଲେ । ଆପଣ ତ ନିଜେ କହୁଛନ୍ତି ଜଣକ ପକ୍ଷେ ସବୁକିଛି କାଢ଼ିଦେବା ଅସମ୍ଭବ, ତେବେ ଊର୍ମିଳାଙ୍କୁ ଗୁରୁଦେବ ଯଥାର୍ଥ ସ୍ଥାନ ଦେଲେ ନାହିଁ ବୋଲି ଅଭିଯୋଗ କଲେ କାହିଁକି ? ଯେଉଁମାନଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି, ତାହା ଯଥାର୍ଥ ବା ଅଯଥାର୍ଥ କହିବା ଉଚିତ । ତା ନ କହି ଅମୁକକୁ ଉଚ୍ଚ ସ୍ଥାନ ଦିଆଗଲାନି କାହିଁକି ବୋଲି ପ୍ରଶ୍ନ କରିବା ଏକ ଅବାନ୍ତର ପ୍ରଶ୍ନ ବୋଲି ମନେହୁଏ । ସୀତାଙ୍କୁ ରାମଚନ୍ଦ୍ର ମଧ୍ୟ ପହିଲେ ନ ଯିବାକୁ ପ୍ରବର୍ତ୍ତାଇ ଥିଲେ । ହେଲେ ସୀତା ନାନା ଯୁକ୍ତି ଦେଖାଇ ଜବରଦସ୍ତୀ ତାଙ୍କ ସଙ୍ଗରେ ଗଲେ । ଊର୍ମିଳା କିନ୍ତୁ ଲକ୍ଷ୍ମଣଙ୍କୁ ଯୁକ୍ତିରେ ହରାଇପାରିଲେ ନାହିଁ କି ତାଙ୍କ ସଙ୍ଗେ ଯାଇପାରିଲେ ନାହିଁ । ରାଜପ୍ରାସାଦ ତାଙ୍କୁ ଭିଡ଼ି ଓଟାରି ରଖିନେଲା । ସୀତାଙ୍କ ପରି ଦୃଢ଼ମନା ଓ ସ୍ୱାମୀଗତପ୍ରାଣା ହୋଇଥାଆନ୍ତା, ତେବେ ହଜାର ଲକ୍ଷ୍ମଣ ବି ତାଙ୍କୁ ବାଧାଦେଇ ପାରି ନ ଥାନ୍ତେ । ଯେଉଁଠି ସୀତାଙ୍କ ପରି ଆଦର୍ଶ ନାରୀ ଆସୀନା, ସେଠି ଊର୍ମିଳାଙ୍କ ପାଇଁ ସ୍ଥାନ କାହିଁ ? ଆପଣଙ୍କ ଇଚ୍ଛା ଯଦି ହେଲା ଉର୍ମିଳାଙ୍କୁ ଉଦ୍ଭାସିତ କରିବାକୁ , ତେବେ ଆପଣ ତାଙ୍କ ଗୁଣଗାନ କରିଥାନ୍ତେ । ଲୋକଦୃଷ୍ଟିକୁ ଆସି ନ ଥିବା ତାଙ୍କର ସୁଗୁଣଗୁଡ଼ିକୁ ସମସ୍ତଙ୍କର ଦୃଷ୍ଟିଗୋଚର କରାଇଥାନ୍ତେ । କେତେକାଂଶରେ ଆପଣ ତାହା କରିଛନ୍ତି । କିନ୍ତୁ ତାହା ସହିତ ଗୁରୁଦେବଙ୍କ ପ୍ରତି ଆକ୍ଷେପୋକ୍ତି ପ୍ରକାଶ କରିବା ଅସମୀଚୀନ ବୋଧ ହେଉନାହିଁ କି ? ଆପଣଙ୍କର ‘ଉପେକ୍ଷିତା’ରୁ ପ୍ରେରଣା ପାଇ ଆଜି ବିକ୍ଷୋଭକାରୀ ଅଯୋଧ୍ୟାବାସୀଏ ଏଠାକୁ ଆସି ଗୁରୁଦେବଙ୍କୁ ଅସମ୍ମାନ ପ୍ରଦର୍ଶନ କଲେ । ଆଜି ଯଦି ସେମାନଙ୍କୁ ଜଣାଇ ଦିଆଯିବ ଯେ, ବିଶ୍ୱକବି କେବଳ ଉପେକ୍ଷିତାରେ ଊର୍ମିଳାଙ୍କ ପାଇଁ ଓକିଲାତି କଲେ, ଅନ୍ୟାନ୍ୟ ହଜାର ହଜାର, ଲକ୍ଷ ଲକ୍ଷ ଉପେକ୍ଷିତ ଓ ଉପେକ୍ଷିତାଙ୍କ ପାଇଁ ପଦୁଟିଏ ବି କହିଲେ ନାହିଁ, ତେବେ ସେମାନେ ଆପଣଙ୍କୁ ସହଜରେ ଛାଡ଼ିଦେବେଟି ? ‘ଉପେକ୍ଷିତା’ ରଚନା କଲାବେଳେ ଏତିକି ଟିକିଏ ଦୂରଦୃଷ୍ଟି ଦେଇପାରିଲେନି !”

 

ତାଙ୍କ ପାଟିରୁ କଥା ସରିଛି କି ନ ସରିଛି, ଜଣେ ଚୁଙ୍ଗୁଚୁଙ୍ଗିଆ ଟୋକା ଅଧ୍ୟାପକ ଚିଲେଇ ଉଠିଲେ—“ଏସବୁ ପୁରୁଣାକାଳିଆ, ଅଚଳନ୍ତି ବୁର୍ଜୁୟା ଯୁକ୍ତି ଆମେ ଶୁଣିବାକୁ ଚାହୁଁନା । ବିଶ୍ୱକବିଙ୍କୁ ସମାଲୋଚନା କରିବାକୁ ତୁ କିଏ ବେ ? ବେଶି ବଢ଼ି ବଢ଼ି କଥାଗୁଡ଼ାକ କହିଯାଉଛୁ—”

 

ହଣ୍ଡପ୍‌ପାଙ୍କ ଗୁରୁଭାଇମାନେ ଉହୁଙ୍କି ଆସି କହିଲେ—

“ହେ ହେ, ତୋର ତୁଣ୍ଡଶୁଦ୍ଧି ହୋଇନି ତୁ ଏଠାକୁ ଆସିଲୁ କିପରି ? ଏଠାକୁ ଆସି ଓଲଟି ଆମକୁ ଆଖି ଦେଖାଇବାକୁ ସାହସ କରୁଛ ?”

ଦୁଇ ଦଳ କ୍ରମେ ମୁହାଁମୁହିଁ ହୋଇଗଲେ । ଗନ୍ଧର୍ବମାନେ ହାଁ ହାଁ କରିବା ସତ୍ତ୍ୱେ ଧକମ୍ ଧକ୍‍କା ବି ହୋଇଗଲା । ଗନ୍ଧର୍ବପତି ମାହାନ୍ନାଙ୍କୁ କହିଲେ—“ହେ ଡେଙ୍ଗାବାବୁ ! ତୁମେ ମଝିରେ ପଶି ଛଡ଼ାଛଡ଼ି କରିବ ତ କର, ନ ହେଲେ ମୁଁ ମୃଦୁ ଲାଠିଚାଳନା ପାଇଁ ଆଦେଶ ଦେବି ।”

ମାହାନ୍ନା ଦେଖିଲେ, ଅବସ୍ଥା ଅସମ୍ଭାଳ । କେମିତି ଏଠାରୁ ସୁରୁଖୁରୁରେ ଖସି ବାଣୀବିହାରରେ ପହଞ୍ଚିଲେ ରକ୍ଷା । କାଳବିଳମ୍ବ ନ କରି ସେ ମଝିରେ ପଶିଯାଇ ‘ହଟ, ହଟ, ଥାଉ, ଥାଉ ଶାନ୍ତି, ଶାନ୍ତି’ କହି ୟାକୁ ଠେଲ ତାକୁ ଠେଲ ଆରମ୍ଭ କରିଦେଲେ ।

କୁନାବୋଉ ଏକ ଠେଲାରେ ଲାଥୁ କରି ତଳେ ପଡ଼ିଯାଇ ‘ବୋପା ଲୋ’ ବୋଲି ପାଟିକରି ଉଠିଲା ! ତା ପରେ ହାଉ ହାଉ ହେଉଥିବା ମାହାନ୍ନାଙ୍କୁ ହଲାଇ ଦେଇ ଉଠେଇଦେଲା । ମାହାନ୍ନା ଉଠିପଡ଼ି କହିଉଠିଲେ—“କଅଣ, କଅଣ—”

କୁନାବୋଉ ପଚାରିଲା—“ଆହେ, ମୋତେ ଏମିତି ଠେଲିପକେଇ ଖଟ ଉପରୁ ଗଡ଼େଇଦେଲ କିଆଁ ? କଅଣ ହେଲା କି ?”

ମାହାନ୍ନାଙ୍କ ନିଦ ପୂରା ଭାଙ୍ଗି ଯାଇଥିଲା । ସେ ଉଠିବସି କୁର୍ କୁର୍ ହୋଇ କିଛି ସମୟ ହସିଲେ ।

☆☆☆

 

ଜବରଦସ୍ତ ବକ୍ତା

 

ବିଷୁବ ମିଳନ ସାହିତ୍ୟ ସଭାରେ ପ୍ରଥମ ବକ୍ତା ଅନର୍ଗଳ ବକ୍ତୃତା ଦେଇ ସଭାସ୍ଥଳ କମ୍ପାଉଥିବା ବେଳେ ବୁଲ୍‌ଡଜର୍ କବି ରବିନାରାୟଣ ମହାପାତ୍ରେ ପାଖରେ ବସିଥିବା ସଙ୍ଗୀସହ ଫୁସୁର୍ ଫାସୁର୍ ହୋଇ ଆଲୋଚନା ଚଳାଇଥାଆନ୍ତି—ଶ୍ରୀରାମଚନ୍ଦ୍ର ଭବନର ଫଟା ଛାତଟାକୁ କି ଉପାୟରେ ମରାମତି କରିହେବ । ସଂଗୀ ଜଣକ କହୁଥାଆନ୍ତି—“ହଅମ, ଗୋବରରେ କିଛି ନୂଆ ସିମିଟି ଫେଣ୍ଟି ଫାଟରେ ବୋଳିଦେଲେ କାମ ଖତମ୍ ହୋଇଯିବ ….”

 

ମହାପାତ୍ରେ କିନ୍ତୁ ଏକମତ ନ ହୋଇ କହିଲେ—ଏସବୁ ଥାପଡ଼ା ଥାପଡ଼ି କାମ ବିଲକୁଲ ଖରାପ । ସେ ଛାତକୁ ବିଲକୁଲ୍ ତାଡ଼ି ଫୋପାଡ଼ି ଦିଅ । ଦରଜଗମ କାନ୍ଥକୁ ଭାଙ୍ଗୀ ତାଡ଼ି ପକାଅ । ବିଲକୁଲ୍ ନୂଆ ଚିମିନି ଭାଟି ଇଟା, ନୂଆ ପୋର୍ଟଲାଣ୍ଡ ସିମେଣ୍ଟ, ଧୁଆଧୋଇ ହୋଇଥିବା କଳା ଚିପ୍ ଆଉ ଟାଟା ଛଡ଼ ଲଗେଇ ପୁଣି ନୂଆ କରି ଗଢ଼ିଦିଅ । ପୁଣି ଦି ତିନି ପୁରୁଷ ଚାଲିଯିବ । କିଛି ଗୋଳମାଳ ନ ଥିବ । ଆଉ ଯଦି ଗୁଞ୍ଜାଗୁଞ୍ଜି କାମ କରିବ ତେବେ ମନେ ରଖିଥାଅ—ହେଇ ପାଣି ଗଳିଲା ତ ହେଇ ଇଟା ଖସିଲା । ଛାତ ଭୁଷୁଡ଼ିବା ଆଶଙ୍କାରେ ଆଉ ତା ଭିତରକୁ କେହି ଯିବେନି । କିଛି ବର୍ଷ ପରେ ଦେଖିବ, ବାସନ୍ତୀ ପେଣ୍ଡାଲ ପରି ଗୋଟାଏ ବିଲୁଆଡ଼ିଆଁ ଡିହ ହୋଇ ପଡ଼ିଥିବ । କେତେବେଳେ କେମିତି ଖଣ୍ଡିଏ ଭଙ୍ଗା ମାଟିମିଶା କାନ୍ଥ ଦେଖି ଆମ ଉତ୍ତରାଧିକାରୀମାନେ କହୁଥିବେ—“ଆରେ ହୋ ! ଏଇଠି ଶ୍ରୀରାମଚନ୍ଦ୍ର ଭବନ କୋଠା ଥିଲା । ଅଯୋଗ୍ୟ, ଅବିବେକୀ ପୂର୍ବପୁରୁଷଗୁଡ଼ାକ ଗୋଟାଏ ଘରକୁ ରକ୍ଷା କରିପାରିଲେନି । କଥାବାର୍ତ୍ତାରେ ଦୁହେଁ ଟିକିଏ ଉତ୍ତେଜିତ ହୋଇ ଉଠିବାରୁ “ଫୁସୁର୍ ଫାସୁର୍‍ଟା ‘ଘୁଡ଼ୁରୁ ଘାଡ଼ୁରୁ’ ରେ ପରିଣତ ହେଲା । ପାଖବାଲାଏ ହାସୁ ହାସୁ କରିବାରୁ ଦୁହେଁ ତୁନି ପଡ଼ିଯାଇ ବକ୍ତାଙ୍କ ମୁହଁକୁ ଚାହିଁଲେ । ଦି ଚାରି ମିନିଟ୍ ଯାଇଛି କି ନା ପୁଣି କୁଟିଳଚକ୍ର ଆରମ୍ଭ ହୋଇଗଲା—ଫୁସୁର୍ ଫାସୁର୍, ଘୁଡ଼ୁର୍ ଘାଡ଼ୁର୍, ହାସୁ ହାସୁ, ନିସ୍ତବ୍‍ଧତା ଫେର୍ ଫୁସୁର୍ ଫାସୁର୍ , ଘୁଡ଼ୁର୍ ଘାଡ଼ୁର୍‍ ଇତ୍ୟାଦି ।

 

ଟିକିଏ ଦୂରକୁ ବ୍ଲାଷ୍ଟଫର୍ଣ୍ଣେସ୍ କବି ରବି ସିଂହେ ଦି’ଜଣ କଚିଉମରର ଟୋକାଙ୍କୁ, ଗୁରୁ ଶିଷ୍ୟଙ୍କୁ ମନ୍ତ୍ର ଦେଲା ପରି ଅନୁଚ୍ଚ ଗୁଁ ଗୁଁ କଣ୍ଠରେ କହି ଲାଗିଥାନ୍ତି—“ହଜାରେ ବର୍ଷ ଏମିତିଆ ବାଞ୍ଛା ବକ୍ତୃତାରେ ସାହିତ୍ୟର ରୁମଟିଏ ବଙ୍କା ହବନି । ଏ ଜରଦ୍‌ଗବ ବୁଢ଼ା ହଡ଼ାଗୁଡ଼ାଙ୍କୁ ବିଷଦେଇ ନ ମାରିଲେ କିଛି ହେଲେ କାମ କରିହେବନି । ଏ ବୁଢ଼ା ହଡ଼ାଗୁଡ଼ାକ କଅଣ ବୁଝିପାରୁଛନ୍ତି ଯେ, ସେମାନେ ଅଚଳନ୍ତି ହୋଇ ଗଲେଣି । ତଣ୍ଟିଆରେ ଏମାନେ ଯଦି ନ ଉଠନ୍ତି, ତେବେ ଲୋଡ଼ା ବିଷ ପଟାସିଅମ୍ ସାଇନାଇଡ୍ ।”

 

ଗୋଟାଏ ଟୋକା ଟିକିଏ ବିବ୍ରତ ହୋଇପଡ଼ି କହିଲା—“ଆଜ୍ଞା, ଦେଇଥିଲେ ପାଇ । ଆପଣ ଯେତେବେଳେ ବୁଢ଼ା ହୋଇଯିବେ, ସେତେବେଳେ ଟୋକାମାନେ ଆପଣଙ୍କଠୁଁ ଶିଖି ଆପଣଙ୍କୁ ଏହିପରି କହିପାରନ୍ତି ।”

 

ଦାନ୍ତ କଡ଼ମଡ଼ କରି ସିଂହେ କହିଲେ—“ବୁଢ଼ା ହେଲେ ମୁଁ ତଣ୍ଟିଆ ପର୍ଯ୍ୟନ୍ତ ଅପେକ୍ଷା ନ କରି ମୋ ବାଟ କାଟିନେବି । ସିଧା ଟୁଂ ଟୁଂ ହୋଇ ପଳେଇବି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍‌ପିଟାଲ୍ ।”

 

ଟୋକା ଦୁହେଁ କଅଣ ଗାଡ଼ୁର ମାଡ଼ୁର ହୋଇଆସିଲା ବେଳକୁ ପାଖ ଲୋକେ ହାସୁ ହାସୁ କରିଉଠିଲେ । ଥାନାଟା ତୁନି ପଡ଼ିଗଲା । ଏଠି ବି ଏକ ଗୋଳ-ତୁନିର କୁଟିଳଚକ୍ର ଲାଗିରହିଲା ।

 

ଟିକିଏ ଆଗରେ ଜେନାକବି ମୁରାରୀମୋହନ ଜେନା ପାଖରେ ବସିଥିବା କେତେ ଜଣ ବୟସ୍କ ସାହିତ୍ୟିକଙ୍କୁ ଟଣାଟାଣି କରି ଅନୁଚ୍ଚ ସ୍ୱରରେ କହି ଲାଗିଥାନ୍ତି—“ଦେଖନ୍ତୁ, କାଲି ରାତି ତିନିଟାରେ କବି ଘଟୋତ୍କଚ ବଡ଼ ଡାକ୍ତରଖାନାରେ ମରିଗଲେ । ଆଖପାଖରେ ଏତେ ସାହିତ୍ୟିକ ଥିଲେ, କେହି ଟିକିଏ ଉହୁଙ୍କିଲେ ନି କି ମୋତେ ଖବରଟା ଦେଲେନି । ଓଲଟି କହିଲେ—ସେଇଟା ଜେନାକବିର କାମ, ଆମର ଏତେ ମୁଣ୍ଡ ଖେଳାଇବା କି ଦରକାର ? ନ କଲ ନାହିଁ, ମୋତେ ଖବରଟା ଦେଇଥିଲେ ମୁଁ ରାତିଏ ରାତିଏ କାମ ତୁଲେଇ ଦେଇଥାଆନ୍ତି ।”

 

ଜଣେ ଟିକିଏ ବିରକ୍ତ ହୋଇ କହିଲେ—“ଏତେ ରାତିରେ କୋକେଇ, ମାଠିଆ, ପରୁଡ଼ିମସିଣା ପାଇଥାଆନ୍ତ କେଉଁଠୁ ?”

 

“ଆରେ, ସେଇଟା ଜେନାକବିକୁ ଅପୂର୍ବ ନୁହେଁ । ମୁଁ ଗୋଟାଏ ଚାଳି କରି ସେ ସବୁ ଜିନିଷ ମହଜୁଦ୍ କରି ରଖିଛି । ମଲା କବିମାନଙ୍କୁ ବୋହିବା ହେଲା ମୋ କାମ । ଅତି ପବିତ୍ର କାମ-। ଏହାକୁ ମଧ୍ୟ ମୁଁ ମୋର ଏକ ଗୁରୁକର୍ତ୍ତବ୍ୟ ବୋଲି ମନେକରେ । ତେଣୁ ସବୁ ସମୟରେ ଏ କାମ ଯେପରି ସୁରୁଖୁରୁରେ ହେବ, ତା ବ୍ୟବସ୍ଥା ମୁଁ ଠିକ୍ କରି ରଖୁଛି । ମୁଁ ସକାଳୁ ଶୁଣିବାମାତ୍ରେ ସବୁ ଜିନିଷ ଗୋଟାଏ ରିକ୍‍ସାରେ ଲଦି ଡାକ୍ତରଖାନାରେ ହାଜର ହୋଇଗଲି । ହାତରୁ ପଇସା ଖର୍ଚ୍ଚ କରି ଫଟୋଗ୍ରାଫର୍‌କୁ ମଶାଣିକୁ ନେଇଗଲି । ବହୁ ଡକାଡକିରେ ପାଞ୍ଚଜଣ ଯାଇଥିଲେ । ଆରେ ବାବୁ, ମୁର୍ଦ୍ଦାର ପାଖରେ ଆମେ ପାଞ୍ଚଜଣ ଠିଆ ହୋଇ ଫଟ ଉଠେଇଲାବେଳକୁ କେଉଁଠି ଥିଲେରେ ବାବୁ, ୩୦।୪୦ ଜଣ ଯାଇ ଖୁନ୍ଦି ହୋଇଗଲେ । ମୁଁ ପାଞ୍ଚଜଣଙ୍କ ମଝିରେ ଠିଆ ହୋଇଥିଲି । ଆରେ ବାବୁ, ମୋତେ ପେଲି ପାଲି ପଛକୁ କରିଦେଲେ । ବାଣୀବିହାରର ସେଇ ଯୋଉ ସବୁଠୁଁ ଡେଙ୍ଗା କର୍ମଚାରୀ ନୀଳମଣି ମାହାନ୍ନା ଓରଫ୍ ରଣପା କବି ଟେରିକୁ ଆଲୁରା କରିଦେଇ ମୁହଁଟି ଶୁଖେଇ ମୋ ଆଗରେ ଠିଆ ହୋଇଗଲେ । ମୁଁ ବିଲକୁଲ୍ ଲୁଚିଗଲି । ମୁହଁ ତ ମୁହଁ, ହାତ ଗୋଟାଏ ବି ମୋର ଫଟରେ ଉଠିଲା ନାହିଁ । ହାତରୁ ପଇସା ଦେଲି, ଏତେ ଖଟିଲି, ହେଲେ ମୋ ଚେହେରାଟା ଫଟରେ ଉଠିଲା ନାହିଁ ।”

 

ଜଣେ କହିଲା—“ୟାକୁ ହିଁ କହନ୍ତି କର୍ମଯୋଗ । କାମ କରିଯାଅ, ଫଳପ୍ରାପ୍ତିର ଆଶା ରଖ ନା—’’

 

“ମୁଁ ବି ସେଥିରେ ବେଶି ମନ କଷ୍ଟ କରିନି । ମନକୁ ବି ବୁଝେଇ ଦେଲି—ନ ହେଲା ନାହିଁ । ତା ପଛକୁ ତା ପଛ ବହୁତ ଧାଡ଼ିବାନ୍ଧି ଶୋଇଛନ୍ତି । କେତେ ଫଟ ଉଠିବ, ଚିନ୍ତା କଅଣ ? ଏ ଥରକ ଅନ୍ୟମାନଙ୍କର ଉଠିଯାଉ, କି ମୁସ୍କିଲ ହୋଇଯାଉଛି ? ଠିକ୍ ଏତିକିବେଳକୁ ବି କର୍ମଯୋଗଟା ମନେପଡ଼ିଗଲା । ମନେ ମନେ ବୋଲି ଦେଲି—‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ ।’ ବାଃ, ମନଟା ପରିଷ୍କାର ହୋଇଗଲା ।”

 

ଏତିକିବେଳେ ଣେ ଦି ଜଣ ଉଠି କହିଲେ—“ହଇ ହେ, ଏ ଶୁଭବେଳରେ ଏପରି ଅଶୁଭ କଥଗୁଡ଼ାକ ଓକାଳୁଛ କିଆଁ । ବକ୍ତୃତା ଶୁଣୁଛ ନା ଦଉଛ ? ନିଜେ ତ ଶୁଣିବନି, ଆଉ କାହାକୁ ବି ଶୁଣେଇ ଦବନି—”

 

“ଆଚ୍ଛା, ଆଚ୍ଛା” କହି ଜେନାକବି ତୁନି ପଡ଼ିଲେ ସତ, କିନ୍ତୁ ଛପିଲା ନିଆଁ କୁହୁଳି କୁହୁଳି ଜଳିଉଠିଲା ପରି, ତାଙ୍କ ପାଟିରୁ ଫିସ୍ ଫିସ୍, ଭିସ୍ ଭିସ୍, ଭୁସ୍ ଭାସ୍ ହୋଇ ପୁଣି ଆରମ୍ଭ ହେଲା–“ଛାଡ଼ନ୍ତି ଗଲା କଥା, ଏବେ ତାଙ୍କ ସ୍ମରଣିକାର କାମ ଆରମ୍ଭ ହୋଇଗଲାଣି । ତାଙ୍କ ଉପରେ ଗୋଟାଏ ଲେଖା ଅତି ଶୀଘ୍ର ଦେବେ । ଛାପା ଅଧାଅଧି ହେବା ଉପରେ ।”

 

“ଏଁ ! କବି ଘଟୋତ୍କଚ ମରୁ ମରୁ ତାଙ୍କ ସ୍ମରଣିକା ଆସି ଅଧାଅଧି ହେଲାଣି ! କଥା କଅଣ ?”

 

“ଜେନାକବି ଯେଉଁଥିରେ ହାତ ଦିଏ, ତାହା ରକେଟ୍ ଭଳି ଗତି କରେ । ଆପଣ ଅତି ଶୀଘ୍ର, ମାନେ କାଲି ସକାଳେ ଦେବେ । ମୁଁ ଆପଣଙ୍କ ଘରେ ଯାଇ ପହଞ୍ଚିବି । ହଁ, ଆପଣମାନେ ବି ଗୋଟିଏ ଗୋଟିଏ ଲେଖା ଦେବେ । ସ୍ୱର୍ଗତ କବିଙ୍କୁ ସମସ୍ତଙ୍କର ସମ୍ମାନ ଦେଖାଇବା ଉଚିତ୍ ।”

 

ଏଠି ବି ଆଗ ଦୁଇ ଥାନ ପରି ଗୋଳ-ତୁନିର କୁଟିଳଚକ୍ର ଲାଗି ରହିଲା । ଧରଣୀ ବକ୍ଷରେ ଭିଏତ୍‍ନାମ, ବର୍ଲିନ ଓ ମଧ୍ୟପ୍ରାଚ୍ୟ ଆଦି ତିନିଟା ଦଲିଦଲିଆ ଘାଆ ପରି ପ୍ରଶାନ୍ତ ବିଷୁବ ମିଳନ ପ୍ରକୋଷ୍ଠରେ ଏଇ ତିନିଟା ଗୋଳମାଳିଆ ଜାଗା ଯଥା ପୂର୍ବଂ ତଥା ପରଂ ହୋଇ ରହିଲା । ହେଲେ ଗୋଟିଏ ଥାନ ମସ୍କୋ ପରି ତୁନିତାନି ହୋଇ ରହିଥାଏ । ସେଠି ଫୁଡ଼ୁର୍ ଫାଡ଼ୁର୍‍ର ଚିହ୍ନ ବି ନ ଥାଏ । ସେଠି ବୁଢ଼ା ଶେଉଳ ପରି ବସି ରହିଥିଲେ କବି ହୟଗ୍ରୀବ ମହାନ୍ତି । ବକ୍ତୃତା ଦେବା ପାଇଁ ସେ ସର୍ବପ୍ରଥମେ ନାମ ଦେଇ ଆସିଥିଲେ । ପ୍ରତ୍ୟେକ ବକ୍ତାଙ୍କ ପରେ ସେ ଅଧୀର ହୋଇ ପଡ଼ୁଥାଆନ୍ତି । ହେଇ ମୋ ନାଁ ଡକାହେଲା ପରା ! ଏହିଥର ନିଶ୍ଚେ ଡକାହେବ । ଆଗ ଆଗ ବୋଧହୁଏ ଲେଣ୍ଟିମାନଙ୍କୁ ସୁବିଧା ଦିଆଯାଉଛି । ଠିକ୍ ଯେମିତି ଛୁଆମାନଙ୍କୁ ଆଗ ଖୁଆଇ ଦିଆଯାଏ । ପରେ ଓଜନଦାରମାନଙ୍କୁ ଡାକିଲାବେଳେ ମୋ ନାଁ’ ଟା ନିଶ୍ଚେ ପ୍ରଥମ ଡାକିବେ । ଏହି ସବୁ ଭାବନାରେ ସେ ଆଉଟୁ ପାଉଟୁ ହେଉଥାଆନ୍ତି । ଜଣେ ଦିଜଣ ହୋଇ କୋଡ଼ିଏ ଜଣ ଗଲେଣି-। ତାଙ୍କ ନାଁ’ର ସୁର୍‌ଶବଦ ନାହିଁ । କଥା କଅଣ ! ଏ ତ ରୀତିମତ ଷଡ଼ଯନ୍ତ୍ର ! କେତେ ପରିଶ୍ରମ କରି ଶୋଧାଶାଧିଗୁଡ଼ାକ ମୁଖସ୍ଥ କରି ଆସିଥିଲି । ଏ ମଉକାରେ ନଳିପେଣ୍ଟିଆ ଦଳଙ୍କୁ ଆଚ୍ଛା କରି ପାନେ ଦେଇଥାଆନ୍ତି । ସମସ୍ତଙ୍କ ଆଗରେ ସେମାନଙ୍କୁ ଲଙ୍ଗଳା କରିଦେଇ ଥାଆନ୍ତି । ସଭାପତି ମୋ ମନକଥା ଜାଣିଗଲେ କି ଆଉ ! ସେ ଆଉ ସ୍ଥିର ହୋଇ ରହିପାରିଲେନି । ଶେଷ ବକ୍ତା ବକ୍ତୃତା ସାରିବା ମାତ୍ରେ ସେ ଉଠିପଡ଼ି ପାଞ୍ଚ ମିନିଟ୍ ସମୟ ମାଗିଲେ । ସଭାପତି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହି ଅମଙ୍ଗ ହେବାରୁ ସେ ମାତ୍ର ଦୁଇ ମିନିଟ୍ ଓ ତଥାପି ସଭାପତି ରାଜି ନ ହେବାରୁ ମିନିଟି ଏବଂ ଶେଷରେ ଅତି କାକାତୁ ମିନତି ହୋଇ ଅଧମିନିଟିଏ ମାଗିଲେ । ଅତି ଗୁରୁତର ପଦୁଟିଏ କଥା କହି ବସିପଡ଼ିବେ ବୋଲି ପ୍ରତିଜ୍ଞା କଲେ । ତାଙ୍କୁ ଏପରି ଜୋକ ପରି ଲଟକି ଥିବାର ଦେଖି ଆଉ କେତେ ଜଣ ମଧ୍ୟ ସଭାପତିଙ୍କୁ ଅନୁମତି ଦେବାକୁ ଅନୁରୋଧ କରିବାକୁ ତାଙ୍କୁ ଅନୁମତି ମିଳିଲା । ସେ ବିଜୟୋଲ୍ଲାସରେ ମାଇକ୍ ଆଗରେ ଠିଆ ହୋଇ ଏକାବେଳକେ ନିଷାଦ କଣ୍ଠରେ ଆରମ୍ଭ କରିଦେଲେ ।

 

ଏଠି କଅଣ ସବୁ କଣାତକ ବସିଅଛନ୍ତି ? କାହାରିକୁ ଦିଶୁନି—ସାହିତ୍ୟ ବିଚରା କେମିତି ଛଟପଟ ହେଉଛି । ଏ ନଳିପେଣ୍ଟିଆ ଦଳ ତା ଭିତରେ ଉଚ୍ଚ ଚରିଲା ପରି ଚରିଗଲେଣି । ଏଡ଼େ ବଡ଼ ବଡ଼ କଥା କହୁଛ କାହିଁକି ହୋ ? ସାହିତ୍ୟ ତ ଆଉ କେଇଟା ଦିନରେ ମରି ଶୋଇବ । ତୁମେ କଣାମାନେ କାହାକୁ ଧରି ଡେଇଁବ ?

 

ଅଧମିନିଟଟା ପାଞ୍ଚ ମିନିଟ୍‌ରେ ପରିଣତ ହେବାରୁ ସଭାପତି ବିରତି ଘଣ୍ଟିକୁ ଘନ ଘନ ବଜାଇବାକୁ ଲାଗିଲେ । ହୟଗ୍ରୀବ କବି ତାକୁ ଉପେକ୍ଷା କରି ଆହୁରି ବଡ଼ପାଟିରେ ବକ୍ତୃତା ଦେବାକୁ ଲାଗିଲେ । ××

ଏ ପ୍ରକାର ଜୁଲମକୁ ଆଉ ବରଦାସ୍ତ କରାଯିବ ନାହିଁ । ଅନାଡ଼ିଗୁଡ଼ାକ ଘଣ୍ଟା ଘଣ୍ଟା ଧରି କହିବେ, ଆମେ କହିଲାବେଳକୁ ଘଣ୍ଟି ଟିଣି ଟିଣି—

 

ସଭାପତିଙ୍କ ଘଣ୍ଟା କାମ ନ କରିବାରୁ ସେ ପାଟିକରି କହିଲେ—“ଆପଣଙ୍କୁ ଆଉ ସମୟ ଦିଆଯିବ ନାହିଁ । ଆପଣଙ୍କର ବକ୍ତୃତା ସାହିତ୍ୟ ଭିତରର ବିଷୟବସ୍ତୁ ନୁହେଁ—”

 

କବି ହୟଗ୍ରୀବ ଏ ଥର ଉତ୍ତେଜିତ ହୋଇପଡ଼ି କହି ଲାଗିଲେ—“ଆଜିକାଲି କେଉଁ ଜିନିଷଟା ସାହିତ୍ୟର ଅନ୍ତର୍ଗତ ନୁହେଁ ? ଦୋ-ଅକ୍ଷରୀ ଭାଷାକୁ ବି ପଣ୍ଡିତମାନେ ଅଶ୍ଳୀଳ-ସାହିତ୍ୟ କହୁଛନ୍ତି । ଆମ ଭାଷାକୋଷ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ । ଏଥିରେ କେଉଁ ଅଶ୍ଳୀଳ  ଜିନିଷଟା ନାହିଁ, ସଭାପତି କହିପାରିବେ କି ?”

 

ସଭାପତି ରାଗିଯାଇ ଓ ଘଣ୍ଟାଟାକୁ ଟେବୁଲ ଉପରେ ପିଟି କହିଲେ, “ସଭାର ସୌଜନ୍ୟ ରକ୍ଷା ନ କରିବା ବ୍ୟକ୍ତିଙ୍କର ବକ୍ତୃତା ଦେବା ଉଚିତ୍ ନୁହେଁ ।”

 

ହୟଗ୍ରୀବ ହାତରୁ ଅସ୍ତାନ ଟେକିଦେଇ ରଡ଼ି ଛାଡ଼ିଲେ—“ଜଣକ ପାଇଁ ଯେଉଁଟା ଉଚିତ, ଅନ୍ୟ ଜଣକ ପକ୍ଷରେ ତାହା ଅନୁଚିତ ହୋଇପାରେ । ସଭାପତିଙ୍କ ପକ୍ଷେ ଯେଉଁଟା ଅନୁଚିତ, ସେଇଟା ମୋ ପକ୍ଷେ ଉଚିତ ହୋଇପାରେ । ଯେଉଁ ସଭାପତି ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖିବାକୁ ଅସମର୍ଥ, ସେ ସଭାପତି ଆସନରେ ବସିବା ଉଚିତ ନୁହେଁ ।”

 

ସଭା ମଧ୍ୟରୁ ଶବ୍ଦ ଉଠିଲା—“ଆମର ଆଜି ବିଷୟବସ୍ତୁ ଥିଲା—ଓଡ଼ିଆ ସାହିତ୍ୟର ସମସ୍ୟା । ଆପଣ ସେ ବିଷୟବସ୍ତୁ ଛାଡ଼ି କଳିବୁଢୀଙ୍କ ପରି କଳି କରି ଲାଗିଛନ୍ତି କାହିଁକି ?”

 

“ମୁଁ କଳି କରୁନି । ଆଜି ଓଡ଼ିଆ ସାହିତ୍ୟରେ ଯେଉଁ ସମସ୍ୟା ଦେଖାଦେଇଛି, ତାହାକୁ ହିଁ ଦେଖାଇ ଦେଉଛି—”

 

ସାଂସ୍କୃତିକ କାର୍ଯ୍ୟକ୍ରମରୁ ସମୟ ଖାଇ ଯାଉଥିବାର ଦେଖି ଟୋକାଳିଆ ଶ୍ରୋତାମାନେ ଅଥୟ ହୋଇ ନାନାପ୍ରକାର ବିକୃତ ଧ୍ୱନି ଆରମ୍ଭ କରିଦେଲେ । ସଭାସ୍ଥଳ କୁକୁର, ମାଙ୍କଡ଼ ଓ ବିରାଡ଼ି ଧ୍ୱନିରେ ପୂର୍ଣ୍ଣ ହୋଇଗଲା । କବି ହୟଗ୍ରୀବ କିନ୍ତୁ ନଛୋଡ଼ବନ୍ଧା । ସେ ମାଇକ୍ ଫଟା ପାଟିରେ କହିଲାଗିଲେ—“ଜଣେ ସାହିତ୍ୟିକଙ୍କୁ ଆଜିକାଲି କୁକୁର, ମାଙ୍କଡ଼ ଓ ବିରାଡ଼ିମାନଙ୍କ ଭିତର ଦେଇ ଚାଲିବାକୁ ପଡ଼ୁଛି—”

 

ସଭାପତିଙ୍କ ନିର୍ଦ୍ଦେଶମତେ ମାଇକ୍‌ରକ୍ଷକ ମାଇକ୍‌ଟାର ବିଦ୍ୟୁତ୍ ପ୍ରବାହ ବନ୍ଦ କରିଦେଲେ । ହୟଗ୍ରୀବ ଦୁଇଜଣ ଜୋରରେ ପାଟିକରି ଲାଗିଲେ—“ଜଣେ ସାହିତ୍ୟିକର ତଣ୍ଟି ଏପରି ଭାବରେ କେହି ଚିପିଦେଇ ପାରିବନି । ସାହିତ୍ୟିକର ତଣ୍ଟି କିଛି କୁକୁଡ଼ା ତଣ୍ଟି ନୁହେଁ ଯେ ଆନାୟାସରେ ତାକୁ ଜଣେ ଚିପିଦେବ । ଏହା ଘୁଷୁରି ତଣ୍ଟିରୁ ଆହୁରି ଟାଣୁଆ—”

 

ଗଣ୍ଡଗୋଳ ବଢ଼ିଲାଗିଲା । କିଏ ଗୋଟାଏ ପାଟିକରି ଉଠିଲା—“ହଟ୍ ବେ ହଟ୍, ଘୁଷୁରି କୋଉଠିକାର—”

 

ସଭାପତି ନିଜେ ଆଉ ପାଟିକରି ନ ପାରି ଅଲୋଡ଼ା ବଦମାସ୍‌ଙ୍କ ପଛରେ କୁକୁର ଲଗେଇଦେଲା ପରି ଦୁଇ ଚାରି ଜଣ କର୍ମକର୍ତ୍ତାଙ୍କୁ ତାଙ୍କ ପିଛା ଲଗାଇ ଦେଲେ । ଜଣେ ତାଙ୍କ କଛାରୁ ଧରି ପଛକୁ ଟାଣିଲା । ଆଉ ଜଣେ କାମିଜକୁ ଟାଣିଲା । ଦୁଇଜଣ ଆଗରୁ ଠେଲିଲେ । ସେ କିନ୍ତୁ ଚିଲଉଥାନ୍ତି—“ଆମ ଓଡ଼ିଶାରେ ଏହି ପଛଟଣାକୁ ଯେଉଁ ସାହିତ୍ୟିକ ଅତିକ୍ରମ କରିପାରିବ, ସେହି ହେବ ସଚ୍ଚା ଆଉ ପକ୍କା ସାହିତ୍ୟିକ । ଆମ ସାହିତ୍ୟରେ ଏହି ପଛଟଣା ଓ ଆଗପେଲା ହେଉଛି ପ୍ରଥମ ସର୍ବବୃହତ୍ ସମସ୍ୟା—”

 

କୁଆ ବସାରେ ଢମଣା ପଶିଲା ପରି ସଭାରେ ହାଉ ହାଉ ଓ ହଟ୍ଟଗୋଳ ଏଡ଼େ ପ୍ରବଳ ହୋଇଉଠିଲା ଯେ, ହୟଗ୍ରୀବଙ୍କ ବକ୍ତୃତା କେବଳ ତାଙ୍କୁ ଟାଣୁଥିବା ଓ ପେଲୁଥିବା ଲୋକଙ୍କ ଛଡ଼ା ଆଉ କେହି ଶୁଣିପାରିଲେ ନାହିଁ । ସାଂସ୍କୃତିକ କାର୍ଯ୍ୟ ଦେଖିବା ପାଇଁ ଉଦ୍‌ଗ୍ରୀବ ଥିବା ଯୁବକମାନେ ପାଟି ସହ ତାଳି ଆରମ୍ଭ କଲେ । ପରଦା ଭିତରୁ ବି ବାଦ୍ୟଯନ୍ତ୍ରଗୁଡ଼ିକର ଟୁଣ୍ ଟାଣ୍, ପେଁ-ପାଁ ଧ୍ୱନି ଗୁମୁରି ଉଠିଲା । କର୍ମକର୍ତ୍ତାମାନେ ହୟଗ୍ରୀବଙ୍କୁ ବାଧ୍ୟ ହୋଇ ଶୂନ୍ୟେ ଶୂନ୍ୟେ ଟେକି ପଦାକୁ ନେଇଗଲେ । ବୁହା ହୋଇଗଲାବେଳେ ବି ତାଙ୍କର ବକ୍ତୃତା ଚାଲିଥାଏ ।

 

ସବୁ ଥଣ୍ଡା ପଡ଼ିଯିବା ପରେ ସଭାପତି ନିଜ ହାତଘଣ୍ଟାକୁ ଚାହିଁ ଆଖି ଖୋସିଦେଲେ । ଅଧମନିଟିଏ ମାତ୍ର ସମୟ ମାଗୁଥିବା ହୟଗ୍ରୀବ ପୂରା ଘଣ୍ଟାଏ ସମୟ ଗିଳି ସାରିଛନ୍ତି ।

☆☆☆

 

ଓଠମୂଳିଆ ଯୁଦ୍ଧ କବିତା

 

କେଶରୀ କେଶ କର୍ଷକ, ଶାର୍ଦ୍ଦୁଳ ଦଳ ଦଳନ ଦଳପତି ପାଷାଣ୍ଡ ଲଣ୍ଡଭଣ୍ଡକୁଳଷଣ୍ଢମଣ୍ଡନ, ନଷ୍ଟଭ୍ରଷ୍ଟଦୁଷ୍ଟଗୋଷ୍ଠୀତାଡ଼ନଯଷ୍ଟି, ନିଶଙ୍କରଣରଙ୍କଧରାଙ୍କଖୋଳନକାଙ୍କ, ଭାରତୀମତି ଅତିତୃପ୍ତିଦାୟକ, ପରମ ପରାକ୍ରମ ଗୁଳ୍ମକୁଳଦ୍ରୁମ, ବୀରାଧିବୀରବର ବୈରୀ ଗର୍ବଗଞ୍ଜନ, ପ୍ରଜାରଞ୍ଜନ, ଦର୍ପଭଞ୍ଜନ, ହସ୍ତୀପତି ଭ୍ରମରବର ମାନଧାତା ଜମ୍ବୁଦ୍ୱୀପାଧିପତି ବିସ୍ମରଣ ସିଂହ ବାହାଦୂରଙ୍କ ଦରବାର ବେଶ୍ ଉଷୁମ ହୋଇ ଉଠିଥାଏ । ରବର ଫେଣ ଗଦି ଉପରେ ଆରାମରେ ବସି ସେ ମଝିରେ ମଝିରେ ନିଶ ସାଉଁଳି ଦେଉଥାଆନ୍ତି । ଅତରର ମହକରେ ଦରବାରଟି ଫାଟି ପଡ଼ୁଥାଏ । ତାପନିୟନ୍ତ୍ରଣ ଯୋଗୁଁ ପ୍ରକୋଷ୍ଠ ଖୁବ୍ ଆରାମଦାୟକ ହୋଇଥାଏ । ଗଦି ବଢ଼ିଆ, ହାୱା ଆରାମପ୍ରଦ । ଦରବାରିଆମାନେ ମିଠା ମିଠା କଥାରେ ମନ ମୋହି ଦେଉଛନ୍ତି-। ସର୍ବୋପରି ମନ୍ତ୍ରୀଙ୍କ ଏରଣ୍ଡବୀଜ ତୈଳ ମନକୁ ଏକାବେଳକେ ପିଚ୍ଛିଳ କରି ଦେଉଛି । ତଥାପି ରାଜା ମଝିରେ ମଝିରେ “ଉଃ, ଆଃ, ଇସ୍, ହେତ୍, ଦୁତ୍” କହି କଡ଼ ମୋଡ଼ୁଥାଆନ୍ତି ଓ ବେଳେବେଳେ ଫେଣ ରବର ଗଦିକୁ ଚାପୁଡ଼ାଏ ଲେଖାଏଁ ଦେଉଥାଆନ୍ତି । ରାଜାଙ୍କ ପ୍ରତ୍ୟେକ ବିରକ୍ତିସୂଚକ ଶବ୍ଦ ଓ ଗଦି ଉପରେ ପଡ଼ୁଥିବା ଚାପୁଡ଼ା ଶୁଣି ଦରବାରିଆମାନେ ମୁହଁରେ କିଛି ନ କହିଲେ ବି ମନେ ମନେ ଭୀତତ୍ରସ୍ତ ହୋଇ ପଡ଼ୁଥାଆନ୍ତି । କିଏ ଭାବୁଥାଏ ରାଜାଙ୍କ ପେଟକୁ ମାରୁଛି, କିଏ ଭାବୁଥାଏ ଦିହ ଗଲୁ କରୁଛି, କିଏ ବା ଠିକ୍ କରି ନେଇଥାଏ ରାଜା ବୋଧହୁଏ କାହାରି କାହାରି କଥାରେ ବିରକ୍ତି ପ୍ରକାଶ କରୁଛନ୍ତି । ଏମିତି କିଏ କଅଣ ଭାବି ଯାଉଥାନ୍ତି । ହେଲେ ମନ୍ତ୍ରୀ ଅସଲ କଥାଟାକୁ ଠଉରେଇ ନେଇ ଥାଆନ୍ତି । ଚାରିଆଡ଼କୁ ନଜର ଦେବାରେ ତାଙ୍କର ଯେ ଟିକିଏ ଖିଚା ହୋଇଯାଇଛି, ସେଥିରେ ତାଙ୍କର ଆଉ କିଛି ସନ୍ଦେହ ରହିଲା ନାହିଁ । ପୁଣି ସେ ମନକୁ ବୁଝାଇବାରେ ଲାଗିଲେ—“ଆଉ ଅଧିକ ବା କଅଣ କରିଥାଆନ୍ତି ? ଯେଉଁଠି ଯେତେ ରକମ ଇଲମ ଥିଲା, ସବୁ ତ କଲି । ରାଜା ଅନ୍ୟଆଡ଼େ ଥିବାବେଳେ ଲୋକ ଲଗେଇ, ନିଜେ ଲାଗି ପୁଞ୍ଜା ପୁଞ୍ଜା ପୋଛିଦେଲି, ଆଉ କଅଣ କରନ୍ତି ?”

 

ଭାବନାରେ ସେ ଏତେଦୂର ବିଭୋର ହୋଇ ଯାଇଥିଲେ ଯେ, ଶେଷ ପଦଟାକୁ ସେ ଓଠ ପଛରେ ଅଟକାଇ ପାରି ନ ଥିଲେ । ତାହା ତାଙ୍କ ଓଠ ଦିଟାକୁ ଠେଲି ପଦାକୁ ବାହାରି ଆସିଲା-। ରାଜା ଶୁଣି ପାରିଲେ—“ଆଉ କଅଣ କରନ୍ତି ?”

 

ରାଜା ମନେ ମନେ ଠିକ୍ କରିନେଲେ ଯେ, ଏଇଟା ମନ୍ତ୍ରୀଙ୍କର କ୍ଲୀବତା ଛଡ଼ା ଆଉ କିଛି ନୁହେଁ । ଟିକିଏ ଅସନ୍ତୁଷ୍ଟ ହୋଇଯାଇ ସେ କହିଲେ—“ଆହେ, ଏଗୁଡ଼ା କି କଥା କହୁଛ କିହେ ! ଆହେ, ଏଗୁଡ଼ାକ ଏଡ଼େ ପ୍ରବଳ ହୋଇ ଉଠିଲେଣି ଯେ, ମୋତେ ତ ବିନାଦ୍ୱିଧାରେ ହଇରାଣ କରି ପକାଉଛନ୍ତି, ଆଉ ମୋ ପ୍ରଜାକୁଳଙ୍କ କଥା କହିବି କଅଣ ? ସେମାନଙ୍କର ଆଉ କିଛି ବାକି ରଖୁଥିବେ ନା ? ଶୋଷି ଶୋଷି ମୋ ପ୍ରଜାମାନଙ୍କୁ ଶେତା ପକାଇ ଦେବେଣି ! ଯେଉଁଠି ମୋର ନିସ୍ତାର ନାହିଁ, ସେଠି ମୋ ପ୍ରଜାଙ୍କ ଅବସ୍ଥା ହେଉଥିବ କଅଣ ?”

 

ବିବ୍ରତ ହୋଇପଡ଼ି ମନ୍ତ୍ରୀ କହିଲେ—“ମଣିମା, ମୁଁ ହାରି ଯାଇଛି । ସବୁ ପ୍ରକାର ଉପାୟ କଲି, ହେଲେ ସେମାନଙ୍କୁ ମୂଳପୋଛ କରିପାରିଲି ନାହିଁ । ସମସ୍ତ ବୁଦ୍ଧି ମୁଁ ଖଟେଇଛି । ଅଧିକ ଖଟେଇବାକୁ ଆଉ ଟିକିଏ ବି ବୁଦ୍ଧି ନାହିଁ । ଯଦି କହିବେ ତେବେ ମୁଁ ଇସ୍ତଫା ଦେଇଦେବି । ବଡ଼ ବୁଦ୍ଧିଆ ଜଣେ କିଏ ଆସୁ । ଗୋଟାଏ କିଛି ଉପାୟ କାଢ଼ୁ । ମୁଁ ସେଥିରେ ଅରାଜି ନାହିଁ । ଯାହାକୁ ମୁଁ କରି ନ ପାରିବି, ତାକୁ ଅନ୍ୟ କେହି ଜଣକୁ କରିବା ପାଇଁ ଛାଡ଼ିଦେବି । ରାଜନୈତିକ ଟାଉଟରଙ୍କ ପରି ନ ପାରିବା ସତ୍ତ୍ୱେ ଆବୋରି ରହି ଶେଷରେ ଲୋକଙ୍କ ଦ୍ୱାରା ତଣ୍ଟିଆ ଖାଇବାକୁ ମୁଁ ପସନ୍ଦ କରେ ନାହିଁ ।”

 

ମନ୍ତ୍ରୀଙ୍କୁ ହାଉଳି ଖାଇଯିବାର ଦେଖି ରାଜା ପ୍ରବୋଧ ଦେଲା ପରି କହିଲେ—“ଆହା ! ଏମିତି ହାଉଳି ଖାଉଛ କିଆଁ ? ମାନୁଛି ତୁମର ଆନ୍ତରିକତା ଅଛି, ହେଲେ ଶତ୍ରୁବଳକୁ କମ୍ କରି କଳିବାର ଗୋଟାଏ ଭୁଲ ଅଭ୍ୟାସ ତୁମର ଥିବା ମୁଁ ଦେଖୁଛି । ଗୋଟାଏ ଜିନିଷକୁ ନିପାତ କରିବାକୁ ହେଲେ ତା ପିଛା ପୋକ ପରି ଲାଗିରହିବା ଦରକାର । ମାସେ ଦି ମାସ ଯାଏ ସଂପୂର୍ଣ୍ଣ ନିଶ୍ଚିହ୍ନ ହେବାର ଦେଖିବା ପର୍ଯ୍ୟନ୍ତ ମାଡ଼ ଉପରେ ମାଡ଼ ଚଢ଼ାଉଥିବ । ତୁମେ କିନ୍ତୁ କରିଛ କଅଣ ? ଗୋଟାଏ ଦିନ ହୈ ଚୈ କରିଦେବ ତ ଛଅମାସ ଖଣ୍ଡେ ଶୋଇପଡ଼ିବ । ଥରକେ କି ବଉଁଶ ମୁଳପୋଛ ହୁଏ ? ଯମ ଦାଢ଼ରୁ ଯେଉଁମାନେ ବର୍ତ୍ତିଥାନ୍ତି, ସେମାନେ ପୁଣି ବଉଁଶ ବଢ଼େଇ ଯେତିକି ସେତିକି ହୋଇଯାଆନ୍ତି । ମୂଳପୋଛ କରିବ ତ ନିତି ଅଭିଯାନ ଚଳାଅ । ଦୁଇ ଚାରି ମାସ ଧରି ଅବିରାମ ସଂଗ୍ରାମ ଚଳାଅ । ଦୟାମାୟା ମନରୁ ପୋଛି, ଆଳସ୍ୟକୁ ଦେହରୁ ତଡ଼ି ଲାଗିପଡ଼ । ଦେଖିବ ଦୁଇ ଚାରିଟା ମାସରେ ତୁମେ ବିଜୟଶ୍ରୀ ମଣ୍ଡିତ ହୋଇ ବସିଛ । ଉଃ, ଆଃ ।”

 

ମନ୍ତ୍ରୀଙ୍କୁ ନତମସ୍ତକରେ ନିରୁତ୍ତର ହେବାର ଦେଖି ଜଣେ ଆଗଚଲା ଦରବାରିଆ କହିପକାଇଲା—“ମଣିମା ! ଏ ରକ୍ତଖିଆ ବ୍ୟବସାୟୀଗୁଡ଼ାଙ୍କୁ ମନ୍ତ୍ରୀ ଯଦି ନ ପାରୁଛନ୍ତି, ତେବେ କ୍ଷମତା ଦିଅନ୍ତୁ, ସମସ୍ତଙ୍କୁ ନିପାତ କରିଦେବି । ସମସ୍ତଙ୍କୁ ପକଡ଼ି ନିକଟତମ ବତୀଖୁଣ୍ଟରେ ଫାଶୀ ଦେଇଦେବି ।”

 

ଆଉ ଜଣେ ତା କଥାରେ ବାଧା ଦେଇ କହିଲା—“ହେଃ ! ଓଲୁ କୋଉଠିକାର, ମଣିମା କଅଣ ବ୍ୟବସାୟୀମାନଙ୍କ କଥା କହୁଛନ୍ତି ? ସେ ବିଗୁଡ଼ୁଛନ୍ତି ପୁଞ୍ଜିପତି ମହାଜନମାନଙ୍କ ଉପରେ । ଏଗୁଡ଼ାକ ଲୋକଙ୍କୁ ଶୋଷି ଶୋଷି ଶେତା କରି ଦେଲେଣି; ଅଥଚ ଏଣେ ମଣିମାଙ୍କୁ ଠିକ୍ ଠିକ୍ ଆୟକର ଦେଉ ନାହାନ୍ତି । ମଣିମାଙ୍କ କେତେ ଲୋକସାନ ହେଉଛି । ସେଇଥିଲାଗି ଛାମୁ “ଉଃ, ଆଃ ଇସ୍,’ ଭାଷୁଛନ୍ତି ।”

 

ଆଉ ଜଣେ ତାକୁ ବାଧାଦେଇ କହିଲେ—“ହଉ, ହଉ, ରଖ ତମ ପଣ୍ଡିତପଣିଆ । ହଇରେ, ଏତିକି ବୁଝିପାରୁନ, ଛାମୁ ଅଲକ୍ଷଣା ଖାଦ୍ୟ ଅପମିଶ୍ରଣକାରୀଙ୍କ କଥା କହୁଛନ୍ତି । ଅଳପେଇସେ ସମସ୍ତଙ୍କ ଦାନାରେ ଧୂଳି ଦେଲେ । ଚାଉଳରେ ଗୋଡ଼ି, ତେଲରେ ଅଗରା, ଘିଅରେ ଘୁଷୁରି ଚର୍ବି, ଦୁଧରେ ଚାଳଉମଣ୍ଡ, ଅଟାରେ ଖଡ଼ିଚୂନା, ଚିନିରେ କାଚଚୂନା, ଲୁଣରେ ବାଲି ମିଶେଇ ଦେଶଟାକୁ ନଷ୍ଟ କରିଦେଲେ, ଜାତିଟାରୁ ରୋଗା କରିଦେଲେ । ରାଜ୍ୟର ମେରୁଦଣ୍ଡକୁ ଭାଙ୍ଗି ଦେଲେଣି । ସେ ସବୁ ଖାଇବା ଫଳରେ ଖୋଦ୍ ମଣିମାଙ୍କ ଶ୍ରୀପେଟକୁ ପୀଡ଼ା ଦେଉଛି । ସେଇଥିଲାଗି ସେ ସିନା ‘ଉଃ, ଆଃ, ଇସ୍’—”

 

କଥା ନସରୁଣୁ ଆଉ ଜଣେ କହିପକେଇଲା—“ଇଏ ଭୁସ୍‌ପଣ୍ଡିତେ କାହିଁ ଥିଲେ ଧାଇଁ ଆସିଲେ । ହଇ ହୋ, ତୁମ ମୁଣ୍ଡରେ ଏତିକି କଥା ପଶୁନି ଯେ, ମଣିମା ଛତରା ଘୁଷ୍‌ଖୋରଗୁଡ଼ାଙ୍କ କଥା କହୁଛନ୍ତି । ବଦମାସଗୁଡ଼ାକ ଦେଶସାରା ମାଡ଼ିଗଲେଣି । ଏଗୁଡ଼ାକ ଏଡ଼େ ବେପରୁଆ ହୋଇଗଲେଣି ଯେ, ଶତ୍ରୁ ଯଦି ଦଶ ପଇସିରୁ ଦି’ଟା ଏ ଦଳରୁ କାହା ହାତରେ ଗୁଞ୍ଜିଦେବ, ତେବେ ସେ ରାଜ୍ୟ ପ୍ରବେଶ ଦ୍ୱାରର କଞ୍ଚିକାଠିଟା ଶତ୍ରୁ ହାତକୁ ବଢ଼ାଇଦେବ । ଏହି ଗୁରୁତର ବିଷୟ ଭାବି ମଣିମା ଏମିତି ବ୍ୟସ୍ତ ହେଉଅଛନ୍ତି । ଏତିକି ତମ ମୁଣ୍ଡରେ ପଶିପାରୁନି ?”

 

କୁଆଡ଼ର ପାଣି କୁଆଡ଼େ ଚାଲିଗଲା ଦେଖି ମନ୍ତ୍ରୀ ମୁଣ୍ଡରେ ହାତ ଦେଇ ବସିପଡ଼ିଲେ । ଆଉ ସମ୍ଭାଳି ହୋଇ ନ ପାରି ରାଜା ପାଟି କଲେ—“ଦେଖୁଛି ସବୁ ମହାପଣ୍ଡିତଯାକ ଏଇଠି ରୁଣ୍ଡ ହୋଇଛ । ମୋତେ ତ ଏଠି ଛାରପୋକଗୁଡ଼ାକ ଗାଦିରେ ବସେଇ ଦେଉନାହାନ୍ତି, ଆଉ ତୁମ୍ଭେମାନେ କଅଣ ଯେ ଠଉରେଇ ନେଉଛ ତାର କିଛି ଠିକଣା ନାହିଁ । ଅବଶ୍ୟ ତୁମ୍ଭେମାନେ ଯେଉଁମାନଙ୍କୁ ଚିହ୍ନେଇଲ, ସେମାନେ ବି ଛାରପୋକଙ୍କଠାରୁ କମ୍ ହାନିକାରକ ନୁହନ୍ତି । ଏ ଛାରପୋକଙ୍କ ପରି ସେମାନେ ପ୍ରବଳ ହୋଇଉଠିଲେ ମୋର ଗାଦିରେ ବସିରହିବା ବି କଷ୍ଟକର ହେବ । ଉଠିଯିବାକୁ ବାଧ୍ୟ ବି ହୋଇପାରେ । ଭିତର ଅବସ୍ଥା ଏମିତି । ତେଣେ ବାହାରେ ଟୁଙ୍ଗ୍ ଟୁଙ୍ଗ୍ ଶୁଭୁଛି । କେତେବେଳେ ଯେ ଲାଇତୁଙ୍ଗ୍ ମୋ ଉପରକୁ କୁଦିପଡ଼ିବେ ତାର କିଛି ଠିକଣା ନାହିଁ । ଏପରି ସ୍ଥଳେ କଣ କିପରି କରାଯିବ ତାହା ଏକ ଚିନ୍ତାର ବିଷୟ ହେଲାଣି । ହଇ ହେ ମନ୍ତ୍ରୀ, ଏପରି ଚୁପ୍ ହୋଇ ବସିଲେ ହେବ କିପରି ? ଆରେ ୟାକୁ ଟିକିଏ ଧରିବଟି ।”

 

ମନ୍ତ୍ରୀ ପାଖକୁ ଯାଇ ନଇଁପଡ଼ିଲେ ଓ ରାଜାଙ୍କ ରକ୍ତ ପିଇ ଟିଙ୍କ ପରି ହୋଇଥିବା ଗୋଟାଏ ସଇକାର ଛାରପୋକକୁ ମାଡ଼ିବସି ଗାଦି ଉପରୁ ଉଠାଇ ଆଣିଲେ ଓ ପଦାକୁ ନେଇ ମକଚି ଦେଲେ ।

 

ରାଜା ପୁଣି କହିଲେ—“ହଇ ହେ, ତୁମ୍ଭେମାନେ କଅଣ ଭାବୁଛ ? ଲାଇତୁଙ୍ଗ ଫଉଜ ଧରି ମାଡ଼ିଆସିଲେ ଆମେ କଅଣ କରିବା, ଆମର ଭିତର ଅବସ୍ଥା ଯେତେବେଳେ ଏମିତି !”

 

ଦରବାରିଆମାନେ ବୀରଦର୍ପରେ ଫାଟିପଡ଼ିଲେ । ଚଢ଼ା ପଡ଼ା ହୋଇ ଆସ୍ଫାଳନ କରିବାକୁ ଲାଗିଲେ । ଜଣେ କହିଲା—ମଣିମା, ନିଶ୍ଚିନ୍ତ ରହନ୍ତୁ । ଏ ଦେହରେ ଟୋପାଏ ରକ୍ତ ଥିବା ପର୍ଯ୍ୟନ୍ତ, ଏ ନାକବାଟେ ଶେଷ ନିଶ୍ୱାସ ଯିବା ପର୍ଯ୍ୟନ୍ତ ଲାଇତୁଙ୍ଗ୍‌କୁ ଏ ରାଜ୍ୟରେ ପାଦ ପକାଇ ଦେବିନି, ଦେବିନି, ଦେବିନି ।”

 

କିଏ କହିଲା—“ସେ ମୂର୍ଖ ବୋଧହୁଏ ଭୁଲିଗଲାଣି ଯେ, ଆମ ରାଣା ପ୍ରତାପ, ଶିବାଜୀଙ୍କ ବଂଶଧର । ଫୁ’ କରି ଉଡ଼େଇ ଦେବୁ । କଅଣ ବୋଲି ପାଇଛି କି ଆମକୁ !”

 

ଜଣେ କହିଲା—“ସେଇଟା ମୁଣ୍ଡରେ ପେଚା ବସିଲାଣି । ଫୁକୁ ଫୁକୁ ହେଉଛି, ଆମ ଉଇଲସନ୍ ଓ ନକ୍‍ସନ୍ ଭାଇନାଙ୍କ ପାଖେ ବ୍ରହ୍ମବାଣ ଥିବା କଥା ବେଟାକୁ ମାଲୁମ୍ ନାହିଁ । ଦି’ ଭାଇନାଙ୍କ ପାଖରୁ ଦି’ଟା ବାଣ ମାଗି ଆଣି ଛେଚିଦେଲେ ବୋପାକୁ ମଉସା ଡାକ ଛାଡ଼ି ପଳାଇବ । ଆସୁ, ଆସୁ, ଆଚ୍ଛା କରି ଚେଙ୍କଟାଏ ପାଇଯିବ ।”

 

ଆଉ ଜଣେ କହିଲା—“ମଣିମା ! ତାର ଯଦି ଶନିସପ୍ତା ପଡ଼ିବ, ତେବେ ସେ ଆସିବ । ଯଦି ସେ ଆସେ, ଛାମୁ ମୋତେ ଟିକିଏ ଶ୍ରୀନେତ୍ରରେ ଇସାରା ଦେଇଦେବେ । ମୁଁ ଯଦି ତା ସେନାପତିର ନାକଟାକୁ କାଟି ଆଣି ନ ଦିଏ, ତେବେ ମୋ ନାଁ’ରେ ନଅଟା କୁତା ପାଳିବେ ।”

 

ଆଉ ଜଣେ କହିଲା—“ମଣିମା ! ଯେତେବେଳେ ତାର ଛକାପଞ୍ଝା କଥାଟା ପଦାରେ ପଡ଼ିଗଲାଣି, ସେତେବେଳେ ଆଉ ଆମର ଅପେକ୍ଷା କରିବାର ନୁହେଁ । ଛାମୁ ଆଜ୍ଞା ଦିଅନ୍ତୁ, ଆମେ ଆଗତୁରା ତା ରାଇଜରେ ପଶି ଆଗତୁରା ମାଡ଼ ଚଢ଼େଇ ଦେବା । ସେ ଜାଣିଯାଉ ଆମେ କେମିତି ମରଦ ପିଲା । ମାଡ଼ ଖାଇସାରିଲା ପରେ ଆତ୍ମରକ୍ଷା ପାଇଁ ମାଡ଼ ଚଢ଼େଇବା ତିର୍ଲାଙ୍କ କାମ ।”

 

ରାଜା ଖୁସି ହୋଇଯାଇ କହିଲେ—“ବାସ୍, ବାସ୍, ଖୁବ୍ ହୋଇଛି । ଆଉ ମୋର ଚିନ୍ତା ରହିବ ନାହିଁ । ତୁମମାନଙ୍କ ପରି ତେଜୀ ଦରବାରିଆମାନେ ଥାଉ ଥାଉ ମୁଁ ମିଛରେ କାହିଁକି ଏତେ ଚିନ୍ତା କରିବି ?

 

ତୁମ୍ଭେମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବ, ମୁଁ ଏପରି ମୋଟେ ଭାବିପାରି ନ ଥିଲି । ଏହା ଏକ ଆଶ୍ୱାସନାର ବିଷୟ । ଉଃ, ଆରେ ଏଇଟାକୁ ଧରିବଟି !”

 

ଜଣେ ଧାଇଁଯାଇ ଗୋଟାଏ କୋଳଥିଆ ଛାରପୋକ ରାଜାଙ୍କ ଲୁଗା ଭିତରୁ ଉଠେଇ ଆଣିଲା । ତା ପରେ ରାଜ୍ୟସାରା କିପରି ଛାରପୋକ ନିପାତ ହେବେ, ତାର ମସୁଧା ଚାଲିଲା । ଦରବାର କ୍ରମେ ମଜଗୁଲିଆ ହୋଇ ଉଠିଲା ।

 

ଠିକ୍ ଏତିକିବେଳେ ଧଇଁସଇଁ ହୋଇ ଗୋଟାଏ ପାଇକ ଗୋଟାଏ ମୁଦା ବାତିନି ଆଣି ରାଜାଙ୍କ ଆଗରେ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲା । ତା ପରେ ଉଠି ରାଜାଙ୍କ ହାତକୁ ବଢ଼ାଇ ଦେଲା । ରାଜା ତାକୁ ଖୋଲି ପଢ଼ିବା ମାତ୍ରେ ତାଙ୍କ ହାତ ଥରିଲା । ବାତିନିଟା ତଳକୁ ଖସିପଡ଼ିଲା । ରାଜା ଖନେଇ ଖନେଇ କହିଲେ—“ମନ୍ତ୍ରୀ ! ଏଇଟାକୁ ଧର ।”

 

ମନ୍ତ୍ରୀ ତରବରରେ ବାତିନିଟା ଉଠେଇ ପଢ଼ିଗଲେ । ତା ପରେ ଗମ୍ଭୀର ହୋଇଯାଇ ସମସ୍ତଙ୍କୁ ସମ୍ବୋଧନ କରି କହିଲେ—“ବନ୍ଧୁଗଣ ! ଘୋର ସଂକଟର ସମୟ ଆସିଲା । ସମସ୍ତେ ପ୍ରସ୍ତୁତ ହୋଇଯାଅ । ଲାଇତୁଙ୍ଗ୍ ଉତ୍ତରପଟ ମେଘନାଦ ପାଚେରୀ ଡେଇଁ ଆମ ରାଜ୍ୟରେ ପଶିଗଲାଣି ।” ଜଣେ ବଦ୍‌ରାଗୀ ମାଷ୍ଟର କ୍ଲାସ୍ ଭିତରେ ପଶିଗଲା ମାତ୍ରେ ଛୁଆଙ୍କ ଗଣ୍ଡଗୋଳ ଯେପରି ହଠାତ୍ ଥମିଯାଏ, ଦରବାରଟା ଠିକ୍ ସେହିପରି ତୁନି ପଡ଼ିଗଲା । କାହାରି ପାଟିରେ କଥା ନାହିଁ । ରାଜା ଶେଷରେ ଅତି କଷ୍ଟରେ କହିଲେ—“ତୁମ୍ଭେମାନେ ଏଥର କାମରେ ଲାଗିଯାଅ । ତୁମ୍ଭମାନଙ୍କ ଉପରେ ମୁଁ ପୂରା ଭରସା ରଖିଛି ।”

 

ଏତକ ଶୁଣିବା ମାତ୍ରେ ଦରବାରିଆଙ୍କ ଭିତରୁ ବାରପଣ “ଆମେ ଯାଉଛୁ ଚାନ୍ଦା ସଂଗ୍ରହ କରିବୁ । ଯୁଦ୍ଧରେ ବହୁତ ଟଙ୍କା ଖର୍ଚ୍ଚ ହେବ । ଆଗ ସେହି କାମରେ ଲାଗିଯିବା” କହି ଭୁସ୍‍ଭାସ୍ ସେଠାରୁ ପଳାଇଗଲେ । ବାକି ଚାରିପଣ ଭିତରୁ ଦୁଇ ତିନି ଜଣ କହିଲେ—“ମଣିମା, ଏ ଯୁଦ୍ଧ ପାଇଁ ବହୁତ ସୁନା ଦରକାର । ବିଦେଶୀ ବେପାରୀମାନେ ସୁନା ନ ନେଲେ ନଳି ଫଳି ଦେବେ ନାହିଁ-। ମଠ ମହନ୍ତ ଠାକୁର ବାଡ଼ିମାନଙ୍କରେ ମହଣ ମହଣ ସୁନା ରହିଛି । ଆମେ ଯାଉଛୁ ଛାମୁଙ୍କ ଆଜ୍ଞା କହି ସେ ସୁନାସବୁ ବୋହି ଆଣବୁ ।” ଏତକ କହିସାରି ରାଜାଙ୍କ ‘ହଁ, ନାହିଁ’କୁ ଅପେକ୍ଷା ନ କରି ସେମାନେ ଝଡ଼ ପରି ସେଠାରୁ ବାହାରି ପଳେଇଲେ । ବାକିତକ ଥିଲେ ସବୁ ବଡ଼ ବଡ଼ ପେଟିଆ ମୁଣ୍ଡରେ ଗୋଟାଏ ଗୋଟାଏ ପଗଡ଼ି । ସେମାନେ କିଛି ସମୟ ନିଜ ଭିତରେ ଫୁସୁର୍ ଫାସର୍ ହେଲେ । ତା ପରେ ତାଙ୍କ ଭିତରୁ ଜଣେ ବୟସ୍କ ଲୋକ କହିଲା—“ମଣିମା, ଏ ଯୁଦ୍ଧରେ ମାଲ ସପ୍ଲେଇ ଠିକ୍ ଠିକ୍ ନ ହେଲେ ବଡ଼ ଖରାପ ହେବ । ଦୁସ୍‌ମନମାନେ ମାଲଗୁଦାମରୁ ସବୁ ମାଲ କିଣିଲେଇ ଅପନା ଅପନା ଘରେ ମହଜୁଦ୍ କରିଦେବେ । ଆମ ଫଉଜ ପାଇଁ ଠିକଣା ବେଳେ ମାଲ ମିଳିବ ନାହିଁ । ମାଲଗୁଦାମରେ ମାଲ ବିକ୍ରି ଚଟାପଟ୍ ବନ୍ଦ ନ କଲେ ପିଛେ କିଛିବି ମିଳିବ ନାହିଁ । ହାମେ ଅଭି ମାଲଗୁଦାମକୁ ବାହାରିଲୁ ।” ଏହା କହି ସେମାନେ ଦରବାର ଛାଡ଼ି ଖିଦ୍‍ଖାଦ୍ ହୋଇ ପଳେଇଗଲେ । ସବୁ ଦରବାରିଆ ପଳେଇବା ଦେଖି ରାଜା କହିଲେ—“ହଇ ହୋ ମନ୍ତ୍ରୀ-! କଥାଟା ତ ଭଲ ଦିଶୁନି । ଆହେ, ଯାଉଛୁ ସୈନ୍ୟ ସଂଗ୍ରହ କରିବା ବୋଲି କାହାରି ତୁଣ୍ଡରୁ ତ ବାହାରିଲା ନାହିଁ, ଯେଉଁଟା କି ଯୁଦ୍ଧର ପହିଲି କଥା । ତା ପରିବର୍ତ୍ତେ ଆମ ବୀରମାନେ ବାହାରି ପଡ଼ିଲେ ଚାନ୍ଦା ଆଦାୟ କରିବେ, ସୁନା ସଂଗ୍ରହ କରିବେ ଆଉ ମାଲଗୁଦାମରେ ମାଲମତାସବୁ ଚାପିଦେବେ । ଦେଖୁଛି ଏଗୁଡ଼ାଙ୍କ ଦେଇ ଖଡ଼ା ସିଝିବ ନାହିଁ । ଆଡ଼କୁ ତୁମେ ନିଜେ ସବୁ ଯୋଗାଡ଼ କର ।” ଏତିକିରେ ଦରବାର ଭାଙ୍ଗିଲା ।

 

ଚାରି ପାଞ୍ଚ ଦିନ ପରେ ରାଜା ମନ୍ତ୍ରୀଙ୍କୁ ଯୋଗାଡ଼ଯନ୍ତ୍ରର ତାଉ କେତେଦୂର ଗଲା ବୋଲି ପଚାରିବାରୁ ସେ କହିଲେ—“ମଣିମା, ଯୁଦ୍ଧ ତାଉ ବିଲକୁଲ୍ ନାହିଁ ବୋଲି କହିଲେ ଚଳେ । ଓଲଟି ସନ୍ନିପାତ ରୋଗୀ ପରି ତାଉ ଖସିବାରେ ଲାଗିଛି । ଗୋଟାଏ ଉପାୟ ମୁଁ ପାଞ୍ଚିଛି । ଆମ ରାଜ୍ୟର ଗଳିକନ୍ଦିରେ କବିମାନେ ସାଲୁବାଲୁ ହେଉଛନ୍ତି । ସେମାନଙ୍କୁ ଯଦି ଛାମୁ ଆଜ୍ଞା କରନ୍ତେ, ତେବେ ସେମାନେ ଯୁଦ୍ଧ—କବିତା ଲେଖି ଲୋକମାନଙ୍କୁ ତତେଇ ଦିଅନ୍ତେ । ତେଣିକି ଲୋକେ ଝଡ଼ିପୋକ ପରି ଘାଳୁ ଘାଳୁ ହୋଇ ହାତହତିଆର ସହ ଯୁଦ୍ଧଭୂଇଁକୁ ବାହାରି ଆସନ୍ତେ । ଶତ୍ରୁ ବିଛୁଆତି ମାଡ଼ ଖାଇଲା ପରି ଛାଟିପିଟି ହୋଇ ପଳାନ୍ତା ।”

 

ରାଜାଙ୍କ ମନକୁ କଥାଟା ଊଣା ଅଧିକେ ପାଇଗଲା । ସଙ୍ଗେ ସଙ୍ଗେ କବିମାନଙ୍କ ପାଖକୁ ପରୁଆନା ପଠାଇବାକୁ ଠିକ୍ କରାଗଲା । ବଛା ବଛା କବିମାନଙ୍କ ପାଖକୁ ପଠାହେବ । ମନ୍ତ୍ରୀଙ୍କୁ ରାଜ୍ୟଟି ସାରା କବିମୟ ଦେଖାଗଲା । ବଛା ବଛି କରିବାକୁ ବୁଢ଼ା ବୁଢ଼ା କବି ଦି ଚାରି ଜଣଙ୍କୁ ଡକାଗଲା । ସେମାନେ କବି ବଛା ନାଁ ଶୁଣିବା ମାତ୍ରେ ମନ୍ତ୍ରୀଙ୍କ ଗୋଡ଼ ଧରି କାତର କଣ୍ଠରେ ରଡ଼ି ଛାଡ଼ିଲେ—“ଆଜ୍ଞା, ଆମକୁ ବଞ୍ଚାନ୍ତୁ । ଆମ ପିଠିରେ ଆଉ ଛାଲ ରହିବ ନାହିଁ । ଭୁଲଚୁକ୍‌ରେ ଯଦି କାହାର ନାଁ ବଛା ନ ହୋଇ ରହିଯିବ, ସେ ସାଙ୍ଗେ ସାଙ୍ଗେ ଆମକୁ ତା ପୁଅର ମାମୁଁ ବନେଇ ଠେଙ୍ଗୁଣିରେ ପିଠି ସିଧା ଧରିଦେବ । ଆଜ୍ଞା, ବହୁଥର ଏମିତି ହେଲାଣି । ଆଉ ଏ ଭୁଲ କାମ କେବେହେଲେ କରିବୁ ନାହିଁ ।”

 

ମନ୍ତ୍ରୀ ବଡ଼ ହଇରାଣରେ ପଡ଼ିଲେ । ବ୍ୟକ୍ତିଗତ ଭାବରେ କାହାକୁ ଚିଠି ନ ଦେଇ ଖବର କାଗଜରେ ଏକ ଅନୁରୋଧପତ୍ର ଛପାଇ ଦେଲେ । ସପ୍ତାହେ ଯାଇଛି କି ନାହିଁ ମନ୍ତ୍ରୀ ତ୍ରାହି ତ୍ରାହି ଡାକ ଛାଡ଼ିଲେ । ତାଙ୍କ ଘରଦ୍ୱାର କବିତାରେ ଖୁନ୍ଦିହୋଇ ଉବୁକି ଉଠିଲା । ତାଙ୍କୁ ସେଗୁଡ଼ାକ ବଛାବଛି କରିବାର ସମୟ ନାହିଁ ? ସବୁ ସ୍କୁଲ କଲେଜର ଆଧୁନିକ ଜମ୍ବୁଦ୍ୱୀପ ଭାଷା ଶ୍ରେଣୀସବୁ ବନ୍ଦ କରିଦେଇ ତହିଁର ଅଧ୍ୟାପକ, ଶିକ୍ଷକ ତଥା ଛାତ୍ରମାନଙ୍କୁ ବଛାବଛି କରି ହଜାରେ ପୃଷ୍ଠିଆ ଖଣ୍ଡେ ବହିର ପାଣ୍ଡୁଲିପି ପ୍ରସ୍ତୁତ କରିବାକୁ ହାବୁଡ଼େଇ ନିଜେ ଅନ୍ୟ କାମକୁ ପଳେଇ ଗଲେ ।

 

ସପ୍ତାହକ ବାଦ ରାଜା ଓ ମନ୍ତ୍ରୀ ଦୁହେଁ ପାଣ୍ଡୁଲିପି କାମ ଦେଖିବାକୁ ଆସିଲେ । ଗୋଟି ଗୋଟି କରି ଦେଖିବାକୁ ଧେର୍ଯ୍ୟ ନ ଥିଲା । ରାଜା ମୁଖ୍ୟ ବଛାଳିକୁ ବଛା କବିତା ବିଷୟରେ ଠିକେ ଠିକେ କହିଯିବାକୁ କହିଲେ । ମୁଖ୍ୟ ବଛାଳି କଣ୍ଠ ସଫା କରି ଆରମ୍ଭ କଲେ—“ମଣିମା ଶୁଣିବା ହୁଅନ୍ତୁ । ସମୁଦାୟ କବିତାର ୮୦ ପ୍ରତିଶତ ଅଛି । ସବୁର ସାରମର୍ମ ହେଉଛି ଏକ । ଅର୍ଥାତ୍ କବି ଶତ୍ରୁର ବଉଁଶ ନିପାତ କରିବେ । ତାକୁ ମୁଦ୍‌ଗରରେ ଛେଚିବେ, ତା ପେଟ ଚିରି ଅନ୍ତବୁଜୁଳା କାଢ଼ି ପକେଇବେ । ଦି’ ଗୋଡ଼କୁ ଫାଡ଼ିଦେବେ । ତାତି କଡ଼ମଡ଼ ହେଉଥିବା ତେଲ କରେଇରେ ତାକୁ ପକୁଡ଼ି ପକେଇଲା ପରି ପକେଇବେ । ଶତ୍ରୁର ରାଜ୍ୟକୁ ଶ୍ମଶାନ କରିଦେବେ ।

 

୫ ପ୍ରତିଶତରେ ଶତ୍ରୁ ଉପରେ ଖାଲି ଗାଳିବର୍ଷଣ ହୋଇଛି । ନିରୁତା ଗାଳି ଛଡ଼ା ଆଉ କିଛି ନାହିଁ । ସେ ଗାଳିକୁ ଶୁଣିଲେ ଆମ ରାଜ୍ୟର ସର୍ବଶ୍ରେଷ୍ଠ କଳିହୁଡ଼ି ବିଧବା ରମଣୀ ମଧ୍ୟ ନିଜକୁ ପରାସ୍ତ ମନେକରି ରାଜ୍ୟ ଛାଡ଼ି ପଳେଇବ । ହା’ ତୋ ମାଇପ ରାଣ୍ଡ ହେଉ, ହା’ ତୋ ପୁଅକୁ କିମ୍ଭୀର ଖାଉ, ହା ତୋ ଡିହରେ ବିଲୁଆ ଡେଉଁ, ହା ତୋ ସାତପୁରୁଷ ନର୍କରେ ପଡ଼ନ୍ତୁ ଆଦି ହେଉଛି ଏଥିରେ ମୁଖ୍ୟ ଗାଳି । ଦୁର୍ବାସାଙ୍କ ପରି ଅଭିଶାପ ମାଧ୍ୟମରେ ଏ କବିମାନେ କାମ ଚଳେଇ ନେବାକୁ ଚେଷ୍ଟା କରିଛନ୍ତି ।

 

୫ ପ୍ରତିଶତରେ ଆମ ରାଜ୍ୟର ଲୋକମାନଙ୍କୁ ନିଦରୁ ଉଠେଇବାକୁ ଚେଷ୍ଟା ହୋଇଛି । ବଡ଼ିଭୋରରୁ ଜମିଦାରମାନଙ୍କ ନିଦ ଭାଙ୍ଗିବା ପାଇଁ ଯେମିତି କୀର୍ତ୍ତନ ହୁଏ, ଏ ଧରଣର କବିତାସବୁ ଠିକ୍ ସେମିତି ହୋଇଛି । ସେ ସବୁରେ ମୋଟ ଉପରେ କୁହାଯାଇଛି ଯେ—ସୁପ୍ତ ! ସ୍ୱପ୍ନ ଓ ନିଦ୍ରା ତେଜି ଉଠ । ଶତ୍ରୁ ପରା ତୋ ସବୁଜ ଗାଲିଚା ଉପରେ ପାଦ ପକାଇଲାଣି । ଉଠିପଡ଼ । କାନ ଡେରି ତା ପାଦଧ୍ୱନି ଶୁଣ । ଧୀରେ ଅତି ଧୀରେ ସେ ପାଦଚାଳି ଆସୁଛି । ଆଉ ଡେରି କରନା, ଉଠିପଡ଼ ।

 

୬ ପ୍ରତିଶତ କବି ଜନ୍ମଭୂମିର ବନ୍ଦନା ଗାଇଛନ୍ତି, ଆଉ ଏପରି ଜନ୍ମଭୂମିକୁ ଯେଉଁ ଶତ୍ରୁ ଅପମାନ ଦେଉଛି, ତାକୁ ହାକିମ ତଳିଆ କର୍ମଚାରୀକୁ ବହିଷ୍କାର କରିଦେବାର ଧମକ ଦେଲା ଭଳି ଧମକେଇଛନ୍ତି ।

 

ବାକି ୪ ପ୍ରତିଶତ ଠାକୁର ଠାକୁରାଣୀ, ଭଗବାନ ଇତ୍ୟାଦିଙ୍କୁ ମୃଗୁଣୀ ସ୍ତୁତି କଲା ପରି ବିକଳରେ ଡକା ପକେଇଛନ୍ତି—ଜଗନ୍ନାଥଙ୍କୁ ଅନୁରୋଧ କରିଛନ୍ତି, ସେ ଯେପରି ସୁଦର୍ଶନ ପେଷିଦେଇ ଶତ୍ରୁକୁ ଏକାବେଳକେ ମୂଳପୋଛ କରିଦେବେ । ତାଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ, ସେ ବଡ଼ଭାଇ ବଳଦେବଙ୍କୁ ସଙ୍ଗରେ ନେଇ କାଞ୍ଚିରାଜାଙ୍କୁ ପାଣି ପିଆଇ ଦେଲେ । ଏତେବେଳେ ଶତ୍ରୁ ବିରୁଦ୍ଧରେ ପୁଣି ଘୋଡ଼ାରେ ବସି କାହିଁକି ନ ବାହାରିବେ ? ଘୋଡ଼ା ନ ମିଳିଲେ ପଛେ ଦୁଇଟା ସ୍କୁଟର ଦିଆଯିବ, କିନ୍ତୁ ଯୁଦ୍ଧକ୍ଷେତ୍ରକୁ ଯାଇ ଶତ୍ରୁକୁ ନିପାତ କରିବାକୁ ହେବ । ନ ହେଲେ ତାଙ୍କ ବଡ଼ ଦେଉଳର କଥା ସରିଯିବ । ଲାଇତୁଙ୍ଗ୍‌ର ନଜର ଆଗ ମନ୍ଦିର ଉପରେ ପଡ଼ିବ । ତା ନଜରରେ ଦେଉଳଗୁଡ଼ାକ ଅଫିମ କାରଖାନା । ଏ କବିମାନେ ବଡ଼ ଚାଲାଖ । ଜଗନ୍ନାଥଙ୍କୁ ଭୟ ଦେଖାଇ ତାଙ୍କରି ହାତରେ ଶତ୍ରୁଦଳନ କାମଟା କରେଇନେବାକୁ ବସିଛନ୍ତି । ଅବଶ୍ୟ ଗୋଟାଏ କବିତା ଦେଖିଲୁ ମନ୍ଦ ହୋଇନି । ବେଶ୍ ରୁମ ଟାଙ୍କୁରେଇ ପାରୁଛି । ତାକୁ କିଏ ଜଣେ ବ୍ଲାଷ୍ଟଫର୍ଣ୍ଣେସ୍ କବି ଲେଖିଛନ୍ତି । ଯେଉଁ ଧରଣର କବିତାସବୁ ଛପେଇବାର ଆଜ୍ଞା କରିବେ ଆମେ ସେଗୁଡ଼ିକ ଛାପିବୁ ।

 

ଏ ସବୁଯାକ ଛାପି ବହି କରି ରାଜ୍ୟସାରା ବାଣ୍ଟିଦେବାକୁ ରାଜା ଆଜ୍ଞା ଦେଲେ । ଶତକଡ଼ା ୫୧ ଭାଗ ତାଙ୍କର ବିଶ୍ୱାସ ହେଉଥାଏ ଯେ କବିତାଗୁଡ଼ିକ ରାଜ୍ୟରେ ଚହଳ ପକାଇ ପାରିବ ଓ ଲୋକ ଦେଶରକ୍ଷା ପାଇଁ ବହୁସଂଖାୟରେ ସୈନ୍ୟ ବିଭାଗରେ ପଶିବେ । ଶୀଘ୍ର କାମ ସାରିବାକୁ ତାଗିଦ୍ କରିଦେଇ ରାଜା ଚାଲିଗଲେ ।

 

ସୀମାନ୍ତରେ ଯୁଦ୍ଧ ଘମାଘୋଟ ଲାଗିଗଲା । ଲାଇତୁଙ୍ଗର ସୈନ୍ୟମାନେ ରାଜ୍ୟ ଭିତରକୁ ପଶିପାରୁ ନଥାନ୍ତି । ରାଜା ଦେଖିଲେ ଏତିକିବେଳିଆ ଆଉ କିଛି ସୈନ୍ୟ ଯୁଦ୍ଧକ୍ଷେତ୍ରକୁ ପଠାଇ ପାରିଲେ ଶତ୍ରୁ ଛେରି ମୁତି ଛାଡ଼ି ପଳାନ୍ତା । ଯୁଦ୍ଧ ଚଟାପଟ୍ ଶେଷ ହୋଇଯାନ୍ତା । ସୈନ୍ୟ ସଂଗ୍ରହ ହାକିମଙ୍କୁ ଡକାଇ ସଂଗ୍ରହ କେତେଦୂର ଗଲା ପଚାରିଲେ ।

 

ହାକିମ କହିଲେ—“ମଣିମା, କେହି ଗୋଟିଏ ସୈନ୍ୟ ହେବାକୁ ବାହାରୁନି । ଯେଉଁ କବିତା ବହି ବଣ୍ଟା ହୋଇଥିଲା, ତାକୁ ଲୋକେ ନିଜେ ନ ପଢ଼ି ଆପଣା ଆପଣା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଭାରିଜାମାନଙ୍କୁ ଉପହାର ଦେଇଦେଲେ । ସେମାନେ ସେଗୁଡ଼ିକ ନିଜ ନିଜ ତକିଆ ତଳେ ରଖି ରାତିରେ ସ୍ୱାମୀମାନଙ୍କୁ ପଢ଼ି ଶୁଣାଉଛନ୍ତି । କେଉଁଟା ବଢ଼ିଆ ହେଲା, କେଉଁଟା ନାକରା ହେଲା ସେଇଆ ଚର୍ଚ୍ଚା ହେଉଛି । ମୋଟ ଉପରେ ଯାହା ଆଶା କରାଯାଉଥିଲା, ତାହା କିଛି ହେଲାନି ।”

 

ରାଜା ଏହା ଶୁଣି ବଡ଼ ଚିନ୍ତିତ ହୋଇପଡ଼ିଲେ । ତା ପରେ ମନ୍ତ୍ରୀଙ୍କୁ ଆଜ୍ଞା ଦେଇ କହିଲେ—“ଦେଖ ମନ୍ତ୍ରୀ ! କେହି ନ ଆସନ୍ତୁ କିଛି ଚିନ୍ତା ନାହିଁ । ଯେଉଁ କବିମାନେ ଏ କବିତାସବୁ ଲେଖିଥିଲେ, ସେମାନେ ନିଶ୍ଚୟ ବଡ଼ ତେଜୀ ଲୋକ । ସେହି କବିମାନଙ୍କୁ ଡାକିଆଣି ଯୁଦ୍ଧକ୍ଷେତ୍ରକୁ ପଠାଇବାର ବ୍ୟବସ୍ଥା କର । ସେମାନେ ଶୁଣିବାମାତ୍ରେ ଯୁଦ୍ଧଭୂଇଁକୁ ଖପ୍ ଖାପ୍ ଡେଇଁପଡ଼ିବେ । ଯାଅ, ଶୀଘ୍ର କାମରେ ଲାଗିଯାଅ ।”

 

ଚଉଦ ଦିନ ବାଦେ ମନ୍ତ୍ରୀଙ୍କ ଶୁଖିଲା ମୁହଁ ଦେଖି ରାଜା ପଚାରିଲେ, “କି ! କଅଣ ହେଲା ? କବିମାନେ ଯୁଦ୍ଧକୁ ଆସିଲେଟି ?”

 

ମନ୍ତ୍ରୀ ଶୁଖାମୁହଁ ତଳକୁ ପୋତି କହିଲେ—“ମଣିମା ! ମାଇଆ ରୋଗଟା କବିକବିଗୁଡ଼ାଙ୍କ ଦିହରେ ଚରିଗଲାଣି । ସମସ୍ତଙ୍କୁ ଡକାଗଲା, ହେଲେ କେହି ନ ଆସି ଘରେ ଲୁଚିଲେ, ଆଉ ଖଣ୍ଡିଏ ଖଣ୍ଡିଏ ଦରଖାସ୍ତରେ ଯୁଦ୍ଧକୁ ଯିବାରେ ଅସାମର୍ଥ୍ୟର କାରଣ ଲେଖି ମୋ ପାଖକୁ ପଠାଇ ଦେଇଛନ୍ତି । ସବୁଠୁଁ ବେଶି ସଂଖ୍ୟକ କାରଣ ହେଉଛି ସେମାନଙ୍କ ଭାରିଜାମାନଙ୍କର ସାଢ଼େ ଆଠ ମାସ ଗର୍ଭ । ଘରେ ସେମାନଙ୍କର ଦେଖାଚାହାଁ କରିବାକୁ ଅନ୍ୟ କେହି ନାହାନ୍ତି । ଆଉ କେତେ ପେଟମରା ବେମାରିରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି । କିଏ ଲେଖିଛି ଧାନକଟା ସାରିଦେଇ ଆସିବ । କିଏ ଲେଖିଛି ତା ଟିକି ପୁଅଟି ପାରିଗଲେ ସେ ଆସିବ । କାହାର ବୁଢ଼ୀମା ଶକ୍ତ ବେମାର । କାହାର ଗୋଇଠି ଭାତୁଡ଼ି ହୋଇଥିବାରୁ ସେ ଚାଲିପାରୁନି । ଜଣେ କବି କିନ୍ତୁ ଭାରି ହମ ହମ ହୋଇ ଆସିଥିଲେ । ତାଙ୍କ ନାଁ ବ୍ଲାଷ୍ଟଫର୍ଣ୍ଣେସ୍ କବି । ତାଙ୍କୁ ଦେଖି ମୋତେ ହସ ମାଡ଼ିଲା । ଗୋଟାଏ ନଳିର ଓଜନ ଯେତେ, ତାଙ୍କ ଓଜନ ସେତେ ନୁହେଁ । ତାଙ୍କ ଦିହଯାକ ଚଞ୍ଛା ଚଞ୍ଛି କଲେ ଦୁଇ କିଲୋ ମାଉଁସ ବାହାରିବ କି ନାହିଁ, ସେଥିରେ ଫିମ୍ପୁଡ଼ି ତାଙ୍କର କାହିଁରେ କ’ଣ-। ଶତ୍ରୁ ଛିଙ୍କିଦେଲେ ଅଥଚ କଚାଡ଼ି ହୋଇ ପଡ଼ିବେ । ତାଙ୍କୁ ଫେରାଇ ଦେଲି । ଫେରି ଗଲାବେଳେ ବିଚରା ଭଗବାନଙ୍କୁ ଗାଳିଗୁଲଜ କରି କହି ଯାଉଥାଆନ୍ତି—ଗୋଆ ଯାଉଥିଲି ଯେ, ଆମରି ଲୋକ ମୋତେ ଫେରାଇ ଦେଲେ । ଏବେ ଯୁଦ୍ଧକୁ ବାହାରିଲି ଯେ, ଆମରି ମନ୍ତ୍ରୀ ମୋତେ ଠିକ୍ ସେହିପରି ଫେରାଇ ଦେଉଛନ୍ତି । ଏଇଟା ସେ ଜାଲିମ୍ ଭଗବାନର ଫିସାଦ୍, ବଦମାସ ଭଗବାନର ଷଡ଼ଯନ୍ତ୍ର-। ଚବିଶ ଘଣ୍ଟିଆ ଚରମପତ୍ର ତାକୁ ଦିଆଯିବା ଉଚିତ । ଇତ୍ୟାଦି ଇତ୍ୟାଦି—”

 

ରାଜା ସବୁ ଶୁଣି କହିଲେ—“ବୁଝିଲ ମନ୍ତ୍ରୀ ! ଏବେ ମୁଁ ବୁଝିଲି ସେ ହଜାର ହଜାର କବିତା ଲୋକଙ୍କୁ ତତାଇ ପାରିଲା ନାହିଁ କହିଁକି । କବିମାନେ ସେଗୁଡ଼ିକ ନାହିମୁଣ୍ଡାରୁ ସିନା କାଢ଼ିଥିଲେ ହୋଇଥାଆନ୍ତା, ଓଠମୂଳିଆ କବିତାର ଜୋର ହେବ କୁଆଡ଼ୁ ?”

☆☆☆

 

ସେକାଳ–ଏକାଳ

 

ଜେନା କବି ମୁରାରୀମୋହନ ଖବର କାଗଜଟା ଓଲଟାଉ ଓଲଟାଉ ଆକାଶବାଣୀ ସ୍ତମ୍ଭରେ ଢୋ କରି ପିଟି ହୋଇଗଲେ । ଆଖି ମିଟି ମିଟି କରି ସ୍ତମ୍ଭକୁ ନିରେଖି କରି ଚାହିଁଲେ । ଆଉ ସବୁ କର୍ମସୂଚୀ ମଧ୍ୟରେ ତାଙ୍କୁ ଦେଖିଗଲା—ରାତି ନଅଟାରେ ବାଇଗଣି ଯୁଗର ପଞ୍ଚରଥୀ ଏକ ଆଲୋଚନାରେ ଅଂଶ ଗ୍ରହଣ କରିବେ । ଜେନା କବି ଡିଅନ୍ତି କି ନ ଡିଅନ୍ତି । ସେ ଥିଲେ ଜଣେ ବାଇଗଣି ଯୁଗର ଗବେଷକ । ସେ ଯୁଗ ବିଷୟରେ ଅତୀତରେ ସେ ବହୁତ ଅଣ୍ଡଳା ଅଣ୍ଡଳି କରିଛନ୍ତି, ହେଲେ ତାଙ୍କ ମନ ସନ୍ତୁଷ୍ଟ ହୋଇନି । ଖାଲି କାଦୁଅ ଚିପିଛନ୍ତି । ଗଡ଼ିଶା କି ତୋଡ଼ିଟାଏ ହାତରେ ବାଜିନି, ଏବେ ଗୋଟାଏ ଭାରି ବଡ଼ ମଉକା ପଡ଼ିଛି । ପଞ୍ଚରଥୀଯାକ ଏକାବେଳକେ ଠୁଳ-। ଏହିମାନେ ବାଇଗଣି ଘରର ଝାଟି ପୋତିଛନ୍ତି, କାଦୁଅ ଲେସିଛନ୍ତି, ବୁଣଟ କରିଛନ୍ତି ଓ ଛାଉଣି କରିଛନ୍ତି । ଘରକୁ ସଫେଇତି କରି କେତେଦିନ ଏକାଠି ରହିଛନ୍ତି, ଦୁଃଖ ସୁଖ ହୋଇଛନ୍ତି-। ତା ପରେ କିଏ କୁଆଡ଼େ ଛିନଛତର ହୋଇ ପଳାଇଛନ୍ତି । ବାଇଗଣି ଘର ଭାଙ୍ଗିଯାଇଛି ସତ, ହେଲେ ସେ ଖଣ୍ଡିଆ କାନ୍ଥ, ପଡ଼ିଯାଇଥିବା ଖୁଣ୍ଟ ସବୁବେଳେ ସେ ସବୁ ମନେପକାଇ ଦେଉଛି-। ପାଞ୍ଚ ଜଣ ରଥୀ ପୁଣି କୁଆଡ଼େ କୁଆଡ଼େ ଆସି ଆକାଶବାଣୀରେ ଏକଜୁଟ କମ୍ ବଡ଼ କଥାଟାଏ ନୁହେଁ-। ବାଇଗଣି ଯୁଗର ପରଦାଟାକୁ ଏଇମାନେ ଟେକିଦେବେ । ଜେନା କବି କେତେ କଅଣ ଇପ୍‌ସିତ ଜିନିଷ ଦେଖିନେବେ । ସେମାନଙ୍କ କଥାସବୁ ଟିପାଖାତାରେ ଟିପି ପକାଇବେ । ତାକୁ କାହାକୁ ଦେଖାଇବେ ନାହିଁ । ତାକୁ ହିଁ ଭିତ୍ତି କରି କୁକୁଡ଼ା ଅଣ୍ଡା ଦେଲା ପରି ପ୍ରବନ୍ଧ ଉପରେ ପ୍ରବନ୍ଧ ଗଳେଇ ପକେଇବେ । ସେ ହେବେ ବାଇଗଣି ଯୁଗର ଅପ୍ରତିଦ୍ୱନ୍ଦୀ ଗବେଷକ । କେହି କାଲ୍‍ଲା ଲଣ୍ଡି ଗବେଷକ ତାଙ୍କ ଉପସ୍ଥିତିରେ ବାଇଗଣି ଯୁଗ ବିଷୟରେ ଯଦି କିଛି କହିବାକୁ ଦୁଃସାହସ ଦେଖାଏ, ତେବେ ସେ ତାକୁ ଉଚିତ୍ ଶିକ୍ଷା ଦେଇ କହିବେ—“ହଟ୍ ବେ ହଟ୍, ମୋଚଡ଼୍ କହିଁକା ।”

ଜେନା କବି ଭାବନାସ୍ରୋତରେ ଏତେ ଭାସି ଯାଇଥିଲେ ଯେ, ବାସ୍ତବ ରାଜ୍ୟରୁ ଏକାବେଳକେ ଅଲଗା ହୋଇ ଯାଇଥିଲେ । ସ୍ୱପ୍ନରେ ବିଳିବିଳେଇଲା ପରି ସେ ସତକୁ ସତ ପାଟିକରି ଉଠିଲେ—“ହଟ୍ ବେ ହଟ୍ , ମୋଚଡ଼୍ କହିଁକା ।”

ଡରକୁଳା ଚାକର ଟୋକାଟା ବିଚରା ଚାହା ନେଇ ତାଙ୍କ ପାଖକୁ ଆସୁଥିଲା । ବାବୁଙ୍କର ଏ ଫିମ୍ପୁଡ଼ି ତାରି ପାଇଁ ଉଦ୍ଦିଷ୍ଟ ଭାବି ଚମକି ପଡ଼ିଲା । ତା ହାତରୁ ଚା କପ୍ ଓ ପିଆଲା ଖସିପଡ଼ି ଚୂନା ହୋଇଗଲା । ସେ ଭୟରେ ସେ ଥାନ ଛାଡ଼ି ପଳେଇଲା । ଜେନା କବି ଏତେବେଳେ ଯାଇ ପ୍ରକୃତିସ୍ଥ ହେଲେ । ମନଟା ପହିଲେ ଖରାପ ହୋଇଗଲା, କିନ୍ତୁ ପରେ ଅପ୍ରତିଦ୍ୱନ୍ଦୀ ଗବେଷକ ହେବାର ଲାଭଟା ଚା କପ୍ ଓ ପିଆଲା କ୍ଷତିକୁ ହଜମ କରିଦେଲା । ଜେନା କବି ଝାଡ଼ିଝୁଡ଼ି ହୋଇ ଉଠିଲେ । ଠିକ୍ ରାତି ନଅଟାରେ ଆଲୋଚନା ଆରମ୍ଭ । ସେତେବେଳକୁ ଆଉ କିଛି କାମ ଯେପରି ବାକି ନ ରହେ । ଜେନା କବି ଖିଆପିଆ ସାରିଦେଇ ରେଡ଼ିଓ ଆଗରେ ଏକ ଆରାମ ଚଉକିରେ ବସିଗଲେ । ସେତେବେଳକୁ କେହି ଯେପରି ସେ ଘରେ ପଶି ଗଣ୍ଡଗୋଳ ନ କରନ୍ତି, ସେଥିପାଇଁ ଖୁବ୍ କଡ଼ା ହୁକୁମ ଜାରି କରିଦେଲେ । ଟିପାଖାତା ଓ ପେନ୍‌ସିଲଟାକୁ ସଜେଇ ରଖିଲେ । ନଅଟା ବାଜେ କି ନ ବାଜେ, ସେ ରେଡ଼ିଓ ଚାବି ମୋଡ଼ିଲେ ।

ରେଡ଼ିଓ ଭିତରୁ କାଙ୍କଡ଼ ପୋକ ବିଷୟରେ ଶେଷ ଦି’ ଚାରି ପଦ ବାହାରିବା ପରେ ଈପ୍‌ସିତ ବିଷୟ ଆରମ୍ଭ ହେଲା ।

ଘୋଷକ କହିଲେ—“ବର୍ତ୍ତମାନ ବାଇଗଣି ଯୁଗରେ ପଞ୍ଚରଥୀ ସର୍ବଶ୍ରୀ ନିଳେନ୍ଦି, ପଲଉଦା, ଶିବହରି , ଗୋଲକନାଥ ଓ ହେମନ୍ତଚନ୍ଦ୍ରଙ୍କର ବାଇଗଣି ଯୁଗ ଉପରେ ଏକ ଆଲୋଚନା ଶୁଣନ୍ତୁ—”

ଜେନା କବିଙ୍କର ରୁମ ଟାଙ୍କୁରି ଉଠିଲା । ରେଡ଼ିଓରୁ ଶୁଭିଲା “ଓ-ହୋ, ଆଜି ଆମର କି ସୁଦିନ ! ଭାଇ ପଲଉଦା, କେତେ ଦିନ ପରେ ଆମେ ପୁଣି ଏକାଠି ହୋଇଛୁ ।”

ହଁ, ଭାଇ ନିଳେନ୍ଦି, ଗୋଲକନାଥ, ଶିବହରି, ହେମନ୍ତଙ୍କୁ ଏକାଠି ପାଇବା କମ୍ ବଡ଼ ଭାଗ୍ୟର କଥା ନୁହେଁ । ବାସ୍ତବିକ୍ ଆଜି ମୋତେ କୋଟିନିଧି ପାଇଲା ପରି ଲାଗୁଛି । ଯେଉଁ ବାଇଗଣି ଗଛ ଉପରୁ ଆମେ ସମସ୍ତେ ଫୁର୍‍ରୁ ଫାରର୍ ହୋଇ ଉଡ଼ିଯାଇଥିଲେ, ବହୁ ବର୍ଷ ପରେ ପୁଣି ସେହି ଗଛ ଉପରେ ଆସି ବସିଛୁ । କି ଆନନ୍ଦର ଦିନ ଆଜି ! କେତେ କାଳର ସ୍ମୃତିସବୁ ଗୋଟି ଗୋଟି ହୋଇ ଆଜି ମନେପଡ଼ୁଛି । ଆଚ୍ଛା, ଗୋଲକନାଥ ! ମୋର ମନେହୁଏ, ତୁମେ ପ୍ରଥମେ ବାଇଗଣି ଯୁଗର ମୂଳଦୁଆ ପକାଇଥିଲେ ।”

“ଆହା, ଏଡ଼େ ବଡ଼ ଗୌରବଟାଏ ମୋ ମୁଣ୍ଡରେ କାହିଁକି ଲଦି ଦେଉଛ ? ଅସଲ ମୂଳଦୁଆ ପକେଇଛ ତୁମେ ପଲଉଦା । ତୁମେ ତ ଆଗ ଷ୍ଟୁପିଡ୍ କ୍ଲବ୍ ଗଢ଼ିଲ । ତାରି ଦେହରୁ ପିଲ ବାହାରିଲା ସିନା ।”

“ଗୋଲକନାଥ ! ତୁମେ ଅଧା ଠିକ୍ କହୁଛ । ନିଳେନ୍ଦି ଏ ଗୌରବର ଅଧା ଅଧିକାରୀ-।”

“ହେ ପଉଲଦା ! ତୁମେ ତୁଚ୍ଛାଟାରେ ମୋତେ କାହିଁକି ଏତେ ବଡ଼ ଗୌରବ ଦେଉଛ ? ତୁମେ ତ ଷ୍ଟୁପିଡ୍‍ କ୍ଲବର ନାମକରଣ କଲ, ମୁଁ କେବଳ ଘର ତିଆରିରେ ସାହାଯ୍ୟ କରିଛି ମାତ୍ର ।”

 

“ଏ କି କଥା କହୁଛ ନିଳେନ୍ଦି ! ଠିଆ କଲା ବାଲା ତୁମେ । ଆମେ ଖାଲି ଘର ସଜେଇବାରେ ଯାହା କିଛି ଖଟିଛୁ ।”

 

“କଅଣ କହିଲ ଶିବହରି ! ତୁମେ ଖାଲି ସଜେଇଛ ? ତୁମେ ଆଉ ହେମନ୍ତ ସଂଗଠନ କାମ ହାତକୁ ନ ନେଇଥିଲେ ଷ୍ଟୁପିଡ୍ କ୍ଲବ୍ ବଞ୍ଚିଥାଆନ୍ତା ନା ?”

 

“ତା କେତେକାଂଶରେ ଠିକ୍ ଯେ, ହେଲେ ତହିଁରେ ଜୀବନ ସଞ୍ଚାର କରିଛନ୍ତି ନିଳେନ୍ଦି ଆଉ ଗୋଲକନାଥ । ନିୟମିତ ଭାବରେ ଦୁହେଁ କବିତା ଆଉ ପ୍ରବନ୍ଧ ପାଠ କରୁଥିଲେ ।”

 

“ଆମେ ସିନା ପଢ଼ୁଥିଲୁ, କିନ୍ତୁ ଶିବହରି ଓ ପଲଉଦା ତାର ପ୍ରକାଶ ଭାର ନ ନେଇଥିଲେ ସବୁକିଛି ଚୁଲିକୁ ଯାଇଥାନ୍ତା ।”

 

“ଆଚ୍ଛା, ନିଳେନ୍ଦି ! ତୁମର ଯେଉଁ “ବାଇଗଣି ପତ୍ର” କବିତାଟି ପ୍ରଥମେ ପ୍ରକାଶିତ ହେଲା, ସେହିଦନ ମୁଁ, ଶିବହରି ଆଉ ହେମନ୍ତ ଷ୍ଟୁପିଡ଼୍ କ୍ଲବରେ ଏକ ଅଭିନନ୍ଦନ ଦେଇଥିଲୁ । ମନେଅଛି ନା ?”

 

“ପଲଉଦା ! ଏସବୁ କଅଣ ଭୁଲି ହୁଏ ? ମଲେ ଯାଇ ସିନା ଭୁଲି ହେବ । ସେହି କବିତା ପାଇଁ କିନ୍ତୁ ଗୋଲକନାଥ ଅଧା ବଧେଇ ପାଇବାର କଥା । ସେ ସେହି କବିତାଟିକୁ ମାଠିମୁଠି ଦେଇଥିଲେ । କଅଣ କହୁଛ ଗୋଲକନାଥ ?”

 

“ହେ ନିଳେନ୍ଦି ! ଅତି ଦାନୀ ହୁଅନା । ଅଯାଚିତ ଭାବରେ ତୁମର ପ୍ରାପ୍ୟକୁ ମୋ ଉପରେ ଅଜାଡ଼ି ଦେଉଛ କାହିଁକି ? କଲମ ଖସା ଭୁଲଟାଏ କେଉଁଠି କେମିତି ଠିକ୍ କରି ଦେଇଥିଲି ବୋଲି ଏକାବେଳକେ ଅଧେ ପ୍ରଶଂସା ମୋ ଉପରେ ଇଡ଼ିଦେବ ନା !”

 

“ଶୁଣୁଛ ପଲଉଦା ! ଗୋଲକନାଥ ଖାଲି ୟା କଥା ତା କଥା କହୁଛନ୍ତି, ନିଜ କଥାଟି ପ୍ରକାଶ କରୁନାହାନ୍ତି । ତୁମେ ପରା ଥିଲ । ଗୋଲକନାଥଙ୍କ “ବାଇଗଣ ଭଜା” କବିତା ଲାଗି ପୃଥ୍ୱୀନାଥ କର ତାଙ୍କୁ କେତେ କବିଙ୍କ ସାମନାରେ କୁଣ୍ଢାଇ ପକାଇ କହିଲେ—“ଗୋଲକ ! ତୁମେ ଓଡ଼ିଆ ସାହିତ୍ୟାକାଶରେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ହେବ ।”

 

“କେବଳ ସେତିକି ନୁହେଁ ନିଳେନ୍ଦି ! ସେ କବିତାକୁ ସେ “ଓଡ଼ିଆ ସାହିତ୍ୟ” ପତ୍ରିକାରେ ଛାପି ଯେଉଁ ପାଦ ଟିପ୍‍ପଣୀ ଦେଇଥିଲେ, ସେଥିରେ ଗୋଲକନାଥଙ୍କ କଥା ଛାଡ଼ିଦିଅ, ଆମର ବକ୍ଷ ଗର୍ବରେ ଫୁଲି ଉଠିଥିଲା । ନୁହେଁ ଶିବହରି ?”

 

“ବାସ୍ତବିକ୍ ପଲଉଦା, ଆମେ ସମସ୍ତେ ସେଥିରେ ଗର୍ବ ଅନୁଭବ କରିଥିଲୁ । ତୁମର ପ୍ରବନ୍ଧ ଓ ଗଳ୍ପ ମଧ୍ୟ କମ୍ ଚାଞ୍ଚଲ୍ୟ ସୃଷ୍ଟି କରୁ ନ ଥିଲା । ତୁମ ଲେଖା ପଢ଼ିଲାବେଳେ ହେମନ୍ତ ଭୋକ ଶୋଷ ଭୁଲି ଯାଉଥିଲେ ।”

 

“ସେଟା ଠିକ୍ ଯେ ଶିବହରି ! ଆମର ନିନ୍ଦୁକ ଯେ ନ ଥିଲେ, ତା ନୁହେଁ । ଆମ ଲେଖାକୁ ଜଗନ୍ନାଥ ଭାରି ଗାଳିଗୁଳଜ କରିଥିଲା । ତାକୁ ସେଗୁଡ଼ିକ ଭଲ ଲାଗି ନ ଥିଲା । ହେମନ୍ତଙ୍କର ସେ ସବୁ କଥା ଭଲଭାବେ ମନେଥିବ ।”

 

“ସେ ଘୁଷୁରିଟା କଥା ଏଠି କାହିଁକି ପକାଉଛ ପଲଉଦା ! ଛତରା, ବାଳୁଙ୍ଗାଟାଏ, ଏବେ ଟାଉଟରି କରି—”

 

“ଥାଉ, ଥାଉ, ହେମନ୍ତ, ତା ପଛରେ ତା’ର କୁତ୍ସା କରିବା ଉଚିତ ହେଉ ନାହିଁ । ସେଇଟାକୁ ପରଶ୍ରୀକାତରତା ବୋଲି ଲୋକେ କହିବେ । ଗାଳିଠାରୁ ଏ ପଦଟା ବେଶି କଷ୍ଟଦାୟକ-। ସମସ୍ତେ ଆମ ଲେଖାକୁ ଯେ ଭଲ ପାଇବେ, ଏଇଟା ଆମର ଆଶା କରିବା ଅନ୍ୟାୟ-।”

 

“ମୁଁ ବଡ଼ ଲଜ୍ଜିତ ପଲଉଦା ! ମୋ ପାଟିରୁ ବାହାରି ପଡ଼ିଲା ବାସ୍ତବିକ୍ କାହା ପଛରେ ଦୁର୍ନାମ କରିବାଟା ବଡ଼ ଖରାପ । ଛାଡ଼ ସେ କଥା । ଆଚ୍ଛା, ଗୋଲକନାଥ ! ଆମ ଷ୍ଟୁପିଡ୍ କ୍ଲବ୍ କେବେ ଭାଙ୍ଗିଗଲା କି ?”

 

“ଚାକିରିରେ ଆମେ ସମସ୍ତେ କିଏ କେଉଁଠି ଛିଡ଼ିକି ପଡ଼ିବାରୁ କ୍ଲବ୍ ଭାଙ୍ଗିଗଲା । ହେଲେ, ବହୁଦିନଯାଏ ଯେଝା ଥାନରୁ ଲେଖାଲେଖି କରି ନିଳେନ୍ଦି ପାଖକୁ ପଠାଉଥିଲୁ । ସେ ଛାପାର ବନ୍ଦୋବସ୍ତ କରୁଥିଲେ । ଆମ ବାଇଗଣି ଯୁଗର ବାନା ସେ ବହୁତ ଦିନଯାଏ ଉଡ଼ାଇ ରଖିଥିଲେ ।”

 

“ସେହି କଥା ତ ତୁମର ଗଲାନି ଗୋଲକନାଥ ! ମୁଁ ଖାଲି ଉଡ଼ାଉଥିଲି, ଆଉ ତୁମେ ସମସ୍ତେ ଶୋଇଥିଲ ? ସମସ୍ତେ ଲାଗିପଡ଼ିଲାରୁ ସିନା ବାନା ଉଡ଼ୁଥିଲା । ଏକୁଟିଆ ମୋରି ଉପରେ–”

 

ହାୟ, ହାୟ, ! ଏ କଅଣ ହେଲା ? ରେଡ଼ିଓର ତଣ୍ଟି ଚିପିଦେଲା କିଏ ? ଜେନା କବି ଟକ୍‍ଟାକ୍ କରି ଦେଖିଲେ ରେଡ଼ିଓରେ ଆଉ ଜୀବନ ନାହିଁ । ବିଜୁଳି କୋମ୍ପାନୀ ତା ଜୀବନନାଟିକା ଚିପି ଦେଇଛି । ରାଗରେ କଡ଼ମଡ଼ କରିଉଠି କହିପକାଇଲେ—“ବଦମାସ୍ ଇଞ୍ଜିନିୟରକୁ ଏହିକ୍ଷଣି ଯଦି ଆଗରେ ପାଆନ୍ତି, ତେବେ ତା ବେକକୁ ଚିପିଦେଇ ରେଡ଼ିଓ ଭଳି କରି ଦେଇଥାଆନ୍ତି । ସତ୍ୟାନାଶ କରିଦେଲା ।”

 

ଗୁଡ଼ାଏ ଛାଟିପିଟି ହୋଇ ଜେନା କବି ଆରାମ ଚଉକିରେ ବସି ପଡ଼ିଲେ । ଭାବି ଲାଗିଲେ—“ଆଃ, କେଡ଼େ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ! କି ନମ୍ରତା ! କି ଆତ୍ମୀୟତା ! ଜବରଦସ୍ତ ଆତ୍ମପ୍ରତିଷ୍ଠାର ଟିକିଏ ହେଲେ ଚେଷ୍ଟା ନାହିଁ । କି ସମଷ୍ଟିଗତ ଭାବ ! ଆଃ ! ଏଇଟା ସମସ୍ତଙ୍କର ଅନୁକରଣୀୟ । ଆମ ଜବରଦସ୍ତ ସାହିତ୍ୟ ସଂସଦରେ ଏହିପରି ଏକ ଅତ୍ୟାଧୁନିକ କବିମାନଙ୍କର ଏକ ମେଳା ନିଶ୍ଚୟ କରାଇବି । ଲେଖକମାନେ ଦେଖନ୍ତୁ, ଶିଖନ୍ତୁ । ସେମାନଙ୍କର ଆଖି ଖୋଲିଯାଉ । ଗଜୁରି ଆସୁଥିବା ଲେଖକମାନଙ୍କର ମୂଳଦୁଆ ଇଆଡ଼ୁ ମଜବୁତ୍ କରି ପକାଇଦେବାକୁ ହେବ । ବାଟ ଦେଖେଇ ଦେଲେ, ଶିଖେଇ ଦେଲେ ଲୋକେ ଅଲବତ୍ ଶିଖିବେ । ପ୍ରଥମେ ଏମିତିଆ ମେଳା ମୁଁଇ କରିବି । ପ୍ରଥମ ପଥ ପ୍ରଦର୍ଶକ ମୁଁଇ ହେବି । ଗଜା କବିମାନଙ୍କ ନେତୃତ୍ୱ ମୁଁଇ ନେବି । ବାଇଗଣି ଯୁଗକୁ ପାଞ୍ଚ ଜଣ ରଥୀ ଗଢ଼ିଥିଲେ, କିନ୍ତୁ ଗଜାଯୁଗକୁ ମୁଁ ଏକା ଗଢ଼ିବି । କେଡ଼େ ବଡ଼ ଗୌରବର ଅଧିକାରୀ ମୁଁ ନ ହେବି ! ନାଃ, ଅତି ଶୀଘ୍ର ମେଳା କରେଇବି । କାଳେ ଆଉ କିଏ… ”

 

ବ୍ୟକ୍ତିଗତ ଅନୁରୋଧ, ନିୟନ୍ତ୍ରଣ ଓ ଖବର କାଗଜର ବିଜ୍ଞାପନ ଜରିଆରେ ଜେନା କବି କଥାଟାକୁ ଚାରିଆଡ଼େ ବିଛେଇ ଦେଲେ । ରବିବାର ସନ୍ଧ୍ୟା ଛଅଟାରେ ଶ୍ରୀରାମଚନ୍ଦ୍ର ଭବନରେ ଗଜାକବି ମେଳା ବହୁ ଆଡ଼ମ୍ବର ସହିତ ସୁରୁ ହେଲା ।

 

ରାମା, ଦାମା, ଶାମା, ହରି, ଗୋପାଳ, ମଧୁ ଆଦି ଗଜାକବିମାନେ ଚଉକି ଉପରେ ଅଣ୍ଡିରା ପାରା ପରି ଛାତି ଫୁଲାଇ, ମୁହଁକୁ ହାଣ୍ଡି ପରି କରି ଗୁମ୍ ହୋଇ ବସିଥାଆନ୍ତି । କେହି କାହା ମୁହଁକୁ ଚାହୁଁ ନ ଥାନ୍ତି । ସତେକି ଯେମିତି କେହି କାହାକୁ ଚିହ୍ନନ୍ତି ନାହିଁ କି କେବେ ଦେଖି ନାହାନ୍ତି । ଜେନା କବି ମନେ ମନେ ଭାବିଲେ—“ମନ୍ତ୍ରପାଣି ପଡ଼ି ଏଗୁଡ଼ାକ ପଥର ପାଲଟିଗଲେ କି ଆଉ ? ନାଃ, ଏଗୁଡ଼ାଙ୍କ ପାଟିକୁ ନ ଚିରିଲେ କଥା ବାହାରିବ ନାହିଁ ।”

 

ତା ପରେ ସେ ନିଜେ ଆରମ୍ଭ କରିଦେଲେ—“ଆଜି ଗଜାଯୁଗରେ ପ୍ରତିଷ୍ଠାତା ଭାବରେ ଆପଣମାନେ ଯେ ଏଠାରେ ଏକତ୍ରିତ ହୋଇଅଛନ୍ତି, ଏହା କିଛି କମ୍ ଆନନ୍ଦର କଥା ନୁହେଁ । ଏ ଯୁଗର ପ୍ରତିଷ୍ଠା ଦିଗରେ ଆପଣମାନଙ୍କର ଯାହା ଯାହା ଅବଦାନ ରହିଛି, ତାହା ବର୍ଣ୍ଣନା କରନ୍ତୁ । କୁହନ୍ତୁ ରାମବାବୁ, ଆପଣ ପ୍ରଥମେ କହନ୍ତୁ—”

 

ରାମ—“ଆପଣ ଲୋକ ଚିହ୍ନିଛନ୍ତି । କହିବାକୁ ଗଲେ ଏ ଯୁଗର ପ୍ରତିଷ୍ଠା କରିଛି ମୁଁ । ମୋର “ଘୋଟକ ଅଣ୍ଡ” କବିତା ଏହି ଯୁଗର ମୂଳଦୁଆ ପକାଇଛି—”

 

ଦାମ—“କାହିଁକି ଗୋଟାଏ ତୁଚ୍ଛା ଗାଲୁ କଥା କହୁଛ ? କିହୋ ତୁମ “ଘୋଟକ ଅଣ୍ଡ” କବିତା ବାହାରିବା ପୂର୍ବରୁ ମୋର “ବକୁରି ଲଣ୍ଡ” କବିତା ପ୍ରକାଶ ପାଇ ସାରିଥିଲା । ଏପରି ସ୍ଥଳେ ତୁମେ ନିଜକୁ କିପରି ଏ ଯୁଗର ପ୍ରତିଷ୍ଠାତା ବୋଲି କହିବାକୁ ସାହସ କରୁଛ ?”

 

ରାମ—“କୋଉ କାଗଜରେ ପ୍ରକାଶ ପାଇଥିଲା ?”

 

ଦାମ—“ଫଳିତା” କାଗଜରେ ।”

 

ରାମ—“ହେଃ ! ଲେଣ୍ଟି କାଗଜ, ଆଠ ମାସ ହେଲା ବାହାରୁଛି । ଜାଣିଛି,ସୁଦୀର୍ଘ ଦେଢ଼ ବର୍ଷ ହେଲା ପ୍ରତିଷ୍ଠିତ ବିଖ୍ୟାତ ତ୍ରେମାସିକ “ପୁଷ୍ପିତା” କାଗଜରେ ମୋ “ଘୋଟକ ଅଣ୍ଡ” ବାହାରିଥିଲା ।”

 

ଶାମ—“ବାହାରିଛି ସତ; ହେଲେ ସେଇଟା ବଙ୍ଗଳା ପତ୍ରିକା “ଆଲୋ’’ରୁ ଗୋଟାସୁଦ୍ଧା ଚୋରି । ସାଉଁଟା କାଣ୍ଡରେ ଗଡ଼ ଜୟ କରିବା ଯାହା, ଚୋରି କବିତା ଲେଖି ଯୁଗ ଥାପନା କରିବା ସେଇଆ ।”

 

ରାମ—“କୋଉଦିନଠୁଁ ଏ ପୁଲିସ୍ କାମ କଲୁ ବେ !”

 

ଶାମ—“ତେ ବୋପା ଯୋଉଦିନ ଜନ୍ମ ହେଲା—”

 

ରାମ—“ଆବେ ହେ, ଦେଖୁଛୁ ଏ ବାଟା ସାଣ୍ଡାଲ—”

 

ଶାମ—“ତାକୁ ବି ଚୋରି କରିଥିବୁ । ହେଇ ଦେଖ ଫ୍ଲେକ୍‍ସ ଯୋତା ।”

 

ଜେନା କବି ଆଉ ସମ୍ଭାଳି ପାରିଲେ ନାହିଁ । ଦୁହିଁଙ୍କ ମଝିରେ ଠିଆ ହୋଇଯାଇ ପାଟିକଲେ—“ଏ କି ଅସୁନ୍ଦର କଥା ! ଶିକ୍ଷିତ ଲୋକ ହୋଇ ଏପରି ବଜାରି ଲଫଙ୍ଗାଙ୍କ ପରି କଅଣ କଥାବାର୍ତ୍ତା ହେଉଛ ? ପୃଥିବୀ ଭିତରେ ସବୁଠୁଁ ହୀନିମାନିଆ ଦେଶ ହେଲା ଭାରତ । ତା ଭିତରେ ସବୁଠୁଁ ହୀନିମାନିଆ ହେଲା ଓଡ଼ିଶା । ଏହା ଭାରତ ସବୁଠୁଁ ହୀନିମାନିଆ ହେଲେ ଲେଖକ-। ତୁମ୍ଭମାନଙ୍କୁ ସମସ୍ତେ ଉପେକ୍ଷା କରନ୍ତି । କୋଉ ଗବ ଗଛ ଉପରେ ବସିପଡ଼ିଛ ଯେ, ନିଜ ନିଜ ଭିତରେ କଳି । ଛି, ଛି, ଆମକୁ ଲୋକେ କୁକୁରଠୁଁ ହୀନ କହିବେ ସିନା ! କଳିତକରାଳ ଛାଡ଼ି ସହୃଦୟତାର ସହ ଆଲୋଚନା କର । ଜନସାଧାରଣଙ୍କୁ ଆଲୋକ ଦିଅ । ଆଚ୍ଛା, ଗୋପାଳ ବାବୁ-! ଆପଣ ଗଜାଯୁଗ ବିଷୟରେ କଅଣ ଜାଣିଛନ୍ତି କହନ୍ତୁ ।”

 

ଗୋପାଳ—“ଆମ ଗଜାଯୁଗଟା ଏତେ ବେଳକୁ ଛନଛନେଇ ଉଠିଥାନ୍ତା । ଶଳା ସେ ବଦମାସ୍ ସନେଇ ଢୋଲ ଭିତରେ ମୂଷା ପଶିଲା ପରି ଆମ ଜଙ୍ଗଲ ଭିତରେ ପଶି କୁଟୁର କୁଟୁର କରି କାଟି ପକାଇଲା । ଶଳାଟା ଆମକୁ ଦି ଆଖିରେ ଦେଖିପାରେ ନାହିଁ । ଦେଖୁନ ହାରାମୀଟା ଆଜି ଏଠାକୁ ଆସିନି । ଉପରେ ଗୋଟିକପଣେ ଆମର, ଭିତରେ ଶଳାଟା ଗୋଛି କାଟୁଛି ।”

 

ନଟବର—“ସେ ଶଳାକୁ ଯିଏ ନ ଚିହ୍ନିଥିବ, ସେ ନିଜ ବୋପାକୁ ବି ଚିହ୍ନିପାରିବନି । ଶଳାଟା ଏଡ଼ିକି ଚାଲବାଜ୍ ! ଦିନେ ହେଲେ ନିଜ ପଇସାଲେ ସିଗାରେଟ୍‌ଟାଏ ଖାଇନି । ଶଳାଟା ଚାନ୍ଦା କରି ଦିନକୁ ଟିଣେ ଉଡ଼େଇ ଦେଉଛି । ”

 

ଗୋପିନାଥ—“ସେ ଶଳା ହେଟାମୁହାଁର ପକେଟ୍‌ମାରୁ ଗୁଣ ବି ରହିଛି । ଶଳାଟା ସାହିତ୍ୟରେ ପଶୁଥିଲା କାହିଁକି କେଜାଣି ?”

 

ଜେନା କବି ପୁଣି ଉଠିଲେ । ବାରଣ କରି କହିଲେ—“ଏ କି କଥା, ଏଠି ସାହିତ୍ୟ ଚର୍ଚ୍ଚା ହେବ ନା କୁତ୍ସାରଟନା କରାଯିବ ? ଯେଉଁ ଲୋକ ଏଠାରେ ଉପସ୍ଥିତ ନାହିଁ, ତା ବିଷୟରେ ଚର୍ଚ୍ଚା କରିବା, ତାକୁ ଗାଳିଗୁଲଜ କରିବା, ତାର ଦୁର୍ନାମ କରିବା ସାଧାରଣ ଭଦ୍ରତାବିରୁଦ୍ଧ । ପଶ୍ଚାତ୍ ନିନ୍ଦା ଏକ ଜଘନ୍ୟ ଅସାମାଜିକ କର୍ମ । ଆପଣମାନେ ସାଧାରଣ ଲୋକଙ୍କୁ କି ଆଲୋକ ଦେବେ ? ଆମେ ନିଜ ବିଷୟ ଛାଡ଼ି ପର ବିଷୟ ଚର୍ଚ୍ଚା କରିବାକୁ ଏଠାକୁ ଆସିବୁ । ଗଜାଯୁଗ ସୀମା ଭିତରେ ରହନ୍ତୁ । ଆଚ୍ଛା, ରମେଶ ବାବୁ ! ଆପଣ କଣ ଲେଖିଛନ୍ତି କହନ୍ତୁ ।”

 

ରମେଶ—“ଗୋଟାଏ ପ୍ରବନ୍ଧରେ ମୁଁ କିସ୍ତୀମାତ୍ କରି ଦେଇଛି । ବୁଢ଼ାମାନଙ୍କର ଆଖି ଖୋସି ହୋଇଯାଇଛି ସେଇଥିରେ । ମୋର ଜଣେ ସାଙ୍ଗ ତ ମୋତେ କୁଣ୍ଢାଇ ପକାଇ କହିଲା—ଅମର ହୋଇଗଲୁ ରମେଶ, ଅମର ହୋଇଗଲୁ । ଲେଖି ତ ଦେଲି ଗୋଟାଏ ପ୍ରବନ୍ଧ । ହଜାର ହଜାର ବର୍ଷ ଧରି ବତିଖୁଣ୍ଟ ହୋଇ ରହିଥିବ ସେ ଭାଷା, ସେ ଭାବ !”

 

ଅନନ୍ତ—“ମୁଁ ଯେଉଁ ଆଦର୍ଶସ୍ଥାନୀୟ ଗପଟା ଲେଖିଥିଲି, ସେ କିଛି କ’ଣ କମ୍ ? ତାକୁ ପଢ଼ିଲେ ସୁରବାବୁ ଲାଜରେ କଲମ ଛାଡ଼ିଦେବେ ।”

 

ରମେଶ—“ଆରେ ରହ, ମୁଁ କହିସାରେ । ଗପଟାଏ ଲେଖିଛ ବୋଲି କଣ ଉପରେ ପଡ଼ି କହିବ ?”

 

Unknown

ଅନନ୍ତ—“ନା, ତୁମେ ଖାଲି କହୁଥିବ, ଆଉ—”

 

ମାଧବ—“ଛାଡ଼ ସେ କଥା—ମୋ ନାଟକଟା, ଆହା—ହା ! ଗୋଟାଏ କି ଶୁଭ ମୂହୁର୍ତ୍ତରେ ଲେଖି ହୋଇଗଲା ! ସେକସ୍‌ପିଅରଙ୍କୁ ଚିତାକାଟି ଦେଇଛି—”

 

ରମେଶ—“ଚୁପ୍ କର, ମୁଁ କହିସାରେ ।”

 

ମାଧବ—“ରୁହ ମ ! ମୋ ନାଟକରେ ଯେଉଁ ଅନବଦ୍ୟ—”

 

ରମେଶ—“ଘୋଡ଼ାଡିମ୍ବ ବଦ୍ୟ—”

 

ଅନନ୍ତ—“ବିଲାତ ହୋଇଥିଲେ ସେହି ଗୋଟିଏ ଗପରେ ନୋବେଲ୍ ପ୍ରାଇଜ୍ ପାଇଥାନ୍ତି । ଏଠି…..”

 

ରମେଶ—“ମୁଁ କହି ନ ସାରିବା ଯାଏ କାହାକୁ କୁହାଇ ଦେବି ନାହିଁ ।”

 

ମାଧବ—“ଆରେ, ତୁ କଅଣ ଦଶମାସିଆ ଛୁଆ, ଆଉ ଆମେ ଦି’ ମାସିଆ ?”

 

ରମେଶ—“ହେ ତୁଣ୍ଡ ସମ୍ଭାଳି କଥା କହ ।”

 

ମାଧବ—“କାହିକିଁ, ତୋ ନାଲି ଆଖିକୁ ଡରି !”

 

କଥାଟା କ୍ରମେ ମୁହଁରୁ ହାତକୁ ଅଗ୍ରସର ହେଲା । ହୋ—ହୋ, ମାର ଶଳାକୁ, ଧର ଶଳାକୁ ଗର୍ଜନରେ ଶ୍ରୀରାମଚନ୍ଦ୍ର ଭବନ ଉଠିଲା ପଡ଼ିଲା । ଜେନା କବି ଛଡ଼ାଛଡ଼ି କରିବାକୁ ଯାଇ ଗାଲମୁଣ୍ଡା ଫୁଲେଇଲେ ଓ କାମିଜଟି ହରେଇଲେ । ଅତି ଅସମ୍ଭାଳ ପରିସ୍ଥିତି ହେବାରୁ–“ଅଳପେଇସେ ମରନ୍ତୁ କାମୁଡ଼ା କାମୁଡ଼ି ହୋଇ” କହି ସେ ସେଠାରୁ ଖସି ପଳେଇ ଆସିଲେ-

 

ଘରେ ଗାଲମୁଣ୍ଡାରେ ଆୟୋଡେକ୍‌ସ୍‌ ମଲମ ମାଲିସ୍ କରୁ କରୁ ଜେନା କବି ଭାବୁଥାଆନ୍ତି—“କି ଥିଲା ଏ ରାଜ୍ୟ, କି ହୋଇଛି ଆଜ !”

☆☆☆

 

ଦୁଇଟି ଦୃଷ୍ଟି

 

କେହି କେହି କହିଥାଆନ୍ତି—“ଯାହାର ନାହିଁ ଅନ୍ୟ ଗତି, ସେମାନେ ଲେଖକ ହୁଅନ୍ତି । କାହା ମନକୁ ଏଇଟା ପାଉ ନ ପାଉ, ଡମ୍ବରୁଧର ଦାସ ଓରଫ୍ ଡମେଇ ଦାସଙ୍କ ମନକୁ ପୂରା ପାଇଗଲା । ସେ ଯେ କେଉଁଆଡ଼େ ଗତି କରି ନାହାନ୍ତି, ତାହା କେହି କହିପାରିବେ ନାହିଁ । ହେଲେ ପ୍ରତ୍ୟେକ ଗତିପଥରେ କିଛି ବାଟ ଆଗଉ ଆଗଉ ଆଗରେ ଦେଖନ୍ତି ଗୋଟାଏ ସଇକାର ଖମା । ତହିଁରେ ପଡ଼ିଯିବା ଭୟରେ ପଛେଇ ଆସି ଆଉ ଗୋଟିଏ ବାଟରେ ଗତି କରନ୍ତି । ସେଠୁ ପୁଣି ଫେରି ଆଉ ଗୋଟିଏ ବାଟ, ଏମିତି ତାଙ୍କର ଚାଲିଥିଲା ।

 

ସ୍ୱାଧୀନ ଓ ସାଧୁ ଭାବରେ ଜୀବିକା ନିର୍ବାହ କରିବାକୁ ସେ ପହିଲେ କାନ୍‌ତରାଟି ଆରମ୍ଭ କଲେ । କେଇଟା ମାସ ଯାଇଛି କି ନା, ଯନ୍ତ୍ରୀ ଓ ଉପଯନ୍ତ୍ରୀମାନେ ତାଙ୍କ ଅବୋଲକରା ପଣ ଦେଖି କାନ, ଆଖି, ନାକ ସବୁକିଛି ତରାଟି ତାଙ୍କ ଆଡ଼କୁ ଚହିଁଲେ । ସାଧୁତା ବଜାୟ ରଖି ସେମାନଙ୍କୁ ସନ୍ତୁଷ୍ଟ କରିବା ସମ୍ଭବପର ନ ହେବାର ଦେଖି ସେ ସେହି କାମରୁ ଓହରି ଆସିଲେ ଓ କାନତରାଟି ସାଜସରଞ୍ଜାମ ସବୁ ବିକ୍ରି କରିଦଲେ ।

 

ତା ପରେ ଗୋଟି ଗୋଟି କରି ସେ ଧରିଲେ କୁକୁଡ଼ା ପାଳନ, ଚାଉଳ ଡାଲି ଦୋକାନ, ହୋଟେଲ, ଓଲୁ ଚାଷ, ଠୁଙ୍ଗା ଶିଳ୍ପ ଇତ୍ୟାଦି ଇତ୍ୟାଦି । ହେଲେ ସେ ସବୁଠି ବିଭିନ୍ନ ପ୍ରକାରର ଚଣ୍ଡୀ ଚାମୁଣ୍ଡା ଭେଟିଲେ । ବିରକ୍ତ ହୋଇ ସେ ଦିନେ ରାଗରେ କହିଲେ—“ଯାଃ ! ଆଉ ମୁଁ କିଛି କରିବିନି । ଯାଉଛି ଗୋଟାଏ କୋଉ ମଠରେ ବସିବି । ପୁଅ ମାଇପ ନେଣ୍ଟରା ତ ନାହିଁ, ଡର କାହାକୁ ? ହରେକୃଷ୍ଟ ହରେ ରାମ ଦିନଯାକ ହୋଇ ହୋଇ ସନ୍ଧ୍ୟାକୁ ବିଶୁଦ୍ଧ ଗବ୍ୟଘୃତ ମିଶା ଗିନାଏ ଅରୁଆ ଭାତ ଆଉ କିଛି ଡାଲମା ମିଳିଲେ କାମ ଫତେ । ଏ କଦର୍ଯ୍ୟ ଦୁନିଆରେ ପୋଚରା ଲୋକଙ୍କସାଙ୍ଗରେ ମିଶି ପଙ୍କ ଚକଟିବାକୁ ଆଉ ଆତ୍ମା ଡାକୁନି । ନା, ନା, ଆଉ ସେ କାମ ହବନି ।” ଧନ୍ଦା ଛାଡ଼ିବା ଆଉ ମଠ ଖୋଜିବା ମଝିରେ ଥିବା ସମୟତକ ସେ ଘରେ ଦାର୍ଶନିକ ପରି ବସିରହିଲେ । ଶିକ୍ଷିତ ବେକାରଙ୍କ ଏକମାତ୍ର ସାଥୀ ହେଉଛି ବହି । ଡମେଇ ଦାସେ ବଜାରରୁ ଖଣ୍ଡିଏ ବହି ଆଣିଲେ । ସେ ଦେଖିଲେ ସମୟ କଟାଇ ଦେବାକୁ ବହିଟି ଗୋଟିଏ ବଢ଼ିଆ ଜିନିଷ । ବହି ଉପରେ ବହି ସେ ପଢ଼ିଲାଗିଲେ । କ୍ରମେ ସେ ଆଖପାଖରେ ଯେତେ ପୁସ୍ତକାଗାର ଥିଲେ, ସେ ସବୁଠାରେ ବେଶ୍ ପରିଚିତ ହୋଇଗଲେ । ଏଥିରେ ଯେ କେବଳ ଦାସଙ୍କର ଲାଭ ହେଉଥିଲା ତା ନୁହେଁ । ପୁସ୍ତକାଗାରମାନେ ବି ଚାନ୍ଦା ସ୍ୱରୂପ କିଛି କିଛି ପାଇଲେ । ଦୀନବନ୍ଧୁ ପୁସ୍ତକାଗାରଟି ବିଚରା ତାଙ୍କ ଯୋଗୁଁ ସର୍ବନାଶରୁ ରକ୍ଷା ପାଇଗଲା । ତାର ପ୍ରବନ୍ଧ ବହି ଥିବା ଥାକରେ କାହାରି ହାତ ବାଜୁ ନ ଥିଲା । ତେଣୁ ସେ ଥାକ ପ୍ରତି କାହାରି ନଜର ପଡ଼ୁ ନଥିଲା । ଦିନେ ବହି ତାଲିକାରୁ ଖଣ୍ଡିଏ ବହି ବାଛି ତାହା ଆଲମାରୀରୁ ଆଣିଦେବା ପାଇଁ ସମ୍ପାଦକଙ୍କୁ ଦାସେ ଅନୁରୋଧ କଲେ । ବହି ନମ୍ବର ଦେଖି ସମ୍ପାଦକେ ଆଲମାରୀ ତଳଥାକଟା ଅଣ୍ଡାଳିଲେ । ଖଣ୍ଡିଏ ବହି ଟାଣି ଆଣିବା ମାତ୍ରେ ସେ କାତର କଣ୍ଠରେ ଚିଲେଇ ଉଠିଲେ—“ସରିଲା, ସରିଲା, ସର୍ବନାଶ !”

 

ଏ କରୁଣ ଧ୍ୱନି ଶୁଣିବା ମାତ୍ରେ ଦାସେ କୋଠରୀ ଭିତରକୁ ଧାଇଁଗଲେ । ଦେଖିଲାବେଳକୁ ସମ୍ପାଦକେ ଆଃ, ଉଃ, ଏଃ ଆଦି ବିରକ୍ତିସୂଚକ ଧ୍ୱନି ଦେଇ ବହି ଝାଡ଼ିବାରେ ଲାଗିଛନ୍ତି । ବେଳେବେଳେ କ୍ରୋଧରେ ବହିରୁ ଝଡ଼ି ପଡ଼ୁଥିବା ନିରୀହ ପୁସ୍ତକପ୍ରିୟ ଉଇଗୁଡ଼ିଙ୍କୁ ପାଦରେ ଦଳି ଦେଉଛନ୍ତି । ଦାସେ ବି ଆହା, ଓହୋ ହୋଇ ଉଇ ଝଡ଼ାରେ ଯୋଗଦେଲେ । ଦୁହିଁଙ୍କ ମିଳିତ ଉଦ୍ୟମରେ ବହିଗୁଡ଼ାକ ସବୁ ଝଡ଼ାଝଡ଼ି ହୋଇଗଲା । ଭାଗ୍ୟକୁ ଉଇମାନେ ପ୍ରବନ୍ଧ ବହିରୁ ଚାରି ପାଞ୍ଚଟା ପଢ଼ିସାରି ଆଉ ଦୁଇ ତିନିଟାରେ ମୁହଁ ମାରୁଥିଲେ । ଦାସେ ଯଦି ସେହି ଥାକର ବହିରୁ ଖଣ୍ଡିଏ ମାଗି ନ ଥାନ୍ତେ, ତେବେ ସେ ଥାକ ପ୍ରତି କାହାରି ଦୃଷ୍ଟି ପଡ଼ି ନ ଥାନ୍ତା । ଆଉ ଉଇମାନେ ସେମାନଙ୍କର ମୌଳିକ ଅଧିକାର ଅନୁଯାୟୀ ତଳଥାକ ସମେତ ଆଉ କେତୋଟି ଥାକର ବହିକୁ ସଂପୂର୍ଣ୍ଣ ଭାବେ ଗର୍ଭସାତ୍ କିମ୍ବା ପଠନ ପାଇଁ ଅନୁପଯୁକ୍ତ କରିଦେଇ ଥାଆନ୍ତେ । ସମ୍ପାଦକେ ଏଥିପାଇଁ ଦାସଙ୍କୁ କୃତଜ୍ଞତା ଜଣାଇଲେ, ଆଉ ଦାସେ ମଧ୍ୟ ଊଣା ଆତ୍ମପ୍ରସାଦ ଲାଭ କରି ନ ଥିଲେ ।

 

ଦାସେ ଯେତେ ଯେତେ ବେଶି ବହି ପଢ଼ିଲେ, ତାଙ୍କର ଦୋଷ ସନ୍ଧାନୀ ନଜରଟା ସେତେ ସେତେ ତୀଖା ହୋଇଉଠିଲା । ପ୍ରତ୍ୟେକ ବହି ପଢ଼ିଲାବେଳେ ସେ ଭାବନ୍ତି—“ଅଃ, ଇଚ୍ଛା କଲେ ମୁଁ ୟାଠୁଁ ଭଲ ଲେଖିପାରିବି ।”

 

ଏମିତି ମନରେ ଭାବୁ ଭାବୁ ଶୁଭ କି ଅଶୁଭ ଭଗବାନ ଜାଣନ୍ତି, ସେ ଦିନେ କଲମ ଧରିଲେ । ସାଙ୍ଗ କେତେକ ଚେତାଇ ଦେଲେ—“ଯାହାଙ୍କ ନାହିଁ ଅନ୍ୟ ଗତି, ସେମାନେ ଲେଖକ ହୁଅନ୍ତି ।” ସେ ବି ମନକୁ ମନ ବୁଝାଇ ଦିଅନ୍ତି—“କ୍ଷତି କଅଣ ? ଲେଖକ ହେଲେ ହୋଇଯିବି । ମୋର ବି ତ ଅନ୍ୟ କିଛି ଗତି ହେଲାନି ।”

 

ଆଉ କେତେକ ସାଙ୍ଗ ଉପଦେଶ ଦେଲେ—“ଦେଖ, ଯେତେ ପାରୁଛ ଲେଖିଯାଅ । ଛପା ହେଲା କି ନାହିଁ, ସେଥିରେ ମୁଣ୍ଡ ଖେଳାଇବ ନାହିଁ । ଦିନ ଆସିବ, ଯେତେବେଳେ ତାର ବାସନା ଚାରିଆଡ଼େ ମହକିବ । ସେତେବେଳେ ଛାଏଁ ଛାଏଁ ଭଅଁର ସବୁ ଆସି ଗୁଣି ଗୁଣି କରିବେ । ତୁମେ ଚେଷ୍ଟା କର ନ କର, ବହିଗୁଡ଼ାକ କେଉଁ ବାଗରେ ଯେ ଛାପା ହୋଇଯିବ, ତାହା ତୁମେ ଜାଣିପାରିବ ନାହିଁ । ଏବେ ଖାଲି ଲେଖିଯାଅ ।

 

ଦାସଙ୍କ ମନକୁ ଏ କଥା ବି ପାଇଲା । ଆଉ ସେ ବି ପୂରାଦମ୍‌ରେ ବହି ପରେ ବହି ଲେଖି ଲାଗିଲେ । ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନି ବର୍ଷ ଗଲା । ଚାରି ବର୍ଷ ବେଳକୁ ଦାସଙ୍କ ଦିହଟା କସମସ ହେଲା । ବାଞ୍ଝ କଖାରୁ ଡଙ୍କ ଯେପରି ଗହବି ଯାଇ ଚାରିଆଡ଼େ ମାଡ଼ିଯାଏ, ତାଙ୍କ ପାଣ୍ଡିଲିପିଗୁଡ଼ିକ ସେହିପରି ଆଲମାରୀ, ଢାବଲ ଆଦିରେ ପୂର୍ଣ୍ଣ ହୋଇଗଲା । ଚାଷୀ ଯେପରି ବିରକ୍ତ ହୋଇ ବାଞ୍ଝ କଖାରୁ ଗଛରୁ ଓପାଡ଼ି ପକାଏ, ଦାସେ ସେହିପରି ପାଣ୍ଡୁଲିପିଗୁଡ଼ିକୁ ଚା’ ତିଆରି କାମରେ ଲଗାଇବାକୁ ବସିଥିଲେ, କିନ୍ତୁ ମନରେ ଯେମିତି କିଏ ଆଉଁସି ଦେଇ କହିଲା–“ଆହା, ଏତେ ବ୍ୟସ୍ତ ହେଲେ ଚଳିବନି । ଚାଲି ଯା, ପ୍ରକାଶକମାନଙ୍କ ପାଖକୁ ଚାଲି ଯା-। ସେମାନେ ସେ ସବୁ ଛାପିଦେବେ, ଆଉ ଜଗତରେ ତୋତେ ଲୋକପ୍ରିୟ କରାଇଦେବେ-। ତୋ ଉପରେ କ୍ଷୁଧାର୍ତ୍ତ ଶ୍ୱଶୁରମାନଙ୍କର ଲୋଭନୀୟ ଦୃଷ୍ଟି ପକାଇ ଦେବେ । ତୋତେ ଜଗତରେ ଅମର କରିଦେବେ ।”

 

ଚମକିପଡ଼ି ଦାସେ ପୁଣି ଭାବିଲେ—“ସତେ ନା, ଏତେ କରାମତି ପ୍ରକାଶକମାନଙ୍କର ! ଏହି ବାଟଟି ଆଜିଯାଏ ନ ପାଇ ମୁଁ ଭୁଆଁ ବୁଲୁଛି । ଅନ୍ଧାରରେ ବାଡ଼ି ବୁଲାଉଛି । ସତେ ତ, ସାରଳା ଜଗନ୍ନାଥ, ଉପେନ୍ଦ୍ର ବଡ଼ଜେନା, ରାଧାନାଥ, ଫକୀରମୋହନ, ମଧୁସୂଦନ, ଗଙ୍ଗାଧର, ନନ୍ଦକିଶୋର, ପ୍ରହରାଜ, କାନ୍ତକବି, କାଳିନ୍ଦୀ, କାହ୍ନୁଚରଣ, ଗୋପୀନାଥ, ନିତ୍ୟାନନ୍ଦ, ସୁରେନ୍ଦ୍ର, ସଚ୍ଚି, ରାଧାମୋହନ ଆଉ ରବି ସିଂହଙ୍କ ଏଇ ପ୍ରକାଶମାନେ ତ ଦେଶବାସୀଙ୍କୁ ଚିହ୍ନାଇ ଦେଲେ । ସେମାନଙ୍କୁ ବିଖ୍ୟାତ କରିଦେଲେ । ଆଖଇ ଆଗରେ ଏଗୁଡ଼ାକ ଦେଖି ଡମେଇ ଦାସ ଭାଙ୍ଗିପଡ଼ିବେ କିଆଁ ? ନା, ଡମେଇ ଦାସ ବି ପ୍ରକାଶକମାନଙ୍କ ପାଖକୁ ଯିବେ । ପ୍ରକାଶକମାନଙ୍କ ସାହାଯ୍ୟରେ ସେ ବି ବିଖ୍ୟାତ ହେବେ ।”

 

ଡମେଇ ଦାସେ ପାଣ୍ଡୁଲିପି ଗଦା ଓଲଟେଇ ପୋଲଟେଇ ଶେଷରେ ଗୋଟିଏ ପାଣ୍ଡୁଲିପି ବାଛିଲେ । ସେଇଟିକୁ ସେ ତାଙ୍କର ସର୍ବଶ୍ରେଷ୍ଠ ବୋଲି ଭାବିଲେ । ନାଁ ଟା ଥିଲା “ମରୀଚିକା” । ନାଁ ଟା ଦେଖି ସେ ନାକ ଟେକିଲେ । ପହିଲି ବହି, ଏପରି ନାସ୍ତିସୂଚକ ନାଁଟିଏ ଦେବା ଠିକ୍ ହେବନି । ଲକ୍ଷ୍ମୀଛଡ଼ା ନାଁ । ସେ ନାଁ ଫର୍ଦ୍ଦଟା ବିଲକୁଲ୍ ଚିରି ଫୋପାଡ଼ି ଦେଲେ । ବଡ଼ ଆଦରର ସହିତ ଗୋଟିଏ ଫର୍ଦ୍ଦରେ “କଳିକା” ଓ ତା ତଳକୁ “ଡମ୍ବରୁଧର ଦାସ” ଲେଖି ପାଣ୍ଡୁଲିପିରେ ଯୋଖି ଦେଲେ । ଜଣେ ଜ୍ୟୋତିଷୀଙ୍କଠାରୁ ଶୁଭଦିନ, ଶୁଭ ମୁହୂର୍ତ୍ତ ବୁଝି, କଟକ ଚଣ୍ଡୀଙ୍କ ସିନ୍ଦୂର ବେକରେ ମାରି, କାଳୀଗଳି କାଳୀଙ୍କ ଧଣ୍ଡା ପକେଟରେ ପକାଇ ଓ “କଳିକା” ପାଣ୍ଡୁଲିପିଟି ହାତରେ ଧରି ଲେଖକ କୁଳର ତୀର୍ଥସ୍ଥାନ ବାଲୁବଜାରକୁ ବାହାରି ପଡ଼ିଲେ । ରାସ୍ତାରେ ଯାଉଥିବାବେଳେ ସେ ଭାବି ଲାଗିଥାନ୍ତି—

 

“ପ୍ରକାଶକ ହାତକୁ ଭୁସ୍ କରି “କଳିକା”କୁ ବଢ଼େଇ ଦେବିନି । ଆଗ ତା ବହି ଦୋକାନରେ ବସି କିଛି ସମୟ ସାହିତ୍ୟ ଆଲୋଚନା କରିବି । ଲେଖକମାନଙ୍କ ବିଷୟରେ କଥା ପକେଇବି । ଯେତେ ପ୍ରତିଷ୍ଠିତ ଲେଖକ ଅଛନ୍ତି ସେମାନେ ଦିନେ ଅଜ୍ଞାତ, ଅଶ୍ରୁତ ଥିଲେ । ଦିନେ ଏକ ମନୋରମ ପ୍ରଭାତରେ ସିନେମା ଅଭିନେତା ପରି ଏକା କୁଦାରେ କୀର୍ତ୍ତି ସୌଧର ଛାତରେ ହାଜର ହୋଇଗଲେ । ପ୍ରକାଶକ ଆଜ୍ଞା, ହଁ ହଁ, ନିଶ୍ଚୟ କହିବି । ମୁଁ ପୁଣି କହିବି—ସବୁ ସମୟରେ ଏପରି କୁଦାମରା ଚାଲିଛି । ଏବେ ମଧ୍ୟ ଏପରି କୁଦା ମାରିବାକୁ ବହୁତ ଲେଖକ ବନଫୁଲ ପରି ବଣରେ ଲୁଚି ଛପି ରହିଛନ୍ତି । ଯେଉଁ ପ୍ରକାଶକର ଭାଗ୍ୟ ତେଜ ଥିବ, ସେହିମାନେ ହିଁ ଏପରି କୁଦା ମାରିଲାବାଲାଙ୍କୁ ଠାବ କରି କିସ୍ତୀମାତ୍ କରିଦେବ । ପ୍ରକାଶକ ଆଗ ପରି “ଆଜ୍ଞା ହଁ, ଆଜ୍ଞା ହଁ” କହୁଥିବ । ଖାଣ୍ଟି ଖାଣ୍ଟି କଥାକୁ କିଏ ନାସ୍ତି କରିବ ? ସେମାନେ ସହଜେ ଜ୍ଞାନର ଚାଷ କରୁଛନ୍ତି । ଜ୍ଞାନୀଲୋକେ ଏ କଥାକୁ ନାହିଁ କରିବେ ନା !”

 

ରାସ୍ତାର ଅବସ୍ଥା ସହିତ ମନର ସଂଯୋଗ ନଥିବାରୁ ଥରେ ଦି’ଥର ତାଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗୋଟିଏ ରିକ୍‍ସାବାଲା ତାଙ୍କୁ କଟେଇ ନେଲାବେଳେ ଆଉ ଗୋଟିଏ ରିକ୍‍ସାବାଲା ସାଙ୍ଗରେ ଧକ୍‍କା ଲଗେଇ ଗାଡ଼ୁ ମାଡ଼ୁ ଏଣ୍ଟା ମେଣ୍ଟା ହୋଇ ତାଙ୍କୁ ଗୁଡ଼ାଏ କଅଣ ବକିଗଲା । ତାର ଖଣ୍ଡିଆ ହିନ୍ଦୀ ଓ ଠାରରୁ ସେ ବୁଝିଲେ ଯେ, ରିକ୍ସାବାଲା ନିଜ ଦୁର୍ଦ୍ଦଶା ପାଇଁ ତାଙ୍କୁ ଦାୟୀ କରି ଗାଳିଗୁଲଜ କରୁଛି ।

 

ଶୁଭ କାର୍ଯ୍ୟରେ ବାହାରି ଥିବାରୁ ସେ ତା ସହିତ କଥାବାର୍ତ୍ତା ନ କରି ନିଜ ରାସ୍ତା ଦେଖିଲେ ଓ ଦରଣ୍ଡା ଦରଣ୍ଡି କରି ଭାବନା ଖିଅକୁ ପୁଣି ଧରିଲେ—“ଏପରି ଲେଖା ଓ ଲେଖକଙ୍କ ବିଷୟ ଚର୍ଚ୍ଚା ହେବାର ଶୁଣିଲେ, ପ୍ରକାଶକଟି ମୋତେ ନିଶ୍ଚୟ ଜଣେ ଲେଖକ ବୋଲି ଠଉରେଇ ନେବ, ଆଉ ଅତି ବିନୟର ସହିତ ପଚାରିବ—ଆଜ୍ଞା, ଆପଣ ବୋଧହୁଏ ଜଣେ ଲେଖକ । ମୁଁ ଟିକିଏ ଥଙ୍ଗେଇ ମଙ୍ଗେଇ ଓ ଲାଜରା ହେଲା ଭଳି ହୋଇ କହିବି—ନା….ହଁ…ତେବେ ଗୋଟାଏ ଖିଆଲରେ ଲେଖିଯାଏ । ଅବଶ୍ୟ କିଛି ପ୍ରକାଶ କରିନି । ସାଙ୍ଗମାନେ ତହିଁରୁ କିଛି କିଛି ଦେଖି ଏକା ଜିଗର ଲଗାଇଛନ୍ତି—ପ୍ରକାଶକଙ୍କୁ ଦେ, ପ୍ରକାଶକଙ୍କୁ ଦେ । ମୁଁ କିଏ, ପ୍ରକାଶକ କିଏ, ମୁଁ ଏତେ ନେଣ୍ଟରାରେ ପଶିପାରିବିନି । ମୁଁ ତ କାହାକୁ ଚିହ୍ନିନି । କିଏ ଯଦି ଖୋଜି ଖୋଜି ଆସି ନେବ, ନେଉ-। ପାଣ୍ଡୁଲିପି-କ୍ଷୁଧାର୍ତ୍ତ ପ୍ରକାଶକଟି ନିଶ୍ଚୟ ମନେ ମନେ ଭାବିନେବ–ମୁଁ ଜଣେ ଉଚ୍ଚ ଧରଣର ଅବଗୁଣ୍ଠିତ ଲେଖକ । ମୋ ହାତରେ ଥିବା ବସ୍ତାନିଟିକୁ ଦେଖି ସେ ନିଶ୍ଚୟ କହିବ–ଆଜ୍ଞା, ସେଇଟି ବୋଧହୁଏ ପାଣ୍ଡୁଲିପି । ମୁଁ ଥଙ୍ଗେଇ ମଙ୍ଗେଇ ହୋଇ କହିବି—ନା ….ହଁ…. ପାଣ୍ଡୁଲିପି ଯେ, ଜଣେ ବନ୍ଧୁ ନେଇ ଯାଇଥିଲେ ପଢ଼ିବାକୁ—ଦେଉ ନ ଥିଲେ, ବହୁ କଷ୍ଟରେ ତାଙ୍କଠାରୁ ଆଜି ନେଇ ଆସିଲି । ପ୍ରକାଶକ ଜଣକ ତୃଷାର୍ତ୍ତ, ଘୋଳ ସରବତ ପାଇଲା ପରି ପାଣ୍ଡୁଲିପିଟି ମୋ ଠାରୁ ନେଇଯିବ ଓ ଦି ଚାରି ଫର୍ଦ୍ଦ ଲେଉଟାଇ ଦେଇ ବିନୀତ ଭାବରେ କହିବ—ଆଜ୍ଞା, ଏ ପାଣ୍ଡୁଲିପିଟି ମୋତେ ଦିଅନ୍ତୁ-। ମୁଁ ସବୁଠାରୁ ବେଶି ପାରିତୋଷିକ ଦେବି । ଆଗତୁରା ଚୁକ୍ତି କରିଦେବି । ମୁଁ ଅମଙ୍ଗ ହେବାର ସୂଚନା ଦେବି ସେ…. ”

 

ହଠାତ୍ ପୁଣି ପାଟିତୁଣ୍ଡ । ଗୋଟାଏ ରିକ୍‍ସା ଆଉ ଗୋଟିଏ ସାଇକେଲ ଭିତରେ ଧକ୍‍କା । ସାଇକେଲ ଚଢ଼ାଳିଟି ସାଇକେଲକୁ ଉଠାଉ ଉଠାଉ ଦାସଙ୍କୁ ଗାଳିଗୁଲଜ କରିବାରେ ଲାଗିଗଲା—“ଭୂତ ମଫସଲିଆ କୋଉଠିକାର , କୁଆଡ଼କୁ ଚାହିଁ ରାସ୍ତା ଚାଲୁଛ ? କାନ ଫୁଟି ଯାଇଛି ? ଘଣ୍ଟି ଶୁଭୁନି ?”

 

ଶୁଭକାର୍ଯ୍ୟରେ ବାହାରିଥିବାରୁ ଦାସେ ପୂର୍ବ ପରି କିଛି ଉତ୍ତର ନ ଦେଇ ସାବଧାନତାର ସହ ଆଗେଇଲେ । ଅଳ୍ପଦୂର ଯାଇଛନ୍ତି କି ନାହିଁ, ଗୋଟାଏ ବଡ଼ ବହି ଦୋକାନ ନଜରରେ ପଡ଼ିଲା-। ତୀର୍ଥସ୍ଥଳସ୍ଥ ମନ୍ଦିରର ପାଦଦେଶରେ ପହଞ୍ଚି ଯାଇଥିବାର ସେ ଜାଣିପାରିଲେ । ପଞ୍ଜାବିଟାକୁ ଟିକିଏ ସଜାଡ଼ି ଦେଇ ଓ ପାଣ଼୍ଡୁଲିପି ବସ୍ତାନିଟାକୁ ଅଧିକ ପରିଦୃଶ୍ୟମାନ କରାଇ ସେ ଦୋକାନ ଉପରକୁ ଉଠିଲେ ଓ ଗୋଟିଏ ଛୋଟ ବେଞ୍ଚରେ ବସିପଡ଼ିଲେ । ଦୋକାନୀଟି ତତ୍‍କ୍ଷଣାତ୍ ପଚାରିଲା—“ଆଜ୍ଞା, କି ବହି ଦରକାର ?”

 

ଦାସେ ଟିକିଏ ଛେପ ଢୋକି କହିଲେ—“ନା, ଜଣେ ବନ୍ଧୁ ବହି କିଣିବାକୁ ଆସିବେ ବୋଲି କହିଛନ୍ତି, ତାଙ୍କୁ ଅପେକ୍ଷା କରୁଛି ।” ଦୋକାନୀଟି ଆଉ ତାଙ୍କ ସହିତ କଥାବାର୍ତ୍ତା ନ କରି ବଗ ମୀନକୁ ଅପେକ୍ଷା କଲା ପରି ତାଙ୍କ ତଥାକଥିତ ବନ୍ଧୁଙ୍କୁ ଅପେକ୍ଷା କରି ବସିଲା । ଦୋକାନୀଠାରୁ ବହି ପ୍ରକାଶନ ସମ୍ବନ୍ଧୀୟ କୌଣସି କଥା ବାହାରୁ ନ ଥିବାର ଦେଖି ନିଜେ କଥାଟା ଓକାଳିଲେ । ଦୋକାନୀକୁ ଟାଣିଓଟାରି ବହି ପ୍ରକାଶନ ଭିତରେ ଭର୍ତ୍ତି କଲେ । ଲୋକଟା ପାଣିକୁ ଘୋଷଡ଼ା ଛେଳି ପରି ଭିଡ଼ିମୋଡ଼ି ହେଉଥାଏ । ଆଉ ଧୈର୍ଯ୍ୟ ଧରି ନ ପାରି ଦାସେ ସାଫ୍ ସାଫ୍ କହିଦେଲେ ଯେ, ସେ ଜଣେ ଲେଖକ । ତାଙ୍କ “କଳିକା” ପାଣ୍ଡୁଲିପିଟି ଏକ ଅତି ଉତ୍କୃଷ୍ଟ ଉପନ୍ୟାସ-। ଦୋକାନୀର ଇଚ୍ଛା ଥିଲେ ଏକ ଅଙ୍ଗୀକାର ପତ୍ରରେ ସ୍ୱାକ୍ଷର କରି ତାହା ଛାପିବା ପାଇଁ ରଖି ପାରନ୍ତି ।

 

କିନ୍ତୁ ହାୟ ! ଏ କି ଅପ୍ରତ୍ୟାଶିତ ଉତ୍ତର ! ଦୋକାନୀଟି ଅତି ତାତ୍ସଲ୍ୟ ଭାବରେ କହିଲା–“ଆମେ ଏସବୁ ନେଣ୍ଟରା ଉପନ୍ୟାସ ଫୁପନ୍ୟାସର ଧାର ଧାରୁନା । କିଏ ଏଗୁଡ଼ାକ ଛାପିବ ଆଉ ୟା ହାତରେ ତା ହାତରେ ଗୁଞ୍ଜିବ ! ଖଣ୍ଡିଏ ବହି ସରିବାକୁ ଛଅ ବର୍ଷ ଲାଗିବ । ଆମେ ପାଠ୍ୟପୁସ୍ତକ ବାଲା । ଛାପିଦେଲେ ଏକାବର୍ଷକେ ଖତମ୍ । ଲୋକେ ଗୋଡ଼ ପାଖକୁ ଆସି ବାର ଖୋସାମଦ କରି ବହି ନେଇଯିବେ । ଆପଣ ଆଉ କାହା ପାଖକୁ ଯାଆନ୍ତୁ ।” କୀର୍ତ୍ତି ସଉଧର ଛାତରୁ ଦାସେ ଲାଥୁକରି ତଳେ କଚାଡ଼ି ହୋଇ ପଡ଼ିଲେ । ପ୍ରକୃତିସ୍ଥ ହେବାକୁ ତାଙ୍କୁ କିଛି ସମୟ ଲାଗିଲା । ଦୋକାନୀଟି ପାଟିକଲା—“ଉଠନ୍ତୁ, ଉଠନ୍ତୁ, ଆପଣ ଅନ୍ୟ ପ୍ରକାଶକ ପାଖକୁ ଯାଆନ୍ତୁ-।” ଦାସେ ନ ଉଠିବାଯାଏ ଦୋକାନୀର ବାହାର ସହିଲା ନାହିଁ । ସେ ଉପନ୍ୟାସ ପାଣ୍ଡୁଲିପିଟା ତାକୁ ଯେପରି ମେହନ୍ତ୍ରାଣୀର ମଇଳା ଟୋକେଇ ପରି ଗନ୍ଧଉଥିଲା ।

 

ଦାସେ ତରବର ହୋଇ ତା ଦୋକାନ ତଳକୁ ଓହ୍ଲାଇ ଆସିଲେ । ତୀର୍ଥସ୍ଥଳରେ ଥିବା ସବୁ ମନ୍ଦିର ଦର୍ଶନ କଲେ । ପୂର୍ବ କଳ୍ପନା ଜଳ୍ପନାର ଠିକ୍ ଓଲଟା ବାଟ ଧରି ବହୁ ମନ୍ଦିରର ପଣ୍ଡାଙ୍କୁ ବିନୟ ବାକ୍ୟ, ସ୍ତୁତି ଓ ଏରଣ୍ଡତୈଳ ମର୍ଦ୍ଦନାଦି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କଲେ । ହେଲେ ବରପ୍ରାପ୍ତି ହେଲା ନାହିଁ ।

 

ଦାସଙ୍କର ଆତ୍ମବିଶ୍ୱାସ ଦୋହଲି ଗଲା । ସେ ଭାବିଲାଗିଲେ—ସତେ କ’ଣ ଉପନ୍ୟାସଟି ଭଲ ହୋଇନି ! ହୋଇ ନ ଥିବ, ନିଜ ଭୁଲ ନିଜ ଆଖିରେ ପଡ଼େନି । କେଉଁଠାରେ ତ୍ରୁଟି ରହିଲା ତାହା ଜାଣିବା ଦରକାର । ସେ ପୁଣି ଏରଣ୍ଡତୈଳରୁ ପିମ୍ପାଏ ଧରି ପ୍ରକାଶକମାନଙ୍କୁ ଭେଟିଲେ, ଆଉ ଜଣଙ୍କୁ କହିଲେ—“ଆଜ୍ଞା, ଆପଣ ହେଲେ ସାହିତ୍ୟର ପ୍ରକୃତ ଜନକ । ସୁନାଟାକୁ ବଣିଆ ଦେଖିଦେବା ମାତ୍ରେ ଯେପରି ଭଲ କି ଭେଲ କହିଦିଏ, ଆପଣମାନେ ଠିକ୍ ସେମିତି ପାଣ୍ଡୁଲିପିଟିଏ ଦେଖିଲେ ତାହା ଉତ୍କୃଷ୍ଟ କି ନିକୃଷ୍ଟ କହିଦେଇ ପାରିବେ । ନୂତନ ଲେଖକମାନଙ୍କ ଦୋଷ ତ୍ରୁଟି ଦେଖାଇ ସେମାନଙ୍କୁ ଟାଣୁଆ ଲେଖକ ଭାବେ ଗଢ଼ିବାକୁ ଆପଣମାନେ ହିଁ କେବଳ ସମର୍ଥ । ଆପଣମାନଙ୍କଠାରୁ ଏହି ଆଶୀର୍ବାଦ ପାଇବାର ଆଶା ରଖି ମୁଁ ଆସିଛି । ମୁଁ ଛପାଛପି କରିବାକୁ କହୁନି । ଏ ପାଣ୍ଡୁଲିପିରେ କେଉଁଠି କେଉଁଠି ଦୋଷ ତ୍ରୁଟି ଅଛି, ତାହା ଦୟାକରି ସବା ଉପର ପୃଷ୍ଠାରେ ଲେଖିଦେବେ । ସେଇଥିରୁ ମୁଁ ନିଜ ଲେଖାକୁ ମାର୍ଜିତ କରିବାର ଉପାୟ ପାଇପାରିବି ।”

 

ତେଲ ପାଖରେ ଭଗବାନ ହାର ମାନିଛନ୍ତି । ପ୍ରକାଶକମାନେ କ’ଣ ବ୍ରହ୍ମାଣ୍ଡ ବାହାରର-? ସେମାନେ କଷ୍ଟ କରି ପାଣ୍ଡୁଲିପି ପଢ଼ିଲେ ଓ ପ୍ରଥମ ପୃଷ୍ଠାରେ ମତାମତ ଲିପିବଦ୍ଧ କରିଦେଲେ-। ଦାସେ ପ୍ରତ୍ୟେକ ପ୍ରକାଶକ ପାଇଁ ଗୋଟିଏ ଗୋଟିଏ ନୂଆ ପୃଷ୍ଠା ଯୋଗ କରୁଥାନ୍ତି, ଆଉ ମତ ଦିଆଯାଇଥିବା ପୁରୁଣା ପୃଷ୍ଠାଟି କାଢ଼ି ତହିଁରେ ପ୍ରକାଶକର ନାମ ଲେଖି ସାଇତି ଦେଇଥାନ୍ତି-। ପ୍ରାୟ ସବୁ ପ୍ରକାଶକଙ୍କ ମତ ଏକାଠିକରି ଦିନେ ସେ ପଢ଼ିଲେ । ସେଥିରେ ଏହିସବୁ ମତ ପ୍ରକାଶ ପାଇଥିଲା ।

 

ଗଣେଶ ଷ୍ଟୋର—“ଭାଷା ଅତି ଦରିଦ୍ର, କ୍ଳାନ୍ତିଦାୟକ ।”

 

ସରସ୍ୱତୀ ଷ୍ଟଲ୍—“ବିଷୟବସ୍ତୁରେ ନୂତନତା ନାହିଁ । ମନରେ କୌଣସି ରେଖାପାତ କରୁନି ।”

 

ବୃହସ୍ପତି ଭବନ—‘‘ପ୍ରକାଶ ଭଙ୍ଗୀ ଅତି ନୀଚ ସ୍ତରର ।”

 

ଚତୁର୍ମୁଖ ସଦନ—“ମନସ୍ତାତ୍ତ୍ୱିକ ବିଶ୍ଳେଷଣ  ବିଲକୁଲ୍ ନାହିଁ, ଯାହା କି ଆଜିକାଲି ନିତାନ୍ତ ଦରକାର ।”

 

ଶୁକ୍ରାଚାର୍ଯ୍ୟ ନିଳୟ—“କାବ୍ୟିକ ଯଥାର୍ଥତା କୁତ୍ରାପି ଦେଖିବାକୁ ମିଳୁନାହିଁ ।”

 

ମହାଦେବ ଭଣ୍ଡାର—“ଲେଖକଙ୍କର ଚଷୁ କୁଟିବା ହିଁ ସାର ହୋଇଛି ।”

 

ବ୍ୟାସ ମନ୍ଦିର—“ଟାଣିଓଟାରି କେହି ଲେଖକ ହୋଇପାରିବେନି । ଲେଖକଙ୍କର ଅନ୍ୟ ବୃତ୍ତି ଅବଲମ୍ବନ କରିବା ଉଚିତ୍ ।”

 

ପାଣ୍ଡୁଲିପି ବସ୍ତାନିରେ ଏ ପ୍ରଶଂସାପତ୍ରତକ ଥୋଇ ସେ ବସ୍ତାନି ସହ ଅନ୍ୟାନ୍ୟ ବସ୍ତାନିଗୁଡ଼ିକୁ ଭବିଷ୍ୟତରେ ଠୁଙ୍ଗାବାଲାକୁ ବିକ୍ରି କରିବା ପାଇଁ ସଙ୍ଘା ଉପରକୁ ଫୋପାଡ଼ି ଦେଇ ଦାସେ ବାଗ୍‌ଦେବୀଙ୍କ ଜମିଦାରୀରୁ ପଳେଇ ଆସିଲେ । ତାଙ୍କ ନିଦ ଭାଙ୍ଗିଗଲା । ସେ ଚାକିରିଟିଏ ଖୋଜି ଲାଗିଲେ । ବର୍ଷ କେଇଟା ନାନା ମାମୁଲି ଚାକିରିରେ ରହିବା ପରେ ଭାଗ୍ୟ ଜୋରରୁ ପାଠ୍ୟପୁସ୍ତକ ସମିତିର ସର୍ବୋଚ୍ଚ କର୍ତ୍ତା ହୋଇଗଲେ । ଖବର କାଗଜରେ ତାଙ୍କ ନିଯୁକ୍ତି ବିଷୟରେ ଦି’ ପଦ ବାହାରିଲା । ସେ ଯେ ଜଣେ ଲେଖକ, ତା ମଧ୍ୟ ତହିଁରେ ଟିକିଏ ଯୋଖା ହୋଇ ଯାଇଥିଲା । ଏହି ଧାଡ଼ିଏ ପାଠର ମହିମା ଯେ ଏତେ ବେଶି, ତାହା ଦାସଙ୍କୁ ତିଳେ ହେଲେ ମାଲୁମ ନ ଥିଲା ।

 

ଏ ତଥ୍ୟଟି ଖବର କାଗଜରେ ଯେଉଁଦିନ ବାହାରିଲା, ତା ପରଦିନ ବଢ଼ି ସକାଳୁ ଜଣେ ପ୍ରକାଶକ ଦାସଙ୍କ ଘର ଉଣ୍ଡି ଉଣ୍ଡି ଆସି ପହଞ୍ଚିଲେ । ୪।୫ ବର୍ଷ ତଳର ଦାସେ ଆଉ ଆଜିର ଦାସଙ୍କ ଭିତରେ ଟିକିଏ ହେଲେ ସାମଞ୍ଜସ୍ୟ ନ ଥିଲା । ଡମେଇ ଦାସ ଯେତେବେଳେ ପ୍ରକାଶକମାନଙ୍କ ପାଖକୁ ଦଉଡ଼ୁଥିଲେ, ସେତେବେଳେ ପରିଧେୟ ଥିଲା ଧୋତି, ପଞ୍ଜାବି । ମୁହଁରେ କଇଁଞ୍ଚିଖୁଣ୍ଟା ନିଶ । ଏବେ ପରିଧେୟ ଟେରିକଟ୍ ପ୍ୟାଣ୍ଟ ଓ ହାୱାଇନ୍, ଆଉ ମୁଖମଣ୍ଡଳ ବେଶ୍ ଭେଲଭେଟ୍ ପରି ଚିକ୍‍କଣ ଚିହ୍ନିବାର କୌଣସି ଉପାୟ ନାହିଁ । ଦାସେ କିନ୍ତୁ ଠିକ୍ ଠିକ୍ ଚିହ୍ନି ପାରିଲେ । କେଉଟ ଯେପରି ଦୈତ୍ୟଟାକୁ ବୋତଲ ଭିତରେ ଭର୍ତ୍ତିକରି ଠିପି ଆଣ୍ଟି ଦେଇଥିଲା, ଦାସେ ଠିକ୍ ସେହିପରି ପେଟ ଭିତରୁ ଉବ୍‌କି ଆସୁଥିବା ବିରକ୍ତିକୁ ଭଦ୍ରତା ଖାତିରରେ ସେହି ପେଟ ଭିତରେ ଚପେଇ ରଖିଲେ । ପ୍ରକାଶକ ଜଣକ ସରୁ ନମସ୍କାର ଜଣାଇ, ଅଳ୍ପ ମୁର୍କିହସା ଦେଇ ଆରମ୍ଭ କଲେ—“ହେଁ-ହେଁ, ଆଜ୍ଞା, ଖବର କାଗଜରୁ ପଢ଼ିଲି, ଆପଣ ଆମ ବିଭାଗର ସେକ୍ରେଟେରୀ ହୋଇଛନ୍ତି । ସକାଳୁ ସକାଳୁ ଚାଲି ଆସିଲି ଆପଣଙ୍କର ଟିକିଏ ଦର୍ଶନ ପାଇବାକୁ ।”

 

“କଅଣ କହିଲେ, ଆପଣଙ୍କ ବିଭାଗର ସେକ୍ରେଟେରୀ !”

 

“ହଁ ଆଜ୍ଞା, ଆମେସବୁ ନାଉରୀ, ଆପଣ ହେଲେ ମଙ୍ଗୁଆଳ । ଆପଣ ଆମେ ମିଶି ପାଠ୍ୟପୁସ୍ତକ ଡଙ୍ଗାକୁ ଚଳେଇ ନେଉଛୁ । ମାନେ, ଆମେ ପ୍ରକାଶକ, ଆପଣ ସେକ୍ରେଟେରୀ—ଏକା ବିଭାଗ ନୁହେଁ ତ ଆଉ କଅଣ ?”

 

“ଓହୋ, ଆପଣ ଏ ବାଟରେ ସୂତ୍ର ଖଞ୍ଜୁଛନ୍ତି !”

 

“ହଁ ଆଜ୍ଞା, ଗୋଟିଏ ଡଙ୍ଗାରେ ବସିଛୁ । ଗୋଟିଏ ପରିବାର ଭଳି । ଦର୍ଶନ କରି ଟିକିଏ ବଧେଇ ଦେବାକୁ ଆସିଲି ।”

 

“ଟିକିଏ କିଆଁ, ବହୁତ ବଧେଇ ଦେଉନାହାନ୍ତି ! ଅଧିକ ଖର୍ଚ୍ଚାନ୍ତ ହେବାର ଭୟ ନାହିଁ ।”

 

“ହେଁ ହେଁ ! ଦେଖୁଛି ଆପଣ କାନ୍ଦିଲା ଲୋକକୁ ହସେଇବେ ।”

 

“କେବଳ କାନ୍ଦିଲା ନୁହେଁ, ମଲାକୁ ବି ହସେଇପାରେ ।”

 

“ଆଜ୍ଞା—”

 

“କଅଣ ଆଜ୍ଞା !”

 

“ଆଜ୍ଞା, ମୁଁ କଅଣ ବୁଝିପାରୁନି, ଆପଣ ମନମଲା ଅର୍ଥାତ୍ ଆନନ୍ଦଶୂନ୍ୟ ଲୋକ କଥା କହୁଛନ୍ତି ।”

 

“ମୁଁ ଜାଣେ ଆପଣ ବଡ଼ ସମଝ୍‍ଦାର ।”

 

“ହେଁ, ହେଁ, ହଁ ଆଜ୍ଞା । ଆପଣ ଜଣେ ଲେଖକ, ଅତି ଉଚ୍ଚକୋଟୀର ଲେଖକ ବୋଲି ସମସ୍ତେ କୁହାକୋହି ହେଉଛନ୍ତି ।”

 

“ହୋଇଥିବ—”

 

ଆଜ୍ଞା, ଆପଣଙ୍କ ଲେଖାରୁ ଖଣ୍ଡିଏ ଯଦି ମୋତେ ଦିଅନ୍ତେ, ତେବେ ମୁଁ ନିଜକୁ ବଡ଼ ଭାଗ୍ୟବାନ୍ ମନେ କରନ୍ତି । ମୋର ସବୁ କାମ ପଛରେ ପକାଇ ଆପଣଙ୍କ ବହିଟାକୁ ଆଗ ପ୍ରକାଶ କରିଦିଅନ୍ତି ।

 

“ମୋର ସେଥିରେ କି ଲାଭଟା ହୁଅନ୍ତା ?”

 

“ଆଜ୍ଞା, ୫୦ ପ୍ରତିଶତ ଭେଟି ମୁଁ ଆଗତୁରା ଦେଇଦେବି । ଆଉ ଦେଖିବି, ବହିର ଅଙ୍ଗସଜ୍ଜାଟା ଏପରି ଆକର୍ଷଣୀୟ କରିଦେବି ଯେ, ଆପଣଙ୍କ ବହି ଗରମ ପିଆଜ ପରି ବିକ୍ରି ହେବ-। ସେହି ଗୋଟିଏ ବହିରେ ଆପଣ ଅମର ହୋଇଯିବେ ।”

 

“ଦେଖନ୍ତୁ ଆପଣଙ୍କୁ ମୁଁ ନିରାଶ କରିବିନି । ଆପଣଙ୍କୁ କିନ୍ତୁ ଗୋଟିଏ କାମ କରିବାକୁ ହେବ । ଆପଣ ଆଗ ପାଣ୍ଡୁଲିପି ପଢ଼ି ଆପଣଙ୍କ ମନ୍ତବ୍ୟ ଲେଖି ମୋତେ ଦିଅନ୍ତୁ । ତା ପରେ ମୁଁ ବହି ଛାପିବାକୁ ଦେବି ।”

 

“ହଉ ଆଜ୍ଞା, ମୁଁ ରାଜି ।”

 

ଦାସଙ୍କ ଘର କ୍ରମେ ପ୍ରକାଶକମାନଙ୍କ ତୀର୍ଥସ୍ଥଳରେ ପରିଣତ ହେଲା । ବହୁ ପ୍ରକାଶକ ଦାସଙ୍କ ପାଖରେ ପାଣ୍ଡୁଲିପି ଭିକ୍ଷା କରି ତାଙ୍କ ସହିତ ପୂର୍ବୋକ୍ତ ସର୍ତ୍ତରେ ଆବଦ୍ଧ ହେଲେ । ଦାସେ ଅତି ସାବଧାନତାର ସହ ପୂର୍ବରୁ ପରିତ୍ୟକ୍ତ ପାଣ୍ଡୁଲିପିରୁ ଜଣକ ପରେ ଜଣକ ହାତରେ ଦେଲେ ।

 

କିଛିଦିନ ପରେ ଦାସେ ପଛ ମନ୍ତବ୍ୟ ସବୁ ଆଗ ମନ୍ତବ୍ୟମାନଙ୍କ ସହ ମିଳାଇ ପଢ଼ିଲେ ଓ ବେଶ୍ ଆମୋଦ ଲାଭ କଲେ । ଲେଖା ଥିଲା—

 

ଗଣେଶ ଷ୍ଟୋର—“ଭାଷା ଅତି ଶକ୍ତିଶାଳୀ ଓ ଜ୍ୱାଳାମୟୀ ।”

 

ସରସ୍ୱତୀ ଷ୍ଟଲ—“ବିଷୟବସ୍ତୁର ଛତ୍ରେ ଛତ୍ରେ ପତ୍ରେ ପତ୍ରେ ସଂପୂର୍ଣ୍ଣ ନୂତନତାର ଝଲକ ପରିସ୍ଫୁଟ । ମନ ମଧ୍ୟରେ ଗଭୀର ଲେଖାପାତ କରେ ।”

 

ବୃହସ୍ପତି ଭବନ—“ଅତି ଉଚ୍ଚ ସ୍ତରର ପ୍ରକାଶ ଭଙ୍ଗୀ ପୁସ୍ତକଟିକୁ ମଞ୍ଜୁଳ କରିଛି ।”

 

ଚତୁର୍ମୁଖ ସଦନ—“ବହିରେ ଅତି ସୂକ୍ଷ୍ମ ମନସ୍ତାତ୍ତ୍ୱିକ ବିଶ୍ଳେଷଣ  ଯେପରି ପ୍ରାଞ୍ଜଳ ଓ ବୋଧଗମ୍ୟ ଭାବରେ କରାଯାଇଛି, ତାହା କୁତ୍ରାପି ଦେଖାଯାଏ ନାହିଁ ।”

 

ଶୁକ୍ରାଚାର୍ଯ୍ୟ ନିଳୟ—“ପୁସ୍ତକଟିରେ ଯେଉଁ ଯଥାର୍ଥ କାବ୍ୟିକ ଧର୍ମର ଅବତାରଣା କରାଯାଇଛି, ତାହା ତାକୁ ଏକ ଅତି ଉନ୍ନତ ଆଦର୍ଶ ଓ ନିର୍ଦ୍ଦେଶଧର୍ମୀ ପୁସ୍ତକରେ ପରିଣତ କରିଛି ।”

 

ମହାଦେବ ଭଣ୍ଡାର—“ସାହିତ୍ୟ-ଦଧି ମନ୍ଥନୋତ୍‌ଥିତ ନବନୀତର ପ୍ରଲେପ ପୁସ୍ତକଟିରେ ପରିବ୍ୟାପ୍ତ ।’’

 

ବ୍ୟାସ ମନ୍ଦିର—“ପୁସ୍ତକଟିର ଲେଖକ ଈଶ୍ୱରଦତ୍ତ ବିରାଟ ପ୍ରତିଭାର ଆଜନ୍ମ ଅଧିକାରୀ-। ବାଣୀ ଆରାଧନାରେ ସାରା ଜୀବନ କଟାଇବା ତାଙ୍କ ପକ୍ଷେ ଅତ୍ୟନ୍ତ ପ୍ରୟୋଜନ ।”

 

ଦୁଇଟାଯାକ ମିଳାଇ ପଢ଼ିବାରେ ଦାସେ ବେଶ୍ ଆମୋଦ ପାଇଲେ । ପ୍ରକାଶମାନେ ଜୋକ ପରି କିନ୍ତୁ ଲାଗିଥାଆନ୍ତି । ଦୁଇଜଣ ବହୁତ ଆଗେଇଯାଇ କହିଲେ—ଆଜ୍ଞା, ଏ ପର୍ଯ୍ୟନ୍ତ ଏମିତିଆ ବହିଟିଏ ଆମର ଦୃଷ୍ଟିରେ ପଡ଼ି ନ ଥିଲା ।” ହସିଦେଇ ଦାସେ ପଚାରିଲେ—“କେଉଁ ଦୃଷ୍ଟି-? ପ୍ରଥମ ନା ଦ୍ୱିତୀୟ ?”

 

ପ୍ରକାଶକ ଦି’ଜଣ କିଛି ବୁଝିପାରିଲେ ନାହିଁ ।

☆☆☆

 

ନିର୍ବାଚନ ପରିଚାଳନା

 

ଓଡ଼ିଆ ସାହିତ୍ୟ ସମାଜର କର୍ମକର୍ତ୍ତା ନିର୍ବାଚନ ହେବାକୁ ମାତ୍ର ମାସେ ବାକି ଥାଏ । ସମାଜର ସଭ୍ୟମାନଙ୍କ ଧାଁ-ଧପଡ଼, ମନ୍ଦା ମନ୍ଦା ହୋଇ ଆଲୋଚନା, ତର୍କବିତର୍କ, ପ୍ରଚାର ଓ ମନ୍ତ୍ରଣା ଯନ୍ତ୍ରଣାରୁ ବେଶ୍ ଜଣାପଡ଼ିଗଲା ଯେ, ଓଡ଼ିଆ ସାହିତ୍ୟ ଭିଡ଼ି ମୋଡ଼ି ହୋଇ ହାଇ ମାରୁଛି । ଯେଉଁମାନେ ସାହିତ୍ୟଆଡ଼େ କଣେଇ କଣେଇ ଚାହାନ୍ତି, ସେମାନେ ଏସବୁ ହାଲିହୋଳ ପଡ଼ିବା ଦେଖି ଆବାକାବା ହୋଇଗଲେ । ଏମିତିଆ ଜଣେ ଲୋକ ତାର ସାଙ୍ଗକୁ ଡାକି ପଚାରିଲା–“ହଇରେ ! ଏ ସାହିତ୍ୟ ସମାଜରୁ କି ରସ ନିଗିଡ଼ି ପଡ଼ୁଛି ଯେ, ଏତେ ଲୋକ ତାକୁ ଚାଟିବା ପାଇଁ ଏମିତିଆ ଠେଲାଠେଲି ପେଲାପେଲି ଲଗେଇଛନ୍ତି ?” ସାଙ୍ଗ ଜଣକ କହିଲେ–“ଆରେ କେମିତିଆ ଅରସିକ ଓଲୁଟାଏରେ ତୁ ! ସାହିତ୍ୟ ସମାଜରେ କି ରସ ଅଛି ଜାଣିନୁ ? ଆରେ, ସାହିତ୍ୟରେ ଯାହା କିଛି ରସ ଅଛି, ସବୁତକ ଏଇ ସମାଜରେ ପୁଚୁପୁଚୁ ହେଉଛି-। କୋଉ ରସ ଅଛି ବୋଲି ପଚାରୁଛୁ କଅଣ ? କୋଉ ରସଟା ଚାହୁଁ ଚାହୁଁ କହ, କେମିତି ପାଇବୁ ବତେଇ ଦେବି ।”

 

“ସତେ ନା ! ଆଚ୍ଛା, ରୌଦ୍ର ରସଟା କେମିତି ପାଇବା କହିଲୁ ।”

 

“ରବି ମହାପାତ୍ର, ରବି ସିଂହ ଯେତେବେଳେ ସମାଜରେ ବକ୍ତୃତା ଦେଉଥିବେ, ସେତିକିବେଳେ ଠେକିଟାଏ ଧରି ପହଞ୍ଚିଯିବୁ । ତୋ ଠେକି ଉଛୁଳି ପଡ଼ିବ ।”

 

“କରୁଣ ରସ ?”

 

“ଏ ତ ଜେନା କବିଙ୍କ ଏକଚାଟିଆ । କିଏ କେଉଁଠି ମଲା ତ ସେ ସାଙ୍ଗେ ସାଙ୍ଗେ ମଶାଣିଚଣ୍ଡିଆ ଭାଇମାନଙ୍କୁ ଧରି ସମାଜରେ ହାଜର ହୋଇଯିବେ ଓ କରୁଣ ରସର ଫୁକାର ବା ସ୍ଲୁଇସ୍ ଖୋଲିଦେବେ । ବେଳ ଉଣ୍ଡି ଯଦି ସେଠାରେ ପହଞ୍ଚିଯିବୁ, ତେବେ ଦି’ ଚାରି ପିମ୍ପା ଯୋଗାଡ଼ କରିନେବୁ ।”

 

“ଅଦ୍ଭୁତ ରସ ?”

 

“ଆଧୁନିକ କବିମାନେ ଯେତେବେଳେ ସମାଜରେ ସଭା କରୁଥିବେ, ସେତେବେଳେ କେତେ ଅଦ୍ଭୁତ ରସ ନେଉଛ ନିଅ । “ମାଇଲିଏ କ୍ଷୁଧା”, “ଚାରିଶହ ଗ୍ରାମ୍ ହସ”, “ବସ୍ତାଏ ଜ୍ୟୋତ୍ସ୍ନା” ଆଦି ଅଦ୍ଭୁତ ଜିନିଷମାନ ମିଶି ବଢ଼ିଆ ରସ ତିଆରି ହୋଇଥିବ ।”

 

“ହାସ୍ୟରସ ?”

 

“ଏଇଟା ପାଇବୁ ଯେତେବେଳେ ନିତ୍ୟାନନ୍ଦ ମହାପାତ୍ର ଓ ମହାପାତ୍ର ନୀଳମଣି ସାହୁ ବକ୍ତୃତା ଦେଉଥିବେ । ଏ ରସ ଅବଶ୍ୟ ଆଜି କାଲି ଟିକିଏ କମିଯାଇଛି । ପ୍ରହରାଜେ, ମଙ୍ଗରାଜେ ଥିଲାବେଳେ ସୁଅ ଛୁଟିଥିଲା ।”

 

“ବୀଭତ୍ସ ରସ ?”

 

“ଯେଉଁଦିନ ନଳିପେଣ୍ଟିଆତକ ସେଠି ଜମିଥିବେ, ସେଦିନ ସେଠି ବୀଭତ୍ସ ରସ ପାଇବ । ପଇସାକୁ ଦଶ ଲିଟର ।”

 

“ଶୃଙ୍ଗାର ରସ ?”

 

“ଯେଉଁଦିନ ପ୍ରେମ-କବିତା ପାଠୋତ୍ସବ ହେଉଥିବ, ସେଦିନ ପାଇବ । ନ ହେଲେ ଭଗବାନ ପତି ଯେତେବେଳେ ବକ୍ତୃତା ଦେଉଥିବେ ସେତେବେଳେ ବି ପାଇବ । ପତିଏ ଗୋଟିଏ ଗୋଟିଏ ସଂସ୍କୃତ ଶ୍ଳୋକ ବୋଲି ଦେଉଥିଲାବେଳେ ଟୋକାଟାକଳିଆ କୁଁ କୁଁ ହୋଇ ଉଠନ୍ତି ।”

 

“ବୀର ରସ ବୋଧହୁଏ ନ ଥିବ ।”

 

“କଅଣ କହିଲୁ, ନ ଥିବ ? ପାକ୍ ଭାରତ ଲଢ଼େଇବେଳେ ସମାଜରେ ଯେଉଁ କବିତା ପାଠୋତ୍ସବ ହୋଇଥିଲା, ସେତେବେଳେ ତୁ ଯଦି ଯାଇଥାନ୍ତୁ, ଦେଖିଥାଆନ୍ତୁ ବୀର ରସର ବନ୍ୟାରେ ଶ୍ରୋତାମାନେ କେମିତି ଶିଙ୍ଘବୁଡ଼ା ଖାଉଥିଲେ । ଆଉ ଥରେ ଯଦି କେବେ ଯୁଦ୍ଧ ଲାଗେ, ତେବେ ସମାଜ ଭବନରେ ଅଲବତ୍ କବିସଭା ବସିବ । ସେତିକିବେଳେ ବୀର ରସକୁ ମୂର୍ତ୍ତିମନ୍ତ ହୋଇଥିବାର ଦେଖିନେବ ।”

 

“ଭୟାନକ ରସ ମିଳିବ ?”

 

“କଅଣ ହେଲା ? ପଚାରୁଛ ? ଆମ ରାଇଜରେ ବନ୍ୟା ବାତ୍ୟା ପରା ବସା ବାନ୍ଧିଛନ୍ତି । ବନ୍ୟା-ବାତ୍ୟ ହେବା ମାତ୍ରେ ସମାଜ ଭବନରେ ସଭା ବସିଯାଏ । ବକ୍ତାମାନେ ସେତିକିବେଳେ ଏହି ରସକୁ ଓକାଳି ପକାନ୍ତି । ଯଦି ନ ଦେଖିଥାଅ ତେବେ ମନେରଖ, ଏ ବର୍ଷ ବଢ଼ି ଆସିବା ସାଙ୍ଗେ ସାଙ୍ଗେ ସମାଜ ଭବନକୁ ଧାଇଁଯିବ ।”

 

“ଭକ୍ତି ରସ ?”

 

“ସମାଜ ଭବନରେ ଯେତେବେଳେ ଅରବିନ୍ଦ ପାଠଚକ୍ର ହେଉଥିବ, ସେତେବେଳେ ଦେଖିବ । ଭଗବାନ ନାୟକବର୍ମା ହେଉଛନ୍ତି ଏହାର ସର୍ବଶ୍ରେଷ୍ଠତମ ପରିବେଷକ ।”

 

“ଶାନ୍ତି ରସ ?”

 

“ଆଜିକାଲି ଏ ରସ କମିଯାଇଥିଲେ ବି ବିଲକୁଲ୍ ଶୁଖିଯାଇନି । ସମାଜ ଭବନରେ ଯେତେବେଳେ କାଳିନ୍ଦୀ ପାଣିଗ୍ରାହୀ, ଅନ୍ତ ପଣ୍ଡାଙ୍କ ଭଳିଆ ଲୋକେ ବକ୍ତୃତା ଦେଖୁଥିବେ, ସେତେବେଳେ ରସର ଆସ୍ୱାଦନ କରି ପାରିବ ।”

 

“ଆଉ ଗୋଟାଏ କଅଣ ରହିଗଲା ? ହଁ, ବାତ୍ସଲ୍ୟ ରସ ?”

 

“ହଁ, ତାକୁ ବି ପାଇବ । ଆଚାର୍ଯ୍ୟ ହରିହର, ରମାଦେବୀ ଆଉ ସାର୍ବଜନୀନ ଅଜା ବାଳକୃଷ୍ଣ ପଟ୍ଟନାୟକଙ୍କ ବକ୍ତୃତାରେ ପାଇବ ।”

 

“ଓ-ହୋ, ଏବେ ବୁଝିଲି । ଏତେ ରସ ଯେଉଁଠାରୁ ନିଗୁଡ଼ୁଛି, ସେଠି ବାହାର ଲୋକେ ତ ଜମି ଗଣ ଗଣ ହେବେ । ସଭ୍ୟଙ୍କ କଥା ପଚାରେ କିଏ ? ସଭ୍ୟମାନଙ୍କ ତାଉ ଖୁବ୍ ବଢ଼ି ଯାଇଥିବ ଏକା ।”

 

“ତାଉ ବୋଲି ତାଉ ! ତାପମାନ ଯନ୍ତ୍ର ଲଗାଇଦେଲେ ପାରା ଯନ୍ତ୍ରକୁ ଫଟେଇ ବାହାରି ପଳେଇବ ।”

 

ଏମିତିଆ କଥାବାର୍ତ୍ତା ଯେ କେବଳ ଏହି ଦୁଇ ସାଙ୍ଗଙ୍କ ଭିତରେ ସୀମାବଦ୍ଧ ଥିଲା ତାହା ନୁହେଁ, ଆହୁରି ବହୁତ ବହୁତ ଲୋକ ଏ ସବୁ କଥାକୁ ଫେଣେଇବାରେ ଲାଗିପଡ଼ିଥିଲେ । କାହାକୁ ସଭାପତି, କାହାକୁ ଉପସଭାପତି, କାହାକୁ ସମ୍ପାଦକ କରାଯିବ, ସେହି ବିଷୟ ନେଇ ଖୁବ୍ ଘଣ୍ଟାଚକଟା ଲାଗିଲା । ଅଧିକାଂଶଙ୍କର ଇଚ୍ଛା ଥିଲା ଯେ ଏହି ଘଣ୍ଟାଚକଟାରୁ ଜଣେ ଜଣେ ଷଣ୍ଢ ବାହାରନ୍ତୁ । ହେଲେ ଫଳ ହେଲା ଓଲଟା । ଗୋଟାଏ ଜାଗାରେ ପାଞ୍ଚ ଷଣ୍ଢଙ୍କ ଆବିର୍ଭାବ ହେଲା । ଆଡ଼ିପତା , ଫଁ ଫାଁ ଦେଖି ସୁରୁଖୁରିଆ ସଭ୍ୟମାନେ ତୁନି ପଡ଼ିଗଲେ । ଶେଷରେ ଦେଖାଗଲା ନିର୍ବାଚନ ଲଢ଼େଇକୁ ଏଡ଼ାଇ ଦେଇ ହବନି । କେତେଜଣ ଜାନୁସ୍ଫୋଟ ମାରି କହିପକାଇଲେ—ଲଢ଼େଇ ହେବ ତ ଭଲ କରି ହେଉ ।

 

ସେମାନଙ୍କ ଉପରେ ବିଗିଡ଼ି ଯାଇଥିବା ଆଉ ଦଳେ ବି ନିଶ ଉପରେ ତାଉ ଦେଇ କହିଲେ—“ହଉ ହେଇଯାଉ, କିଏ ମନା କରୁଛି ? ସେଥିକି ଆମେ ତିଆର ।”

 

ଏକ ରକମ ମହାଭାରତର ଉଦ୍‌ଯୋଗ ପର୍ବ ଆରମ୍ଭ ହୋଇଗଲା । ସଭ୍ୟମାନେ କ୍ରମେ ପଦାକୁ ଦେଖାଗଲା ଭଳି ଦୁଇଭାଗ ହୋଇଗଲେ । ଠିକ୍ ଯେମିତି କୌରବ-ପାଣ୍ଡବମାନେ ଦୁଇ ଭାଗ ହୋଇଥିଲେ । ତା ପରେ ଚାଲିଲା ପ୍ରଚାର । ଏ ପ୍ରଚାର କିନ୍ତୁ ବଡ଼ପାଟିଆ ବା ମାଇକ୍ ସାହାଯ୍ୟରେ ହେଲା ନାହିଁ, ହେଲା ଚୁପ୍ ଚୁପ୍ ଭାବରେ । କାନକୁ କାନ ଡେଇଁ ଚାଲିଲା । ପ୍ରତ୍ୟେକ ଦଳ ଜଣେ ସଭାପତି, ଜଣେ ଉପସଭାପତି ଓ ଏକଯୋଡ଼ା ସମ୍ପାଦକଙ୍କୁ ମେରୁ କରି ବେଙ୍ଗଳା ପଡ଼ିଲା ପରି ଘୂରି ବୁଲିଲେ । ମେରୁ ଦୁଇଟି ମୂକ ହୋଇ ବସିଥାଆନ୍ତି । ହେଲେ ଯୋଚା ହୋଇଥିବା ଦୁଇ ଦଳ ଅନବରତ କାମରେ ଲାଗିଥାନ୍ତି । ଭାରତର ସାଧାରଣ ନିର୍ବାଚନ ପରି “ମୁଁ ହାତୀ ଦେବି, ଘୋଡ଼ା ଦେବି, ଦେଶକୁ ଘିଅ ମହୁରେ ଭସେଇ ଦେବି”—ଏମିତିଆ କଥା କାହାରି ମୁହଁରୁ ବାହାରୁ ନ ଥାଏ । ଅମୁକ ପରା ସମାଜର ଟଙ୍କାତକ ଦି’ ହାତିଆ ଖାଇଯାଇଛି । ସେ ବହିଗୁଡ଼ାକ ଲାଇବ୍ରେରୀରୁ ବୋହି ନେଇଛି । ଏଥର ସେ ସଭାପତି ହେଲେ ସାହିତ୍ୟ ସମାଜ କୋଠାଟାକୁ ଗିଳିଦେବ । ଆର ଦଳ ସେମିତି ଫୁସ୍‍ଫୁସି ଚଳେଇଥାନ୍ତି—ଢମୁକ ଜଣକ ଏକ ବିପଜ୍ଜନକ କମ୍ୟୁନିଷ୍ଟ । ସେ କଦାପି ବିଶ୍ୱାସଯୋଗ୍ୟ ନୁହେଁ । ସେ ସାହିତ୍ୟର ଦଫା ନିକାଲି ଦେବ-। ଆମ ସାହିତ୍ୟ ସମାଜରୁ ଗଣ୍ଡା ଗଣ୍ଡା ସଭ୍ୟଙ୍କୁ ପାଷ୍ଟରନାକ ଅବସ୍ଥା ଭୋଗିବାକୁ ପଡ଼ିବ-। ସମାଜର ଘର, ସରସ୍ୱତୀ, ତାଙ୍କ ଧଳାପଦ୍ମ ଓ ଧଳା ରାଜହଂସ ସବୁ ନାଲିଆ ହୋଇଯିବେ-। ଖବରଦାର, ତାକୁ ସଭାପତି କରିବନି ଯେ ମାଉସେତୁଙ୍ଗ୍‌କୁ ସଭାପତି କରିଦେବ ।

 

ଏପରି ଭାବରେ ସଭାପତି ପଦ ପାଇଁ ପ୍ରାର୍ଥୀ ଦୁଇଜଣ ଆପଣା ଆପଣା ଭିତରେ ବେଳେବେଳେ ଖୁସ୍ ଗପ ଚଳେଇ ପାରୁଥିବାବେଳେ ସେମାନଙ୍କ ଉପଗ୍ରହମାନେ ସେମାନଙ୍କର ଦୁର୍ଗୁଣଗୁଡ଼ାକ ଖୋଳି ତାଡ଼ି ପଦାକୁ କାଢ଼ି ପକାଉଥାଆନ୍ତି । ନିଜ ନିଜ ପ୍ରାର୍ଥୀମାନଙ୍କୁ ଯେ କୌଣସିମତେ ଜିତାଇବାକୁ ନାନାପ୍ରକାର ପାଣିକୁଆ ବାଣ ମରାମରି ହେଲେ । ଭୋଟ ବିଷୟରେ ନିଃସନ୍ଦେହ ହେବାକୁ ଅନ୍ତରଙ୍ଗ ବନ୍ଧୁମାନଙ୍କୁ ନୂତନ ସଭ୍ୟ ରୂପେ ସମାଜରେ ଭର୍ତ୍ତି କରାଗଲା । ଏପରି ସଭ୍ୟମାନଙ୍କ ଭିତରେ ମାଡ଼ଗୋଳର ମୁକାବିଳା କରିବାକୁ ପହିଲମାନ ଥିଲେ । ଗୋଳରେ ଖଣ୍ଡିଆ ମଣ୍ଡିଆ ସଭ୍ୟଙ୍କର ପ୍ରାଥମିକ ଚିକିତ୍ସା ଚଟାପଟ୍ କରାଇ ନେବା ପାଇଁ ଡାକ୍ତର ଥିଲେ । ଜିତାପଟ ହେଲେ ଜଳଖିଆ ଯୋଗାଇବାକୁ ଗୁଡ଼ିଆ, ପାନ ଓ ପିନୋଲା ଯୋଗାଇବାକୁ ପାନ ଦୋକାନୀ, ସହର ତମାମ ହିପ୍ ହିପ୍ ହୁରରେ ଚିଲେଇ ବୁଲିବା ପାଇଁ ଟ୍ରକ୍ ଯୋଗାଇବା ଲାଗି କଣ୍ଟ୍ରାକ୍ଟର, ଗଛବାଣ ଫୁଟାଇବା ପାଇଁ ଫୋଟକା ଦୋକାନୀ ଏବଂ ହାରିଗଲେ ଟ୍ରାନକ୍ୱିଲାଇଜର ବା ମୁଣ୍ଡଥଣ୍ଡେଇ ବଟିକା ଯୋଗାଇବା ପାଇଁ ଔଷଧ ଦୋକାନୀମାନେ ମଧ୍ୟ ଥିଲେ ।

 

କ୍ରମେ ନିର୍ବାଚନ ଆସି କବାଟ ଖୁଡ଼ୁ ଖୁଡ଼ୁ କଲା । ସମସ୍ତେ ଜଣେ ତୋଖଡ଼ମାର ପରିଚାଳକ ଖୋଜି ଲାଗିଲେ । ନିର୍ବାଚନ ତେଲ କରେଇ ଯେମିତି ଟକମକ ହୋଇ ଫୁଟୁଛି, ସେଥିରେ ଜଣେ ଦକ୍ଷ ଲୋକ ପରିଚାଳକ ନ ହେଲେ କରେଇ ତେଲ ଛିଡ଼ିକି ସମସ୍ତଙ୍କୁ ପୋଡ଼ି ପକାଇବ । ଖୁବ୍ ଖୋଜା ଚାଲିଲା । ଜଗନ୍ନାଥଙ୍କ ଦାରୁ ଖୋଜିବାକୁ ଏତେ ପରିଶ୍ରମ ହୋଇ ନଥିବ-। ଶେଷରେ ନିର୍ବାଚନ ଦାରୁ ମିଳିଲେ । ସେ ହେଉଛନ୍ତି ହେମନ୍ତ ମୁଖର୍ଜୀ । ସେ ନିରପେକ୍ଷ ପରିଚାଳନା କରିପାରିବେ ବୋଲି ସମସ୍ତଙ୍କର ମନ ମାନିଲା ।

 

ନିର୍ବାଚନ ପୂର୍ବରୁ ଭୋଟର ତାଲିକା ତନଖି ହେଲାବେଳେ ଦେଖାଗଲା, ସମ୍ବିଧାନ ବହିର୍ଭୁତ ଏକ ତାଲିକା ହୋଇଛି । ଭେଣ୍ଡିଆ ମୁଣ୍ଡରେ ଧଳା ବାଳଗୁଡ଼ାକ ଓପାଡ଼ି ପକାଇଲା ପରି ଏମାନଙ୍କୁ ଓପାଡ଼ି ଦିଆଗଲା । କେତେ ପରିଶ୍ରମରେ ସଂଗୃହୀତ ଗୁଡ଼ାଏ ନିଶ୍ଚିତ ଭୋଟ ପାଣିରେ ପଡ଼ିଗଲା । ଦୁଇ ଗୋଷ୍ଠୀର କର୍ତ୍ତାମାନଙ୍କ ମୁହଁ ଆମ୍ବିଳା ହୋଇଗଲା । ଉଭୟେ ମନେ ମନେ ସ୍ଥିର କରିନେଲେ ଯେ, ଏ ବାଳ ଓପଡ଼ା ପାଇଁ ହେମନ୍ତ ମୁଖର୍ଜୀ ଦାୟୀ । ମନରେ ଗୋଟାଏ ରିହ ଆସିଲା—ଦେଖିବା, କେମିତି ସେ ସୁରୁଖୁରୁରେ ନିର୍ବାଚନ କରାଇ ନେବେ । କେଡ଼େ ପାରିଲାପଣ ତାଙ୍କର ଅଛି ! ହେମନ୍ତ ମୁଖର୍ଜୀଙ୍କ କାନରେ ଏ କଥା ଯେ ପଡ଼ିଲା ନାହିଁ, ତା ନୁହେଁ । କେତେ ଜଣ ନିଃଗଣ୍ଡଗୋଳିଆ ସଭ୍ୟ ତାଙ୍କୁ ଆଗରୁ ଏ ବିଷୟରେ ସତର୍କ କରାଇଦେଲେ । ସେ କିନ୍ତୁ ଆମୋଦ ପାଇଲା ଭଳି କହିଲେ—“ଏଣ୍ଡୁଅ ଦଉଡ଼ି ଦଉଡ଼ି କିଆବାଡ଼ିଯାଏ । ଏମାନଙ୍କର ଦଉଡ଼ ମୋତେ ଜଣା । ସେମାନେ ଗଣ୍ଡଗୋଳକୁ ମୋ ପାଖକୁ ପଠାଇଲେ ମୁଁ ତାକୁ ବୁଝାଇ ସୁଝାଇ ତାଙ୍କରି ପାଖକୁ ଫେରାଇଦେବି, ଆଉ ମୋ କାମତକ ହାସଲ କରାଇ ନେବି । ମୋ କ୍ଷମତା ଉପରେ ମୋର ପୂରା ଭରସା ଅଛି ।”

 

ଶେଷରେ ନିର୍ବାଚନ ଦୁଆର ଠେଲି ସାହିତ୍ୟ ସମାଜ ଘର ବିତରେ ପଶିଗଲା । ସନ୍ଧ୍ୟା ପୂର୍ବରୁ ସଭ୍ୟମାନେ ଆସି ରୁଣ୍ଡ ହେଲେ । ଦେଖାଗଲା, ଯେଉଁମାନେ ଏଠି ଦିନହେଲେ ପାଦ ପକାଇ ନ ଥିଲେ, ସେମାନେ ଆସି ହାଜର । କିଏ ଦୂରଦୂରାନ୍ତରରୁ, କିଏ ବା ବିଛଣାରୁ ଜରରେ ଥରି ଥରି କିଏ ବା ବାଡ଼ି ଠୁକୁ ଠୁକୁ କରି, ଆଉ କେହି ଖଟିଆରେ ବୁହାହୋଇ ଆସିବାର ଦେଖାଗଲା । ଧଳା ବାଳତକ ଓପଡ଼ା ହୋଇଯିବାରୁ ପକ୍ଷମାନେ ତାର ଶୂନ୍ୟସ୍ଥାନ ପୂରଣ କରିବା ଲାଗି ଏହିସବୁ କେବେ ସାହିତ୍ୟ ସମାଜ ଫାଇଦା ମାଡ଼ୁ ନ ଥିବା ସଭ୍ୟମାନଙ୍କୁ ଘୋଷଡ଼ା ଘୋଷଡ଼ି କରି ଅଣାଇଥିଲେ । ନିର୍ବାଚନ ପୂର୍ବରୁ କାର୍‌ପଟଦାରମାନେ ୟାକୁ ଟାଣିନେଇ କାନରେ ଫୁସ୍‍ଫୁସ୍‌, ତାକୁ ଟାଣିନେଇ କାନରେ ଫୁସ୍‍ଫୁସ୍‌ କାମକୁ ଏତେ ପ୍ରବଳ ଭାବରେ ଚଳାଇଥାଆନ୍ତି ଯେ, ସଭ୍ୟମାନେ ରୁମାଲରେ ନିଜ ନିଜର କାନରୁ ଛେପ ପୋଛିବାରେ ଲାଗିଥାନ୍ତି । କାର୍‌ପଟଦାରମାନେ ମନ୍ତ୍ର ଫୁଙ୍କୁଥାଆନ୍ତି କି ନିଜର ଗୁରୁତ୍ୱ ସମସ୍ତଙ୍କ ଆଗରେ ଜାହିର କରୁଥାଆନ୍ତି, ତାହା ସେହିମାନଙ୍କୁ ଜଣା ।

 

ହେମନ୍ତ ବାବୁ ନିର୍ବାଚନ ଆରମ୍ଭ କରିବାକୁ ଯାଉଛନ୍ତି, ଏଠି ଏହି ସମୟରେ ଜଣେ କହିଲେ—“ଆଜ୍ଞା, ଆମକୁ ମାତ୍ର ପନ୍ଦର ମିନିଟ ସମୟ ଦିଅନ୍ତୁ, ଆମ ସମସ୍ତଙ୍କୁ ରାଜି କରାଇ ସର୍ବସମ୍ମତିକ୍ରମେ ସଭାପତି, ଉପସଭାପତି, ଯୁଗ୍ମ-ସମ୍ପାଦକ ବାଛିଦେବୁ । ନିର୍ବାଚନରେ ଧସ୍ତାଧସ୍ତି ହେବ ନାହିଁ ।”

 

ତାଙ୍କ କଥା ତାଙ୍କ ପାଟିରେ ଅଛି, ଆରମ୍ଭ ହୋଇଗଲା ଗଣ୍ଡଗୋଳ ପାଟି ଓ ଉତ୍ତେଜନା-। କିଏ କଅଣ କହୁଛ ଜଣାପଡ଼ୁ ନ ଥାଏ । ଅଧିକାଂଶ ଠିଆ ହୋଇ ଯାଇଥାଆନ୍ତି । କାନ ଡେରିଲେ ଶୁଭୁଥାଏ—ରଖିଦିଅ ତମ ଚାଲ୍, ଦରକାର ନାହିଁ ତମ ଭଲଲୋକି । ଏ ଧରଣର ନିର୍ବାଚନ ସାହିତ୍ୟିକଙ୍କ ପକ୍ଷେ ଦୁର୍ଭାଗ୍ୟଜନକ । କେମିତି କରିଯିବ ଭଲା ଦେଖିବା । ମୁଣ୍ଡ ଛିଡ଼ିବ ପଛେ ଛାଡ଼ିବୁ ନାହିଁ—ଇତ୍ୟାଦି ଇତ୍ୟାଦି । ସଭ୍ୟମାନଙ୍କ ଭିତରେ ଏପରି ଘୋର ଗର୍ଜନ ତର୍ଜନ ଚାଲିଥିଲାବେଳେ ହେମନ୍ତ ମୁଖର୍ଜୀ ଚୁପ୍ ହୋଇ ଚଉକିରେ ବସିଥାଆନ୍ତି ଏବଂ ବେଳେ ବେଳେ ମୁହଁ ପଛଆଡ଼କୁ ବୁଲାଇ ନେଇ ମୁର୍କିହସା ଦେଉଥାଆନ୍ତି । ସଭ୍ୟମାନେ ପନ୍ଦର ମିନିଟ କାଳ ପାଟି କରି କରି ହାଲିଆ ହୋଇ ପଡ଼ିଲେ । ସମସ୍ତେ ଥମିଯିବା ପରେ ହେମନ୍ତ ବାବୁ ଠିଆ ହୋଇପଡ଼ି କହିଲେ–“ଦେଖନ୍ତୁ ଏବେ ଦୁଇପ୍ରକାର ମତ ପ୍ରକାଶ ପାଉଛି—ସର୍ବସମ୍ମତିକ୍ରମେ ବାଛିବା ଓ ନିର୍ବାଚନ ମାଧ୍ୟମରେ ବାଛିବା । ଏବେ ଏ ଦୁଇଟି ମତ ମଧ୍ୟରୁ ବହୁସଂଖ୍ୟକ ସଭ୍ୟଙ୍କ ମତଟି ଆମକୁ ଗ୍ରହଣ କରିବାକୁ ହେବ । ଏଣୁ ହାତ ଟେକି ନିଜ ମତ ପ୍ରକାଶ କରିବାକୁ ମୁଁ ଅନୁରୋଧ କରୁଛି-।” ହାତ ଗଣାରୁ ଜଣାଗଲା ଯେ, ନିର୍ବାଚନ ହେବ । ଫୁଟବଲ ଖେଳରେ ଗୋଟାଏ ଗୋଲ ହେଲାବେଳେ ଯେମିତି ହାଉକରି ପାଟିଟା ଉଠେ, ଠିକ୍ ସେମିତି କିଛି ସମୟ ହୋ ହୋ ହେବା ପରେ ସମସ୍ତେ ତୁନି ପଡ଼ିଲେ ।

 

ହେମନ୍ତ ବାବୁ ପୁଣି ଠିଆ ହୋଇ କହିଲେ—“ବର୍ତ୍ତମାନ ଆପଣମାନେ ପ୍ରସ୍ତାବକ ଓ ସମର୍ଥକଙ୍କ ସ୍ୱାକ୍ଷର ଥିବା କାଗଜରେ ପ୍ରାର୍ଥୀମାନଙ୍କ ନାମ ଲେଖି ଦିଅନ୍ତୁ । ତା ପରେ ଏହି ଛାପା ଫର୍ମରେ ନିଜ ନିଜର ମନୋନୀତ ପ୍ରାର୍ଥୀମାନଙ୍କ ନାମ ପୂରଣ କରି ପଠାଇ ଦିଅନ୍ତୁ । ଏକ ସଙ୍ଗେ ସମସ୍ତଙ୍କର ନିର୍ବାଚନ ହୋଇଯିବ ।

 

ପୁଣି ଆଗ ପରି କୁଆ ବସାରେ ଢେମଣା ପଶିଲା । ହାଉ ହାଉ, ରାଉ ରାଉରେ କାନ ଫାଟିପଡ଼ିଲା । କାନ ଡେରିଲେ ଶୁଭୁଥାଏ—“କାହିଁକି ଏକା ସାଙ୍ଗରେ ହେବ, କାହିଁକି ନ ହେବ, ଯିଏ ସଭାପତି ନିର୍ବାଚନରେ ହାରିଯିବ ସେ ସମ୍ପାଦକ ପଦ ପାଇଁ ଠିଆହୋଇ ପାରିବନି । ଓଲିଆ ଗାଈ ପରି ସବୁ କିଆରୀରେ ପଶିବାକୁ ବସିଛି । ଏ କିଆରୀରୁ ତଡ଼ା ଖାଇଲେ ସେ କିଆରୀରେ ପଶିବ । ସେ କିଆରୀରୁ ଘଉଡ଼େଇଦେଲେ ତା ଆରକଡ଼ କିଆରୀରେ ପଶିବ । ସାବାସ୍‌ରେ ଓଲିଆ ଗାଈ ଦଳ” ଇତ୍ୟାଦି ଇତ୍ୟାଦି । ଆଡ଼େ ଏମିତି ଘାଉ ଘାଉ ଚାଲିଥାଏ, ତେଣେ ହେମନ୍ତ ବାବୁ ବେଶ୍ ଆରାମରେ ବସି ଛାତକଡ଼ି ଗଣୁଥାନ୍ତି । ପାଟି କରି କରି ସମସ୍ତେ ହାଲିଆ ହୋଇ ତୁନି ପଡ଼ିବାରୁ ସେ ଉଠିପଡ଼ିଲେ ଏବଂ କହିଲେ—“ଦେଖନ୍ତୁ, ବର୍ତ୍ତମାନ ଦୁଇଟି ମତ ପ୍ରକାଶ ପାଉଛି । ପ୍ରଥମଟି ଏକାଥରକେ, ଦ୍ୱିତୀୟଟି ଥର ଥର କରି ଅଲଗା ଅଲଗା ନିର୍ବାଚନ କରିବା । ମୁଁ ଆପଣମାନଙ୍କ ଅନୁରୋଧ କରୁଛି, ହାତ ଟେକି ଗୋଟିଏ ମତ ଏହା ଭିତରୁ ଗ୍ରହଣ କରନ୍ତୁ ।” ହାତ ଟେକାରୁ ଜଣାଗଲା ଯେ ବହୁସଂଖ୍ୟକ ସଭ୍ୟଙ୍କ ମତ ହେଉଛି—ଅଲଗା ଅଲଗା, ଥର ଥର କରି ନିର୍ବାଚନ କରାଇବା । ସେହି ପନ୍ଥା ବି ଗ୍ରହଣ କରାଗଲା । ଉଭୟ ଦଳର ସଭ୍ୟମାନେ ଯେତେବେଳେ ହାଉ ହାଉ ହୋଇ ହେମନ୍ତ ବାବୁଙ୍କ ଉପରକୁ ଉହୁଙ୍କି ଆସୁଥାନ୍ତି, ସେତେବେଳେ ସେ ଅତି ଚତୁରତାର ସହ ସେ ସବୁ ଗୋଳକୁ ସେହିମାନଙ୍କ ଆଡ଼କୁ ମୁହାଁଇ ଦେଉଥାନ୍ତି । ଫଳରେ ସଭ୍ୟମାନେ ହେମନ୍ତ ବାବୁଙ୍କୁ ଛାଡ଼ି ନିଜ ନିଜ ଭିତରେ ଗୋଳ ଓ ଝିଙ୍କା ଓଟରାରେ ଲାଗିଯାଉଥାନ୍ତି-। ହେମନ୍ତ ବାବୁଙ୍କୁ “ହାତଟେକ” ରକ୍ଷା କବଚଟି ମିଳି ଯାଇଥାଏ । ଥରକୁ ଥର କଳିଗୋଳରେ ମାତି ସଭ୍ୟମାନେ ହାଲିଆ ହୋଇଗଲେ । ବାଗୁଡ଼ି ଖେଳରେ ମଲା ଖେଳବାଡ଼ ଯେପରି ଖେଳରୁ ଅଲଗା ହୋଇଯାଏ, ଏ ନିର୍ବାଚନ ଯୁଦ୍ଧରେ ପରାଜିତ ପ୍ରାର୍ଥୀ ତଥା ତାଙ୍କର ସମର୍ଥକମାନେ ସଭା ଭବନ ଛାଡ଼ି ପଳାଉଥାଆନ୍ତି । କେତେ ଜଣଙ୍କର ତୋଟି ପଡ଼ି ଯାଇଥାଏ । ଜିତିଲାବାଲା ଓ ହାରିଲାବାଲା ଉଭୟେ ଶ୍ରାନ୍ତକ୍ଲାନ୍ତ ହୋଇ ପଡ଼ିଥାଆନ୍ତି । ପରିଚାଳନା ଶେଷ କରି ଘର ଭିତରୁ ବାହାରିଲାବେଳେ ହେମନ୍ତ ବାବୁ କିନ୍ତୁ ପୂର୍ବାପେକ୍ଷା ଅଧିକ ସତେଜ ଦେଖା ଯାଉଥାଆନ୍ତି।

☆☆☆

 

ଗାଣତାନ୍ତ୍ରିକ ପାଠ୍ୟକ୍ରମ

 

ଓଡ଼ିଶା ପ୍ରଦେଶଟି ଗରିବ ହୋଇଥିବାରୁ ସମଗ୍ର ଭାରତର ଶାଳୀ । ସମସ୍ତେ ଥଟ୍ଟା ନକଲ କରନ୍ତି । କିଏ ତା ବାଳରୁ ପୁଳାଏ କାଟି ନେଲାଣି ତ, କିଏ ତା ଘରେ ଜବରଦସ୍ତି ପଶି ପେଡ଼ିରୁ ଗୋଟାଏ ଉଠାଇ ନେଉଛି, କିଏ ଖତେଇ ହେଉଛି । ସମସ୍ତେ ପତଙ୍ଗରେ ବସିଲାବେଳେ ଦିଲ୍ଲୀ ବୁଢ଼ୀମା ସମସ୍ତଙ୍କ ପତରରେ ଦଶ ଦଶ ପଟ ପୁରି ପକାଇଲାବେଳେ ଓଡ଼ିଶା ପତରରେ ପଟେ ପୁରିରୁ ଟିକିଏ ଛିଣ୍ଡେଇ ପକାଇଦିଏ ଓ ନାକ ଟେକି ମୁହଁ ବୁଲାଇଦେଇ ଅନ୍ୟଆଡ଼େ ଚାଲିଯାଏ । ଓଡ଼ିଶା ବିଚାରୀ ମୁହଁ ତଳକୁ କରି ତୁନି ହୋଇ ରହେ, ଆପଣା ଭାଗ୍ୟକୁ ନିନ୍ଦେ । କାହାକୁ ବା ନିନ୍ଦନ୍ତା ? ଯେତେ ପୁଅ ଜନ୍ମ କଲା ତହିଁରୁ ଶତକଡ଼ା ଅନେଶ୍ୱତ ହେଲେ ମାଇଚିଆ, ପରବୋଲା, ଡରକୁଳା ଓ ଘର ଢିଙ୍କି କିମ୍ଭୀର । କେହି କାହା ଶିରୀ ଦେଖିପାରୁ ନାହାନ୍ତି । ନିଜ ଘରକଥା ତ ଏମିତି, ବାହାର ଲୋକେ ଦୂର୍ ଦୂର୍ କଲେ ଚାରା କଅଣ ?

 

କଥାରେ ଅଛି, ଯେମିତିଆ ଦିଅଁଙ୍କୁ ସେମିତିଆ ଭୋଗ । ଓଡ଼ିଶାର ଅବସ୍ଥା ତ ଏପରି, ତା ଭାଷାକୁ ଛାଡ଼ୁଛି କିଏ ? ପାଖ ଲୋକେ କହିଲେ, ଓଡ଼ିଆ ଗୋଟାଏ ସ୍ୱତନ୍ତ୍ର ଭାଷା ନୁହେଁ । କିଏ କହିଲା—ଓଡ଼ିଆ ସାହିତ୍ୟ ଗୋଟିଏ ଚୋରିମାଲର ଗନ୍ତାଘର । କେହି କେହି ବି କହିଦେଲେ—ଓଡ଼ିଆ ଭାଷାରେ ଉନ୍ନତ ଚିନ୍ତା ବ୍ୟକ୍ତ କରି ହୁଏନା । ଏସବୁ କଥା ତ ବାହାର ଲୋକେ କହିଲେ, ବିଲୁଆମାନେ ଡାକରେ ଡାକ ମିଶାଇଲା ପରି କେତେକ ଓଡ଼ିଆ ବି କହିଲେ—ଓଡ଼ିଆ ସାହିତ୍ୟର ମୂଳଦୁଆ ଅଣ-ଓଡ଼ିଆମାନେ ପକାଇଛନ୍ତି । ଓଡ଼ିଆ ସାହିତ୍ୟର ଅଣ୍ଟାକୁ ଅଣ-ଓଡ଼ିଆମାନେ ଟାଣ କରିଛନ୍ତି ।

 

ଏମିତିଆ ହୀନିମାନିଆ ଅବସ୍ଥା କି ସବୁଦିନେ ସହି ହୁଏ ! କେତେକ ଜାଣିବା ଶୁଣିବା ଲୋକେ ଗୁଁ ଗୁଁ ହେବାକୁ ଆରମ୍ଭ କଲେ । ଗୁଁ ଗାଁ କ୍ରମେ ହୋ-ହା’ରେ ପରିଣତ ହେଲା । ଗୁଁ-ଗାଁଇଆଙ୍କ ସଂଖ୍ୟା କ୍ରମେ ବଢ଼ିଲାଗିଲା । କାହା ଯୋଗୁଁ ଆମ ଓଡ଼ିଆ ସାହିତ୍ୟର ଏପରି ହୀନିମାନିଆ ଅବସ୍ଥା ହୋଇଛି, ତାହା ଜାଣିବା ଲାଗି ଘମାଘୋଟ ଅଣ୍ଡଳା ଅଣ୍ଡଳି ଲାଗିଲା । ବାଳ ଅଣ୍ଡାଳି ଅଣ୍ଡାଳି ଉକୁଣିଟାଏ ଟାଣି ଆଣିଲା ପରି ସମସ୍ତେ ଓଡ଼ିଆ ଅଧ୍ୟାପକମାନଙ୍କୁ ଘୋଷାଡ଼ି ଆଣିଲେ । ସେହିମାନଙ୍କୁ ଦାୟୀ କରି କହିଲେ—କିଏ ସିନା ଦଶ ମାସରେ ଜନ୍ମ ହୁଏ, ତୁମେମାନେ ତ ଛଅ ବର୍ଷକାଳ ସରସ୍ୱତୀଙ୍କ ପେଟ ଭିତରେ ରହି ଜନ୍ମ ହେଲ । ତୁମେମାନେ ଥାଉ ଥାଉ ଓଡ଼ିଆ ସାହିତ୍ୟ ଏମିତିଆ ହୀନିମାନିଆ ହେଲା କାହିଁକି ? ଆଗରୁ ତ ଅଧ୍ୟାପକମାନେ ନାହିଁ ନ ଥିବା ସାହିତ୍ୟିକମାନଙ୍କୁ ଜନ୍ମ ଦେଇଥିଲେ, ତୁମେମାନେ କୋଉଥିପାଇଁ ଏମିତି ବାଞ୍ଝ ପଡ଼ିଲ ? ସବୁ ତୁମରି ଦୋଷ । ଗୋଟି ଗୋଟି କରି ତୁମମାମନଙ୍କୁ ନକ୍‍ସଲି କରି ଦିଆଯିବ । ନକ୍‍ସଲି ନାଁ ଶୁଣି ଅଧ୍ୟାପକମାନେ ଘାବରେଇ ଗଲେ । ସେମାନଙ୍କ ତଣ୍ଟି ଶୁଖିଗଲା । ଥରି ଥରି ସେମାନେ କହିଲେ–ଆମର କି ଦୋଷ ? ସରସ୍ୱତୀଙ୍କ ଭୁସ୍‌ପଣ୍ଡିତେ ବାଣୀବିହାରରୁ ଯେଉଁ ପାଠ୍ୟକ୍ରମ ଆମକୁ ଦେଲେ, ଆମେ ଠିକ୍ ଠିକ୍ ସେମିତି ପଢ଼େଇଲୁ । ସେଥିରେ ଯଦି ସାହିତ୍ୟିକ ଓ ଭାଷାବିତ୍‌ମାନେ ପୈଦା ନ ହେଲେ ଆମେ କଅଣ କରିବୁ ? ସବୁ ଦୋଷ ଭୁସ୍‌ପଣ୍ଡିତଙ୍କର ଆଉ ତାଙ୍କ ତିଆରି ପାଠ୍ୟକ୍ରମର । ଓଡ଼ିଆ ପାଠ୍ୟକ୍ରମକୁ ଦେଖି ଦୁନିଆଁ ହସୁଛନ୍ତି, କହୁଛନ୍ତି—ଓଡ଼ିଆ ପାଠ୍ୟକ୍ରମ ଏକ ଦୁନିଆଛଡ଼ା ପାଠ୍ୟକ୍ରମ । ଆମର କିଛି ହେଲେ ଦୋଷ ନାହିଁ । ଆପଣ ବାଣୀବିହାରର ଭୁସ୍‌ପଣ୍ଡିତଙ୍କୁ ଯାହା କହିବାର କୁହନ୍ତୁ । ଅବାଗିଆ ଲୋକଗୁଡ଼ାକ ନଛୋଡ଼ବନ୍ଧା । ସେମାନେ ଖିଙ୍କାରି ହୋଇଉଠି କହିଲେ—“ଆମେ ଭୁସ୍‌ପଣ୍ଡିତ ଫୁସ୍‌ପଣ୍ଡିତ କିଛି ଜାଣିନୁ । ତୁମେମାନେ ଭଲ ସାହିତ୍ୟିକ ପୈଦାକରି ନ ପାରିଲେ ଶିକ୍ଷାମନ୍ତ୍ରୀଙ୍କୁ କହି ସମସ୍ତଙ୍କୁ ନକ୍‍ସଲି କରିବୁ, କରିବୁ, କରିବୁ-।” ଏତକ ଧମକ ଦେଇ ସମସ୍ତେ ଚାଲିଗଲେ । ଅଧ୍ୟାପକମାନେ ଛେରି ମୁତି ପ୍ରାଣ ବିକଳରେ ଏକମୁଖ ହୋଇ “ନାରାୟଣ ରଖ” ବୋଲି ଡାକ ପକାଇଲେ । ନାରାୟଣ ବି ସେମାନଙ୍କର ବିକଳ ସହି ନ ପାରି ସେମାନଙ୍କୁ ସପନେଇ କହିଲେ—“ଥୟ ଧର, ଆମେ ଗୋଲକଧାମରୁ ଫୁସ୍‌ପଣ୍ଡିତଙ୍କୁ ପଠେଇବା-। ସେ ମର୍ତ୍ତ୍ୟରେ ଜନ୍ମ ହୋଇ ବରାହ ଅବତାର ବୁଡ଼ିଗଲା ଧରଣୀକୁ ଥୋଡ଼ିରେ ଉଠାଇଲା ପରି ବୁଡ଼ିଯାଉଥିବା ଓଡ଼ିଆ ଭାଷା ଓ ସାହିତ୍ୟକୁ ଟେକି ଧରିବେ ।”

 

ନିଦରୁ ଉଠି ଅଧ୍ୟାପକମାନେ ଖୁବ୍ ଖୁସି ହେଲେ ଓ ଗୋଲକ ଧାମରୁ ତଳକୁ ଖସିପଡ଼ିଥିବା ଫୁସ୍‌ପଣ୍ଡିତଙ୍କୁ ଖୋଜି ବାହାରିଲେ । ଜଗନ୍ନାଥଙ୍କ ନବକଳେବର ସମୟରେ ଦଇତାମାନେ ଦାରୁ ଖୋଜିଲାବେଳେ ଯେଉଁ ଝାଳନାଳିଆ ପରିଶ୍ରମ କରନ୍ତି, ଅଧ୍ୟାପକମାନେ ଫୁସ୍‌ପଣ୍ଡିତଙ୍କୁ ଖୋଜିବାକୁ ତାହାଠାରୁ ଢେର୍ ଢେର୍‍ ବେଶି ପରିଶ୍ରମ କଲେ । ସବାଶେଷରେ ଅଧ୍ୟାପକମାନେ ଗଞ୍ଜେଇଡ଼ିହରେ ଫୁସ୍‌ପଣ୍ଡିତଙ୍କୁ ଠାବ କଲେ । ବହୁତ ପୂଜା ମାଜଣା ପରେ ନିଉଛାଳି ହୋଇ ଅଧ୍ୟାପକମାନେ ମନ କଥା ଜଣାଇଲେ ।

 

ଅଭୟ ଦେଇ ଫୁସ୍‌ପଣ୍ଡିତ କହିଲେ—“ମା ଭୈ, ମା ଭୈ, ଆମ୍ଭେ ତୁମ୍ଭମାନଙ୍କର କ୍ଳେଶାବସନ୍ନତା ଅବଲୋକନ କରି ତନ୍ନିବାରଣାର୍ଥେ ଗୋଲକଧାମରୁ ପ୍ରେରିତ ହୋଇ ଅତ୍ରାବତୀର୍ଣ୍ଣ ହୋଇଅଛୁ । ତବ ଉତ୍କଳ ଭାଷା ପାଠ୍ୟକ୍ରମ ଅତୀବ ତ୍ରୁଟିପୂର୍ଣ୍ଣ ପରିଲକ୍ଷିତ ହୋଇଅଛି । ଆମ୍ଭେ ମନସ୍ଥ କରିଅଛୁ କି ଏହାର ଆମୁଳଚୂଳ ପରିବର୍ତ୍ତନ ସାଧନ କରି ଏକ ସର୍ବାଙ୍ଗ ସୁନ୍ଦର ସର୍ବଜନଗ୍ରାହ୍ୟ ଏକ ଗାଣତାନ୍ତ୍ରିକ ପାଠ୍ୟକ୍ରମ ପ୍ରସ୍ତୁତ କରିବୁ । ଭଦ୍ରଗଣ ! ତୁମ୍ଭେମାନେ ପ୍ରଥମେ ଗମନ କରି ଉତ୍କଳୀୟ ସମାଜସ୍ଥ ସମସ୍ତ ସ୍ତରରୁ ବ୍ୟକ୍ତିବିଶେଷଗଣଙ୍କୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମାବେଶ କରାଅ । ଆମ୍ଭେ ଅବିଳମ୍ବେ ତନ୍ତ୍ର ଗମନ କରି କାର୍ଯ୍ୟାରମ୍ଭ କରିବୁ । ସର୍ବସ୍ତରୀୟ ବ୍ୟକ୍ତିଗଣଙ୍କର ଯଥୋପାଦେୟ ପରାମର୍ଶ ତଥା ସୂଚନା ତଦନ୍ତର୍ଗତ କରାଇବୁ । ଅଧୁନା ଗମନ କର-।”

 

ଫୁସ୍‌ପଣ୍ଡିତଙ୍କୁ ଏପରି ପଣ୍ତିତିଆ କଥାବାର୍ତ୍ତା କରୁଥିବାର ଦେଖି ଜଣେ ଟୋକା ଅଧ୍ୟାପକ କହିଲେ—“ଫୁସ୍‌ପଣ୍ଡିତେ ସାର୍ ! ଆପଣ ସେଠି ଏମିତି ଓଠନେଫେଡ଼ା କଥା କହିଲେ ସମସ୍ତେ ଆପଣଙ୍କୁ ଅଯୋଗ୍ୟ ମନେକରି କହିବେ—ହେଃ, ଇଏ ତ ଜଣେ ସଂସ୍କୃତିଆ ପଣ୍ଡିତ । ଇଏ ପୁଣି ଓଡ଼ିଆ ପାଠ୍ୟକ୍ରମ କରିବ କଅଣ ! ଏଣୁ ଆପଣ ସେଠି କଞ୍ଚା ଓଡ଼ିଆରେ କଥାବାର୍ତ୍ତା କରିବେ ।”

 

ଅତି ଚିନ୍ତିତ ଭାବରେ ଫୁସ୍‌ ପଣ୍ଡିତେ କହିଲେ—“ଯଥୋପଯୁକ୍ତ ସୂଚନା ପ୍ରଦାନ କରିଅଛି । ଆମ୍ଭେ ତନ୍ତ୍ର କଞ୍ଚା ଓଡ଼ିଆ ବ୍ୟବହାର କରିବା ନିମିତ୍ତ ଯଥାସାଧ୍ୟ ଉଦ୍ୟମ କରିବୁ । ଆପଣମାନେ ନିଶ୍ଚିନ୍ତ ରହନ୍ତୁ ।”

 

ମହାବିଦ୍ୟାଳୟ ପ୍ରାଙ୍ଗଣ ବେଶ୍ ଜମି ଉଠିଛି । ମହାଁମୁହିଁ ଦୁଇ ଧାଡ଼ିରେ ସବୁ କିସମର ଭେଣ୍ଡିଆ, ବୁଢ଼ା ବସିଛନ୍ତି । ଗୋଟାଏ ଧାଡ଼ି ମୁଣ୍ଡରେ ଫୁସ୍‌ପଣ୍ଡିତେ ଓ ତାଙ୍କ ଦୁଇ ପାଖକୁ ଲାଗି ଅଧ୍ୟାପକମାନେ ବସିଛନ୍ତି । ଟିପେ ନାସ ନାକରେ ଗୁଞ୍ଜିଦେଇ ଫୁସ୍‌ପଣ୍ଡିତେ ଆରମ୍ଭ କଲେ—“ଭଦ୍ର ମହୋଦୟଗଣ ! ଆମ୍ଭମାନଙ୍କ ସମ୍ମୁଖରେ ପାଠ୍ୟକ୍ରମ ପ୍ରଣୟନ ବିଷୟକ ଯେଉଁ ସୁକଠିନ….”

 

ପାଖରେ ବସିଥିବା ଅଧ୍ୟାପକ ଜଣକ ଫୁସ୍‌ପଣ୍ଡିତଙ୍କ ପଛଆଡ଼କୁ ହାତ ନେଇ ତାଙ୍କ ପିଛାକୁ ଚିମୁଟିଦେଇ ଫୁସ୍‍ଫୁସ୍‌ କରି ମନେ ପକାଇ ଦେଲେ—“କଞ୍ଚା ଓଡ଼ିଆ ।”

 

ଫୁସ୍‌ପଣ୍ଡିତେ ଚମକିପଡ଼ି ପ୍ରକୃତିସ୍ଥ ହୋଇଗଲେ ଓ ଚିନ୍ତିତ ହୋଇ ପୁଣି ଆରମ୍ଭ କଲେ–“ହଁ, ଏଇ ପାଠ୍ୟକ୍ରମ ମାନେ ସିଲାବସ୍ ତିଆରିର ଗୁରୁଦାୟିତ୍ୱ ଆମ ମସ୍ତକରେ ଲଦା ହୋଇଛି-। ଆମେ ତାକୁ ସବୁଠୁଁ ତାବେ ନ କଲେ ଆମ ଇଜ୍ଜତ ମହତ ସବୁ ଜଳରେ ପତିତ ହେବ-। ମୁଁ କୁଟାବନ୍ଧାଟା କରି ଦେଉଛି, ମାନେ ସ୍ଥୂଳାକୃତିଟା କରି ଦେଉଛି । ତହିଁରେ ଆପଣମାନେ ନିଜ ନିଜ ପ୍ରସ୍ତାବ ଲଗାଇ ପୂର୍ଣ୍ଣାବୟବ ଗଢ଼ି ପକାଇବେ । ଦେଖନ୍ତୁ, ଓଡ଼ିଆ ତ ଆମର ମାତୃଭାଷା, ଆମେ ସମସ୍ତେ ଏହାକୁ ଭଲ ଭାବରେ ଜାଣୁ । ଏଣୁ ପାଠ୍ୟକ୍ରମରେ ଓଡ଼ିଆକୁ ଖୁବ୍ କମ୍ କରି ବାହାର ବିଷୟ ବେଶି ଅନ୍ତର୍ଗତ କରିବା । ଅନ୍ୟାନ୍ୟ ବିଭାଗର କର୍ତ୍ତାଗଣ ତାକୁ ଦେଖି ଯେମିତି କହିବେ–“ଆହୋ କିମଦ୍ଭୁତଂ” ମାନେ କହିବେ ବାବ୍‌ବାରେ ଆଲୁଅ । ପ୍ରଥମ ଓ ଦ୍ୱିତୀୟ ଭାଗ ଅର୍ଥାତ୍ ପୁରାତନ, ମଧ୍ୟ ଓ ଆଧୁନିକ ପଦ୍ୟ ଓ ଗଦ୍ୟ ଏକାବେଳକେ ପାଠ୍ୟକ୍ରମରୁ ଉଠାଇଦେବା-। ଆମକୁ ଓଡ଼ିଶା ଛଡ଼ା ଅନ୍ୟ କେଉଁଠି ଲୋକମାନେ ବୁଝିପାରନ୍ତିନି କି ବୁଝିବାକୁ ଚେଷ୍ଟା କରନ୍ତିନି-। ଏଣୁ ମିଛରେ ସେଥିରୁ ଗୁଡ଼ାଏ ପିଲାଙ୍କ ମୁଣ୍ଡରେ ଭର୍ତ୍ତି କରି ଭାରାକ୍ରାନ୍ତ କରିଦେବା ଅନ୍ୟାୟ ହେବ-

 

ତୃତୀୟ ଭାଗକୁ ଗୋଟିଏ ନ କରି ତିନି ଭାଗ କରିଦେବା । ସଂସ୍କୃତି, ପାଲି ପ୍ରାକୃତ ଓ ଅପଭ୍ରଂସକୁ ୧ମ, ୨ୟ, ଓ ୩ୟ ବିଭାଗ କରି ପ୍ରତ୍ୟେକରେ ୧୦୦ କରି ନମ୍ବର ରଖାଯିବ । କଥାରେ ଅଛି—ରାଜାନୁଗତ ଧର୍ମ । ସେହିପରି ପ୍ରଫେସରାନୁଗତ ପାଠ୍ୟକ୍ରମ । ଆମେ ଯେଉଁଥିରେ ପାରଙ୍ଗମ ତାକୁ’ଇ ପ୍ରାଧାନ୍ୟ ଦେବୁଁ । ଏହାଦ୍ୱାରା ଗୋଟିଏ ବଡ଼ ଉପକାର ହେବ । ଛାତ୍ରମାନେ ଓଡ଼ିଆରେ ପ୍ରଚଳିତ ଅଶ୍ରାବ୍ୟ, ଅଶ୍ଳୀଳ  ଶବ୍ଦସବୁ ଯାହା କି ଭାଷାକୋଷରେ ଦେଖିବାକୁ ମିଳେ, ସେଗୁଡ଼ିକ କ୍ରମେ ଭୁଲିଯିବେ ଆଉ କୁହାକୋହି ହୋଇ କଳିତକରାଳରୁ ନିବୃତ୍ତ ହେବେ ଓ ସଂସ୍କୃତ ହୋଇଯିବେ ।

 

ଚତୁର୍ଥ ଭାଗରେ ଯେଉଁ ପାଞ୍ଚ ବିଭାଗ କରି ୧୩ଟି ସମସାମୟିକ ଭାରତୀୟ ଭାଷା ଦିଆଯାଇ ଯେ କୌଣସି ଗୋଟିଏ ବିଭାଗ ନେବାର ବ୍ୟବସ୍ଥା ଅଛି, ତାକୁ ବଦଳାଇ ସବୁ ଭାଷାକୁ ବାଧ୍ୟତାମୂଳକ କରିବାକୁ ହେବ । କନ୍ଧ, କୋହ୍ଲ, ସାନ୍ତାଳ, କୁଇ ଆଦି ଯେତେ ଆଦିବାସୀ ଭାଷା ଓ ଉପଭାଷା ଅଛି, ତାକୁ ଭର୍ତ୍ତି କରିବାକୁ ହେବ । ଏହାଦ୍ୱାରା ପିଲାମାନେ କିଛି ନ ହେଲେ ଅନ୍ତତଃ ନିଜକୁ ଆଦିବାସୀ ବୋଲି ପରିଚୟ ଦେଇ ଚାକିରି ବାକିରି ସହଜରେ ପାଇ ପାରିବେ ।

 

ପଞ୍ଚମ ଭାଗରେ ଯେଉଁ ପ୍ରାଚୀନ ଓ ମଧ୍ୟଯୁଗୀୟ ଗଦ୍ୟ, ଶିଳାଲେଖ ଓ ସମାଲୋଚନା ତତ୍ତ୍ୱ ରହିଛି, ତାକୁ ଉଠାଇଦେବା । ପୁରୁଣା ଜିନିଷରୁ ଆମକୁ କଅଣ ମିଳିବ ? ତାକୁ ଆଣି ଆଜିକାଲିକା ପାଣି ପବନରେ ଥୋଇଲେ ଲୋକହସା ହେବାକୁ ପଡ଼ିବ । ଶିଳାଲେଖ ପଢ଼ିଲେ ପିଲାଏ ଦେଉଳ, ପାହାଡ଼ ଗୁମ୍ପାର କାନ୍ଥ ଉଣ୍ଡିବେ । ଫଳରେ ଦେଉଳରେ ଥିବା ଅଶ୍ଳୀଳ  ମୂର୍ତ୍ତି ଆଉ ଖେଚେଡ଼ା ଟୋକାଏ ନିଛାଟିଆ କାନ୍ଥମାନଙ୍କରେ ଅଙ୍ଗାରରେ ଯେଉଁସବୁ ଅଶ୍ଳୀଳ  କଥା ଲେଖିଥାନ୍ତି, ସେଗୁଡ଼ାକ ନିଠେଇ କରି ଦେଖି କୁର୍ କୁର୍ ହେବେ । ଆମର ଭଲ ପିଲାଗୁଡ଼ାକ ଖରାପ ହୋଇଯିବେ । ଆଜିକାଲିର ପିଲାଏ ଯେପରି ନକ୍‌ସଲିଆ ପାଲଟିଲେଣି, ସେଥିରେ ସମାଲୋଚନା ଯଦି ରହେ ତେବେ ପିଲାଏ ମୁହୂର୍ତ୍ତକ ମଧ୍ୟରେ ଓଡ଼ିଶାଟାକୁ ପଶ୍ଚିମବଙ୍ଗ କରିଦେବେ-। ଏଣୁ ଏଗୁଡ଼ାକ ବିଲକୁଲ୍ ଉଠାଇଦେଲେ ଗଲା ।

 

ଷଷ୍ଠ ଭାଗରେ ଭାଷା ଓ ଭାଷାର ଇତିହାସ ଅଛି । ଏଥିରେ ଧ୍ୱନିବିଜ୍ଞାନ ଓ ଭାଷାବିଜ୍ଞାନ ଭର୍ତ୍ତିହେବ ଆଉ ଭାଷାର ଇତିହାସ ସଙ୍ଗେ ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଅଙ୍କ ମଧ୍ୟ ରହିବ । ଭୂଗୋଳ ଜାଣିବା ଅତ୍ୟନ୍ତ ଆବଶ୍ୟକ । ଏହାକୁ ନ ପଢ଼ିଲେ ଆମ୍ଭମାନେ ଓଡ଼ିଆ ଭାଷାକୁ ଖୋଜି ଖୋଜି କେଉଁ ବାଟେ ୟୁରୋପ, ଆମେରିକା ଯାଇ କେଉଁବାଟେ ପୁଣି ନିଜ ଥାନକୁ ଫେରିଆସିଲୁ, ପୁଣି କେଉଁବାଟେ ଏ ମହାବିଦ୍ୟାଳୟକୁ ଆସିଲୁ ତାହା ପିଲାଏ ଜାଣିପାରିବେନି ଓ ସେ ବାଟରେ ଯାଇପାରିବେନି । ସ୍ୱାସ୍ଥ୍ୟରକ୍ଷା ପଢ଼ି ଭଲ ସ୍ୱାସ୍ଥ୍ୟରକ୍ଷା ନ କଲେ ଓଡ଼ିଆ ବିଭାଗରେ ଯେଉଁ ଦଳାଦଳି, ଚକଟା, ମାଡ଼ପିଟ ହେଉଛି, ସେଥିରେ ସେମାନେ ଉଭେଇଯିବେ । ସେହିପରି ଅଙ୍କ ଦରକାର । ଚାକିରିରେ କିପରି ଭାବରେ ହିସାବ କିତାବ କଲେ ଅଗ୍ରତ୍ୱ ବା ସିନିଅରିଟିଟା ଆଗ ମିଳିଯିବ, ତାହା ଜଣା ପଡ଼ିଯିବ ।

 

ସପ୍ତମ ଓ ଅଷ୍ଟମ ଭାଗରେ ଯେଉଁ ୫ଟି କରି ବିଭାଗ ଅଛି, ସେଥିରୁ ଦ୍ୱିତୀୟ ବିଭାଗଟି ତାଡ଼ି ଫୋପାଡ଼ି ଦିଆଯିବ । ଏ ବିଭାଗଟି ହେଲା ଲୋକଗୀତ, ଲୋକଗପ, ଲୋକନାଟ୍ୟ ଓ ଗୀତି କବିତା । ଏଗୁଡ଼ାକ ରହିଲେ ପିଲାଏ ଡେଙ୍ଗା ଦାସଙ୍କ ବହି ପଢ଼ିବେ, ତାଙ୍କ ପାଖକୁ ଦଉଡ଼ିବେ । ଏଗୁଡ଼ାକ ମୋ ଦିହରେ ଯିବ ନାହିଁ । ମୋତେ ସେ ଯେତେ ହଇରାଣ କରିଛି, ସେ କଥା ମୁଁ କଅଣ ଭୁଲିବି ? ସେ ବିଭାଗକୁ ଉଠାଇବା ହେଲା ପ୍ରଥମ କଥା । ପଞ୍ଚମ ବିଭାଗଟି ଅର୍ଥାତ୍ ଓଡ଼ିଆ ସାହିତ୍ୟରେ ଧର୍ମଧାରା ଓ ଓଡ଼ିଆ ବୈଷ୍ଣବ ସାହିତ୍ୟକୁ ବାଦ୍ ଦେବା । କାରଣ ଆମ ଦେଶ ଧର୍ମନିରପେକ୍ଷ । ଏତକ ଛାଡ଼ି ଆଉ ଯାହା ରହିଲା ତାହା ରହିବ ।

 

ଏ ଥରକ ଆପଣମାନେ ପ୍ରସ୍ତାବ ଦିଅନ୍ତୁ, କାରଣ ପାଠ୍ୟକ୍ରମକୁ ଗଣତନ୍ତ୍ରମୂଳକ କରିବାକୁ ହେବ ।

 

ଫୁସ୍‌ପଣ୍ଡିତଙ୍କୁ ସର୍ବଦା ସ୍ତୁତି କରୁଥିବା ଓ ପାଖରେ ବସିଥିବା ଅଧ୍ୟାପକ ଜଣକ କହଲେ–“ଆଜ୍ଞା, ନବମ ପେପର୍‌ଟା ଏ ପର୍ଯ୍ୟନ୍ତ ଘରୋଇଭାବେ ଥିଲା, ତାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ । ଏ ବିଷୟଟିର ଗୁରୁତ୍ୱ ଏତେ ବେଶି, ଶିକ୍ଷା ପରେ କର୍ମକ୍ଷେତ୍ରର ସବୁଠାରେ ଏହା ଅନୁଭୂତ ହୁଏ । ଚାକିରିଟାଏ ପାଇବାକୁ, ପାଇ ତାର ସ୍ଥାୟିତ୍ୱ ରଖିବାକୁ, ପ୍ରମୋସନ ପାଇବାକୁ, ଉପରିସ୍ଥ ହାକିମଙ୍କୁ ସଦା ସନ୍ତୁଷ୍ଟ ରଖିବାକୁ, ଚାକିରିରେ ଖରାପ ଥାନକୁ ବଦଳି ନ ହେବାକୁ, ସମସ୍ତଙ୍କୁ ହାତରେ ରଖି ହାତ ଚିକଣେଇବାକୁ ଏ ପାଠଟାର ଅସୀମ ଆବଶ୍ୟକତା ରହିଛି-। ଯେଉଁ ପିଲାଏ ଘରୋଇ ଭାବରେ ଏ ବିଦ୍ୟାରେ ଅଭ୍ୟସ୍ତ, ସେମାନେ କର୍ମକ୍ଷେତ୍ରରେ ବିରାଟ ସଫଳତା ଲାଭ କରୁଛନ୍ତି । ଯେଉଁମାନେ ଏ ବିଦ୍ୟାରେ ପାରଙ୍ଗମ ନୁହନ୍ତି, ସେମାନେ ଆଠଟାଯାକ ପେପରରେ ପ୍ରଥମ ଶ୍ରେଣୀର ନମ୍ବର ରଖିଥାନ୍ତୁ ପଛକେ କର୍ମକ୍ଷେତ୍ରରେ ପ୍ରତି ପଦରେ ଠୋକର ଖାଇ ଭାଙ୍ଗିପଡ଼ନ୍ତି । ଏ ପେପରଟିର ନାମ “ତୈଳତତ୍ତ୍ୱ’’ ରହିବ । ଏହାକୁ ଥିଓରି ଓ ପ୍ରାକ୍‌ଟିକାଲ୍ ଦୁଇ ଭାଗରେ ବିଭକ୍ତ କରି ଦିଆଯିବ । ଏହାର ଅଧ୍ୟାପନା ଏକ ସ୍ୱତନ୍ତ୍ର ଧରଣର ହେବ-। ଏବି ବିଷୟର ଅଧ୍ୟାପକମାନେ ସେମାନଙ୍କ ମୁଖ୍ୟଙ୍କୁ ପିଲାମାନଙ୍କ ଆଗରେ ନିରୁତା ଏରଣ୍ଡବୀଜ ତୈଳରେ ମର୍ଦ୍ଦନ କରିବେ । ମୁଖ୍ୟ ଟିକିଏ ମୁରୁକିହସା ଦେଲେ ଅଧ୍ୟାପକମାନେ ଠୋ ଠୋ ହୋଇ ହସିବେ । ମୁଖ୍ୟ ଟିକିଏ ମୁହଁ ଶୁଖାଇଲେ ସେମାନେ କାନ୍ଦି ପକାଇବେ । ମୁଖ୍ୟ “ଧ” ବୋଲି କହିଲେ ସେମାନେ ବେଢ଼ିଯାଇ ପୁଳାଏ ପୁଳାଏ କାମୁଡ଼ି ଦେବେ । ମୁଖ୍ୟ ବିଦେଶ ଯାଇ ଯେଉଁ ଓଡ଼ିଆ ପାଠ ହାସଲ କରିଥିବାରୁ ଓଡ଼ିଆ ବିଭାଗରୁ ମୁଖ୍ୟ ବନିଗଲେ ତାହା ଯେ ଏକ ଅଦ୍ୱିତୀୟ ପାଠ, ତାହା ଅଧ୍ୟାପକମାନେ ଛାତ୍ରମାନଙ୍କ ସପକ୍ଷରେ ମୁଖ୍ୟଙ୍କୁ କଳାପୂର୍ଣ୍ଣ ଭାବରେ କହିବେ-। ମୁଖ୍ୟଙ୍କ ଘରକୁ ଯାଇ ତାଙ୍କ ପିଲାଙ୍କୁ କାଖେଇବା, ବଜାର ସଉଦା କରିଦେବା, ଘିଅ, ମାଛ ଯୋଗାଇବା ଆଦି କର୍ମ ଛାତ୍ରମାନଙ୍କୁ ସଙ୍ଗରେ ନେଇ କରିବା ଇତ୍ୟାଦି ଶିକ୍ଷଣୀୟ ବିଷୟ ପାଠ୍ୟକ୍ରମର ଅନ୍ତର୍ଗତ ହେବ । ଏହି ବିଷୟଟି ଛାତ୍ରଜଗତରେ ଏକ ବିରାଟ ପରିବର୍ତ୍ତନ ଆଣି ଦେବ-। ଛାତ୍ରମାନେ ଆଉ ଉତ୍ପାତିଆ ହେବାକୁ ସାହସ କରିବେ ନାହିଁ । ଫଳରେ ଛାତ୍ରବିଶୃଙ୍ଖଳା କୁଆଡ଼େ ଉଭେଇଯିବ । ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟମାନେ ଆମଠୁଁ ଶିଖି ନିଜ ନିଜ ଇଲାକାରେ ତାକୁ ଚାଲୁ କରାଇବେ । କ୍ରମେ ଏହା ସାରା ପୃଥିବୀକୁ ବ୍ୟାପିଯିବ । ଆପଣଙ୍କର ଜୟ ଜୟକାର ଚାରିଆଡ଼େ ଶୁଭିବ । ପଦ୍ମଶ୍ରୀ ପଦଟା ଆପଣଙ୍କ ପାଇଁ ଥୁଆ ହୋଇଯିବ । ତା ପରେ ଆପଣଙ୍କୁ ଲୋକେ ଘୋଷାଡ଼ି ନେଇ ଶିକ୍ଷାମନ୍ତ୍ରୀ ଆସନରେ ବସାଇ ଦେବେ ।”

 

ଆଉ ଜଣେ ଅଧ୍ୟାପକ ଉଠି ଆରମ୍ଭ କଲେ—“ପାଠ୍ୟକ୍ରମରେ କେବଳ ଭାଷା ଓ ସାହିତ୍ୟ ରଖିଲେ ପୂର୍ଣ୍ଣତା ଆସିବ ନାହିଁ । ସେଥିରେ ସଂସ୍କୃତି ମିଶିବା ଚାହି । ଏଇଟା ହେବ ଦଶମ ଭାଗ । ଏଥିରେ ପାଲା, ଦାସକାଠିଆ, ଛଉ ନାଚ, ଘୋଡ଼ା ନାଚ, ଓଡ଼ଶୀ ନାଚ, ଦଣ୍ଡନାଚ, କେଳା–କେଲୁଣୀ ନାଚ ଆଦି ରହିବ ।”

 

ଗୋଟିଏ ପିଲା ହଠାତ୍ ଉଠିପଡ଼ି କହିଲା—“ଏଥିରେ ଟୁଇଷ୍ଟ୍ ରଖୁଛ ନା ଦେଖିବ ।” ସମସ୍ୱରରେ ଫୁସ୍‌ ପଣ୍ଡିତେ ଓ ଅଧ୍ୟାପକମାନେ “ତଥାସ୍ତୁ, ତଥାସ୍ତୁ” ବୋଲି ଚିଲେଇ ଉଠିଲେ ।

 

ଜଣେ ଗଜା ଭେଣ୍ଡିଆ ଉଠିପଡ଼ି କହିଲା—“ସଂସ୍କୃତି ଭିତରେ “ଟଣାଟଣି’ଟା ରଖ । ଏହା ଆମ ସଂସ୍କୃତିର ଏକ ବଡ଼ ଅଙ୍ଗ । ଅନ୍ୟମାନେ ପେଲାପେଲି ହୋଇ ଉପରକୁ ଉଠି ଯାଉଛନ୍ତି-। ଆମେ ଟଣାଟଣି ହୋଇ ତଳକୁ ଯିବା । ସମସ୍ତେ ଉପରକୁ ଯାଇ ଭିଡ଼ ଜମେଇଲେଣି । ବହୁତ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି । ସେଠି କଳି ଆରମ୍ଭ ଟଣାଟଣି ହୋଇ ସେଇଠିକୁ ଗଲେ ବେଶ୍ ଆରାମରେ ହାତ ଗୋଡ଼ ଲମ୍ବେଇ ବସିବା । ମନଇଚ୍ଛା ଗଡ଼ିବା, ଶୋଇ ଘୁଙ୍ଗୁଡ଼ି ମାରିବା-। “ଟଣାଟଣି” ର ଏତେ ଏତେ ଫାଇଦା ଅଛି । ତେଣୁ ଏ “ଟଣାଟଣି”ର କଳାଟାକୁ ଭଲ କରି ଆୟତ୍ତ କରିନେବା ଆମର ନିତାନ୍ତ ଦରକାର । ଏଇଟା ଅଲବତ୍ ପାଠ୍ୟକ୍ରମରେ ରହିବ ।” ଫୁସ୍‌ପଣ୍ଡିତଙ୍କ ମନକୁ କଥାଟା ପାଇଗଲା । ସେଇଟାକୁ ସେ ତାଲିକାଭୁକ୍ତ କରିନେଲେ । ଦଶମ ଭାଗର ମୁଣ୍ଡି ମରାହେବାକୁ ଯାଉଛି, ଏହି ସମୟରେ ଆଉ ଜଣେ ଚିଲେଇ ଉଠିଲା—“ବନ୍ଦକର, ଆମ ସଂସ୍କୃତିର ସବୁଠୁଁ ବଡ଼ ବିଷୟ ବାଦ୍ ପଡ଼ିଯାଇଛି । ସେଇଟା ହେଲା “ପରଶ୍ରୀକାତରତା’’ । ଏ ରାଇଜରେ ଯାହାକୁ ପଚାରିବ, ସେ କହିବ—“ଶାଗଖିଆର ଶିରୀ ପେଜପିଆ ଦେଖିପାରେ ନାହିଁ ।” ଏହା ଆମର ଏକ ମହତ୍ ସଂସ୍କୃତି । ଶ୍ରୀ ବଢ଼ିଲେ ମନରେ ଗର୍ବ ଆସେ । ଫଳରେ ମଣିଷ ଭଗବାନଙ୍କଠାରୁ ଦୂରେଇଯାଏ । “ପରଶ୍ରୀକାତରତା” ସମସ୍ତଙ୍କ ଶ୍ରୀ କମାଇବାରେ ସାହାଯ୍ୟ କରି ଆମ୍ଭମାନଙ୍କୁ ଭଗବାନଙ୍କର ନିକଟତର କରାଏ । ଏଣୁ ଏହି “ପରଶ୍ରୀକାତରତା”ଟାକୁ ଭଲ ଭାବରେ ଶିକ୍ଷା କରିବା ଦରକାର । ଏପରି ପାଠକୁ ଛାଡ଼ିଦେଇ ଚାଲିଯାଉଛ କୁଆଡ଼େ ? ରଖ ଏହାକୁ ।”

 

ଏଇଟାକୁ ବି ଦଶମ ଭାଗରେ ରଖାଗଲା । ସେତେବେଳକୁ ସମସ୍ତଙ୍କ ମନରେ ୭୫ ପଇସାର ସନ୍ତୋଷ ଆସିଗଲାଣି । ହଠାତ୍ ବାହାରୁ ଗୋଟାଏ ଡେଙ୍ଗା ହୋଇ ଲୋକ ଧଇଁସଇଁ ହୋଇ ଭିତରକୁ ପଶିଆସିଲେ । ତାଙ୍କୁ ଏପରି ଅସ୍ତବ୍ୟସ୍ତ ହେବାର ଦେଖି ଜଣେ ଅଧ୍ୟାପକ ପଚାରିଲେ—“କି-ହୋ, ନୀଳମଣୀ ମାହାନ୍ନା ବାବୁ ! ତୁମେ ବାଣୀବିହାର ଛାଡ଼ି ଏମିତି ଧଇଁ ସଇଁ ହୋଇ ଏଠିକି ଆସିଛ କାହିଁକି ?”

 

ନୀଳମଣୀ ମାହାନ୍ନାଏ ମୁହଁଟା ପୋଛିପକାଇ ଓ ପାଟିରେ ଚଟାପଟ୍ ଚାରିଟା ପାନଖିଲ ଗୁଞ୍ଜିଦେଇ କହିଲେ—“ଆଜ୍ଞା ! ଆପଣମାନେ ଏଠୁ ଛାଡ଼ି ପଳାନ୍ତୁ, ନ ହେଲେ ଜୀବନ ପାଇବେନି-। ଆପଣମାନେ ଗାଣତାନ୍ତ୍ରିକ ପାଠ୍ୟକ୍ରମ ତିଆରି କରୁଛନ୍ତି, ଅଥଚ ଜଣେହେଲେ ମାଈ ଅଧ୍ୟାପକ ଡାକି ନାହାନ୍ତି ? ସବୁ ମାଈ କଲେଜର ପ୍ରିନ୍‌ସିପାଲ୍ ଓ ଲେକ୍‌ଚରର୍ ମାନେ ହାତରେ ବେଲଣା କାଠ, ପନିକି, ଗୁଆକାତି ଧରି ଆପଣମାନଙ୍କ ଉପରେ ଚଢ଼ାଉ କରିବାକୁ ଭୁଲରେ ବାଣୀବିହାରରେ ଯାଇ ପହଞ୍ଚିଥିଲେ । ସେଠାରୁ ଇଆଡ଼େ ଆସିବା ପାଇଁ ସଜବାଜ ହେଉଛନ୍ତି । ଶୀଘ୍ର ଏଠୁ ପଳାନ୍ତୁ, ନ ହେଲେ ଆପଣମାନଙ୍କର ଦଫା ରଫା ହୋଇଯିବ ।”

 

ସମସ୍ତଙ୍କ ଭିତରେ ହାଲିହୋଳ ପଡ଼ିଗଲା । ଯେତେହେଲେ ସେମାନେ ହେଉଛନ୍ତି ଶକ୍ତି ସ୍ୱରୂପା । ସ୍ୱୟଂ ମହାଦେବଙ୍କୁ ନ ମାନି ତାଙ୍କ ଛାତି ଉପରେ ଚଢ଼ି ଯାଇଛନ୍ତି । ସେମାନଙ୍କ ବେଲଣା କାଠି, ପନିକି ଓ ଗୁଆକାତିରୁ ବିରାଡ଼ିଛୁଆଟାଏ ବି ବର୍ତ୍ତିବ ନା !

 

ଫୁସ୍‌ପଣ୍ଡିତେ ଛାନିଆ ହୋଇଯାଇ ମାହାନ୍ନାଙ୍କୁ କହିଲେ—“ହେ ମାହାନ୍ନାଏ ! ତମ ହାତ ଧରୁଛି, ତୁମେ ଯାଅ ବାଟ ଓଗାଳି ସେମାନଙ୍କୁ କହିବ, ସେମାନଙ୍କର ଯାହା ରଖିବାର କଥା ତୁମକୁ କହିଦେଲେ ମୁଁ ତାକୁ ପାଠ୍ୟକ୍ରମରେ ପଛନ୍ତେ ଭର୍ତ୍ତି କରିଦେବି । ଯାଅ, ଶୀଘ୍ର ଯାଅ । ଏତକ କରାଇଦେଲେ ତୁମେ ଯେତେବେଳେ ଓଡ଼ିଆରେ ଏମ୍.ଏ. ପରୀକ୍ଷା ଦେବ, ମୁଁ ତୁମକୁ ଫାଷ୍ଟ କ୍ଲାସ୍ ଫାଷ୍ଟ କରିଦେବି । ଆଉ ଡେରି କରନା, ଯାଅ ।”

 

ମାହାନ୍ନା ବେଲଣା କାଠି ଫଉଜଙ୍କୁ ବାଟରୁ ଓଗାଳିବା ପାଇଁ ଗଲା ପରେ ଭୟରେ ଯେ ଯୁଆଡ଼େ ଛାଟିପିଟି ହୋଇ ପଳାଇଗଲେ ।

☆☆☆

 

କବିର ଆଶା

 

ଚାରି ଅଙ୍ଗୁଳିଆ କବି ପର୍ବତ ଦାସ ହାବେଳି ସାହିତ୍ୟ ସଦନରେ ବେଶ୍ କଥାବାର୍ତ୍ତାରେ ମଜ୍ଜି ଯାଇଥାଆନ୍ତି । କବି ଓ ଲେଖକମାନଙ୍କର ଆଶା ଆକାଙ୍‍କ୍ଷା ବିଷୟରେ ଆଲୋଚନା ଚାଲିଥାଏ ।

 

ଜଣେ କହିଲେ—“ଲେଖକ ଗୋଷ୍ଠୀଏ ସବୁବେଳେ ଦରକାରଠୁଁ ବେଶୀ ଆଶା କରି ବସନ୍ତି । ଫଳରେ ବେଶୀ ମାଙ୍କଡ଼ଚିତ୍ ମାରନ୍ତି । ମଜ୍ଜା କଥା ହେଉଛି, ଏଇ “ମାଙ୍କଡ଼ଚିତ୍’’ରୁ ଓଲଟା ଲଫା ଉଠାନ୍ତି । ଯେଉଁ ଲେଖକ ଯେତେ ବଡ଼ ମାଙ୍କଡ଼ଚିତ୍ ମାରିଥାଏ, ସେ ସେତେ ବେଶି ଲଫା ଉଠାଏ ।”

 

ଆଉ ଜଣେ ପ୍ରତିବାଦ କରି କହିଲେ—“ନିହାତି ବାଜେ କଥା । ତୁମେ ଯାହା ନାଇଁ ତାହା କହିଦେଲେ ଆମେ କଅଣ ଗ୍ରହଣ କରିନେବୁ ? ବ୍ରହ୍ମା ବିଳିବିଳେଇଲେ ବେଦ ହେଲା ପରି ପାଇଛ କି ? ଗୋଟାଏ ଉଦାହରଣ ଦେଇ କହିଲ ଦେଖି !”

 

“ଏଇ କଥା ? ଗୋଟାଏ କଅଣ ପଚିଶଟା ନଉନା । କିଏ ସିନା ଭୂଇଁ ଉପରେ କୋଠା ଗଢ଼େ, ଲେଖକ କିନ୍ତୁ ଏକାବେଳକେ ଅଧା ସ୍ୱର୍ଗରେ ମୂଳଦୁଆ ପକାଇଦିଏ । ମାଟିଘର କି ଝାଟିଘର ତା ଆଖିରେ ନ ଥାଏ । ସେ ଏକାବେଳକେ ଗୋଟାଏ ରାଜପ୍ରସାଦ ବନେଇ ଦିଏ । ନିଜ ମୁଣ୍ଡରେ ରାଜା ବା ରାଜକୁମାରର ଠେକା ଭିଡ଼ିଦିଏ । ଆଶାରେ ଆଶାରେ ଅମୃତମଣୋହ ଅଣ୍ଡାଳୁ ଅଣ୍ଡାଳୁ ଶୁଖା ଖଡ୍‍ଖଡ଼୍‍ ଭାତହାଣ୍ଡି ହାତରେ ବାଜେ । ତାର ଚେତା ଆସେ, ପେଟ ଭୋକରେ କଅଁ କଅଁ ଡାକେ । ଅଧାସ୍ୱର୍ଗରୁ ତା ରାଜପ୍ରାସାଦଟା ଧପାସ୍ କରି ତଳେ କଚାଡ଼ି ହୋଇପଡ଼େ, ଟିକି ଟିକି ହୋଇଯାଏ । ମନରେ ତାର ଗୋଟାଏ ପରାସ ରହିଯାଏ । ସାଧାରଣ ଲୋକ ହୋଇଥିଲେ ରେଳ ତଳେ ଶୁଅନ୍ତା, ପୋଟାସିଅମ୍ ସାଇନାଇଡ୍‍ ଖାଆନ୍ତା, ବେକରେ ପଥର ବାନ୍ଧି କୂଅ ପୋଖରୀକୁ ଡିଅନ୍ତା କିମ୍ବା ଟାଣୁଆ ଡାଳ ଦେଖି ଦଉଡ଼ି ଦିଅନ୍ତା । କିନ୍ତୁ ଲେଖକ ଏହି ପରାସକୁ ମୂଳଦୁଆ କରି ପହିଲି ଘରଠୁଁ ବଳି ଆହୁରି ବଢ଼ିଆ ତାଜମହଲଟାଏ ଗଢ଼ିଦିଏ । ଆଉ ଗୋଟାଏ ଉଦାହରଣ ଦେଖ-। ଝିଅପିଲାଙ୍କ ସାଙ୍ଗରେ ଟିକିଏ ହେଁ ହେଁ ଫେଁ ଫେଁ ହେଉ ହେଉ ଲେଖକ ପ୍ରାୟ ବେଶି ଆଶା କରି ବସେ । ଆଶାରେ ଆଶାରେ ଏକାବେଳକେ ରମ୍ଭା, ଉର୍ବଶୀ, ମେନକାଙ୍କ ସଙ୍ଗେ ହାତଗଣ୍ଠି ପକାଇଦିଏ । ଠୋକର ତ ଏଥିପାଇଁ ଥୁଆ । କିନ୍ତୁ ଏମିତିଆ ଠୋକର ଖାଇ ସେ କାଢ଼ିଛି–ରୋମିଓ ଯୁଲିଏଟ୍, ଲୟଲା ମଜୁନୁ ଓ ଶିରୀନ୍-ଫରହାଦ୍ । ଆ-ହା-ହା, କାଳ କାଳକୁ ସେଗୁଡ଼ିକ ଜକ ଜକ ହୋଇ ଦିଶୁଛି ଓ ଦିଶୁଥିବ ।”

 

ଏତିକିବେଳେ ଜେନା କବି ମୁରାରୀମୋହନ ଜେନା ସଦନ ଭିତରକୁ ପଶିଆସିଲେ । ସଦନ ଭିତରେ କବି ପର୍ବତ ଦାସଙ୍କୁ ଦେଖିବାମାତ୍ରେ ତାଙ୍କ ମୁହଁ ଝାଉଁଳିଗଲା । ମୁହଁରୁ ହସତକ ଯେମିତି କିଏ ପୋଛି ନେଇଗଲା । ବାଆଁରେଇ ହୋଇ ଖସି ପଳାଇବାକୁ ବାହାରିଲାରୁ ଅନ୍ୟମାନେ ଅନୁରୋଧ ଓ ଜିଗର କରି ବସାଇଲେ । “କବିର ଆଶା” ଆଲୋଚନାର ସୁଅ ପୁଣି ବନ୍ଧ ଫଟେଇ ଛୁଟିଲା ।

 

ପର୍ବତ ଦାସଙ୍କ ଅନ୍ତରଙ୍ଗ ବନ୍ଧୁ ଶିଖର ଦାସ କହିଲେ—“ଏ ‘ଆଶା’ କଥାଟା କାହାକୁ କେମିତି ଲାଗୁଛି କେଜାଣି, ମୋତେ କିନ୍ତୁ ଖାଣ୍ଟି ସତକଥା ପରି ଲାଗୁଛି । ପ୍ରକୃତରେ କବିମାନେ ସବୁ ବିଷୟରେ ବେଶି ଆଶା କରି ଠୋକର ଖାଆନ୍ତି ।”

 

ପର୍ବତ ଦାସେ ତାଙ୍କୁ ସମର୍ଥନ କରିବାକୁ ଯାଇ କହିଲେ—“ଠିକ୍ କହିଛ, ବିଲକୁଲ୍ ଠିକ୍-। କିଏ କଅଣ ଆଶା କରି ଠୋକର ଖାଇଛି ମୁଁ ଜାଣେନା, କିନ୍ତୁ ମୁଁ ନିଜେ ମରିବାକୁ ଆଶା କରି ଏମିତିଆ ଏକ ଠୋକର ଖାଇଛି ଯେ, ମୋର ତାହା କାଳ କାଳକୁ ମନେ ରହିଛି ଓ ରହିବ । ସେହି ଠୋକରରେ ମୋର ଏହି ବାଁ ବୁଢ଼ା ଆଙ୍ଗୁଠି ଉଡ଼ିଗଲା ।”

 

ଏତକ କହି ସେ ନିଜ ବାଁ ହାତଟି ସମସ୍ତଙ୍କୁ ଦେଖାଇ ଚାରିଟି ଆଙ୍ଗୁଠି ନଡ଼ ନଡ଼ କରିବାକୁ ଲାଗିଲେ । ସମସ୍ତେ ନଡ଼ ନଡ଼ ହେଉଥିବା ଆଙ୍ଗୁଠିଗୁଡ଼ିକୁ ଆଗ୍ରହର ସହିତ ଲକ୍ଷ୍ୟ କରିବାକୁ ଲାଗିଲେ । କିନ୍ତୁ ଜେନା କବି ବିରୁଡ଼ି ମାରିଲା ପରି ଛାଟିପିଟି ହୋଇ ପଳାଇଗଲେ । ଅଧିକାଂଶ ଏହାକୁ ସତ ମଣି ଚୁପ୍‍ଚାପ୍ ରହିଲେ । ଶିଖର ଦାସ କିନ୍ତୁ କୁର୍ କୁର୍ ହସି କହିଲେ–“ଜେନା କବିଙ୍କୁ ମାଡ଼ିବସିଲା ଲାଜ । ପର୍ବତ ଦାସଙ୍କ ଆଙ୍ଗୁଠି ଲାଜମୁଣିକୁ ଖୋଲି ଦେଲା-।”

 

ସମସ୍ତେ ଅବାକ୍ ହୋଇଗଲେ । କି ଆଶ୍ଚର୍ଯ୍ୟ ! ପର୍ବତ ଦାସଙ୍କ ଆଙ୍ଗୁଠି ସହିତ ଜେନା କବିଙ୍କର କି ସମ୍ବନ୍ଧ ! ଏ ସମ୍ବନ୍ଧ ଭିତରେ ଲାଜ ବା ପଶିଲା କେମିତି ? ନାନା ପ୍ରଶ୍ନ, ପ୍ରଶ୍ନ ଉପରେ ପ୍ରଶ୍ନ ଉଠି ଶିଖର ଦାସଙ୍କୁ ବିବ୍ରତ କରି ପକାଇଲା । ସେ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ–“ଥୟ ଧର, ସବରାତ୍ କର । ଟିକିନିଖି କରି ସେ କଥାଟି କହିବି । କଥାଟିର ଇସାରା ଯେତେବେଳେ ଦେଲିଣି, ସେତେବେଳେ ନ କହି ଆଉ ଚାରା ନାହିଁ । ବିଶେଷତଃ ସମସ୍ତେ ଯେତେବେଳେ ଶୁଣିବାକୁ ଏତେ ଆଗ୍ରହ ପ୍ରକାଶ କଲଣି, ସେତେବେଳେ ମୁଁ ନ କହି ରହିପାରୁଛି କେତେକେ ! ଆହୁରି ମଧ୍ୟ କଥାଟି ଆମର ଆଜିକା ଆଲୋଚନା ସହିତ ଏକାବେଳକେ ସଂପୃକ୍ତ, ଠିକ୍ ମେଣ୍ଢାବାଳ ଜଡ଼ାତେଲ ପରି ।”

 

ଜଣେ ଅଥୟ ହୋଇପଡ଼ି କହିଲେ—“ଲେମ୍ବୁ ଲୁଣ ପରି, କଥାଟା ତ କହିଦେବ, ଏତେ ଭୂମିକାରେ କି ଲୋଡ଼ା ?”

 

“ହଉ ତେବେ ଶୁଣ । ଏ ପ୍ରାୟ ତିନି ବର୍ଷ ତଳର କଥା । ତିନିଟା ବର୍ଷ ମୋତେ ତିନିଦିନ ପରି ଲାଗୁଛି । ସତେକି ଯେମିତି କାଲି ସକାଳେ ଘଟିଯାଇଛି ! ସମୟଟା କେଡ଼େ ତରତରରେ ପଳେଇଛି ! କାହାରିକୁ ତାର ଅପେକ୍ଷା ନାହିଁ । କେହି ବି ତାକୁ ଅଟକାଇ ପାରେନି । ସେ ଅନାଦି, ସେ ଅନନ୍ତ । ସେ….”

 

“ବାହାରିଲା, ବାହାରିଲା, ଫେର୍ ରୋଗ ବାହାରିଲା । ହେ, ତୁମ ଦର୍ଶନ ତୁମେ କାନ୍ଥବାଡ଼କୁ ଶୁଣାଉଥାଅ, ଆମେ ଚାଲିଲୁ । ତୁମ ଦର୍ଶନ ଶୁଣିବାକୁ ଆମର ସମୟ ନାହିଁ । ଏହା କହି ସେ ଦି’ ଚାରି ଜଣଙ୍କୁ ଧରି ଉଠିବାର ଉପକ୍ରମ କରିବାକୁ ଶିଖର ଦାସ ଧରିପକାଇ ସମସ୍ତଙ୍କୁ ବସାଇଦେଲେ ଓ ଠୋ ପଟାସ୍ ଆରମ୍ଭ କରିଦେଲେ । ଅସଲ କଥାଟା—

 

୩ ବର୍ଷ ପୂର୍ବେ ପର୍ବତ ଦାସଙ୍କ ଦିହ ଖରାପ ହେଲା । କବି ଓ ଲେଖକମାନେ ତ ସହଜେ ନିଅଣ୍ଟିଆ । ରୋଗ ତ ଆଉ ନିଅଣ୍ଟ ବୁଝିବନି ! ସେ ପ୍ରତିରୋଧ ନ ପାଇ ବଢ଼ି ଚାଲିଲା । ଦିନ କେତେଟାରେ ସେ ହାଲିଆ ହୋଇପଡ଼ିଲେ । ଏଣେ ଓଷଦ କିଣିବାକୁ ଟଙ୍କା ନାହିଁ, ତେଣେ ରୋଗ ବି କମିବାକୁ ନାରାଜ । ପହିଲେ ପହିଲେ ସାଙ୍ଗସୁଙ୍ଗା ସବୁ ଆସି ନାନାପ୍ରକାର ଶୁଖିଲା ଆଶ୍ୱାସନା ଦେଉଥିଲେ । ରୋଗଟା ଯେତେବେଳେ ସାଙ୍ଘାତିକ ହୋଇଉଠିଲା, ଅନେକ ଆସିବା ବନ୍ଦ କରିଦେଲେ । କାରଣ ପାଖରେ ଥାଇ ଡାକ୍ତର ନ ଡକାଇଲେ କି ଓଷଦ ନ କିଣି ଆଣିଲେ ପର୍ବତ ଦାସ ଭାବିବେ କଅଣ ? ବାହାର ଲୋକେ ବି ଭାବିବେ କଅଣ ? ସବୁଠୁଁ ଭଲ ଦୂରକୁ ପଳେଇବା । ପଇସାକୁ ଭଲ କରି ଚିହ୍ନିଥିବା ସାଙ୍ଗମାନେ ଏଇଥିଲାଗି ଖସିଲେ । ଯେଉଁ କେତେଜଣ କର୍ତ୍ତବ୍ୟ ବିଷୟରେ ବେଳେବେଳେ ଭାବୁଥିଲେ, ସେମାନେ ଦେଖିଲେ ଯେ ତାଙ୍କର ସେବାଶୁଶ୍ରୂଷା ନିହାତି ଦରକାର, କିନ୍ତୁ ସେତକ କରିବାକୁ ତାଙ୍କ ପାଖରେ କେହି ନାହିଁ । ସେ ଥିଲେ ଏକ ଲଙ୍ଗଳା ଲୋକ । ବାହା ହୋଇ ନଥିଲେ । ତେଣୁ ପିଲାକବିଲାଙ୍କ ପ୍ରଶ୍ନ ଉଠିବ କୁଆଡ଼ୁ ? କିଛି ଗୋଟାଏ ବ୍ୟବସ୍ଥା ନ କରିବା ବି ନିହାତି ଅମାନୁଷିକ କାମ ହେବ । ଏପରି ସ୍ଥଳେ ହାସପାତାଳ ହିଁ ଏକମାତ୍ର ଆଶ୍ରୟସ୍ଥଳ । ଦାୟିତ୍ୱ ଚାଲିଯିବ । ତେଣିକି ମଝିରେ ମଝିରେ ଟିକିଏ ମୁହଁ ମାରିଦେଇ ଆସିଲେ ହେଲା । ସବୁଆଡ଼ୁ ମଣିଷକୁ ତ୍ରାହି ମିଳିଯିବ । ଶେଷରେ ସେହି ଦି’ ଚାରି ଜଣଙ୍କ ଉଦ୍ୟମରେ ପର୍ବତ ଦାସ ହାସପାତାଳରେ ଭର୍ତ୍ତି ହେଲେ ।

 

ହସ୍‍ପାତାଳରେ ଭର୍ତ୍ତି ହୋଇଗଲେ ଯେ ରୋଗ ଡରି ମରି ପଳେଇବ, ତାହା ନୁହେଁ । ରାଇଜସାରା ସବୁଠି ହରିଲୁଟ୍ । ହାସ୍‌ପାତାଳ ସେଥିରୁ ବାଦ୍ ପଡ଼ିବ କାହିଁକି ? ସେଠି ବାଲିଗରଡ଼ାଠାରୁ ବଡ଼ ଶାଳଗ୍ରାମ ପର୍ଯ୍ୟନ୍ତ ସମସ୍ତଙ୍କ ପୂଜା ନ କଲେ ରୋଗୀର ଭାଗ୍ୟ ନ ଖୋଲେ-। ପର୍ବତ ଦାସଙ୍କର ଏତେ ପୂଜା କରିବାର ତାକତ୍ ନ ଥିଲା । ଫଳରେ ରୋଗର ତାକତ୍ ବଢ଼ିବାକୁ ଲାଗିଲା । ସାଙ୍ଗମାନେ ପ୍ରମାଦ ଗଣିଲେ । ଡାକ୍ତରମାନେ ଦିହ ଲଗେଇ ଯତ୍ନ ନେଉ ନ ଥିବା କଥା ସମସ୍ତେ ଲକ୍ଷ୍ୟ କଲେ । ଏଇଟା ସେମାନଙ୍କ ମନରେ ବିରକ୍ତ ଓ ଉଦ୍‌ବେଗ ସୃଷ୍ଟି କଲା । ଊଣା ଅଧିକେ ସମସ୍ତେ ଲେଖକଗୋଷ୍ଠୀର ଲୋକ । ଶେଷରେ କଲମ ଧରି ଖବର କାଗଜରେ ଖୁବ୍ ପାଟିତୁଣ୍ଡ କଲେ । ସେତେବେଳେ ଯାଇ ଡାକ୍ତରମାନେ ଜାଣିଲେ ଯେ ତାଙ୍କୁ ଇଲାକା ଭିତରେ ଗୋଟାଏ ଲେଖକ ଯମକୁ ଭେଟିବାକୁ ଅପେକ୍ଷା କରି ବସିଛି । ଦୁର୍ନାମକୁ ଡରି ହେଉ ବା ଦୟାକରି ହେଉ, ସେମାନେ ଟିକିଏ ଦେଖାଚାହାଁ କଲେ, ହୁଁ ହାଁ ପାଟି କଲେ । ରୋଗ କିନ୍ତୁ ଏ ପାଟିକୁ କି ଖାତିର କରେ ? ଶେଷରେ ଖୋଦ ପର୍ବତ ଦାସେ ନିଜ ମନୋବଳକୁ ହରାଇ ବସିଲେ-। ସାଙ୍ଗମାନଙ୍କୁ ଫିଟାଇ କହିଲେ—‘‘ଦେଖ, ମୁଁ ଆଉ ବଞ୍ଚିବି ନାହିଁ କି ବଞ୍ଚିବି ନାହିଁ ବୋଲି ଆଉ ଦୁଃଖ ନାହିଁ । ମୋ ପଛରେ କାନ୍ଦିବାକୁ କେହି ନାହାନ୍ତି କି କାହା ଲାଗି ମୋତେ ଭାବିବାକୁ ନାହିଁ । ତୁମମାନଙ୍କ ଆଗରେ ମୁଁ ଖୁସିରେ ମରିବି । ତୁମମାନଙ୍କ କାନ୍ଧରେ ଯିବାର ଭାଗ୍ୟ ଯଦି ମୋର ଥିବ, ତେବେ ତୁମମାନଙ୍କ କାନ୍ଧରେ ଯିବି । ଯଦି ନେଇ ନ ପାରିବ, ତେବେ ଠେଲାଗାଡ଼ିରେ ନେଇଯିବ । ତୁମରି ଭିତରୁ କେହି ହେଲେ ମୋ ମୁହଁରେ ଟିକିଏ ନିଆଁ ଦେଇଦେବ । ତୁମେ’ଇ ମୋର ବନ୍ଧୁବାନ୍ଧବ, ବଉଁଶ, କୁଟୁମ୍ବ ।”

 

ଜଣେ ସଙ୍ଗୀ ବିଚରା କୋହ ସମ୍ଭାଳି ନ ପାରି ଭେଁ କରି କାନ୍ଦି ପକେଇଲା । ଉଛୁଳା କୋହରେ କହିଲା—“ଭାଇ, ଆଉ ସେ ଅଲକ୍ଷଣା କଥା କୁହନା । ତୁମେ ଯେମିତି କହିବ, ଆମେ ସେମିତି କରିବୁ । ଯେତେହେଲେ ଆମେ ଗୋଟିଏ ଗୋଷ୍ଠୀ । ପୋଡ଼ିବା ପାଇଁ ଯେମିତିଆ କାଠ କହିବ ସେମିତିଆ କାଠ ଆଣିବୁ । ଜୁଇରେ ରୀତିମତ ଖାଣ୍ଟି ଚନ୍ଦନ କାଠ ଓ ଗୁଆଘିଅ ପକାଇବୁ । ଆମେ ଏତେ ଲୋକ ଥାଉଁ ଥାଉଁ ଠେଲା ଗାଡ଼ିର କି ଦରକାର ! ରୀତିମତ କୋକେଇରେ ଶୁଆଇ କାନ୍ଧରେ ବୋହି ନେଇଯିବୁ । ବ୍ୟାଣ୍ଡବାଜା ସଂକୀର୍ତ୍ତନର ବନ୍ଦୋବସ୍ତ ମଧ୍ୟ କରିଦେବୁ । ତୁମେ ଖାଲି ଆଖିବୁଜ, ତା ପରେ ଦେଖିବ ଆମେ କଅଣ କରୁଛୁ ।”

 

“ହଉ ଭାଇମାନେ ! ତୁମମାନଙ୍କ ସେତିକି ସ୍ନେହ ସହାନୁଭୂତି ପାଇଲେ ମୁଁ ଆନନ୍ଦରେ ମରିବି” କହି ପର୍ବତ ଦାସ ତୁନି ପଡ଼ିଲେ ।

 

ପର୍ବତ ଦାସଙ୍କର ମୃତ୍ୟୁ ଆସନ୍ନ ଖବରଟା ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ଜେନା କବି ମୁରାରୀମୋହନ ଜେନାଙ୍କ କାନରେ ବାଜିବା ମାତ୍ରେ ସେ ଅଫିସ ଫାଇଲପତ୍ର ଫୋପାଡ଼ିଦେଇ, ଅଫିସରୁ ଦଶଦିନ ଛୁଟି ନେଇ ଡାକ୍ତରଖାନାକୁ ଛୁଟି ଆସିଲେ । ପର୍ବତ ଦାସଙ୍କୁ ଦେଖିବାମାତ୍ରେ ସେ ମନେ ମନେ ଠିକ୍ କରିନେଲେ ଯେ ଖୁବ୍ ବେଶିରେ ଆଉ ପାଞ୍ଚ ଛଅ ଦିନ । ଛୁଟି ଭିତରେ ସବୁକାମ ଫତେ ହୋଇଯିବାର ଅନୁମାନ କରି ସେ ଟିକିଏ ଆଶ୍ୱସ୍ତ ହେଲେ । ବନଶୀବାଲା ଖଡ଼ାର ତେରେଣ୍ଡାକୁ ଟାକି ରହିଲା ପରି ସେ ପର୍ବତ ଦାସଙ୍କର ଶେଷ ନିଶ୍ୱାସକୁ ଟାକି ରହିଲେ । ମୃତ କବିମାନଙ୍କୁ ମଶାଣିକୁ ବୋହିବା, ପୋଡ଼ିବା, ଶୋକସଭା କରିବା ଓ ଖବର କାଗଜରେ ମୃତ୍ୟୁ—ପ୍ରବନ୍ଧ କାଢ଼ିବାରେ ତାଙ୍କର ଯେଉଁ ଏକଚାଟିଆ ଅଧିକାର ଥିଲା, ସେଥିରେ ସେ କାହାରିକୁ ଟିପ ଛୁଆଇଁ ଦେବାକୁ ଚାହୁଁ ନ ଥିଲେ । ତେଣୁ ସେ ପର୍ବତ ଦାସଙ୍କୁ ଜଗି ରହିଲେ ।

 

ଦିନେ ଦି’ଦିନ ପରେ ପର୍ବତ ଦାସ ସମସ୍ତଙ୍କୁ ପାଖକୁ ଡକାଇ କହିଲେ—“ଭାଇମାନେ ! ମୋର ଗୋଟାଏ ମାତ୍ର ବଡ଼ ଆଶା ରହିଛି । ସେତିକି ପୂରଣ କରିପାରିବ ବୋଲି ଶୁଣିଲେ ମୁଁ ଖୁସିରେ ମରନ୍ତି । ପୂରଣ କରିବା ବିଶେଷ କିଛି କଷ୍ଟକର ନୁହେଁ ।”

 

ଜେନା କବି ତ ଏକାବେଳକେ ଡେଇଁପଡ଼ିଲେ । ବିବ୍ରତ ହୋଇ କହି ପକାଇଲେ–“କଅଣ କହୁଛନ୍ତି ଆପଣ ! ଆଦେଶ ଦିଅନ୍ତୁ, ଜୀବନକୁ ପାଣି ଛଡ଼େଇ ମୁଁ କରିଦେବି । ଆପଣଙ୍କ ଶେଷ ଆଶାକୁ ଆମେ ଯଦି ପୂରଣ କରି ନ ପାରିବୁ, ତେବେ ଆମମାନଙ୍କୁ ଧିକ୍–ଆମମାନଙ୍କର ବଞ୍ଚିବାର ହକ୍ ନାହିଁ । ବିନା ସଂକୋଚରେ ଆପଣ ଆଦେଶ କରନ୍ତୁ ।”

 

ଅନ୍ୟମାନେ ଏଥିରେ ସମର୍ଥନ ଜଣାଇବାରୁ ପର୍ବତ ଦାସ ଖନେଇ ଖନେଇ କହିଲେ–“ଶିବ ଚଉରାରେ ବହୁତ କବି ଓ ସାହିତ୍ୟିକ ଆଗରୁ ମାଟି କିଣିଛନ୍ତି । ମୋର ଭାରି ବଡ଼ ଆଶାଟାଏ ରହିଛି, ମଲା ପରେ ସେଇଠି ମାଟି କିଣନ୍ତି । ମୋ ଶବକୁ ସେଇଠି ସତ୍କାର କରିବ ।”

 

ଜେନା କବି ଉତ୍ତେଜିତ ହୋଇପଡ଼ି କହିଲେ—“ମୁଁ ଏହିକ୍ଷଣି ଏହିଠାରେ ପ୍ରତିଜ୍ଞା କରି କହୁଛି—ଆପଣଙ୍କର ଏ ଆଶା ପୂରଣ କରିବି, କରିବି, କରିବି, । ଆପଣ ନିଶ୍ଚିନ୍ତ ହୁଅନ୍ତୁ । ଏଇଟା ଅତ୍ୟଧିକ ଆଶା ନୁହେଁ । ଏଇଟା ଯଥାର୍ଥ ଆଶା । କବି ପାଖରେ କବି ରହିବ ନାହିଁ ତ ରହିବ କେଉଁଠି ! କଅଣ କହୁଛ ସମସ୍ତେ ?”

 

ସମର୍ଥନ ଜଣାଇବାକୁ ସମସ୍ତେ ଯେପରି ଟାକି ରହିଥିଲେ । “ନିଶ୍ଚୟ, ନିଶ୍ଚୟ ଏ କିବା କଥା, ସମସ୍ତେ ଆନନ୍ଦରେ ଏହା କରିବେ” କହି ସମସ୍ତେ ଜେନା କବିଙ୍କୁ ସମର୍ଥନ ଜଣାଇଲେ । ପର୍ବତ ଦାସଙ୍କ ମୁଖମଣ୍ଡଳରେ ଟିକିଏ ପ୍ରସନ୍ନତାର ଆଭା ଫୁଟି ଉଠିଲା ।

 

ଜେନା କବିଙ୍କର ଛୁଟି ଅଧାଅଧି ସରି ଆସିଲା । ପର୍ବତ ଦାସଙ୍କର କିନ୍ତୁ କିଛି ଜଣାପଡ଼ୁ ନ ଥାଏ । ତାଙ୍କ ଶେଷ ନିଶ୍ୱାସଟା ଘୁଞ୍ଚି ଘୁଞ୍ଚି ଯାଉଥିଲା ପରି ଜେନା କବିଙ୍କୁ ଲାଗୁଥାଏ । ସେ ବଡ଼ ଅଥୟ ହୋଇ ଉଠିଲେ । ଧୈର୍ଯ୍ୟ ହରାଇ ବେଳେବେଳେ କହିବାକୁ ଲାଗିଲେ—

 

“ହେ ଭଗବାନ ! ତାଙ୍କୁ ଏ କଷ୍ଟରୁ ମୁକ୍ତି ଦିଅ । ତାଙ୍କ ପାଇଁ ସ୍ୱର୍ଗଦ୍ୱାର ଉନ୍ମୁକ୍ତ କରିଦିଅ । ଏ ଜୀର୍ଣ୍ଣବାସରୁ ତାଙ୍କୁ କାଢିନେଇ ନୂତନ ବାସ ପିନ୍ଧାଇ ଦିଅ । ଆଉ ଡେରି କରନା, ଭଗବାନ !”

 

ଛୁଟି ସରି ଆସୁଥିବାରୁ ସେ ଭଗବାନଙ୍କୁ ଆର୍ତ୍ତକଣ୍ଠରେ ବାରମ୍ବାର ପ୍ରାର୍ଥନା କରିବାକୁ ଲାଗିଲେ । ଭଗବାନ ତାଙ୍କ ପ୍ରାର୍ଥନା ଶୁଣିଲା ପରି ଜଣାଗଲା । ଛୁଟିର ସପ୍ତମ ଦିନ ବଡ଼ିଭୋରରୁ ଜେନା କବି ଦେଖିଲେ—ପର୍ବତ ଦାସ ଖତମ୍ ।

 

ଡାକିଲେ ଆଉ ଶୁଣୁ ନାହାନ୍ତି । ନିଶ୍ୱାସ ପ୍ରଶ୍ୱାସ ବି ବନ୍ଦ । କାମ ବଢ଼ିଗଲା ଭାବି ସେ ଟେଲିଫୋନ୍‌ରେ ସବୁ ଖବର କାଗଜ ଅଫିସକୁ ଜଣାଇଦେଲେ । ଘରକୁ ଛୁଟିଯାଇ ଆଗରୁ ଲେଖାହୋଇ ରହିଥିବା କେତେକ ପ୍ରବନ୍ଧରେ ଶୂନ୍ୟସ୍ଥାନ ସବୁ ପୂରଣ କରିଦେଲେ ଓ ଜଣେ ଲୋକ ହାତରେ ସବୁ ଖବର କାଗଜକୁ ପଠାଇଦେଲେ । ଏତକ କରିସାରି ଗୋଟିଏ ରିକ୍‍ସାରେ ଫୁଲମାଳ, କୋକେଇ ସରଞ୍ଜାମ ଇତ୍ୟାଦି ନେଇ ପୁଣି ଡାକ୍ତରଖାନାରେ ଯାଇ ହାଜର ହୋଇଗଲେ-। ତାଙ୍କ ପଛେ ପଛେ ବହୁ ଲୋକ ଯାଇ ସେଠାରେ ଜମା ହୋଇଗଲେ । ଫଟୋ ଉଠାଇଲାବାଲା ବି ପଛେ ପଛେ ହାଜର । ଏତେ ଅଳ୍ପ ସମୟ ଭିତରେ ଏତେଗୁଡ଼ାଏ ବ୍ୟବସ୍ଥା ଚଟାପଟ୍ କରିଦେବାର ଦେଖି ସମସ୍ତେ ଜେନା କବିଙ୍କୁ ଧନ୍ୟ ଧନ୍ୟ କହିଲେ । କିଛି ସମୟ ପରେ ପର୍ବତ ଦାସଙ୍କର ଦୂର ସମ୍ପର୍କୀୟ ଜଣେ ଦି ଜଣ ବି ଆସି ପହଞ୍ଚିଗଲେ । ସୁସଜ୍ଜିତ କୋକେଇରେ ପର୍ବତ ଦାସଙ୍କୁ ଶୁଆଇ ଓ ବ୍ୟାଣ୍ଡବାଜା ବଜାଇ ସମସ୍ତେ ଶିବ ଚଉରା ଆଡ଼େ ଆଗେଇଲେ-। ଆଖଡ଼ା ଆଗରେ ଖଲିଫା ଚାଲିଲା ପରି ଜେନା କବି ସବା ଆଗରେ ବଡ଼ ଗମ୍ଭୀର ହୋଇ ଯାଉଥାନ୍ତି-। ଅବିନ୍ୟସ୍ତ କେଶଗୁଚ୍ଛ ଫୁରୁ ଫୁରୁ ହୋଇ ଉଡ଼ୁଥାଏ ।

 

ଶରୀର ଗଠନରେ ଦେଶର ଅଗ୍ରଗତି ହେଉ ନ ହେଉ, ମଲା ପରେ ଶରୀର ପୋଡ଼ାପୋଡ଼ିରେ ଦେଶ ଯେ ଅଦ୍ଭୁତ ଅଗ୍ରଗତି ୟା ଭିତରେ କେତେବେଳେ କରି ସାରିଲାଣି, ତାହା ଦେଖି ଜେନା କବି ଯେ ଖାଲି ଅବାକ୍ ହୋଇଗଲେ ତା ନୁହେଁ, ତା ସଙ୍ଗେ ସଙ୍ଗେ ହତବାକ୍ ବି ହୋଇଗଲେ । ଶବସତ୍କାର ପାଇଁ କାଠ ଖୋଜିଲାବେଳକୁ ସେଠା କର୍ମଚାରୀ ହସି ହସି କହିଲେ–“ଆଉ ସେ ପୁରୁଣାକାଳ ନାହିଁ । କାଠ ଆଣରେ, ତାକୁ ଖଞ୍ଜରେ, ମଡ଼ା ଥୋ’ରେ, ନଡ଼ା ବିଡ଼ା ପହିଲେ ଲଗାଇ ନିଆଁ ଧରାରେ, ମଡ଼ା ନ ପୋଡ଼ିଲେ ବାଉଁଶରେ କେଞ୍ଚ୍‌ରେ, ପବନ ବାଡ଼େଇଲେ ପର୍ଦ୍ଦା ଟାଣରେ, ବର୍ଷା ପଡ଼ିଲେ ମୁଣ୍ଡରେ ହାତ ଦେଇ ବସରେ, ଏସବୁ ଏଠାରୁ ଉଭେଇ ଯାଇଛି-। ତା ବଦଳରେ ଏଠି ତିଆରି ହୋଇଛି ବିଜୁଳି ଜୁଇ । ସେହି ଯେଉଁ ଘର ଦେଖୁଛ ସେଇଠି ବିଜୁଳି ଜୁଇ ଖଞ୍ଜାଯାଇଛି । ଗୋଟିଏ ଛୋଟ ଦୁଆର ଅଛି, ତାକୁ ଖୋଲିଦେଲେ ଗୋଟିଏ ଶଗଡ଼ ବାହାରି ଆସିବ । ସେଥିରେ ଶବକୁ ଶୁଆଇଦେଇ ପୁଣି ସେ ଘର ଭିତରକୁ ଠେଲିଦେଲେ କବାଟ ପଡ଼ିଯାଏ-। ତା ପରେ ଖାଲି ସୁଇଚ୍‌ଟି ଟିପିଦେବାକୁ ହୁଏ । ବାସ୍, ମିନିଟ୍ କ ଭିତରେ କାମ ଖତମ୍-। ଆଖି ପିଛଳାକେ ସବୁ ଭସ୍ମ ହୋଇଯାଏ । ସେ “ହିରଣ୍ୟ ଗର୍ଭ”ରେ ଆଉ କିଛି ଟିକିଏ ହେଲେ ରହେ ନାହିଁ । ଫିସ୍ ମାତ୍ର ଦଶ ଟଙ୍କା । କଠ କିଣାରେ ଯେତିକି ଖର୍ଚ୍ଚ ହେଉଥିଲା, ଠିକ୍ ସେତିକି । କେତେ ଅଯଥା ପରିଶ୍ରମ ଓ ଉଦ୍‌ବେଗରୁ ତ୍ରାହି ମିଳିଛି । ସମୟ ବି କେତେ ବଞ୍ଚିଛି । ଦଶ ଦଶଟା ରନ୍ତଲେଇ ମଡ଼କ ହେଲେବି ଆମେ ସମ୍ଭାଳି ନେବୁ । ଏଗାରଟା ନ ଅଙ୍କକୁ ବି ଆମେ ଖାତିର କରୁ ନା ।”

 

ତାଙ୍କ ବକ୍ତୃତା ଶୁଣି ସମସ୍ତେ ଏକସ୍ୱରରେ ସରକାରଙ୍କ ପ୍ରଶଂସା କରିବାକୁ ଲାଗିଲେ । ଏଇଟା ଦେଶର ସର୍ବୋତ୍କୃଷ୍ଟ ଉନ୍ନୟନ ବୋଲି ସମସ୍ତେ ସ୍ୱୀକାର କଲେ । ଜଣେ କହିଲେ–“ଇଂରାଜୀରେ ଏକ ପ୍ରବାଦ ଅଛି—ଶେଷଟା ଭଲ ହେଲେ ସବୁକିଛି ଭଲ । ମଲାଟା ହେଉଛି ଶେଷ । ସରକାର ଏ ଶେଷଟାକୁ ଏଡ଼େ ବଢ଼ିଆ କରି ଦେଇଛନ୍ତି । ତେଣୁ ଦେଶରେ ବର୍ତ୍ତମାନ ସବୁ ଭଲ ବୋଲି କେଉଁ ବୋକଡ୍‍ଟା ଭଲା ନ କହିବ ?”

 

ଏତେଗୁଡ଼ାଏ ପରିଶ୍ରମରୁ ରକ୍ଷା ପାଇଯିବାର ଦେଖି ସମସ୍ତେ, ବେଶିକରି ଜେନା କବି ଖୁସି ହୋଇଗଲେ । ସଙ୍ଗେ ସଙ୍ଗେ ଦଶଟଙ୍କିଆ ନୋଟଟାଏ ବିଜୁଳି ଜୁଇ କର୍ମଚାରୀଙ୍କ ହାତକୁ ବଢ଼ାଇଦେଇ କାମ ସାରିବା ଲାଗି ଜେନା କବି ଚଞ୍ଚଳ ହୋଇଉଠିଲେ । ବିଜୁଳି ଜୁଇର ଶଗଡ଼ିରେ ପର୍ବତ ଦାସଙ୍କୁ ଶୁଆଇବାକୁ ଯାଉଛନ୍ତି, ଠିକ୍ ଏହି ସମୟରେ ତାଙ୍କ ସମ୍ପର୍କୀୟରୁ ଜଣେ ପଚାରିଲେ–“ଆଚ୍ଛା, ଏଥିରେ ତ ଚାହୁଁ ଚାହୁଁ ସବୁ ଭସ୍ମ ହୋଇଯିବ, ଅସ୍ଥି ସଞ୍ଚୟନ କାର୍ଯ୍ୟଟା ହେବ କିପରି-?”

 

କର୍ମଚାରୀ ଜଣକ କହିଲେ—“ସେ ସବୁ କାମ ଏଠି ହୋଇ ପାରିବନି । ଭସ୍ମ ମିଳିବା ତ କଷ୍ଟକର, ଅସ୍ଥି କଥା ଉଠିବ କୁଆଡ଼ୁ ?”

 

ସମ୍ପର୍କୀୟ ଦୁଇ ତିନି ଜଣଯାକ ଏହା ଶୁଣି ବିବ୍ରତ ହୋଇପଡ଼ିଲେ । ଅସ୍ଥି ନ ରଖିଲେ ଗଙ୍ଗାରେ ବିସର୍ଜନ ଦିଆଯିବ କଅଣ ? ଏ କାର୍ଯ୍ୟଟି ନ ହେଲେ ପ୍ରେତ ଘୂରିବୁଲି କୁଟୁମ୍ବଙ୍କ ଉପରେ ଦାଉ ସାଧିବ । ଏହିସବୁ କାରଣରୁ ସେମାନେ ବିଜୁଳି ଜୁଇରେ ନ ପୋଡ଼ିବାକୁ ଅଡ଼ିଧରି ବସିଲେ । କେତେକ କହିଲେ—ସେହି ଶିବ ଚଉରାରେ ବାହାରେ କାଠ ସାହାଯ୍ୟରେ ପୋଡ଼ାଯାଉ । ସେଠାରେ କର୍ମଚାରୀମାନେ କହିଲେ ଯେ, ସେଠାରେ ବିଜୁଳି ଜୁଇ ଛଡ଼ା ଅନ୍ୟ କୌଣସି ସ୍ଥାନରେ ଶବ ପୋଡ଼ାଯାଇ ପାରିବ ନାହିଁ । ନିହାତି ଯଦି ଅସ୍ଥି ଦରକାର, ତେବେ ଅନ୍ୟ ମଶାଣିକୁ ନେଇଯିବା ଉଚିତ୍ । ଅନ୍ୟ ମଶାଣିକୁ ନେବାକୁ କଥା ଉଠାଇଲାରୁ, ଜେନା କବି କହିଲେ—“ଦେଖ, ତାଙ୍କର ଅନ୍ତିମ ଇଚ୍ଛା ଏଇଠି ତାଙ୍କ ଶବ ସତ୍କାର ହେବ । କେବଳ ମୁଁ ନୁହେଁ, ଅନ୍ୟ ସମସ୍ତେ ବି ତାଙ୍କ ଆଗରେ ପ୍ରତିଜ୍ଞା କରିଛନ୍ତି, ତାଙ୍କ ଆଶା ପୂରଣ କରିବେ । ଏପରି ଅବସ୍ଥାରେ ତାଙ୍କ ଶବକୁ ଅନ୍ୟତ୍ର ନେବା ଅତି କଦର୍ଯ୍ୟ କଥା ହେବ । ତାଙ୍କ ଶେଷ ଆଶା ପୂରଣ ନ ହେଲେ ହଜାର ଅସ୍ଥି ଗଙ୍ଗାରେ ପକାଇଲେ ବି ତାଙ୍କ ଆତ୍ମାର ଶାନ୍ତି ହେବନି । ଅସନ୍ତୁଷ୍ଟ ଆତ୍ମା ଯେ କୁଟୁମ୍ବର କ୍ଷତି ନ କରିବ, ତାହା କିଏ କହିବ ? ଏଣୁ ତାଙ୍କ ଶେଷ ଆଶାକୁ ସମ୍ମାନ ଦେଖାଇ ଏହିଠାରେ ହିଁ ସତ୍କାର କରିବା ।”

 

ସମ୍ପର୍କୀୟମାନେ କିନ୍ତୁ ଅଡ଼ିବସି କହିଲେ—“ ଆପଣମାନେ ଯାହା କରୁଛନ୍ତି କରନ୍ତୁ । ଆମକୁ କିନ୍ତୁ ଅସ୍ଥି ଖଣ୍ଡେ ଦେବାକୁ ପଡ଼ିବ ।”

 

ଜେନା କବି ମହା ମୁସ୍କିଲରେ ପଡ଼ିଲେ । ଚୁପୁ ଚୁପୁ କରି ବିଜୁଳି ଜୁଇ କର୍ମଚାରୀମାନଙ୍କୁ ପଚାରିଲେ—“ଆଚ୍ଛା, ସବୁ ଭସ୍ମ ହୋଇଯିବା ପୂର୍ବରୁ ଷଣ୍ଢୁଆସିରେ ଖଣ୍ଡେ ହାଡ଼ ଟାଣି ଆଣି ହୋଇପାରିବନି ?”

 

“ଅସମ୍ଭବ । ତିନି ହଜାର ଡିଗ୍ରୀ ସେଣ୍ଟିଗ୍ରେଡ୍‍ ତାଉ ପାଖକୁ କେଉଁ ଷଣ୍ଢୁଆସିଟା ଯିବ ! ଯାହାକିଛି ତା ଭିତରକୁ ଯିବ, ତାହା ଆଉ ଫେରି ଆସିବ ନାହିଁ । ସେଇଠି ପିଗିଳି ଭସ୍ମ ହୋଇଯିବ-। ସେଠି ଆଉ କିଛି ଫେରି ପାଇବା କଥା ମିଛ । ଜୁଇ ଥଣ୍ଡା ହେଲେ ଝାଡ଼ିଝୁଡ଼ି ପାଉଁଶ କିଛି ଦିଆଯାଇ ପାରେ । ବେଶି ପାଉଁଶ ଦରକାର ହେଲେ ସେହି ପାଉଁଶରେ ଗଇଁଠା ପାଉଁଶ କିଛି ମିଶାଇ ଦେବ ।”

 

ନିରାଶ ହୋଇ ଜେନା କବି ସମ୍ପର୍କୀୟମାନଙ୍କୁ ବୁଝାଇବାକୁ ଲାଗିଲେ—“ଦେଖ, ପାଉଁଶତକ ସେହି ଅସ୍ଥିର ଅବଶିଷ୍ଟାଂଶ ଛଡ଼ା ଆଉ କଅଣ ? ପାଉଁଶ ନେଇ ଗଙ୍ଗାରେ ବିସର୍ଜନ କଲେ ଅସ୍ଥି ବିସର୍ଜନ ସଙ୍ଗେ ସମାନ । ତେଣୁ ଆଉ ଏଥିରେ ଅରାଜି ହୁଅନ୍ତୁ ନାହିଁ । ସେ ତ ଜବାବ ଦେଉଛନ୍ତି ପାଉଁଶ ଦେବେ ବୋଲି । ଆଉ ଡେରି କରନ୍ତୁ ନାହିଁ।”

 

ସେମାନେ ସମସ୍ତେ କିନ୍ତୁ ଅଟଳ ରହିଲେ । ଜଣେ କହିଲା—“ଆଜ୍ଞା, ଆମେ କଣ ଛୁଆପିଲା ହୋଇଛୁ, ଆମକୁ ଭଣ୍ଡାଉଛନ୍ତି ? ପାଉଁଶ ଯାହା ଅସ୍ଥି ସେଇଆ ବୁଝାଉଛନ୍ତି । ସବୁ ପୋଡ଼ିଗଲେ ପାଉଁଶ ହୋଇଯାଏ । ଆମେ ତେବେ ଭାତ ନ ଖାଇ ପାଉଁଶ ଖାଇଲେ କଅଣ ଚଳନ୍ତା ନାହିଁ ? ଆମେ ତ କହୁଛୁ ଆମର ସବୁଥିରେ ରାଜି, କେବଳ ଆମର ଲୋଡ଼ା ଖଣ୍ଡିଏ ଅସ୍ଥି । ଆମକୁ ସେତିକି ଦେଇଦିଅ । ତେଣିକି ଆପଣମାନେ ଯାହା କରୁଛନ୍ତି କରନ୍ତୁ । ଆମେ କେଉଁଥିରେ ପାଟି ଫିଟେଇ ଯିବୁନି ।”

 

ଜେନା କବି ଏମିତିଆ ଦୋଘାଇରେ ପଡ଼ି ଛଟପଟ ହେଉଥିଲାବେଳେ ହଠାତ୍ ତାଙ୍କ ମୁଣ୍ଡକୁ ଗୋଟାଏ ବୁଦ୍ଧି ଦେଖାଗଲା । ସେ କହିଲେ—“ଆଚ୍ଛା, ତୁମ କଥା ରହୁ, ଆମ କଥା ରହୁ । ବିଜୁଳି ଜୁଇରେ ଭର୍ତ୍ତି କରିବା ପୂର୍ବରୁ ତାଙ୍କର ଗୋଟାଏ ଆଙ୍ଗୁଠି କାଟି ଆପଣଙ୍କୁ ଦେଇଦେଲେ କାମ ଖତମ୍ । ଆପଣ ତାହା ଗଙ୍ଗାରେ ବିସର୍ଜନ ଦେଇଦେବେ । ବାକି କାମ ଏଇଠି ସବୁ ହୋଇଯିବ । ଏଥିରେ ଆପଣମାନେ ରାଜି ?”

 

“ଆମେ ତ କହୁଛୁ, ଆମର ସେତିକି ଦରକାର । ସେତିକି ହେଲେ ଆମେ ଆଉ କେଉଁଥିରେ ପାଟି ଫିଟେଇ ଯିବୁନି ।”

 

ଜେନା କବିଙ୍କୁ ଗୋଟାଏ ଗଡ଼ଜୟ କଲା ପରି ଲାଗିଲା । ସେ ସଙ୍ଗେ ସଙ୍ଗେ ସେଠାରୁ କିଛି ସମୟ ପାଇଁ ସହର ଭିତରକୁ ଚାଲି ଆସିଲେ ଓ ଗୋଟାଏ ଦାଢ଼ୁଆ ଗୁଆକାତି ଧରି ଫେରିଲେ-। ଶେଷ ସମ୍ମାନ ଓ କର୍ମକର୍ମାଣ ସରିବା ପରେ ପର୍ବତ ଦାସଙ୍କୁ ବିଜୁଳି ଜୁଇ ଶଗଡ଼ିରେ ଶୁଆଇ ଦିଆଗଲା । ଜୁଇ କବାଟଟା ଖୋଲି ଯାଇଥାଏ । ଜୁଇ ମୁହଁଟା ଗୋଟାଏ ରାକ୍ଷସ ପରି ଆଁ କରିଥାଏ । ସବୁ ଠିକ୍‍ଠାକ୍ କେବଳ ମୁହଁ ଭିତରକୁ ଶଗଡ଼ିକୁ ଠେଲିଦେବାକୁ ବାକି । ଶେଷରେ ଜେନା କବି ପର୍ବତ ଦାସଙ୍କୁ ନମସ୍କାର କରି ତାଙ୍କ ବାଁ ହାତ ବୁଢ଼ା ଆଙ୍ଗୁଠିଟିକୁ ଧରିଲେ-। ଗୁଆକାତିଟା ଗଳାଇ କଚ୍ କରି କାଟିଦେଲେ । ହଠାତ୍ ସମସ୍ତେ ଚମକି ପଡ଼ିଲେ । ଏ କଅଣ-? ପର୍ବତ ଦାସଙ୍କ ହାତଟା ଟାଣି ହୋଇଗଲା । ତାଙ୍କ ମୁହଁଟା କେମିତି ଟିକିଏ ବିକୃତ ଦେଖାଗଲା-। ପାଟିରୁ ଅସ୍ପଷ୍ଟ ସ୍ୱରରେ “କେ” ହୋଇ ଗୋଟାଏ ଶବ୍ଦ ଶୁଣାଗଲା ପରି ଜଣାଗଲା ।

 

ସମସ୍ତଙ୍କ ଦିହ ଶୀତେଇ ଉଠିଲା । ଭଲକରି ମୁହଁମାଡ଼ି ସମସ୍ତେ ଚାହିଁଲେ । ଦେଖିଲେ, କଟା ଆଙ୍ଗୁଠି ମୂଳରୁ ତାଜା ରକ୍ତ ଛୁଟିବାରେ ଲାଗିଛି । ଛାତି ଟିକିଏ ଉଠୁଛି ପଡ଼ୁଛି । ତା ସଙ୍ଗେ ସଙ୍ଗେ ପାଟିଟା ଟିକିଏ ମେଲା ଓ ବନ୍ଦ ହୋଇଯାଉଛି । ଆରେ ଜୀବନ ଅଛି ନା କଅଣ ! ଜେନା କବି ସେତେବେଳକୁ ଗୋଟିପଣେ ଥରିଲେଣି । ଜୁଇରୁ ଫେରିବା କଥା କିଛି ନୂଆ ନୁହେଁ । ଏମିତିଆ ବହୁ ଘଟଣା ଘଟିଯାଇଛି । ତେବେ ପର୍ବତ ଦାସଙ୍କ ଜୀବନ ଅଛି । ସେ ବୋଧହୁଏ ଫେରିବେ ।

 

କାଳବିଳମ୍ବ ନ କରି ସମସ୍ତେ ତାଙ୍କୁ ଜୁଇ ଶଗଡ଼ି ଉପରୁ ଉଠାଇ ଆଣିଲେ । ଆମ୍ବୁଲାନ୍‌ସ ଡକାଇ ପୁଣି ଡାକ୍ତରଖାନାରେ ନେଇ ଭର୍ତ୍ତି କରିବାକୁ ତର ସହିଲାନି । ପର୍ବତ ଦାସଙ୍କର ମହାଯାତ୍ରା ସ୍ଥଗିତ ରହିଲା । ହେଲେ ତାଙ୍କର ବାଁ ବୁଢ଼ା ଆଙ୍ଗୁଠି ଫେରିଲା ନାହିଁ । କ୍ରମେ ଡାକ୍ତରଖାନାରେ ସଂପୂର୍ଣ୍ଣ ସୁସ୍ଥ ହୋଇ ସେ ଘରକୁ ଫେରିଲେ । ସେହି ଦିନୁଠୁଁ ଜେନା କବି କିନ୍ତୁ ତାଙ୍କ ସାମନାକୁ ଆଉ ଆସନ୍ତି ନାହିଁ ।

 

ପର୍ବତ ଦାସ ହସି ହସି କହିଲେ—“ମୁଁ ମଧ୍ୟ ସେହିଦିନଠାରୁ ଆଉ କିଛି ଆଶା କରୁନି । ଯଦିବା ଅକସ୍ମାତ୍ ଗୋଟାଏ ଆଶା ମୋ ମନରେ ପଶିଯାଉଛି, ତେବେ ଏହି ଘଟଣାଟି ତାକୁ ଦାବି ଦେଉଛି ।”

☆☆☆

 

ପ୍ରକାଶନ ପୀଡ଼ା

 

ପ୍ରକାଶକ ଗେଣ୍ଡୁ ପଧାନଙ୍କ ପୁଷ ମାସ ଆସିଲା ଆସିଲା ପରି ହୋଇଗଲା । ଏ ପୁଷ ମାସ ଯେ ଏକା ଚାଷୀଙ୍କର ଥାଏ, ତାହା ନୁହେଁ । ଚାଷୀଏ ଏ ମାସରେ ବର୍ଷସାରା ହାଡ଼ଭଙ୍ଗା ପରିଶ୍ରମର ଫଳ ପାଆନ୍ତି । ଧାନ ହଳା ମୁଣ୍ଡରେ ବୋହି ଘରକୁ ନେଇଯିବା ବେଳେ ସେମାନଙ୍କ ମନ କୁଲୁରି ଉଠେ । ଦାନା ଓ କନା ଏତିକିବେଳେ ମିଳିଯାଏ । ଚାଷୀ ଏହି ସମୟଟାକୁ ବରଷର ସର୍ବଶ୍ରେଷ୍ଠ ଦିନଗୁଡ଼ିକ ବୋଲି ଭାବେ । ପୁଷ ମାସ କଥାଟା ଏଇଠୁଁ ଆରମ୍ଭ ଜାଣ । ଲୋକେ କ୍ରମେ ଏ ପୁଷ ମାସକୁ ନେଇ ସବୁଠି ଥୋଇଲେ । କାହାର ଯଦି କୌଣସି ସମୟରେ ଆଲ୍ଲାଙ୍କର ଛପରଫଡ଼ା ଆରମ୍ଭ ହୋଇଯାଏ, ତେବେ ଲୋକେ କହନ୍ତି—“ଅଃ, ଅମୁକର ପୁଷମାସ ପଡ଼ିଛି ।” ସେଇଟା ପଛେ ବୈଶାଖ ମାସ ହୋଇଥାଉ, ଲୋକେ କହନ୍ତି ପୁଷମାସ । ପୁଷମାସ ସମସ୍ତଙ୍କର ଅଛି । ମାର୍ଚ୍ଚ ମାସଟା ହେଲା କାନ୍‌ତରାଟି, କିରାଣୀ, ଇଞ୍ଜିନିୟର ଓ ଓଭରସିଅରମାନଙ୍କ ପୁଷ ମାସ-। ବାକିଆ ସବୁ ବିଲ୍‌ଗୁଡ଼ିକର ଟଙ୍କା ଏହି ସମୟରେ ମିଳିଥାଏ ଓ କିରାଣୀଠୁଁ ଆରମ୍ଭ କରି ଇଞ୍ଜିନିୟର ତଥା ଖୋଦ୍ କାନ୍‌ତରାଟର ପାକିଟି ବେଶ୍ ଉଷୁମ ହୋଇଉଠେ । ସେହିପରି ଜାନୁଆରୀ, ଫେବୃଆରୀ ଶିକ୍ଷକମାନଙ୍କର ପୁଷମାସ । ଏତିକିବେଳେ ଅଷାଢ଼ୁଆ ଇଲିଶି ନଈ ମୁହାଣରେ ସାଲୁ ସାଲୁ ହେଲା ପରି ପରୀକ୍ଷାର୍ଥୀମାନେ ଶିକ୍ଷକଙ୍କ ଦୁଆରମୁହଁରେ ସାଲୁ ସାଲୁ ହୁଅନ୍ତି । ଶିକ୍ଷକ ଦି’ ହାତିଆ ପଢ଼େଇ ମଜୁରୀ ଆଦାୟ କରିବାରେ ଲାଗିଥାଆନ୍ତି । ସେମିତି ସେପ୍ଟେମ୍ବର, ଅକ୍ଟୋବର, ଅର୍ଥାତ୍ ଦଶହରା ସମୟ ଲୁଗା ଦୋକାନୀଙ୍କ ପୁଷମାସ, ଯୁଦ୍ଧ ସମୟ ମିଲ୍ ବାଲାଙ୍କ ପୁଷମାସ, ମଡ଼କ ପଡ଼ିଲେ ଡାକ୍ତରଙ୍କ ପୁଷମାସ, ଗଣ୍ଡଗୋଳ ଓ ହାଣ-ମାର-କାଟ ପ୍ରବଳ ହେଲେ ଓକିଲଙ୍କ ପୁଷମାସ ବୋଲି ଲୋକେ କହନ୍ତି । ସମସ୍ତଙ୍କ ପୁଷମାସ ପରି ପ୍ରକାଶକ ଗେଣ୍ଡୁ ପଧାନଙ୍କ ପୁଷମାସଟା ଜୁଲାଇ ମାସରେ ପଡ଼ିଥାଏ । ଏଥିପୂର୍ବରୁ ଗେଣ୍ଡୁ ପଧାନ ବହି ଫଳେଇ ଚାଷରେ ମନ ଲଗାନ୍ତି । ଏ ବର୍ଷର ତାଙ୍କ ପୁଷମାସଟା କିନ୍ତୁ ସେତେ ମାତବରିଆ ହେଲା ଭଳି ଲାଗିଲାନି । ସରକାର ତ ବେଶି କାଟ୍‌ତିର ବହିତକ ହାତରେ ଛାପିଲେ । ତା ପରେ ବଡ଼ ବଡ଼ ପ୍ରକାଶକମାନେ ପାଠ୍ୟପୁସ୍ତକ କମିଟିର ସଭ୍ୟମାନଙ୍କୁ ନାନା ଉପାୟରେ କାବୁ କରି ନିଜ ନିଜ ବହି ମଞ୍ଜୁର କରିନେଲେ ଓ ହେଡ଼ମାଷ୍ଟରମାନଙ୍କୁ କାବୁ କରି ସେମାନଙ୍କ ସ୍କୁଲରେ ଚାଲୁ କରାଇଦେଲେ-। ଗେଣ୍ଡୁ ପଧାନଙ୍କୁ ବିଚରା ପଚାରେ କିଏ ? ହେଲେ ସେ ନଛୋଡ଼ବନ୍ଧା । ବଡ଼ ବଡ଼ମାନେ ଦଶ କରିପାରିଲେ ସେ ଅନ୍ତତଃ ଏକ କରିପାରିବେ । ଛାଡ଼ିବେ କିଆଁ ? ପାଠ୍ୟପୁସ୍ତକ କମିଟିର ଫାଇଦା ମାଡ଼ିବାକୁ ତାଙ୍କର ସାହସ ନ ଥିଲା । ସେ ସାହସ କେବଳ ଲକ୍ଷପତିଆ ପ୍ରକାଶକମାନଙ୍କର-। ଭଲ ଭଲ ନାମଜାଦା ପାଠ୍ୟପୁସ୍ତକ ଲେଖକମାନଙ୍କ ପାଖକୁ ଯିବାର ବାଟ ମଧ୍ୟ ତାଙ୍କର ସୁଗମ ନ ଥିଲା-। କାରଣ ସେମାନେ ଲକ୍ଷପତିଆ ପ୍ରକାଶକମାନଙ୍କ ପାଖରେ ଛନ୍ଦା । ତାଙ୍କର ଫରମାସ୍ ତୁଲାଇବାରେ ସେମାନେ ଝାଳ, ନାଳ, ଲେଣ୍ଟି ଗେଣ୍ଡୁ ପଧାନଙ୍କୁ ପଚାରେ କିଏ-? ଖୁବ୍ ଚେଷ୍ଟା କଲେ ଲେଖକ ଓ ପାଠ୍ୟପୁସ୍ତକ କମିଟି ସଭ୍ୟ ରୂପକ ଦୁଇଟି ବାଡ଼ ଡେଇଁଗଲେ ଯେ କାମ ସରିଗଲା, ତା ନୁହେଁ । ତା ପରେ ଏକ ସଇକାର ବାଡ଼ ହେଉଛି ପ୍ରଧାନ ଶିକ୍ଷକଗଣ-। ଲେଖକ ଓ ପାଠ୍ୟପୁସ୍ତକ କମିଟି ସଭ୍ୟମାନଙ୍କୁ ଗୋଟିଏ ଗୋଟିଏ ସ୍ଥାନରେ ପାଇ ହେବ, କିନ୍ତୁ ସାରା ଓଡ଼ିଶାରେ ହଜାର ହଜାର ସ୍ଥାନକୁ ଯାଇ ପ୍ରଧାନ ଶିକ୍ଷକମାନଙ୍କୁ ଧରାଧରି କରିବା କାଠିକର ପାଠ-। ସେ ତ ଏକୁଟିଆ ଏତେ ଅଳ୍ପ ସମୟ ମଧ୍ୟରେ ସବୁ ପ୍ରଧାନ ଶିକ୍ଷକଙ୍କ କଥା ଭାବିବା ଉଚିତ୍ ନୁହେଁ-। ଏହି ଭାବନାଟା ଗେଣ୍ଡୁ ପଧାନଙ୍କୁ ନିରାଶା ପୋଖରୀରେ ଯେତେ ଶିଙ୍ଘବୁଡ଼ା ଦେଲେ ବି ସେ ପାଣି ଭିତରୁ ସୋଲଟିପେଇ ପରି ପଟ୍ କରି ଉଠିପଡ଼ୁଥାଆନ୍ତି । ମନରେ ସେ ଆଣ୍ଟ ବାନ୍ଧିଲେ–“ନା, ପୁଷମାସକୁ ଅଲବତ୍ ଅର୍ଚ୍ଚନା କରିବାକୁ ହେବ । କିଏ ଲକ୍ଷରେ କଲେ ମୁଁ ଶହକରେ ବି କରିପାରିବି । ଯେତିକି ହେଲା ସେତିକି । ଏ ପୁଷମାସରେ “ଶ” ହେଉ । ଆର ବର୍ଷ ପୁଷମାସରେ ଅବଶ୍ୟ “ହ” ହେବ । ତା’ପର ବା ତା’ପର ପୁଷମାସରେ “ଲ” ନ ହେବ କାହିଁକି-?” ତାଙ୍କର ମନେ ପଡ଼ିଗଲା–ଜଣେ ମାରୁଆଡ଼ି ଗୋଟିଏ ଡାଲାରେ ଦହିକେବଡ଼େ ବୁଲେଇ ବିକୁ ବିକୁ ପୁଷମାସ ତାକୁ ମାଡ଼ିବସିଲା । ସେ ଏବେ ଯାଉଁଳିଆପଟିର ପ୍ରସିଦ୍ଧ ଲକ୍ଷପତି ଶାମ ମହାରାଜ-। ତା ଗୁଡ଼ିଆ ଦୋକାନରେ ଦିନକୁ ହଜାର ହଜାର ଟଙ୍କାର କାରବାର । ଏହିକ୍ଷଣି ସେ ଗୋଡ଼କୁ ଗୋଡ଼ ଉପରେ ଥୋଇ ଆରାମରେ ବସିଛି ଆଉ ମଝିରେ ମଝିରେ ମୁଣ୍ଡ ବିଣ୍ଡିକୁ ଆଉଁଷୁଛି । ଶହ ଶହ ନୋଟ୍ ଫରର୍ ଫାରର୍ ହୋଇ ତା ଟ୍ରେଜେରୀ ଭିତରକୁ ଉଡ଼ି ଯାଉଛନ୍ତି । ଶାମ ମହାରାଜ ବିଭୋର ହୋଇ ସେହିଆଡ଼େ ଚାହିଁ ରହିଛି । ଯତ୍ନ କଲେ ରତ୍ନ ମିଳିବ । ସେହି “ଶ” ରୁ ‘ଲ’ ଓ ‘ଲ’ ରୁ ‘କୋ’ ହେବ ।

 

ଗେଣ୍ଡୁ ପଧାନେ କାମରେ ଲାଗିପଡ଼ିଲେ । ଅଳ୍ପ ସମୟ ହାତରେ; ତେଣୁ ଚଟାପଟ ସବୁ କାମତକ କରିବାକୁ ହେବ । କେଉଁ ବହିଟା ଲେଖାଇବେ ? ନଜର ପଡ଼ିଲା ସମାଜ ଜୀବନ ଉପରେ । ଗୁଡ଼ାଏ ରକମ ବହି ଚଳୁଛି । ଆମ ସମାଜ ଜୀବନ, ଆମର ସମାଜ ଜୀବନ, ତୁମ ସମାଜ ଜୀବନ, ତାହାର ସମାଜ ଜୀବନ, ସେମାନଙ୍କର ସମାଜ ଜୀବନ, ସମାଜ ଓ ଜୀବନ, ଜୀବନ ଓ ସମାଜ, ସମାଜିକ ଶିକ୍ଷା, ସାମାଜିକ ପାଠ, ସାମାଜିକ ଅଧ୍ୟୟନ ଏହିପରି ଅସରନ୍ତି ନାମ-। ପୁସ୍ତକ ତାଲିକା ତିଆରି କଲାବେଳେ ଛାତ୍ର ତ ଛାତ୍ର, ଖୋଦ୍ ଶିକ୍ଷକ ବି ଭୁଲ କରିବସନ୍ତି-। ଗେଣ୍ଡୁ ପଧାନ ଭାବିଲେ, ଏଇଥିରୁ ଗୋଟାଏ ଲେଖେଇ ତା ନାଁ ଦେବି “ଅସଲି ସମାଜ ଜୀବନ”-। ଏହାର ପାଣ୍ଡୁଲିପି ପାଇଁ ସେ ଛ’ ସାତ ଜଣ ପ୍ରଧାନ ଶିକ୍ଷକ ତଥା ଶିକ୍ଷକଙ୍କ ପାଖରୁ ଫେରିବା ପରେ ସେ ତାଙ୍କର ବନ୍ଧୁ ଷେଣ୍ଢ ପରିଡ଼ାଙ୍କ ପରାମର୍ଶ ଲୋଡ଼ିଲେ । ସେ ବି ଜଣେ ପୋଖତ ପୁସ୍ତକ ବ୍ୟବସାୟୀ-। ବନ୍ଧୁ ଗେଣ୍ଡୁ ପଧାନଙ୍କୁ ବୁଝାଇ ଦେଲେ—“ଆରେ ବାବୁ, ତୁମେ ଏମାନଙ୍କୁ ପାରିବ ନାହିଁ-। ଏମାନଙ୍କର ମୁହଁରେ ଖାଲି ଥୋ ପାଞ୍ଚ ହଜାର, ଆଣ ଦଶ ହଜାର । ଯେଉଁ କାମ କରନ୍ତି, ତାହା ମୋତେ ଜଣା । ବଛା ବଛା ନାମଯାଦା ଲେଖକମାନଙ୍କ ଚାରି ପାଞ୍ଚ ଖଣ୍ଡ ବହି ଆଗରେ ପକାଇ ଏ ବହିରୁ କାଣ୍ଡେ ତ ସେ ବହିରୁ ଅଧକାଣ୍ଡେ, ଆଉ ଗୋଟାଏ ବହିରୁ ଆଠ ଦଶ ପଦ ମିଶାଇ ଲେଖିପକାନ୍ତି । ଚାହୁଁ ଚାହୁଁ ବହିଟାଏ ହୋଇଯାଏ । ମୁଣ୍ଡ ଟିକିଏ ବି ହଲେନି । ଏଥିରେ ପୁଣି ଦାବି କାହିଁରେ କଅଣ ! ତୁ ଏ ଝାମଲାରେ ପଶ ନା । ପୂଜାପୂଜି ଏଠି ଏତେ ବେଶି ଯେ, କେବଳ ଲକ୍ଷପତିମାନଙ୍କ ଦାନ୍ତ ସେଠି ଭୁକିବ । ତୁ ବରଂ ଗୋଟାଏ ମାନେ ବହି ଛାପିଦେ । ଅଳପରୁ ଆରମ୍ଭ କର । ସବୁ ବିଷୟରେ ଜାଣିଗଲେ ପରେ ଅସଲି ସମାଜ ଜୀବନରେ ମାତିବୁ । ଆଉ ଗୋଟିଏ କଥା ମନେରଖ ମାନେ ବହିରେ ଅଗା ବଗା ଯେ କୌଣସି ଗୋଟିଏ ପ୍ରଧାନ ଶିକ୍ଷକଙ୍କ ନାଁ ରଖିଲେ ଭଲ ହେବ । ନ ମିଳିଲେ ଚିନ୍ତା ନାହିଁ । ଚାରି ଜଣ ବା ଛଅ ଜଣ ପୋଖତ ଶିକ୍ଷକଙ୍କ ଦ୍ୱାରା ଲିଖିତ ବୋଲି ଛାପିଦେବୁ । ପହିଲେ କିନ୍ତୁ ଜଣେ ପ୍ରଧାନ ଶିକ୍ଷକଙ୍କ ପାଖକୁ ଯା, ଠିକଣା ବତାଇ ଦେଉଛି । ହିଡ଼ିମ୍ବା ହାଇସ୍କୁଲର ପ୍ରଧାନ ଶିକ୍ଷକ ଚେମେଇ ପାଣି କେବଳ ନାଁ’ ବିକୁଛି, ତାରି ପାଖକୁ ଯା । ଶହେଟି ଟଙ୍କା ଫୋପାଡ଼ି ଦେବୁ, କହିବୁ ମୁଁ ପଠେଇଛି । ତୋ ବହିରେ ତାଙ୍କ ନାଁ’ ଟା କେବଳ ଛାପିବା ପାଇଁ ଅନୁମତିଟା ଦେଇଦେବେ । ବହି ନ ଦେଖି ତହିଁରେ ନିଜ ନାମ ଛପେଇ ଦେବାକୁ ଅନୁମତି ଦେବାରେ ସେହି କେବଳ ଏକା । ବହି ଯାହା ପାରେ ତାହା ହୋଇଥାଉ, ତାଙ୍କ ଟଙ୍କାଟା ପାଇଗଲେ ସେ ନିଶ୍ଚିନ୍ତ । ସିଧାସଳଖ ଚାଲି ଯା ତାଙ୍କ ପାଖକୁ । ନାଁ ବିକିବାକୁ ସେ ପେଷା କରିଛନ୍ତି, ନିଶ୍ଚୟ ଦେବେ । ଏଥିରେ ବୋର୍ଡ଼ ତ ବୋର୍ଡ଼, ବୋର୍ଡ଼ର ବଡ଼ବାପା କିଛି କରିପାରିବେ ନାହିଁ । ଏ ମାନେବହିକୁ ଚାରିଖୁଣ ମାଫ୍ । ଏହାର ଅନୁମତି ଫନୁମତି କିଛି ହେଲେ ଲୋଡ଼ା ନାହିଁ । ଏଣୁ ବହୁତ ଧାନ୍ଦିଲିରୁ ବଞ୍ଚିଯିବୁ । ଯା, ଶୀଘ୍ର ମାନେ ବହିଟାଏ କଲେଜ ଟୋକାଙ୍କ ହାତରେ ଲେଖାଇନେଇ ଚେମେଇ ପାଣିଙ୍କ ପାଖକୁ ଯା । ନାଁ’ ଟା କିଣି ଆଣି ଛପେଇରେ ଲାଗିପଡ଼ ।”

 

ଗେଣ୍ଡୁ ପଧାନ ସାହିର ଦି’ ଚାରିଟା ପଢ଼ୁଆ ଟୋକାଙ୍କୁ ଏକାଠି କରାଇ କହିଲେ–“ହଇରେ ପିଲେ, ଏ ଚାରି ପାଞ୍ଚଟା ବହିରୁ ସାର ସାର କଥା ଉତ୍ତାରି ଗୋଟାଏ ବହି ତିଆରି ଶୀଘ୍ର କରିଦିଅ । ସାରିଦେବା ମାତ୍ରେ ତୁମକୁ ପେଟେ ପେଟେ ଦହିବରା ଖୁଆଇବି-। ଦହିବରା ପିଲାଙ୍କୁ ଘୋଷାଡ଼ି ନେଇ କାମରେ ଲଗାଇ ଦେଲା । ଦିନ ଚାରିଟାରେ କାମ ଫତେ-। ଗେଣ୍ଡୁ ଚେମେଇଙ୍କ ପାଖକୁ ଧାଇଁଲେ—ଚେମେଇଙ୍କ ନାଁ’ର ଦାମ୍ କିନ୍ତୁ ସେତେବେଳକୁ ପଚାଶକୁ ଖସି ଆସିଥିଲା । ଖାଲି ବସି ବସି ପଚାଶ ଟଙ୍କା ଛାଡ଼େ କିଏ ? ହାତ ହଲିବନି, ମୁଣ୍ଡ ଖେଳିବନି; ଅଥଚ ନାଁ’ଟା ବହି ଉପରେ ବସି ଚାରିଆଡ଼େ ବୁଲିବ । ହଜାର ହଜାର ଛାତ୍ର ତାଙ୍କ ନାଁ’ ପଢ଼ିବେ । ଖବର କାଗଜ ନାଁ’ ଅପେକ୍ଷା ଏ ନାଁ’ ଆହୁରି ବଢ଼ିଆ । ଲୋକେ ଖବର କାଗଜରେ ନାଁ’ କୁ ଥରେ ମାତ୍ର ଦେଖନ୍ତି । ତା ପରେ ସେଥିରେ ପୋଛାପୋଛି ବା ବନ୍ଧା ବନ୍ଧି କାମ ହୋଇଯାଏ । ବହି ନାଁ’ ଟା କିନ୍ତୁ ସବୁଦିନିଆ । ବର୍ଷେ ଦୁଇ ବର୍ଷ ଯାଏ ଛାତ୍ର ନିତି ତାକୁ ଦେଖେ । ନାଁ’ ଟା ତା ମୁଣ୍ଡରେ ଗାଦି ମାଡ଼ି ବସେ । ଏ ସୌଭାଗ୍ୟ ଉପରେ ପୁଣି ପଚାଶ ଟଙ୍କା ଦକ୍ଷିଣା ! ଚେମେଇ ପାଣି ସାଥେ ସାଥେ ରାଜି ହୋଇଗଲେ ।

 

ଏହା ପରେ ଗେଣ୍ଡୁ ପଧାନେ କାଗଜବାଲା ଓ ଛାପାଖାନା ମାଲିକଙ୍କ ପାଖେ ହାଜର ହେଲେ । ପାଠ ବହି ବିକ୍ରିରେ କିଛି ଅସୁବିଧା ହବନି । ବହି ଛପାର ମାସକ ଭିତରେ ଦୁହେଁ ପରା ଟଙ୍କା ପାଇଯିବେ ବୋଲି ଠିକ୍ ହେଲା । କାଗଜ ଆସିଲା ଓ ବହି ଛପା ହେଲା । ଉପମୁଦ୍ରଣ ସଂଶୋଧକ ବା ପ୍ରୁଫ୍‌ରିଡର୍ ସଂଶୋଧନବେଳେ ଟିକିଏ କ୍ୟାଉଁ କାଉଁ ହେବାରୁ ଗେଣ୍ଡୁ ପଧାନ କହିଲେ—“ତୁମେ ସେଥିରେ ମୁଣ୍ଡ ଖେଳାଅ ନାହିଁ । ଯାହା ଅଛି ସେଇଆ ଛାପିଯାଅ । ବିକ୍ରି ହୋଇଗଲେ କାମ ଫତେ । ବହି କିଣିଲାବେଳେ କେହି ବହିର ମସଲା ଦେଖି କିଣନ୍ତି ନାହିଁ । ସମସ୍ତେ ଲେଖକ ନାଁ ଦେଖି କିଣନ୍ତି । ଲେଖକ ହେଉଛନ୍ତି ହିଡ଼ିମ୍ବା ହାଇସ୍କୁଲର ହେଡ଼ମାଷ୍ଟର । ତାଙ୍କର ଲାଞ୍ଜ ଧରି ବହିଟା ବିକ୍ରି-ବୈତରଣୀ ପାର ହୋଇଯିବ । ଚିନ୍ତା ନାହିଁ, ଛାପିଯାଅ ।”

 

ବହି ବାହାରିଗଲା । ପହିଲୁ ପହିଲୁ ଅଳ୍ପ ବହୁତ ହୋଇ ବିକ୍ରି ସୁରୁ ହୋଇଗଲା । ବିକ୍ରି ବେଲୁନଟା ଉପରକୁ ଉଠୁ ଉଠୁ ଅଚାନକ ଢୋ କରି ଫାଟିଗଲା । ଦୁନିଆରେ ସମସ୍ତଙ୍କର ଶତ୍ରୁ ଥାଆନ୍ତି । ଗେଣ୍ଡୁ ପଧାନ ଓ ଚେମେଇ ପାଣିଙ୍କର ନ ରହନ୍ତେ କିପରି ? ଗେଣ୍ଡୁ ପଧାନଙ୍କ ମନେ ବହିର ଗୋଟାଏ ଅସନା ସମାଲୋଚନା ଖବର କାଗଜରେ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲା । ସମାଲୋଚନାର ତିଖା ମୁନଟା । ଚେମେଇ ପାଣିଙ୍କ ଦିହରେ ଏକାବେଳକେ ଗେବି ହୋଇଯାଇଥାଏ । ମୋଟ ଉପରେ ସମାଲୋଚନାଟାକୁ ଚାଲୁଣିରେ ଚଲେଇ ଦେଲାରୁ ଏଇତକ ରହିଗଲା—“ଏ ମାନେବହିର ଲେଖକ ହେଡ଼ମାଷ୍ଟର ହେଲା କିପରି ? ଗୋଟିଏ ହେଡ଼ମାଷ୍ଟର ଇଂରାଜୀ ଧାଡ଼ିଏ ଠିକ୍ କରି ଲେଖିବାକୁ ଅସମର୍ଥ ହେବା ବଡ଼ ଆଶ୍ଚର୍ଯ୍ୟର ବିଷୟ । ଏପରି ଏକ ବୁଦ୍ଧୁ ହେଡ଼ମାଷ୍ଟର ପିଲାଙ୍କୁ ପଢ଼ାଇଲେ ପିଲାଙ୍କ ଦଶା କଅଣ ହେବ ! ଅତି ସାଧାରଣ ଇଁରାଜୀ ଶବ୍ଦର ଅର୍ଥ ଜାଣି ନ ଥିବା ହେଡ଼ମାଷ୍ଟର ପୃଥିବୀରେ ଏଇ ବୋଧହୁଏ ପ୍ରଥମ । ଛାତ୍ରମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ହେଡ଼ମାଷ୍ଟରଙ୍କୁ ସ୍କୁଲରୁ ତଣ୍ଟିଆ ଦେଇ ଶୁଖୁଆ ବେପାରରେ ନିଯୁକ୍ତି କରିଦେବା ଦରକାର-। ଏ ହେଡ଼ମାଷ୍ଟର ଅର୍ଥକୁ ମୂଳଲେଖାଠାରୁ ଅଧିକ ଦୁର୍ବୋଧ୍ୟ କରିଅଛନ୍ତି । ପ୍ରକାଶକ ଗେଣ୍ଡୁ ପଧାନଙ୍କର ମାନେ ବହିତକ ଜବତ୍ କରି ଚୁଲିରେ ଅତି ଶୀଘ୍ର ଜାଳ କରିଦେବା ଦରକାର-। ଏପରି ମୂର୍ଖତା ବିଶିଷ୍ଟ ମାନେ ବହି ଛାପି ଛାତ୍ରମାନଙ୍କୁ ବିଭ୍ରାନ୍ତ କରିବା ଦୋଷରେ ଅଭିଯୁକ୍ତ କରି ଗେଣ୍ଡୁ ପ୍ରଧାନ ତଥା ଚେମେଇ ପାଣିଙ୍କୁ ମାମୁଁ ଘର ପଠେଇ ଦେବା ଦରକାର ।”

 

ଏତେ କଟୁ ସମାଲୋଚନା ପରେ ଗେଣ୍ଡୁ ପଧାନଙ୍କ ମାନେ ବହିର ଅବସ୍ଥା ଯାହା ହୋଇଥିବ, ତାହା ସହଜେ ଅନୁମେୟ । ବହି ବିକ୍ରିତ ସଙ୍ଗେ ସଙ୍ଗେ ବନ୍ଦ ହୋଇଗଲା । କାଗଜବାଲା, ଛାପାଖାନାବାଲା ଦି’ ଓଳି ଦୋକାନ ଉପରେ ଚଢ଼ାଉ କରିବା ଫଳରେ ଗେଣ୍ଡୁ ପଧାନେ ଭାଣ୍ଡିଆ ହୋଇଗଲେ । ଗାଁ’ରେ ଥିବା ଚାଷଜମିରୁ ଖଣ୍ଡିଏ ବିକ୍ରି କରି ଧାର ଶୁଝିଲେ । ତାଙ୍କର ପାଠପୁସ୍ତକ ପ୍ରକାଶନ ପୀଡ଼ାର ଟିକିଏ ଉପଶମ ହେଲା । ହେଲେ ଚେମେଇ ପାଣିଙ୍କ ପୀଡ଼ା ଗଲା ନାହିଁ । ଅଥାନରେ ବଥ ଉଠିଲେ ଦେଖି ହୁଏନି କି ଦେଖିଇ ହୁଏନି । ଚେମେଇ ପାଣିଙ୍କର ଠିକ୍ ସେହିପରି ଅବସ୍ଥା ହେଲା ।

☆☆☆

 

ସାହିତ୍ୟରେ ନୂଆ ଇଜିମ୍

 

ପୂର୍ବ ଛାତ୍ରବାସର ପିଲାଏ ସେମାନଙ୍କର ବାର୍ଷିକ ସାଂସ୍କୃତିକ ଉତ୍ସବ ଯେମିତି ସବୁବର୍ଷଠାରୁ ବଢ଼ିଆ ହେବ, ସେହି ଚିନ୍ତାରେ ଲାଗିରହି ସିନେମା ଦେଖା ବି ଭୁଲିଗଲେ । ଛାତ୍ରାବାସର ମାନ ଯେପରି ଦୁଇ ଗୁଣ ବଢ଼ିଯାଏ, ସେଥିଲାଗି ସମସ୍ତେ କାନ୍ଧ ଲଗେଇବାକୁ ପାଇକଛା ଭିଡ଼ି ଅସ୍ତାନ ଟେକି ତିଆର ହୋଇଗଲେ । ଟିକିଏ ଫୁରସତ୍ ପାଇଲେ ତିନି ଚାରି ଜଣ ବି ଏକାଠି ହୋଇ ନାନା କଳ୍ପନା ଜଳ୍ପନା ଚଳାଇଲେ । କିଛି ନ ହେଲେ ଅନ୍ତତଃ ପଶ୍ଚିମା ଛାତ୍ରବାସର ସାଂସ୍କୃତିକ ଉତ୍ସବକୁ ଯେ ଅଲବତ୍ ଟପିବାକୁ ହେବ ତାହା ନୁହେଁ, ପଶ୍ଚିମାଙ୍କ ଆଖି ଝଲସାଇ ଦେବାକୁ ହେବ । ସେମାନେ ଯେମିତି ଈର୍ଷାରେ ହାଇ ହାଇ କରିବେ, ତାର ଉପାୟ କରିବାକୁ ହେବ ।

 

ପଶ୍ଚିମାଙ୍କ ଉତ୍ସବର ତାଲିକା ଅଣ୍ଡାଳି ଉଣ୍ଡୁଳି ଜଣାଗଲା, ସେମାନଙ୍କର ମୋଟ ଖର୍ଚ୍ଚ ବାଇଶି ଶହ ପଚସ୍ତରି ଟଙ୍କା ଊଣେଇଶି ପଇସା । ଏଥିରେ ୮୦ ମାଗାଜିନ୍, ଚା ଜଳଖିଆ, ସାହିତ୍ୟ ଆଲୋଚନା ଆଉ ଫୁଲମାଳର ବ୍ୟବସ୍ଥା ହୋଇଥିଲା । ପଶ୍ଚିମାଙ୍କୁ ସବୁଥିରେ ଟପିବାକୁ ହେବ । ତେଣୁ ସଭା ପୂର୍ବ ଆଲୋଚନାରେ ଠିକ୍ ହେଲା—ମୋଟ ଟଙ୍କା ତିନି ହଜାର ହେବ । ଚାହା, ଜଳଖିଆ ପରିବର୍ତ୍ତେ ପଲାଉ, ମାଉଁସ ତରକାରି, ରସଗୋଲା, ଫୁଲମାଳ ବଦଳରେ କର୍ପୂର ମାଳ କରିବାକୁ ହେବ, ହେବ, ହେବ ।

 

ସଭାରେ ସେଇଆ ଠିକ୍ ହୋଇ ମଞ୍ଜୁର ହୋଇଯିବାରୁ ପୂର୍ବା ପିଲାଏ ପଶ୍ଚିମା ପିଲାଙ୍କୁ ଅଧାଅଧି ଜିଣିଗଲା ପରି ଅନୁଭବ କଲେ । ସାହିତ୍ୟ ସଭା ପାଇଁ ପୂରା ଜିତାପଟଟା ଯାହା ଅଟକି ରହିଗଲା । ପଶ୍ଚିମାଙ୍କ ଭିତରେ ସାହିତ୍ୟରଥୀ ବହୁତ ଅଛନ୍ତି । ସାହିତ୍ୟ ଉପରେ ଆଲୋଚନା ହେଲେ, ବାଘ ଶିକାର ଉପରକୁ କୁଦିଲା ପରି ଏମାନେ ସାହିତ୍ୟ ଉପରକୁ କୁଦିପଡ଼ନ୍ତି । ସାହିତ୍ୟକୁ ଭିଡ଼ି ଓଟାରି ଖିନ୍ ଭିନ୍ କରି ଆଲୋଚନା କରନ୍ତି । ସବୁ ହୋଇପାରିବ, କିନ୍ତୁ ତାଙ୍କ ଭଳିଆ ସାହିତ୍ୟରଥୀ ପୂର୍ବାଙ୍କ ଭିତରେ ମିଳିବା ସହଜ କଥା ନୁହେଁ । ପଦାରୁ ସାହିତ୍ୟିକ ଡାକିବା ମାମୁଲି କଥା । ସେମାନେ ପ୍ରଜାତନ୍ତ୍ରିଆଙ୍କୁ ଡାକିଲେ, ଆମେ କଳିଙ୍ଗିଆଙ୍କୁ ଡାକିବା । ସେମାନେ ସାଂସ୍କୃତିକ ମନ୍ତ୍ରୀଙ୍କୁ ଡାକିଲେ, ଆମେ ମୁଖ୍ୟମନ୍ତ୍ରୀଙ୍କୁ ଡାକିବା । ସେମାନେ ସଙ୍ଗୀତ ପରିବେଷଣ କଲେ, ଆମେ ଏକାଙ୍କିକା ଠିଆ କରାଇଦେବା । ସେମାନେ ଦାସକାଠିଆ କଲେ, ଆମେ ପାଲା କରିବା । ହେଲେ ଏଗୁଡ଼ାକ ପଦା କାମ । ସେମାନେ ନିଜ ବାହାଦୁରି ଦେଖାଇ ଚାଲିଯିବେ । ଆମ ନିଜର କି ବଢ଼ତି ସେଥିରେ ହୋଇଯିବ ? ନିଜ ଶିଙ୍ଘରେ ମାଟି ତାଡ଼ିବାର ଯେଉଁ ପୌରୁଷ ପଶ୍ଚିମାଙ୍କର ଅଛି, ଆମର ସେ ପୌରୁଷ କାହିଁ । ଆମ ଛାତ୍ରବାସରେ ଠିକ୍ ସେମିତିଆ ପୌରୁଷ ଦେଖାଇପାରିଲା ଭଳି ରଥୀ କିଏ ଅଛି ? ଏଇ ବିଷୟରେ ଆମେ ହାରିଯିବା । ଏହିପରି ଆଲୋଚନା ଚାଲିଥିବାବେଳେ ଗୋବର୍ଦ୍ଧନ ଅନ୍ୟମନସ୍କ ଭାବେ ଗୋଟିଏ ଚିନାବାଦାମ ପୁଡ଼ିଆ ଧରି ଗୋଟିଏ ଗୋଟିଏ ଚିନାବାଦାମ ଭାଙ୍ଗି ପାଟିରେ ପକାଉଥିଲା । “ହାରିଯିବା” ପଦଟି ତା କାନରେ ପଡ଼ିଯିବା ମାତ୍ରେ ସେ ନିଆଁବାଣ ହୋଇଗଲା । ରାଗରେ ଚିନାବାଦାମ ପୁଡ଼ିଆଟାକୁ କଂସ କଚିଲା ପରି କଚିଦେଇ ଗର୍ଜିଉଠିଲା—“କଅଣ କହିଲ ହାରିଯିବା ?” ଏତକ କହିବାକୁ ପାଟି ଘୋଳେଇ ହୋଇ ପଡ଼ିଲାନି-? ତୁଣ୍ଡ ଲେଉଟିଲା ଏହା ପୁଣି କହିବାକୁ ? ଏ ଭୀରୁ କାପୁରୁଷ ପରି ମାଇଚିଆ କଥା ପାଇଁ ପୂର୍ବ ଛାତ୍ରାବାସରେ ସ୍ଥାନ ନାହିଁ । ଏପରି ହୀନମାନ୍ୟତା ଆମ ପାଖରେ ଚଳିବ ନାହିଁ । ତା ଉପରେ ଥୁ–”

 

“ଥୁ” କହିବା ସଙ୍ଗେ ଲେଣ୍ଡାଏ ଛେପ ତଳକୁ ଛାଡ଼ିଦେଲା । ଜଣେ ଦି’ଜଣ ନାକ ଟେକି ଧୀରେ ଧୀରେ କହିଲେ—“ହେଃ ! କେଡ଼େ ଅସନାଟାଏ ମ, ଥାନ ଅଥାନ ବାରି ପାରୁନି—”

 

ଗୋବର୍ଦ୍ଧନଙ୍କର ଏ କଥା ପ୍ରତି ଭ୍ରୁକ୍ଷେପ ନ ଥାଏ । ସେ ଗର୍ଜି ଲାଗିଥାଏ—“କାହିଁକି ନିଜକୁ ଏପରି ତୁଚ୍ଛ ମନେ କରୁଛ ? ସୋରିଷ ପରି ବର ମଞ୍ଜି ଭିତରେ ଏଡ଼େ ବଡ଼ ବରଗଛଟାଏ ଲୁଚି ରହିଥାଏ । ମଞ୍ଜିକୁ ଚାହିଁଲେ ସହଜରେ ଏହା ବିଶ୍ୱାସ କରି ହୁଏନା । ଆମ ଭିତରେ ସେମିତି ସାହିତ୍ୟର ଏକ ମସ୍ତବଡ଼ ଗଛ ଲୁଚି ନ ରହିଥିବ କାହିଁକି ?”

 

ଜଣେ ପିଲା ତାକୁ ଶାନ୍ତ କରାଇ ପଚାରିଲା—“ଆଚ୍ଛା, ଗୋବ ! ତୁ ନିଜେ କହିଲୁ ଭଲା, ଆମ ଭିତରେ ପଶ୍ଚିମାଙ୍କ ସାଙ୍ଗରେ ସାହିତ୍ୟ ଉପରେ ଟକ୍କର ଦେବାକୁ କିଏ ଅଛି ? ଖାଲି କଥାରେ ଭାସିଗଲେ ତ ଚଳିବନି—”

 

ଗୋବ ଅଧିକ ଉତ୍ତେଜିତ ହୋଇ କହିଉଠିଲା—“ ଆରେ ତୁ ପୁଣି ପଚାରୁଛୁ ? କାହିଁ, ତୋର କଅଣ ଆଖି ନାହିଁ କି ? ତେଲୁଣି ପୋକ ପରି ଓଡ଼ିଆ ଅନର୍ସ ପିଲାଏ ଆମର ଏଠି ସାଲୁ ସାଲୁ ! ସମସ୍ତେ ଇଚ୍ଛା କଲେ ପୂର୍ବା, ପଶ୍ଚିମା ସମସ୍ତଙ୍କୁ ସାହିତ୍ୟରେ ଭସାଇ ଦେବେ । ମୋତେ ଆଉ ସେ ସାହିତ୍ୟ ଦେଖାନା ମ !”

 

“ଓଡ଼ିଆ ଅନର୍ସ ନେଇଗଲେ ଯେ ସାହିତ୍ୟଟା ଅକ୍ତିଆର ହୋଇଗଲା ତାହା ଭାବିବା ଭୁଲ । ଏଇଠୁତ ଖର୍ବ ଖବଂ ଓଡ଼ିଆ ଅନର୍ସବାଲା ଡେଣା ପାକଳ କରି ଉଡ଼ିଗଲେଣି, ତାଙ୍କ ଭିତରୁ କେଇଜଣ ସାହିତ୍ୟିକ ହୋଇ ଦେଖା ଦେଇଛନ୍ତି କହିଲୁ ? ବହି ଘୋଷି ଯଦି ସାହିତ୍ୟିକ ପୈଦା ହେଉଥାନ୍ତେ, ତେବେ ଦେଶଟା ସାହିତ୍ୟିକମୟ ହୋଇ ଯାଇଥାନ୍ତା । ସାଂସ୍କୃତିକ ଉତ୍ସବ ପାଇଁ କାହାକୁ ଡାକିବା, କାହାକୁ ଡାକିବା ଭାବି ଆମେ ହଲାପଟା ହେଉ ନ ଥାନ୍ତୁ ।

 

“ତୁ ତାହେଲେ କହିବାକୁ ଚାହୁଁ, ସେହି ପଶ୍ଚିମାଙ୍କ ଭିତରେ ସବୁ ସାହିତ୍ୟିକଗୁଡ଼ାକ ଗୁଞ୍ଜି ଗାଞ୍ଜି ହୋଇ ରହିଛନ୍ତି—ଆଉ ଆମ ଭିତରେ ଶୂନ !”

 

“ତୁ ନିଜେ କହ ତ, ଗଲା ଉତ୍ସବରେ ତାଙ୍କର ଗଦେଇ ଯେପରି ସାହିତ୍ୟ ଉପରେ ଏକ ଓଜନଦାର ବକ୍ତୃତା ଦେଲା, ଆମ ଭିତରେ ସେମିତିଆ ବକ୍ତୃତା କିଏ ଦେବ ? ଖୋଦ୍ ସଭାପତି ତାର କେଡ଼େ ତାରିଫ୍ କଲେ ! କିଏ ସେମିତିଆ ଅଛି କହୁନୁ?”

 

“ତାରି ସଙ୍ଗେ ଟକ୍କର ଦେବା କଥା କହୁଛୁ ତ ? ମୁଁ ନିଜେ ସେଥିପାଇଁ ତିଆର । ତାକୁ ମୁଁ ଫୁ” କରି ଉଡ଼େଇ ଦେବି ।”

 

“ହଇରେ ଗୋବ ! ତୋ ନାଁ’ ଟା ଗୋବ ହେଲା ବୋଲି ଅକଲଟା ଗୋବ ହୋଇଗଲା ନା କଅଣ ? ହଇରେ, ତୁ ତ ହେଲୁ ବିଜ୍ଞାନ ପିଲା, ଓଡ଼ିଆ ସାହିତ୍ୟ ଉପରେ ତୋର କି ଦଖଲଟା ଅଛି ଯେ, ଏଡ଼େ ସାହସ ଦେଖାଉଛୁ ! ଏ କଣ ବିଜ୍ଞାନ ହୋଇଛି ଯେ, ହାଇଡ୍ରୋଜେନ୍ ସଙ୍ଗେ ଅକ୍ସିଜେନ ସଙ୍ଗେଇ ପାଣି କାଢ଼ି ପକେଇବୁ?”

 

“ଓଃ ! ସାହିତ୍ୟଟା ତ ଆଉ ସ୍ୱର୍ଗରୁ ଖସିପଡ଼ିଛି ! ସେମିତି ବାର କଥା ଫେଣ୍ଟି ଗପଟାଏ, କବିତାଟାଏ କି ପ୍ରବନ୍ଧଟାଏ ଲେଖା ହୋଇଯାଏ କିଛି ତଫାତ୍ ନାହିଁ ।”

 

“ଅଚ୍ଛା, ତୁ ଏତେ ବଡ଼ କାଢ଼ୁମର୍ଦ୍ଦନ, କହିଲୁ ଭଲା ଗଦେଇ ସାହିତ୍ୟରେ ଯେଉଁସବୁ ଇଜିମ୍‌ର ଆଲୋଚନା କରିଥିଲା, ତୋତେ ସେମିତି ଆଲୋଚନା କରି ଆସିବ ?

 

“କୋଉ ଇଜିମ୍ ସବୁ ସେ ଆଲୋଚନା କରି କେଞ୍ଚ ପକାଇଥିଲା ଯେ !”

 

“ତୁ ଶୁଣିନୁ କି ? —ରିଏଲିଜିମ୍, ସର୍‌ରିଏଲିଜିମ୍, ଏକ୍‌ଜିସଟାନ୍‌ସିଆଲିଜିମ୍, ଡାଡାଇଜିମ୍ ଆଦି କେତେ ଇଜିମ୍ ବିଷୟରେ କେମିତି ଗଡ଼୍ ଗଡ଼୍ କହିଗଲା ।”

 

“ଆରେ, ରଖ ରଖ ତୋ ସର୍‌ରିଆଲିଜିମ୍, ଭର୍‌ରିଆଲିଜିମ୍, ଡାଡାଇଜିମ୍, ପାପାଇଜିମ୍, ମାମାଇଜିମ୍, ସବୁ ସେହି ବହିପାଠ । ଘୂରେଇ ଫେରେଇ ଘୋଷାପାଠକୁ ଓକାଳି ପକାଇଲା । ନୂଆଟା କଅଣ କହିପକାଇଲା ଯେ, ଏତେ ତାରିଫ୍ କରି ପକାଉଛୁ ? ଦେଖ, ମୁଁ ରୋକ୍ ଠୋକ୍ କହିଦେଉଛି, ତୁମେ ସମସ୍ତେ ଆଉ ସବୁ କଥା ତୁଲାଅ । ସାହିତ୍ୟଟାକୁ ମୋତେ ଛାଡ଼ିଦିଅ । ପଶ୍ଚିମା ଗଦେଇ କି ଇଜିମ୍ ବାଢ଼ିଛି, ମୁଁ ନୂଆ ନୂଆ ଇଜିମ୍‌ରେ ଯଦି ତାକୁ ପୋତି ନ ପକେଇଛି, ତେବେ ମୋ ନାଁ ଗୋବର୍ଦ୍ଧନ ନୁହେଁ, ଗୋରୁଧନ ।”

 

ଗୋବର ଏପରି ହୁଁ କାର ଶୁଣି ସମସ୍ତେ ତାଟକା । ଅନେକ ଭାବିଲେ, ଅନେକ ବିଜ୍ଞାନବାଲା ଅତି ଆଶ୍ଚର୍ଯ୍ୟଜନକ ଭାବେ ଘରୋଇ ସାଧନା କରି ବଡ଼ ବଡ଼ ସାହିତ୍ୟିକ ପାଲଟି ଯାଇଛନ୍ତି । ଗୋବ ସେମିତିଆ ହୋଇ ପାରିଥିବ, ସେ କଥା କିଏ ନାହିଁ କରିବ ? ଆଉ କେତେକ କାର୍ ପଟଦାର ମନେ ମନେ ଠିକ୍ କରିନେଲେ ଯେ, ସେମାନେ ମୂଳରୁ ସାହିତ୍ୟ ଆଲୋଚନାରେ ପଶ୍ଚିମାଙ୍କୁ ଟପିବା ଆଶା ଛାଡ଼ି ଦେଇଛନ୍ତି । ଯଦି ଗୋବ କିଛି ହଟଚମଟ ଦେଖାଇ ଟପିଯାଏ, ତେବେ ଖୁବ୍ ବଢ଼ିଆ କଥାଟାଏ ହେବ । ଯଦି ମାଙ୍କଡ଼ଚିତ୍ ମାରେ ତେବେ ଦୁଃଖ ନାହିଁ, କାରଣ ସେଇଟା ଅବଶ୍ୟମ୍ଭାବୀ ଭାବି ସେଥିପାଇଁ ସମସ୍ତେ ପ୍ରସ୍ତୁତ । ମୋଟ ଉପରେ ଗୋବ ସାହିତ୍ୟଟାକୁ ଛାଏଁ ଛାଏଁ ଆଦରିଯିବାରୁ ସମସ୍ତେ ନାହିରେ ତେଲ ପକାଇ ବସିଗଲେ ।

 

ଉତ୍ସବ ଆରମ୍ଭ ହେଲା । ସତକୁ ସତ ପୂର୍ବାମାନେ ଲାଗିପଡ଼ି ସାହିତ୍ୟ ଆଲୋଚନା ଛଡ଼ା ଆଉ ସବୁଥିରେ ପଶ୍ଚିମାଙ୍କୁ ଟପିଗଲେ । ମାଗାଜିନ୍‌କୁ କାଗଜରେ, ଛପାରେ, ସଜାସଜିରେ ଓ ଆକାରରେ ପଶ୍ଚିମାଙ୍କ ମାଗାଜିନ୍‌ଠାରୁ ଢେର୍ ଭଲ କରି ଉତ୍ତାରିଲେ । ବଢ଼ିଆ ଏକାଙ୍କିକାଟାଏ ବି ଅଭିନୀତ ହେଲା । ରସଗୋଲା, ସନ୍ଦେଶ ଓ ଦିଲ୍ ଖୁସ୍‌ରେ ସମସ୍ତେ ଦିଲ୍ ଖୁସ୍ ହୋଇଗଲେ । ସାହିତ୍ୟ ଆଲୋଚନାଟି ଶେଷକୁ ଥାଏ । ଅଧିକାଂଶଙ୍କ ମନରେ ଟିକିଏ ଡର ଡର ଭାବ ଦେଖାଦେଲା । ସମସ୍ତେ ଭାବୁଥାନ୍ତି—“ଆଃ ! ସାହିତ୍ୟଟା ଯଦି ଟପିଯାଆନ୍ତା ନା, ତେବେ ପଶ୍ଚିମାଙ୍କ ଆଗରେ ଗଜ୍‌ବାନା ଉଡ଼ନ୍ତା । ସବୁ ରହିଲା ପାଗଳା ଗୋବ ହାତରେ । ଯାହା କରିବ କରୁ । ହେ ମା ସରସ୍ୱତୀ ! ଗୋବ କଣ୍ଠରେ ଅଧଘଣ୍ଟାକ ପାଇଁ ହେଲେ ଦୟାକରି ବସିଯାଅ ।”

 

ଶେଷ ପର୍ଯ୍ୟାୟ ସାହିତ୍ୟ ଆଲୋଚନା ଆସିଗଲା । ବାହାରୁ ନିମନ୍ତ୍ରିତ ହୋଇ ଆସିଥିବା ସାହିତ୍ୟରଥୀ ସାହିତ୍ୟ ବାଣସବୁ ଫୁଟାଇ ସମସ୍ତଙ୍କୁ ତାଟକା କରିଦେଲେ । ଶେଷରେ ଗୋବ ଉଠିଲା । ଏଇଠି ଘାଟିଜାଗା ପହଞ୍ଚିଗଲା ଭାବି ସମସ୍ତଙ୍କ ଛାତି ଧୁଡ଼ୁ ଧୁଡ଼ୁ ହେଲା । ଗୋବ ଟୁଙ୍ଗୁ ଟୁଙ୍ଗୁ ମାଇକ୍ ପାଖରେ ଯାଇ ଠିଆ ହେଲା ଓ ଚାରିଆଡ଼କୁ ଆଖି ବୁଲେଇ ନେଲା । ତା ପାଟି ନ ଫିଟୁଥିବାର ଦେଖି ସମସ୍ତେ ପ୍ରମାଦ ଗଣିଲେ । କେହି କେହି ଫୁସ୍‌ ଫୁସ୍‌ କରି କହିପକାଇଲେ– “ଓଃ-! ଚାଣ୍ଡାଳଟା ସବୁ ସାରିଦେଲା । ଡରି ତ ଗଲାଣି, ପାଟିରୁ କଥା ବାହାରୁନି। ଅଳପେଇସଟା କଅଣ କଲୁରେ !”

 

ସରସ୍ୱତୀ ବିଜେ କରିଗଲେ ପରା ! ତା ପାଟିଟା ପଟ୍ କରି ଫିଟିଗଲା—“ମୁଁ କିବା ଛାର, ମୋତେ ନ ଡାକିଥିଲେ ଭଲ ହୋଇଥାନ୍ତି କହି ମୁଁ ନିଜକୁ ଓ ଆପଣମାନଙ୍କୁ ଠକିବାକୁ ଚାହେଁନା । ଓଃ ! ମୋର ଟିକିଏ ଭୁଲ ହୋଇଗଲା । ମାନନୀୟ ସଭାପତି, ଅତିଥି ଭାଇ ଓ ଭଉଣୀ, ନା, ନା ବନ୍ଧୁ ବାନ୍ଧବୀଗଣ !”

 

ଅନେକ ଖେଁ ଖେଁ ହୋଇ ହସିଉଠିଲେ । କେତେକ ଲାଜ ଓ ଅପମାନରେ ମୁଣ୍ଡ ତଳକୁ ପୋତି, ଦାନ୍ତ କଡ଼ମଡ଼ କରି କହିଲାଗିଲେ—“ମଲୁ ନାହିଁରେ ଗୋବ, ଆମ ଇଜ୍ଜତ ମହତକୁ ଯାହା ଦି’ କଡ଼ାର କରିଦେଲୁ । ହା ହତଲକ୍ଷ୍ମା କୋଉଠିକାର !”

 

ଗୋବ ପୁଣି କହିଗଲା—“ମୋର ମନରେ ଯଦି ପ୍ରକୃତରେ ସେପରି ଭାବନା ଦେଖା ଦେଇଥାନ୍ତା, ତେବେ ମୁଁ ମୂଳରୁ କହିବାକୁ ଆସି ନ ଥାନ୍ତି । ପେଟରେ ନିଜକୁ ପଣ୍ଡିତ ଭାବି ବାହାରେ “ମୁଁ କିବା ଛାର”, “ମୋତେ ଡାକି ନ ଥିଲେ ଭଲ ହୋଇଥାନ୍ତା” କହିବା ପ୍ରତାରଣା ଛଡ଼ା ଆଉ କଅଣ ହୋଇପାରେ ? ମୁଁ ଯାହା ଠିକ୍ ଭାବୁଛି ତାହା କହିବାକୁ ଆସିଲି । ଆପଣମାନଙ୍କୁ ପସନ୍ଦ ନ ହେଲେ ଆପଣ ଭୁଲ କହିପାରନ୍ତି । ତହିଁକି ମୋର ଶୋଚନା ନାହିଁ । ରୋକ୍ ଠୋକ୍ କଥା କହିଲି । କେହି ଏଥିରେ ରାଗିଲେ ମୁଁ ନାଚାର ।”

 

ଶ୍ରୋତାଙ୍କ ଭିତରୁ ଅନେକ ବିବ୍ରତ ହୋଇ ଭାବିଲେ—“ଇସ୍ ! ବାଟରେ ହଗିବାଠାରୁ ବଳିଗଲା । ଅଲକ୍ଷଣାଟା ଭଦ୍ରତା କଅଣ ଜାଣିନି । ମୁଖ୍ୟ ଅତିଥିଙ୍କୁ ଏଇଟା ଯେ ଘୋର ଅପମାନଜନକ ହେବ, ତାହା ଟିକିଏ ହେଲେ ଭାବିଲା ନାହିଁ । ଟିକିଏ ଆଗରୁ ମୁଖ୍ୟ ଅତିଥି ନିଜର ଦୈନ୍ୟ ଦେଖାଇ ଏହିପରି କହିଥିଲେ, ସେଇଟାକୁ କଅଣ ଭୁଲିଗଲା ! ଯାଃ, ଅଲକ୍ଷଣା ଯାହା କହୁଛୁ କହ ।”

 

ଗୋବ ଗଳାଖଙ୍କାରି କହିଲାଗିଲା—“ମୁଁ ଏଣୁ ତେଣୁ ବାର ଚାଉଳିଆ କଥା କହି ବେଳ ଗଡ଼େଇବିନି । ସାହିତ୍ୟରେ ଯେଉଁସବୁ ନୂଆ ନୂଆ ଇଜିମ୍ ଦେଖି ଦେଇଛି, ତାରି ଉପରେ ଠିକେ ଠିକେ କହିଯିବି । ଆପଣମାନେ ଗ୍ରହଣ କଲେ କରନ୍ତୁ ନ କଲେ ନାହିଁ । ସେଥିପାଇଁ ମୁଁ ଟିକିଏ ହେଲେ ବିବ୍ରତ ନୁହେଁ । ସାହିତ୍ୟରେ ଯେଉଁସବୁ ପୁରୁଣାକାଳିଆ ଇଜିମ୍ ବହୁ ପୂର୍ବରୁ ଦେଖାଦେଇଛି, ତାରି ଉପରେ ଶହ ଶହ ବର୍ଷ ହେଲା ଘଷର୍ ଘଷ୍ ଲାଗିଛି । ସେହି ସର୍‌ରିଆଲିଜିମ୍, ଭର୍‌ରିଆଲିଜିମ୍, ଏକ୍‌ଜିସ୍‌ଟାନ୍‌ସିଆଲିଜିମ୍, ଫେକ୍‌ଜିସ୍‌ଟାନ୍‌ସିଆଲିଜିମ୍ ସବୁର ଏବେ ବି ଘଷାମଜା ଚାଲିଛି । ଦିହରୁ ଚୋପା ଛାଡ଼ିଗଲାଣି, ତଥାପି ବିରାମ ନାହିଁ । କେତେ ଗୁଡ଼ିଏ ନୂଆ ଇଜିମ୍ ଯେ ଏହା ଭିତରେ ମୁଣ୍ଡ ଟେକି ଉଠିଲାଣି, ସେ ଆଡ଼କୁ କାହାର ନଜର ପଡ଼ୁନି । କାହାରି ମୁହଁରୁ ସେ ବିଷୟରେ ଆଜିଯାଏ ମୁଁ ପଦୁଟିଏ ଶୁଣିଲି ନାହିଁ । ଏବେ ସେହି ସବୁ ଇଜିମ୍ ବିଷୟ କହୁଛି ଶୁଣନ୍ତୁ–”

 

ସମସ୍ତେ ଅବାକ୍ ହୋଇ ଏକ ଦୃଷ୍ଟିରେ ଗୋବ ମୁହଁକୁ ଚାହିଁ ରହିଲେ । ଗୋବ ବେପରବାଏ ଭାବରେ କହିଲାଗିଲା—“ନୂଆ ଇଜିମ୍ ଭିତରେ ସବୁଠୁଁ ବଡ଼ ଆଉ ପ୍ରବଳ ହେଉଛି “ଇଂଲଣ୍ଡୁ ଇଜିମ୍” । ଏଥିରେ ଆକ୍ରାନ୍ତ ଲେଖକ ବା ବକ୍ତା କଥା ପଦ ପଦକେ ଏକ ଖେପାରେ ଇଂଲଣ୍ଡରେ ଉଠନ୍ତି । ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଆଲୋଚନା ହେଲେ ଏମାନେ ଇଂଲଣ୍ଡ ଧାଇଁ ଯାଇ ଭିକ୍ଟୋରିଆନ୍ ଯୁଗ କଥା ବାଢ଼ିବସନ୍ତି । ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ଇଂରାଜୀ ସାହିତ୍ୟ ଭିତରେ କିଛି ହେଲେ ସମ୍ପର୍କ ନ ଥାଉ ପଛକେ, ଏମାନେ ଦୁହିଁଙ୍କୁ ଘୋଷାଡ଼ି ଓଟାରି ଜୋର ଜବରଦସ୍ତି ହାତଗଣ୍ଠି ପକେଇ ଦିଅନ୍ତି । ଜଣେ ଓଡ଼ିଆ କବିର ଶ୍ରାଦ୍ଧସଭାରେ ବି “ଭିକ୍ଟୋରିଆନ୍ ଏଜ୍” ର ମନ୍ତ୍ର ବୋଲା ଯାଉଛି । “ଇଂଲଣ୍ଡୁ ଇଜିମ୍” ଆଜି ଯେଉଁ ସାହିତ୍ୟ ସଭାରେ ପଦାର୍ପଣ ନ କରୁଛି, ସେ ସାହିତ୍ୟସଭାଟା କଇଁଥା ହୋଇଯାଉଛି ।

 

ତା ପରେ ଆଉ ଗୋଟିଏ ଇଜିମ୍ କଥା କହୁଛି । ସେଇଟା ହେଲା “ଉଡ଼ନ୍‌ଛୁଇଜିମ୍” । ସାହିତ୍ୟସଭାରେ ଯେତେବେଳେ ଜଣେ ଅଳପ ବୁଦ୍ଧିଆ ବକ୍ତା ଗୋଟାଏ କଠିନ ପ୍ରଶ୍ନର ସମ୍ମୁଖୀନ ହୁଏ, ସେତେବେଳେ ଏହି “ଉଡ଼ନ୍‍ଛୁଇଜିମ୍” ତାକୁ ରକ୍ଷା କରେ । କେତେକ ନୂଆ ନୂଆ ଗଜା ଅଧ୍ୟାପକ ବି ଏହି “ଉଡ଼ନ୍‌ଛୁଇଜିମ୍” ସାହାଯ୍ୟରେ ଛାତ୍ରମାନଙ୍କ କଟାଳରୁ ରକ୍ଷା ପାଇଥାନ୍ତି । ମନେକର, ଜଣେ ଛାତ୍ର ଜଣେ ଗଜା ଅଧ୍ୟାପକଙ୍କୁ ପଚାରିଲା—“ସାରଳାଙ୍କ ଭୀମ ଓ ବ୍ୟାସଦେବଙ୍କ ଭୀମ ଭିତରେ ତଫାତ୍ କଅଣ ?” ଅଧ୍ୟାପକ ଯଦି ମହାଭାରତର ଧାର ଧାରି ନ ଥିବେ, ତେବେ ସେ ଆରମ୍ଭ କରିଦେବେ—“ଦୁନିଆରେ ସବୁକିଛି ଜିନିଷ ଦୁଇ ଜଣଙ୍କ ଆଖିରେ ସମାନ ଦିଶେ ନାହିଁ-। ଆଜି ସାରା ପୃଥିବୀ ଦୁଇ ଫାଙ୍କ । ଯେଉଁଟାକୁ ଆମେରିକା ଭୁଲ କହୁଛି, ରୁଷିଆ ତାକୁ କହୁଛି ଠିକ୍-। କେଉଁ ପକ୍ଷକୁ ଆମେ ଭୁଲ କହିବା ? ଆମେରିକା କାଲି ଚନ୍ଦ୍ରରେ ପାଦ ଦେଲା ତା ଆଜି ରୁଷିଆ ଚନ୍ଦ୍ରରେ ଶଗଡ଼ ଚଳାଇଲାଣି । ଆସନ୍ତା କାଲି ଚାଇନା ଯେ ଚନ୍ଦ୍ର ପୃଷ୍ଠରେ କୁଡ଼ିଆ ନ ବାନ୍ଧିବ ତାହା କିଏ କହିବ ! ଯିଏ ଯାହା କରୁ ପଛକେ ଗାଗାରିନ୍ ମୁଣ୍ଡରେ ଇତିହାସ ଶାଢ଼ି ବାନ୍ଧିବ-। ରୁଷ୍‌କୁ ଆମେରିକା ସହଜରେ ଅଣ୍ଟେଇ ପାରିବ ନାହିଁ । ଆମ ଦେଶର ଦଳେ ଲୋକ ତୁଚ୍ଛାଟାକୁ ଆମେରିକାକୁ ଜକଟି ମକଟି ଧରିଛନ୍ତି ।” ଏହିପରି ଗପୁ ଗପୁ ଘଣ୍ଟା ଢଂ । ଅସଲ କଥାରେ ଧରା ନ ଦେଇ ଉଡ଼ନ୍‌ଛୁ ଦେବା ହେଲା “ଉଡ଼ନ୍‌ଛୁଇଜିମ୍‌ର ପ୍ରାଣ”।

 

ଆଉ ଗୋଟାଏ ଇଜିମ୍ ହେଲା “ଗେନ୍ଦ୍ରୁଇଜିମ୍’’ । କୌଣସି ବିଷୟ ବୁଝାଇ ନ ହେଲେ କଥାଟାକୁ ଗେନ୍ଦୁରେଇ ଦେଇ ଖସିଯିବାକୁ ଶିଖାଏ ଏହି ଗେନ୍ଦ୍ରୁଇଜିମ୍ । ଉଦାହରଣସ୍ୱରୂପ ମୋତେ ଜଣେ ପଚାରିଲା, “ଏକ୍‍ଜିସ୍‍ଟାନ୍‍ସିଆଲିଜିମ୍‍ଟା କି ଜିନିଷ ।” ମୁଁ ନ ଜାଣିଥିଲେ ବି ତାକୁ ନିଜର ଅଜ୍ଞତା ନ ଦେଖାଇ କହିବି—ଆରେ ତୁମେ ଏକ୍‌ଜିସ୍‌ଟାନ୍‌ସିଆଲିଜିମ୍ ଜାଣିନ ? ଏଇଟା ଗୋଟାଏ ମାମୁଲି କଥା । ଏକ୍‌ଜିଷ୍ଟରୁ ଏକ୍‌ଜିସ୍‌ଟାନ୍‌ସିଆଲିଜିମ୍ ହୋଇଛି , ମାନେ ଯାହା କିଛି ଏକ୍‌ଜିଷ୍ଟ କରୁଛି । ତୁମେ ଜାଣିଥିବ ସ୍ଥିତିବାଦ ମାନେ ସ୍ଥିତିର ବାଦ । ଷଷ୍ଠୀତତ୍‌ପୁରୁଷ ସମାସ ଯେଉଁଠି ସ୍ଥିତି ଅଛି ସେଇଠି, ଏକ୍‌ଜିସ୍‌ଟାନ୍‌ସିଆଲିଜିମ୍ ଆସୁଛି । ତୁମକୁ ବୁଝେଇବି କଅଣ ? ଏଥର ତୁମେ ଛାଏଁ ଛାଏଁ ବୁଝିପାରିବ । ଆଜିକାଲି ଛୁଆ ପିଲାଏ ବି ଏହାକୁ ବୁଝିଗଲେଣି । ବାସ୍, ଏତିକିରେ ପ୍ରଶ୍ନକର୍ତ୍ତା ସାବାଡ଼ । ପିଲାଙ୍କଠାରୁ କମ୍ ବୁଦ୍ଧିଆ ବୋଲି ଚିହ୍ନା ପଡ଼ିଯିବା ଭୟରେ ସେ ଆଉ ଅଧିକ ପଚାରିବ ନାହିଁ । ସେସବୁ ବୁଝିପାରିଲା ବୋଲି ଛଳନା କରିବ । ଦେଖନ୍ତୁ, ଅସମୟ ବେଳେ ମୋତେ ଗେନ୍ଦ୍ରୁଇଜିମ୍ କିପରି ସାହାଯ୍ୟ କଲା।

 

ଆଉ ଗୋଟାଏ ଇଜିମ୍ ହେଲା ‘ଫିମ୍ପୁ ଡ଼ିଜିମ୍’ । ଉଦାହରଣ ସ୍ୱରୂପ, ମୋତେ ଜଣେ ପଚାରିଲା—ଡାଡାଇଜିମ୍ କଅଣ ? ଡାଡା ଫାଡ଼ା ମୋତେ ମାଲୁମ ନାହିଁ । ସେଇଠି ତା ଉପରେ ମୁଁ ତୋଡ଼ ଦେଖାଇ କହିବି—ଆରେ, ତୋତେ ଟିକିଏ ଲାଜ ଲାଗୁନି । ଡାଡାଇଜିମ୍ କଅଣ ପଚାରୁଛୁ-? ତୁ ବି.ଏ. ପଢ଼ୁଛୁଟି ! ବି.ଏ. ପର୍ଯ୍ୟନ୍ତ କଅଣ କପି କରି କରି ଯାଇଛୁ କିରେ ! ଏସବୁ ମାମୁଲି କଥା ନ ଜାଣିଲେ ସମାଜରେ ଚଳି ପାରିବୁନି । ମୋର ଏତେ ଧୈର୍ଯ୍ୟ ନାହିଁ କି ସମୟ ନାହିଁ-। ଏନ୍‌ସାଇକ୍ଲୋପିଡ଼ିଆ ଅଫ୍ ଲିଟରେଚର୍ ଶୀଘ୍ର ଯାଇ ଦେଖିନେ । ଏଇ ଗୋଟାଏ ଫିମ୍ପୁଡ଼ିରେ କାମ ଶେଷ । “ଫିମ୍ପୁ ଡ଼ିଜିମ୍” ର ଆଶୀର୍ବାଦରେ ତୁମେ ବେଶ୍ ଆନନ୍ଦରେ ଖସିଯାଇ ପାରିବ ।”

 

ସମସ୍ତେ ଅବାକ୍ ହୋଇ ଗୋବରା କଥାଗୁଡ଼ାକ କାନରେ ପିଇ ଯାଉଥାଆନ୍ତି । ଗୋବ ଆହୁରି କେତେ ଇଜିମ୍ କାଢ଼ିଥାଆନ୍ତା । ହେଲେ ସଭାପତି ବେଳ ବେଶି ହେବା ଦେଖି ତାକୁ ବସେଇଦେଇ ନିଜ ବକ୍ତୃତା ଆରମ୍ଭ କରିଦେଲେ । ପଶ୍ଚିମାଙ୍କୁ ଢେର୍ ଢେର୍ ଟପିଗଲା ବୋଲି ଗୋବକୁ ପରେ ସମସ୍ତେ କହିଲେ ।

Image